Unknown

 

 

 

 

 

 

 

 

 

 

 

ଅସ୍ତାଚଳର ସୂର୍ଯ୍ୟ

ଶ୍ରୀ ବଳରାମ ପଟ୍ଟନାୟକ

 

 

 

 

 

 

 

 

 

 

ମୋର ଅତି ଅନ୍ତରଙ୍ଗ ବନ୍ଧୁ କେଇଜଣ, ଯେଉଁମାନେ ମୋର ଉପନ୍ୟାସ ପ୍ରକାଶ ନିମନ୍ତେ ସଦାବେଳେ ଆଗ୍ରହ ପ୍ରକାଶ କରିଥାଆନ୍ତି ଓ ମୋତେ ଉତ୍ସାହ ପ୍ରଦାନ କରନ୍ତି ସେଇମାନଙ୍କୁ ମୋର ଏହି ଉପହାରଟି ।

 

ଲେଖକ

 

 

 

 

 

 

 

 

 

 

 

ଉପନ୍ୟାସର ପୃଷ୍ଠଭୂମି, ଘଟଣାବିନ୍ୟାସ ଓ ଚରିତ୍ର ସବୁ ସଂପୂର୍ଣ୍ଣ କାଳ୍ପନିକ ।

 

ଲେଖକ

 

ଜଗତପୁରଠୁ ନଈପଠା ଉପରେ ଉପରେ ସଫା ଦି’ମାଇଲ ଲମ୍ବର ମହାନଦୀ ପୋଲ କଟକ ସହର ମୁଣ୍ଡକୁ ଆସି ଛୁଇଁଛି ଓ ଠିକ୍‌ ତାକୁ ଡେଇଁଗଲେ ବସ୍‌ରେ ଯାଉ ଯାଉ ଦିଶିଯାଉଥିଲା କେତେ କେତେ ନୂଆ ଦୋକାନସବୁ ମୁଣ୍ଡ ଟେକିଲାଣି, ଟ୍ରକ୍ ଭେଳା ଭେଳା, ରାସ୍ତା ପାଖେ ପାଖେ, ଚାରିପାଖେ ମଟର ପାର୍ଟସ୍‌ ଦୋକାନ, ପେଟ୍ରୋଲ ଡିଜେଲ ପମ୍ପ, ରାସ୍ତା କରର କୁଢ଼କୁଢ଼ ଜଙ୍କ୍‌ମରା ମଟର ପାର୍ଟର ଟୁକୁରାସବୁ ବାଉଁଶଘେରା ଟାର୍ପୋଲିନ୍‌ ଛାତ ତଳେ ଟ୍ରକ୍ ଟାକ୍‌ସିର ଭିଡ଼, ରହି ରହି ପୁଣି ଦଉଡ଼ାଧାପଡ଼ା, ମଟର ବ୍ୟବସାୟୀ ଦାଢ଼ିଆ ପଞ୍ଜାବୀଙ୍କର ହାତ ଧରାଧରି ଶୋଭାଯାତ୍ରା ତ କୋଉଠି କୋଉଠି ଧାଡ଼ି ଧାଡ଼ି ଖଟିଆ ଉପରେ ଶୋଇରହି ଫୁସ୍‌ଫାସ୍‌ କଥାବାର୍ତ୍ତା, ନାନ୍‌, ତଡ଼କା ଓ ସବ୍‌ଜି ଆଦିର ଦୋକାନ, ତାଳତାଟି ତଳେ ଚା ଓ ବରା ପିଆଜିର ନିମନ୍ତ୍ରଣ, କେତେ କେତେ ଛୋଟବଡ଼ କୋଠାଘର ଚାହୁଁ ଚାହୁଁ ଠିଆହେଲାଣି ଓ କାଠ କାବିନ୍‌ ତାଳତାଟି, ଦୋକାନ ସବୁର ଘେରରେ ପଡ଼ିଥିବା ସେଇ ଘରଆଡ଼ୁ, ଷ୍ଟେସନଆଡ଼ୁ, ମହାନଦୀ ବ୍ରିଜ୍‌ଆଡ଼ୁ, ଆଗରୁ ପଛରୁ ଚାରିଆଡ଼ୁ ବସ୍‌ ଟାକ୍‌ସି ଆସି ଲାଗୁ ନ ଲାଗୁ ଶୁଭୁଥିଲା–ଖବରକାଗଜ ମାସିକ ପତ୍ରିକା ବିକାଳିଙ୍କର ହଟ୍ଟଗୋଳ, ବାହାରେ ବେଳେବେଳେ ବସ୍‌ ଟ୍ୟାକ୍‌ସି ଭିତରେ, ଭେଳା ଭେଳା କୁଷ୍ଠରୋଗୀଙ୍କ ଅନୁନୟ ବିନୟଭରା ଡକରା ବସ୍‌ ପାଖକୁ ଲାଗି ଭିକ ମାଗିମାଗି, ରାସ୍ତାକରଟା ପାଣିଜମି କୋଉଠି କୋଉଠି ପଙ୍କ ପରିଚୟ, ରିକ୍‌ସା ଉପରୁ ଲାଉଡ଼୍‌ସ୍ପିକରରୁ ମହାଶୟଙ୍କର ତୈଳ ଓ ଯାଦୁମଲମର କାନଫଟା ବିଜ୍ଞାପନ ପରେ ପରେ ଫଳବିକାଳିଙ୍କର ପଟୁଆର, କମଳା, ଅଙ୍ଗୁର, କଦଳୀ ଓ ସେଉ ନାସ୍‌ପାତିର ବୋଝ ସମ୍ଭାର, ରିକ୍‌ସାବାଲାଙ୍କର ଭିଡ଼ ରାସ୍ତାଯାକ, ବସ୍‌କୁ ଲାଗି ଲାଗି ଗୋଲେଇଛକ ଯାଏଁ, ଚାରିଆଡ଼ୁ ଗାଡ଼ିମଟରର ଯା’ଆସ, ଭୁବନେଶ୍ୱରଆଡ଼ୁ, ପାରାଦ୍ୱୀପ ଆଡ଼ୁ, ଷ୍ଟେସନ ବଜାର ଆଡ଼ୁ ଓ କଲିକତା ଯାଯପୁରଆଡ଼ୁ, ଚାରିଛେକିଆ ରାସ୍ତା, ଗୋଲେଇ ଟ୍ରାଫିକ୍‌ ଚଡାକୁ ଚାରିଆଡ଼ୁ ଘେର ଖାଇ ଖାଇ ମହାନଦୀ ପୋଲଠୁ ମିଶିଛି ଯାଇ ଓ ଏମ୍‌.ପି. ଛକରେ ।

 

ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ଓହ୍ଲେଇ ସେ ଯାଇଥାଆନ୍ତା ମଙ୍ଗଳାବାଗ । ପିଲାଦିନର କଲେଜବନ୍ଧୁ ଜଣେ ଚିଠି ଲେଖିଥିଲେ । ବ୍ୟବସାୟ କରି ସେ ଏବେ ଖୁବ୍‌ ଭଲରେ ଅଛନ୍ତି । ମଙ୍ଗଳାବାଗ ଛକରୁ କିଛି ବାଟ ଆଗେଇଗଲେ ତାଙ୍କର ଦୋମହଲା କୋଠା । ଅକସ୍ମାତ୍‌ ଦିନେ ଭୁବନେଶ୍ୱର ସେକ୍ରେଟେରିଏଟ୍‌ ଆଗରେ ଦେଖା । ବନ୍ଧୁଜଣଙ୍କ କାର୍‌ ଅଟକେଇ କଥାହେଲେ । ତାଙ୍କର ବଡ଼ଲୋକୀ ନ ଥିଲା । କଲେଜ ବେଳର କଥାଯାକ ସବୁ ସେ ମନେରଖିଛନ୍ତି । ଶଙ୍କର ସେଦିନ ଭୁବନେଶ୍ୱର ସାରା ବୁଲି ବୁଲି କୁଆଡ଼େ କିଛି ଖବର ନ ପାଇ ବସ୍‌ଷ୍ଟାଣ୍ଡ ଫେରୁଥିଲା ରିକ୍‌ସାରେ । ସେଦିନ ବନ୍ଧୁଜଣଙ୍କ ବହୁତ ଆଶା ଭରସା ଦେଇଥିଲେ । ତାଙ୍କ ଘରକୁ ଯିବାକୁ ।

 

ବସ୍‌ରୁ ଅଧାଅଧି ଲୋକ ଓ.ଏମ୍‌.ପି. ଛକ ପାଖରେ ଓହ୍ଲେଇଗଲେ । ଶଙ୍କର ମନେମନେ ଭାବିନେଲା-ବାଦାମ୍‌ବାଡ଼ି ବସ୍‌ଷ୍ଟାଣ୍ଡ୍‌ରେ ଓହ୍ଲେଇବା ଯାହା, ଓ. ଏମ୍‌. ପି ଛକରେ ଓହ୍ଲେଇବା ସେଇଆ । ରିକ୍‌ସାରେ ଘରଟାକୁ ଅନ୍ତତଃ ଚିହ୍ନଟ କରିହେବ । ପ୍ୟାଣ୍ଟ ପକେଟରେ ତା’ର ମନିପର୍ସ, ହାତରେ ଖଣ୍ଡେ ବ୍ୟାଗ୍‌ । ବ୍ୟାଗ୍‌ ଭିତରେ ସବୁ କିଛି ତା’ର ଅଛି । ସବୁ କିଛି ଜଞ୍ଜାଳ ସାଙ୍ଗକୁ ତା’ର ସଂସାର । ଡିଗ୍ରୀ ସାର୍ଟିଫିକେଟ୍‌ ସାଙ୍ଗକୁ କଣ୍ଟ୍ରାକ୍‌ଟରି ଲାଇସେନ୍‌ସ, ଟେରିକଟ୍‌ ପ୍ୟାଣ୍ଟସାର୍ଟ ସାଙ୍ଗକୁ ଖଦଡ଼ି ଧୋତି ପଞ୍ଜାବୀ, ଟାଇ୍‌ ସାଙ୍ଗକୁ ଖୋର୍ଦ୍ଧା ଗାମୁଛା, ପିନ୍ଧିଛି କାବୁଲି ସାଣ୍ଡାଲ୍‌, କାଗଜ ଗୁଡ଼ିଆ ହୋଇ ହାତ ବ୍ୟାଗ୍‌ରେ ରହିଛି ହାୱ୍ୟାଇ ରବର ଚପଲ, ଅଧାଅଧି ବାଳ ପାଚିଗଲାଣି, ବ୍ୟାଗ୍‌ ଭିତରେ ରଖିଛି ହେୟାର ଡାଇ, ସାତପୁରୁଷି ଜମିତକ ଭାଗବଣ୍ଟରାରେ ଚେନା ଚେନା କଟି କଟି ଅଭାବ ଅସୁବିଧା ବେଳେ ଛିଡ଼ି ଛିଡ଼ି ସରକାରୀ ଚାକିରି ସାଙ୍ଗକୁ ସେତକ ମିଳିମିଶି ପିଲାକବିଲାଙ୍କର ଗୁଜୁରାଣ ମେଣ୍ଟାଉଥିଲା । ସେତକ ଗଲା ଲ୍ୟାଣ୍ଡ ସିଲିଂରେ । ଜମି ବଦଳରେ ବ୍ୟାଗରେ ପଡ଼ିଛି ତା’ର ଅବଶେଷ କୋଉ କାଳର ଜମି କବଲାତକ । ସେ ସବୁକୁ ଧରି ଏଠାକୁ ସେଠା କେବଳ ଘୂରି ବୁଲିବୁଲି କ’ଣ ଅବା ସେ କରିବ ? ବିଚରା ଶଙ୍କର ପ୍ରସାଦ ଦାସ-ତେଇଶି ଚବିଶି ବର୍ଷର ସରକାରୀ ଚାକିରି-ଦରମା ହାର ଆଉ ତା’ର ବଢ଼ିବାକୁ କିଛି ନ ଥିଲା । ତିନି ଚାରିବର୍ଷ ହେଲା ଶେଷ ସୀମାରେ ପହଞ୍ଚି ସାରିଥିଲା । ଦରମା ବଢ଼ିବାକୁ ନାହିଁ କି ପ୍ରମୋସନ୍‌ର ଆଶା ନାହିଁ । ଗୁଡ଼ାଏ ଷ୍ଟେଟ୍‌ମେଣ୍ଟ ଅନର୍ଥକ ସେ ତିଆରି କରେ । ତଳ ଅଫିସର ଯୋଉସବୁ କାଗଜ ଆସେ ତାକୁ ହିସାବ କରି ଉପର ଅଫିସକୁ ପଠାଇବା ତା’ର ଦାୟିତ୍ୱ । କୁଆଡ଼େ କେତେବେଳେ ନାଳ ଓ କେନାଲ ଖୋଳା ହେଲାଣି–କେତେ ଜମିରେ ପାଣି ମାଡ଼ିଲାଣି–ଜଳକର କେତେ-କେତେ ଆଦାୟ ହେଲାଣି–ଲୋକଙ୍କ ଉପରେ କେତେ ଆଉ ବାକି ଅଛି । ତଳ ଅଫିସର ହିସାବତକ ମିଶାଇ ସେଥର ସେ ଷ୍ଟେଟ୍‌ମେଣ୍ଟ ତିଆରି କରିଥିଲା । ଜିଲ୍ଲାର ଆୟତନ ଯେତେ, ହିସାବ ହେଲା ତା’ର ଦୁଇ ଗୁଣ । ତା’ର ଅବା ଦୋଷ କ’ଣ ଅଛି ? ତଳ ଅଫିସରୁ ଯାହାସବୁ ଆସିଥିଲା, ତାକୁ ସେ କେବଳ ଏକାଠି ସଜେଇ ଦେଇଥିଲା । ଉପର ଅଫିସରେ ଧରାପଡ଼ିଲା–ନାଳ ଓ କେନାଲ୍‌ର ଆୟତନ ଜିଲାର ଆୟତନ ଅପେକ୍ଷା ଦୁଇଗୁଣ ବା କେମିତି ହେବ ? ଉପର ହାକିମ ସେ ଷ୍ଟେଟ୍‌ମେଣ୍ଟଟା ଦସ୍ତଖତ କରି ପୁଣି ପଠେଇଥିଲେ । ଫଳ ହେଲା–ଶଙ୍କର ବିଚାରାର ଚାକିରି ଗଲା । ମାମୁଁ ଘରକୁ ଯାଇନି ରକ୍ଷା । ସେଥିକି ଅପିଲ ନାହିଁ, କୋର୍ଟ କଚେରୀର ଦୁଆର ବନ୍ଦ । ଚାରିଆଡ଼େ କଡ଼ା ତାଗିଦାକଠିନ ପରିଶ୍ରମ ବିନା ଅନ୍ୟ ପନ୍ଥା ନାହିଁ-ସରକାରୀ ସମ୍ପତ୍ତି ଆପଣଙ୍କ ନିଜର ସମ୍ପତ୍ତିକାମ ବେଶି କଥା କମ୍‌, କାମ ଖିଲାପ କଲେ ଆଉ ତା’ର ବିଚାରନାହିଁ । ଭଲମନ୍ଦ ବୁଝିବାକୁ କେହିହେଲେ ନାହାନ୍ତି । ସିଧା ମାମୁଁଘର, ଅଳ୍ପ କେଇବର୍ଷ ବିତିଯାଇଥିଲେ ସେ ପେନ୍‌ସନ୍‌ ପାଇଥାନ୍ତା, ସାରା ଜୀବନର ପରିଶ୍ରମଯାକ ବାଏଁ ବାଏଁ ଉଡ଼ିଗଲା । ବ୍ୟାଗ ଭିତରେ ତା’ର ପଡ଼ିଛି ଚାକିରିରୁ ଡିସ୍‌ଚାର୍ଜ ସାର୍ଟିଫିକେଟ୍‌ । ଉପର ଅଫିସ୍‍କୁ ଯାଇ ବେଳେବେଳେ ତା’ର ଦୁଃଖଯାକ ସେ କାହାଣୀରୂପେ ଗାଏ । ଯିଏ ଶୁଣେ ସେ ସମବେଦନା ଜଣାଏ–କେତେଗୁଡ଼ିଏ ଫମ୍ପା କଥା । ଆଖିପାଣି ଆଖିରେ ମାରି ଶଙ୍କର ଖାଲି ଘୂରିବୁଲେ । ବର୍ଷେହେଲା ସେ ଏମିତି ଘୂରିଲାଣି । ଘରକୁ ଫେରି ପିଲାଗୁଡ଼ାଙ୍କୁ ଦେଖିଦେଲେ ତାକୁ ଖାଲି କାନ୍ଦ ମାଡ଼େ । ତଥାପି ସେ ବଞ୍ଚିରହିବ-ପିଲାଙ୍କୁ ମଣିଷ କରିବ–କିଛି ଗୋଟିଏ ଫନ୍ଦିଫିକର ନ କଲେ ନ ଚଳେ–ସେଇଥିପାଇଁ ସେ କଟକରୁ ଭୁବନେଶ୍ୱର ହେବାରେ ଲାଗିଛି । ମାସେ ହେଲା ଘରୁ ବାହାରିଲାଣି । ଯାହା କିଛି ଟଙ୍କାପଇସା ଥିଲା ସେ ସବୁ ସରି ଆସିଲାଣି । ମନିପର୍ସରେ ଯାହାକିଛି ଅଛି, ତାକୁନେଇ ସେ ଆଉ ସାତ ଆଠ ଦିନ ବିତେଇଦେବ । ଯଦି କିଛି ନ ହୁଏ ? ତା’ପରେ ଆଉ କିଛି ସେ ଭାବିପାରେନି । ବ୍ୟାଗ୍‍ଟି ଧରି ରିକ୍‌ସା ଖଣ୍ଡକରେ ଶଙ୍କର ଚାଲିଲା ମଙ୍ଗଳାବାଗ୍‌ । ରେଲ୍‌ୱେ ଲେଭଲ୍‌ କ୍ରସିଂ ପାଖରେ ଗେଟ୍‌ ବନ୍ଦ-। ଗାଡ଼ି ମଟରର ଭିଡ଼ । ରେଲ୍‌ ୱାଗନ ସବୁ ସଣ୍ଟିଂ ଚାଲିଛି । ଶଙ୍କର ଅପେକ୍ଷା କରି ରହିଲା-। ତିନିଟା ବାଜି ସେତେବେଳେ ପନ୍ଦର ମିନିଟ୍‌ ।

 

ହାତବନ୍ଧା ଘଡ଼ିରୁ ଆଖି ଫେରେଇ ଆଣି ଶଙ୍କର ଦେଖେ ତ ବିରାଟକାୟ ଟ୍ରକ୍‌ଟିଏ ତା’ ରିକ୍‌ସା ପଛକୁ ପଛକୁ ଲାଗିଆସୁଛି । ଚାରିପଟେ ରିକ୍‌ସା ଖୁନ୍ଦାଖୁନ୍ଦି । ସାଇକେଲ ମାଳମାଳ । ପଦଯାତ୍ରୀଙ୍କର ଭିଡ଼ । ଓ.ଏମ୍‌.ପି. ଛକ ଯାଏଁ ଧାଡ଼ି ଲାଗିଗଲାଣି ଟାକ୍‌ସି ଓ କାର୍‌ । ସରକାରୀ ବେସରକାରୀ ବସ୍‌ । ଗନ୍ଧମାଦନ ପର୍ବତକୁ ବୋହିଆଣିଥିବା ଟ୍ରକ୍‌ ସବୁ । ମାଲଯାକ ଆକାଶ ଅଧାଯାଏଁ ଲାଗିଛି । ଲଣ୍ଡଭଣ୍ଡିଆ ସାଇକେଲ୍‌ ଚଢ଼ାଳିମାନେ ପିମ୍ପୁଡ଼ି ଚାଲିଗଲା ଭଳି ରାସ୍ତାଟିକେ ପାଇଲେ ଆଗକୁ ଆଗକୁ ଚାଲିଯିବାରେ ବ୍ୟସ୍ତ । ଲୋକ ସମାଗମ । ଗେଟ୍‌ଟା ଖୋଲିଗଲେ କେମିତି ସମସ୍ତେ ପଶିଯିବେ ଓ ଆଗୁଆ ଯାଇ ନିଜ ନିଜ ରାସ୍ତା ଧରିବେ ।

 

ରିକ୍‌ସା ଉପରେ ବ୍ୟାଗ୍‌ ଖଣ୍ଡିକ ହାତରେ ଧରି ଶଙ୍କର ଚାହିଁଥିଲା ଷ୍ଟେସନଆଡ଼େ-ୱାଗନ୍‌ ସବୁ ପଛକୁ ପଛ ଧାଡ଼ି ବାନ୍ଧିଛନ୍ତି । ଷ୍ଟେସନଆଡ଼ୁ ଓ ମାଲ୍‌ଗୋଦାମ ଆଡ଼ୁ । ପଛୁଆ ପଛୁଆ ପୁଣି ଷ୍ଟେସନ୍‌ ଆଡ଼ିକି ଲୁହାଧାରଣା ଉପରେ ଖାଲି ଏପଟରୁ ସେପଟକୁ ଗଡ଼ିଚାଲିଛି-

 

ଜୀବନଯାତ୍ରାରେ ସେ ବି ଗଡ଼ି ଗଡ଼ି ଚାଲିଛି । ପଡ଼ିଉଠି ସିଏ ଆଜି କେଉଁଠି ଓ କେଉଁଠି ଯାଇ ପହଞ୍ଚିଲାଣି ତା’ର କଲେଜବନ୍ଧୁ କିଶୋର । କଲେଜ ବେଳର ଗୋଟିଏ ଘଟଣା ତା’ର ମନେପଡ଼ିଗଲା–ପରୀକ୍ଷା ହଲରେ କପି କରୁ କରୁ କିଶୋର କିପରି ଧରାପଡ଼ିଲା ଓ ସେହି ରାଗରେ ସନ୍ଧ୍ୟାବେଳେ ଦିନେ ଅଧ୍ୟାପକଙ୍କୁ ଅନ୍ୟଜଣେ ଭଡ଼ାଟିଆ ଲଗେଇ ସେ କିପରି ମାଡ଼ଦେବାର ବ୍ୟବସ୍ଥା କରିଥିଲା । ଘଟଣାଟା କିନ୍ତୁ ଲୁଚି ରହିଲାନି । ବାପାଙ୍କର ଥିଲା ଅପର୍ଯ୍ୟାପ୍ତ ପଇସା । କଣ୍ଟ୍ରାକ୍‌ଟ୍ରି କରି ବ୍ୟାଙ୍କ ବାଲାନ୍‌ସ ରଖିଯାଇଥିଲେ । ସେଇ ଘଟଣା ପରେ ପରେ କିଶୋର ସବୁଦିନ ପାଇଁ ପଢ଼ା ଛାଡ଼ିଲା । ବର୍ଷ କେଇଟାର କେବଳ ବ୍ୟବଧାନ । ବାପାଙ୍କ ପରେ ପରେ କଟକ ସହରରେ ସେ ଏକ ନାମଜାଦା ଲୋକ । ଗଲା ଇଲେକ୍‌ସନରେ ବିଧାନସଭାର ସଦସ୍ୟ ଥିଲା । ଅଳ୍ପ ଅସୁବିଧା ହୋଇଗଲା । ନିଶ୍ଚୟ ସେ ମନ୍ତ୍ରୀ ହୋଇଥାନ୍ତା । ଯୋଉ ବର୍ଷ କିଶୋର ପଢ଼ା ଛାଡ଼ିଲା, ସେଇବର୍ଷ ଶଙ୍କର ଅନର୍ସ ନେଇ ବି.ଏ. ପାସ୍‌କଲା । ମିଳିଗଲା ଖଣ୍ଡେ ଚାକିରି, ସେଇ ଚାକିରି ଚାରିପାଖେ ଚକାଭଉଁରୀ ଖେଳି ଖେଳି ପ୍ରତିମାସର ପହିଲା ସେଇଦିନଠୁଁ ତା’ ଜୀବନକୁ ଛନ୍ଦି ଧରିଥିଲା । ଗଡ଼ି ଗଡ଼ି ଏଯାଏଁ ସେ ଚାଲିଗଲା-ସିଧାସଳଖ ରାସ୍ତା ଉପରେ । ଚାକିରିରୁ ଡିସ୍‌ଚାର୍ଜ ହେଲା ପରେ, ସେ ସିଧାସଳଖ ରାସ୍ତା ଆଉ ନାହିଁ । ବାପାଙ୍କ ଅମଳର ଜମିରୁ ଅଧେହବ ସେ ବିକ୍ରି କରିଦେଇଛି । ସିଲିଂ ପରେ ଯାହାକିଛି ଅଛି, ସେ ବିହନକୁ ନିଅଣ୍ଟ । ନିଜ ଘରେ କେଇବର୍ଷ ହେଲା ସେ ଚୂନ ଲଗେଇ ପାରିନାହିଁ । ଦୁଆର ଝରକାଗୁଡ଼ିକ ଫାଟି ଆଁ କରିଛି ତ ପୋକଖାଇ ପଡ଼ିଯିବାକୁ ପୁଣି ଉଦ୍ୟତ ହେଲାଣି । ଯେତେ ଚେଷ୍ଟାକଲେ ବି ଘରଟାକୁ ସେ ମରାମତି କରିପାରିନାହିଁ । ପିଲାକବିଲାଙ୍କୁ ଚଳେଇବା କାଠିକର କଥା । ଏତେ ଆଶାଭରସା ଦେଇ କିଶୋର ସେଦିନ କହିଥିଲା । ଦେଖାଯାଉ ସେ କ’ଣ କରୁଛି-

 

ରାସ୍ତା କରରେ ଶଙ୍କର ଯେଉଁଠି ଅପେକ୍ଷା କରିଥିଲା–କେଇ ହାତ ଗଲେ ପର୍ବତ ପ୍ରମାଣର କୋଇଲା ଗଦା । ପାଖକୁପାଖ ଖାଲ ଜାଗାରେ ପାଣି ଜମିଛି । ଶୁଖିଲା ଚାକୁଣ୍ଡା ଗଛଯାକ ପତ୍ର ଝଡ଼ି ପଡ଼ିଆରେ ଛିଡ଼ା ହୋଇଛନ୍ତି । ନିରାଶାରେ କାହାକୁ ଅବା ଅପେକ୍ଷା କରିଛନ୍ତି ସେମାନେ । ତା’ରି ଭିତରେ କୁକୁର ହଳେ ଦଉଡ଼ଧାପଡ଼ କରିବାରେ ବ୍ୟସ୍ତ । ଗାଈକେଇଟା ଗଛର ଶୁଖିଲା ଅବଶେଷଯାକ ଖୋଜି ବୁଲୁଛନ୍ତି । ଲାଇନ୍‌ କରେ କରେ ମଇଳା ଅପରଛନିଆ ପିଲାଙ୍କର ଦଳ । ହାତରେ ଖଣ୍ଡେ ଖଣ୍ତେ ବ୍ୟାଗ୍‌ । ଯେଉଁସବୁ ଟୁକୁରା କୋଇଲା ଟ୍ରେନ୍‌ରୁ ଖସିପଡ଼େ, ସେ ସବୁକୁ ପିଲାଗୁଡ଼ା ତାଙ୍କର ପୁଞ୍ଜି କରନ୍ତି । ସେଇ ଶୁଖିଲା ଚାକୁଣ୍ଡା ଗଛ ମଝିରେ ପତ୍ର ଆଢ଼ୁଆଳରେ ତାଙ୍କର ଗୋଟିଏ ଛୋଟ କୋଇଲା ଗଦା । ଆରପଟେ ଦି’ଚାରିଟା ଟେଣ୍ଟ୍‌ ପଡ଼ିଛି । ଟେଲିଫୋନ୍‌ ତାର ସବୁ ଚେକି ମରାହୋଇ ଥାକ ଉପରେ ଥାକ ଗଦାହୋଇଛି । କରକୁ ଟେଲିଫୋନ୍‌ର ଶଙ୍ଖଗିନା ସବୁ । ସେଠାରେ ସଭିଏଁ କାର୍ଯ୍ୟବ୍ୟସ୍ତ । ଟେଣ୍ଟ୍‌ ପଛଆଡ଼େ ଝିଅ ଦି’ଜଣ ସତର ଅଠର ହେବ । ହସିହସି, ମନକୁ ମନ ଖାଲି ଠରାଠରି ହେବାରେ ଲାଗିଛନ୍ତି । ରହି ରହି ଦଉଡ଼ିଧାପଡ଼ି ରିକ୍‌ସା ଉପରେ ବସିରହିଥିଲା ଶଙ୍କର ପ୍ରସାଦ ଦାସ ନିର୍ବିକାର ଭାବରେ ।

 

ପଛରୁ ଧକ୍‌କା ଖାଇଲା ଗୋଟିଏ ସାଇକେଲ୍‌ । ଶଙ୍କର ପଛଆଡ଼ିକି ଅନେଇଲା ବେଳକୁ ଗେଟ୍‌ଟା ଖୋଲିବାକୁ ଆରମ୍ଭ କରିଛି । ପାଇପ୍‌ ଖୋଲିଦେଲେ ପାଣି ଯେମିତି ଉବୁକେଇଆସେ ଠିକ୍‌ ସେମିତି ଦି’ପଟୁ ଟ୍ରକ୍‌ ଟାକ୍‌ସିର ହର୍ଣ୍ଣ । ରିକ୍‌ସା, ସାଇକେଲର ଘଣ୍ଟି । ଅପେକ୍ଷା କରିବାକୁ କାହାକୁ ତର ନାହିଁ । ଖାଲି ଖୁନ୍ଦାଖୁନ୍ଦି ଓ ଗାଡ଼ିଘୋଡ଼ାର ଭିଡ଼ । ରହିଗଲେ ପଛୁଆ ପଡ଼ିଯିବାକୁ ହେବ । ଗହଳି ଭିତରେ ପଶି ଟିକିଏ ବେନଜର ହେଲେ ମୁହୂର୍ତ୍ତକରେ ପ୍ରାଣ ବି ବାହାରିଯିବ । ଶଙ୍କର ରହି ରହି, ଜଗିରଖି ଧୀରେ ଧୀରେ, ରିକ୍‌ସାବାଲାକୁ ତାଗିଦ୍‌ କରି, ଇଆଡ଼ିକି ସିଆଡ଼ିକି ଅନେଇ, ଲେଭଲ୍‌ କ୍ରସିଂ ପାରହେଲା ବେଳକୁ ଚାଆରି ବାଜିବାକୁ କୋଡ଼ିଏ ମିନିଟ୍‌ ବାକି-

 

ରିକ୍‌ସା ଆସି କଲେଜ ଛକ ପାଖରେ ହେଲାବେଳକୁ ଚାରିଆଡ଼ିକି ସେ କେବଳ ଆବାକାବା ହୋଇ ଅନଉଥାଏ । ସବୁଆଡ଼େ କୁଢ଼ କୁଢ଼ ଚୂନ ସିମେଣ୍ଟ ଓ ଇଟା ପଥରର ପର୍ବତ ପ୍ରମାଣ ଗଦାସବୁ । ରାସ୍ତା କରରେ, ମଝିରେ, ଯୁଆଡ଼େ ଅନେଇବ ସିଆଡ଼େ । ବଡ଼ବଡ଼ କୋଠା ସବୁ ଭୁଶୁଡ଼ି ପଡ଼ିଛି । ଛାତରୁ ଝୁଲୁଛି କଡ଼ିବରଗା ସବୁ ମଲା ମଣିଷର ପଞ୍ଜରା ହାଡ଼ ପରି । ରାସ୍ତା କଡ଼ର ଦୋକାନ ସବୁ ଭଙ୍ଗାରୁଜା । ଉଠା ଦୋକାନଗୁଡ଼ା କେଉଁଆଡ଼େ ଅଦୃଶ୍ୟ ହେଲେଣି । ଛକ ମଝିର ଟ୍ରାଫିକ୍‌ ଗୋଲେଇଟା ବଢ଼ି ବଢ଼ି ରାସ୍ତା ଉପରେ ଆସ୍ଥାନ ଜମେଇଛି । ସେଥିରେ ପୋତା ନାଲି, ନେଳି, ହଳଦିଆ ଲାଇଟ୍‌ର ଖୁଣ୍ଟିସବୁ । ଟେଲିଫୋନ୍‌ ଓ ଇଲେକ୍‌ଟ୍ରି ତା’ର ସବୁ ରାସ୍ତା ମଝିରେ । କୋଉ କାଳର ପୁରୁଣା ଦୋକାନ ସବୁ ଭୁଶୁଡ଼ି ପଡ଼ିଛି । ପାଟି ଫିଟେଇବାକୁ କାହାର ଚାରା ନାହିଁ । ସହର ପୁନର୍ଗଠନ ଚାଲିଛି । ଛୋଟକାଟର ଦୋକାନସବୁ ଉଠେଇଦେଲେ ସହରଟା ସୁନ୍ଦର ଦିଶିବ । ଆବର୍ଜନାଯାକ ଏତିକିବେଳେ ଓଳେଇ ସଫା କରିଦେବାକୁ ପଡ଼ିବ ।

 

ସେହି ଶିରୀହୀନ ଭଙ୍ଗାରୁଜା ସହରଟାକୁ ଚାହିଁ ଚାହିଁ, ନୀରବରେ କାନ୍ଦି କାନ୍ଦି, ଭୟରେ ଥରି ଥରି ଓ ରିକ୍‌ସା ଉପରେ ଚୁପ୍‌ଚାପ୍‌ ବସିରହି ମଙ୍ଗଳାବାଗ ଆଡ଼ିକି ଚଲା ବୋଲି କହି ଅନେଇଲା ବେଳକୁ କିଏ ଜଣେ ପଛରୁ ତାକୁ ଡାକିଲାଭଳି ମନେହେଲା । ଶଙ୍କର ପଛକୁ ଅନେଇ ଦେଖେ ତ–ଜଣେ କିଏ ସୁରୁଚିସମ୍ପନ୍ନ ଭଦ୍ରଲୋକ । ଚାଲିରୁ ଜଣାପଡ଼ିଲା-କିଛି ଗୋଟାଏ ବଡ଼ ଚାକିରି ବୋଧେ କରୁଛନ୍ତି । ବ୍ୟବସାୟୀ ତ ନୁହଁନ୍ତି । ସେମାନଙ୍କର ଚାଲିଚଳନ ଅଲଗା, ହୋଇପାରନ୍ତି ଅବା କେହିଜଣେ ଆଗନ୍ତୁକ, କଟକ ବାହାରୁ ଆସିଛନ୍ତି । ଡେଙ୍ଗା ଡାହାଳିଆ ଭଦ୍ରଲୋକ । ଖଣ୍ଡା ନାକ, କପାଳ ଉପରଟା ଚନ୍ଦା । କାନମୂଳକୁ ଦି’କେରା ଦରପାଚିଲା ବାଳ । କଲିବନ୍ତ, କାନମୂଳରୁ ସଫା ଚାରି ଇଞ୍ଚ୍‌ ଲମ୍ବର ମୋଟା ଲମ୍ବା କଲି । ଅଗଟା ତରୱାଲ୍‌ ଭଳି । ମୁହଁକୁ ତାଙ୍କର ରୁମାଲରେ ପୋଛି ଲାଗିଥାନ୍ତି ଓ ଧରିଥିବା ବ୍ୟାଗ୍‌ଟା ହାତ ବଦଳେଇ, ଫୁଲ୍‌ସୁ’ର ମଚ୍‌ମଚ୍‌ ଶବ୍ଦ ସାଙ୍ଗରେ ବଡ଼ ବଡ଼ ପାହୁଲ ପକେଇ ତାଆରି ରିକ୍‌ସା ପଛେ ପଛେ ସେ ଆସୁଥାନ୍ତି । ଜଣାପଡ଼ୁଥିଲା ସେ କ’ଣ କହିବେ ବୋଧେ । ଶଙ୍କର ମୁହଁ ବୁଲେଇ ପଚାରିଦେବ ବୋଲି ଯାଉଥିଲା-। ରିକ୍‌ସାରୁ ଓହ୍ଲାଇପାରିଲାନି କିଛି ହେଲେ କହିପାରିଲାନି । ଭଦ୍ରଲୋକ ଜଣଙ୍କ ତା’ପାଖ ଦେଇ, ତା’ ଆଡ଼କୁ ଚାହି ନ ପାରିଲା ଭଳି, ମୁହଁକୁ ତା’ର ବଲବଲ କରି ଅନେଇ ହିନ୍ଦୁ ସିନେମା ବ୍ରିଜ୍‌ କରର ଗସ୍ତାଦେଇ କୁଆଡ଼େ ଅଦୃଶ୍ୟ ହେଲେ । ପାଖକୁ ପାଖକୁ ଲାଗି ଲାଗି ଆସୁଥିଲା ରିକ୍‌ସାର ମାଳା ସବୁ । ଟାକ୍‌ସି ଓ ସାଇକେଲର ଗହଳି, କେତେ କେତେ ପଦଚାରୀ, ଚାଲିଥାନ୍ତି ଯିଏ ଯାହାର ରାସ୍ତାରେ-

 

ମଙ୍ଗଳାବାଗ୍‌ ପାଖରେ ହେଲାବେଳକୁ ଶଙ୍କର ଚାରିଆଡ଼କୁ ଅନେଇ ଅନେଇ ରିକ୍‌ସାରେ ଆସୁ ଆସୁ ଦେଖିବାକୁ ପାଇଲା–ରାସ୍ତାକରର ଦୋକାନଯାକ ଖୁନ୍ଦାଖୁନ୍ଦି ହୋଇ ରାସ୍ତା ଉପରକୁ ମାଡ଼ି ଆସିବାକୁ ଉଦ୍ୟତ ହେଲାବେଳେ ତା’ ଉପରେ ଚାଲିଥିଲା ଯେଉଁ ଧ୍ୱଂସ ତାଣ୍ଡବ । ଚାରିଆଡ଼େ ଖାଲି ଭଙ୍ଗାରୁଜା । ସାଇନ୍‌ବୋର୍ଡ଼ଯାକ ଉଡ଼ିଯାଇଛି । ଦୋକାନର ପ୍ଲାଟଫର୍ମ ପଟା ଆଦି ନାହିଁ । ଚଉକି, ବେଞ୍ଚ ସବୁ ଘର ଭିତରେ । ବାହାରେ ଲୋକ ସମାଗମ । ସ୍କୁଲପିଲାଏ ଘରମୁହାଁ ଫେରିବାକୁ ସେତେବେଳେ ଆରମ୍ଭ କରିଦେଲେଣି । ନେଳି କନାର ଫ୍ରକ୍‌ପିନ୍ଧା ମାଳମାଳ ସ୍କୁଲ ପିଲାଏ ଦଳଦଳ ଚଟିଆ ଚଢ଼େଇଭଳି ରାସ୍ତାର ଗହଳି ଭିତରେ ପଶି ପଶି ଅଦୃଶ୍ୟ ହେଉଥାନ୍ତି-। ଖାଲି ରିକ୍‌ସା, ଟାକ୍‌ସିର ଭିଡ଼ । ଶଙ୍କର ଭାବୁଥିଲା ସେଇ ଭଦ୍ରଲୋକଙ୍କ କଥା-ଯିଏ ତାକୁ ଅନେଇ କେବଳ ଚାଲିଗଲେ । କିଏ ସିଏ କେଜାଣି ?

 

ବହୁତ ପଚରାପଚରି କରି, ଏପଟରୁ ସେପଟ ରିକ୍‌ସାରେ ଘୂରି ଘୂରି ଶଙ୍କର ମଙ୍ଗଳାବାଗ୍‌ ଛକରୁ ବଣିଆ ସାଇକି ଗଡ଼ିଯିବା ରାସ୍ତାରେ ଘରଟାକୁ ଆବିଷ୍କାର କଲା । ଘରକୁ ଦେଖିଦେଇ ସେ ତାଟକା ହୋଇଗଲା । ରାଜମହଲ ଭଳି । ଦୋତାଲା ଉପରେ କାଚରେ ତିଆରି କେଇ ବଖରା ଘର । ନାଲି ନେଳି କାଚ ଖଞ୍ଜା, ଭାଗ୍ୟରେ ଥିଲେ ଏମିତି ହୁଏ । ପାହାଚ ଉପରେ ପାଦ ଦଉ ନ ଦଉଣୁ ଆଲ୍‌ସେସିଆନ୍‌ କୁକୁରଟେ ଭୁକି ଭୁକି ଘରଫଟେଇ ଉହୁଁ କି ଆସିଲା । ଶଙ୍କର ପଛୁଆ ଆସି ରାସ୍ତା ଉପରେ । ଯୋଗକୁ ଲୁହା ଶିକୁଳିରେ ବନ୍ଧାଥିଲା । ଦମ୍ଭମାରି ଡରିଡ଼ରି ଘରର ବାରେଣ୍ଡାକୁ ଉଠିଯାଇ-ଲମ୍ବା ବେଞ୍ଚଟା ଉପରେ ଜଣେ ଭଦ୍ରଲୋକଙ୍କୁ ସେ ଦେଖିବାକୁ ପାଇଲା । ଆଖିକୁ ବିଶ୍ୱାସ କରିପାରିଲାନି ଶଙ୍କର । ସେ ତ ସେଇ ଭଦ୍ରଲୋକ । ଯିଏ ତା’ଆଡ଼ିକି ଚାହିଁ ଚାହିଁ ହିନ୍ଦ୍‌ ସିନେମା ପାଖରେ କୁଆଡ଼େ ଅଦୃଶ୍ୟ ହୋଇଥିଲେ । କିଏସେ ଇଏ ? କିଶୋର ପାଖରେ ୟାଙ୍କର କାମ କ’ଣ ? ବୋଧେ ଜଣେ ବ୍ୟବସାୟୀ ହେବେ । ଭଦ୍ରଲୋକ ଜଣକ ତା’ଆଡ଼ିକି ଚାହିଁ ରହିଥାଆନ୍ତି । ବେଞ୍ଚ୍‌ ଉପରୁ ଉଠିଯିବେ ବୋଲି ଯାଉଥିଲେ, ଉଠିପାରିଲେନି । କ’ଣ ପଚାରିବେ ବୋଲି ଯାଉଥିଲେ, କିଛି କହିପାରିଲେନି । ମୋଟା କଳା ଚଷମାର ଫ୍ରେମ୍‌ ପଛଆଡ଼ୁ ତା’ଆଡ଼ିକି ଚାହିଁଥିଲେ । ଏଣେ ଆଖି ତାଙ୍କର ଥିଲା ରାସ୍ତା ଉପରେ । ସିଗାରେଟ୍‌ ଧୂଆଁରେ ଫୁଟିକିଆ ବାଡ଼ିଟିଏ ଶୂନ୍ୟକୁ ଛାଡ଼ି ଓ ତାଙ୍କ ବ୍ୟାଗ୍‌ଟାକୁ ଜଙ୍ଘ ଉପରେ ରଖିଦେଇ ଆଖି ଫେରାଇନେଲା ବେଳକୁ ଶଙ୍କର କଲିଂବେଲ୍‌ଟାକୁ ଚିପି ଦଉ ଦଉ ଘରୁ ଜଣେ ଲୋକ ଆସି ପହଞ୍ଚିଗଲା । ଖବର ପାଉ ନ ପାଉ କିଶୋର ଆସି ହାଜର । ଶଙ୍କର ହସି ହସି ଘର ଭିତରକୁ ପଶିଗଲା ବେକଳୁ ଭଦ୍ରଲୋକ ଜଣକ କିଶୋରକୁ ଦେଖି ଠିଆହେଲେ । ପୁଣି ବସି ରହିଲେ । କିଶୋର ପଛେ ପଛେ ଯାଉ ଯାଉ ସେ ଭାବୁଥିଲା–କ’ଣ ବୋଧେ ତାଙ୍କର କାମ ଥିବ ।

 

ଶଙ୍କର ଗୋଡ଼ ଚିପି ଚିପି ଚାରିଆଡ଼ିକି ଅନେଇ, ଲାଜରେ, ଭୟରେ, ଓ ମନର ଆବେଗରେ କିଶୋର ପଛେ ପଛେ ଘର ଭିତରକୁ ଯାଉ ଯାଉ ଭାବୁଥିଲା–କଥାବାର୍ତ୍ତା ସରିଲା ପରେ ଶୀଘ୍ର ସେ ଏଠୁ ଚାଲିଯିବ । ଘରର ଆସବାବପତ୍ର, ଚାକରବାକରଙ୍କ ଗହଳି ଓ ଲୋକ ସମାଗମରୁ, ଚାଲିଚଳନରୁ କିଶୋରକୁ ଜାଣିବାକୁ ଆଉ ତା’ର ବାକି ନ ଥିଲା । ଯେତିକି ସେ ପଛୁଆ ପଛୁଆ ଯାଉଥିଲା କିଶୋର ତା’ ହାତ ଟାଣିଟାଣି ତଳମହଲାରୁ ଦୋତାଲା ଉପରକୁ ଓ ଚାହୁଁ ଚାହୁଁ ସେମାନେ ତିନି ତାଲାରେ କାଚ କୋଠରି ଭିତରେ ଯାଇ ପହଞ୍ଚିଗଲେ । ଶଙ୍କର ଅନୁଭବ କରୁଥିଲା ତା’ ସାଙ୍ଗେ ସାଙ୍ଗେ କଲେଜ ବେଳର ସେଇ ବନ୍ଧୁ କିଶୋର କେତେ କ’ଣ କହି କହି, ହସି ହସି, ହାତ ଧରି ଧରି ତାକୁ ଟାଣିନେଉଛି । କିଛି ଯେପରି ତା’ର ପରିବର୍ତ୍ତନ ହୋଇନି । କାହିଁ ଲକ୍ଷପତି କିଶୋର ଓ କାହିଁ ବେକାର ସର୍ବହରା ଶଙ୍କର । କେତେଟା ବର୍ଷ ଭିତରେ ଆକାଶପାତାଳ ବ୍ୟବଧାନ । ଚାକିରି ଯିବାର ବର୍ଷେ ଆସି ହେଲାଣି । ଏତେଦିନ ହେଲା ସେ ନିରର୍ଥକ ଘୂରି ବୁଲୁଛି । ବାର ଦୁଆର ଶୁଣ୍ଢିପିଣ୍ଡା ହୋଇ ତା’ର ଅନୁନୟ ବିନୟଭରା ଦୁଃଖ କାହାଣୀଯାକ କହି କହି ସେ ହତାଶାରେ ଭାଙ୍ଗିପଡ଼ିଥିଲା । ଭାବିନେଇଥିଲା–ପିଲାମାନେ ତା’ର କୃତକର୍ମର ଫଳ ଭୋଗ କରିବେ । ମନଭିତରେ ତା’ର ଦମ୍ଭ ଆସିଯାଇଥିଲା–ତା’ ଭାଗ୍ୟର ବୋଧେ ପରିବର୍ତ୍ତନ ହେବାକୁ ଯାଉଛି । କିଶୋର ନିଶ୍ଚୟ ତାକୁ ସାହାଯ୍ୟ କରିବ । ସେ କୂଳକିନାରା ପାଇବ-। ପିଲାମାନେ ଏଣିକି ଆଉ ହଇରାଣ ହେବେନି ।

 

ତା’ ସାଙ୍ଗେ ସାଙ୍ଗେ ଶଙ୍କରର ଅବଚେତନ ମନ ଚାହୁଁଥିଲା–କେମିତି ସେଇ ପରିବେଶ ଭିତରୁ ସେ ଖସିପଳାନ୍ତା । କିଶୋରର ଏ ସବୁ ସେ ସହ୍ୟ କରିପାରୁନି । ନିଜ ବନ୍ଧୁର ଦୟାର ପାତ୍ର ହେବାକୁ ସେ ଇଚ୍ଛା କରେନି । କିଶୋର ତାକୁ ଯେବେ ଅବଜ୍ଞା କରିଥାନ୍ତା, ଦୁଃଖ ସୁଖ ହୋଇନଥାନ୍ତା, ତାକୁ ସାହାଯ୍ୟ କରିବ ବୋଲି କହିନଥାନ୍ତା କି ଘରକୁ ତା’ର ଡାକିନଥାନ୍ତା ତାହାହେଲେ, ନୀରବରେ ଓ ଅସହାୟ ଭାବରେ ତା’ର ତା’ର ଦୁରବସ୍ଥା ଓ ତା’ର ପରିବେଶ ସାଙ୍ଗେ ଯୁଦ୍ଧ କରି କରି ସେ ସଂସାରରୁ ଲୁଚିଯାଇଥାନ୍ତା ଲକ୍ଷ ଲକ୍ଷ ଓ କୋଟି କୋଟି ଅଭାବଗ୍ରସ୍ତ ଲୋକଙ୍କ ଭଳି । କାହିଁକି ଅବା ସେ କିଶୋରକୁ ଏସବୁ କହୁଥିଲା ? ଚିହ୍ନା ଦେଉଥିଲା ?

 

ଘରେ ବସିବାକୁ କହିଦେଇ କିଶୋର ପାଞ୍ଚ ମିନିଟ୍‌ ହେବ କି ନାହିଁ ତଳକୁ ଚାଲିଯାଇଥିଲା । ଶଙ୍କର ଟେବୁଲ ଉପରେ ସେତେବେଳକୁ ଥୁଆହେଲାଣି ଆସି ନାନା କିସମର ମିଠା, ଚା, ପାଣି, ସିଗାରେଟ୍‌ ଓ ପାନ । କିଶୋର ଠିକ୍‌ ପହଞ୍ଚିଗଲା ବେଳକୁ ଶଙ୍କର ଲକ୍ଷ୍ୟ କଲା–ସହରଟା ଆଲୁଅମାଳାରେ ସଜା ହୋଇସାରିଲାଣି । କାଚ ଘରର ଝରକା ଦେଇ ସହରଟା ଶତସହସ୍ର ହାତ ବଢ଼େଇ ତାକୁ ଅବା ନିମନ୍ତ୍ରଣ କରୁଛି । ବାହାରର ଦୋକାନ ବଜାର, ରାସ୍ତାଘାଟ, କୋଠାବାଡ଼ି ବଡ଼ ବିଚିତ୍ର ବେଶ ଧାରଣ କରିଛି ।

 

ବଡ଼ ବିଚିତ୍ର ବାସ୍ତବିକ ଏଇ କିଶୋର । ଶଙ୍କର ନ ଖାଇବା ଆଗରୁ ନିଜେ ଗୋଟିଏ ଖାଇଦେଇ ଶଙ୍କରକୁ ଅନୁରୋଧ କରି ତା’ ସାଙ୍ଗରେ ଚା ଓ ସିଗାରେଟ୍‌କୁ ମେଳକରି କଥାଟାକୁ ସେଇ ଆଗ ଆରମ୍ଭ କଲା–

 

ଭୁବନେଶ୍ୱର ଢେଙ୍କାନାଳରେ ତା’ର ଲକ୍ଷଲକ୍ଷ ଟଙ୍କାର କାମ ଚାଲିଛି । ଖାଲି ସେଇଠି ନୁହେଁ । ସାରା ଓଡ଼ିଶାଯାକ । ଶଙ୍କରର କଣ୍ଟ୍ରାକ୍ଟ୍ରି ଲାଇସେନ୍‌ସ ଅଛି । କିଶୋର ପାଖରେ ଅପର୍ଯ୍ୟାପ୍ତ ଟଙ୍କା । ଖାଲି ଦଉଡ଼ଧାପଡ଼ କରିପାରିଲେ ହେଲା । ତା’ ସାଙ୍ଗକୁ ବିଶ୍ୱାସ ଆଗ ଦରକାର । କିଶୋର କହିଥିଲା–ମନସ୍ତାପର କୌଣସି ପ୍ରୟୋଜନ ନାହିଁ । ସିଗାରେଟ୍‌ରେ ଅଗ୍ନିସଂଯୋଗ କରି କିଶୋର ଚେକ୍‌ ଖଣ୍ଡେ କାଟିଦେଇ ଶଙ୍କରକୁ ଦେଲାବେଳେ କହିଲା–ଭୁବନେଶ୍ୱର ଢେଙ୍କାନାଳର କାମ ଆଜିଠୁ ହେଲା ତା’ର ଦାୟିତ୍ୱ । ସାତଦିନ ପରେ ଢେଙ୍କାନାଳରେ ଦେଖାସାକ୍ଷାତ୍‌ । ପିଲାମାନଙ୍କଚ ପରିଚୟ କରାଇ ଦେବାକୁ ଗଲାବେଳେ ଶଙ୍କର ମନାକଲା । କହିଲା–ଆଉ କେବେ ଆସିଲେ । ଦିହେଁ ହସି ହସି ତା’ର ଫାଟକ ପାଖରେ ହେଲାବେଳେ ଶଙ୍କର ଆଶା କରିଥିଲା–ସେ ଭଦ୍ରଲୋକ ଜଣକ ବୋଧହୁଏ ଅପେକ୍ଷା କରିଥିବେ । କେହି କୁଆଡ଼େ ନ ଥିଲେ । ସେହି ଅଜଣା ଅଚିହ୍ନା ଲୋକଟି ଅପେକ୍ଷା କରି କରି କୁଆଡ଼େ ବୋଧେ ଚାଲିଯାଇଛି । ଜଣାନାହିଁ ଚିହ୍ନାନାହିଁ । ଶଙ୍କରର ଆଖି ଯୋଡ଼ିକ ଫାଟକ ପାଖରେ ସେ ଲୋକଟାକୁ ଖୋଜି ବୁଲୁଥିଲା ବେଳେ, ଘର ପାଖଦେଇ ଛୁଟିଥିଲା ଗୋଟିଏ ଫାଙ୍କା ରିକ୍‌ସା । କିଶୋରଠୁଁ ବିଦାୟ ନେଇ ଶଙ୍କର ରାସ୍ତାଘାଟର ବିଜୁଳି ଆଲୁଅରେ ଲହଡ଼ା ଭାଙ୍ଗି ଭାଙ୍ଗି ଯାଉଥିଲାବେଳେ ରାସ୍ତାକରର ଦୋକାନବଜାରର ସମ୍ଭାରଯାକ କିଶୋର ଦେଇଥିବା ଚେକ୍‌ ଭିତରେ ସତେଅବା ଲୁଚି ରହିଥିଲା ଭଳି ସେ ଅନୁଭବ କରୁଥିଲା ।

 

ଶଙ୍କର ଅନୁଭବ କରୁଥିଲା–ସେଇ ବିରାଟ ସହରଟାର ବିଭବଯାକ ସତେଅବା ତା’ ନିଜ ଭିତରେ ପ୍ରବେଶ କରିଛି । କାହିଁ କେତେଦିନର ସଞ୍ଚିତ ଓ ସଂଗଠିତ ନିରାଶା ଓ ହା-ହୁତାଶ ଯାକ ତା’ ମନରୁ ଚାରିପାଖେ ଯେପରି ବୋର ବୋଳି ଦେଇଥିଲା । ମନର ଗଣ୍ଡିରେ ଖୋଳପାଟିଏ ତିଆରି କରି ନିଜକୁ ନିଜେ ଶଙ୍କର ଲୁଚାଇ ରଖିଥିଲା । ସେ ଖୋଳପାଟା ତା’ ମନର ଗଣ୍ଡିରୁ ଆସ୍ତେ ଆସ୍ତେ ଖସିବାକୁ ଲାଗିଛି । ତା’ର ପୁନର୍ଜନ୍ମ ହେଲାଭଳି ଶଙ୍କର ଅନୁଭବ କରୁଥିଲା । ସେ ଆଉ ନିଃସ୍ୱ ନୁହେଁ । ଭବିଷ୍ୟତ ଜୀବନର ଦିଗ୍‌ବଳୟ ଆଡ଼େ ସେ ଡେଣା ମେଲାଇ ଉଡ଼ିଯିବାକୁ ଉଦ୍ୟତ ହେଲାଣି । କାହିଁ କେତେ ଭାବନା ତା’ ମନ ଭିତରେ ପ୍ରବେଶ କରିବାରେ ଲାଗିଛି । କିଶୋରର ସେ କୋଠା ବାଡ଼ିର କାମ ତଦାରଖ କରୁ କରୁ ସିଏ ବି ନିଜ ନାଁରେ ଥିବା ଲାଇସେନ୍‌ସରେ କାମ ଠିକା ନେବ । କାମରୁ ଲାଭ, ଲାଭରୁ ବ୍ୟାଙ୍କ ବାଲାନ୍‌ସ, ଶେଷକୁ କୋଠାବାଡ଼ି ଗାଡ଼ି ମଟର ଓ ତା’ ପିଲାକବିଲାଙ୍କ ଭବିଷ୍ୟତ । ଏଣିକି ସେମାନେ ଆଉ ଅଭିଶପ୍ତ ନୁହନ୍ତି । ଅଭିଶପ୍ତ ସେ ନିଜେ ହୋଇପାରେ । ତା’ର ଅବା ଦୋଷ କ’ଣ ଥିଲା ? ଯେତେ ଯାହା ଦୁର୍ବିପାକ ଓ ଦୁର୍ଦ୍ଦିନ ଆସୁନା କାହିଁକି ପିଲାମାନଙ୍କୁ ସେ ମଣିଷ କରିବ । ଶଙ୍କର ବଞ୍ଚି ରହିବ । ଖାଲି ବଞ୍ଚିବାପାଇଁ ନୁହେଁ, ଶହେ କି ହଜାରକରେ ଜଣେ ଭଳି । ଶଙ୍କର ଅନୁଭବ କରୁଥିଲା–ସିଏ ଅବା ନୂଆ ମଣିଷ ଜଣେ ।

 

କେତେ କେତେ ନୂଆ ମଣିଷ, ଚିହ୍ନା ଅଚିହ୍ନା ତା’ ରିକ୍‌ସା ପାଖଦେଇ ଯା’ ଆସ କରିବାରେ ଲାଗିଛନ୍ତି । ଖାଲି ଗାଡ଼ି ମଟର ଭିଡ଼ । ଆଲୋକ ସମ୍ଭାରରେ ଉଛୁଳିପଡ଼ୁଥିବା ଦୋକାନ ବଜାର ଯାକ ସହରର କୋଠାବାଡ଼ିର ଧାଡ଼ିରେ କେତେ ଆଶା ଭରସାର ପୁଟ ବୋଳି ଦେଲାବେଳେ ଶଙ୍କର ଭବିଷ୍ୟତ ଭାବନାରେ ଉଲୁସି ଉଠୁ ଉଠୁ ଭାବୁଥିଲା–ଇଆପରେ ସିଏ କ’ଣ କରିବ ? ଯିବ କୁଆଡ଼େ–

 

ହଠାତ୍‌ ଠିକ୍‌ କଲା–ସେ ପୁରୀ ଫେରିଯିବ ବସ୍‌ ଆସିବାକୁ ଘଣ୍ଟାଏ ହେବ ବାକି ଅଛି । ମାସେହେଲା ଘରୁ ଆସିଲାଣି । ପିଲାମାନେ ତେଣେ ଚାତକ ଭଳି ଚାହିଁଥିବେ । କ’ଣ କରୁଥିବେ କେଜାଣି ? ଘରକୁ ଗଲେ ବି ବେଶୀଦିନ ରହି ହେବନି । କାମ ଉପରକୁ ଫେରିବାକୁ ପଡ଼ିବ ଢେଙ୍କାନାଳ । ରିକ୍‌ସା ଯାଇ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ଶଙ୍କର ଦେଖିଲା ମାଳ ମାଳ ବସ୍‌, ରିକ୍‌ସା ଓ କାର୍‌ ଟାକ୍‌ସିର ଭିଡ଼ । ବୁଝିନେ ଲାପୁରୀ ବସ୍‌ ଆସିବାକୁ ଘଣ୍ଟେ ଉପରେ ଅଛି । ଏଣେ କେତେ ଚାହିଁ ସେ ବସ୍‌ଷ୍ଟାଣ୍ଡକୁ ଲାଗି ଗୋଟିଏ ଛୋଟକାଟିଆ ତାଳ ତାଟି ଚା’ ଦୋକାନ ଭିତରକୁ ନିଜ ଇଚ୍ଛା ବିରୁଦ୍ଧରେ ପଶି ଯାଉ ଯାଉ ପାଖ ଦୋକାନରୁ ସିଗାରେଟ୍‌ ଆଣି ଅଗ୍ନି ସଂଯୋଗ କଲାବେଳେ ଠିକ୍‌ ତା’ କରକୁ ଯାଉଥିଲେ ସେଇ ଭଦ୍ରଲୋକ । ଯାହାଙ୍କୁ ସେ ବାଟରେ ଓ କିଶୋର ଘରେ ଦେଖିଥିଲା । ତା’ଆଡ଼କୁ ଚାହିଁ ନ ଚାହିଁ ଜାଣି ନ ଜାଣିଲା ଭଳି କରେଇ କରେଇ ତା’ ଆଡ଼ିକି ଦୃଷ୍ଟି ନିକ୍ଷେପ କରି ଆସ୍ତେ ଆସ୍ତେ ପୁଣି ବେଗେ ବେଗେ ପାହୁଲ ପକେଇ ଓ ରାସ୍ତାରେ ତୀର ବେଗରେ ଛୁଟି‌ଥିବା ଗାଡ଼ି ମଟର ଉପରେ ଲକ୍ଷ୍ୟ ରଖି ସେଇ ସୁରୁଚି ସମ୍ପନ୍ନ ଭଦ୍ରଲୋକ ଜଣକ ଅଳ୍ପ ଦୂରରେ ଥିବା ଟାକ୍‌ସି ଷ୍ଟାଣ୍ତର ଗହଳି କୁଆଡ଼େ ଲୁଚିଗଲେ । ଶଙ୍କର ଭାବୁଥିଲା–କେଇଘଣ୍ଟା କଟକ ରହଣୀ ଭିତରେ ସେଇ ଭଦ୍ରଲୋକଙ୍କ ସାଙ୍ଗରେ ଦେଖାସାକ୍ଷାତ ଆକସ୍ମିକ ନା ସେ ତା’ର ପିଛା କରିଛନ୍ତି ? ଶଙ୍କର ବୁଝିପାରିଲାନି । ତା’ ପାଖରେ ସେ ଭଦ୍ରଲୋକଙ୍କର କ’ଣ ବା କାମ ଅଛି ?

 

ଚା’ ସାଙ୍ଗରେ ସିଗାରେଟ୍‌ ମିଶେଇ ଉପରକୁ ଧୂଆଁ ଛାଡ଼ୁ ଛାଡ଼ୁ ଏକ ସଙ୍ଗରେ ନିଜର ଭାବନାଗୁଡ଼ିକୁ ମହାଶୂନ୍ୟରେ ନିକ୍ଷେପ କରୁଥିବାବେଳେ ବିରାଟ ସହରଟାକୁ ସେ ନିରୀକ୍ଷଣ କରୁଥିଲା । ପୁରୀ ବସ୍‌ ଆସି ପହଞ୍ଚିଗଲା । ତା’ ପଛରେ ସେଦିନ ହସିଉଠୁଥିଲା ଅବା ରଙ୍ଗ ବେରଙ୍ଗ ଓ ଆଲୋକମାଳାରେ ସୁସଜ୍ଜିତ ସେଇ ସହରଟା ।

 

ତା’ କଥା ଶୁଣି ଠୋ’ ଠୋ’ ହୋଇ ହସିଉଠିଲେ ଶ୍ୟାମ ପତି । ହସିଲାବେଳେ ପତି ବୁଢ଼ା ପାକୁଆ ପାଟିର ଦି’ କରରୁ ବୋହି ପଡ଼ୁ ପଡ଼ୁ ରହିଗଲା ଦି’ ଧାର ପାନ ବୋର; ଚିପିଦେଲେ ଟିଉବୁରୁ ସଲ୍ୟୁସନ୍‌ ବାହାରିଆସିଲା ଭଳି । ତାଙ୍କର ଫୁଲୁକା ଗାଲ ହଳକ କ୍ଷଣକ ପାଇଁ ସଂକୁଚିତ ହୋଇଗଲା । ହସି ହସି ପତି ବୁଢ଼ା ଆଖିରେ ପାଣି ବି ଆସିଗଲା । ଖଦଡ଼ ପଞ୍ଜାବୀ ତଳ ପକେଟରୁ ପାନ ଛେଚାଟିଏ ବାହାର କରି ଆରହାତରେ ପାନ ଡବାରୁ ପାନ ଖଣ୍ଡିଏ ଶଙ୍କର ଆଡ଼ିକି ବଢ଼େଇଦେଲେ । ଅନିଚ୍ଛା ସତ୍ତ୍ୱେ ଶଙ୍କର ପାନ ଖଣ୍ଡେ ନେଇ ଦେଖିଲା ସେଇଟା ଖଇରିଆ ଓ ଗୁଣ୍ଡ ଗୁଆରେ ଭରା । ଫେରାଇ ଦେଲାବେଳେ ବୁଢ଼ା କହିଲେ–ଖାଇଲେ ମଜା ଲାଗିବ । ଯୋଉ ଯୋଉ ମସଲା ସବୁ ପଡ଼ିଛି, ପାଟି ମହକିଯିବ । ଶଙ୍କର ପାନ ଖଣ୍ଡକ ପାଟିରେ ନେଇ ଜାକିଦେଲା ବେଳକୁ ବୁଢ଼ା ପାନ ଛେଚିବାକୁ ଆରମ୍ଭ କଲେଣି । ଠିକ୍‌ ଏତିକିବେଳେ ସଂସାର ଯାକର ବଡ଼ ବଡ଼ କଥା ଯାକ ପତି ବୁଢ଼ାଙ୍କଠୁଁ ଶୁଣାଯାଏ । ଜ୍ୟୋତିଷଶାସ୍ତ୍ରରେ ସେ ପାରଙ୍ଗମ । କର, କପାଳ ଓ ଜାତକ ଦେଖି ଭବିଷ୍ୟତ କହିଦେଇପାରନ୍ତି । ତାଙ୍କ କଥା ଅନୁସାରେ ଚଣ୍ଡୀ ଗୁଣେଇଲେ ଟ୍ରାନ୍‌ସଫର ବନ୍ଦ ହୋଇଯାଏ । ଭଲ ଜାଗାରେ ପୋଷ୍ଟିଂ ହୁଏ । ଟଙ୍କା ପଇସା ପାଇବାକୁ ଯୋଗଥିଲେ ପତିଏ ଆଗ କହିଦେଇପାରନ୍ତି । ସାହିତ୍ୟ ଚର୍ଚ୍ଚାରେ ସଉକ ତାଙ୍କର ବହୁତ ବେଶୀ । ପ୍ରାଚୀନ ଓଡ଼ିଆ ଓ ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ । ରାଜନୀତି ଚଳେଇବା ତାଙ୍କ ବିନା ଅସମ୍ଭବ । ଶ୍ୟାମ ପତି ଆରମ୍ଭ କଲେ–ଯେତେ ବଡ଼ ହାକିମ ହୁକୁମା ଆସନ୍ତୁ କି ଯେଉଁ ଦଳ ସରକାର ଗଢ଼ନ୍ତୁ ତାଙ୍କ ବିନା କେହିହେଲେ ଏଇ ଢେଙ୍କାନାଳରେ ତିଷ୍ଠିପାରିବେ ନାହିଁ । ସେମାନେ ସିନା ଶାସନ କରିବେ ଲୋକଯାକ କିନ୍ତୁ ଶ୍ୟାମ ପତିଙ୍କ ହାତରେ । ସବୁବେଳେ ସବୁ କ୍ଷେତ୍ରରେ ତାଙ୍କୁ ଡକରା । ହାକିମ ହୁକୁମା, ମନ୍ତ୍ରୀ ଓ ଏମ୍‌.ଏଲ୍‌.ଏ ଯାକ ତାଙ୍କ ଦି’ପକେଟରେ । ସେମାନଙ୍କୁ ଅଣ୍ଟାରେ ଖୋସି ଖଦଡ଼ ଧୋତି ପଞ୍ଜାବୀ ପିନ୍ଧି ଶ୍ୟାମ ପତି ଯେତେବେଳେ ଗାଁ ଛାଡ଼ି ଢେଙ୍କାନାଳ ଆସିଲେ, ସେତେବେଳେ ଗାଁରେ ତାଙ୍କର ଥିଲା ଷାଠିଏ ସତୁରୀ ଏକର ଜମି ବାଗ୍‌ ବଗିଚା, ମାଛ ଭରା ପୋଖରୀ, ଦୁଧିଆଳୀ ଗାଈ, ଆଠହଳ ଚିତା ଯାଏଁ ଉଚ୍ଚା ବଳଦ । ବଗିଚାରେ ତାଙ୍କର ଖାସି ପଲ ଓ କୁକୁଡ଼ା ପାଳନ । ହାକିମ ହୁକୁମାଙ୍କ ପାଇଁ ଢେଙ୍କାନାଳକୁ ଆସି ସେ ଛୋଟ ଛୋଟ କାମ ଧରିଲେ । ବନ୍ଧବାଡ଼ ଓ କୋଠାବାଡ଼ି ତିଆରି ଦାୟିତ୍ୱରେ ଥିବା ହାକିମ ହୁକୁମାମାନେ ତାଙ୍କ ଗାଁକୁ ଯାଇ ଯାଚିକରି ତାଙ୍କୁ କାମ ଦେଇଆସନ୍ତି । ଜିପ୍‌ ଫେରିଲାବେଳେ ପଛ ଆଡ଼ଟା ଭରିଥାଏ । ପତିଏ କାମ ଧରୁଥାନ୍ତୁ କି କାମ ନ ଥାଉ....କେହିହେଲେ ତାଙ୍କ ଘରୁ ଅଖିଆ ଆସିନାହିଁ । ଢେଙ୍କାନାଳ ଜିଲ୍ଲାରେ ତାଙ୍କର ଗୋଟିଏ ନାମଯାଦା ଘର ।

 

ନାମଯାଦା କଣ୍ଟ୍ରାକ୍ଟର ହେବାକୁ ଚାହିଁଲେ ଟେଣ୍ଡରରେ କମ୍‌ ରେଟ୍‌ ଦେଇ ଠିକଣା ବେଳରେ କାମସାରିଲେ କେବଳ ଚଳିବନି । ତା’ପାଇଁ ଅନେକ ଅନେକ ବାଟ ରହିଛି । ଶାମ ପତି ଶଙ୍କର ପାଖକୁ ଘୁଞ୍ଚି ଆସୁ ଆସୁ ବାହାରକୁ ଯାଇ ପାନପିକ ପକେଇଲେ । ଢେଙ୍କାନାଳ କଲେଜରେ କୋଠାବାଡ଼ି କାମ ଚାଲିଥିଲା । ନିଲଟେଲ୍‌ ଯାଏ କାନ୍ଥ ଉଠିଗଲାଣି, ଦିନ ଦି’ଟା ଭିତରେ ସରିଯିବ । ଭାରା ବନ୍ଧାହୋଇ ଫଲ୍‌ସ ଆଦି ହେବାକୁ ଅତି କମ୍‌ରେ ସାତଦିନ । ପରେ ପରେ ଢଳେଇ ପଡ଼ିବ-। ଆମ୍ବଗଛ ଛାଇରେ ଦିହେଁ ଦିଖଣ୍ଡ ଚଉକି ପକେଇ ବସିଥାଆନ୍ତି । ଧାଡ଼ି ଧାଡ଼ି ଗହଳି ଆମ୍ବଗଛର ବଗିଚା, ଗଛସବୁ ଚେକାବାନ୍ଧି ଗୁମ୍‌ମାରି ଠିଆ ରହିଛନ୍ତି, କାହିଁ କେତେ କାଳ ହେଲା । କଲେଜ ପିଲାଏ ସେଇ ଆମ୍ବବଗିଚାର ଅଧା ଛାଇ ଓ ଅଧା ଖରାରେ ଯାଉଥାଆନ୍ତି ପୁଣି ଆସୁଥାଆନ୍ତି । ମିସ୍ତ୍ରୀ ମୂଲିଆ କୋଡ଼ିଏ ପଚିଶ ଜଣ ହେବେ । ଅଦୂରର ପେଟ୍ରୋଲ ପମ୍ପରେ କାର୍‌ସବୁ ପଛକୁ ପଛ ଆସି ପଶିଗଲେ । କାର ପଛକୁ ମିନି ବସ୍‌ । ପେଟ୍ରୋଲ ଡିଜେଲ ନେଇ ଯିଏ ଯୁଆଡ଼େ ଚାଲିଲେ । ଅନୁଗୁଳ ଆଡ଼େ ପୁଣି କଟକ ଆଡ଼େ । କଟକରୁ ଫେରିଲାବେଳେ ପତିବୁଢ଼ା ସେଇ ପେଟ୍ରୋଲ ପମ୍ପ ପାଖରେ ଓହ୍ଲେଇଥିଲେ । କଲେଜ କାମକୁ କରେଇବା ଦାୟିତ୍ୱରେ ଥିଲେ ରଥବାବୁ । ଢେଙ୍କାନାଳରେ ସିଏବି ଜଣେ ନାମଯାଦା କଣ୍ଟ୍ରାକ୍ଟର । ତାଙ୍କ ପାଖରେ କାମଥିଲା । ପତି ବୁଢ଼ା ସେଇଥିପାଇଁ ବସ୍‌ଷ୍ଟାଣ୍ତରେ ନ ଓହ୍ଲେଇ ପେଟ୍ରୋଲ ପମ୍ପ ପାଖରୁ ଯାଇ ଦେଖନ୍ତିତ–ବସିଛି-। ଶଙ୍କର ଦି’ଦିନ ହେଲା ଆସିଲାଣି । କାମଟା ହେଲା କିଶୋରର, ବୁଝାସୁଝା କରୁଥିଲେ ରଥବାବୁ-। ତାଙ୍କ ସାଙ୍ଗେ ମନମାଳିନ୍ୟ ହେଲା । କାହିଁକି ହେଲା ଜଣାନାହିଁ । ଅଳ୍ପ ସମୟ ଭିତରେ ଶଙ୍କରସଙ୍ଗେ ଆଳାପ ଆଲୋଚନା ଜମିଆସିଲା । ବୟସ୍କ ଲୋକ ଶ୍ୟାମସୁନ୍ଦର ପତି, କାମରେ ତାଙ୍କର ବହୁଦିନର ଅଭିଜ୍ଞତା ରହିଛି । ତାଙ୍କର କଥାଯାକ ଶଙ୍କର ମନଯୋଗ ସହକାରେ ଶୁଣୁଥାଏ-

 

ହାକିମମାନେ–ଯୋଉମାନଙ୍କ ଉପରେ ସବୁକିଛି ନିର୍ଭର କରେ, ବେଳପଡ଼ିଲେ ସେଇମାନେ କଣ୍ଟ୍ରାକ୍‌ଟରମାନଙ୍କୁ ଗାଡ଼ି ଚଢ଼ାନ୍ତି ତ ବେଳେବେଳେ ସେମାନଙ୍କୁ ଦାଣ୍ଡର ଭିକାରି କରନ୍ତି । ଟେଣ୍ଡର ଦେଲାବେଳେ ଚଢ଼ାରେଟ୍‌ ଦେବାକୁ ଏଇମାନେ ପୁଣି ଚଢ଼େଇ ଦିଅନ୍ତି । କାମଟାକୁ କିପରି ହାସଲ କରିବାକୁ ପଡ଼ିବ, ସେଥିରେ ପୁଣି ବାଟ ରଖିଥାଆନ୍ତି-କି ଉପାୟ କଲେ କାମଦାମ କିଛି ନକରି ଶୁଖିଲାରେ ବାଳିଆ ପିଟିଲା ଭଳି ହଜାର ହଜାର ଲକ୍ଷ ଲକ୍ଷ ଟଙ୍କା କୋର୍ଟରେ ନାଲିସ୍‌ କରି ନେଇହେବ ସେଇମାନଙ୍କୁ ଖାଲି ସାଙ୍ଗରେ ବାନ୍ଧିପାରିଲେ ହେଲା । ଶାମ ପତି ଚାରିଆଡ଼ିକି ଥରେ ଦୃଷ୍ଟିନିକ୍ଷେପ କରି ଶଙ୍କର କାନପାଖରେ ଆସ୍ତେ କହିଦେଲେ–ଢେଙ୍କାନାଳର ସବୁ ହାକିମଯାକ ମୋର ଏଇ ପକେଟ ଭିତରେ । ବସିବାକୁ କହିଲେ ବସିବେ, ଉଠିବାକୁ କହିଲେ ଉଠିବେ । ସେଥିପାଇଁ ଶାମ ପତିର କେବେହେଲେ ଟଙ୍କାର ଅଭାବ ନାହିଁ । ଯେତେ ବଡ଼ ବଡ଼ କାମ ଆସୁନା କାହିଁକି ସିଏ ମନାକଲେ ଯାଇ କାମଟା ଅନ୍ୟହାତକୁ ଯାଏ । ପାନଡବାରୁ ଆଉଖଣ୍ଡେ ପାନବାହାର କରି ଛେଚିବାକୁ ଗଲାବେଳେ ଶାମ ପତି କହିଲେ–ହଉ ଥାଆନ୍ତୁ, ମୁଁ ଯାଉଛି, କିଛି ଚିନ୍ତା ନାହିଁ । କିନ୍ତୁ ଏଇ କୋଠାବାଡ଼ି କାମରେ କ’ଣ ପେଟ ପୂରିବ ? ପଇସା ଅଛି ମାଟିକାମରେ, ବନ୍ଧବାଡ଼ କାମରେ, ଲୋକବାକ ଠିକ୍‌ କରି ସେମାନଙ୍କୁ କାମରେ ଲଗେଇପାରିଲେ ପଇସାର ଅଭାବ ନାହିଁ । ହଉ–ମୁଁ ଯାଉଛି, ପତିବୁଢ଼ା ଚଉକିରୁ ଉଠିଯାଇ ହସିହସି କହିଲେ–ବନ୍ଧବାଡ଼ କାମ ବାହାରିଲେ ଖବର ଦେବେ । ଟଙ୍କା ନଥିଲେ ଚିନ୍ତାନାହିଁ । ଗଲାବେଳେ ଶଙ୍କର ତାଙ୍କୁ ନମସ୍କାର ହେଲା । ଭାବୁଥିଲା–ବୁଢ଼ାଙ୍କ ପାଇଁ ଚା’ ମଗେଇଥିଲେ ଭଲ ହୋଇଥାଆନ୍ତା । ଗଲେଣି ତ ପୁଣି ଆଉକେବେ ଦେଖାହେଲେ । ଦୁନିଆରେ ତା’ହେଲେ ସାହାଯ୍ୟ କରିବା ଲୋକର ଅଭାବ ନାହାନ୍ତି ? ସେମାନଙ୍କୁ କେବଳ ଖୋଜି ବାହାର କରିପାରିଲେ ହେଲା । ମିଳିବ ପୁଣି ନିଜ ଭାଗ୍ୟ ଉପରେ ନିର୍ଭର କରେ, ଶଙ୍କର ଭାବୁଥିଲା–

 

ନିଜ ନିଜ ଭାଗ୍ୟନେଇ ପ୍ରତିଦିନ ଘୂରି ବୁଲୁଥାନ୍ତି କେତେ କେତେ ଧୂଳିଧୂସରିଆ ଛୋଟ ଛୋଟ ପିଲା, କଲେଜ ଆଗରେ, ବସ୍‌ଷ୍ଟାଣ୍ଡରେ ବସ୍‌ ଟାକ୍‌ସି ଆଦି ଯା’ଆସ କରୁଥିଲାବେଳେ, ବଜାରରେ ଓ ହୋଟେଲ୍‌ ରେଷ୍ଟୁରାଣ୍ଟ ସାମନାରେ । କାହାକୁ ପାଞ୍ଚ ଦଶ ପଇସା ବଢ଼େଇଦେଲେ ସେ ଖୁସି ହୋଇ ଚାଲିଯାଏ ଓ କେହି କେହି ପଛଆଡ଼େ ଧାଇଁଥାଆନ୍ତି ନ ପାଇଲାଯାଏଁ ଦାନ୍ତ ନିକୁଟି ନିକୁଟି, ଅନୁନୟ ବିନୟ ହୋଇ । କିଏ କହେ ତା’ର ଚାକିରି ଦରକାର, ଢେଙ୍କାନାଳରେ ଏ ବର୍ଷ ମରୁଡ଼ି ପଡ଼ିଛି । ବୟସଥିଲା ମାଇପୀମାନେ ବେଳେବେଳେ ଆସି ନେହୁରା ହୁଅନ୍ତି, ଦି’ଓଳି ଦି’ମୁଠା ପାଇଗଲେ କାହାଘରେ ଆଉଜିଯିବେ । ସକାଳେ ସଞ୍ଜେ ଧାଡ଼ିବାନ୍ଧି କାଠବିଡ଼ାଟିମାନ ମୁଣ୍ଡେଇ ପାହାଡ଼ ପାଦତଳର ଗାଁ ଗଣ୍ଡାରୁ ମାଇପୀମାନେ, ବୁଢ଼ାବୁଢ଼ୀଏ, ଝିଅପିଲାମାନେ ଓ ଛୋଟ ଛୋଟ ପିଲାଏ ସହରଯାକ ଭରିଯାଆନ୍ତି । ବିଡ଼ା ବିଧା ଶାଳପତ୍ର ଓ ପଦ୍ମପତ୍ର ଆଦି ଧରି ଯୋଉ ଟଙ୍କେ ଦି’ଟଙ୍କା ସେତକ ହେଲା ଦିନକର ପୁଞ୍ଜି । ଶଙ୍କର ଆମ୍ବଗଛ ଛାଇରେ କଲେଜ କାମକୁ ତଦାରଖ କରୁଥିଲା ବେଳେ ଏସବୁ ତା’ ଆଖି ଆଗରେ ଆସି ପଡ଼େ । ସକାଳୁ ସଞ୍ଜଯାଏଁ କାମ, ରାତି ଦି’ଘଡ଼ିକି ମିସ୍ତ୍ରୀ ମୂଲିଆଙ୍କର ମଜୁରୀ ଛିଣ୍ଡେଇ, ବଜାରଆଡ଼େ ବୁଲାଚଲା କରି କାମ ପାଖର ଚାଳିଆଘରେ ରାତିକି ସେ ବିଶ୍ରାମନିଏ ଖଟିଆ ଉପରେ । ଘରଯାକ କୋଡ଼ିକୋଦାଳ ଭର୍ତ୍ତି, ଫଲ୍‌ସକାଠ ଓ ମିସ୍ତ୍ରୀଙ୍କ କରଣୀ ଆଦିରେ ଭରପୂର ସେଇ ଚାଳଘରର ଗୋଟିଏ କରକୁ ଟେବୁଲ ଖଣ୍ଡିଏ । ତା’ ନିଜର ସୁଟ୍‌କେଶ୍‌ ତା’ ଭିତରେ କ୍ୟାସ୍, ସେସବୁ ଛାଡ଼ି ଶଙ୍କର କେଉଁଆଡ଼େ ଯାଇପାରେନି । ଆମ୍ବଗଛ ଗହଳିରେ ଉତ୍ତର ଦିଗକୁ ଗୋଟିଏ ଛୋଟକାଟ ପୋଖରୀ କୂଳରେ ମୂଲିଆ ମୂଲିଆଣୀଙ୍କର କୁଡ଼ିଆ ସବୁ । ସେମାନେ ବର୍‌ହମ୍‌ପୁର ଆଡ଼ର । କିଶୋର କାମ ନେଲାବେଳେ ସେମାନଙ୍କୁ ଆଣି ରଖେଇଥିଲା ।

 

ସେଦିନ ମୂଲିଆମିସ୍ତ୍ରୀ ସମସ୍ତେ ଛାତର ଫଲ୍‌ସ କାମ କରିବାରେ ବ୍ୟସ୍ତଥିଲେ । ବଡ଼ ବଡ଼ କାଠଗଡ଼ସବୁ କାନ୍ଥ ଉପରକୁ ରଖି ସରୁ ସରୁ ଲମ୍ବା ବାଉଁଶର ମାଳା, ବାଉଁଶ ଉପରେ କଞ୍ଚାମାଟି, ମାଟି ଉପରେ ବାଲି, ବାଲି ଉପରେ ସିମେଣ୍ଟ ପାଣି, ଶୁଖିଗଲେ ଢଳେଇ ପଡ଼ିବ, ଦି’ଦିନ ପରେ । ହାତରୁ ଟଙ୍କା ସରିଲାଣି । କିଶୋର ଚିଠି ଦେଇଛି-ଢଳେଇପଡ଼ିଲା ଦିନ ଆସିବ, ଆସିନପାରିଲେ ଟଙ୍କା ପଠେଇଦବ । କିଶୋର ଦେଇଥିବା ଚେକ୍‌ର ଟଙ୍କାତକ ସରିଆସିଲାଣି, ଟଙ୍କା ନ ଦେଲେ କାମ ଆଗେଇପାରିବନି ।

 

ସେଦିନ ବଡ଼ ଦୁର୍ଯ୍ୟୋଗ । ବିଚରା ରଘୁ ସାମଲ ସେଇ ଏକା ଥିଲା ଘର ଭିତରେ । ଅନ୍ୟମାନେ ଯେ ଯାହା କାମ ନେଇ ବାହାରେ ବ୍ୟସ୍ତ ଥିଲେ । ଫଲସ୍‌ ସବୁରୁ ଗଳିପଡ଼ିଥିବା କାଦୁଅଯାକ ସଫା କରୁ କରୁ ହଠାତ୍‌ ଗୋଟିଏ ଶଦ୍ଧ ହେଲା । କାଠଗଡ଼ ଓ ପଟା ବାଉଁଶ ଆଦିରେ ତିଆରି ବିରାଟ ଫଲସ୍‌ଟା ଚାହୁଁ ଚାହୁଁ ଅଜାଡ଼ି ହୋଇପଡ଼ିଲା ଠିକ୍‌ ତା’ ମୁଣ୍ଡ ଉପରେ । ବାହାରକୁ ଯିବାକୁ ରଘୁ ରାସ୍ତା ପାଇଲାନି । କାଠ ବାଉଁଶ ଓ ମାଟିରେ ରଘୁ ସେହି ଘରେ ପୋତି ହୋଇପଡ଼ିଥିଲା । ସମସ୍ତେ ଦଉଡ଼ିଆସିଲେ । ଶଙ୍କର ବି ଲାଗିଗଲା । ମାଟିଗଦା ଭିତରେ ରଘୁ ବେହୋସ୍‌ ହୋଇ ପଡ଼ିରହିଛି । ମୁଣ୍ଡଫାଟିଯାଇ ରକ୍ତର ଧାର ଛୁଟିଛି । ଅପେକ୍ଷା କରିବାକୁ ଆଉ ସମୟ ନାହିଁ । ଯୋଗକୁ ଫାଙ୍କା ଟାକ୍‌ସିଟିଏ ପେଟ୍ରୋଲ ପମ୍ପ ଭିତରକୁ ଆସୁଥିଲା । ଗାଡ଼ିରେ ଢେଲା ଭରିବ ବୋଲି । ଶଙ୍କର କଥାଶୁଣି ଗାଡ଼ିଟି ଛୁଟିଲା କଟକ ମେଡ଼ିକାଲ । ଢେଙ୍କାନାଳରେ ଚିକିତ୍ସା କରିବା ଅପେକ୍ଷା କଟକ ନେଇଯିବା ଶତଗୁଣେ ଭଲ । କାଳେ କ’ଣ ବିପଦ ଆପଦ ଥିବ । କଟକରେ କିଶୋରକୁ ବି କହିହେବ । ରଘୁର ଅବସ୍ଥା ସେତେବେଳେ ଅତି ସାଂଘାତିକ । ଲୁଗାପଟା ଯେତେ ଯାହା ବନ୍ଧା ବନ୍ଧି କଲେବି ରକ୍ତର ଧାର କମୁନି । ଲୁଗାସବୁ ରକ୍ତରେ ଭିଜା । ଶଙ୍କର ଟାକ୍‌ସିରେ ରଘୁ ପାଖକୁ ବସି ରହିଥିଲା ଓ ହାତରେ ରକ୍ତ ବାହାରୁଥିବା ଯାଗାଟାକୁ ଚିପି ଧରିଥିଲା । ମିସ୍ତ୍ରୀକି କହିଦେଇ ଗଲା ସେମାନେ କାମରେ ଲାଗିଥାନ୍ତୁ । ସେ ସାଙ୍ଗେ ସାଙ୍ଗେ ଫେରିଆସିବ । ଯଦି ସୁବିଧା ହୁଏ ରଘୁକୁ କିଶୋର ଜିମା ନେଇ କାମ ଉପରକୁ ପୁଣି ସେ ଆସିବ ।

 

ବିଧିର ବିଧାନ କିନ୍ତୁ ବିଡ଼ମ୍ବନା । ରଘୁ ଢେଙ୍କାନାଳ କଟକ ରାସ୍ତାରେ ଚଉଦ୍ୱାରର ଠିକ୍‌ ଆଗକୁ ସଂସାରରୁ ବିଦାୟ ନେଲା । ଡ୍ରାଇଭର ଜାଣେନାହିଁ । ଶଙ୍କର କିନ୍ତୁ ଠିକ୍‌ ଲକ୍ଷ୍ୟ କରିଛି-ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରଘୁର ଏ ଶେଷ ପରିଣତି । କ’ଣ ତା’ପରେ କରିବ ଶଙ୍କର ଠିକ୍‌ କରିପାରୁନଥାଏ । ମେଡ଼ିକାଲ୍‌ ଯିବ କି କିଶୋର ପାଖକୁ ଯିବ କି ପୁଣି ଫେରିଆସିବ ଢେଙ୍କାନାଳ । ଶଙ୍କର ମନେମନେ ଠିକ୍‌ କଲା–ସିଏ ଅବା କ’ଣ ଜାଣିଛି ? ରଘୁର କ’ଣ ହୋଇଛି ବା ନ ହୋଇଛି ଆଗ ମେଡ଼ିକାଲ୍‌ରେ ପୂରେଇ ଦେବା ଦରକାର ।

 

ମେଡ଼ିକାଲ ହତାରେ ଟାକ୍‌ସିଟାକୁ ରଖିଦେଇ ଶଙ୍କର କିଶୋର ପାଖକୁ ଫୋନ୍‌ କରୁ କରୁ ସେ ଆସି ପହଞ୍ଚିଗଲା । କ’ଣଅବା କରିହେବ ? ଦିହେଁ ଯାଇ ଟାକ୍‌ସିରେ ଫେରିଆସିଲେ ପୁଣି ଢେଙ୍କାନାଳ । ଶଙ୍କର ଆଶ୍ୱସ୍ତ ହେଲା–କିଶୋର ଆସିଗଲାଣି । ସବୁ ଅବସ୍ଥା ସେ ସମ୍ଭାଳିନେବ-

 

ଅବସ୍ଥାଟା ସମ୍ଭାଳିଗଲା ସତ । କିନ୍ତୁ ଶ୍ୟାମପତିଙ୍କି ସମ୍ଭାଳି ହେଲାନି । ତାଙ୍କ ସାଙ୍ଗେ ଯୋଗଦେଲେ ପୁଣି ରଥବାବୁ । କିଶୋର ଯାହାଙ୍କୁ ତା’ କାମରୁ ଛଡ଼େଇ ଦେଇଥିଲା । ଯାହା ହେବାର ହେଲାଣି । କେହିତ ଜାଣିଶୁଣି କିଛି କରିନାହିଁ । ଭାଗ୍ୟଭଲ ରଘୁ ବାହା ହୋଇନଥିଲା । କିଶୋର ରଘୁର ବୁଢ଼ାବାପ ସାଙ୍ଗରେ ତାଙ୍କ ଗାଁ ଭାପୁର ଯାଇ ହଜାରେ ଟଙ୍କା ଗଣିଦେଇଆସିଲା । ଥାନା ଓ କୋର୍ଟକୁ ଯାଇ ଅବସ୍ଥାଟା ସମ୍ଭାଳିନେଲାବେଳକୁ ଶହେଲୋକ ଧରି ଦିନେ ସକାଳୁ ସକାଳୁ ଆସି କାମ ଉପରେ ହାଜର ହେଲେ ଶାମ ପତି । ଚାଲିଲା ଖାଲି ପାଟିତୁଣ୍ଡ ଓ ଗଣ୍ଡଗୋଳ । ଅସଲ କଥା ହେଲା–ବାହାରୁ ଆସି କେହି ଆଉ ଏଣିକି ଢେଙ୍କାନାଳରେ କାମ କରିପାରିବେନି । କାମ ବୁଝାସୁଝା କରିବ ଆସି ବାହାର ଲୋକ, ଯିଏ କାମଦାମ କେହି କେବେ କରେଇନି କି କାମର ଧାର ଧାରେନି ? ଗହଳି ଭିତରେ ରଥବାବୁ ଅବଶ୍ୟ ନ ଥିଲେ । କିନ୍ତୁ ଶାମ ପତି ଯେ ତାଙ୍କରି ପାଇଁ ଏ ସବୁ କହୁଛି ବୁଝିବାକୁ ଆଉ ବାକି ରହିଲାନି । ଯୋଗକୁ କିଶୋର ଆସି ପହଞ୍ଚିଗଲା । ଶାମ ପତି ତାଙ୍କ ସାଙ୍ଗେ ହସି ହସି କଥା ହେବାକୁ ଆରମ୍ଭ କଲାବେଳେ ଲୋକମାନଙ୍କ ଆଡ଼କୁ ଚାହିଁ ଆଗ ବହୁତ ପାଟିତୁଣ୍ଡ କଲେ । କାହିଁକି ସେମାନେ ଏତେସଂଖ୍ୟାରେ ଏଠି ଘେରିଛନ୍ତି । ଯାହା ହେବାର ତ ହେଲାଣି–

 

ଲୋକ ଯିଏ ଯାହାର କାମନେଇ ଫେରିଲାବେଳେ ଶାମ ପତି କିଶୋରକୁ ଆମ୍ବଗଛ ମୂଳକୁ ଡାକି କେତେବେଳ ଯାଏଁ ଟୁପ୍‌ଟାପ୍‌ କଥା ହେବାରେ ଲାଗିଗଲେ । କେହି ନ ଶୁଣିଲା ଭଳି ।

 

ଶଙ୍କର ଏକେଲା ଠିଆହୋଇ ଭାବୁଥାଏ–ପତିବୁଢ଼ାଙ୍କ କଥା । କି ସଂଘାତିକ ଲୋକ । ଏଇନେ ଗୋଟେ କଥାତ ପରମୁହୂର୍ତ୍ତକୁ ଅଲଗା । ଯେତେ ଯେତେ ତାଙ୍କ ବିଷୟରେ ସେ ଭାବିଲା, ସେତିକି ସେତିକି ସେ ରହସ୍ୟଜନକ ମନେହେଲେ । ଶାଇ ପତି ଭଳି ଲୋକ ନ ହେଲେ କଣ୍ଟ୍ରାକ୍ଟରୀ କରିବା ଅସମ୍ଭବ ? ତା’ର ଅବା ଦୋଷ କ’ଣ ଅଛି ? କିଶୋର କ’ଣ ତାକୁ ବାହାର କରିନଦେବ ? ଶଙ୍କର ଏକେଲା ଠିଆରହି କେତେ ଆକାଶ ପାତାଳ ଏମିତି ଭାବୁଥାଏ ।

 

କଥାହେଲା–କର ବାବୁଙ୍କ ପାଖକୁ ଯିବାକୁ ପଡ଼ିବ । ସେ ହେଲେ ଡିପାର୍ଟମେଣ୍ଟର ବଡ଼ ହାକିମ । ତାଙ୍କ ଉପଦେଶ ନେଇ କାମ କଲେ ଆଉ ବିପଦଆପଦ ନାହିଁ । କାମଟା ବି ସୁରୁଖୁରୁରେ ଚାଲିପାରିବ । ଶଙ୍କର ସାଙ୍ଗରେ ଯିବାକୁ ଶ୍ୟାମପତି ମନା କରୁଥିଲେ । କିଶୋର କହିଲା, କାହିଁକି ଏଠାରେ ସେ ଏକେଲା ହୋଇ ବସିରହିବ । ସାଙ୍ଗ ହୋଇଗଲେ ତ କିଛି ଆପତ୍ତି ନାହିଁ ।

 

ଛାତ ଭୁଶୁଡ଼ି ପଡ଼ିବା ଦିନଠୁଁ କାମଦାମ ସବୁ ବନ୍ଦ ଥିଲା ।

 

କରବାବୁ ବଡ଼ ହାକିମ ଭାବରେ ସାତ ଆଠବର୍ଷ ହେଲା ପ୍ରମୋଶନ ପାଇଲେଣି । ବହୁ ଜାଗା ବୁଲି ବୁଲି,ବେ ଅଛନ୍ତି ଢେଙ୍କାନାଳରେ । ପଚାଶ ପାଖପାଖି । ଡ଼ଉଲଡ଼ାଉଳ ଚେହେରା । ସାବନା ହେଲେ ବି ଦିହରୁ ତାଙ୍କର ତେଲ ବୋହିପଡ଼ିଲା ଭଳି ମନେହୁଏ । ଡାହାଳିଆ ଡେଙ୍ଗା ନୁହନ୍ତି । ଅଫିସ୍‌କୁ ପଶିଗଲେ ବଡ଼ କଡ଼ା ମିଞ୍ଜାସର ହାକିମ । କିନ୍ତୁ ବାହାର ଲୋକଙ୍କ ଆଗରେ, କଣ୍ଟାକ୍ଟରମାନଙ୍କ ସାଙ୍ଗରେ କଥା ହେଲାବେଳେ ସେ ବଡ଼ ମେଳାପି । ଥରେ କଥାହେଲେ ଯେ କେହି ଲୋକ ତାଙ୍କ ପାଖକୁ ନିଶ୍ଚୟ ଆସିବ । ବଡ଼ ଗପୁଡ଼ି ଲୋକ । ଗପ ଯାକ ତାଙ୍କର କାମ ବିଷୟରେ । କୋଉ ଜାଗାରେ ସେ ବନ୍ଧବାଡ଼ କରିଥିଲେ, ବଡ଼ ବଡ଼ ପୋଲ ଓ କୋଠାବାଡ଼ି ଆଦିର କୀର୍ତ୍ତିସବୁ ବଖାଣିବାରେ ଅହରହ ସେ ଲାଗିପଡ଼ନ୍ତି । ତାଙ୍କ ପାସଙ୍ଗରେ କେହି ହେଲେ ପଡ଼ିବେନି । ତାଙ୍କ ପ୍ରତିଭା ଏ ଦେଶ କିନ୍ତୁ ଚିହ୍ନିପାରିଲାନି । ତା’ ପରେ ପରେ ପ୍ରଚଳିତ ଶାସନ ବିରୁଦ୍ଧରେ ତାଙ୍କର ବିଷୋଦ୍‌ଗାର । ପିଲାଦିନେ ବହୁତ କଷ୍ଟରେ ସେ ପାଠ ପଢ଼ିଛନ୍ତି । ବାପା ପୋଲିସ୍‌ ଜମାଦାର ଭାବରେ ଚାକିରିରୁ ରିଟାୟାର୍ଡ଼ କଲାବେଳେ କରିବାକୁ ଆଇ.ଏସ୍‌ସି ପଢ଼ୁଥାନ୍ତି । ଘର ତାଙ୍କର ଜଗତସିଂହପୁର । ଚାଳଘର ଥିଲା । ଏବେ ଗାଁରେ, କଟକରେ, ଭୁବନେଶ୍ୱରରେ, ପୁରୀରେ ଚାରିଆଡ଼େ ତାଙ୍କର କୋଠାଘର । ଘର ତିଆରି କରିବାକୁ ଆଡ଼୍‌ଭାନସ୍‌ ନେଇଛନ୍ତି । ତାଙ୍କ ନା’ରେ ବ୍ୟାଙ୍କ୍‌ରେ ଅଳ୍ପକିଛି ଜମା ଥିବ । ତାଙ୍କ ବୈଠକ ଖାନାକୁ ପଶିଗଲେ ଆଖି ଖୋସି ହୋଇଯାଏ । ସାଜସଜ୍ଜାରୁ କରବାବୁଙ୍କର ରୁଚିକୁ ଚିହ୍ନିହୁଏ । ଘରେ ଚାରି ଚାରିଟା ଜର୍ସିଗାଈ । ଗାଈଙ୍କ ପିଚ୍ଛା ଚାରି ଚାରିଟା ଲୋକ ବନ୍ଧା । କିଏ ଘାସ ଆଣେତ କିଏ ପିଡ଼ିଆ ଆଣେ । କିଏ ଦୁଧ ନେଇ ବାହାରେ ବିକେ । ଦିନକୁ କୋଡ଼ିଏ ସେର ଦୁଧ । କେତେ ଅବା ସେମାନେ ଖାଇବେ । କ୍ୱାଟର ଆଗ ବଗିଚାରେ ଦି’ଦିଜଣ ଲୋକ । ବର୍ଷସାରା ପନିପରିବା କିଣିବା ଦରକାର ପଡ଼େନି । କରବାବୁଙ୍କର ଆଖି ଦି’ଟା ସଦାବେଳେ ଲାଲ୍‌ ଲାଲ୍‌ । ଲୋକ ଆସିଗଲେ କିନ୍ତୁ ହସ ହସ କଥାବାର୍ତ୍ତା । ପତି ବୁଢ଼ାଙ୍କର ସେ ଜଣେ ଅନ୍ତରଙ୍ଗ ବନ୍ଧୁ । ସେ ହାକିମ ନୁହନ୍ତି କି ପତିବୁଢ଼ା କଣ୍ଟ୍ରାକ୍ଟର ନୁହଁନ୍ତି । ଖୋଜିବସିଲେ ବନ୍ଧୁବାନ୍ଧବ ସଂପର୍କ ।

 

ଶ୍ୟାମ ପତିଙ୍କ ସାଙ୍ଗେ ଆଉ ଦି’ଜଣଙ୍କୁ ଦେଖି କରବାବୁ ପ୍ରଥମେ ପ୍ରଥମେ ଦୋ’ ଦୋ’ ଚିହ୍ନା ହେଉଥିଲେ । ନମସ୍କାର କରି ହସହସ ମୁହଁରେ କଥା ହେଲାବେଳେ ଶ୍ୟାମ ପତି ଚିହ୍ନେଇଦେଲେ । ଜଣାପଡ଼ୁଥିଲା କରିବାକୁ ସେମାନଙ୍କୁ ଅବା ବହୁ ଆଗରୁ ଚିହ୍ନିଛନ୍ତି ।

 

ସକାଳ ନ’ଟା ପାଖାପାଖି । କରବାବୁ ଓଭରକୋଟ୍‌ଟେ ପିନ୍ଧି କ୍ୱାଟର ଆଗ ବଗିଚାରେ ବୁଲାଚଲା କରୁଥିଲେ । ସେମାନଙ୍କୁ ଦେଖିଦେଇ ବୈଠକଖାନାରେ ଆସି ବସୁ ନ ବସୁ ଆସିଗଲା ଚା’ । ସ୍କ୍ୱାକ୍‌ସ, ଲୁଣି ବିସ୍କୁଟ୍‌ ଓ କାଜୁବାଦାମ୍‌ । ଶ୍ୟାମ ପତି କହିଲେ–ଏଇ ତ ଆରମ୍ଭ ହେଲା । କରବାବୁ ବସିଥିବା ସୋଫା ପାଖରେ ଲମ୍ବା ବାଳ ସବୁ ଆଖି ଉପରକୁ ପଡ଼ୁଥିବା କୁକୁରଟିଏ ଛୋଟ ନୁହେଁ କି ଡାହାଳ ନୁହେଁ, ଆଲ୍‌ସିସିଆନ୍‌ ନୁହେଁ କି ଦେଶୀ ନୁହେଁ, ଦେଶୀ ବିଲାତି ମିଶାମିଶି, ଠିକ୍‌ ତାଙ୍କ ଗୋଡ଼ ପାଖରେ ବିଶ୍ରାମ ନେଲା । ଆଖି ବନ୍ଦକରି ଅଧା ଖୋଲି ନ ଖୋଲି ଉଠିଯିବାକୁ ଉଦ୍ୟତ ହେଉଥିଲା, ପୁଣି ଶୋଇ ରହିଲା । କଲେଜର ସେ କୋଠା ତିଆରି କାମ ଓ ଫଲସ୍‌ ପକେଇବା ଦିନ ଯେଉଁ ଦୁର୍ଘଟଣା ଘଟିଗଲା, କିଶୋର ମୁହଁରୁ ସବିଶେଷ ଶୁଣୁ ଶୁଣୁ ଶ୍ୟାମ ପତି କହିଲେ–ଊଣା ଅଧିକେ ସେ ସବୁ ଜାଣିଛନ୍ତି । ବର୍ତ୍ତମାନ କ’ଣ କରାଯିବ ଆପଣ କିଛି କହନ୍ତୁ–

 

କର ବାବୁ କହିଲେ–ଦୁର୍ଘଟଣାଟା ଆକସ୍ମିକ । ସେ ସବୁକୁ ଡରିଲେ କ’ଣ କୋଉଠି କାମ କରିହୁଏ ? ଆକ୍‌ସିଡ଼େଣ୍ଟ ହେବ ବୋଲି ଡରିଲେ ତ ଗାଡ଼ିମଟରରେ ଯାଇହେବନି । କିଛି ନାହିଁ, କାମଟା ବେଶ୍‌ ସୁରୁଖୁରରେ ସରିଯାଇପାରିବ ।

 

ଠିକ୍‌ କଥା,-ଶ୍ୟାମ ପତି କହିଲେ–ଆମର କିନ୍ତୁ ପାଠ କହୁଛି ପ୍ରଥମରୁ କିଛି ଗୋଟାଏ ଦୁର୍ଘଟଣା ଭଲ ଫଳ ଦିଏନି । କ୍ଷତିକାରକ । ସବୁ ଦୃଷ୍ଟିରୁ ବିଚାର କଲେ-ଶ୍ୟାମ ପତି କ’ଣ କହିବାକୁ ଯାଉ ଯାଉ ଛେପ ଢୋକିଲେ ।

 

କର ବାବୁ ହସି ହସି କହିଲେ–କ’ଣ ଆପଣଙ୍କ ଜ୍ୟୋର୍ତିଶାସ୍ତ୍ର ଅନୁସାରେ ?

 

ଟ୍ରେ’ରେ ଖାଲି କପ୍‌ ପିଆଲାଗୁଡ଼ାକ ଜଣେ ଆସି ନେଇଗଲାବେଳେ ଶ୍ୟାମ ପତି ବାହାରକୁ ଉଠିଗଲେ-ପାନ ଛେପ ପକେଇବେ ।

 

ଶଙ୍କର କ’ଣ କହି ଆସୁ ଆସୁ ଗେଟ୍‌ଟା ଶବ୍ଦ ହେଲା । ରଥ ବାବୁ ପଶିଆସୁଥିଲେ । ଶଙ୍କର ଠିକ୍‌ ଲକ୍ଷ୍ୟ କରିଛି-କ’ଣ ଭାବି ପୁଣି ସେ ଫେରିଗଲେ ।

 

କରବାବୁ ମତ ଦେଲେ–ଦୁର୍ଘଟଣାଟେ ଘଟିଥିଲା । ସେଥିପାଇଁ ଯାଏଆସେ ନାହିଁ । କାମ ଦେଖିବାକୁ ଜଣେ ଅଭିଜ୍ଞ ଲୋକ କିନ୍ତୁ ଦରକାର । ଶଙ୍କରବାବୁ ଅଛନ୍ତି, କିଛି ଅସୁବିଧା ନାହିଁ । ରଥବାବୁ ଥିଲେ ସେ କୁଆଡ଼େ ଗଲେ ?

 

ଶ୍ୟାମ ପତି କିଛି ନ କହି ଚୁପ୍‌ ରହିଲେ । କରବାବୁଙ୍କ କଥାକୁ ଯେପରି ସେ ସମର୍ଥନ କରୁଛନ୍ତି ।

 

କିଶୋର କହିଲା–ଆଚ୍ଛା ! ପରେ ତାକୁ ଦେଖିବାକୁ ପଡ଼ିବ । ରଥବାବୁଙ୍କ ସାଙ୍ଗେ ତା’ର ମନୋମାଳିନ୍ୟକୁ ପଦାରେ ପକେଇବାକୁ କିଶୋର ଇଚ୍ଛା କରୁନଥିଲା ।

 

କରବାବୁ ପଚାରିଲେ–ଆପଣଙ୍କର ଆଉ କିଛି ଅସୁବିଧା ନାହିଁ ତ ?

 

ସେ ସବୁ ଫଇସଲା ହୋଇଯାଇଛି । କିଶୋର କହିଲା–

 

ଆମର ଏଠି କାମଦାମ ଆସି କରୁନାହାନ୍ତି ? କରବାବୁ କହିଲେ–ବହୁତ କାମ ଆମର ଅଛି, ଖାଲି ମାଟି କାମ ।

 

କିଶୋର ହଁ କଲାନି କି ନାହିଁ କଲାନି ।

 

ଠିକ୍ ଏତିକିବେଳେ ଗେଟ୍‌ ଖୋଲି ପଶିଆସିଲେ ଆଉଜଣେ ଭଦ୍ରଲୋକ । ବାହାରେ ଅପେକ୍ଷା କରିଥାନ୍ତି । ତାଙ୍କୁ ଦେଖାହେଲା ନାହିଁ ।

 

ସମସ୍ତେ କଥାବାର୍ତ୍ତା ସାରି ଉଠିଲାବେଳକୁ ବାହାରେ ସେଇ ଭଦ୍ରଲୋକଙ୍କୁ ଦେଖି ଶଙ୍କର ତା’ ଆଖିକି ବିଶ୍ୱାସ କରିପାରିଲାନି । କିଶୋର ହସି ହସି କରବାବୁଙ୍କଠୁଁ ବିଦାୟନେଇ ଚାଲିଗଲା । ଶଙ୍କର ପଛେ ପଛେ ଯାଉ ଯାଉ ଭାବୁଥିଲା ଯାହାଙ୍କୁ ସେ କଟକ ରାସ୍ତାରେ, ବାଦାମବାଡ଼ି ବସ୍‌ଷ୍ଟାଣ୍ତରେ ଓ କିଶୋର ଘରେ ଦେଖିଥିଲା ସେଇ ତ ଏ ଭଦ୍ରଲୋକ । ପୁଣି ଆସି ଢେଙ୍କାନାଳରେ । ଶଙ୍କରକୁ ଆହୁରି ଆଶ୍ଚର୍ଯ୍ୟ ଲାଗିଲା- କିଶୋର ସେ ଭଦ୍ରଲୋକଙ୍କୁ ଦେଖିଦେଇ ଚିହ୍ନି ନ ଥିବାର ଛଳନା କଲା କାହିଁକି ? ସେ କ’ଣ ତାହାଲେ ତାଙ୍କୁ ଜାଣେନାହିଁ ? ତା’ ଘରକୁ ସେଇ ଭଦ୍ରଲୋକ ତା’ହେଲେ କ’ଣ ଅଜଣା, ଅଚିହ୍ନା ଯାଇଥିଲେ ? ଶଙ୍କରର ମନ ଭିତରେ ଶତ ଶତ ପ୍ରଶ୍ନର ତୀର–ସବୁ ଗୋଟିଏ ପରେ ଗୋଟିଏ, ପୁଣି ମିଳିମିଶି ତା’ର ଆଖିଦେଇ କିଶୋରକୁ ବିଦ୍ଧ କରୁଥିଲା । କିଶୋର ଚାଲିଥାଏ ଆଗରେ । ଶଙ୍କର ପଛେ ପଛେ କେତେଆଡ଼ୁ କେତେ କଥା ଭାବି ସେ ଚାଲିଥାଏ । ମନ ଭିତରେ ତା’ର ଆଶା ନିରାଶାର ଦ୍ୱନ୍ଦ୍ୱ । କିଶୋର ତାକୁ ଯେବେ ମନା କରିଦିଏ ? କ’ଣ ସେ କରିବ ? ଯେତେ ଆପଣାର ହେଲେ ବି ତା’ସାଙ୍ଗେ ସିଧାସଳଖ ଚାଲିବାକୁ, କଥା ହେବାକୁ ଓ ମୁହଁଟେକି ତା’ ଆଡ଼ିକି ଚାହିଁପାରୁନଥାଏ ଶଙ୍କର ।

 

କେଇ ହାତ ଦୂରରେ ଥିଲା କିଶୋରର କାର୍, ଡ୍ରାଇଭର ନ ଥିଲା । କିଶୋର ନିଜେ ନେଇଆସିଥିଲା ତରତରରେ । କହିଲା–ବସ, କଟକ ଯିବା ।

 

ଶଙ୍କର କିଛି ନ କହି କିଶୋର ମୁହଁକୁ ଖାଲି ଚାହିଁ ରହିଥିଲା । କେତେ କ’ଣ ପଚାରିବାର ଇଚ୍ଛା, ପଚାରି ପାରୁନଥିଲା ।

 

ଥାଉ ସେ କାମ ସେତିକି ଥାଉ । ପରେ ଦେଖାଯିବ । ଗାଡ଼ିର ଦୁଆର ଖୋଲୁ ଖୋଲୁ କିଶୋର ସିଗାରେଟ୍‌ରେ ଅଗ୍ନିସଂଯୋଗ କରୁଥିଲା ।

 

ଶଙ୍କର ଲକ୍ଷ୍ୟ କରିଥିଲା–ସାମ୍ନାରେ ଆସୁଥିଲେ ଦଳ ଦଳ ଲୋକ, ପଛକୁ ପଛ ଶୋଭାଯାତ୍ରା କଲାଭଳି । ହାତରେ ତାଙ୍କର ପତାକା ନାହିଁ କି ତୁଣ୍ଡରେ ସ୍ଳୋଗାନ୍ ନାହିଁ । ମାଇକ୍ ନାହିଁ ସେମାନଙ୍କ ଦଳର ନିଶାଣ ନାହିଁ । ଗୋଟିଏ ଦିଗରେ ନୁହେଁ, କିଏ କୋଉଆଡ଼ୁ ଆସି ଲୋକଙ୍କ ସାଙ୍ଗେ ମିଶିଯାଆନ୍ତି ଓ ନିଜ ନିଜ କାମନେଇ କୁଆଡ଼େ ଲୁଚି ହଜିଯାଆନ୍ତି । ଆଉ ଦଳେ ଆସି ସେମାନଙ୍କର ସ୍ଥାନ ପୂରଣ କରିବାରେ ଲାଗିଥାଆନ୍ତି । ଗୋଟିଏ ଲକ୍ଷ୍ୟନେଇ ସେମାନେ ଅବା ଚାଲିଛନ୍ତି । ଜଣକ ପରେ ଜଣେ ଦଳ ଦଳ ହୋଇ ଠିକ୍ ଶୋଭାଯାତ୍ରା କଲାଭଳି । ସମସ୍ତଙ୍କ ହାତରେ ବ୍ୟାଗ୍ ଖଣ୍ଡିଏ ଖଣ୍ଡିଏ । କିଏ କିଏ ବା ସାଇକେଲ ଚଳେଇ । ବ୍ୟାଗ୍ ଓ ଅଖାଟିମାନ ସାଇକେଲ ପଛଆଡ଼େ ରଖିଦେଇ । ଆଗରୁ ପଛରୁ ଛୁଟି ଆସୁଥିଲା କାର୍, ଟାକ୍‌ସି, ଜିପ୍ ଓ ସ୍କୁଟର ଆଦି । ଲୋକଗୁଡ଼ାଙ୍କୁ ଆଡ଼େଇ ଆଡ଼େଇ କୁଆଡ଼େ ଅଦୃଶ୍ୟ ହେଉଥିଲା । କିଏ ମୁଣ୍ଡ ପୋତି ପୋତି, କିଏ କିଏ ପରସ୍ପରରେ କଥାବାର୍ତ୍ତା କରି କରି ହଳ ହଳ ହୋଇ ଦଳବାନ୍ଧି ଚାଲିଥାଆନ୍ତି । ପଛକୁ ପଛ ଅପରଛନିଆ ପିଲାଗୁଡ଼ାଏ, ଧପଡ଼ି ଥାଆନ୍ତି ପଇସା ମାଗି ମାଗି । ବସ୍‌ଷ୍ଟାଣ୍ଡ୍‍ର ସେଇ ଲୋକଟା ଯିଏ ରହି ରହି ପାଟିକରେ, ମୁହଁ ବିକୃତ କରି ଆକାଶ କମ୍ପେଇ-କଟକ ଗାଡ଼ି, ପୁଣି ଅନୁଗୁଳ, ସମ୍ୱଲପୁର ଆଡ଼ିକି ଟାକ୍‌ସି ଓ ମିନିବସ୍ ଇତ୍ୟାଦି । ଅଧା ଇଂଲିଶ୍ ଓ ଅଧା ଓଡ଼ିଆ ହିନ୍ଦିମିଶା ହାକହାକ ସାଙ୍ଗକୁ ତା’ର ବିଡ଼ିଟଣାର ଅଙ୍ଗଭଙ୍ଗି ଦେଖେଇ । ସମସ୍ତଙ୍କ ଆଖି ତା’ରି ଉପରେ, ନାଲି ନେଳି ପାଣି ଭରା ବୋତଲର ସମ୍ଭାର ନେଇ ସର୍ବତ ଦୋକାନ । ଅପରିଷ୍କାର ଚା ଦୋକାନ ଓ ପାନ ଦୋକାନରେ ଧୂଳିଜମି ମଳିନ ପଡ଼ିଯାଇଥିବା ମାସିକ ଓ ଦୈନିକ ପତ୍ରପତ୍ରିକାର ମାଳା । ଫଳ ପାଖେ ପାଖେ ଦହିବରା ଓ ଖୁଆପେଡ଼ାବାଲାଙ୍କର ପଟୁଆର । ଶଙ୍କର ସେଇ ଆଡ଼ିକି ଚାହିଁ ରହିଥିଲାବେଳେ-

 

କିଶୋର ଡାକିଲା–କ’ଣ ସିଆଡ଼େ ଚାହିଁଚୁ, ଆ-ଯିବା–

 

ଶଙ୍କର ଗାଡ଼ି ଭିତରକୁ ଯାଉ ଯାଉ ତାଙ୍କ ପାଖଦେଇ ଆଉ ଖଣ୍ଡିଏ ନେଳି ରଙ୍ଗର ଗାଡ଼ି ତୀର ବେଗରେ ଛୁଟିଗଲା । କରବାବୁ ଓ ସେ ଭଦ୍ରଲୋକ ଜଣକ କୁଆଡ଼େ ଅଦୃଶ୍ୟ ହେଲେ । ଭଦ୍ରଲୋକ ଜଣକ କିଶୋରକୁ ଦେଖି ହାତ ହଲେଇଲେ । କିଶୋର ବି ଗାଡ଼ି ଭିତରୁ ତାକୁ ସମ୍ଭାଷଣ ଦେଖେଇଲା ।

 

ଶଙ୍କର ଏବେ ଜାଣିପାରିଲା-କିଶୋର ସେ ଭଦ୍ରଲୋକକୁ ତା’ହେଲେ ଚିହ୍ନିଛି । ଚିହ୍ନିନି ତ ଭଲଭାବରେ ଜାଣେ । ତା’ହେଲେ କ’ଣ ଏ ଲୋକଟା ସାଙ୍ଗେ କିଶୋରର କାରବାର ଅଛି ? କିଏ ଜାଣିଛି ?

 

ଗାଡ଼ି ପଛ ସିଟ୍‌ରେ ବସି କିଶୋର ସାଙ୍ଗେ କଟକ ଗଲାବେଳେ ଶଙ୍କର ଭାବୁଥିଲା ସେଇ ଭଦ୍ରଲୋକଙ୍କ କଥା । ଯେତିକି ଭାବୁଥିଲା ସେତିକି ସେ ରହସ୍ୟଜନକ ମନେହେଉଥିଲେ ।

 

ସବୁଠୁ ବଡ଼ ରହସ୍ୟମୟ ହେଲା–କିଶୋର । ଯାହାକୁ ସେ ପିଲାଦିନେ ଜାଣେ । ସାଙ୍ଗ, ସାଥୀ ମେଳରେ, ପଢ଼ାବେଳେ, ଖେଳପଡ଼ିଆରେ, ପ୍ରାଇମେରୀ କ୍ଳାସରୁ କଲେଜ ଯାଏଁ, ସେତେବେଳେ ସେ ଥିଲା ଧୀରସ୍ଥିର, ଶାନ୍ତଶିଷ୍ଟ ଓ ଚୁପ୍‌ଚାପ୍ ପିଲାଟିଏ । ଚଗଲା ବଗୁଲିଆ ନୁହେଁ କି ମେଧାବୀ ନୁହେଁ । ଶଙ୍କରର ସେ ପିଛା ଧରିଥାଏ । କ୍ଳାସରେ ଶଙ୍କର ଭଲପିଲା ବୋଲି । ଜୀବନର ଚଲାବାଟରେ କିଏ କୋଉଆଡ଼େ ଆଉଜିଯାଇଛି । କିଶୋର ତା’ କରାମତିରେ ଏତେ ବେଶି ଜଣାଶୁଣା । ବିଚରା ଶଙ୍କର ବଣମାଳତୀ ପରି ଲୁଚି ଛପି ଝଡ଼ି ଯାଉଯାଉ କିଶୋର ତା’କୁ ଗୋଟେଇ ଧରିଛି । ମନରେ ତା’ର ଆହାବ ଦେଉଛି । ଏବେ ତା’ର କେତେ କେତେ ଆଶା ଭରସା-। ପିଲାମାନେ ତା’ର ଆଉ ଭାସିଯିବେନି । ଶଙ୍କର କୂଳରେ ଲାଗିଛି ।

 

ସେଦିନ ଦିହେଁ ଢେଙ୍କାନାଳରୁ ଫେରି ଆସୁ ଆସୁ କିଶୋର ଗୋଟିଏ ଟେଲିଗ୍ରାମ ପାଇଲା–ସାଙ୍ଗେ ସାଙ୍ଗେ ତାକୁ କଲିକତା ଯିବାକୁ ପଡ଼ିବ, କଲିକତାରୁ ବମ୍ବେ, ଦରକାର ହେଲେ ସେ ବିଦେଶ ଯାଇପାରେ । ବଡ଼ ଜରୁରୀ କାମ । ବେଶୀ କଥାଭାଷା ହେବାକୁ ସମୟ ନାହିଁ । ଢେଙ୍କାନାଳ କାମ ସେଇ ଅବସ୍ଥାରେ ଥାଉ । ସେଥିରେ ମୁଣ୍ଡ ଖେଳେଇବା ଦରକାର ନାହିଁ । ଶଙ୍କର ଟ୍ରକ୍‌ ସାଙ୍ଗରେ କଲିକତା ଯିବ । ଡ୍ରାଇଭର ଚରଣିଆକୁ ନେବ ସାଙ୍ଗରେ । ଟ୍ରକ୍‌ ଡ୍ରାଇଭର ବୁଢ଼ା ଚରଣ ଦାସ । ଆଉ କେହିହେଲେ ଯିବେନି । ପାଞ୍ଚ ଟ୍ରକ୍‌ କାଗଜ କଟକରୁ ଯିବ କଲିକତା ସେତେବେଳେ କିଶୋର କଲିକତାରେ ଥିଲେ ତ ଭଲକଥା । ଦେଖା ନ ହେଲେ ଚିନ୍ତା ନାହିଁ ।

 

ଶଙ୍କର କଥାଟା ପ୍ରଥମେ ବୁଝିପାରିଲାନି-କାଗଜସବୁ କଟକରୁ କଲିକତା କାହିଁକି ଯିବ-? ବରଂ କଲିକତାରୁ କଟକ ଆସିବା କଥା । ସ୍ଥାନ ହେଲା–କିଶୋରର ବାଙ୍କାବଜାର କାଗଜ ଡିପୋ-। ଶଙ୍କର କେବେ ଦେଖିନି । କେବଳ ଶୁଣିଛି । ହୋଲ୍‌ ସେଲ୍‌ କାଗଜ ବ୍ୟବସାୟଟା ଏବେ ରାମଲାଲଠୁ ଆସି କିଶୋର ହାତରେ । କମ୍ପାନୀ ସାଙ୍ଗେ ସିଧା କାରବାର । ରାମଲାଲର ଅଜଣାରେ । ତଥାପି ସେ ମାରଓ୍ୱାଡ଼ି ପିଲା କିଶୋରର ପିଛା ଧରିଛି । ବେଳକାଳ ଉଣ୍ଡି ବ୍ୟବସାୟଟା ପୁଣି ତା’ ହାତରୁ ଝାମ୍ପିନେବ ।

 

କିଶୋର କଲିକତା ଛାଡ଼ିଲାବେଳେ ଆଲମାରିରେ ରଖିଥିବା ଆଟାଚିଟି ଶଙ୍କରକୁ ଦେଖେଇଦେଲା । ଟ୍ରକ୍‌ ଭିତରେ ଆଟାଚିଟି ଯେ ରଖିଥିବ । ଉପରେ ପର୍ବତ ପ୍ରମାଣର କାଗଜଥାକ-। କଲିକତାରେ କାଗଜ ବ୍ୟବସାୟୀକୁ ଆଟାଚିଟାକୁ ଦେବାକୁ ପଡ଼ିବ । କେହି ଯେପରି ଜାଣି ନ ପାରିବେ, ବଡ଼ ହୁସିଆରରେ । କିଶୋର ଆସ୍ତେ ଏ କଥାତକ ଶଙ୍କରକୁ ଚୁପ୍‌ଚାପ୍‌ କହିଦେଇ ସାଙ୍ଗେ ସାଙ୍ଗେ କଟକ ଛାଡ଼ିଲା ।

 

କିଶୋର କଟକ ଛାଡ଼ିଲା ପରେ ଶଙ୍କର କେବଳ ଭାବିଲାଗିଲା–ତା’ରି କଥା । କୁଆଡ଼େ ସେ ଯାଏ । କି କି ବ୍ୟବସାୟ ସେ କରିଛି । କିଶୋର କଥା ସବୁ ତା’କୁ ବଡ଼ କୌତୂହଳପ୍ରଦ ଜଣାପଡ଼ିଲା । ଆଟାଚିରେ କ’ଣ ଥିବ କେଜାଣି ? ତାକୁ ବଡ଼ ହୁସିଆରରେ ପୁଣି ନେବାକୁ କହିଛି ।

 

କିଶୋରକୁ ବିଦାୟଦେଇ ଶଙ୍କର କୁଆଡ଼େ ଯିବ କିଛି ଠିକ୍ କରିପାରିଲାନି । ବାଙ୍କାବଜାର କାଗଜ ଡିପୋକୁ ଯାଇ ଚରଣିଆ ଡ୍ରାଇଭରକୁ ଖୋଜି ବାହାର କରିବା ଦରକାର । ତା’ ସାଙ୍ଗେ ଶଙ୍କରର ଆଳାପ ନାହିଁ । କେବେହେଲେ ତାକୁ ସେ ଦେଖିନି । ଶଙ୍କର ରାସ୍ତା କରେ କରେ ଚାଲିବାକୁ ଆରମ୍ଭ କଲା, ନିଜେ ଭାବନାରେ ବୁଡ଼ି ରହି । କିଶୋର ବିଷୟରେ ଯେତିକି ସେ ଭାବିଲା, ତା’ ମନେହେଲା–ସେତିକି ସେତିକି ସେ ଗୋଟିଏ ଅଜ୍ଞାତ ଗିରିଗୂହା ଭିତରେ ପ୍ରବେଶ କରୁଛି । ଅନ୍ଧକାରରେ ଭରା ସେଇ ଗିରିଗୁମ୍ଫା । ଚାରିଆଡ଼େ ନିଶୂନ, ଅଜଣା ଅଶୁଣା । ତା’ରି ଭିତରେ ପାଦ ଗଣି ଗଣି ଶଙ୍କରକୁ ଚାଲିବାକୁ ପଡ଼ିବ । ଚାରିଆଡ଼ ବିପବ ସଙ୍କୁଳ । କିଛି ସଠିକ୍‌ ନ ଜାଣିପାରିଲେ ବି ଶଙ୍କର ଭାବିନେଇଥିଲା । କିଶୋର ତାକୁ ଗୋଟିଏ ବିପଜ୍ଜନକ ପରିସ୍ଥିତିକୁ ବୋଧେ ଟାଣିନେଉଛି । ଶଙ୍କର କିଛି ଆଉ ଭାବିପାରିଲାନି । ମୁଣ୍ଡଟା ତା’ର କେମିତି ଗୋଳମାଳିଆ ଜଣାପଡ଼ିଲା ।

 

ସେ ଚାଲି ଚାଲି ଯାଉଥିଲା ବାଲୁବଜାର ଆଡ଼େ । ରାସ୍ତା ପରେ ରାସ୍ତା, ଗଳି ପରେ ଗଳି ପୁଣି ଉପଗଳି । ଛୋଟ ଛୋଟ ଗଳି ରାସ୍ତାରେ ପିମ୍ପୁଡ଼ି ଧାର ଲାଗିଲାପରି ଅନେକ ଅନେକ ଲୋକ-। ଗୋଟିଏ ରାସ୍ତାରେ ସେ ଦେଖିଲା–ମୁନିସିପାଲିଟି ପାଇଖାନା ପାଖକୁ ଲାଗି ଗୋଟିଏ ବସ୍ତି-। ରାସ୍ତା କରରେ ଲମ୍ବିଯାଇଛି ପାଞ୍ଚଫୁଟ ଉଚ୍ଚର ଚାଳିଆ ଘର, ଦି’ହାତ ଉପରକୁ ଚାଳ । ନଇଁ ନଇଁ ଭିତରକୁ ଯା’ଆସ କରିବାକୁ ପଡ଼େ । ଚାଳିଆ ପଛକୁ ବିରାଟ ଗୋଟିଏ ନର୍ଦ୍ଦମା, ଆଲକାତରା ରଙ୍ଗର ପାଣି ଓ ପଙ୍କରେ ଭରପୂର । ନର୍ଦ୍ଦମା ତ ନୁହେଁ ନଈର ଅଧାଅଧି ଚଉଡ଼ା, ସହର ଭିତରେ ବଙ୍କେଇ ବଙ୍କେଇ ଯାଇଛି । ଦୁର୍ଗନ୍ଧଯାକ ସେ ବସ୍ତିବାଲାଙ୍କୁ ବାଣ୍ଟି ବାଣ୍ଟି ସେଇ ଗଳିର କଣକୁ କରି ଗୋଟିଏ ଛୋଟିଆ ପାନ ଦୋକାନ । ପଞ୍ଝେ ଲୋକ ଛିଣ୍ଡା ମଇଳା ପୋଷାକ ପିନ୍ଧି ବେହୁସିଆରରେ ଧୂଆଁ ଟାଣୁଥିଲେ, ଚାଳିଆ ସିଧା ନର୍ଦ୍ଦମା ଉପରେ କଂକ୍ରିଟ୍‌ ପଟା ସବୁ । ତା’ଉପରେ ପରା ହୋଇଥିଲା ଛୋଟ ଛୋଟ ଅଖା ଓ ମଇଳା କୋଚଟ କନା । ପଚା ବାଇଗଣ, ଟମାଟୋ, ଭାଗ ଭାଗ ଚାଉଳିଆ, ସାରୁ ଓ ହଳଦିଆ ରଙ୍ଗର ପୋଚା କଲରାର ଭାଗ ସବୁ । ଗୋଡ଼ ଲମ୍ବେଇ ମାଇପି ପଞ୍ଝେ ପିକା ନିଆଁକୁ ପାଟି ଭିତରେ ପୂରେଇ ପାନ ଦୋକାନ ଆଗର ସେଇ ମଇଳା, ଅପରଛିନିଆ ଲୋକଗୁଡ଼ାଙ୍କୁ ଲକ୍ଷ୍ୟ ରଖିଥାଆନ୍ତି । ଧୂଆଁ ଟାଣୁଟାଣୁ କିଏ ଅବା ସେଇ ପଚା ଟମାଟୋରୁ ଭାଗେ ଆସି ନେଇଯିବେ । ସେଇଥିରୁ ପୁଣି ଲାଭ ଉଠେଇ ସେମାନେ ଚଳିବେ ।

 

ସେଇ ବସ୍ତିକିଲାଗି ତିନି ତାଲା କୋଠାକରିଛି ରାମଲାଲ । କେବଳ କାଗଜ ବ୍ୟବସାୟ ନୁହେଁ, ବମ୍ବେର ପ୍ରସିଦ୍ଧ ଲୁଗାକପଡ଼ାରେ ସାରା ଓଡ଼ିଶା ପାଇଁ ତାର ହୋଲ୍‌ ସୋଲ୍‌ କାରବାର, ଚଳଚ୍ଚିତ୍ର ପରିବେଷ୍ଟନ ସଂସ୍ଥାକୁ ସେ ଏବେ ହାତକୁ ନେଇଛି । ରାଜ୍ୟସାରା ସବୁ ସିନେମା ହାଉସ୍‌କୁ ତାରି ଦରିଆରେ କେବଳ ଛବି ଆସେ । ପିଲାମାନଙ୍କ ହାତରେ ବ୍ୟବସାୟ ଛାଡ଼ିଦେଇ ସେ ଏବେ ପାରାଦ୍ୱୀପ ବନ୍ଦରରେ ଯାଇ ବସିଛି । ଚାରିଚାରିଟା ମଟର ଲଞ୍ଚ୍‌ଟ୍ରଲି । ଅସଂଖ୍ୟ ତାର ଡଙ୍ଗା, ନୋଳିଆମାନଙ୍କ ହଜାର ହଜାର ଟଙ୍କା ଆଗୁଆ ବହିନାଦେଇ ସେମାନଙ୍କୁ ବାନ୍ଧି ରଖିଛି । କଲିକତା ବ୍ୟବସାୟୀଙ୍କ ସାଙ୍ଗେ ସିଧାସଳଖ କାରବାର । ବିଦେଶରେ ଚୁଙ୍ଗୁଡ଼ିର ଚାହିଦା ବିଶେଷ ବଢ଼ିଯାଇଛି-। ଲକ୍ଷ ଲକ୍ଷ ଟଙ୍କା ଲାଭ । ଚୁଙ୍ଗୁଡ଼ି ବ୍ୟବସାୟ ଭଳି ଆଉ କୌଣସିଥିରେ ଏତେ ଲାଭ ନାହିଁ । ଲୋକଗୁଡ଼ାଙ୍କୁ ମୋଟା ଟଙ୍କା ଦେଇ ବାନ୍ଧିପାରିଲେ ବ୍ୟବସାୟଟାକୁ ବଢ଼େଇ ଚଢ଼େଇ ସେ ନେଇଯିବ ବାଲେଶ୍ୱର ଧାମରାଠାରୁ ଚିଲିକା ଓ ପୁରୀ ଯାଏଁ । ଶଙ୍କର ଆଗରୁ ରାମଲାଲ ବିଷୟରେ କେବଳ ଶୁଣିଥିଲା । ଘର ତା’ର ସେଇ ରାସ୍ତାରେ ବୋଲି ଜାଣିନଥିଲା ।

 

ରାମଲାଲ୍‌ର ସେଇ ତିନିତାଲା କୋଠାଆଡ଼ିକି ଚାହିଁଥିଲାବେଳେ ସାମ୍ନାରୁ ଲାଗିଆସିଲା ଗୋଟିଏ ବିରାଟ ଟ୍ରକ୍‌ । ମାଲ୍‌ଯାକ ଆକାଶ ଅଧଯାଏ ଉଠିଛି, ଟାର୍ପୋଲିନ୍‌ ଘେରା ଓ ଦଉଡ଼ିବନ୍ଧା । ମୋଡ଼ପାଖରେ ଘୂରିଲାବେଳେ ଚାଳ ଘରର ବତାଫାଳିଆ ଦି’ଖଣ୍ଡ ଟ୍ରକ୍‌ ଡାଲାରେ ଲାଗିଗଲା । ଚାରିଆଡ଼ୁ ଲୋକ ସମାଗମ ଓ ଯାନବାହନ ସବୁ ଜମିବାରେ ଲାଗିଛି । ଶୁଭିଲା ଖାଲି ପାଟିତୁଣ୍ଡ ଓ ହଟ୍‌ଟଗୋଳ, ଟ୍ରକ୍‍ଟା ଆଙ୍ଗୁଳେ ହେବ ମାଡ଼ିଆସିଥିଲେ ଚାଳିଆଟା ଭୁଶୁଡ଼ି ପଡ଼ିଥାନ୍ତା । ପଛୁଆ ଗଲେ ନଳା ଓ ସେଇ ନଳାପଙ୍କରେ ମଲା କୁକୁରଟିଏ ପଡ଼ି ଫୁଲିଯାଇଛି । ନଳାପଙ୍କର ଦୁର୍ଗନ୍ଧ ସାଙ୍ଗକୁ ମଲା କୁକୁରର ନାକଫଟା ଦୁର୍ଗନ୍ଧ । ବସ୍ତିବାଲାଏ ଦୁର୍ଗନ୍ଧ ସାଙ୍ଗେ ଅଭ୍ୟସ୍ତ ହୋଇଗଲେଣି । ସେଇ ରାସ୍ତାଦେଇ ଗଲାବେଳେ ନାକରେ ରୁମାଲ ନ ଦେଲେ ଯାଇହୁଏନି । କିଏ ତାକୁ କାଢ଼ିଛି ନା ଶୁଣୁଛି କିଏ ? ଅଳ୍ପ ସମୟପାଇଁ ଦୁର୍ଗନ୍ଧଟାକୁ ସହ୍ୟ କରିନେଲେ ଯାଏ ।

 

ଭାଗ୍ୟ ଭଲ, ଟ୍ରକ୍‍ଟା ନଳା ଭିତରେ ଓଲଟି ପଡ଼ିନି କି ଚାଳିଆଟାକୁ ଭାଙ୍ଗିଦେଇନି । ଡ୍ରାଇଭରକୁ ଧନ୍ୟ କହିବ । ଚାହୁଁ ଚାହୁଁ ଲୋକସମାଗମ ଭାଙ୍ଗିଗଲା । ଯାନବାହନ ଘୂରିବାକୁ ଆରମ୍ଭ କରିଦେଲେ ରାସ୍ତା ସଫା ହେଲା, ଦୁର୍ଗନ୍ଧରୁ ରକ୍ଷା ମିଳିଲା ।

 

ଗହଳି ଭାଙ୍ଗିଗଲା ପରେ ଶଙ୍କର ବାଁ’ପଟ ଗଳିଦେଇ ଚାଲିବାକୁ ଆରମ୍ଭ କରିଛି । ରିକ୍‌ସାବାଲାଏ ଗୋଟିକ ପରେ ଗୋଟିଏ ଘଣ୍ଟିବଜେଇ ଛୁଟିଥିଲେ । ଯାହାକୁ ଡାକିଲେ କେହି ଶୁଣିବାକୁ ନାରାଜ । ଗାଡ଼ି ଚଲେଇବା ସମୟ, ଅଳ୍ପ କେଇହାତ ଯାଇଛି କି ନାହିଁ ପଡ଼ିଲା ‘‘ସେନାପତି ଭବନ’’ । ସହରର ଅଳ୍ପ କେଇଟା ସଉଖୀନ କୋଠା ଭିତରେ ଏହା ଅନ୍ୟତମ । ଯୋଉ ସେନାପତି ବାବୁ ଶଙ୍କରକୁ ଚାକିରିରୁ ବାହାର କରିଦେଇଥିଲେ ସେଇ ତାଙ୍କର ଘର । ଅଢ଼େଇ ହଜାର ଟଙ୍କା ଦରମା, ମୋଟା ଗସ୍ତଖର୍ଚ୍ଚ ମାସକୁ ମାସ, ଏ ସବୁର ହିସାବ ଅଛି, ହିସାବ ନ ଥିବା ଆୟ ଆଖିରେ କେହି କେବେ ଦେଖିନି । ଶୁଣାଶୁଣିରେ ‘‘ସେନାପତି ଭବନର’’ ଉଭା ଯେତେ ପୋତା ସେତେ । ଶଙ୍କର ଏସବୁ ଅନେକ ଶୁଣିଥିଲା, କେବେ ଦେଖିନଥିଲା ।

 

ଆଶ୍ଚର୍ଯ୍ୟ ହେଲା ଶଙ୍କର– ‘‘ସେନାପତି ଭବନ’’ ଆଗରେ ମାଳମାଳ ପୁଲିସ୍‌ ଗାଡ଼ି । ତାଙ୍କ ଘରକୁ ସେମାନେ ଘେରାଉ କରିଛନ୍ତି । ଅବା କାହିଁକି ? ସେ ଆବାକାବ ହୋଇଗଲା, ହଠାତ୍‌ କିଛି ବୁଝିପାରିଲାନି । ନିରୁଦ୍ଦେଶ୍ୟ ଭାବରେ ସେଇ ଘରଆଡ଼େ, ପୁଲିସ୍‌ବାଲାଙ୍କଆଡ଼େ, ପୋଟିକୋ ଆଗର ବଗିଚାଆଡ଼େ, ଆଲ୍‌ସେସିଆନ୍‌ କୁକୁରଆଡ଼େ, ରାସ୍ତାର ଲୋକସମାଗମ ଆଡ଼େ ଓ ଫାଙ୍କା ଆକାଶଆଡ଼ିକି ଅନେଇଦେଲାବେଳକୁ ମନେହେଲା–ପଚିଶ ଛବିଶ ବର୍ଷର ସରକାରୀ ଚାକିରି ମୂର୍ତ୍ତିମନ୍ତ ହୋଇ ତା’ପଛରେ ଅବା ଠିଆ ହୋଇ ରହିଛି । ତାକୁ କେମିତି ଖୁସି ଜଣାପଡ଼ୁଛି । ଯୋଉ ଲୋକ ନିଜର ଭୁଲ୍‌ ନ ବୁଝି ତା’ର ଏକମାତ୍ର ସମ୍ବଳ ଚାକିରିଖଣ୍ଡକ ନେଇଥିଲା, ତା’ରି ଦୁଆରେ ଏବେ ପୁଲିସ୍‌ । ଭଲ ହେଲା, ଭଗବାନ୍‌ ଦୋଷୀକି ଉଚିତ ଶାସ୍ତି ଦେଇଛନ୍ତି । ବେଶି ସମୟଯାଏ ସେଠି ଠିଆ ରହିବାକୁ ତାକୁ ଆଉ ଭଲଲାଗିଲାନି । ବଡ଼ ବଡ଼ ପାହୁଲ ପକେଇ ଆଗକୁ ଆଗକୁ ଚାଲିବାକୁ ଆରମ୍ଭ କରିଦେଇଥିଲା । ଶଙ୍କର ।

 

କେଇଖଣ୍ଡ ରିକ୍‌ସା ତା’ ସାମ୍ନାରୁ ଓ ପଛଆଡ଼ୁ ଛୁଟି ଆସୁଥିଲା । ସେଥିରେ ଭରପୂର ଲୋକ, କୋଉଟା ହେଲେ ଖାଲିନଥିଲା । କେତେ କେତେ ବିରାଟ ବିରାଟ କୋଠା ସବୁ ଏବେ ଠିଆ ହେଲାଣି । ବତାଫାଳିଆର ପଞ୍ଜରାହାଡ଼ ଉପରେ ଚାଳିଆ ଘରସବୁ, କୋଉଠି ମେଲା ତ କୋଉଠି ଦରମେଲା ଚାଳ, ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଛି । ଚାଳିଆ ସବୁ ତଳକୁ ତଳକୁ ନଇଁବାରେ ଲାଗିଛି ଓ କୋଠାବାଡ଼ିଯାକ ମୁଣ୍ଡ ଟେକି ଟେକି ଉପରକୁ ଉପରକୁ ଉଠିବାରେ ଲାଗିଛନ୍ତି । ଦଳେ ଗରିବ ହେଲାବେଳକୁ ଆଉ ଦଳେ ଉଠିବାରେ ଲାଗିଛନ୍ତି । ଧନଦୌଲତକୁ ଚାହିଁଲେ ଆଖିପାଉନି । କେଇଟା ବର୍ଷର ବ୍ୟବଧାନ । ଦଳେ ଧୀରେସୁସ୍ଥେ ବାଟଚାଲିଲାବେଳେ ଆଉ ଦଳେ କେବଳ ଦଉଡ଼ିବାରେ ଲାଗିଛନ୍ତି । ଅସହାୟ ଲୋକମାନଙ୍କୁ ପଛରେ ପକେଇ ପକେଇ-। ସେମାନଙ୍କୁ କଳକୌଶଳ ଜଣା ନାହିଁ । ତତଲା ଲୁହାରେ ସେମାନଙ୍କୁ ପାଣି ଦେଇ ଆସେନି । ଗଜମୂର୍ଖ ସେମାନେ, ବୋକା, ଭୀରୁ, କୁସଂସ୍କାରଗ୍ରସ୍ଥ, ଜୀବନରେ ଘୁଷୁରି ଘୁଷୁରି ବାଟ ଚାଲିଲେ କ’ଣ ଏତେ ସହଜରେ କୁତବ୍‌ମିନାର ଉପରକୁ ଚଢ଼ିହେବ ?

 

ଆଗରେ ଦେଖାଗଲାଣି ରାସ୍ତା । ସହରର ପ୍ରଧାନ ରାସ୍ତା । ଛୁଟିଛି ରିକ୍‌ସା ମଟର, ଲୋକଭିଡ଼, ହଟ୍ଟଗୋଳ, କିଣାବିକା ଓ ଯା, ଆସ । ଶଙ୍କର ଚାଲିଥିବା ରାସ୍ତାମଝିକି ଇଲେକ୍‍ଟ୍ରିକ୍‌ ଖୁଣ୍ଟ । କଳାଗୋଡ଼ି ପଡ଼ି ରାସ୍ତାଟା ଚଉଡ଼ା ହେଲାଣି । ଖୁଣ୍ଟଟା ରାସ୍ତା ମଝିରେ ଆଗଭଳି ସେମିତି ଠିଆ ରହିଛି । କୁଢ଼କୁଢ଼ କଳାଗୋଡ଼ି ଓ ନଳା ପଙ୍କର କୁଦସବୁ । କୋଉଠି ଶୁଖିଲା ତ କୋଉଠି ନରମ ଅଥଚ ପାଣିଆ ଆଲକାତେରା ରଙ୍ଗର ଓ ସେଇ ନାଳ ପାଖେ ପାଖେ ଠାଏ ଠାଏ ଛୋଟ ଛୋଟ ଚା’ ଦୋକାନସବୁ ମୁଣ୍ଡଟେକିଛି । କଳାଗୋଡ଼ି ଉପରେ ଚାଲି ଚାଲି ସେଗୁଡ଼ା ରାସ୍ତା ଉପରେ ଆପେ ଆପେ ରୋଲିଂ ହୋଇସାରିଲାଣି । ନଳା ଆରପଟେ ସମାନ୍ତରାଳ ଚାଳିଆ ସବୁ । ନଇଁ ନଇଁ ତା’ ଭିତରକୁ ପଶିବାକୁ ପଡ଼େ । ବାରବୁଲା ଲୋକଙ୍କର ବସ୍ତି ! ତା’ପାଖକୁ ମଟର ଗ୍ୟାରେଜ୍‌, ସାଇକେଲ୍‌ ଦୋକାନ, ପାଉରୁଟି କମ୍ପାନୀ, ଆଇସ୍‌କ୍ରିମବାଲାଙ୍କର ଭିଡ଼ । ଜୋତା ପାଲିସ୍‌ କରୁଥିବା ପିଲାମାନେ, ରିକ୍‌ସାବାଲାଏ ଠାଏ ଠାଏ ଚୁପ୍‌ଚାପ୍‌ ରିକ୍‌ସା ବସିରହି ଢୁଳଉଥାଆନ୍ତି ।

 

ଶଙ୍କର ଜଣଜଣକରି ସେମାନଙ୍କୁ ଡାକିଲା । କେହିହେଲେ ଶୁଣିଲେନି । ତା’ ଭିତରୁ ଜଣେ-ବିଚାରା ଆସି ବୁଢ଼ା ହେଲାଣି, ଅଣ୍ଟା ନଇପଡ଼ିଚି, ଗୋଡ଼ ହାତ ଫୁଲିଲାଣି । ହାଡ଼ୁଆ ମୁହଁରେ ହସଟିକିଏ ଫୁଟେଇ ରିକ୍‌ସା ବୋହିନେବବୋଲି ଆଗେଇ ଆସିଲାବେଳକୁ ଶଙ୍କର ମନାକଲା । ଭଡ଼ାନେବ ବୋଲି ବାହାରିଛି ଅଥଚ ସେ ଚାଲିପାରିବନି । ପ୍ରଧାନ ରାସ୍ତାକୁ ଚାଲିଗଲେ ତେଣିକି ଆଉ ଅସୁବିଧା ନାହିଁ, ଶଙ୍କର ଭାବୁଥିଲା–

 

ରାସ୍ତାଟା ଠିକ୍‌ ଯୋଉଠି ଯାଇ ମିଶିଛି ସେଇ ଛକ ମୁଣ୍ଡରେ ଗୋଟିଏ ହୋଟେଲ । ନଳା ପାଖକୁ ଯୋଉଠି ଖଲିପତ୍ର ଓ ଅଳିଆ ଅସକରା ପଡ଼ି ପଙ୍କ ପଚପଚ ଓ ଡଷ୍ଟବିନ୍‌ ପାଖରେ ବୁଲାକୁକୁରଙ୍କର ଭିଡ଼, ଠିକ୍‌ ତା’ କରରେ ନଳାପାଖକୁ କିଏଜଣେ ଶୋଇରହିଥିବାର ଶଙ୍କର ଦେଖିବାକୁ ପାଇଲା । ଖାଲିଦିହରେ ଲୋକଟା ଶୋଇଯାଇଛି । ପୂରା ଲଙ୍ଗଳା । ମୁହଁରେ ମାଛି ଭଣଭଣ ବେଢ଼ୁଛନ୍ତି । ଲୋକଟା ମରିଯାଇଛି ବୋଲି ଶଙ୍କର ଧରିନେଇଥିଲା । ପର ମୁହୂର୍ତ୍ତରେ ଦେଖିଲା–ସେ ଗୋଡ଼ ହଲାଉଛି । ତା’ହେଲେ ସେ ମରିନି ! ଲୋକଟା ପୂରା ଲଙ୍ଗଳା ଥିବାରୁ ତା’ ଆଡ଼ିକି ଶଙ୍କର ଚାହିଁପାରୁନଥିଲା । ବିଚରା ଅସହାୟ ମଣିଷଟିଏ । କୋଉଆଡ଼ର କେଜାଣି ? ନଳା ପାଖରେ, ପଙ୍କଲଟ୍‌ପଟ୍‌ ଡଷ୍ଟବିନ୍‌ ପାଖରେ ପଡ଼ିରହି କେତେକ୍ଷଣ ସେ’ ଆଉ ବଞ୍ଚିବ ? ଅଜଣା ମଣିଷଟିକି ଦେଖି ଶଙ୍କରର ପେଟ ଭିତରୁ କେମିତି ଗୋଟିଏ କୋହ ଉଠିଆସି ତା’ ତଣ୍ଟି ପାଖରେ ଅଟକିଗଲା । ତା’ଆଡ଼ିକ ଚାହିଁ ନଚାହିଁ ଓ ସେଇ ଲୋକଟି କଥା ଭାବି ନଭାବି ଆଗକୁ ଆଗକୁ ପାହୁଲ ପକେଇ ଶଙ୍କର ସହରର ପ୍ରଧାନ ରାସ୍ତାରେ ଚାଲିଥିବା ଅବିରାମ ଲୋକଗହଳି ଭିତରେ ମିଶିଯାଉଯାଉ ସେଇ ଅସହାୟ ଲୋକଟି କଥା ଭୁଲିଯାଇଥିଲା ।

 

ରାସ୍ତା ଉପରକୁ ଉଠିଗଲା ବେଳକୁ ଦୋକାନ ବଜାରର ସାମ୍ନାପଟ ସବୁ ଭଙ୍ଗାରୁଜା । କୁଢ଼କୁଢ଼ ଇଟା ଓ ଟୁକୁରା ଟୁକୁରା ଚୂନ ସିମେଣ୍ଟର ଗଦା । ବଡ଼ ବଡ଼ କୋଠାଘର ବି ଠାଏ ଠାଏ ଭୁଶୁଡ଼ି ପଡ଼ିଛି । ରାସ୍ତାଟା ବେଶି ଯୋଉଠି ସରୁ ଓ ଅଣଓସାରିଆ ଥିଲା ସେଇଠି ବେଶି ଭଙ୍ଗାରୁଜା-। ଛକଟାରେ ଆଗେ ଟ୍ରାଫିକ୍‌ ପୁଲିସ୍‌ ପାଇଁ ଜାଗା ନ ଥିଲା । ଟ୍ରାଫିକ୍‌ ଛଡ଼ା ସବୁ ନୂଆ ହୋଇ ତିଆରିହେଉଛି । ଯାନବାହନ ଯା’ଆସରେ ଆଉ ଅସୁବିଧା ନାହିଁ । ଡାହାଣ ଆଡ଼ିକି ରାସ୍ତାର କରେ କରେ ଶଙ୍କର ଚାଲିବାକୁ ଆରମ୍ଭ କରିଥିଲା । ଲୁଗା ଦୋକାନରେ ଧାଡ଼ିଧାଡ଼ି ହୋଇ ଟଙ୍ଗାହୋଇଥିବା ଶାଢ଼ିର ପଣତ, ମନୋହାରୀ ଦୋକାନର ଖେଳନା ସୁନାରୀ ଦୋକାନର ତାରକସି କାମରେ ଭରା ଆଲମାରି, ପାନ ଚା’ ଦୋକାନ ଲୋକ ସମାଗମ ଓ ସହରର ରୂପସମ୍ଭାର ଭିତରେ ରାସ୍ତା କରରେ ପଡ଼ିଥିବା ସେଇ ଅସହାୟ ଲଙ୍ଗଳା ଲୋକଟି ବେଳେବେଳେ ତା’ ମନ ଭିତରେ ମୁହୂର୍ତ୍ତେ ପାଇଁ ଉଙ୍କି ମାରିଦେଇ ପୁଣି କୁଆଡ଼େ ଲୀନ ହୋଇଯାଉଥିଲା ସହରର ଲୋକ ଗହଳି ଭିତରେ ।

 

ରିକ୍‌ସାଟିଏ ଠିକ୍‌ କରି ତା’ଉପରକୁ ଉଠିଗଲା ବେଳକୁ ରାସ୍ତାରେ ଲୋକ ଗହଳି ଜମିବାରେ ଲାଗିଥିଲା । ପଛଆଡ଼ୁ ଶଙ୍କର ଦେଖିଲା–ଲୋକେ ଚାଲିଚାଲି, କିଏ କିଏ ବା ସାଇକେଲରେ ପଲାସିଛନ୍ତି । ରହି ରହି ପାଟି ତୁଣ୍ଡ ଶୁଭୁଛି । ନିକଟରୁ, ଦୂରରୁ, ବହୁତ ଦୂରରୁ । ସହରର ପ୍ରଧାନ ରାସ୍ତାରେ ଭରପୂର ଲୋକ । ଶଙ୍କର ଅନୁମାନ କଲା–ସହର ବାହାରୁ ଶହ ଶହ, ହଜାର ହଜାର ଲୋକ ଆସି ଜମା ହେବାରେ ଲାଗିଛନ୍ତି । ସେମାନଙ୍କ ସାଙ୍ଗକୁ ସହରର ଦେଖଣାହାରୀମାନେ ।

 

ଡ୍ରାଇଭର ଚରଣ ଦାସ ଘର କୋଉଠି ସେ ଦେଖିନି । ବାଙ୍କା ବଜାର ବିନୋଦ ବିହାରୀ ଗଳି ଭିତରେ ପଶିଗଲେ କାଜିବଜାର ଓ ଶେଖବଜାରର ମିଝିଲା ରାସ୍ତାରେ । ଶଙ୍କର ଠିକ୍‌ କଲା–ରିକ୍‌ସାରେ ଯାଇ ଲାଭ ନାହିଁ । ହଟ୍ଟଗୋଳ ଓ ପାଟିତୁଣ୍ଡରୁ ସେ ଅନୁମାନ କରିନେଲା–ଲୋକଗହଳିଟା ଅନେକ ବେଳଯାଏ ଲାଗିରହିବ । ଲୋକଗହଳି କାଟି କାଟି ରିକ୍‌ସାଟା ଯାଇପାରିବନି । ଟାଉନ ବସ୍‌ର ତ ଦେଖାନାହିଁ ବରଂ ଚାଲି ଚାଲି ଯିବା ହିଁ ଭଲ ।

 

ଶଙ୍କର ଚା’ ଖାଇବବୋଲି ରାସ୍ତାକଡ଼ର ଗୋଟିଏ ଦୋକାନ ଭିତରେ ପଶିଗଲା ବେଳେ ଲକ୍ଷ୍ୟକଲା–ଆଗକୁ ପଛକୁ ଲାଗି ଲାଗି, ଧାଡ଼ି ବାନ୍ଧି, ପନ୍ଦର କୋଡ଼ିଏଟା କାର୍ ଟ୍ରକ୍‌ ଧାଇଁ ଚାଲିଛନ୍ତି-। ଟ୍ରକ୍‌ ଉପରେ କୌଣସି ମାଲପତ୍ର ନ ଥିଲା । ଭରପୂର ଲୋକ । ବାଉଁଶ ଗୋଛା ସବୁ ଟ୍ରକରେ ଠିଆ କରିଦେଲେ ଠିକ୍‌ ଯେମିତି ଦେଖାଯାଏ । ଗୋଛା ଗୋଛା ଲୋକ ବଡ଼ କି ବୁଢ଼ା ଟୋକା ଓ ପିଲାଙ୍କର ପ୍ରଭେଦ ନାହିଁ । ସମସ୍ତେ ସହରତଳି ଅଞ୍ଚଳର ମଫସଲି ଲୋକ । ହାତରେ ଖଣ୍ଡିଏ ଖଣ୍ଡିଏ ବ୍ୟାଗ୍‌ । ଗାଢ଼ ଲାଲ ଓ କଳା ରଙ୍ଗର । ଜଣେ ଜଣେ ବ୍ୟାଗ୍‌ଗୁଡ଼ିକୁ କାନ୍ଧରେ ଝୁଲେଇ ରଖିଥିଲେ । କିଏ କିଏ ବା ସହରର ଦୋକାନ ବଜାର ଆଡ଼ିକି ଚାହିଁ ଚାହିଁ, ଠିଆ ରହି ବିଡ଼ି ସିଗାରେଟ୍‌ ଟାଣୁଥିଲେ । ହଟ୍ଟଗୋଳ ଲଗେଇଥିଲେ ସେମାନେ । ଟ୍ରକ୍‌ ଉପରେ ଜଣେ ପାଟିକଲେ ଅନ୍ୟମାନେ ରାହା ଧରୁଥିଲେ । ସ୍ଳୋଗାନ ଦେଉଥିଲେ ପହରକିଆ ବିଲୁଆମାନେ ହୁକେ ହୋ କଲାଭଳି ।

 

ଶଙ୍କର ଟ୍ରକ୍‌ମାନଙ୍କର ଏ ଶୋଭାଯାତ୍ରା ବିଷୟରେ କିଛି ଜାଣିନଥିଲା । ଚା’କପକ ତରତରରେ ନିଃଶେଷ କରିଦେଇ ସିଗାରେଟ୍‌ ଟାଣୁ ଟାଣୁ ହୋଟେଲ କରର ପାନ ଦୋକାନୀଠୁ ଶୁଣିଲା–ବାଲିଯାତ୍ରା ପଡ଼ିଆରେ ବିରାଟ ସାଧାରଣ ସଭା । ବଡ଼ ବଡ଼ ନେତାମାନେ ଆସି ଭାଷଣ ଦେବେ । ଲୋକେ ଲକ୍ଷ ଲକ୍ଷ ସଂଖ୍ୟାରେ ଜମା ହେବା ଦରକାର । ଏତେ ଲୋକ ଜମିବେ ଅବା କେମିତି ? ସମସ୍ତେ ତ ଯିଏ ଯାହାର ଧନ୍ଦାନେଇ ବ୍ୟସ୍ତ । ନିଜର ପେଟପାଟଣା ଛଡ଼ା ଅନ୍ୟ କୋଉଥିରେ ମୁଣ୍ଡ ଖେଳେଇବାକୁ ସମୟ ନାହିଁ । ଦେହରେ ଶକ୍ତି ନାହିଁ କି ମନରେ ସାମର୍ଥ୍ୟ ନାହିଁ । ରାସ୍ତାରେ ଖାଲି ଚାଲୁଥିବ, ରାସ୍ତା କିନ୍ତୁ ତୁମର ନୁହେଁ । ଘରେ ରହିଥିବ ମୁଣ୍ଡ ଗୁଞ୍ଜିଲାଭଳି, ଘର ନିଜର ନୁହେଁ । ଯାହା କିଛି ପେଟରୁ କାଟି ପିଲାକବିଲାଙ୍କ ପାଇଁ ସଞ୍ଚିରଖିଥିବ, ସେତକ ନିଜର ବୋଲି କହିପାରିବନି । ଜମି ଚାଷ କରୁଥିବ ଅନ୍ୟଲୋକର ଦୟା ଉପରେ, ଗୁଣ୍ଠେ ହେଲେ ଜମି ନିଜର ନୁହେଁ । ପାଟିଟିଏ ପାଇଛି ଭଗବାନଙ୍କ ଦୟାରୁ କିନ୍ତୁ ମନମୁତାବକ ପାଟିଖୋଲି କିଛି କହିପାରିବନି । ସିଧାସଳଖ କଥା କହିଲେ ପୁଣି ବିପଦ । ଯାହା କିଛି ଗୋଟେ ପଟକୁ ଆଉଜି ଅନ୍ୟକୁ ସୁହାଇଲା ଭଳି କଥା କହିବାକୁ ପଡ଼ିବ । ଯୋଉ ଲୋକର ବିଦ୍ୟାବୁଦ୍ଧି ବରୁଣେଇ ପାହାଡ଼, ଚାହୁଁ ଚାହୁଁ ଅନ୍ୟମାନଙ୍କୁ ଜଳକା କରିଦେଇ ସିଏ ଉପରକୁ ଉପରକୁ ଉଠିଯାଉଥିବ । ଜାଣିବା ଶୁଣିବା ଲୋକେ ଯୋଉମାନେ ଜୀବନବ୍ୟାପୀ ସାଧନା କରିଥିବେ, ତପସ୍ୟା କରିଥିବେ, ସେମାନେ କେବଳ ହା ହୁତାଶରେ ଚାହିଁ ରହିଥିବେ । କହିହେବନି କି ସହିହେବନି । ଦେଖିହେବନି କି ଶୁଣିହେବନି । ବଞ୍ଚିହେବନି କି ଧୈର୍ଯ୍ୟଧରି ରହିହେବନି । ବାହାରକୁ ସବୁକିଛି ଅଛି ଅଥଚ କେଉଁଥିରେ ଅଧିକାର ନାହିଁ । ପାଟି ତୁଣ୍ଡ ନ କରି କବାଟ କିଳି ଘରେ ତୁନିହୋଇ ବସି ରହିବା ହିଁ ଭଲ । ସଭା କିଏ ଦେଖିବାକୁ ଆସୁଛି ? ସବୁଠି ତ ଏକା କଥା । ଟ୍ରକ୍‌ରେ ଲୋକ ବୋହିଆଣି ଭାଷଣ ଶୁଣିବା ପାଇଁ ସେମାନଙ୍କୁ ଜମା କରିବା ଦରକାର କ’ଣ ? ଶଙ୍କର କିଛିହେଲେ ବୁଝିପାରିଲାନି ।

 

ତା’ପରେ ସେ ଭାବିଲା–ତା’ହେଲେ ଜନମତ କ’ଣ ଟ୍ରକ୍‌ରେ ବୁହାହୋଇ ଚାଲିଛି ? ଶଙ୍କର ହସୁଥିଲା ତା’ ତୋଟି ଭିତରେ ।

 

ପାନ ଦୋକାନ ପାଖରେ ଜଣେ କିଏ ଖୁବ୍‌ ଆସ୍ତେ କହୁଥିଲେ-ଏମାନଙ୍କ ପାଇଁ କ’ଣ କମ୍‌ ପଇସା ଖର୍ଚ୍ଚ ? ଖିଆପିଆ ପୁଣି ହାତ ଖର୍ଚ୍ଚ । ଯୋଉମାନେ ଲୋକମାନଙ୍କୁ ମିଳେଇ ମିଶେଇ ଆଣିପାରିଛନ୍ତି ତାଙ୍କପାଇଁ ମୋଟା ପୁରସ୍କାର ଓ ତାଙ୍କର ଭବିଷ୍ୟତ ବି ଅଛି । ଲୋକଟା କହିଲାବେଳେ ତରଙ୍ଗ ତରଙ୍ଗ ଆଖିରେ ଚାରିଆଡ଼ିକି ଚାହୁଁଥିଲା । ଆଉ କେହି ତା’କଥା ଶୁଣୁଛନ୍ତି ନା ନାହିଁ ? ଲୋକଟା କହି ଚାଲିଲା–ସେମାନେ ହଜାର ହଜାର ସଂଖ୍ୟାରେ ସଭାରେ ଯୋଗଦେବେ, ଧାଡ଼ି ବାନ୍ଧି ସ୍ଳୋଗାନ ଦେବେ, ଦରକାର ପଡ଼ିଲେ ହାତ ଟେକିବେ ଓ ଖିଆପିଆ ମଉଜ ମଜଲିସ୍‌ କରି ଗାଁକୁ ଫେରିବେ ବୀରଦର୍ପରେ । ଗଡ଼ ଜୟ କରିସାରି ଫେରିଲାଭଳି ।

 

ପାନ ଦୋକାନୀଟା କହୁ କହୁ ହସି ପକେଇଲା । ଟ୍ରକ୍‌ ଧାଡ଼ି ଓ ଲୋକବାକଙ୍କ ଭିଡ଼ ସଫା । ଘଣ୍ଟେଯାଏ ସେମିତି ଲାଗି ରହିଲା । ଶଙ୍କର ଏକଲୟରେ ଲୋକଗହଳି ଉପରେ ନଜର ରଖି ଭାବୁଥିଲା–ଗହଳି ଭାଙ୍ଗିଲା ପରେ ଡ୍ରାଇଭର ଚରଣ ଦାସ ଘରକୁ ଯେମିତିହେଲେ ତାକୁ ଖୋଜି ବାହାର କରିବାକୁ ପଡ଼ିବ । ସମୟ ଆସି ଚାରି ବାଜିବା ଉପରେ । ରାତିରେ ରହିବ ସେ ପୁଣି କୋଉଠି ? ତା’ପାଇଁ ଏତିକିବେଳୁ ବନ୍ଦୋବସ୍ତ କରିବା ଦରକାର । ଚରଣ ଦାସକୁ ସେ ଯେବେ ଖୋଜି ଖୋଜି ନପାଏ କି ସେ ଯେବେ ବାହାରକୁ ଚାଲିଯାଇଥାଏ ? ପରେ ପରେ ପୁଣି ସେ ଭାବୁଥିଲାନାଇଁ ସେମିତି ବୋଧେ ହେବନି ? କିଶୋର ତ ତାକୁ କହିଯାଇଛି ।

 

ଟ୍ରକ୍‍ଗୁଡାକୁ ଆଗେ ଆଗେ ପାଟିତୁଣ୍ଡ କରି ଧାଇଁବାକୁ ଛାଡ଼ିଦେଇ ଶଙ୍କର ରାସ୍ତା କରେ କରେ ଚାଲିଥିଲା ।

 

ପାଖଦେଇ ଧାଇଁଗଲା ଗୋଟିଏ କାର୍‌ । ହଳଦିଆ ରଙ୍ଗର ଫିଆଟ୍‌ ଗାଡ଼ି, ଆଗ ସିଟ୍‌ରେ ହଳେ ଭଦ୍ରଲୋକ ଓ ଭଦ୍ରମହିଳା । ମଧ୍ୟବୟସ୍କ ହେବେ, ଭଦ୍ରଲୋକ ଜଣକ ଗାଡ଼ି ଚଳଉଥାଆନ୍ତି । ମହିଳା ଜଣକ ତା’ଆଡ଼ିକି ଚାହୁଁ ଚାହୁଁ ଗାଡ଼ିଟା ତୀର ବେଗରେ ଛୁଟି ଯାଇଥିଲା ଓ ଗାଡ଼ି ଭିତରୁ ବିପରୀତ ବେଗରେ ଧାଇଁ ଆସି ମାମି ଶଙ୍କରର ମନ ଭିତରେ ପଶିଗଲା ।

 

ଗାଡ଼ିଟା ଅଳ୍ପବାଟ ଯାଇ ଅଟକିଗଲା । ଭଦ୍ର ମହିଳା ଜଣକ ସେମିତି ପଛଆଡ଼େ ଅନେଇଥାଆନ୍ତି । ବୋଧେ ତା’ରି ଆଡ଼େ ।

 

ଶଙ୍କର ଭାବୁଥିଲା–ମାମି ତାକୁ ଚିହ୍ନିପାରି ବୋଧେ ଗାଡ଼ି ଅଟକେଇଛି । ଆଉରି ଜୋରରେ ଜୋରରେ ପାହୁଲ ପକେଇ ସେ ଚାଲିଥାଏ । ଗାଡ଼ି ଆଗକୁ ଲୟ ରଖି ।

 

ଗାଡ଼ିଟା ତୀରବେଗରେ ଆଗଭଳି ପୁଣି ଛୁଟିଲା । ଭଦ୍ରଲୋକ ଜଣକ ରାସ୍ତାକର ଦୋକାନରୁ ସିଗାରେଟ୍‌ ନେବାକୁ ଗାଡ଼ି ରଖିଥିଲେ ।

 

ମାମି ସାଙ୍ଗେ ଦେଖାହୋଇଥିଲା–ଆଠ ଦଶବର୍ଷ ତଳେ । ତା’ର ସ୍ୱାମୀ ସାଙ୍ଗେ ଜଗନ୍ନାଥ ମନ୍ଦିର ସାମ୍ନାରେ । ପୁରୀ ସିଂହଦ୍ୱାର ମୁହଁରେ । ଠାକୁର ଦର୍ଶନ କରିବାକୁ ସେମାନେ ପୁରୀ ଆସିଥିଲେ କି ପୁରୀରେ ଆଉ କିଛି ତାଙ୍କର କାମ ଥିଲା ସେ ଜାଣେନି ।

 

ମାମି ସାଙ୍ଗେ ତାକୁ ତୁଳନା କରାଯାଇନପାରେ । ମାମିର ବାପା ଥିଲେ ସହରର ନାମଯାଦା ଲୋକ, ଖ୍ୟାତନାମା ଆଡ଼ୁ ଭୋକେଟ୍‌, ନିପୁଣ ରାଜନୀତିଜ୍ଞ କିନ୍ତୁ ସକ୍ରିୟ ରାଜନୀତିରୁ ସେ ଦୂରରେ ରହନ୍ତି, ସବୁ ସଭାସମିତିରେ ତାଙ୍କୁ ସଭାପତି ହେବାକୁ ପଡ଼େ । ସାଇସାଇ ଭିତରେ ମତଭେଦ ହେଲେ କି ପଡ଼ାପଡ଼ା ଭିତରେ କନ୍ଦଳ ଲାଗିଲେ ସେ ଦୁଇପକ୍ଷ ଲୋକଙ୍କୁ ମିଳାମିଶା କରନ୍ତି । ତାଙ୍କ ତଳେ ଆଠ ଦଶଜଣ ଜୁନିଅର ଓକିଲ, ମୋହରୀରମାନଙ୍କର ତ କଳନା ନାହିଁ, ଗଣ୍ଡା ଚାକରବାକର, ଗାଡ଼ିମଟର, ଜମିବାଡ଼ି, ବ୍ୟାଙ୍କ ବାଲାନ୍‌ସ ଆଦି ସବୁ କିଛି ତାଙ୍କର ଥିଲା । ବଡ଼ପୁଅ ଆମେରିକାରେ ଚାକିରି କରି ସେଠି ରହିଛି । ବିବାହ କରିଛି ଆମେରିକାରେ । ସେଠି ବିଶ୍ୱବିଦ୍ୟାଳୟର ଅଧ୍ୟାପକ । ଘର ସାଙ୍ଗରେ ସମ୍ପର୍କ ଥିଲା ନ ଥିଲା ଭଳି ଚାରି ପାଞ୍ଚବର୍ଷରେ ଥରେ ପୁଅ ତା’ ପିଲାପିଲିଙ୍କି ଧରି ବୁଲିଆସେ । ପୁଅର ଆଶା ବାପ ମା’ ଛାଡ଼ି ଦେଇଥାଆନ୍ତି । ପୁଅ ତଳକୁ ଝିଅ ମାମି । ଗୋଟିଏ ବୋଲି ଝିଅ । ସେତେବେଳେ ସେ ଆଇ.ଏ. ପଢ଼ୁଥିଲା । ଶଙ୍କରର ବି.ଏ.ର ଶେଷ ବର୍ଷ । ବଡ଼ କଷ୍ଟରେ ସେ କଟକରେ ରହି ପାଠ ପଢ଼ୁଥାଏ । ଟଙ୍କା ଖର୍ଚ୍ଚ କରିପାରିବନି ବୋଲି ହଷ୍ଟେଲରେ ରହୁନଥିଲା । ରହୁଥିଲା ଗୋଟିଏ ବସାଘରେ । ଶଙ୍କରର ତାଙ୍କ ଘରକୁ ଯିବାଆସିବା ଥିଲା । କଲେଜରେ ନାଁ ଲେଖେଇଲା ବେଳେ ଶଙ୍କରର ବାପା ଆଡ଼୍‌ଭୋକେଟ୍‌ ବ୍ରହ୍ମାନନ୍ଦ ଦାସଙ୍କ ସାଙ୍ଗେ ଚିହ୍ନାପରିଚୟ କରେଇ ଦେଇଥିଲେ । ଦରକାର ପଡ଼ିଲେ ଶଙ୍କର ତାଙ୍କ ପାଖକୁ ଆସି ସାହାଯ୍ୟ ଭିକ୍ଷାକରେ । କେବଳ ଶଙ୍କର ନୁହେଁ, କେତେ କେତେ ଅଭାବଗ୍ରସ୍ଥ ପିଲାଙ୍କୁ ବ୍ରହ୍ମାନନ୍ଦ ବାବୁ ସାହଯ୍ୟ କରନ୍ତି । ଯୋଉମାନେ ଅଭାବ ଅସୁବିଧାରେ ସଢ଼ୁଥାଆନ୍ତି । ବ୍ରହ୍ମାନନ୍ଦବାବୁଙ୍କ ସ୍ତ୍ରୀ ଥରେ ସାଂଘାତିକ ବେମାରରେ ପଡ଼ିଲେ । ବହୁତ ପରୀକ୍ଷାନିରୀକ୍ଷ ପରେ ଜଣାପଡ଼ିଲା ତାଙ୍କୁ କାନ୍‌ସର ହୋଇଛି । ପୁଅ ରହିଲା ଆମେରିକାରେ । ସେ ଥିବା ଯା ନ ଥିବା ସେଇଆ । ବ୍ରହ୍ମାନନ୍ଦବାବୁ ଭାବିଥିଲେ ଝିଅ ବିଶ୍ୱବିଦ୍ୟାଳୟ ଶିକ୍ଷା ସାରିଲା ପରେ ତାକୁ ବାହାଦେବେ । ଭଲ ଜାଗାରେ । ଝିଅ ସେଇ ପୁଅ ବି ସେଇ । ସ୍ତ୍ରୀ କିନ୍ତୁ ଜିଗର ଧରିଲେ । କାନ୍‌ସର ରୋଗ ତ ଭଲହେବନି ? କେତେବେଳେ ସେ ମରିଯିବେ କିଛି ଠିକଣା ନାହିଁ-। ଝିଅଟିକି ବାହା କରିଦେଇ ସେ ଆଖିବୁଜିବେ । କାନ୍‌ସର ଘା’ଟା ପୁଣି ତାଙ୍କ ଗାଲ ତଳକୁ, ତୋଟି ପାଖକୁ ଲାଗି । ଭଲହେବାର ନୁହେଁ । ଶଙ୍କରର ଯା’ଆସ ସେତେବେଳେ ତାଙ୍କ ଘରକୁ ବହୁତ ବଢ଼ିଯାଇଥିଲା । ବୁଢ଼ୀଙ୍କର ସେ ସେବା ଶୁଶ୍ରୂଷା କରେ । ଶଙ୍କର ତାଙ୍କ ଘରେ ବହୁତ ଆପଣାର । କିନ୍ତୁ ସେ ହାତେ ମାପି ଚାଖଣ୍ଡେ ଚାଲିବା ପିଲା । ସବୁଥିରେ ଥାଏ । କୋଉଥିରେ ନ ଥାଏ । ମାମି ପାଇଁ ବହୁତ ବହୁତ ଜାଗାରୁ ପ୍ରସ୍ତାବ ଆସିଲା । ବୁଢ଼ାବୁଢ଼ୀଙ୍କ ପରେ ସେଇ ହେବ ସବୁ ସମ୍ପତ୍ତିବାଡ଼ିର ମାଲିକ । ଆମେରିକାରୁ ପୁଅ ଆସିବ ନା ଘରର ନା ରଖିବ । ବ୍ରହ୍ମାନନ୍ଦ ବାବୁ ଠିକ୍ କରିଥିଲେ ଜଣେ ଲଣ୍ଡନ ଫେରନ୍ତା ବାରିଷ୍ଟରଙ୍କ ସାଙ୍ଗେ । ତାଙ୍କ ସିରସ୍ତାକୁ ସେ ସମ୍ଭାଳିବ । କଥା ଥିଲା–ବିଭାଘର ସରିଲେ ମାମି ଘରକୁ ଫେରିଆସିବ । ଆଗଭଳି ପଢ଼ାପଢ଼ି କରିବ । ରୋଗିଣୀ ବୁଢ଼ୀ ବୋଉର ସେବା ଶୁଶ୍ରୂଷା କରିବ । ମା’ଙ୍କ ପାଇଁ କେବଳ ବିଭାଘରର ବ୍ୟବସ୍ଥା । ମାମି କିନ୍ତୁ ସେ ପ୍ରସ୍ତାବରେ ରାଜି ହେଲାନି । ଜିଦ୍‌ଧରିଲା–ଶଙ୍କର ପାଇଁ । ବାପା ଶୁଣି ଆଶ୍ଚର୍ଯ୍ୟ ହେଲେ । କଥାଟା ହସରେ ଉଡ଼େଇଦେଲେ । ମା’ କହିଲେ ଝିଅର ଇଛା ପୂରଣ କରିବାକୁ ପଡ଼ିବ । ସୁକାକଳଶ ଢାଳିବାକୁ ଶଙ୍କରକୁ ଖୋଜା ଚାଲିଲା । ପରସ୍ପରରେ କାହାଠୁ ବୋଧେ କଥାଟା ଶଙ୍କର ଶୁଣିବାକୁ ପାଇଲା । ତା’ପରେ ପରେ କେହି ତାକୁ ଆଉ ଦେଖିନି । ବିଭାଘର ପ୍ରସ୍ତାବ ଠିକଣା କରିବାକୁ ଦିନେ ସକାଳୁ ସକାଳୁ ବ୍ରହ୍ମାନନ୍ଦ ବାବୁ କାର୍‌ଧରି ତା’ ବସାଘରେ ଆସି ପହଞ୍ଚିଗଲେ । ଦେଖିଲା ବେଳକୁ ଘରେ ତା’ର ତାଲା ପଡ଼ିଛି । କୁଆଡ଼େ ଯାଇଛି କେହି କହିପାରିଲେନି । ଗାଁ ଘରକୁ ଲୋକ ଚାଲିଲେ । ସେଠି ବି ତା’ର ଦେଖା ମିଳିଲାନି । ବି.ଏ. ପରୀକ୍ଷା ତା’ର ସରିଥିଲା । ଶଙ୍କର ଅନର୍ସ ନେଇ ପାଶ୍‌ କରିଥିଲା । ତା’ର ବାପ ମା’ ବି ବଡ଼ ବ୍ୟସ୍ତ ହୋଇପଡ଼ିଲେ । ଶଙ୍କର ସେତେବେଳେ ଓଡ଼ିଶା ବାହାରକୁ ଚାଲିଯାଇଥିଲା, ଯାହା କିଛି ଟଙ୍କାପଇସା ଥିଲା ତାକୁ ସାଙ୍ଗରେ ନେଇ । ଚାକିରି ଖୋଜି ସେ ପ୍ରକୃତରେ ଓଡ଼ିଶା ବାହାରକୁ ଯାଇନଥିଲା । ସମସ୍ତଙ୍କ ଆଖିରୁ ନିଜକୁ ଦୂରେଇ ରଖିବାକୁ ସେ ବାହାରକୁ ଚାଲିଯାଇଥିଲା । ନିଜକୁ ଦୂରେଇ ରଖିଥିଲା । ବିଭାଘର ଆଉ ବେଶିଦିନ ଗଡ଼େଇ ହେଲାନି । ସେଇ ବାରିଷ୍ଟରଙ୍କ ସାଙ୍ଗେ ବିବାହ ସରିବାର ଦି’ମାସ ପରେ ଶଙ୍କରର ଦେଖା ମିଳିଲା । ବିବାହ ହେବାର ପାଞ୍ଚ ଛ’ବର୍ଷ ପରେ ସିଂହଦ୍ୱାର ସାମ୍ନାରେ ମାମି ସାଙ୍ଗରେ ପୁଣି ଦେଖା । ସ୍ୱାମୀ ତା’ର ଆଗେ ଆଗେ । ଡଉଲ ଡାଉଲ ପୁଅଟିକି ଚଳେଇ ଚଳେଇ ମାମି ପଛେ ପଛେ ଚାଲିଥାଏ । ସାମ୍ନା ସାମ୍ନି ମୁହଁକୁ ମୁହଁ ଦେଖା । ସ୍ୱାମୀ ତା’ର ସେତେବେଳେ ବହୁତ ଆଗରେ । ମନ୍ଦିର ଭିତରେ ପଶିଗଲେଣି । ମାମି କ’ଣ ପଚାରିନେବ ବୋଲି ଯାଉଥିଲା । ପାଟି ଖୋଲି ନ କହିଲେ ବି ତା’ର ଆଖି କହୁଥିଲା, ଚାଲି ବି କହୁଥିଲା । ଶଙ୍କର କେତେ କ’ଣ କହିଆସୁଥିଲା । କେହି କାହାକୁ କିଛି କହିପାରିଲେନି କି ରହିପାରିଲେନି କି ଚାହିଁପାରିଲେନି । ପୁଅଟିକୁ ଚଲେଇ ଚଲେଇ ମାମି ସ୍ୱାମୀ ପଛେ ପଛେ ମନ୍ଦିର ଭିତରେ ପଶିଗଲା, ତା’ ଆଡ଼ିକି ଥରେ ଦି’ଥର ଚାହିଁଦେଇ । ଶଙ୍କର ବି ଚାଲିଲା ତା’ର ଗନ୍ତବ୍ୟ ପଥରେ ଅନ୍ୟଆଡ଼େ ମାମି କଥା ଭାବି ଭାବି ।

 

ଭଦ୍ର ମହିଳାଙ୍କ ଚାହାଣି ଓ ଆବଭାବଯାକ ସବୁ ସେଇ ମାମି ଭଳି । ଅବିକଳ ତାଆରି ନକଲ । ମୁହୂର୍ତ୍ତେ ଭିତରେ ଛାଇଭଳି ଆସି ମାମି ତା’ଆଖି ଆଗରେ ନାଚି ନାଚି କୁଆଡ଼େ ଅଦୃଶ୍ୟ ହୋଇଗଲା ।

 

ଅଦୃଶ୍ୟ ହୋଇଥିଲା ଟ୍ରକ୍‍ର ଶୋଭାଯାତ୍ରା ଓ ଲୋକସମାଗମ । ଶଙ୍କର ଚାଲି ଚାଲି ଆସି ଗୌରୀଶଙ୍କର ପାର୍କ ପାଖର ବସ୍‌ଷ୍ଟାଣ୍ଡରେ ହେଲାବେଳକୁ ଭାବିଲା–କେତେ କେତେ ଲୋକ ତ ବସ୍‌କୁ ଏଇଠି ଅପେକ୍ଷା କରିଛନ୍ତି । ଟାକ୍‌ସିଗୁଡ଼ିକ ରଖିଦେଇ ଡ୍ରାଇଭରମାନେ ପାର୍କର ବାଡ଼ପାଖରେ ଠିଆ ଠିଆରେ ଗପ ଜମେଇଚନ୍ତି । ବିଡ଼ି ସିଗାରେଟ୍‌ ଟାଣି ଚାଲିଛି ତାଙ୍କର କଥାବାର୍ତ୍ତା । ଛିଟିଛିଟିକିଆ କମଳା ରଙ୍ଗର ସୂର୍ଯ୍ୟକିରଣ ପାର୍କର ଗଛପତ୍ର ଆଢ଼ୁଆଳରୁ ବସ୍‌ଷ୍ଟାଣ୍ଡର ଆଜବେଷ୍ଟସ୍‌ ଉପରୁ ଡେଇଁ ଡେଇଁ ନିଷ୍ପ୍ରଭତା ହେବାକୁ ବସିଛି । ଟାକ୍‌ସି କେଇଟାରେ ଅଧାଅଧି ଲୋକ । ବାକିଲୋକ ଆସି ବସିପଡ଼ିଲାବେଳକୁ ପଛଆଡ଼ୁ ଧାଇଁଆସୁଥିଲା ବସ୍‌ । ଲୋକେ ଟାକ୍‌ସି ଛାଡ଼ିଦେଇ ବସ୍‌ରେ । ବେଶି ପଇସା ଦେବା ଭୟରେ । ଶଙ୍କର ଭାବିଲା–ଗଳିକନ୍ଦିରେ ଯାଇ ଚରଣ ଦାସକୁ ଖୋଜିବୁଲିବା ଅପେକ୍ଷା ଏଇ ଡ୍ରାଇଭରମାନଙ୍କୁ ପଚାରିଦେବା ଭଲ ।

 

ଜଣ ଜଣ କରି ସମସ୍ତଙ୍କୁ ସେ ପଚାରିଲା । କେହିହେଲେ ସଠିକ୍‌ କହିପାରିଲେନି । କୋଉ ଟାକ୍‌ସିଟା ଯାଜପୁର ଆଡ଼ର ହେଲେ ତ କୋଉଟା ପୁରୀ କି ଖୋର୍ଦ୍ଧାର । ଭଡ଼ାନେଇ ଆସିଛନ୍ତି । ଫେରିଯିବେ । ଶେଷକୁ ଜଣେ କେବଳ ତାକୁ ଚିହ୍ନିଛି ବୋଲି କହିଲା । ସବୁଦିନ ତ ସନ୍ଧ୍ୟାବେଳେ ପାର୍କପାଖର ଚା ଦୋକାନରେ ସେ ଆସି ଆଡ଼ା ଜମାଏ ।

 

ଚରଣ ଦାସ କଥା ଶୁଣି ସେ ଡ୍ରାଇଭର ଜଣକ ପ୍ରଶ୍ନକଲା–ତା’ସାଙ୍ଗେ ଆପଣଙ୍କ କାମ କ’ଣ ?

 

ଖୋଜୁଥିଲି–ଅସଲ କାରଣଟା ଶଙ୍କର ଫିଟେଇ କହିଲାନି ।

 

ଘର ତା’ର କୋଉଠି ?

 

ଲୋକଟା କହିଲା–ତା’ଘରେ ତା’ହେଲେ ଆପଣଙ୍କର କାମ ଅଛି । ଆଖିରେ ତା’ର କେମିତି ଗୋଟିଏ ଆଶ୍ଚର୍ଯ୍ୟଭାବ ଲୁଚି ରହିଥିଲା । ମୁହଁ ଅଳ୍ପ ହସ ହସ । ଲୋକଟାକୁ ଚାଳିଶ ପାଖାଆଖି । ମୁଣ୍ଡରେ ବାଳ କେରିଏ କିନ୍ତୁ ନିଶ ଗୋଛିଏ । ଲମ୍ବା ଲମ୍ବା ବାଘୁଆ ନିଶ । ମୁହଁଟା ଚିକଣିଆ । ବେଶ୍‌ ସଫାସୁତୁରା । ଟାଣ ଟାଣ କଥା । ବିଦ୍ରୂପ କଲାଭଳି । ବାହାରୁ ଦେଖିଲେ ଭଦ୍ରଭଳି ଜଣାପଡ଼େ । ଲୋକଟା କଟକର ଟାକ୍‌ସି ଡ୍ରାଇଭର ।

 

ଶଙ୍କର କହିଲା–ଘରେ କିଛି କାମ ନାହିଁ । ଟ୍ରକ୍‌ ଡ୍ରାଇଭର ଚରଣ ଦାସ ସାଙ୍ଗେ କଥାବାର୍ତ୍ତା ଅଛି । କାମ ଅଛି ।

 

ଲୋକଟି କହିଲା–ସେ ଥିବ ମଙ୍ଗଳାବାଗ ପାଖ କିଶୋର ବାବୁଙ୍କ ଘରେ । ସଦାବେଳେ ଏଠିକି ଆସେ । ଘର ତା’ର ବିନୋଦବିହାରୀ ଡେଇଁଗଲେ କାଜିବଜାର ଛକ ମୁଣ୍ତରେ । ପଚାରିଲେ କହିଦେବେ ।

 

ଶଙ୍କର ଭାବିଲା–ଲୋକଟାକୁ ତ ସେ ଚିହ୍ନିନି । ଏଠି ଅପେକ୍ଷା କରିବା ଅପେକ୍ଷା ଘର ଖୋଜି ଲୋକଟାକୁ ଚିହ୍ନିରଖିବା ବରଂ ଭଲ । ଦେଖା ନହେଲେ ? ଶଙ୍କର ଭାବିନେଲା–ଲିଙ୍କ୍‌ ରୋଡ଼ ବସ୍‌ଷ୍ଟାଣ୍ଡ ହୋଟେଲରେ ରାତିକ ସେ ରହିଯିବ । ସକାଳେ ପୁଣି ତାକୁ ଖୋଜିବ । କିଶୋର ତ ନାହିଁ-। ଥିଲେ ଅବା ଟେଲିଫୋନ୍‌ କରି ଜଣେଇଥାଆନ୍ତା । ଚରଣ ଦାସକୁ ଏତେ ଖୋଜାଖୋଜି କରିବା ବି କିଛି ଦରକାରନଥିଲା ।

 

ଶଙ୍କରକୁ ଏଇ ଅନିଶ୍ଚିତ ଅବସ୍ଥା ଭଲ ଲାଗୁନଥିଲା । କିଶୋର ତାକୁ ବଡ଼ ହଇରାଣରେ ପକେଇଲା । ଢେଙ୍କାନାଳରେ ଥିଲା, ବରଂ ସେ ଭଲରେ ଥିଲା । କିଶୋର କେବେ ପୁଣି ଫେରିଛି କେଜାଣି ?

 

ପାର୍କ ପାଚିରି କରେ ରେଡ଼ିମେଡ଼ ପ୍ୟାଣ୍ଟ ଜାମା ଓ ଲୁଙ୍ଗି ଗେଞ୍ଜିର ଧାଡ଼ି ଧାଡ଼ି ଦୋକାନ ସବୁ, ଚାନାଚୁର ବାରମଜାର ଠେଲାଗାଡ଼ି, ପୁଡ଼ିଆବନ୍ଧା ଚିନାବାନାମ ବିକାଳିଙ୍କର ଭିଡ଼ ସାଙ୍ଗକୁ ରିକ୍‌ସାବାଲାଙ୍କର ମେଲଣ, ଟାକ୍‌ସି ସବୁ ବସ୍‌ଷ୍ଟାଣ୍ଡ ପାଖକୁ ପାଖ ଓ ପାର୍କ ପାଚିରି କରେ କରେ ମୁନିସିପାଲିଟି ଅଫିସ୍ ସାମ୍ନାରେ ଗାର୍ଲସ୍କୁଲ ସିଧା ରାସ୍ତାଯାଏ ଲମ୍ବିଯାଇଛି । କାର୍‌, ସ୍କୁଟର ଆଦି ପଛରୁ, ଆଗରୁ ଓ କରପଟୁ ଆସୁ ନ ଆସୁ ଟ୍ରାଫିକ୍ ପୁଲିସର ହୁଇସିଲ୍‌ ଶବ୍ଦ ଓ ପାର୍କ ସିଧା ନୂଆ ଲୁଗା ଦୋକାନଟା ଉପରେ ଆଖିରଖି ଶଙ୍କର ଜନସମୁଦ୍ର ଭିତରେ ପଶିଯିବାକୁ ଉଦ୍ୟତ ହେଉଥିଲାବେଳେ ବାପ ପୁଅ ଦି’ଜଣ ଠୁକୁରୁ ଠାକର ବାଡ଼ି ଦି’ଖଣ୍ଡ ଧରି ତା’ ଆଡ଼ିକି ମାଡ଼ି ମାଡ଼ି ଆସୁଥିଲେ । ପୁଅଟି ଆଠ ଦଶବର୍ଷର । ଚିରା ପ୍ୟାଣ୍ଟ ଖଣ୍ଡେ ପିନ୍ଧିଛି । ଦିହରେ ଖଣ୍ଡେ ମଇଳା ଚାଦର । ବାପ ଷାଠିଏ ସତୁରି ବର୍ଷର ବୁଢ଼ା । ପିଲାଟା ଖନେଇ ଖନେଇ କହୁଥିଲା–ପୁଅ ଅନ୍ଧ, ବାପ ଅନ୍ଧ, ପଇସାଟିଏ ଦିଅ । ପୁଅ ହାତରେ ଗୋଟିଏ ଟହୁଗିନା । ବାପର ହାତଟିଏ ତା’ କାନ୍ଧ ଉପରେ । ତା’ ଆଡ଼ିକି ସେମାନେ ମାଡ଼ି ମାଡ଼ି ଆସୁଥିଲାବେଳେ ଶଙ୍କର ଭାବୁଥିଲା–ସେମାନଙ୍କୁ କ’ଣ ଟିକିଏ ହେଲେ ଦେଖାଯାଉନି ? ତାହେଲେ ସେମାନେ ସହରର ଏତେ ଲୋକବାକ ଓ ଗାଡ଼ିଘୋଡ଼ା ଭିତରେ ବୁଲିବୁଲି ଭିକମାଗୁଛନ୍ତି କେମିତି ? ଶଙ୍କର ଲୋକଙ୍କଠୁ ସେଇଠି ଶୁଣିଲା–ବାପପୁଅ ସଞ୍ଜହେଲେ ଆଶ୍ରାନିଅନ୍ତି ସେଇ ବସ୍‌ଷ୍ଟାଣ୍ଡ ଭିତରେ । ସିମେଣ୍ଟ ଚଉକିରେ ଗାମୁଛା ପାରି ଶୋଇଯାଆନ୍ତି । ବସ୍‌ଷ୍ଟାଣ୍ଡ ତିଆରି ହେଲାଦିନୁ ସେଇଠି ତାଙ୍କର ଘର । ଟାକ୍‌ସିବାଲାମାନେ ଚାରେଣା ଆଠେଣା ଦେଇଯାନ୍ତି ।

 

ବସ୍‌ଷ୍ଟାଣ୍ଡରେ ଯେତେଜଣ ଥିଲେ ସମସ୍ତେ ପାଞ୍ଚପଇସା, ଦଶପଇସା କରି ଟହୁଗିନାରେ ତା’ର ପକେଇଗଲେ । ଶଙ୍କର ତା’ ପକେଟରୁ ଦଶପଇସାଟିଏ ଦେଲାବେଳକୁ ହାତରେ ତା’ର ବାଜିଗଲା ଆଲମାରି ଚାବିଟା । ଆଟାଚିଟିକୁ ସେ ଚାବି ପକେଇଦେଇ ଆସିଛି । ଆଟାଚି କଥାଟା ଭାବିଲାବେଳେ ଶଙ୍କରକୁ କେମିତି ଡରମାଡ଼ିଲା । କ’ଣ ତା’ ଭିତରେ ରଖିଛି ସିଏ କେଜାଣି ? କ’ଣ ଯେ ତା’ ଭିତରେ ଅଛି ସ୍ଥିର ସିଦ୍ଧାନ୍ତରେ ସେ ପହଞ୍ଚିପାରିଲାନି । ପୁଣି ସେ ଭାବିଲା–ଚାବି ଖୋଲି କିଏ ଯେତେ ତାକୁ ନେଇଯାଏ ? କିଶୋର ତାକୁ ଆଗ ଚୋର ବୋଲି ଭାବିବ । କେତେ ସେ ତାକୁ ବିଶ୍ୱାସ କରେ । ଚାକିରିରୁ ତଡ଼ା ନଖାଏ କି ଏମିତି ଅବସ୍ଥା ତା’ର ନ ହୁଏ । ଚରଣଦାସ ଡ୍ରାଇଭରକୁ ଆଗ ଖୋଜି ବାହାର କରିବା ଦରକାର ।

 

ଟହୁଗିନାରେ ଦଶପଇସିଟା ପକେଇ ଓ ବାପପୁଅଙ୍କ ଆଡ଼ିକି ଚାହିଁ ଆଗେଇଗଲା ବେଳକୁ ପଛଆଡ଼ୁ କିଏ ଜଣେ ତାକୁ ଡାକୁଥିଲା । ସେଇ ଟାକ୍‌ସି ଡ୍ରାଇଭରଟା-ତା’ ସାଙ୍ଗେ ଆଉ ଜଣେ କିଏ ।

 

ଲୋକଜଣଙ୍କ ତା’ ଆଡ଼ିକି ଆଗେଇ ଆସୁଥିଲା, ସାଇକଲ ଖଣ୍ଡେ ଚଲେଇ ଚଲେଇ । ଲୋକଟା ବଡ଼ ତରବର ହେଉଥିଲା । ପାଖକୁ ଆସି କହିଲା–ଆପଣ ମୋତେ ଖୋଜୁଥିଲେ ?

 

ଡ୍ରାଇଭର ଜଣକ ଚିହ୍ନେଇଦେଲା-ତା’ ନାଁ ଚରଣ ଦାସ ।

 

ଶଙ୍କର ମୁଣ୍ଡରୁ ବୋଝଟେ ଅବା ଖସିପଡ଼ିଲା । କେତେ କୁଆଡ଼େ ତାକୁ ଯାଇ ସେ ଖୋଜିଥାଆନ୍ତା ।

 

ଲୋକଟାର ବୟସ ପଞ୍ଚତିରିଶ ଚାଳିଶ ଭିତରେ । ମୁହଁରେ ବହଳିଆ ବସନ୍ତ ଦାଗ । କଳା ନୁହେଁ କି ଗୋରା ନୁହେଁ, ମିଶାମିଶି । ପିନ୍ଧିଥିଲା ଖଣ୍ଡିଏ ମାଟିଆ ଫୁଲପ୍ୟାଣ୍ଟ । ଡୋରିଆ କନାର ହାଓ୍ୱାଇ । ବାଁ ଆଖି କରରୁ ଗାଲ ଅଧ ଯାଏ ଗୋଟିଏ କଟାଦାଗ । କିଶୋର ନାଁ ଶୁଣି ସେ ନମସ୍କାର ହେଲା । ଜଣାପଡ଼ିଲା-କିଶୋରଠୁ ସେ ବୋଧେ ଆଗରୁ ସବୁ ଶୁଣିଥିଲା । ପଚାରିଲା–ଆପଣଙ୍କ ନାଁ ଶଙ୍କର ବାବୁ ନାଁ ?

 

ଶଙ୍କର ମୁଣ୍ଡ ହଲେଇ ହଁ କଲା ।

 

ବସ୍‌ଷ୍ଟାଣ୍ଡ ପାଖରେ କଥା ହେବାକୁ ଚରଣକୁ ବୋଧେ ଭଲ ଲାଗୁନଥିଲା । ସାଇକେଲ ଚଲେଇ ଚଲେଇ ସେ ଚାଲିଲା ଆଗେ ଆଗେ । ଶଙ୍କର ତା’, ପଛେ ପଛେ । ଖଣ୍ଡେଦୂର ଯିବାରୁ କହିଲା–ଟ୍ରକ୍‌ଟା ସେମାନେ ଆଜି ସକାଳୁ ସକାଳୁ ଜବରଦସ୍ତି ଆସି ନେଇଯାଇଛନ୍ତି ।

 

ଶଙ୍କର ପଚାରିଲା–କ’ଣ ସତ୍ତାପାଇଁ ?

 

ହଁ ଆଜ୍ଞା–ନ ଦେବାକୁ ଚାରାନାହିଁ ।

 

ଆଚ୍ଛା–ତା’ହେଲେ କ’ଣ କରିବା ?

 

ଆପଣ ଆଉ କୁଆଡ଼େ ଯିବେ ନା କୋଉଠି ରହିବେ ?

 

ଶଙ୍କର କହିଲା– ମୁଁ ତ ତୁମ ଘର ଖୋଜି ବୁଲୁଥିଲି ।

 

ଚରଣ ଅଳ୍ପ ସମୟ ଯାଏ ଇଆଡ଼ିକି ସିଆଡ଼ିକି ଲକ୍ଷ୍ୟକଲା । ତା’ପରେ କହିଲା–ଆସନ୍ତୁ ଆପଣଙ୍କୁ ଆଗ ମୋ ଘରଟା ଦେଖେଇଦେବି । ଆପଣ ତ ଆଉ କୁଆଡ଼େ ରହିବାର ବନ୍ଦୋବସ୍ତ କରିନଥିବେ । ଆପଣଙ୍କୁ ଯଦି ଅସୁବିଧା ନ ହୁଏ ଆମ ଘରେ ରହିଯିବେ ।

 

ଶଙ୍କର କିଛି କହିଲାନି । ହଁ ମାରିଲାନି କି ମନାକରିଦେଲାନି । ରାତିରେ କୋଉଠି ସେ ରହିବ କିଛି ଠିକ୍‌ କରିନଥିଲା ।

 

ଶଙ୍କର ରାସ୍ତାରୁ ଖଣ୍ଡେ ରିକ୍‌ସା ଧରିନେଲା । ଚରଣ ସାଇକେଲ ଚଢ଼ି ଚାଲିଲା ଆଗେ ଆଗେ ।

 

ରାସ୍ତାରେ ସେତେବେଳେ ଜନ ମମୁଦ୍ରର ସ୍ରୋତ ବହି ଚାଲିଥାଏ ଅବିରାମ ଗତିରେ । କୋଉଠି ରହିଯିବାକୁ ନାହିଁ ଯୁଆଡ଼େ ଚାହିଁବ କେବଳ ମଣିଷର ମୁହଁ । ବେପାରୀ, ଚାକିରିଆ, ଦେଖଣାହାରିଏ, ବୁଲାଚଲା କରୁଥିବା କାହିଁ କେତେ ଆଡ଼ର ଲୋକେ, ଇଲେକଟ୍ରକ୍‌ ଓ ଟେଲିଫୋନ୍‌ ଲାଇନର ଖଲାସିମାନେ । ରାସ୍ତାରେ କୋଉଠି ଦଳଦଳ ତ କୋଉଠି ବା ହଳହଳ ।

 

ତରୁଣ ତରୁଣୀମାନେ, ଖବରକାଗଜ ବାଲାଙ୍କର ଧାଁ ଧପଡ଼, ବାରବୁଲା ଭିକାରିଙ୍କର ପଲ, ରାସ୍ତା କରେ ବସି ବେପାର ମେଲେଇଥିବା ବୁଲାବିକାଳିମାନେ ଏବେ ଆଉ ନାହାନ୍ତି । ପସରା ସବୁ ଧରି ଯା’ଆସ କରୁଥିଲେ । ଚାଲିଚାଲି, ରିକ୍‌ସାରେ ସାଇକଲରେ । ରାସ୍ତା କରରେ ଦୋକାନ ବଜାରରେ, କୋଠା ବାଡ଼ିରେ ବିଜୁଳିବତି ସବୁ ଲାଗୁ ନ ଲାଗୁଣୁ ଚୌଧୁରୀ ବଜାରର ଲୋକ ସମାଗମ ଭିତରେ କିଏଅବା ବିଜୁଳିର ବେଗ ଆଣି ଖଞ୍ଜି ଦେଲାଣି । ସାରା ବଜାରଟା ହସିହସି ସମସ୍ତଙ୍କୁ ନିମନ୍ତ୍ରଣ କରିବାରେ ଲାଗିଛି । ସଞ୍ଜ ବେଳର ରୂପ ସଂଭାର ନେଇ ସାରା ସହରଟା ଜୀବନ୍ତ ହେଲାଭଳି ଶଙ୍କରକୁ ଜଣାପଡ଼ିଲା । ସହରଟା କେବଳ କେତେ କେତେ ନିର୍ଜୀବ ପଦାର୍ଥର ସମାହାର ନୁହେଁ । ଗତିଶୀଳ, ପ୍ରାଣବନ୍ତ ଓ ତାକୁ କଥା କହୁଥିଲା ଭଳି ଶଙ୍କର ମନେହେଲା ।

 

ଶଙ୍କରର ରିକ୍‌ସାଟା ଛକ ମୁଣ୍ଡରୁ ଚାଲିଲା ବାଙ୍କା ବଜାର ଗଳି ଭିତରେ । ସେଠ ବି ଲୋକ ଗହଳି । ଆଗରେ ଗାଡ଼ିଟିଏ ଅଟକିଯାଇଛି । ବିପରୀତ ଦିଗରୁ ଆସୁଥିଲା ଟ୍ରଲର ଲିଗା ଗୋଟିଏ ଜିପ୍‌ଗାଡ଼ି । ପଛକୁ ପଛ ଧାଡ଼ି ଧାଡ଼ି ରିକ୍‌ସା । ସାଇକେଲ ମାଳ ମାଳ । ଦୋକାନ ସବୁ ଲାଗିଲାଗି । ଚଉଡ଼ା ନୁହେଁ, ସରୁସରୁ । ଲୁଗାପଟାରେ ଭରପୂର । ଜିନିଷପତ୍ର ଖୁନ୍ଦାଖୁନ୍ଦି । ଲୋକ ସମାଗମରେ ଭରପୂର ସେଇ ଗଳି ରାସ୍ତାରେ ଅପେକ୍ଷା କରିବାକୁ ପଡ଼ିଲା । ଚରଣ ଯାଇ ଆଗରେ, ବିନୋଦ ବିହାରୀ ଛକ ମୁଣ୍ଡେ ।

 

ଚରଣ କହିବା ଅନୁସାରେ ଶଙ୍କର ରିକ୍‌ସାରୁ ଓହ୍ଳେଇଗଲା । ଛକ ମୁଣ୍ଡରୁ ସେଇ ଅଣ ଓସାରିଆ ଗଳି ଭିତରେ ଗଲେ ରାସ୍ତାଯାକ ଗୋଡ଼ି ପଡ଼ିଛି । ନାଳ ଉପରେ ସିମେଣ୍ଟ ପଟା ସବୁ ଲମ୍ବି ଯାଇଛି ଶେଷ ମୁଣ୍ଡଯାଏ । ଚାଲିଚାଲି ଯିବାର ମୁସ୍କିଲ ।

 

କିଛି ବାଟ ଗଲାପରେ ଆଗ ଛକର ଡାହାଣ ଆଡ଼ ରାସ୍ତାରେ ସେମାନେ ଚାଲିଲେ । ଚରଣ ଦାସ ଆଗୁଆ ଆଗୁଆ ଯାଇ ଗୋଟିଏ କୋଠାଘର ସାମ୍ନାରେ ସାଇକେଲ ଆଉଜାଇ ଦେଲା-। ଘରଟାକୁ ଶଙ୍କର ଦେଖିନେଲା । ଆଉ କିଛି ଅସୁବିଧା ନାହିଁ । ଶଙ୍କର କହି ଆସୁଆସୁ ଚରଣ ଘର ଭିତରେ ପଶିଲା । ବାଧ୍ୟହୋଇ ଘର ସିଧା ରାସ୍ତା ଉପରେ ଶଙ୍କରକୁ ଠିଆ ହେବାକୁ ପଡ଼ିଲା । ରାସ୍ତା ଉପରେ ନୁହେଁ କି ପିଣ୍ତାଉପରେ ନୁହେଁ, ତଳ ପାହାଚରେ ।

 

ଘରଭିତରୁ ତରତର ହୋଇ ଚାଲିଆସୁଥିଲେ ଜଣେ ସ୍ତ୍ରୀଲୋକ । ଚାଲି ଚାଲି କି ଦଉଡ଼ି ଦଉଡ଼ି ନୁହେଁ, ହସୁନଥିଲେ କିନ୍ତୁ ହସହସ ମୁହଁ, କିଛି କହୁନଥିଲେ ଅଥଚ ଜାଣିପାରୁଥିଲେ ଜଣେ କିଏ ଭଦ୍ରଲୋକ ଆସିଛନ୍ତି, ଶଙ୍କର ଉପରେ ଥରୁଟିଏ ଆଖି ପକେଇଦେଇ ଲୁଚିଯିବାକୁ ବସିଥିଲେ କିନ୍ତୁ ତାଙ୍କୁ ଭଲରୂପେ ଦେଖିନେବାକୁ କିଛି ବୋଧେ ଆଉ ନଥିଲା । ସଜଡ଼ା ଲୁଗାପଟା ଭିତରେ ତାଙ୍କ ଶରୀରର ଅସଜଡ଼ା ସ୍ଥାପତ୍ୟ ମୁହୂର୍ତ୍ତେ ଭିତରେ ଦେଖେଇଦେଇ ସେ ଲୁଚିଗଲେ ଘରଭିତରେ-। ଚରଣର ସ୍ତ୍ରୀ ହେବେ ବୋଧେ ।

 

ଚରଣ ଘରଭିତରକୁ ଡାକିନେଇ ଚୌକିରେ ବସିବାକୁ କହି ଭିତରକୁ ପଶିଗଲାବେଳକୁ ଭଦ୍ରମହିଳାଙ୍କ ଦି’ହାତରେ ଦି’କପ୍‌ ଚା ଧରି ଲୁଚିଛନ୍ତି କାନ୍ଥ ଆରପଟେ । ହାତଯୋଡ଼ିକ ବାହାରେ । ବଳିଲା ବଳିଲା ଗୋରା ତକତକ ହାତଦୁଇଟି ସୁନାକାଚ ଓ ପାଣିକାଚରେ ଭରା । ନଖରେ ବୋଳିଥିଲା ନଖପଚା, ଲାଲ୍‌ ରଙ୍ଗର । ଗାଢ଼ ଲାଲ୍‌ ନୁହେଁ ଗୋଲାପି ବି ନୁହେଁ । ହାତ ଦି’ଟିକି ଦେଖି ଶଙ୍କର ଅନୁଭବ କଲା–ତା’ର ଶୋଇଲା ମନର ଅନ୍ଧକାର କୋଠରି ଭିତରେ ବିଜୁଳି ବତିଟିଏ ହଠାତ୍‌ ଜଳିଉଠି ପୁଣି ଲିଭିଗଲା ଅବା । ଆଶ୍ଚର୍ଯ୍ୟ ହେଲା ଶଙ୍କର । ଘରେ ପାଦ ଦେଉ ନ ଦେଉଣୁ ସାଙ୍ଗେ ସାଙ୍ଗେ ଚା’ ଓ ଚା’ ପଛେ ପଛେ ପାନ । ଡ୍ରାଇଭର ହେଲେ କ’ଣ ହେଲା, ଆଚାର ବ୍ୟବହାରରେ ସେମାନେ ରୁଚିମନ୍ତ ।

 

ଫେରିଲାବେଳେ ଚରଣ କହୁଥିଲା–ଏଠି କିଛି ଅସୁବିଧା ହେବନି । ଏଇ ଘଣ୍ଟେ ଦି ଘଣ୍ଟା ଭିତରେ ମୁଁ ବି ଫେରିଆସୁଛି । ଶୀଘ୍ର କାମ ସରିଗଲେ ଆପଣ ଆସି ଅପେକ୍ଷା କରିଥିବେ । ଟିକିଏ ଅସ୍ୱାଭାବିକ ବଡ଼ପାଟିରେ ଚରଣ କହୁଥିଲା । ସ୍ତ୍ରୀ ତା’ର ଆରପଟେ ଥିଲା । ତାକୁ ଶୁଣେଇ ଶୁଣେଇ କହୁଥିଲା ବୋଲି ଜାଣିବାକୁ ଶଙ୍କରର ଆଉ ବାକି ରହିଲାନି ।

 

ଟ୍ରକ୍‌ କଥା ବୁଝିବ ବୋଲି କହିଦେଇ ଚରଣ ଛକ ମୁଣ୍ଡରୁ ସାଇକେଲ୍‌ ଛୁଟେଇଦେଲା ଶେଖବଜାର ଆଡ଼େ । କଟକ ଚଣ୍ଡିଦେଇ ଷ୍ଟାଡ଼ିୟମ କରେ କରେ ସେ ଯିବ ବାଲିଯାତ୍ରା ପଡ଼ିଆ । ସେଇଠି ଆଜି ବିରାଟ ସାଧାରଣ ସଭା । ଲୋକ ସବୁ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ରେ ବୁହାହୋଇ ଆସିଛନ୍ତି । ଶଙ୍କର ଭାବୁଥିଲା ସେଇ ସଭାଆଡ଼େ ଯିବ । କେଜାଣି କାହିଁକି ତା’ର ଇଛାହେଲାନି । ବାଙ୍କାବଜାର ବହିଦୋକାନ ଆଡ଼ିକି ଲକ୍ଷ୍ୟ କରି କରି ଚାଲିଯାଉ ଯାଉ ଆଖିଆଗରେ ତା’ର ପଡ଼ିଗଲା ବନୁ । ବହି ଦୋକାନରେ ବସିଛି । କେତେବର୍ଷ ତଳେ ସେ ଚାକିରି କରୁଥିଲା । ଚାକିରି ଛାଡ଼ି ସେ ଯେ କଟକରେ ବହି ଦୋକାନ କଲାଣି ଶଙ୍କର ସେ କଥା ଜାଣିନଥିଲା । ପାଖକୁ ତା’ର ତିନି ଚାରିଟା ଚୌକି । ଆଗରେ ସୋକେଶ୍‌ । ବହିରେ ଭର୍‌ପୂର । ସୋକେଶ୍‌ ଉପର କରର ଫାଳିକିଆ ପଟାଟା ଟେକିଦେଲେ ଭିତରେ ପଶିବାକୁ ପଡ଼େ । ଦୋକାନ ପ୍ଳାଟଫର୍ମ ଉପରେ ଦି’ ଦି’ଟା ବେଞ୍ଚ ପଡ଼ିଥିଲା । ରାସ୍ତା ଚଉଡ଼ା କରିବା ପାଇଁ ପ୍ଳାଟଫର୍ମରୁ ଅଧେ ଭାଙ୍ଗି ଦିଆଯାଇଛି । ବାକି ଅଧକରେ ପଡ଼ିଛି ବେଞ୍ଚ । ହଳେ ଟିଉବ ଚେୟାର । ଦୋକାନ ଭିତରେ ପାଞ୍ଚ ଛ’ଟା କାଚ ଆଲମାରି ବହିରେ ଭରା । ତା’ ସାଙ୍ଗକୁ ଷ୍ଟେସନାରୀ, କାଳୀ, କଲମ, ବନ୍ଧେଇ ଖାତା ଓ କାଗଜ ଆଦି । ବନୁ ସେତେବେଳେ ଗପ ଜମେଇଥିଲା । ବେଞ୍ଚ ଚଉକିରେ ଭରପୂର ଲୋକ । ଶଙ୍କର ଦୋକାନ ଆଗରେ ଅଟକି ଗଲାବେଳେ ବନୁ ପଚାରିଲା-ଶଙ୍କର ବାବୁ, ଆପଣ କୁଆଡ଼େ ?

 

ଶଙ୍କର ତା’ ଚାକିରି ଚାଲିଯିବା କଥା କହିଲାନି । ଯଦିଓ ବନୁ ତା’ର ବହୁତ ଜଣାଶୁଣା, ଖୋଲାଖୋଲି କହିଦେବାକୁ ତାକୁ କେମିତି ଲାଜ ମାଡ଼ିଲା । କହିଲା ଗୋଟିଏ କାମଥିଲା, ବୁଲି ଆସିଥିଲି ।

 

ବନୁ ଚା’ ମଗେଇଲା, ଚା’ ସାଙ୍ଗକୁ ସିଗାରେଟ୍‌ ଓ ପାନ । କେବଳ ଶଙ୍କର ପାଇଁ ନୁହେଁ, ସମସ୍ତଙ୍କ ପାଇଁ ।

 

ଗପ ତାଙ୍କର ପଡ଼ିଥିଲା–କାଗଜ ବିଷୟରେ । କଟକ ବଜାରରେ ଗଦା ଗଦା କାଗଜ ଥିଲା । ଚାହୁଁ ଚାହୁଁ କୁଆଡ଼େ ଉଭାନ ହୋଇଗଲା । ରିମକେ ଏଇନେ ଦଶଟଙ୍କା ବେଶି । ଯାହା ପାଖକୁ ଯିବ, କାଗଜ ନାହିଁ । ବହିପତ୍ର ଆଉ ଛପା ହୋଇପାରିବନି । ସମସ୍ତେ କଥା ହେଉଥାଆନ୍ତି–ଖୁବ୍‌ ଆସ୍ତେ ଆସ୍ତେ, ଡରିଡ଼ରି, କେହି ଯେପରି ନ ଶୁଣେ ।

 

ଜଣେ ଭଦ୍ରଲୋକ କହିଲେ–କାଗଜ ବ୍ୟବସାୟଟା ଏଇନେ ମାରୁଓ୍ୱାଡ଼ି ହାତରୁ ଯାଇ ଓଡ଼ିଆ ଲୋକ ହାବୁଡ଼ରେ ପଡ଼ିଛି । ସେମାନେ ସିନା ବୁଝିନଥିଲେ-ଓଡ଼ିଆ ବହି ଛପାହେଲେ କେତେ ନ ହେଲେ କେତେ । କିଶୋର ବାବୁ କ’ଣ ଜାଣୁନାହାନ୍ତି ?

 

ଆଉ ଜଣେ କହିଲେ–ବ୍ୟବସାୟୀ ଲୋକ । ସେ ଓଡ଼ିଆ ହେଉ କି ମାରୁଓ୍ୱାଡ଼ି ହେଉ ଜାତି ତ ଗୋଟିଏ ବ୍ୟବସାୟୀ ଜାତି । ସେଥିରେ ଯାଏ ଆସେ କେତେ ।

 

ବନୁ କହିଲା–କାଗଜତକ ସେ ପରା କଟକରୁ କଲିକତା ପଠେଇ ଦଉଛି । ଚଢ଼ାଦରରେ ବିକିବ ବୋଲି । କଟକରେ ଆଉ କାଗଜ ମିଳିବ କୁଆଡ଼ୁ ?

 

ଶଙ୍କରକୁ ବେଶି ବେଳ ଆଉ ସେଠି ବସିବାକୁ ଭଲ ଲାଗିଲାନି । କେମିତି ଲାଜ ମାଡ଼ିଲା । ଯଦି ସେ ଜାଣିପାରେ ଯେ ତା’ର ଜରିଆରେ କିଶୋର କାଗଜ ପଠଉଛି କଲିକତା, ବନୁ ତାକୁ କ’ଣ ବୋଲି ଭାବିବ ? ତା’ ପ୍ରତି ବନୁର ଆଉ ସମ୍ମାନ ରହିବନି । ଭାବୁଥିଲା–ବନୁକୁ କଥାଟା କହିଦେଇ ସେ ଚାଲିଯିବ ।

 

ଠିକ୍‌ ଏତିକିବେଳେ ପାଖ ଚା’ ଦୋକାନ ପିଲାଟିଏ ଗୋଟିଏ ହାତରେ ଚା’ କେଟିଲ ଓ ଆର ହାତରେ; ସାତ ଆଠଟା ଛୋଟ କାଚ ଗ୍ଳାସ ଧରି ଦୋକାନ ଭିତରକୁ ପଶିଆସିଲା । ବିଡ଼ାଟିଏ ଭଙ୍ଗା ଖିଲିପାନ କାଗଜ ପୁଡ଼ିଆରେ ବାନ୍ଧି ସୋକେଶ୍‌ ଉପରେ ଆଣି ରଖିଲା । ସମବେତ ଚାହା’ ପାନ ସାରିଦେଇ ଓ ସେମାନଙ୍କ କଥାବାର୍ତ୍ତାରେ ଯୋଗନଦେଇ ଶଙ୍କର ବନୁକୁ ନମସ୍କାର କରି ଅନ୍ୟମନସ୍କ ଭାବରେ ଦୋକାନ ତଳକୁ ଓହ୍ଳେଇଆସିଲା ବେଳକୁ ଦେଖିଲା–ଚରଣ ଖୁବ୍‌ ଜୋରରେ ସାଇକଷଲ ଛୁଟେଇ ଦେଇଛି ତା’ ପଛଆଡ଼ୁ । ବନୁ ଦୋକାନ ସାମ୍ନାରୁ ଚାଲିଗଲା ବେଳକୁ ଚରଣ ସାଙ୍ଗରେ ଆସି ମିଳିଗଲା । ସାଇକେଲରୁ ଓହ୍ଲଇପଡ଼ି ଧଇଁସଇଁ ହୋଇ ସେ କହିଲା–ଟ୍ରକ୍‌ଟା ସିଜ୍‌ ହୋଇଛି । ଟ୍ରକ୍‌ଟା ଯାଇ ଥାନା ଭିତରେ । ପିଲା ଦି’ଟା ତା’ଉପରୁ ଖସି ପଡ଼ିଛନ୍ତି । ଟ୍ରକ୍‌ ତାଙ୍କ ଉପରେ ମାଡ଼ିଯାଇଛି । ମେଡ଼ିକାଲ ନେବାକୁ ତର ସହିଲାନି । ସେହିଠାରେ ସବୁ ଶେଷ । ପିଲା ଦି’ଟା ଗାଁ ଆଡ଼ୁ ଆସିଥିଲେ ସଭା ଦେଖିବାକୁ । ରାସ୍ତାରେ ଶହ ଶହ ଲୋକ ଜମିଗଲେ । ଗଣ୍ଡଗୋଳ ଲାଗି ଯାଇଥାଆନ୍ତେ । ଡ୍ରାଇଭର କୁଆଡ଼େ ଯାଇ ଲୁଚିଛି । ପୋଲିସ ବହୁତ କଷ୍ଟରେ ଲାସ୍‌ ଦି’ଟାକୁ ଟ୍ରକ୍ ଉପରେ ପକେଇ ନେଇଯାଇଛି । ଟ୍ରକ୍‌ ଯାଇ ଥାନାରେ ।

 

ଶଙ୍କର ତା’ କାନକୁ ବିଶ୍ୱାସ କରିପାରିଲାନି । କ’ଣ କରାଯାଏ, ରାସ୍ତା ଉପରେ ଠିଆହୋଇ ସେ ଆକାଶ ପାତାଳ ଭାବୁଥିଲା ଓ ଚରଣ ମୁହଁକୁ ଏଣେ ବଲବଲ କରି କେବଳ ଚାହିଁବାରେ ଲାଗିଥିଲା । ସତେଅବା ଚରଣକୁ ସେ ନୂଆ କରି ଅବା ଦେଖୁଛି ।

 

ଚାହୁଁ ଚାହୁଁ କଥାଟା କଟକ ସାରା ରାଷ୍ଟ୍ର ହୋଇଗଲା । ଶଙ୍କର ଭାବୁଥିଲା–ବନୁ ପାଖରୁ ସେ ଦୂରକୁ କେମିତି ଚାଲିଯିବ । ଅନ୍ୟ କେହି ଯେପରି କଥାଟା ଜାଣିବାକୁ ନ ପାଏ । ଚରଣ କହିଲା–ଘରକୁ ଆସନ୍ତୁ ଯିବା, ଏଠାରେ ଠିଆହୋଇ ଲାଭ କ’ଣ ।

 

ଚରଣକୁ ଆଗରେ ସାଇକେଲରେ ଯିବାକୁ କହି ଶଙ୍କର ମୁହଁ ପୋତି ପୋତି ଚାଲିଲା ତା’ ଘରଆଡ଼େ । ଭାବୁଥିଲା–କ’ଣ ସେ କରିବ ?

 

କ’ଣ ସେ କରିବ ବା କ’ଣ ନକରିବା ଉଚିତ କିଛି ଠିକ୍‌ କରିନପାରି ଶଙ୍କରର ପାଦ ଆଗକୁ ଆଗକୁ ପଡ଼ୁଥିଲେ ବି ମନ ତା’ର ପଛେଇବାରେ ଲାଗିଥିଲା । ଚରଣ ଘରକୁ ଯିବା ଠିକ୍‌ ହେବ କି ନାହିଁ । ଯେତେହେଲେ ସେ ଡ୍ରାଇଭର ଲୋକ । ତା’ର ପୁଣି ପିଲାପିଲି ଅଛନ୍ତି । ଯିବାଟା ଉଚିତ ନୁହେଁ । ରାତି ଆସି ଏତେ ହେଲାଣି । ନଯିବାର ପୁଣି ଚାରା ନାହିଁ । କଥାବାର୍ତ୍ତା ହେଲେ କିଛିନା କିଛି ପନ୍ଥା ବାହାର କରିବାକୁ ପଡ଼ିବ । ଶଙ୍କର ମନେମନେ ଭାରି ବ୍ୟସ୍ତ ହେଉଥିଲା–କିଶୋର ତାକୁ ବଡ଼ ହଇରାଣରେ ପକେଇଲା ।

 

ଚରଣଟା ଭଲ ଲୋକ ଭଳି ଜଣାପଡ଼ୁଛି । ଏତେ ଆଗ୍ରହରେ ପୁଣି ଡାକୁଛି । ନିଶ୍ଚିତକୁ ଛାଡ଼ି ଅନିଶ୍ଚିତ ପଛରେ ଗୋଡ଼େଇବା ଭଲ ନୁହେଁ । ଏତେ ରାତିରେ ପୁଣି ସେ ଯିବ କୁଆଡ଼େ । ଶଙ୍କର ଠିକ୍‌ କଲା–ଚରଣ ଘରକୁ ଯିବ ।

 

ଚରଣ ସ୍ତ୍ରୀର ଗୋରା ତକ ତକ ହାତ ହଳକ ଓ ନାଲିପଚା ନଖଯାକ ତା’ ଆଖିଆଗରେ ଆସି ଝୁଲିଲା । ଭଲ କରି ନ ଦେଖିଲେବି ଶଙ୍କର ଠିକ୍‌ ଜାଣିଥିଲା–ସେମାନ କିପରି ଧରଣର ଲୋକ । ପିଲାପିଲି କେହି ନଥିବା ଭଳି ଜଣାପଡ଼ୁଥିଲା । ଏମିତି ଇଆଡ଼ୁ ସିଆଡ଼ୁ ବାରକଥା ଭାବି ଭାବି ବିନୋଦବିହାରୀ ଛକରୁ ସେଇ ଗଳିଭିତରେ ପଡ଼ିଥିବା ସିମେଣ୍ଟ ପଟା ଉପରେ ଚାଲି ଚାଲି ଚରଣ ଘର ପାଖରେ ପହଞ୍ଚିଲା ବେଳକୁ ସେ ଅପେକ୍ଷା କରିଛି ।

 

ଡ୍ରାଇଭର ହେଲେ କ’ଣ ହେବ ସେମାନଙ୍କର ରୁଚି ଓ ବ୍ୟବହାରରେ ଶଙ୍କର ସେଦିନ ବିଭୋର ହୋଇପଡ଼ିଲା । ଠିକ୍ ହେଲା–ଟ୍ରକ୍‍ଟା ଥାନାରୁ ଖଲାସ୍ ହେଲେ ମଧ୍ୟ କିଶୋର ବାବୁଙ୍କୁ କଥାଟା ନ ଜଣେଇ ଟ୍ରକ୍‍କୁ ବାହାରକୁ ନେବା ଭଲ ନୁହେଁ । କିଛି ବିପଦ ଆପଦ ଥାଇପାରେ । ଶଙ୍କର ଚରଣ କଥାରେ ହଁ ଭରିଲା ।

 

ଖିଆପିଆ ସାରିଦେ ଦାଣ୍ଡଘରେ ଖଟିଆଟିଏ ଉପରେ ପରାହୋଇଥିବା ବିଛଣା ଉପରେ ଶଙ୍କର ଗଡ଼ିପଡ଼ିଲା ବେଳେ ତାକୁ ଜଣାପଡ଼ିଲା-ଘରର ସେଇ ଘନ ଅନ୍ଧକାର ଭିତରେ ସାରା କଟକ ସହରଟା ମୂର୍ତ୍ତିମନ୍ତ ହୋଇ ତା’ ଆଗରେ ଅବା ଠିଆ ହୋଇଛି । ବହୁତଦିନୁ ଏଇ ସହର ସାଙ୍ଗେ ତା’ର ପରିଚୟ । କିନ୍ତୁ ଏଯାଏ ତାକୁ ଭଲଭାବରେ ସେ ବୋଧେ ଚିହ୍ନିନି । ଅନ୍ଧକାରକୁ ଚିହ୍ନିବାକୁ ଆଖିବୁଜି ଓ ଛାତ ଆଡ଼ିକି ଚାହିଁ ଚାହିଁ କେତେବେଳେ ଯେ ତାକୁ ନିଦ ଲାଗିଯାଇଛି ଶଙ୍କରର ମନେନାହିଁ ।

 

ସକାଳୁ ସକାଳୁ ଶଙ୍କରର ନିଦ ଭାଙ୍ଗିଗଲା । ଦେଖିଲେ–ସେ ଗୋଟିଏ ମଶାରି ଭିତରେ ଶୋଇ ରହିଛି । ରାତିରେ ଶୋଇଲାବେଳେ ତ ମଶାରିଟା ନଥିଲା । ଚରଣ ବୋଧେ ଟାଣିଦେଇଛି-। ଗଲା ରାତିରେ ବଡ଼ ହାଲିଆ ହୋଇ ସେ ଶୋଇଯାଇଥିଲା । ଜାଣିପାରିନି ।

 

ମଶାରି ଭିତରେ ଘୋଡ଼ିହୋଇ ସେ ଶୁଣିବାକୁ ପାଇଲା–କେମିତି ଗୋଟିଏ ଉଚ୍ଚାଙ୍ଗ ସଙ୍ଗୀତର ସ୍ୱର । ଶଙ୍କର କାନପାରିଲା–ମଶାରି ବାହାରେ ଘର ଭିତରଟା ମଶାରିରେ ଭରା । ସେଇମାନେ ହଜାର ହଜାର, ଲକ୍ଷ ଲକ୍ଷ ସଂଖ୍ୟାରେ ସମବେତ ସଂଗୀତ ଗାନ କରୁଥିଲେ । ଶଙ୍କର ଚରଣକୁ ମନେମନେ ଧନ୍ୟବାଦ ଦେଇ ମୁଣ୍ଡପାଖକୁ ଦାଣ୍ଡଆଡ଼ର ଝରକାଟା ଖୋଲିଦେଇ ଦେଖିଲା–ସକାଳ ପାହିଗଲାଣି ଅଥଚ ଫସରଫାଟିନି । ରାତିରେ ବହଳିଆ କୁହୁଡ଼ିର ବଳୟ ଭିତରୁ ସହରଟା ଆସ୍ତେ ମୁଣ୍ଡଟେକିବାକୁ ଆରମ୍ଭ କରିଦେଇଛି । ଠିକ୍‌ ଏତିକିବେଳେ ରେଳଇଞ୍ଜିନର ହୁଇସିଲ୍‌ଟା ତା’ କାନରେ ଆସି ବାଜିଲା । ରିକ୍‌ସାଟିଏ ଏକେଲା ଏକେଲା ସେଇ ରାସ୍ତାଦେଇ ଧାଇଁଗଲା ବେଳେ ଶଙ୍କର ଦେଖିଲା–ଭିତର ବାରେଣ୍ଡାରୁ ଆଲୁଅର ଧାରଟିଏ କବାଟ ଫାଙ୍କଦେଇ ଘରେ ଆସି ପଡ଼ିଛି । ଆଲୁଅ ଧାରଟା ଲମ୍ବିଯାଇଛି କାନ୍ଥ ଅଧଯାଏ । ବାରେଣ୍ଡାରେ ଯା’ଆସ କଲାବେଳେ ଆଲୁଅଟା ଅଳ୍ପ କମିଯାଇ କାନ୍ଥରେ ଆଗଭଳି ସେମିତି ଗାର ଟାଣୁଥିଲା । କାଚ ଝରଝଣ ଶବ୍ଦରୁ ସେ ବାରିନେଲା–ଚରଣ ସ୍ତ୍ରୀ ବୋଧେ ଉଠିଲାଣି । ଦାଣ୍ଡପଟିଆ ଝରକାଟା ମେଲା କରିଦେଇ ଶଙ୍କର ଖଟିଆଟା ଉପରେ ପୁଣି ଗଡ଼ିଗଲା । ଯୁଦ୍ଧ ଜୟ କରିସାରିଲେ ସୈନ୍ୟମାନେ ଯେମିତି ଗୀତ ବୋଲି ବୋଲି ଘରମୁହାଁ । ଫେରୁଥାଆନ୍ତି, ସକାଳର ଆଲୁଅ ଦେଖି ମିଶନ ବାହିନୀ ହଜାର ହଜାର ସଂଖ୍ୟାରେ ଗୀତ ଗାଇ ଗାଇ ସେଇ ଝରକାଦେଇ ଫେରୁଥିଲେ । ସେମାନଙ୍କୁ ଦେଖିଦେଇ ଶଙ୍କର ଭୟ କରିଗଲା । ସକାଳର ପତଳା କୁହୁଡ଼ି ଘର ଭିତରକୁ ପଶିଆସିଲା ବେଳେ କେତେ କେତେ ଭାବନା ତା’ ମନ ଭିତରକୁ ଉବୁକେଇ ଆସୁଥିଲା ।

ହଠାତ୍‌ ମନେପଡ଼ିଗଲା–ତା’ର ବ୍ୟାଗ୍ । ଯୋଉଥିରେ ତା’ ଜମି କବାଲାତକ, ଚାକିରିରୁ ଡିସ୍‌ଚାର୍ଜ ସାର୍ଟିଫିକେଟ୍ ଓ କଣ୍ଟ୍ରାକ୍‌ଟରୀ ଲାଇସେନ୍‌ସ୍‌ଟା ଓ ପଇସାପତ୍ର ଅଳ୍ପ ବହୁତେ ଅଛି କେଇଦିନ ଚଳିବାପାଇଁ । ହାତଖର୍ଚ୍ଚ ତା’ ପକେଟରେ । ତା’ ସାଙ୍ଗକୁ କିଶୋର ଦେଇଥିବା ଆଟାଚିଟା-। କ’ଣ ତା’ ଭିତରେ ଅଛି କେଜାଣି ? କିଶୋର ଘର ଆଲମାରିରେ ସେ ଚାବିଦେଇ ଆସିଛି । ତଥାପି ସେ ସେମିତି ଅଛି ନା କିଏ ତାକୁ ଚାବିଭାଙ୍ଗି ନେଲାଣି ? କେଜାଣି ? କିଶୋର ସ୍ତ୍ରୀ ସାଙ୍ଗେ ତା’ର ଆଳାପ ଆଲୋଚନା ନାହିଁ । ଶଙ୍କର ଠିକ୍‌ କଲା ସେଇଟାକୁ ଯାଇ ସେ ନେଇଆସିବ । ପୁଣି ଭାବିଲା–ବ୍ୟାଗ୍‌ଟା ସିନା ଆଣିବ । ଆଟାଚଟା ସେ ଆଣିବନି, ନ ଆଣିବା ହିଁ ଭଲ । ଟ୍ରକ୍ ତ ବର୍ତ୍ତମାନ ଯାଇପାରୁନି । କିଶୋର କଲିକତାରେ ତେଣେ ଅପେକ୍ଷା କରିଥିବ । ଏମିତି କେତେ କ’ଣ ଭାବି ଶଙ୍କର ଠିକ୍‌ କଲା ଚରଣକୁ ସେ କଥାଟା ପଚାରିବ ।

ପର ମୁହୂର୍ତ୍ତରେ କିଏଜଣେ ତା’ ମନ ଭିତରୁ ମନା କଲା । ଯେତେହେଲେ ତ ଡ୍ରାଇଭର ଲୋକ । ଆଟାଚିଟା ତାକୁ ଦେଇଛି ବୋଲି କିଶୋର ତା’ ସ୍ତ୍ରୀକୁ ହୁଏତ କହିନଥିବ । ଚରଣକୁ ସେ କେମିତି କହିଦେବ ? ସେଥିରେ କିଛି ଭଲମନ୍ଦ ଥାଇପାରେ ? ନାଁ–ଚରଣକୁ ପଚାରିବା ଭଲ ନୁହେଁ-

ତା’ର ସ୍ତ୍ରୀ ଓ ଛୋଟପିଲା ଦିହେଁ ଶଙ୍କରର ଆଖିଆଗରେ ଆସି ନାଚିଲେ । କେତେଦିନ ହେଲା ସେ ଘରୁ ଆସିଲାଣି । ଟଙ୍କା ପଇସା ସେ ତାଙ୍କୁ ଅବଶ୍ୟ ଦେଇଆସିଛି । କିଶୋର ଦେଇଥିବା ଟଙ୍କାରୁ କିଛି । ତା’ର ପେନ୍‌ସନ୍‌ଟା ଏଯାଏଁ ଠିକ୍‌ ହେଲାନି । କମ୍ପଲସରି ରିଟାୟାରମେଣ୍ଟ ପରେ ସେ ଆଉ ଅଫିସର ଦୁଆର ମାଡ଼ିନି । ଯିବାକୁ ତାକୁ ଭଲ ଲାଗେନି, କେମିତି ଲାଜମାଡ଼େ । ତଥାପି ଦଉଡ଼ଧାପଡ଼ ନ କଲେ ନ ଚଳେ । ପ୍ରଭୋଡ଼େଣ୍ଟ ଫଣ୍ଡ୍ ଟଙ୍କାଟା ମଳିଗଲେ ସୁବିଧା ହୋଇଯାଆନ୍ତା । ସିଏ ତ ଅଛି ବଡ଼ ଝିଅ ପାଇଁ । ପୁଅଟା ବି.ଏ ପାଶ୍ କରି ଖାଲିଟାରେ ବୁଲୁଛି । କୁଆଡ଼େ କେତେ ଦରଖାସ୍ତ ପକେଇଲାଣି, ଚାକିରିଟାଏ ଏଯାଏଁ ଜୁଟିଲାନି । କୁଆଡ଼େ କିଛି ସୁବିଧା ନ ହେଲେ କିଶୋରକୁ କହିବ ବୋଲି ଭାବିଥିଲା । କିନ୍ତୁ ନିଜ ବିଷୟ ତ ଏଣେ ଟଳମଳ ହେଲାଣି । ପୁଅ କଥା ପୁଣି କହିବ ? ନାଁ ସେ କହିବନି । କିଶୋର ଦୟା କରିବାକୁ ସେ ଦେବନି । ନିଜ ସିଙ୍ଗରେ ସେ ମାଟି ତାଡ଼ି । ତଥାପି ବୟସ ହୋଇଯାଉଛି । ଚାକିରି ଖଣ୍ଡେ ଏତିକିବେଳୁ ନ ଧରିଲେ ତେଣିକି ଅସୁବିଧା । ତା’ ଚାକିରି ଗଲାଦିନୁ ପୁଅର ମୁହଁ କେମିତି ଶୁଖିଯାଇଛି । ପ୍ରାଣପଣେ ସେ ଚାକିରି ଖୋଜିବାରେ ଲାଗିଛି । ପୁଅଟାକୁ କିଛି ଗୋଟେ ଚାକିରି ଜୁଟିଯାଆନ୍ତା ଓ ଝିଅଟା ପରଘରକୁ ଚାଲିଗଲା ପରେ ଛୋଟ ପିଲାଙ୍କ କଥା ଦେଖାଅଛି । ପୁଅ ସେମାନଙ୍କୁ ଉଡ଼େଇନେବ । ତାଙ୍କ କର୍ମଫଳ ସେମାନେ ଭୋଗ କରିବେ । ଆମେ ସିନା ଜନ୍ମ ଦେଇଛୁ, ଭାଗ୍ୟଫଳ ତ ଆମ ହାତରେ ନାହିଁ । ଶଙ୍କର ନିଜ ମୁହଁଟାକୁ ଚାଦର ଭିତରେ ଢାଙ୍କିରଖି କେତେ କ’ଣ ଏମିତି ଭାବୁଥିଲା ।

ଭିତରପଟ ବାରେଣ୍ଡାରେ କାହାର ପାଦଶବ୍ଦ ଶୁଣାଗଲା । ଦେଖିଲା–କାନ୍ଥ ଅଧଯାଏ ଗାର କାଟିଥିବା ଆଲୁଅଟା ଲିଭିଗଲାଣି । ଚରଣ ବୋଧେ ଉଠିଲାଣି । ଶଙ୍କର ଖଟିଆରୁ ଉଠିଯାଇ ବାହାର ବାରେଣ୍ଡାରେ ପଦଚାରଣ କରିବାକୁ ଆରମ୍ଭ କରିଦେଲା ।

ଆଘାତ ଲାଗିଲେ କି ବାହାର ଆକ୍ରମଣ ହେବାର ଭୟ ଥିଲେ କଇଁଛ ତା’ ଖୋଳପା ଭିତରେ ନିଜର ମୁଣ୍ଡ ଓ ଗୋଡ଼ ସବୁକୁ ଯେମିତି ଲୁଚେଇ ରଖେ ଓ ପିଠିପଟିଆ ତାକୁ ଓଲଟେଇ ଦେଲେ ସେ ଅଥର୍ବ ହୋଇପଡ଼ିଥିବା ଭଳି ଶଙ୍କର ପଦଚାରଣ ବେଳେ ଅନୁଭବ କରୁଥିଲା–ସିଏ ଅବା ପିଠିପଟିଆ ଓଲଟି ପଡ଼ିଥିବା ଗୋଟିଏ କଇଁଛ ଭଳି ତାର । ଚଳଣି, ଆଚାର ବ୍ୟବହାର, ସଂସ୍କାର ଓ ବ୍ୟକ୍ତିତ୍ୱ ସାଙ୍ଗେ ତା’ର ଜୀବନ ଓ ଭବିଷ୍ୟତର ଆଶା ଓ ଭରସାତକ ସବୁକିଛି ତା’ ନିଜ ଭିତରେ ସେ ଲୁଚେଇ ରଖିଛି ଅବସ୍ଥା ଚକ୍ରରେ । କମ୍ପଲସରି ରିଟାୟାରମେଣ୍ଟ ଆଘାତରେ ସେ ଓଲଟି ପଡ଼ିଛି । ସାହାଭରସା ନାହିଁ, କିଛି ନାହିଁ । ଅପେକ୍ଷା କରି କେବଳ ସେ ପଡ଼ିରହିଛି । କିଶୋର ପାଖରେ ଆସି ଆଉଜିଯାଇଛି ।

 

ଶଙ୍କର ସିଗାରେଟ୍‌ରେ ଅଗ୍ନି ସଂଯୋଗ କରି ବହଳିଆ ଧୂଆଁକୁ ତୋଟି ଭିତରକୁ ନେଇ ବାହାରକୁ ଭୁସ୍‌ଭାସ୍‌ ଛାଡ଼ୁଥିଲା ଓ ସିଗାରେଟ୍‌ ଧୂଆଁର ଫୁଟିକିଆ ବାଡ଼ିରେ ତା’ର ଆଗାମୀ ଜୀବନର ଦୈର୍ଘ୍ୟକୁ ଅବା ସେ ମାପି ଲାଗିଥିଲା ଶୋଇରହି ।

 

ପଛରେ ବହୁତ, ପଛରେ ପଡ଼ି ରହିଥିଲେ ଗୌରୀବାବୁ । ସକାଳର ପାତେଳା କୁହୁଡ଼ି ଭିତରେ ପହଁରି ପହଁରି ସେ ଅବା ଆସି ଦେଖାଦେଲେ, ବାରେଣ୍ଡାରୁ ଦେଖାଯାଉଥିବା ଚେନିଏ ଆକାଶରେ । ତା’ ଅପେକ୍ଷା ଚାକିରିରେ ସେ ସାତ ବର୍ଷ ଜୁନିଅର । କ’ଣ ସେ ଏତେବର୍ଷ କାମ କରୁଥିଲେ ଭଗବାନଙ୍କୁ ଜଣା । ଧାଡ଼ିଏ ଶୁଦ୍ଧ ଭାଷାରେ ସେ ଲେଖିପାରିବେନି କି କୌଣସି ଗୋଟିଏ ବିଷୟରେ ତାଙ୍କର ସଠିକ୍‌ ଧାରଣା ନାହିଁ । ବଡ଼ବଡ଼ିଆ ଅଫିସରମାନଙ୍କ ଘରକୁ ତାଙ୍କର ଅହର୍ନିଶି ଖାଲି ଧାଁଧପଡ଼ । ବିଶେଷ ପାରଦର୍ଶିତା କ୍ରିକେଟ୍‌ ଖେଳ ବିଷୟରେ । କୋଉ ଖେଳରେ ଇଣ୍ଡିଆ କେତେ ରନ୍‌ରେ ଜିତିଥିଲା, କିଏ କିଏ ଖେଳୁଥିଲେ । ସେମାନଙ୍କର ବ୍ୟକ୍ତିଗତ ଜୀବନ ସବୁକିଛି ଗୌରୀବାବୁ ମନେରଖିଥିଲେ । କିନ୍ତୁ ଅଫିସ୍ କାମ ବିଷୟରେ କିଛି ତାଙ୍କର ମନେରହେନି-। କହନ୍ତି, ତାଙ୍କର ଛାତ୍ର ଜୀବନରେ ସେ ଜଣେ ପ୍ରସିଦ୍ଧ କ୍ରିକେଟ ଖେଳାଳି ଥିଲେ । କଟକ ଷ୍ଟାଡ଼ିୟମରେ ଖେଳିଛନ୍ତି । କ୍ରିକେଟ ଖେଳର ପାହାଚ ଉପରେ ଚଢ଼ି ସେ ବଡ଼ ଚାକିରିରେ ସୁପ୍ରତିଷ୍ଠିତ ହେବାର କଥା । ଭାଗ୍ୟ ଖରାପ–ଏଯାଏ ତାଙ୍କ ପ୍ରତିଭା କେହିହେଲେ ଜାଣିଲେନି । ସିନେମା ଜଗତରେ ଗୌରୀବାବୁଙ୍କର ପ୍ରଚୁର ପ୍ରବେଶ ଅଛି । ସେ କହନ୍ତି–ପିଲାଦିନୁ ସ୍କୁଲ କଲେଜ ଜୀବନରୁ ଥିଏଟର୍‌ରେ ତାଙ୍କର ବଡ଼ ସଉକ୍ ଥିଲା । ଅବସ୍ଥାଚକ୍ରରେ ସେ ଅଫିସ୍‌ରେ ଆସି ଆଉଜି ଯାଇଛନ୍ତି । ଅଫିସ୍ ଡ୍ରାମାରେ ଦି’ ତିନିଥର ସୁନ୍ଦର ପାର୍ଟ କରିଛନ୍ତି । ରବୀନ୍ଦ୍ର ମଣ୍ଡପରେ ନାଟକ ସମାରୋହରେ ତାଙ୍କୁ ନିମନ୍ତ୍ରଣ ଆସେ । ଥରୁଟିଏ ସେ କଲିକତା ଯାଇଥିଲେ । କହନ୍ତି–ଆମର ଏଠି ନାଟକ ଓ ସାହିତ୍ୟ ଆଦିରେ ମଧ୍ୟ ଦଳାଦଳି । କିଏ ଯେବେ ଆଗକୁ ଚାଲିଗଲା, ଅନ୍ୟମାନେ ତା’ର ଗୋଡ଼ ଭିଡ଼ିଦେବାରେ ଛାଡ଼ନ୍ତିନି । ସବୁ କ୍ଷେତ୍ରରେ ସେଇ ଏକା କଥା । ଗୌରୀବାବୁ ଏମିତି କହିଚାଲିଲା ବେଳେ ଅନ୍ୟମାନଙ୍କଠାରୁ ତାଙ୍କ କୃତିତ୍ୱକୁ, ନିଜର କଥାକୁହାଳିଆ ପଣରେ ଛଡ଼େଇଆଣନ୍ତି । କହିବା ଭଙ୍ଗିରେ ନିଜକୁ ନିଜେ ସାବାସ୍‌ କରନ୍ତି । ପତଳା ଟୁକ୍‌ଟୁକ୍‌, ନହକା ହଳଦିଆ ଗୋରାରଙ୍ଗର ଗୌରୀବାବୁ । ତାଙ୍କର ଶୁଆନାକ, ବେକ ତଳକୁ ଓ କାନ୍ଧ ଉପରେ ଘୋଡ଼େଇ ହୋଇପଡ଼ିଥିବା କେରା କେରା ଲମ୍ବା ଲମ୍ବା ବାଳ ସନ୍ଧିରୁ ଗାଲ ଶେଷ ମୁଣ୍ଡକୁ ଛୁଇଁଥିବା ମୋଟାମୋଟା କଲକି ଯିଏ ଦେଖିଛି କେହି ତାଙ୍କୁ ଭୁଲିପାରନ୍ତିନି । ସେଇତକ ହେଲା ଗୌରୀ ବାବୁଙ୍କ ବ୍ୟକ୍ତିତ୍ୱ । ଭୋଜି ଭାତ କି ଟି’ପାର୍ଟି ହେଲେ ଗୌରୀବାବୁଙ୍କ ଉପସ୍ଥିତି ଅପରିହାର୍ଯ୍ୟ ଏକାନ୍ତ ବାଞ୍ଛନୀୟ । ଲୋଭନୀୟ ଚେହେରା ଓ ଟିପ୍‌ଟପ୍ ପୋଷାକପତ୍ର ପିନ୍ଧି ଗୌରୀବାବୁ ଆସିନଥିଲେ ତାଙ୍କ ପାଇଁ ଗାଡ଼ି ସବୁ ଛୁଟିଯାଏ । ଭୋଜି ଭାତଟା ଜମେନି । ଅଫିସ୍‌ରେ, ବାହାରେ ବନ୍ଧୁ ମେଳରେ ସେ ଜଣେ ଅପରିହାର୍ଯ୍ୟ ବ୍ୟକ୍ତି ।

 

ସେ ଅଫିସ୍‌ରେ ଥିଲାବେଳେ ଆସିଥିଲା ଗୋଟିଏ ପ୍ରମୋଶନ ପୋଷ୍ଟ । ସାରା ଡିପାର୍ଟମେଣ୍ଟରେ ଶଙ୍କର ଥିଲା ସମସ୍ତଙ୍କଠୁ ସିନିଅର । ପ୍ରମୋଶନଟା ସେ ପାଇବା କଥା । କିନ୍ତୁ ସେ ବର୍ଷ କାହାରି ପ୍ରମୋଶନ ହେଲାନି । ଅବସର ନେବାର ମାସ କେଇଟା ପରେ ଗୌରୀବାବୁଙ୍କ ମୁଣ୍ଡରେ ସୂନାକଳସ ଢଳାହେଲା । ଶଙ୍କରଠୁ ସେ ଥିଲେ ବହୁତ ପଛରେ । ନିର୍ଭୁଲ ଭାବରେ ଧାଡ଼ିଟିଏ ଲେଖି ଆସିବନି । ସେ ହେଲେ ଅଫିସର । ହଜାରେ ଟଙ୍କା ଦରମା । ବହୁତ ଲୋକଙ୍କୁ ଟପି ଆସିଛନ୍ତି । ସେମାନଙ୍କ ମୁଣ୍ଡରେ ଗୋଡ଼ ରଖି ରଖି ଗୌରୀବାବୁ କାନ୍ଧରେ ଡେଣା ଲଗେଇ ଧାଡ଼ି ଭିତରକୁ ସଭା ଆଗକୁ ଉଠିଆସିଲେ । ଆଦବ୍‌ କାଇଦା ବଜାୟ ରଖି ଫାଇଲ୍‌ରେ ଦସ୍ତଖତ ମାରିଲେ ଚଳିଲା । ଚଉକି ଉପରକୁ ନ ଆସିଲା ଯାଏ ଯାହା କିଛି ଭିଡ଼ାଓଟରା । ଥରେ ଆସି ବସିଗଲେ ସଲାମ୍ ଓ ନମସ୍କାର ଆଦି ଗ୍ରାନାଇଟ୍ ମେଟାଲ, ମୋରମ ଭଳି ଚଢ଼ା ଦରମାର ସିମେଣ୍ଟରେ ମିଳିମିଶି ଆସନଟା ଦୃଢ଼ୀଭୂତ କରିଦିଏ । ଥରେ ଜାବ ପଡ଼ିଗଲେ ଆଉ ହଲିବାର ନୁହେଁ । ଭାଙ୍ଗିବାର, ଟଳିବାର ନୁହେଁ । ଜୀବନସାରା ସେଇ ଚଉକିଟା ଉପରେ ବସିରହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ଭଳି ଚଉଦିଗରେ ଅଧୀଶ୍ୱର ସାଜିବାକୁ ପଡ଼େ ।

 

ବାହାର ବାରେଣ୍ଡାରେ ଅହେତୁକ ପଦଚାରଣ କରୁ କରୁ ଓ ନିରୁଦ୍ଦେଶ୍ୟରେ ପୁଳାକୁ ପୁଳା ସିଗାରେଟ୍ ଟାଣି ଧୂଆଁ ଗୁଡ଼ାକ ଭସ୍ ଭସ୍ ଛାଡ଼ୁଥିଲାବେଳେ ଶଙ୍କର ଧରିନେଇଥିଲା–ଚାକିରିରୁ ତାକୁ ବାହାର କରିଦେବାଟା ଆକସ୍ମିକ ନୁହେଁ । ଗୋଟିଏ ସୁଚିନ୍ତିତ ଯୋଜନା । ଜାଣିଶୁଣି ତା’ ପିଲାବିଲାଙ୍କୁ ସେମାନେ ବଡ଼ଦାଣ୍ଡରେ ବସେଇଛନ୍ତି । ତା’ମନର ହା ହୁତା, ଅସନ୍ତୋଷ, ଜୀବନ ସରିଆସିଲା ବେଳକୁ ପୁଣି ତା’ ପାଇଁ ସଂଗ୍ରାମ, ସଂଗ୍ରାମ ତ ନୁହେଁ, ଜୀବନକୁ ଡରି ଡରି, ହାତେ ମାପି ଚାଖଣ୍ଡେ ଚାଲି, ଜଗିରଖି କଥା କହି, ଚାରିଆଡ଼ିକି ନଜର ରଖି, ଫାଙ୍କା ହାଉଆ ମାରି ପିଲା ଗୁଡ଼ାଙ୍କୁ କାନ୍ଧରେ ଧୋବା ଗଣ୍ଡିରା କରି କେତେଦିନ ସେ ଏମିତି ଚାଲିଥିବ ? ସେଇଥିପାଇଁ ଅଫିସ୍ ଆଡ଼େ କେବେହେଲେ ସେ ଯାଇନି । ଚିହ୍ନା କିଏ ଆଗରୁ ଦେଖା ମିଳିଗଲେ ଶଙ୍କଛ ମୁହଁ ବୁଲେଇଦିଏ । ପଚିଶ ବର୍ଷର ଚାକିରିଆ ଜୀବନଟାକୁ ଭୁଲିଯିବା ପାଇଁ ଯେତେ ଚେଷ୍ଟା କଲେ ବି ସେ ତା’ର ଆତ୍ମା ଭିତରେ ଅବା ପ୍ରବେଶ କରିଛି । ତାକୁ ଛନ୍ଦ ଧରିଛି ।

 

ସାମ୍ନା ଘର ଆଗର କ୍ରୋଟେନ ଗଛକୁ ଛନ୍ଦି ଧରିଥିଲା–କଅଁଳିଆ ଶିମ୍ବ ଗଛର ତାଙ୍କ ସବୁ ଲେଛା ଲେଛା ଫୁଲର ସମ୍ଭାର ନେଇ ଆଜ୍‌ବେସ୍‌ଷ୍ଟସ୍ ଚାଳିଆ ଉପରେ ଝୁଲି ଝୁଲି, ମୁଣ୍ଡ ହଲେଇ, ଲୋଟିପଡ଼ି, ଚାଳରୁ ଦୋଳି ଖେଳୁଥିଲାବେଳେ ସକାଳର ଗୋଲାପି ଖରା ତା’ ଉପରେ ତୁଳି ମାରି ଦେଉ ଦେଉ ଘରଆଡ଼ୁ ପଶିଆସିଲା ଚରଣ ଦାସ ଲସରପସର ହୋଇ ।

 

ଦାନ୍ତକାଠିରେ ଦି’ତିନି ଘୋରା ମାରିଦେଇ ସାମ୍ନାଘରର ଲେନ୍ଥା ଲେନ୍ଥା ଶିମ୍ବଫୁଲ ଆଡ଼ିକି ଚାହିଁଦେଲାବେଳକୁ ଚରଣ ଚା’କପେ ବଢ଼େଇ ଦେଇ ଘର ଭିତରକୁ ପୁଣି ପଶିଗଲା । ଶଙ୍କର ଭାବୁଥିଲା–ମିଛଟାରେ ସେମାନଙ୍କୁ ବଡ଼ ହଇରାଣରେ ସେ ପକେଇଲା । ଆଉ କୋଉଠି ରାତିକି ରହିଯାଇଥିଲେ ଚଳିଥାନ୍ତା ।

 

ଚା’ କପ୍‌ଟା ନିଃଶେଷ କରୁ ନ କରୁ ସାମ୍ନା ଘରର ଦଦରା ଦୁଆର ମେଲେଇ ଚେକ୍‌ ଲୁଙ୍ଗିପିନ୍ଧା ଲୋକ ଜଣେ ତା’ ଆଡ଼ିକି ଚାହିଁ ଚାହିଁ ରାସ୍ତା ଧରିଲେ । ତାଙ୍କ ଓଠମୂଳରୁ ବଙ୍କେଇ ଯାଇଛି ଦି’ଧାଡ଼ି ଗାଢ଼ କଳା ରଙ୍ଗର ଚୂନା ଚୂନା ଦାଢ଼ି ଅର୍ଦ୍ଧ ବୃତ୍ତ ଆକାରର । ତାଙ୍କ ପଛେ ପଛେ ଆଉଜଣେ । ଘରଟାର ଇଟାସବୁ ଦେଖାଯାଉଥିଲା । ଚୂନ ସୁରୁକି ଝଡ଼ିପଡ଼ି ତା’ର ମୁମୂର୍ଷ ଅବସ୍ଥା । ଲୋକ ଦିହେଁ ଆଲାମଚାନ୍ଦ ବଜାର ଆରପଟର ମସ୍‌ଜିଦ ଗଳିଆଡ଼େ ବୋଧେ ଯାଉଥିଲେ ଘର ଭିତରୁ କିଏଜଣେ କାଶୁଥିଲା । ପାଖଘରଟା ଦୋତାଲା କୋଠା, ଭିତରୁ ଦୁଆର ଝରକା ସବୁ ବନ୍ଦ ଥିଲା । ଦେଖିଲେ ମନେହେଉଥିଲା–ଘରଟା ନିଜ ଗୌରବର ଦିନେ ଟେକ ରଖିଥିଲା । କାହାର କେଜାଣି ? ଏବେ କିନ୍ତୁ ତା’ର ସେ ବିଭବ ଆଉ ନାହିଁ । ରୋମ ଓଟରା କୁକୁଡ଼ା ଭଳି ସେ ରୋଗଣା ଓ ଦରମଲା ହୋଇ ପଡ଼ିରହିଛି କେବଳ । ରାତିରେ ସେଇ ଘରର ବାରେଣ୍ଡାରେ ଆଶ୍ରା ନେଇଥିଲେ କେତେ କେତେ ବାରବୁଲା ଲୋକ, କନା-ବୁଜୁଳା ସବୁ ସାଙ୍ଗରେ ଧରି । ଶଙ୍କର ବାରେଣ୍ଡାରୁ ଲକ୍ଷ୍ୟ କଲା–ଲୋକଗୁଡ଼ାକ ସେଯାଏ ବି ଉଠିନଥିଲେ ।

 

ବାରେଣ୍ଡା ଶେଷମୁଣ୍ଡରୁ ଅନେଇଲେ ଛକ ମୁଣ୍ଡର ଚା’ ଦୋକାନିଟିଏ ଅସ୍ପଷ୍ଟ ଦେଖାଯାଉଥିଲା । ଚାଳିଆ ଘରୁ ଧୂଆଁର କୁଣ୍ଡଳୀ ଉଠି ଦୂରର ଓ ପାଖଆଖର ଲୋକମାନଙ୍କୁ ନିମନ୍ତ୍ରଣ କରୁଥିଲା–ସକାଳ ସକାଳର ଚା, ଟିକିଏ ଆସି ବସି ଯାଉ ଯାଉ ମସ୍‌ମସିଆ ଗରମ ବରା ଓ ଲାଲ ଟହଟହ ପିଆଜ । ଶଙ୍କର ଲକ୍ଷ୍ୟକଲା ଜଣେ ଦି’ଜଣେ ଦୋକାନ ବେଞ୍ଚରେ ଯାଇ ବସିଲେଣି । ବାହାରେ କେଇଜଣେ ରାସ୍ତାରେ ଗପ ଜମେଇଛନ୍ତି । ନଜରଟା କିନ୍ତୁ ଚା’ ଉପରେ ।

 

ବାରବୁଲା କୁକୁରଟିଏ ଏତିକିବେଳେ ତୀର ବେଗରେ, ନିଶ ଫୁଲେଇ, ଆଖି ତରାଟି, ଭୋ ଭୋ ଭୁକି ଭୁକି ଦଉଡ଼ିଗଲା । ଆଉ ଗୋଟିଏ କାଳିଆ କୁକୁରର ପିଛା ଧରି ଧରି ତୀର ବେଗରେ ସେ ଛୁଟିଥିଲା ତା’ର ଅଧିକୃତ ଅଞ୍ଚଳରେ ଶେଷଯାଏ, ଛକ ମୁଣ୍ଡଯାଏ । ସୀମା ସରହଦ ଡେଇଁ ଆସିଥିବା ଆକ୍ରମଣକାରୀ କୁକୁରଟି ଲାଙ୍ଗୁଡ଼ଯାକି ଧାଇଁଥିଲା । ଦଉଡ଼ି ପଳେଇଲେ ବଞ୍ଚିଯିବ-

 

ଚରଣ ଆସି ଡାକିଲା ବେଳକୁ ଶଙ୍କର ଇଆଡ଼େ ଲକ୍ଷ୍ୟ କରିବାରେ ଲାଗିଛି । ଗାଧୁଆପାଧୁଆ ସାରିଦେଲେ ସେମାନେ ବାହାରିପଡ଼ିବେ । ଦଉଡ଼ାପଡ଼ା କରିବାକୁ ପଡ଼ିବ ଥାନାବାଲାମାନେ କିଶୋରକୁ ଭଲରୂପେ ଜାଣନ୍ତି । ଟ୍ରକ୍ ତାଆରି । ବେଶି ଅସୁବିଧା ହେବନି । ତଥାପି ଥାନା କଥା । କେତେ କ’ଣ କାମ ଥିବ । ଶଙ୍କରର ସେ ବିଷୟରେ ଅଭିଜ୍ଞତା ନାହିଁ । ଚରଣ କହିଲା–ସିଏ ଯିବା ଦରକାର ନାହିଁ । କାମଟା ତାକୁ ବଳେଇବନି ।

 

ଶଙ୍କର ଘର ଭିତରକୁ ପଶିଗଲାବେଳେ ରୋଷେଇ ଘରର ଝରକା ଆରପଟେ ଲକ୍ଷ୍ୟକଲା–ଚରଣ ସ୍ତ୍ରୀର ଭ୍ରୂଲତା ହସୁଛି । ତା’ର ଶାଢ଼ି ହସୁଛି, ଲଙ୍ଗଳା ବାହାଫାଳକ ବି ହସୁଛି । ଝରକା ସାଙ୍ଗେ ସାଙ୍ଗେ ରୋଷେଇ ଘରଟା ଅବା ମୁହୂର୍ତ୍ତେ ଯାଏଁ ହସିଉଠିଲା । ଚରଣ ସେତେବେଳେ ଆଗରେ । ଶଙ୍କରକୁ ବାଟକଢ଼େଇ ନେଉଥିଲା । ସ୍ତ୍ରୀ ତା’ର ରୋଷେଇବାସରେ ବ୍ୟସ୍ତ ଥିଲା ।

 

ଚରଣର ଶୋଇଲାଘରେ ଆଖିପଡ଼ିଗଲା ବେଳେ ଶଙ୍କର ଦେଖିବାକୁ ପାଇଲା–କାନ୍ଥଯାକ କାଲେଣ୍ଡରରେ ଭର୍ତ୍ତି । ଦୁଆର ସାମ୍ନା ଡ୍ରେସିଂ ଟେବୁଲରେ ବେଳେ ଉଚ୍ଚଯାଏ ଲମ୍ବା ଦର୍ପଣଟିଏ ଲାଗିଛି । ପଲଙ୍କ ଆଲମାରିରେ ଘରଟା ଭରପୂର । ବାହାର ବାରେଣ୍ଡାର କଣକୁ କରି ଜମିରହିଛି କାର ଟାକ୍‌ସିର ସ୍ପେୟାର ଫାର୍ଟସ, ତିନିଚାରିଟା ପାଞ୍ଚଲିଟରିଆ ପେଟ୍ରୋଲ ଟିଣ, ଡେକେଚି କରେଇ, କାଠ ତାବଲାଟାଏ ଭିତରେ ପୁରୁଣା ଚପଲ ଓ କାନଭାସ୍ ଜୋତାସବୁ ଭରି ରହିଛି, ତାଳତାଟି ଘେର ଭିତରେ ଗାଧୁଆଘର, ଲୁଙ୍ଗିଗାମୁଛା ସବୁ ସଜାହୋଇ ରହିଛି, ବାସ୍ନା ନଡ଼ିଆତେଲ ଶିଶି ଓ ସାବୁନ୍ କେସ୍ । ଢାଳଟା ଥିଲା ରୋଷେଇଘରେ । ଚରଣ ମାଗିଆଣିଲା ବେଳକୁ ପୁଣି ସେଇ ଗୋରା ତକତକ ହାତଟି ଶଙ୍କର ଦେଖିନେଲା । ନଜର ପଡ଼ିଗଲା ଚରଣ ସ୍ତ୍ରୀ କେଶ ପ୍ରସାଧନ ଉପରେ । ଆଚାର ବ୍ୟବହାର ଓ ରୁଚି ସେମାନଙ୍କର ଉଚ୍ଚସ୍ତରର । ଚରଣ ଡ୍ରାଇଭିଂଟାକୁ ଜୀବିକା କରି ଧରିନେଇଛି । ହେଲେ ସେ ଅନ୍ୟମାନଙ୍କ ଭଳି ନୁହେଁ । ତା’ର ଡାଲିଚଟୁ ମୁହଁ ସାଙ୍ଗକୁ ଭୋଡ଼କା ନାକ ତା’ ସ୍ତ୍ରୀର ଠାଣି ସାଙ୍ଗେ ଖାପଖାଉନଥିଲେ ବି ନିଜର ସଂସାରରେ ସେମାନେ ମସଗୁଲ । ମାପିଚୁପି ଚଳୁଥାଆନ୍ତି । ଜଣାପଡ଼େ ଗୋଟିଏ ସୁଖୀ ପରିବାର-

 

କାମଦାମ ସାରିଦେଇ ଚରଣ ସାଇକେଲ ଧରି ଚାଲିଲା ଲାଲବାଗ୍‌ ଥାନା । ବାଲୁବଜାର ଦେଇ ହାଇକୋର୍ଟ ଡେଇଁଗଲେ । ଶଙ୍କର ଯିବା ଦରକାର ନାହିଁ । ବରଂ ମଙ୍ଗଳାବାଗ କିଶୋର ଘରକୁ ଗଲେ ସେ ବ୍ୟାଗ୍ ଓ ଆଟାଚିଟା ନେଇ ଆସିପାରିବ । ତା’ପରେ ସେ କ’ଣ କରିବ ବା ନ କରିବ ପରକଥା । କିଶୋର ଫେରିଲେ ଯାଇ ଯାହା କିଛି ବ୍ୟବସ୍ଥା । ତାକୁ ଜଣେଇଦେଲେ ଚଳନ୍ତା । କିନ୍ତୁ ତା’ର ଠିକଣା କେବଳ ତା’ଛଡ଼ା ଆଉ କେହି ଜାଣନ୍ତିନି । ଏଇନେ କଲିକତାରେ ଥିବ ତ ପର ମୁହୂର୍ତ୍ତରେ ସେ ଯାଇ ବମ୍ବେ କି ଦିଲ୍ଲୀରେ ।

 

ସେମାନେ ଘରୁ ବାହାରିଲା ବେଳକୁ ସାଢ଼େ ନ’ବାଜି ଦଶଟା ପାଖାଆଖି । ବଜାରଘାଟରେ ଗାଡ଼ି ଘୋଡ଼ାର ଭିଡ଼ । ଲୋକ ସମାଗମ ବଢ଼ି ଚାଲିଲାଣି । ସହରଟା ଚେଇଁଉଠୁଛି-। ରିକ୍‌ସା ଖଣ୍ଡେ ଧରି ଶଙ୍କର ସିଧା ଚାଲିଲା ମଙ୍ଗଳାବାଗ୍ ।

 

କିଶୋର ଦୁଆରମୁହଁରେ ହେଲାବେଳକୁ ଭୁକି ଭୁକି ଓ ଲୁହା ଶିକୁଳିଟାକୁ ଭିଡ଼ି ଓଟାରି ଉହୁଁକି ଆସୁଥିଲା ଆଲସେସିଆନ୍ କୁକୁରଟା । ସ୍ତ୍ରୀଲୋକ ଜଣେ ଦୋତାଲା ଉପରୁ ଅନେଇଦେଲା ବେଳକୁ ଜଣେ କିଏ ଚିହ୍ନିଲା ଆଖିରେ କିଛି ନ କହିପାରି କେବଳ ପ୍ରଶ୍ନକଲା–ଠିଆଠିଆରେ ଦୋଦୋ ଚିହ୍ନି ଓ ହାତ ମଳିମଳି ।

 

ଶଙ୍କର କହିଲା–ଆଲମାରିରେ ବ୍ୟାଗ୍‌ଟା ରହିଛି । ଆଲମାରି ଚାବିଟା ବି ତା’ ପକେଟରେ । ଆଟାଚ କଥାଟା ସେ କହିଲାନି ।

 

ସାଙ୍ଗେ ସାଙ୍ଗେ ଆସିଗଲା ଚା । କିଶୋର ନ ଥିବାରୁ ତା’ର ସ୍ତ୍ରୀ ସବୁ ତତ୍ତ୍ୱ ନେଉଥିଲେ,-

 

ଅପେକ୍ଷା କରିଥିବା ରିକ୍‌ସାଟା ବାହାରେ ଘଣ୍ଟି ବଜେଇଲା ।

 

ଆଲମାରି ଖୋଲିଲାବେଳେ ମନରେ ଦ୍ୱନ୍ଦ୍ୱ । ଆଟାଚିଟାକୁ ରଖିଲେ ବିପଦ ନ ରଖିଲେ ବିପଦ । ହାତରେ ଧରି ବାହାରେ ବୁଲିହେବନି ପୁଣି ରଖିହେବନି କି କାହାକୁ କହିହେବନି । ତିନିକାନ ମନ୍ତ୍ର ଭେଦ । ଏପଟ ସେପଟ ଦେବା ଉଚିତ ନୁହେଁ । କିଶୋର ତ ପୂରାପୂରି ନୁହେଁ । ତାକୁ ବୁଝେଇଦେଇ ହେବ । ଅସୁବିଧା କହିଦେଲେ ସେ ଭୁଲ୍ ବୁଝିବନି ।

 

ଭୁଲ୍ ବୁଝିବାର ତ ଏଥିରେ କିଛି ନାହିଁ ? ଶଙ୍କର ମନକୁ ମନ ପ୍ରଶ୍ନ କରି ଓ ଉତ୍ତର ଦେଉ ଦେଉ ଚା’ କପ୍‍ଟା ନିଃଶେଷ କରିଦେଲା । ବ୍ୟାଗ୍ ଓ ଆଟାଚିଟାକୁ ଗୋଟିଏ ହାତରେ ଧରି ଲୋକଟାକୁ କହିଲା–ମା’କୁ କହିଦେବୁ ମୁଁ ଯାଉଛି । କିଶୋର ଫେରିଲେ ଆସିବ ।

 

ରିକ୍‌ସାରେ ବସିଯାଇ କହିଲା–ଚଲା ଲିଙ୍କ୍ ରୋଡ଼ ।

 

ଆଲ୍‌ସେସିଆନ୍ କୁକୁରଟା ଲାଙ୍ଗୁଡ଼ ଯାକି ତା’ ଆଡ଼ିକି କେବଳ ଚାହିଁ ରହିଥିଲା । ଶଙ୍କର ଠିକ୍‌ ଦେଖିଛି–କିଶୋରର ସ୍ତ୍ରୀ ତାକୁଇ ସେତେବେଳେ ଲକ୍ଷ୍ୟ କରିଥିଲା ଦୋତାଲାର ବାଲ୍‌କୋନି ଉପରୁ ।

 

କିଶୋର ତା’ର କେତେ ଯେ ଅନ୍ତରଙ୍ଗ–ଶଙ୍କର ଭାବୁଥିଲା–ଆଜି ତ ନୁହେଁ ପିଲାଦିନୁ । ଟଙ୍କା ପଇସା, କୋଠାବାଡ଼ି, ଐଶ୍ୱର୍ଯ୍ୟ ବ୍ୟବସାୟ ଓ ପ୍ରତିପତ୍ତି ଆଦି ମିଳିମିଶି କିଶୋର ଶରୀରକୁ ଚର୍ବିଳ କରିଦେଇଛି । ଚାଲିଗଲେ ରାସ୍ତାଟା ଓଜନିଆ ଜଣାପଡ଼େ । କାର୍ ଭିତରେ ଯାଉଥିଲେ ଠାଣିରୁ କିଶୋର ବାବୁ ବୋଲି ଚିହ୍ନିହୁଏ । ସଭାସମିତିରେ ବକ୍ତୃତା ଦେଉଥିଲାବେଳେ ସେ ପୂରାପୂରି ଲୋକମାନଙ୍କର । ନରନାରାୟଣଙ୍କର ମଙ୍ଗଳ ପାଇଁ କିଶୋର ସତେଅବା ସ୍ୱୟଂ ନାରାୟଣ ରୂପି, ଅବତାର ନେଇ ଜନ୍ମଲାଭ କରିଛି । ଏମିତି ଅନେକ କିଛି ବାହ୍ୟ ପରିବର୍ତ୍ତନ ଘଟିଥିଲେ ବି ଶଙ୍କରର ହୃଦ୍‌ବୋଧ ହୋଇଛି ଯେ ପିଲାଦିନର ସେଇ କିଶୋର ପଟ୍ଟ ପରିବର୍ତ୍ତନ କରିଥିଲେ ସବୁକଛି ଆଗଭଳି ତା’ର ଅତୁଟ ରହିଛି । ସେଇଥିପାଇଁ ଗୋଟିଏ ଅନିଶ୍ଚିତ ଅବସ୍ଥାରୁ ପାଖକୁ ଟାଣିନେଇ କିଶୋର ତାକୁ ବଳ ଦେଇଥିଲା । ମନରେ ସାହସ ଦେଇଥିଲା । –ଚାକିରି ବରଗଛ ଛାଇ–ଗଲେ ଯାଉ ଚିନ୍ତା ନାହିଁ । ବରଂ ଭଲ ହେଲା । ସ୍ୱାଧୀନ ଭାବରେ ଚିନ୍ତା କରିହେବ-। ନିଜ ଜୀବନକୁ ନିୟନ୍ତ୍ରିତ କରିହେବ । ବୟସ ତ ଗଡ଼ିଗଲାଣି । ପୁଣି ଖଟି ଖଟି ଲାଭ କ’ଣ ଅଛି ? ପିଲାମାନେ ତ ଅଛନ୍ତି । ସେମାନଙ୍କର ପାଠପଢ଼ା ବା ବାହାଚୂଡ଼ା ପୁଣି ଅଛି । ଘର ବଖରେ ନିଜର ବୋଲି ପୁଣି ଦରକାର । ମନ ଖୁସିରେ ବୁଲାବୁଲି କରିବାକୁ, ତୀର୍ଥ କରିଯିବାକୁ ତ ବହୁତ ଦିନରୁ ଇଚ୍ଛା ଅଛି । ଅନେକ କଥା ତ ମନରେ ଏମିତି ଅଛି, ସବୁ କ’ଣ ସମ୍ଭବ ? କିଶୋର ସେଦିନ କହିଥିଲା ଯେତେ ଯାହା ଦରକାର ଚିନ୍ତା ନାହିଁ । ମୁଁ ତ ଅଛି ।

 

କିଶୋରର ସଦିଚ୍ଛା, ସହାନୁଭୂତି ଓ ଅଭୟ ସବୁକିଛି ଏକାଠି ମିଳିମିଶି ଶଙ୍କରର ମନଭିତରେ କେମିତି ଗୋଟିଏ ଆଲୋଡ଼ନ ସୃଷ୍ଟି କରୁଥିଲା । ଆଟାଚି ଭିତରେ ଟଙ୍କା ସୁନା କିଛି ଯେବେ ସେ ରଖିଥାଏ ? ଟ୍ରକ୍‌ରେ କାଗଜ ଘୋଡ଼ ଭିତରେ ଏତେ ଲୁଚେଇ ଛପେଇ ଆଟାଚିଟାକୁ ନେବାକୁ କାହିଁକି ଅବା ସେ କହିଥାଆନ୍ତା ? କିଶୋରର ସ୍ତ୍ରୀ କାହିଁ ତ କିଛି କହିଲାନି । ଜାଣିନଥିବେ ବୋଧେ । ଏମିତି ଅନେକ ଅନେକ ଭାବନା ମନ ଭିତରେ ତା’ର ଉଙ୍କି ମାରିଦେଇ, ଭୟ ଓ ଆଶଙ୍କା ସାଥିରେ ମିଳିମିଶି, ଆଟାଚ ଭିତରେ ଥିବା ଅଜଣା ଟଙ୍କା କି ସୁନା ରଙ୍ଗିନି ପେଣ୍ଡୁଟିଏ ଭଳି ଗଡ଼ି ଗଡ଼ି ଚାଲିଥିଲା ତା’ ମନ ଭିତରେ–ରିକ୍‌ସାର ଗତି ସାଙ୍ଗେ ତାଳଦେଇ.....ପୁଣି ଗଡ଼ି ଗଡ଼ି-

 

-ଗଙ୍ଗାଧରର ଜୀବନ-ଚିତ୍ର ଗଡ଼ି ଗଡ଼ି ନାଁକୁ ମାତ୍ର ଖାଲି ଚାଲିଥିଲା । ଚାଲି ତ ନ ଥିଲା ମରିନି ବୋଲି ସେ ବଞ୍ଚିରହିଥିଲା । ବଡ଼ପୁଅ ଭାଇଗା କୁଆଡ଼େ କାହାଘରେ ଗୋହିର ଖଟୁଥିଲା– । ବାସନମଜାଠୁ ଆରମ୍ଭକରି ପାଣିଅଣା ଓ ବଜାର ସଉଦା ଆଦି କରି ଭେଣ୍ଡିଆ ଟୋକାଟେ ତା’ର ବାଳ ପାଚିଲାଣି । ସାନ ପୁଅ ନରି ସେମିତି ଗୋଟିଏ ହଷ୍ଟେଲରେ ଆଉଜିଯାଉଛି । ଝିଅଟା କାଠ ଅଡ଼ାରୁ କାଠ ବୋହି ଦିନ ଭିତରେ ଟଙ୍କେ ଦି’ଟଙ୍କା ପାଉଥିଲା । ଦିହରେ ତା’ର ଫୁଟିଗଲା, ପବନ ଦୂରକୁ ଦୂରକୁ ବୋହି ନେଇଗଲା ବାସ୍ନା, ଓଠରୁ ମହୁ ଝରିଲା–କାଠଅଡ଼ା କାଲାଟା କଢ଼ ବେଳୁ ବେଳୁ ମହୁ ଚାଖି ଚାଖି ତାକୁ ଏବେ ନିଜ ଘରେ ନେଇ ରଖିଛି । ସାନପୁଅ ନରିଟା ପିଲା ବୟସ ବୋଲି ବେଳେବେଳେ ହଷ୍ଟେଲ ପିଲାଙ୍କୁ କହି ସେମାନଙ୍କଠୁ ବାଟଖର୍ଚ୍ଚ ଆଣି ରାତି ରାତି ଘରେ ଆସି ପହଞ୍ଚେ, ସକାଳ ପାଇଲା ବେଳକୁ ଯାଇ ହଷ୍ଟେଲରେ । ସକାଳ ସଞ୍ଜେ ପିଲାଙ୍କର ଖିଆପିଆ ସରିଲେ ବାସନ ମାଜେ, ଡେକିଚି କରେଇ ସଫାକରେ, ଚା’ ସିଗାରେଟ୍ ଆଣେ, ବୋଲହାକ କରେ, ଝାଳ ବୁହାଇ ପିଲାଙ୍କର ଗୋଡ଼ହାତ ରଗଡ଼େ । ସୂକି ଆଠେଣି ପାଇଗଲେ ଚପଲ ଗଳେଇ, ଧୋବ ପ୍ୟାଣ୍ଟସାର୍ଟ ପିନ୍ଧି ସିନେମା ଦେଖେ । ଘରକୁ ଆସିଲେ, ଘର ବୋଲି ତ କିଛି ନାହିଁ ଚାଳିଆ ଖଣ୍ଡେ, ବତା ବାଉଁଶ ଉପରେ ଢିରାଦିଆହୋଇ ଓହଳିପଡ଼ିଛି ଛଣ କେଇବିଡ଼ା । ଖାଇପିଇ ଶୋଇଗଲେ ରାତିଅଧରେ ସେଇ ଦଦରା କୁଡ଼ିଆଟିକି ଫେରିଆସେ । ସ୍ତ୍ରୀ ତା’ର ଅଧାପେଟରେ ଯୋଉତକ କାନି ଘୋଡ଼େଇ ଆଣିଥାଏ ସେତକ ଗଙ୍ଗାଧର ମୁହଁରେ ଥୋଇଦେଇ କୁଆଁତାରା ଆସୁ ନ ଆସୁ ପୁଣି ଯାଇ ବାବୁଙ୍କ ଘରେ । କେହି ଉଠୁ ନ ଉଠୁ କବାଟ ଖୋଲିଲା ବେଳକୁ ବାହାର ବାରେଣ୍ଡାଟା ତା’ର ଓଳିଆ ସରିଲାଣି । ଫସର ଫାଟିଲାଠୁ ରାତି ଅଧଯାଏ ।

 

ଗଙ୍ଗାଧରର ଘର ତାଙ୍କରି ସାଇରେ । ସମସ୍ତେ ତାକୁ ଗଙ୍ଗା ବାଇଆ ବୋଲି ଡାକନ୍ତି । ମୁହଁରେ ବୋଝେ ହେବ ରୁଢ଼ । ମୁଣ୍ଡବାଳ ଜଟ ହୋଇଯାଇଥିଲା । ହାତ ଉପରେ ଚମର ଗୋଟିଏ ଘୋଡ଼ଣି । ବିଚରା ଗଙ୍ଗାଧର ସାରା ସାଇରେ ସମସ୍ତଙ୍କଠୁ ଥିଲା ବଡ଼ ହୀନିମାନିଆ ।

 

ଦିନେ ହଠାତ୍ ଦେଖିଲାବେଳକୁ ଗଙ୍ଗା ବାଇଆ ବନିଯାଇଛି । ଗଙ୍ଗାଧର ବାବୁ ଦଦରା କୁଡ଼ିଆ ଉପରେ ଠିଆ ହେଲାଣି ଦୋତଲା କୋଠା । ଘରେ କେତେ ଜାତିକା ସିମେଣ୍ଟ ବାଲି, ସରୁ କମକୁଟ, ପୁଅମାନେ ଏବେ ଗୋଟା ସୁଧା ବାବୁ । ନଳି ପ୍ୟାଣ୍ଟ, ଛିଟ ଜାମା ଓ ବାବୁରି ବାଳ । ତାଙ୍କ ପଇସା ଖାଇବାକୁ ଏଇନେ ଲୋକ ନାହାନ୍ତି । ଝିଅଟାକୁ ସେମାନେ ଦୋଅଡ଼ ବାହା ଦେଇଛନ୍ତି । ତା’ର ଛୁଆପିଲା ନ ଥିଲେ । ଗଙ୍ଗାଧରର ସ୍ତ୍ରୀ ଏବେ ସାଇଲେକଙ୍କୁ ଅଭାବ ଅସୁବିଧାରେ ଧାର ଦିଏ । ମାଇପି ମହଲରେ ନିଜ ଦୁଃଖ ସବୁ ବଖାଣେ । ମହାଲକ୍ଷ୍ମୀଙ୍କ ସୁଦୟା କାହାକୁ ଖଟ ପଲଙ୍କରେ ନିଦ ଲାଗେନି ପୁଣି କାହା ଭାଗ୍ୟରେ ପେଜ ମନ୍ଦିଏ ବି ମିଳେନି ।

 

ଲୋକେ କହନ୍ତି–ଗଙ୍ଗା ବାଇଆ ଦିନେ ମାଟି ଖୋଳୁ ଖୋଳୁ ବାରିଆଡ଼ୁ ହଣ୍ଡାଟିଏ ପାଇଗଲା । ଖାଲି ସୁନା ମହୁଡ଼ରେ ଭର୍ତ୍ତି । କେତେ ଲୋକ କହନ୍ତି–ଚୋର ପଞ୍ଝେ ରାତି ପାହିଆସିଲା ବେଳକୁ ତା’ କୁଡ଼ିଆ ପାଖରେ ଚୋରିଧନ ସବୁ ଭାଗବଣ୍ଟରା କରୁଥିଲେ । ସେତିକିବେଳେ ପଞ୍ଝେ ଲୋକ ରାସ୍ତା ଉପରେ ଧପଡ଼ିବାରେ ଲାଗିଥାଆନ୍ତି । ସେମାନେ ବିଚାରିଲେ ତାଙ୍କୁ ପୁଲିସ ଗୋଡ଼େଇଛି । ଟଙ୍କାରେ ଭରା ବାକ୍‌ସଟା ଗଙ୍ଗା ଭିତରକୁ ଫୋପାଡ଼ି ଦଉଡ଼ି ପଳେଇଲେ । ସେମାନଙ୍କ ପଛେ ସତକୁ ସତ ଲୋକମାନେ ଧାଇଁବାକୁ ଆରମ୍ଭ କରିଦେଲେ । ଥାନାକୁ ସାଙ୍ଗେ ସାଙ୍ଗେ ଫୋନ୍‌ରେ ଖବର ପହଞ୍ଚିଗଲା । ଲୋକେ କିନ୍ତୁ ସେମାନଙ୍କ ପଛେ ପଛେ ଗୋଡ଼େଇଥାଆନ୍ତି । ଗଙ୍ଗା ଏଣେ ଟଙ୍କା ବାକ୍‌ସଟା ଶୂନ୍ୟରୁ ତା’ଘରେ ପଡ଼ୁଥିବାର ଦେଖି କେତେଦିନ ଯାଏଁ ତାକୁ ମାଟିଘୋଡ଼େଇ ଟାକ୍‌ସିଧରି ପଳେଇଲେଣି । ଶେଷକୁ ସେମାନେ ଧରାପଡ଼ିଗଲେ । ପୁଲିସ୍ ଜିପ୍ ତାଙ୍କ ପଛେ ପଛେ–

 

ଚମକିପଡ଼ିଲା ଶଙ୍କର । ସତକୁ ସତ ରିକ୍‌ସା ପଛରେ ଗୋଟେ ଜିପ୍ ଆସି ଲାଗିଗଲାଣି-। ଗାଡ଼ିଟା ହର୍ଣ୍ଣ ଦେବାରେ ଲାଗିଛି । ରିକ୍‌ସାବାଲାଟା ଗଲା କୁଆଡ଼େ ନାଁ କ’ଣ ? ତାକୁ କ’ଣ ଶୁଭୁନି ?

 

ଗଙ୍ଗାଧର ଆଉ ନାହିଁ । ରିକ୍‌ସାଟା ଧାଇଁ ଧାଇଁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ମୋଡ଼ ବୁଲିଲାଣି । ଟ୍ରାଫିକ୍‌ ଷ୍ଟାଣ୍ଡ ପାଖରେ ଧାଡ଼ିକି ଧାଡ଼ି ବିଜ୍ଞାପନ ଫଳକ ପଛଆଡ଼େ ଲୁଚିଗଲା ଅବା ଗଙ୍ଗାଧର ।

 

ଚାହିଁଲା ବେଳକୁ ରିକ୍‌ସା ଟାକ୍‌ସି ମାଳକୁ ମାଳ । ପଛକୁ ପଛ ବସ୍ ପରେ ବସ୍ । କାହିଁ କେତେ ଆଡ଼ର । ହାଲିଆ ମାରି ପୁଣି ବାହାରିଲେଣି । ପହଞ୍ଚୁ ପହଞ୍ଚୁ ପୁଣି ଡକରା । ପାଖ ବାଟର, ଦୂରବାଟର ପଛରୁ, ଆଗରୁ ଚାରିଆଡ଼ୁ ଖାଲି ବସ୍ ଆଉ ବସ୍ । ଲାଲ୍ ଓ ନେଳି ରଙ୍ଗର ସରକାରୀ, ବେସରକାରୀ ବସ୍ ସବୁର ମେଳା ବସିଥିଲା ଅବା ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ।

 

ଚଉଡ଼ା ସିଧାସଳଖ ରାସ୍ତାଟା ଦୋଳମୁଣ୍ଡେଇ ଛକ ତ ନୁହେଁ । କେଇହାତ ଗଲେ ଲମ୍ବିଯାଇଛି କଟକ ଭୁବନେଶ୍ୱର ରାସ୍ତାର କାଠଯୋଡ଼ି ପୋଲ ପାଖର ମଧୁପାଟଣା ଯାଏଁ, ରେଲଓ୍ୱେ ଲାଇନର ତଳଦେଇ । କେତେ କେତେ ନୂଆ ଦୋକାନ ସାନବଡ଼ କୋଠା ଓ କ୍ରମବର୍ଦ୍ଧମାନ ଲୋକଗହଳି ଜାଗାଟାକୁ ଏବେ ମୁଖରିତ କଲାଣି । ଦିନ ଦି’ପହରେ ସିଆଡ଼ିକି ଆସିବାକୁ ଲୋକେ ଡରୁଥିଲେ । ଆଗେ ଏତେ ଲୋକ ନ ଥିଲେ, ଦୋକାନ ବଜାର ନ ଥିଲା, ସେବାଟେ ଗାଡ଼ି ଘୋଡ଼ାର ଯା ଆସ ନ ଥିଲା । କାଁ ଭାଁ ଲୋକେ ଚଳପ୍ରଚଳ ହେଉଥିଲେ । ଶଙ୍କର ଦେଖିଲା–ରାସ୍ତାଟା ଏବେ ଭରପୂର । ବସ୍ ଟାକ୍‌ସି ଖାଲି ମାଳ ମାଳ । ଦଳେ ଦଳେ ଧାଇଁଥାଆନ୍ତି ସାଇକେଲ୍‌ରେ ।

 

ସେଇ ସାଇକେଲ ଚଢ଼ାଳି ପିଲାଏ–ଯୋଉଁମାନେ ସାଇକେଲ ଧରି ରାସ୍ତା ଉପରେ ଚିଲଭଳି ଖାଇ ଉଡ଼ୁଥାନ୍ତି କିଏ କିଏ ବା ଦଳ ଦଳ ହୋଇ ପ୍ୟାଣ୍ଟରେ ନଳି କିଏବା ଘାଗେରା ତିଆରି କରି ଖାଲି ଟହଲ ମାରୁଥାଆନ୍ତି ଦୋକାନରେ, ରାସ୍ତା ମଝିରେ ଚଳନ୍ତା ବସ୍ ଟାକ୍‌ସି ଆଗରେ, ମଇଳା ଅପରଛନିଆ ବେଶରେ କାନ୍ଧ ଉପରଯାଏ ବାଳବଢ଼େଇ, ଦାଢ଼ି ବଢ଼େଇ ଓ ନଖ ବଢ଼େଇ ବେଳେବେଳେ ବିକୃତ ଧରଣରେ କାଟି, ବାଟ ଚାଲୁଥାଆନ୍ତି ପାନିଆରେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ । ସେଇ ପିଲାମାନେ କିଲିବିଲି ହୋଇ ଦଉଡ଼ିବାରେ ଲାଗିଗଲେ । କିଏ କିଏ ସାଇକେଲ ଛାଡ଼ିଦେଇ ଲୁଚିଦେଇ ଲୁଚିଗଲେଣି ଯାଇ ଦୋକାନ ଭିତରେ, ହୋଟେଲ ପଛଆଡ଼େ । କିଏ କିଏ ନୂଆ ନୂଆ ତିଆରି ହେଉଥିବା ଅଧାକାନ୍ଥ ବାଡ଼ କରେ କରେ । ଦଳ ଦଳ ପୁଲିସ୍ ସେମାନଙ୍କ ପଛେ ପଛେ । କିଛି ସମୟ ଯାଏ ବସ୍ ଟାକ୍‌ସି ଯା’ଆସ ବନ୍ଦ ହୋଇଗଲା ।

 

ଶଙ୍କର ବୁଝିପାରିଲାନି–ଘଟଣାଟା କ’ଣ ହୋଇପାରେ । ପିଲାମାନେ ପ୍ରାଣବିକଳରେ ଏମିତି ଦଉଡ଼ୁଛନ୍ତି କାହିଁକି ? ହେଲା କ’ଣ ? ଚୋରି ଡକେଇତ ନା ମଣିଷମାରୁ ?

 

ଲମ୍ବା ବାଳ ଓ ଲମ୍ବା କଲିବନ୍ତ ପିଲାମାନଙ୍କୁ ପୁଲିସ୍ ଧରିନେଇ ସାଲୁନ୍‌ରେ ତାଙ୍କ ବାଳ କାଟିଦେଉଛନ୍ତି ଚିପା କି ଘାଗେରା ଭଳି ଢିଲା ପ୍ୟାଣ୍ଟ ସାର୍ଟ କେହି ପିନ୍ଧି ପାରିଲେନି । ଆଦେଶଟା କୁଆଡ଼ୁ ଆସିଛି ଜଣାନାହିଁ । କିନ୍ତୁ ପୁଲିସ୍‌ବାଲାଏ ହୁକୁମ୍‌ ତାଲିମ୍ କରିବାରେ ବ୍ୟସ୍ତ ।

 

ବଡ଼ ଦୁଃଖର କଥା–ପିଲାଗୁଡ଼ାଙ୍କୁ ଅସହାୟ ଅବସ୍ଥାରେ ଦେଖି ଶଙ୍କରର ମନ ସମବେଦନାରେ ଭରିଗଲା । ସମସ୍ତେ ଠିଆହୋଇ କେବଳ ଚାହିଁ ରହିଥାଆନ୍ତି । ଜଣେଅଧେ ତାଳିମାରି ମଜା ଦେଖୁଥାଆନ୍ତି । ପାଟି ଖୋଲିବାକୁ କାହାର ଚାରା ନାହିଁ । କହିଲେ ପଦେ ପଦେ ବିପଦ । ଯାହାକିଛି ଦେଖୁଥିବ ଓ ଶୁଣୁଥିବ ସବୁଯାକ ଜୀର୍ଣ୍ଣ କରିଦେଉଥିବ । ମନକଥାଯାକ ବାନ୍ତି କରିଦେଲେ ଅବସ୍ଥା ବଡ଼ ଗୁରୁତର ।

 

ଶଙ୍କର ତା’ଦିହକୁ ଆଉଜେଇ ବ୍ୟାଗ୍ ଓ ଆଟାଚିଟାକୁ ରଖିଥିଲା । ରିକ୍‌ସା ଚାରିପାଖେ ଚାଲିଥିଲା ପୁଲିସ ଓ ପିଲାମାନଙ୍କର ଲୁଚକାଳି ଖେଳ । ଦଉଡ଼ା ଧାପଡ଼ା ଓ ସର୍ବଶେଷରେ ପ୍ରାଣମୂର୍ଚ୍ଛା ପଳାୟନ । ଶଙ୍କର ମନେମନେ ହସିପକେଇଲା । ତୋଟି ପାଖରେ ହସ ଓ ପେଟ ଭିତରେ ସମବେଦନା ଏକାଠି ମିଳିମିଶି ଶଙ୍କରକୁ ଅବା ନିର୍ବେଦ କରିଦେଇଥିଲା ।

 

କୁଆଡ଼େ ଯିବ, କ’ଣ କରିବ କିଛି ଠିକ୍‌ କରିନଥିଲେ ବି ଶଙ୍କର ଭାବିଥିଲା–ମିଛଟାରେ କଟକରେ ସମୟ ନଷ୍ଟ କରିବା ଅପେକ୍ଷା ବସ୍‌ଷ୍ଟାଣ୍ଡରୁ ସେ ଯିବ ଭୁବନେଶ୍ୱର । ତା’ର ପେନ୍‌ସନ, ପ୍ରୋଭିଡ଼େଣ୍ଟଫଣ୍ଡ କଥାଟା ହେଲେ ବୁଝିବା ଟ୍ରକ୍ କଥା ବୁଝିବା କାମ ତ ଚରଣର । କିଶୋର ଫେରିଲେ ଯାଇ ଯାହା କିଛି । ଚରଣ ଟ୍ରକ୍‍ଟାକୁ ରିଲିଜ୍ କଲାବେଳକୁ ସେ ଫେରିଆସିଥିବ । ଇଚ୍ଛାହେଲେ ସେ ପୁରୀଆଡ଼େ ବି ମାଡ଼ିଯିବ । ଘରେ ଖାଲି ମୁହଁ ମାରିଦେଇ ପୁଣି ଫେରିଆସିବ ।

 

ରିକ୍‌ସାରୁ ଓହ୍ଲେଇ ପକେଟ ଅଣ୍ଡାଳିଲା ବେଳକୁ ପଡ଼ିଛି ଦଶଟଙ୍କିଆ ନୋଟ୍ ଖଣ୍ଡେ । ଟଙ୍କାଟା ଭଙ୍ଗେଇବାକୁ ବସ୍‌ଷ୍ଟାଣ୍ଡ ଆଗର ଦୋକାନ ଆଡ଼ିକି ଯାଇ ଦେଖିଲା ସେଟା ପାନ ଦୋକାନ ନୁହେଁ କି ଚା’ ଜଳଖିଆ ଦୋକାନ ନୁହେଁ, ଷ୍ଟେସ୍‍ନାରୀ ଜିନିଷ ଓ କମଳା ସେଉରେ ଭରା । ରାସ୍ତା କରକୁ ଜମେଇଛି ଗଦା ପଇଡ଼, ଫାଉଣ୍ଟେନ୍ ପେନ୍, ସିଝା ଅଣ୍ଡା ଓ ଗୁଡ଼ାଖୁ ଆଦି ମିଶାମିଶି । ଟଙ୍କାଟା ଭଙ୍ଗାଉଥିଲାବେଳେ ଶଙ୍କର ତା’ର ଆଖିକି ବିଶ୍ୱାସ କରିପାରିଲାନି-

 

ଜିତୁ ସେ ଦୋକାନରେ ଅପେକ୍ଷା କରିଛି । ଚା’ ବୋଧେ ଖାଉଥିଲା ।

 

ସେ କେମିତି ଏଠିକି ଆସିଲା ? ଚାକିରି ଖୋଜି ବୁଲୁଥିଲା । କଟକରେ ପାଇଗଲା କି-? ବଡ଼ ଆଶ୍ଚର୍ଯ୍ୟ....ସେ ତ କିଛି ଜାଣିନି ?

 

Unknown

ଗଲାଥର ପୁରୀ ଗଲାବେଳେ ଜିତୁ ଘରେ ନ ଥିଲା । ତା’ ମା’ କହୁଥିଲା କୁଆଡ଼େ ସେ ଯାଇଛି । ବଡ଼ ବ୍ୟସ୍ତ ହେଉଥିଲା ।

 

ଜିତୁ ନମସ୍କାର ହେଲା ।

 

ଶଙ୍କର ପଚାରିଲା–କେତେଦିନ ହେଲା ଆସିଲୁଣି ?

 

ଜିତୁ କହିଲା–ମୁଁ ତ ଏଠି ଅଛି । ଗଣେଶଘାଟରେ । ଘରଭଡ଼ା ନେଇ ।

 

ଶଙ୍କର ତା’ ମୁହଁକୁ କେବଳ ଚାହିଁରହିଲା ।

 

ଜିତୁ କହିଲା–ଚାକିରି ତ ନୁହେଁ–ସେମିତି-

 

ଶଙ୍କର ତଥାପି କିଛି ବୁଝିପାରିଲାନି ।

 

ରିକ୍‌ସାବାଲାକୁ ପଇସା ଦେଲାବେଳକୁ ଜିତୁ ମନାକଲା । ପଚାରିଲା କିଛି କାମ ନାହିଁ ତ-?

 

ଶଙ୍କର ହଁ କଲାନି । ମନା ବି କଲାନି ।

 

ସେଇ ରିକ୍‍ସାରେ ବାପପୁଏ ଚାଲିଲେ ଗଣେଶ ଘାଟ । ଜିତୁ ବ୍ୟାଗ୍ ଓ ଆଟାଚିଟା ଧରିଥାଏ ।

 

ଏଇ କେଇଟା ବର୍ଷତଳର ଜିତୁ ଶଙ୍କରର ଆଖିଆଗରେ ଆସି ନାଚିଲା । ସେତେବେଳେ ସେ ଥିଲା ହଳଦିଆ ଗୋରା, ଶାନ୍ତ ଓ ସରଳ । ଜୀବନରେ ସୁପ୍ରତିଷ୍ଠିତ ହେବାକୁ ପାଠପଢ଼ାର କଠୋର ତପସ୍ୟାର ଭାରାରେ ଯୋଡ଼ି ଧନୁଭଳି ମଙ୍କିହୋଇଥିବା ଗହଳିଆ ଭ୍ରୁଲତା ଦିଓଟି ତା’ର ଥାପିହୋଇ ରହିଥିଲା କପାଳ ତଳକୁ । ତା’ ସାଙ୍ଗେ ବ୍ୟାଗ୍ ଧରି ପଛେ ପଛେ ବଜାର କଲାବେଳେ, ମୁଣ୍ଡ ପୋତି ପୋତି ସ୍କୁଲ କଲେଜ ଗଲାବେଳେ ଶଙ୍କର ଭାବେ ଜିତୁ ଚାଲିଯିବ ଉପରକୁ ବହୁତ ଉପରକୁ, ଜୀବନରେ ସେ ଯାହାକିଛି ପାଇପାରିନି କି କରିପାରିନି ସବୁ ବିଫଳତା ଯାକ ଜିତୁ ମାଧ୍ୟମରେ ସେ ହାସଲ କରିପାରିବ । ଜିତୁଟି ବଡ଼ ମଣିଷ ହେଲେ ସେଇ ହେବ ତା’ର କୃତିତ୍ୱ, ତା’ର ସଫଳତା ଓ ତା’ ନିଜର ଅବା ପରିପ୍ରକାଶ ।

 

ସେଇ ଶାନ୍ତ ସରଳ ପିଲାଟା ପାଖରେ ତା’ର ବସିଛି । ଚାହାଣିରେ ତା’ର ଦୃଢ଼ତା ନାହିଁ-। ଦେଖିଲେ ଜଣାପଡ଼ୁଥିଲା କୌଣସିଟିରେ ସେ ନିଶ୍ଚିତ ନୁହେଁ । ଭାସି ଭାସି ଚାଲିଛି ସୁଅ ମୁହଁରେ–ବିଫଳତାର ଉଛୁଳା ଘେରି ଭିତରେ ଅନ୍ୟପିଲାଙ୍କ ଭଳି ତା’ର ନିଶଦାଢ଼ି ବଢ଼ିନି, କିନ୍ତୁ କଲି ବଢ଼ିଛି । କାନ ମୂଳକୁ ନୁହେଁ, ଅଧଯାଏ । କେହିଜଣେ ଦେଖିଦେଲେ ତା’ଉପରେ ନ୍ୟୂନ ଧାରଣା କରିବନି । ଭାବିବନି ଧାବମାନ ପୁଲିସମାନଙ୍କ ଆଗେ ଆଗେ ପ୍ରାଣବିକଳରେ ଦଉଡ଼ି ପଳାଉଥିବା ପିଲାଙ୍କ ଭିତରେ ଇଏ ବି ଜଣେ । ଜିତୁ ତୁନିତାନି ହୋଇ ବସିଥିଲା ।

 

ଶଙ୍କର ଲକ୍ଷ୍ୟକଲା–ତା’ର ମୁନିଆଁ ନାକ ଆଗରେ କେତେ କେତେ କଥା ଅବା ଜମାଟବାନ୍ଧି ରହିଯାଇଛି । କହିଦେବାକୁ ଇଚ୍ଛା, ଜିତୁ କହିପାରୁନି ।

 

ଶଙ୍କର ପଚାରିଲା–ଗଣେଶ ଘାଟରେ କେମିତି ?

 

ଜିତୁ କହିଲା–ପାର୍ଟିଅଫିସରେ । ମାସକୁ ପାଞ୍ଚଶ ଟଙ୍କା । ଗସ୍ତଖର୍ଚ୍ଚ ଅଛି । ସଭାସମିତିରେ ବକ୍ତୃତା ଦେବାକୁ ପଡ଼ିବ । ପ୍ଲାକାର୍ଡ଼ ଲେଖେଇବା ଦାୟିତ୍ୱ ତା’ରି ଉପରେ । ସଭାସମିତି ହେଲେ ଶହଶହ ଲୋକ ଗୋଟେଇଆଣି ସଭାଟାକୁ ସଫଳ କରେଇବ ସେଇ । ଗାଡ଼ି ମଟରର ଅଭାବ ନାହିଁ, ଟଙ୍କାପଇସା ଭରପୂର, କ୍ଷମତା ଅଛି । ଗଣ୍ଡା ଗଣ୍ଡା ଲୋକ କିଙ୍କର ଭଳି ରହିଛନ୍ତି । ଫୋନ୍ ଉପରେ କାରବାର, ଭବିଷ୍ୟତ ଅଛି । ସବୁକିଛି ଅଛି । ଚାକିରିର ଆଉ ଦରକାର କ’ଣ । ଶହ ଶହ ଚାକିରିଆ ଓ ସକାଳ ପାହିଲାବେଳକୁ ପାର୍ଟିଅଫିସ୍ ଦୁଆର ମୁହଁରେ । କାହାର ଭଲଜାଗାରେ ପୋଷ୍ଟିଂ କାହାର ଅବା ଟ୍ରାନସ୍‌ଫର ପ୍ରମୋଶନ ଆଦି ସବୁ ଠିକ୍‌ ହୁଏ ଆଗ ପାର୍ଟି ଅଫିସ୍‌ ରେ । ଜିତୁ କେତେ କ’ଣ ଏମିତି କହି ଯାଉ ଯାଉ–

 

ଶଙ୍କର କହିଲା–ମତେ ତ ଏ ବିଷୟରେ କିଛି ପଚାରିଲୁନି ?

 

ଜିତୁ ମୁଣ୍ଡପୋତି ଚୁପ୍ ରହିଲା ।

 

ଶଙ୍କର ବି ଚୁପ୍‍ଚାପ୍ ।

 

କଲେଜ ସଭାସମିତିରେ, ଷ୍ଟ୍ରାଇକ୍ ବେଳେ, ଶୋଭାଯାତ୍ରା ଧାଡ଼ିରେ, ଛାତ୍ରମାନଙ୍କର, ଗରିବ ଜନସାଧାରଣଙ୍କର ଦାବି ଉପରେ ଆନ୍ଦୋଳନ କରି ପିଲାମାନଙ୍କୁ ତା’ କଲେଜ ବେଳୁ ଜିତୁ ସଂଗଠିତ କରିପାରିଥିଲା । ଘଣ୍ଟା ଘଣ୍ଟାଧରି ସେ ବକ୍ତୃତା ଦେଇପାରେ । ଖବରକାଗଜରେ ସମ୍ବାଦ ଦେଇପାରେ, ହୋଟେଲ ରେଷ୍ଟୁରାଣ୍ଟରେ, ବନ୍ଧୁ ମେଳରେ ଓ ସାରା ସହରରେ ସେ ଥିଲା ଜଣାଶୁଣା-। ସଦାବେଳେ କହେ–ସେ ଛୋଟକାଟିଆ ଚାକିରି କରିବନି । ସ୍ୱାଧୀନ ବ୍ୟବସାୟ କରିବ, ରାଜନୀତି କରିବ, କିଛି ନ ହେଲେ ସାମ୍ବାଦିକ ହେଲେ ବି ସେ ଚଳିଯିବ । ଦରକାର ପଡ଼ିଲେ ଆଇନ ବ୍ୟବସାୟ ପଛେ କରିବ, ଚାକିରି କରିବନି ।

 

ରିକ୍‍ସାଟା ଖାନନଗର ଆରପଟକୁ ଡେଇଁଗଲାଣି । ଆଗରେ ରାସ୍ତାଟା ଥିଲା । ତେଲେଙ୍ଗା ବଜାର ବାଟେ ଗଡ଼ିଗଲେ ଗଣେଶ ଘାଟ । କଥାବାର୍ତ୍ତାରେ କାହାର ହୋସ ନାହିଁ । କିଛି ନ କହିବାରୁ ରିକ୍‌ସାବାଲାଟା ଗଡ଼େଇଦେଲା ନଈକୂଳ ରାସ୍ତାରେ । କାଠଯୋଡ଼ି କୂଳରୁ ସିଧା ଚାଲିଗଲେ ଗଣେଶଘାଟ । ରାସ୍ତାଅଧାରୁ ବାଟ କାଟିଦେଲେ ।

 

ଶଙ୍କର ପଚାରିଲା–ପୁରୀ ଯାଇଥିଲୁ ?

 

ଜିତୁ କହିଲା–ମାସକ ତଳେ । ସନ୍ଧ୍ୟାବେଳେ ପହଞ୍ଚି ସକାଳୁ ଆସିଲି । ବୋଉକୁ କହିଆସିଥିଲି ଆପଣଙ୍କୁ କହିଦେବାକୁ । ଘରେ ଟଙ୍କା ଦେଇ ଆସିଥିଲି ।

 

ଶଙ୍କରର ମନଟା ପୂରିଉଠିଲା ସତ କିନ୍ତୁ ମନଗହନର କେନ୍ଦ୍ରବିନ୍ଦୁ କେମିତି ଅବା ଡହକବିକଳ ହେବାକୁ ଲାଗିଲା, ଅସ୍ଥିର ହେଲା, କେମିତି ତାକୁ ଖାଲି ଖାଲି ଜଣାପଡ଼ୁଥିଲା । ପରିପୂର୍ଣ୍ଣତା ଆସିଲାନି । ଜିତୁ ଜନ୍ମହେଲା ଦିନୁ କେତେ କେତେ ତା’ର ଆଶା, କେତେ କେତେ ସ୍ୱପ୍ନ, ଯାହାକୁ ନିଜେ ସେ ପାଇପାରିନଥିଲା ଓ ଜୀବନସାରା ଧାଇଁବୁଲୁଥିଲା ସେଇ ଜୋତ୍ସ୍ନା ପଛେ ପଛେ, ଜିତୁକୁ ଜହ୍ନ ବୋଲି ଭାବି । ଭବିଷ୍ୟତ ତା’ ହାତରେ ଆସି ଧରା ଦେଇଥାଆନ୍ତା ଓ ସେ ଭାବିଥାଆନ୍ତା ଜୀବନରେ ସେ ହାରିଯାଇନି । ସେଇ ସ୍ୱପ୍ନଯାକ ଜିତୁର କଥାଶୁଣି ତା’ ମନ ଭିତରୁ ଅବା ଉଭେଇଗଲା । ଦୀର୍ଘ ଶ୍ୱାସଟିଏ ମାରି ଶଙ୍କର ପଚାରିଲା–

 

କିଏ ଠିକ୍‌ କରିଦେଲା ?

 

ଅନେକ ଦିନୁ ବି.ଏ ପାଶ୍ କଲା ପରେ ପରେ ମୋ’ପାଖକୁ ଖବର ଆସିଥିଲା । ମୁଁ ମନା କରି କରି ଆସୁଥିଲି, ଠିକ୍‌ କଲି–ବୁଲି ବୁଲି ଚାକିରି ଖୋଜିବା ଅପେକ୍ଷା ଏଟା ଶତଗୁଣରେ ଭଲ ।

 

ଶଙ୍କର ମନକୁ ମନ ଭାବିଲା–ତା’ର କମ୍ପଲସରି ରିଟାୟାର୍ଡ଼ମେଣ୍ଟ ପରେ । ପାଟିଖୋଲି କିଛି କହିଲାନି ।

 

ଜିତୁ ପଚାରିଲା–ଆପଣ ଖାଇଛନ୍ତି ?

 

ଶଙ୍କର କହିଲା–ଜଳଖିଆ ଖାଇଛି ।

 

କୋଉଠିଥିଲେ, କ’ଣ କରୁଛନ୍ତି । ଏମିତି ନାନା କଥା ପଚାରିବ ବୋଲି ହେଉଥିଲେ ବି ଜିତୁ ପଚାରି ପାରୁନଥିଲା ।

 

ଶଙ୍କର ପୁରର ମନକଥା ଠିକ୍ ଜାଣିପାରିଛି ।

 

ସେ ଠିକ୍ ଧରିନେଇଛି–ଜିତୁ କାହିଁକି ତାକୁ ଡାକିନେଉଛି ତା’ ବସା ଘରକୁ, ପାର୍ଟିଅଫିସ୍‍କୁ ଯାହାକୁ ସେ ଜୀବନର ଚଲାବାଟ ବୋଲି ଧରିନେଇଛି । ସେ ଜଣେଇ ଦେବାକୁ ଚାହେଁ–ଚାକିରି ଚାଲିଯାଇଥିଲେ ବି ବାପା ତା’ର ଅସହାୟ ନୁହଁନ୍ତି । ପଛକୁ ପଛ ସେ ଲାଗିଆସିଲାଣି । ପଡ଼ିଗଲା ବେଳକୁ ଜିତୁ ଅଣ୍ଟେଇ ନେବ ।

 

ରିକ୍‌ସା ପଛଆଡ଼ୁ ସରକାରୀ ବସ୍‌ଟିଏ ହର୍ଣ୍ଣବଜେଇ କାଠଯୋଡ଼ି କୂଳେ କୂଳେ ପୁରୀଘାଟ ରାସ୍ତାରେ କଚେରି କରେ କରେ ହାଇକୋର୍ଟ ଆରପଟକୁ ଚାଲିଯାଉଛି । ଦଉଡ଼ି ଚାଲିଛି ଚାନ୍ଦିନୀଚୌକ୍‌ । ଲୋକବାକ ବେଶି ନାହାନ୍ତି । ସମସ୍ତେ ଓହ୍ଲାଇ ଯାଇଛନ୍ତି ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ । ଟାଉନ ଭିତରେ ଛକମୁଣ୍ଡମାନଙ୍କରେ ବସ୍‌ରେ ବସି ରହିଥିବା ଦଶ ବାରଜଣ ଯିଏ ଅଛନ୍ତି ଓହ୍ଲାଇଯିବେ । ବସ୍‌ଟା ଚାନ୍ଦିନୀଚୌକ୍‌ ଅଫିସରେ ମୁଣ୍ଡିଆଟିଏ ମାରି ପୁଣି ଫେରିବ କାପିଟାଲ୍ । ଲୋକ ଭର୍ତ୍ତିକରି ପୁଣି ଚାଲିବ ପୁଣି ଫେରିଆସିବ । କି ଦିନ କି ରାତି ଚାଲିଥିବ ଖାଲି ଯା’ ଆସ । କାଠଯୋଡ଼ି କୂଳେ କୂଳେ । ବେଳେବେଳେ ଟାଉନ୍ ଭିତରେ ।

 

କାଠଯୋଡ଼ି କୂଳରେ ଏଇ ବନ୍ଧ ପଥର ବନ୍ଧ, କାହିଁ କୋଉ ଯୁଗରେ ରାଜାମାନେ ତିଆରି କରିଥିଲେ । ବାସୁକି ସାପରି ଫରାଭଳି । ମହାନଦୀ କାଠଯୋଡ଼ି ବଢ଼ିପାଣି ଦାଉରୁ କଟକକୁ ରକ୍ଷାକରିବା ପାଇଁ । ବନ୍ଧ ତଳକୁ ପାହାଚ ସବୁ ପଡ଼ିଛି ନଈଧାରଯାଏ–ସୋରାଟିଏ ନଈ–ରୌଦ୍ରତାପରେ ଶୁକି କଣ୍ଟା ଦୋହଲିଲାଣି । ଯୋଉ ଧାରଟି ଅଛି ସେଇଟି ନଈର ମଝିକଣ୍ଟା ଭଳି ଓ ତାକୁ ଆରକୂଳ ଯାଏ ଲମ୍ବିଥିବା ବାଲି ଜିଭ ଲହ ଲହ କରି ସତେଅବା ଚାଟିଲାଗିଛ–ଧାରଟା ଶୁଖିନି–ଯେତେ ଖରାହେଲେ ବି ଶୁଖେନି । ଶଙ୍କର ଲକ୍ଷ୍ୟକଲା–ସେଇ ରୌଦ୍ର ତାପରେ ବାଲି ଭିତରେ ଭିତରେ ଲୋକ ଧାର ଲାଗିଛନ୍ତି–ଏ କୂଳରୁ ଆରପଟ ଯାଏ–ଆରପାରିର ଲୋକ କିଏ କିଏ ଆସୁଛନ୍ତି–କିଏ ପୁଣି ଫେରୁଛି–ଗାଧୁଆ ପାଧୁଆ ଚାଲିଛି–କାମଦାମ ସାରି ଗାଧୁଆବେଳେ–ମାଇପେମାନେ ବି ନଈରେ । ଜଣେ ଅଧେ ନଈ କୂଳେ କୂଳେ ଟହଲ ମାରିବାରେ ବ୍ୟସ୍ତ; ତୁନି ତୁନି କଥା ହୋଇ ହୋଇ, ଗପଜମେଇ–ସେଇ ରୌଦ୍ର ତାପରେ ପୁଣି କଥାବାର୍ତ୍ତା । ଏ କୂଳରୁ ଅନେଇଲେ ଆରକୂଳର ଗଛଲଟାସବୁ ଭଲରୂପେ ଦେଖାଯାଉନଥିଲା ଓ ସେଇ କାଠଯୋଡ଼ି ବାଲିକି ଚାହିଁ ଚାହିଁ ଜିତୁକୁ କ’ଣ ପଚାରି ଆସିଲା ବେଳକୁ ରିକ୍‌ସାବାଲାଟା ଗଣେଶଘାଟ ଆଡ଼ିକି ରାସ୍ତା ଧରିଲା ।

 

ଜିତୁ ତାକୁ ବାଁ ଡାହାଣ ରାସ୍ତା ବତେଇବାରେ ବ୍ୟସ୍ତ ଥାଏ । ରିକ୍‌ସାଟା ଆସି ଗୋଟେ କୋଠା ଆଗରେ ଠିଆହେଲା । ସାମ୍ନାରେ ଦି’ଦିଟା ଜିପ୍‌ଗାଡ଼ି । ଭରପୂର ଲୋକ । କେତେଜଣ ବାହାର ବାରେଣ୍ଡା ବେଞ୍ଚରେ ଅପେକ୍ଷା କରିଥିଲେ । ଜିତୁ ପଶି ଯାଉ ଯାଉ ସମସ୍ତେ ଉଠିପଡ଼ି ନମସ୍କାର ହେଲେ । ସେମାନଙ୍କୁ ଅପେକ୍ଷା କରିବାକୁ କହି ଜିତୁ ସିଧା ସିଧା ଯାଇ ଭିତର ଅଗଣା ବାଁକଡ଼ର ବଖରାଟିର ଚାବି ଖୋଲିଲା । ଘରେ ପଡ଼ିଥିବା ଚଉକିରେ ବସିବାକୁ କହିଦେଇ ବ୍ୟାଗ୍ ଓ ଆଟାଚିଟାକୁ ଟେବୁଲ ଉପରେ ରଖି କହିଲା–ଆପଣ ବସନ୍ତୁ, ମୁଁ ଆସୁଛି ।

 

ଜିତୁ କାହାକୁ ଡାକ ଛାଡ଼ୁଥିଲା ଭଳି ଶୁଭିଲା । ଜିପ୍‌ ଷ୍ଟାର୍ଟ ହେବାର ଶବ୍ଦ ହେଲା । ଜିପ୍ ନେଇ କୁଆଡ଼େ ବୋଧେ ଯାଇଛି । ଶଙ୍କର ସେଇ ଘରଟାକୁ ଚିହ୍ନିବାକୁ ଚେଷ୍ଟା କଲାବେଳେ ସିଗାରେଟ୍‌ରେ ଅଗ୍ନିସଂଯୋଗ କରି ଦେଖିଲା–

 

ଘରେ ଉଚ୍ଚା ଉଚ୍ଚା ଦି’ଟା ଆଲମାରି । ପଙ୍ଖା ଘୂରୁଛି । ରଡ଼ଲାଇଟ୍ ଖଞ୍ଜା । ଘର କଣକୁ କରି ରହିଛି ଦି’ଟା ମାଇକ୍‌ ସେଟ୍, ପରସ୍ତ ପରସ୍ତ ଗୁଡ଼ାହୋଇ ରହିଛି ଥାକେହବ ଜରି ଟାର୍ପୋଲେନ୍ ଓ ଛାତିଯାଏ ଲାଗୁଥିବା ଦଶ ବାରଟା ଟିଉବ୍, ଲୁହାନଳ, ସଭାସମିତି ପାଇଁ ଯାବତୀୟ ଉପାଦାନ ସବୁ । ଘରର ଆଉ ଗୋଟିଏ କଣକୁ ପଡ଼ିଥିବା ଟେବୁଲ ଉପରେ ଥିଲା ଥାକେ ହେବ ପାମ୍ପଲେଟ୍ । କ’ଣ ଲେଖା ହୋଇଛି ବୋଲି ଜାଣିବାକୁ ଶଙ୍କର ଉଠିଯାଇ ଦେଖେ ତ–

 

ସେ ସବୁ ବୃକ୍ଷ ରୋପଣ ଓ ପରିବାର ନିୟନ୍ତ୍ରଣର ପାମ୍ପଲେଟ୍ । ବାହାର କାନ୍ଥବାଡ଼ରେ ଅନ୍ୟକୌଣସି ବିଜ୍ଞାପନ କାରିବା ମନା । ସ୍କୁଲ କଲେଜ କି ଅଫିସ୍ କୋଠାବାଡ଼ିରେ ଅନ୍ୟ ବିଜ୍ଞାପନ ମାରିବା ଦୋଷାବହ । କିନ୍ତୁ ବୃକ୍ଷ ରୋପଣ ଓ ପରିବାର ନିୟନ୍ତ୍ରଣର ବିଜ୍ଞାପନ ପାଇଁ ସେମିତି କୌଣସି କାଇଦା କଟକଣା ନାହିଁ ।

 

ଶଙ୍କର ଚଉକିଟା ଉପରେ ବସିରହି ଜିତୁ କଥା କେବଳ ଭାବୁଥିଲା–ସେ କ’ଣ କରୁଛି କେଜାଣି ? ଯୋଉ ବାଟରେ ସେ ଗଲାଣି, ସେଥିରେ କେବଳ ନିଆଁ ସାଙ୍ଗରେ ଖେଳ ଖେଳିବା କଥା । କିଛି ନିଶ୍ଚିତ ନୁହେଁ । ଜୀବନସାରା ଖାଲି ଏପଟକୁ ସେପଟ । ମେଘକୁ ଦେଖି ଛତା ଟାଣିପାରିଲେ ଅସୁବିଧା ନାହିଁ । ଯୋଗ ପଡ଼ିଗଲେ କାହିଁ ଉପରକୁ ଉଠିଯିବ । ନୋହିଲେ ପଡ଼ିବ ଯାଇ ରସାତଳରେ । ନିଶ୍ଚିତ ଜୀବନ ନୁହେଁ ।

 

ମନକୁ ମନ ଶଙ୍କର ପ୍ରଶ୍ନକଲା–ତା’ର ବି ଥିଲା ପଚିଶ ବର୍ଷର ସ୍ଥାୟୀ ଚାକିରି । ଗୋଟିଏ କଲମ ଗାରରେ ସେଟା ଚାଲିଗଲା । କେହି ରଖିପାରିଲେନି । କୋର୍ଟ କଚେରିର ଦୁଆର ପଡ଼ିଗଲା-। ସାହାଭରସା ହେବାକୁ ଜଣେ କେହି ମିଳିଲେନି । ମାସକୁ ମାସ ଦରମାଗଣ୍ଡିଏ ପାଇ ପିଲାଙ୍କୁ କେବଳ ସେ ବଞ୍ଚେଇ ରଖିଥିଲା । ତା’ର ଚାକିରି ଗଲା । ପିଲେ ବଡ଼ଦାଣ୍ଡରେ ବସିଲେ ।

 

ଟେବୁଲ ଉପରେ ଥୁଆ ହୋଇଥିବା ଆଟାଚିଟାକୁ ଶଙ୍କର ବୁହେ ଏପଟ ସେପଟ କଲା । ଚାବି ପଡ଼ିଚି । ମନକୁ ମନ ପ୍ରଶ୍ନକଲା–ସେଇଟାକୁ କିଶୋରଘରୁ ନେଇଆସି ସେ ଭୁଲ୍ କରିନି ତ ? କିଶୋର ତା’ ଭିତରେ ବିଡ଼ା ବିଡ଼ା ନୋଟ, ସୁନା କି ସୁନାଗହଣା ଯଦି ରଖିଥାଏ ? ତାକୁ କହିଯାଇଥିଲା ଟ୍ରକ୍‍ର କାଗଜ ଭିତରେ ତାକୁ ଘୋଡ଼େଇ ରଖିବାକୁ ପଡ଼ିବ । କେହି ଯେପରି ନ ଜାଣନ୍ତି । କଲିକତାର ସେ ବ୍ୟବସାୟୀଟାକୁ ପଇଠ ନେବାର ଥିଲା । ଟ୍ରକ୍‌ଟା ସିଜ୍ ହୋଇପଡ଼ିଲା ଏବେ ଥାନାରେ । କ’ଣ କରାଯାଏ ? ଚାବି ଥିଲେ ସେ ଖୋଲି ଦେଖିଥାଆନ୍ତା । ନାଁ, ପରଜିନିଷ ଦେଖିବା ଦରକାର ନାହିଁ । କିଶୋର ଆସିଗଲେ ଆଟାଚିଟା ତାକୁ ସେ ଫେରେଇଦେବ । ସେଠାରେ ଥୋଇ ଦକ୍ ଦକ୍ ହେବା ଅପେକ୍ଷା ସେ ନେଇଆସି ଠିକ୍‌ କରିଛି ।

 

ଏଇଟାକୁ ସାଙ୍ଗରେ ଧରି ସେ ଯିବ କୁଆଡ଼େ ? ଶଙ୍କର ଠିକ୍ କଲା–ସେ ଭୁବନେଶ୍ୱର ଅଫିସ୍‍କୁ ଯିବ । ତା’ ପେନ୍‌ସନ୍‌ କଥା କ’ଣ ହେଲା ବୁଝିଆସିବ ।

 

ହଠାତ୍ ଜିପ୍‌ର ହର୍ଣ୍ଣ ବାଜିଲା ଘର ଆଗର ହତା ଭିତରେ । ଜିତୁ ଟିଫିନ୍‌ କାରିଅର୍‌ଟିଏ ଧରି ଘର ଭିତରକୁ ପଶିଆସିଲାବେଳେ ଶଙ୍କର ଆଟାଚିଟାକୁ ଟେବୁଲର ଯଥାସ୍ଥାନରେ ରଖିଦେଇ କହିଲା–ତୁ ଏତେ କଷ୍ଟ କାହିଁକି କଲୁ ? ମୁଁ ତ ବାହାରେ ଖାଇଦେଇଥାନ୍ତି ।

 

ଖିଆପିଆ ସରିଲା ପରେ ଶଙ୍କର କହିଲା–ମୁଁ ଭୁବନେଶ୍ୱର ଯାଉଛି । ପେନ୍‌ସନ୍‌ କଥା ବୁଝିବି । କିଶୋର ବାବୁଙ୍କର ଏ ଆଟାଚିଟା ଆଲମାରି ଭିତରେ ହୁସିଆରରେ ରଖିବୁ ।

 

ଜିତୁ ସେତେବେଳେ ବାହାରକୁ ଅନେଇଥିଲା–କହିଲା–କାହିଁକି ମିଛରେ ଯିବେ । ପେନ୍‌ସନ ଆଦି କିଛି ହୋଇନଥିବ । ସେ ଅର୍ଡ଼ରଟା ବଦଳି ଯାଇପାରେ ।

 

ଜିତୁ ସେଇଟାକୁ ଷ୍ଟିଲ୍ ଆଲମାରିରେ ରଖିଦେବାକୁ ଶଙ୍କର ଆଶ୍ୱସ୍ତ ହେଲା । ଭାବିଲା–ଆଉ କିଛି ଅସୁବିଧା ନାହିଁ ।

 

ଛେପ ଢୋକି ଜିତୁ ପଚାରିଲା–କେତେବେଳେ ଆସିବେ ?

 

ଶଙ୍କର କହିଲା–ଠିକଣା ନାହିଁ । କାମ ସରିଲେ ଫେରିଆସିବି । ବ୍ୟାଗ୍‌ଟା ହାତରେ ଝୁଲେଇ ବାହାରକୁ ଆସିଲାବେଳେ ଜିତୁ ଡ୍ରାଇଭରକୁ ଡାକି କହୁଥିଲା–ବସ୍‌ଷ୍ଟାଣ୍ଡରେ ନେଇ ଛାଡ଼ି ଆସିବାକୁ । ଶଙ୍କର ମନାକଲା । କହିଲା–ଦରକାର ନାହିଁ । ସେ ଚାଲି ଚାଲି ଯିବ । ରିକ୍‌ସା ମିଳିଲେ ଭଲ କଥା ।

 

ପାର୍ଟିଅଫିସ୍‍ ବାରେଣ୍ଡାରୁ ଜିତୁ ଲକ୍ଷ୍ୟ କରିଥାଏ ।

 

ଶଙ୍କର ବସ୍‌ଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ବାରଟା ଉପରେ ହେଲାଣି । ଗୋଟେ ପାଖାଆଖି । ବସ୍ ଷ୍ଟାଣ୍ଡରେ ବେଶି ଲୋକଗହଳି ନାହିଁ । ବୁଲାବିକାଳି ଫଳବାଲାଏ, ମାସିକ ପତ୍ରିକାବିକାଳି ପିଲାମାନେ ଓ କଡ଼ାଗୁଡ଼ାଖୁ ପୁଟୁଳାଟିମାନ ଧରି ଧାଇଁ ଧାଇଁ ଦଉଡ଼ୁଥିବା ମଇଳା ଅପରିଷ୍କାର ପିଲାଗୁଡ଼ା ବସ୍‍ଷ୍ଟାଣ୍ଡ ବାରେଣ୍ଡାରେ ହାଲିଆ ମାରୁଥିଲେ । ବାରେଣ୍ଡାରେ ଚଦର ବିଛେଇ କେତେଜଣ ଖୋଇଯାଇଥିଲେ–ଆଖି ମେଲେଇ, ଶୋଇରହି ଅଧାଶୁଆ ଓ ଅଧାନିଦରେ ବସ୍‌କୁ କେବଳ ଅପେକ୍ଷା । ପନ୍ଦର କୋଡ଼ିଏଟା ଯାଏ ବସ୍ ଠିଆ ରହିଥିଲେ ।–ଖରାରେ ତାତି ତାତି ଅପେକ୍ଷା କରିଥିଲେ ।

 

ବାହାରେ ରୌଦ୍ରତାପ । ଖରା ତ ନୁହେଁ ଆକାଶରୁ ଅବା ନିଆଁ ବର୍ଷା । ସେଇ ପ୍ରଚଣ୍ଡ ଖରାରେ ପୁଣି ଲୋକ ଚା’ ଖାଇବାରେ ବ୍ୟସ୍ତ । ବସ୍‌ଷ୍ଟାଣ୍ଡ ହତାର ଚା’ ଦୋକାନରେ ଉଦୁଉଦିଆ ଖରାବେଳେ ଚା’ ପାଇଁ ଭିଡ଼ । ଡ୍ରାଇଭର କଣ୍ଡକ୍‌ଟର ମାନେ ଗପ ଜମାଇଥାଆନ୍ତି ।

 

ଭୁବନେଶ୍ୱରକୁ ବସ୍‌ଟିଏ ବାହାରିବ ବୋଲି ଆସି ଠିଆହେଲାଣି ଆଗରେ । ଚାହୁଁ ଚାହୁଁ ଲୋକ ଭିଡ଼ । ଠେଲାପେଲା ଓ ଖୁନ୍ଦା ଖୁନ୍ଦି । ଅଧଘଣ୍ଟା ଅନ୍ତରରେ କଟକ ଭୁବନେଶ୍ୱର ବସ୍ । ତଥାପି ଭିଡ଼ କମିଲାନି ।

 

ବସ୍‌ ଛାଡ଼ିଲା ବେଳକୁ ଶଙ୍କର ସବାଆଗ ସିଟ୍‌ର କରକୁ ବସିଯାଇଥିଲା ।

 

ଅଫିସ୍‌ କରେ କରେ, ଧାଡ଼ି ଧାଡ଼ି ଡେଙ୍ଗାଳିଆ ଦେବଦାରୁ ଗଛସବୁ ଡେଇଁଗଲେ କାଣ୍ଟିନ୍ ପାଖରୁ ଯୋଉ ରାସ୍ତାଟା ରବୀନ୍ଦ୍ରମଣ୍ଡପ ପାଖରେଯାଇ ମିଶିଛି, ସେଇବାଟେ ଶଙ୍କର ଅନ୍ୟମାନଙ୍କଠୁ ନିଜକୁ ଲୁଚେଇରଖି ମୁଣ୍ଡ ପୋତି ପୋତି ଯାଉଥିଲାବେଳେ ହଠାତ୍ ଦେଖା ହୋଇଗଲା ରବି ଶଙ୍କର ସାଙ୍ଗେ । ଅଫିସ୍‌ରେ ଅନ୍ୟମାନଙ୍କଠାରୁ ସେ ତା’ର ସବୁଠୁ ବେଶି ପ୍ରିୟ । ଶଙ୍କର ଢଙ୍ଗ ସାଙ୍ଗେ ତାଙ୍କର ବେଶି ସାମଞ୍ଜସ୍ୟ ଥିଲା । ଶଙ୍କରର ସେ ସମସାମୟିକ ନୁହଁନ୍ତି । ଦଶବର୍ଷ ଜୁନିଅର ହେବେ । ରବିବାର ଧରାଧରି ଓ ଖୁସାମତି ଆଦିକି ପସନ୍ଦ କରନ୍ତିନି । ନିଜକାମ ଭଲ ତ ସିଏ ଭଲ । ପଙ୍କକୁ ଯିବେନି କି ଗୋଡ଼ ଧୋଇବେନି । ସଂଭ୍ରାନ୍ତ କୁଳିନ ପରିବାରର । ବେଶ୍‌ ଭଦ୍ର, ଫଳ ତା’ର ତାଙ୍କୁ ଭୋଗ କରିବାକୁ ପଡ଼ିଛି । ତାଙ୍କ ଜୁନିଅର ଲୋକମାନେ ପ୍ରମୋଶନ ପାଇଗଲେଣି । ରବିବାବୁ ସେମିତି ପଡ଼ିରହିଛନ୍ତି । କିନ୍ତୁ ସେ ଭାଙ୍ଗି ପଡ଼ିବାର ଲୋକ ନୁହନ୍ତି । ଡିପାର୍ଟମେଣ୍ଟରେ କାହାକୁ ଏବେ ସେ ମାନନ୍ତିନି । ଯିଏ ସମ୍ମାନ ଦେଇ ଜାଣେନି ସମ୍ମାନ ପାଇବାର ସେ ହକଦାର ନୁହେଁ । ଶଙ୍କର ଚାକିରିରୁ ଅବସର ନେଲାବେଳେ ଏକା ସେଇ ରବିବାବୁ ବେଶି ଦୁଃଖିତ ହୋଇଥିଲେ । କହିଥିଲେ–ଚାକିରି ଖଣ୍ଡିକ ଯାଇଛି ଭଲ ହୋଇଛି । ଏଣିକି ସ୍ୱାଧୀନ ଜୀବନ । ସମୟ ଅଛି ବୟସ ଅଛି । କିଛିନା କିଛି କରିହେବ ।

 

ସେଦିନ ଶଙ୍କରକୁ ଦେଖିନେଇ ସେ କାନ୍ଦି କାନ୍ଦି ହୋଇ, ହସି ହସି ଓ ଆନନ୍ଦ ଉତ୍ସାହରେ ନମସ୍କାର କରି ଖବରଦେଲେ–ଉପରୁ ପୁଣି ଅର୍ଡ଼ର ଆସିଛି । ଆପଣଙ୍କ ପାଖକୁ ଚିଠି ଗଲାଣି କି ନାହିଁ ଠିକ୍‌ ଜାଣିନି, ଆପଣ ପୁଣି ଥରେ ଚାକିରି ପାଇବେ । ଉପରୁ ଚାପା ପଡ଼ିଲା । ଆପଣଙ୍କୁ ଟିପି ଯିଏ ପ୍ରମୋଶନ ପାଇଛି ସେ ପୁଣି ଯଥା ସ୍ଥାନକୁ ଫେରିଆସିବ । ଆପଣ ଜଏନ୍‌ କଲା ପରେ ପ୍ରମୋଶନଟା ନିଶ୍ଚୟ । ଆଗ ଖାଇବାକୁ ଦିଅନ୍ତୁ ।

 

ଶଙ୍କର କଥାଟାକୁ ବିଶ୍ୱାସ କରିପାରିଲାନି । ମନେପଡ଼ିଗଲା ଜିତୁ । ଏସବୁ ବୋଧେ ତା’ରି କାମ । କାଇଁ ତ ସେ କହିଲାନି ? ମନେପଡ଼ିଲା–ସେ କହୁଥିଲା ଅର୍ଡରଟା ବଦଳିଯାଇପାରେ-। ତା’ହେଲେ ଜିତୁ କ’ଣ ଏସବୁ କରିପାରିଛି ? ଅଳ୍ପଦିନ ଭିତରେ ଉପର ମହଲାରେ ସେ ଏଡ଼େ ଜଣାଶୁଣା ହୋଇଗଲାଣି ? ବିଶ୍ୱାସ କରିପାରିଲାନି ଶଙ୍କର ।

 

ରବିବାବୁ ଅଫିସ୍‌ଆଡ଼େ ଯିବାକୁ ତାକୁ ବଳଉଥିଲେ, ଶଙ୍କର ମନାକଲା । କହିଲା–ଅର୍ଡ଼ରଟା ଆଗ ମିଳୁ ତେଣିକି ଦେଖାଯିବ । ପୋଡ଼ିଗଲା ତିଅଣରେ ଆଉ କ’ଣ ସୁଆଦ ଥାଏ ? ତଥାପି–

 

ତଥାପି ଆଉ କ’ଣ ? ରବିବାବୁ କହିଲେ–ମୁଁ ତ ଆପଣଙ୍କ ଘର ଠିକଣା ଜାଣିଛି । ସିଧା ଯାଇ ପହଞ୍ଚିଯିବ ।

 

ଶଙ୍କର ହଠାତ୍‌ ଠିକ୍‌ କଲା–ସେ ପୁରୀ ଯାଇ ପୁଣି ଫେରିଆସିବ । ଘରେ ଯାଇ ଖବରଟା ଦେଇଦେବା ଦରକାର । କେତେଦିନ ହେଲା ଘରକୁ ଯାଇନି । ପୁଅ ଆସି କଟକରେ । ପିଲେ ତେଣେ ହଇରାଣ ହେଉଥିବେ । ରବିବାବୁଙ୍କର ବିଦାୟ ନେଇ ଫେରିଲାବେଳକୁ ସେ ଅଧାବାଟଯାଏଁ ଆସିଲେ । ରବୀନ୍ଦ୍ରମଣ୍ଡପ ଛକଯାଏ ।

 

ମାଳ ମାଳ କୋଠାବାଡ଼ି, ପଛକୁ ପଛ ଧାଡ଼ିକି ଧାଡ଼ି, ରାସ୍ତାଘାଟ ସବୁ ଛକ କାଟି କାଟି, କାପିଟାଲ୍‌ଟା ଏବେ କେତେ ଯେ ବଢ଼ିଗଲାଣି ଆଖିପାଉନି । କାପିଟାଲ ଆରମ୍ଭ ହେଲାବେଳେ ଲୋକେ ସନ୍ଦେହ କରୁଥିଲେ-ସତେ କ’ଣ ଏଇ ଅପନ୍ତରିଆ ଜାଗାଟିରେ ଲୋକ ହେବେ । ଦୋକାନବଜାର ବସିବ, ସହରଟିଏ ଏଠି ଗଢ଼ିଉଠିବ ? ବର୍ଷ କେଇଟା ଭିତରେ କୋଶ କୋଶ ଆକ୍ରାନ୍ତରେ ବୁଦି-ବୁଦିକିଆ ଜଙ୍ଗଲ ଦିନକୁ ଦିନ ଖାଲି ହସିବାରେ ଲାଗିଛି । ଠୁଙ୍କା ଗଛଟିଏ ଭଳି ପଡ଼ି ରହିଥିଲା । ଶାଖା ପ୍ରଶାଖା ମେଲେଇ ଏବେ ସେଥିରେ ଲେନ୍ଥା ଲେନ୍ଥା ଫୁଲ ଧରିଛି । କାପିଟାଲ ରାସ୍ତା କରେ କରେ ଧାଡ଼ି ଧାଡ଼ି କୃଷ୍ଣଚୂଡ଼ା ଗଛର ମାଳା ଅବା ଫୁଲ ଭାରରେ ଗଛସବୁ ନଇଁପଡ଼ି, ହସି ହସି ଡାକିଲାଗିଛି । ଗୋଲେଇ ଛକ ପାଖକୁ ବସ୍‌ଷ୍ଟାଣ୍ଡ ଆଡ଼ିକି ଯିବା ରାସ୍ତାରେ ଉପରେ ଠକ୍‌ କରକୁ ଗୋଟିଏ ଗହଳିଆ କୃଷ୍ଣଚୂଡ଼ା ଗଛ, ଶୁଖି ଯାଉଥିଲା । ଏବେ କେନା ଧରିଛି । ଲେନ୍ଥା ଲେନ୍ଥା ଫୁଲରେ ଗଛଟା ଏବେ ମସ୍‌ଗୁଲ ।

 

ଶଙ୍କରର ମନ ବି ସେମିତି ଶୁଖିଯାଇଥିଲା । ଥୟହୋଇ କୋଉଁଠି ସେ ରହିପାରୁନଥିଲା-। ଠିକ୍‌ କରିପାରୁ ନଥିଲା କ’ଣ ସେ କରିବ । ଧରିନେଇଥିଲା ଚାକିରି ତା’ର ଦଶବର୍ଷ ଅଛି । ଯାହାକିଛି ଅସୁବିଧା ଇଆରି ଭିତରେ ପୂର୍ଣ୍ଣ କରିଦେଇପାରିବ । ପୁଅମାନେ ଚାକିରିବାକିରୀ କରିଥିବେ । ଝିଅମାନଙ୍କର ବାହାଛୁଡ଼ା ସରିଥିବ । କାପିଟାଲରେ ଜମି ଖଣ୍ଡେ ମିଳିଲେ ସେ ପକେଇ ଦେଇଥିବ । ଚାକିରି ବେଳେ କରି ନ ପାରିଲେ ପେନ୍‌ସନ ଗ୍ରାଚ୍ୟୁଇଟି ଯାହାକିଛି ମିଳିବ ସେଇତକ ଆଣ ଢାଳିଦେବ ସେଇ ଜମି ଉପରେ । ମନ ବୁଝିବା ପାଇଁ । ଜୀବନସାରା ଖଟି ଖଟି ସିଏ ବି ଚାଳିଆଖଣ୍ଡେ ଟେକିଦେଇପାରିଛି । କାପିଟାଲରେ ତା’ର ଗୋଟିଏ ଦୋହରା ଘର ।

 

ଚାକିରି ଖଣ୍ଡକ ଚାଲିଗଲା ପରେ ବାୟା ବିଲୁଆଭଳି ଖାଲି ସେ ଘୂରି ବୁଲୁଥିଲା । ରବିବାବୁଙ୍କଠୁ ତା’ ଚାକିରି ବିଷୟଟା ଶୁଣିସାରିଲା ପରେ ସେ ବହୁତ ଆଶ୍ୱସ୍ତ ହୋଇପାରିଛି ସତ, କିନ୍ତୁ ମନ ଭିତରଟା କେମିତି ତା’ର ଛଟପଟ ହେବାରେ ଲାଗିଛି । ଆଉଥରେ ଚାକିରି ନ କରିବାକୁ ତା’ର ଇଚ୍ଛା । ବର୍ଷ ବର୍ଷ ହେଲା ଭୁବନେଶ୍ୱର–ଏଇ ଗୋଲାମ ନଗରୀରେ ସେ ରହିଆସିଛି । ଯୋଉ କ୍ୱାଟର ଭିତରେ ଦୀର୍ଘ ପନ୍ଦର ବର୍ଷ ଧରି ସେ ରହିଆସିଥିଲା ଓ ଯୋଉମାନଙ୍କ ସାଙ୍ଗେ ସେ ଚଳପ୍ରଚଳ ହେଉଥିଲା, ଚାକିରି ଖଣ୍ଡକ ଚାଲିଗଲା ପରେ ସବୁକିଛି ତାକୁ ଅଜଣା ଭଳି ଜଣାପଡ଼ିଲା-। କୌଣସିଟା ଜିନିଷ ତା’ ନିଜର ନୁହେଁ । ସେ ହେଲା ଜଣେ ଅଜଣା ଅଚିହ୍ନା ମଣିଷ । ବେଦକାରୀ ଓ ଅଲୋଡ଼ା ।

 

ବ୍ୟାଗ୍‌ଟାକୁ ହାତରେ ଝୁଲେଇ ଝୁଲେଇ ବସ୍‌ଷ୍ଟାଣ୍ଡ ପାଖରେ ହେଲାବେଳକୁ ପ୍ରାଇଭେଟ୍‌ ବସ୍‌ଟିଏ ଠିଆ ହୋଇଛି । ଭରିଗଲେଣି । ବସ୍‌ଟା ପୁରୀ ଯିବ ।

 

ତା’ର ଚାକିରି, ରବିବାବୁଙ୍କ କଥା, ଜିତୁର ଜୀବନ ପାଇଁ ନୂଆ ଆୟୋଜନ ଏମିତି କେତେ କ’ଣ । କେତେ ତା’ର ଭାବନାଯାକ ମୂର୍ତ୍ତିମନ୍ତ ହୋଇ ବସ୍‌ ସାଙ୍ଗେ ସାଙ୍ଗେ ଧାଇଁଥିବା ଚଉଖୁଣ୍ଠିଆ ଆକାଶ ଭିତରେ ଦେଖାଦେଇ ଲିଭି ଲିଭି ଆସୁଥିଲା । ଦେଖାଯାଉଥିଲା ପୁଣି ନୂଆ ନୂଆ ରୂପରେ । ତା’ ଜୀବନର କେତେ କେତେ ଆଶା ଆକାଂକ୍ଷା ପାତେଳା ଟୁକ୍‌ ଟୁକ୍‌ ବଉଦ ଭିତରେ ଅବା ନାନା ଜାତିର ରୂପ, ରୂପେଲି ମେଘର ପରସ୍ତ ଭିତରେ ଧଳା ଧଳା ଭିନ୍ନ ଭିନ୍ନ ଆକାରର ମେଘର ବାମ୍ଫ ଭିତରେ କେତେ କେତେ କମକୁଟ ଓ କାରୁକାର୍ଯ୍ୟ ସବୁ, ଚଉଖଣ୍ଟିଆ ଆକାଶ ସାଙ୍ଗେ ସାଙ୍ଗେ ସେମାନେ ଦଉଡ଼ି ଧପଡ଼ି ଚାଲିଥାନ୍ତି ବସ୍‌ ସାଙ୍ଗେ ସାଙ୍ଗେ । ହିଡ଼ ଘେରା ସବୁଜ ଧାନ କ୍ଷେତ ସବୁ, ଦୂରକୁ ଦୂରକୁ ବହୁତ ଦୂରକୁ ଲମ୍ୱିଯାଇଥିଲା ପଣତ ଲମ୍ୱେଇ । ଗାଁଗଣ୍ଡାର ଧାଡ଼ି ଧାଡ଼ି ନଡ଼ିଆ ଗଛ । ହଲି ଦୋହଲି ନାଚିବାରେ ଲାଗିଥିଲେ ଓ ସେଇ ତନ୍ୱୀ କିଶୋରୀର ସବୁଜ ପଣତ ଅବା ଭିଡ଼ି ଭିଡ଼ି ଲମ୍ୱି ଆସିଥିଲା ରାସ୍ତାଯାଏଁ । ସିଧାସଳଖ ରାସ୍ତାଟା କୋଉଠି କୋଉଠି ଆମ୍ୱ ପଣସ ଓ ପରେଡ଼୍‌ କରିବାରେ ରତ ମାଳ ମାଳ ତାଳ ଗଛର ମୂଳ ଛୁଇଁ ଛୁଇଁ ବସ୍‌ଟା ଖାଲି ଧାଇଁ ଲାଗିଥିଲା । ବାଟରେ ରହି ରହି, ଯେତେ ଯେତେ ଓହ୍ଲାଉଥାଆନ୍ତି, ଆଉରି ବେଶି ଲୋକେ ଅଧାବାଟରୁ ପଶି ଆସୁଥାନ୍ତି । ନିଜ ନିଜ କାମନେଇ ସେମାନେ ପୁରୀ ଚାଲିଥାଆନ୍ତି । ହିଡ଼ଘେରା ଓ ଟୁକୁରା ଟୁକୁରା ଧାନ କିଆରି ସବୁକୁ ମଝିରେ ଯୋଉ ରାସ୍ତାଟା ଦି’ଫାଳ ବରିଛି ତା’ରି ଉପରେ ବସ୍‌ଟା ଧାଇଁ ଲାଗିଥିଲା ।

 

ବସ୍‌ ଭିତରେ ଏତେ ଲୋକଙ୍କର ଆତଯାତ । ଶଙ୍କର କାହାକୁ ହେଲେ ଦେଖିନି । ତା’ ପାଖକୁ ଲାଗି ବସିଥାଆନ୍ତି । ଶଙ୍କରର ସେମାନଙ୍କ ଆଡ଼ିକି ନଜର ନାହିଁ । ମନ ଭିତରେ ତା’ର ପଶିଯାଇଥିଲା–ତା’ର ଗାଁ ଜମି । ଭାବୁଥିଲା–ତା’ର ଶୁଦ୍ଧସୁବର୍ଣ୍ଣ ଜମି ସବୁ, ବାପଅଜା ଚଉଦ ପୁରୁଷର ଜମି, ପେଟରୁ କାଟି ପିଲାକବିଲାଙ୍କ ପାଇଁ ସେମାନେ ମାଟି ପୋତି ଦେଇଥିଲେ, ସେତକ ସେ ହରେଇଛି ଲାଣ୍ଡ୍ ସିଲିଂରେ । ବାକୀ ଯୋଉତକ ଅଛି ଟାଙ୍ଗରା ଭୂଇଁ, ଜମି ଗାଁରେ ଆଉ ତାଙ୍କର ସେ ପତିଆରା ନାହିଁ । ଛୁଆପିଲାଙ୍କୁ ଧରି ଏବେ ଆଉ ଚଳିହେବନି । ଯୋଉ ଜମିତକ ଯାଇଛି ସେତକ ହେଲେ ନଥିଲା ବାଲାଏ ପାଇଥାନ୍ତେ ? ଘାସ ବୁଦା ହୋଇ ସେମିତି ପଡ଼ି ରହିଛି ଜମିହୀନ ଗରିବ ଲୋକଙ୍କ ନାଁରେ । ସେ ପୁଣି ଆଉକାହା ହାତରେ ଯାଇ ପଡ଼ିବ । ବାହାରକୁ ଦେଖେଇବାକୁ ଓ ନାଁ ନେବାକୁ ଖାଲି ଲାଣ୍ଡ ସିଲିଂ ।

 

ରାସ୍ତା ଉପରୁ ଦେଖାଗଲାଣି ବଡ଼ ଦେଉଳ । ବହୁତ ବାଟରୁ । ଶଙ୍କର ବସ୍‌ ଭିତରୁ ହାତଯୋଡ଼ି ମନେମନେ କହୁଥିଲା–ଏଇ କେବଳ ରକ୍ଷା କରିବେ । ଏଇ ଲୋକଗୁଡ଼ାଙ୍କୁ ଏଇ ଜାତିକି ପୁଣି ଦେଶକୁ । ଯେଉଁମାନଙ୍କର ଏଇ ମାଟି ସାଙ୍ଗେ, ଲୋକମାନଙ୍କ ସାଙ୍ଗେ ପରିଚୟ ନାହିଁ-। ସେମାନେ ପୁଣି ନିୟମ କାନୁନ କରିବା ଦାୟିତ୍ୱରେ ଅଛନ୍ତି ! କ’ଣ ସେମାନେ ଜାଣନ୍ତି-ହାୟ ଭଗବାନ–

 

ସେଇ ଅଦୃଶ୍ୟ ଅଜଣା ଅଚିହ୍ନା ଭଗବାନ-ଯାହାଙ୍କର ସ୍ଥିତି ନାହିଁ ଅଥଚ ସର୍ବବ୍ୟାପୀ, ଗୋଡ଼ ନାହିଁ କି ହାତ ନାହିଁ ଅଥଚ ଯାହାଙ୍କ ହାତ ନ ବାଜିଲେ ଘାସଟିଏ ବି ହଲେନାହିଁ । ତାଙ୍କରି ତୁଳିରେ ଗଛପତ୍ରର ଏଇ ସବୁଜିମା, ଫୁଲରେ ଆକାଶର, ମାଟିର ରଙ୍ଗଯାକ ସବୁ ତାଙ୍କରି କାରୁକାର୍ଯ୍ୟ, ତାଙ୍କରି ଇଙ୍ଗିତରେ ସବୁକିଛି ଆତଯାତ ଓ ବଡ଼ ବଡ଼ ଆଖିରେ ପଲକ ନ ପକେଇ ଖାଲି ଯିଏ ଚାହିଁ ରହିଛନ୍ତି–ଯିଏ ତା’ର ଅସ୍ଥିମଜ୍ଜାଗତ ଓ ଯାହାଙ୍କ ଭାବନା ତା’ର ସବୁକିଛି ସଂସ୍କାର କି କୁସଂସ୍କାର ମୂଳରେ, କହି ନ ପାରିଲେ କି ବୁଝିନପାରିଲେ ବି ଯିଏ ଅଛନ୍ତି ବୋଲି ସେ ଜାଣିଥିଲା ଓ ସବୁ ବାଦ ବିସମ୍ୱାଦ ତର୍କ ବିଶ୍ୱାସ ଆଦି ମୂଳରେ ଯିଏ ସବୁଦିନେ ଓ ସବୁବେଳେ ତା’ମନ ଭିତରେ ଲୁଚି ରହିଛନ୍ତି, ତାଙ୍କରି ଉଦ୍ଦେଶ୍ୟରେ ନମସ୍କାର କରି ଶଙ୍କର ଧରିନେଇଥିଲା–ସବୁ ତାଙ୍କରି ଇଚ୍ଛା । ଯେତେ ଯାହା କଲେ ବି ସେ କିଛିହେଲେ ବଦଳେଇ ପାରିବନି । ଯାହା କିଛି ହେବାର କଥା ସେ ସବୁ ହୋଇସାରିଛି । ସବୁ ତାଙ୍କରି ଗର୍ଭରେ । ସିଏ କେବଳ ନିମିତ୍ତ ମାତ୍ର ।

 

ବସ୍‌ ଲାଗୁଲାଗୁ ଅଧାଅଧି ଲୋକ ଯାଇସାରିଲେଣି, ଯୋଉମାନେ ବସ୍‌ରେ ରେଲିଂଧରି ଠିଆରହିଥିଲେ । ଆସିଲା ବେଳକୁ ଯେମିତି ଭିଡ଼ି ଗଲାବେଳକୁ ବି ସେମିତି ଖୁନ୍ଦାଖୁନ୍ଦି । ବ୍ୟାଗଖ ଖଣ୍ଡିକ ହାତରେ ଧରି ବାହାରି ଆସିଲା ବେଳକୁ ନାହିଁ ନଥିବା ଭିଡ଼ି । ବଡ଼ଦାଣ୍ଡରେ ଶହ ଶହ ସଂଖ୍ୟାରେ ଯାତ୍ରୀବାହୀ ବସ୍‌ । ଧାଡ଼ିବାନ୍ଧି ଠିଆହୋଇଛି । କାହିଁ କେତେ ଲୋକମାନେ ଦଳ ଦଳ ହୋଇ ଚାଲିଥାନ୍ତି ମନ୍ଦିର ଆଡ଼େ । ଚାରିଆଡ଼େ ଲୋକାରଣ୍ୟ । ରିକ୍‌ସା ଖଣ୍ଡିଏ ପାଇଲେ ସେ ଚାଲିଯାଇଥାନ୍ତା । ସବୁଥିରେ ଲୋକଭର୍ତ୍ତି । ଅପେକ୍ଷା କରିବା ଅପେକ୍ଷା ଚାଲିଯିବାହିଁ ଭଲ । ଶଙ୍କର ନାକସିଧା ଚାଲିଲା ଘରଆଡ଼େ । ମନ୍ଦିର କରକୁ ତା’ର ଘର ।

 

ଜିତୁର କଟକରେ ରହିବା ବିଷୟ ମା’ ତା’ର ବୋଧେ ଜାଣିଥିବ ? ପାର୍ଟିଅଫିସରେ ରହିବା କଥା ଜିତୁ ତା’କୁ କହିନପାରିଥାଏ । ଯୋଉଠି ଇଚ୍ଛା ସେଠି ରହୁ, ପାଠପଢ଼ା ସରିଲା, ବୟସ ହେଲା, ଏଣିକି ଘରଧନ୍ଧା ମୁଣ୍ଡେଇବାବୁ ପଡ଼ିବ । ଶଙ୍କର ଭାବୁଥିଲା–ତା’ର ଚାକିରି ଖଣ୍ଡକ ଥିଲେ ଏମାନଙ୍କ ଉପରେ କିଏବା ନିର୍ଭର କରୁଥିଲା ? ପୁଣି ସେ ଖଣ୍ଡକ ମିଳିଯାଉଛି । ରବିବାବୁ ତାକୁ କ’ଣ ମିଛରେ କହୁଥିଲେ ? ଶଙ୍କର ଭାବି ଭାବି ଚାଲିଥିଲା–ଘରେ ପହଞ୍ଚୁ ନ ପହଞ୍ଚୁ ଆଗ ଗୀତାକୁ ଏ ଖବରଟା ସେ ଦେଇଦେବେ । ଶୁଣୁ ଶୁଣୁ ଗୀତା ଆନନ୍ଦରେ ନାଚିଉଠିବ । ଚାକିରି ଚାଲିଗଲା ପରେ ସେ ଯେପରି କାନ୍ଦୁଣୁ ମାନ୍ଦୁଣୁ ହୋଇ, ରାତିଅଧିଆ କ୍ୱାଟର ଛାଡ଼ି ଜିନିଷପତ୍ର ଓ ପେଡ଼ିପେଟେରା ଆଦି ବସ୍‌ରେ ଅଧେ, ଟ୍ରକ୍‌ରେ ଅଧେ, ଓ ବାକିତକ ଟ୍ରକ୍‍ଟାଏ ଭଡ଼ାକରି ନେଇଆସିଥିଲେ ସେ ଅପମାନର ଦାଗ ଏଯାଏଁ ମନରୁ ତା’ର ଲିଭିନି । ବେଳେବେଳେ ସେଇ କଥାକୁ ମନେପକେଇ ଗୀତା ବାହୁନି ହୁଏ । ରିଟାୟର୍ଡ଼ ହୋଇ କ୍ୱାଟର ଛାଡ଼ିଥିଲେ ଅଲଗା କଥା । ସେମାନେ ସସମ୍ମାନେ ଘରକୁ ଫେରିଥାଆନ୍ତେ । ତାଙ୍କର ସମ୍ମାନଟାକୁ ଜାହିର କରିବାପାଇଁ ଗୀତା ଶୁଣିଲେ ଖୁସି ହୋଇଯିବ । ପାଞ୍ଚ ସାତବର୍ଷ ଆଉ ଚାକିରି ଅଛି । ସମସ୍ତଙ୍କ ସାଙ୍ଗେ ଜଣେ ବୋଲି ସେମାନେ ଗଣାହେବେ । ଗୀତା କହୁଥିଲା–ସେଇ କ୍ୱାଟରରେ ସେମାନେ ମନି ବାହାଘରଟା କରିବେ । ଆଡ଼୍‌ଡ଼ା ଚଉଡ଼ାରେ । ଝିଅଟା ବି.ଏ ପାଶ୍‌ କରି ଘରେ ବସିଛି । ଏମ.ଏ ପଢ଼ିବ ବୋଲି ଲଗେଇଥିଲା । ଶଙ୍କର ମନାକଲା । ତା’ ମା’ର ବିଭାଘରଟା ସେମାନେ ଉଠେଇବେ ।

 

ମନ୍ଦିର କରିଦେଇ ଗଲାବେଳେ ଶଙ୍କର ଆଶ୍ଚର୍ଯ୍ୟ ହୋଇଗଲା । ସେ ଦୋକାନ ବଜାର ଆଉ ନାହିଁକି ରାସ୍ତାଘାଟ ହସିଉଠୁନି । ଚାରିଆଡ଼େ କୁଢ଼ କୁଢ଼ ଭଙ୍ଗା ଇଟା ଓ ଚୁନ ସିମେଣ୍ଟ ଗଦା ସବୁ । ଦୋକାନଯାକ ଅଜାଡ଼ି ହୋଇପଡ଼ିଛି । ଦେଉଳ ଚାରିପାଖଯାକ ଭଙ୍ଗା ଭଙ୍ଗି । ଭୂମିକମ୍ପ ପରର ଅବସ୍ଥା ଭଳି ।

 

ରାସ୍ତାକର ବତିଖୁଣ୍ଟର ଆଲୁଅଯାକ ହଠାତ୍‌ ଯେତେବେଳେ ଜଳିଉଠିଲା, ଶଙ୍କର ସିଧା ସିଧା ଘରଭିତରକୁ ପଶି ଯାଉ ଯାଉ ଦେଖିଲା–ଦାଣ୍ଡ ଦୁଆରଟା ଠିଆ ମେଲା । ପାଟିତୁଣ୍ଡ ଶୁଭୁନି ଗୀତା ସେତେବେଳେ ରୋଷେଇ ଘରେ । ଚୁଲି ନିଆଁକୁ ଲକ୍ଷ୍ୟରଖି ବସିରହିଛି । ଶଙ୍କର ଆସିବା କଥା ଜାଣିନି । ମନି ଆରପଟ ଘରେ ପାଟି ଶୁଣି ରୋଷେଇ ଘରୁ ଲସରପସର ହୋଇ ଦଉଡ଼ିଆସିଲା ଗୀତା ।

 

ଶଙ୍କର ପଚାରିଲା–ଆଲୋକ କାହିଁ ? ଘରକୁ କ’ଣ ଏଯାଏ ଆସିନି ? କୁଆଡ଼େ ଯାଇ ବୁଲୁଥିବ ।

 

ଗୀତା ଚୁପ୍‌ ରହିଲା ।

 

ମନି ଆସି ବୋଉ ପଛେ ।

 

ଗୀତା କ’ଣ କହିବ କହିବ ବୋଲି ହେଉଥିଲା । କହିପାରିଲାନି କି ରହିନପାରି ରୋଷେଇ ଘର ଆଡ଼େ ଚାଲିଲା ଚା’ କରିବାକୁ ।

 

ଶଙ୍କର ଲକ୍ଷ୍ୟକଲା–ଗୀତାର ପଛପଟ ଅଣ୍ଟାଟା କେମିତି ଅସ୍ୱାଭାବିକ ଭାବରେ ସରୁ ଦେଖାଗଲାଣି । ଝଡ଼ିଯାଇଛି । କାପିଟାଲ କ୍ୱାଟରରେ ରହିଥିଲା ବେଳରେ ସେ ଦେହ ଆଉ ତା’ର ନାହିଁ । ବିଚାରୀ ଏକେଲା ବଡ଼ ହଇରାଣ ହେଉଛି । ଶଙ୍କର ଦୀର୍ଘ ନିଶ୍ୱାସଟିଏ ପକେଇ ମନେମନେ ବଡ଼ ବ୍ୟସ୍ତ ହେଉଥିଲା–ଆସିଲାବେଳେ ସେ ଘରକୁ କିଛି ଆଣିପାରିଲାନି । ବସ୍‌ରୁ ଓହ୍ଲେଇଲା ବେଳକୁ ତା’ର ମନେଥିଲା । ଭୁଲିଯାଇଛି ।

 

ମନି ଚାଲିଲାଣି ବୋଉ ପାଖକୁ ।

 

ତାକୁ ଚା’ କରିବାକୁ ଛାଡ଼ିଦେଇ ଗୀତା ଆସି କହିଲା–ଚିଠି ଆସିଛି ।

 

କି ଚିଠି ? ଶଙ୍କର ମନଭିତରେ ଆସି ପ୍ରତିଧ୍ୱନୀତ ହେଲା, ରବିବାବୁଙ୍କ କଥା–ଚିଠି ବୋଧେ ଚାଲିଯିବଣି ।

 

ଅଫିସ୍‌ ଚିଠିତ ନୁହେଁ । ଇନ୍‌ଲାଣ୍ଡ ଲଫାପାଟିଏ । ଗାଁରୁ ଆସିଛି । କ’ଣ ବୋଲି ପଢ଼ିଲା ବେଳକୁ ପୁଣି ସେଇ ଜମିବାଡ଼ି ଗଣ୍ଡଗୋଳ । ଜମିତକ ତ ସିଲିଂରେ ଯାଇଛି । ଯୋଉତକ ରହିଛି-ଟାଙ୍ଗେରା ଓ ପଡ଼ିଆ ଜମିରୁ ପୁଣି ଗାଁଲୋକେ ଧାନ କାଟି ନେଇଛନ୍ତି । ଭାଗରେ ଚାଷ କରୁଛନ୍ତି । ସୋମାନଙ୍କ ପାଖରେ ଲଙ୍ଗଳ ଅଛି । ସେଇମାନଙ୍କର ଜମି । ଗାଁର ଜଣେ ଲୋକ, ଶଙ୍କରର ଯେ ଶୁଭାକାଂକ୍ଷୀ, ସେଇ ଚିଠି ଲେଖିଥିଲା–ଶୀଘ୍ର ଆସି ଫଇସଲା କରନ୍ତୁ । ପ୍ରଜାଏ ବଡ଼ ହୁମ୍‌ଦାମ୍‌ କଲେଣି । ଫସଲ ପାଇବା କଥା ଏଣିକି ଅସମ୍ଭବ । ଜମି ଥିବ ଯାହାନଥିବ ସେଇଆ-ଏତିକିବେଳୁ ଜବତ୍‌ ନକଲେ ସେମାନେ ଆହାବ ପାଇଯିବେ ।

 

ଚିଠିଟା ପୁଢ଼ୁ ପୁଢ଼ୁ ମନି ଦେଇଥିବା ଚା’କପକ ଶଙ୍କର ଇଆ ଭିତରେ ଶେଷ କରିଦେଇଥିଲା । ଆଲୋକ କଲେଜରୁ ଆସିଥିଲା ଆଉ ଗୋଟିଏ ଚିଠି । ପ୍ରିନିସ୍‌ପାଲ ଲେଖିଛନ୍ତି–ଆଲୋକକୁ ସାବଧାନ କରିବାକୁ । ସେ କ୍ଳାସରେ ଯୋଗଦେଉନି । ବେଶି ଅନୁପସ୍ଥିତ ହେଲେ କଲେଜରୁ ନାଁ କଟିଯିବ ।

 

ଜିତୁ ତ ଯାଇ କଟକରେ ଇଏ ପୁଣି କୁଆଡ଼େ ଯାଇ ମାତିଗଲାଣି । ଆଲୋକ ଘଣ୍ଟା ଘଣ୍ଟା ଧରି ବକ୍ତୃତା ଦେଇପାରେ । ପଢ଼ାପଢ଼ିର ନାଁଗନ୍ଧ ନାହିଁ । ସଦାବେଳେ ଯାଇ କୁଲି ମଜୁରିଆଙ୍କ ବସ୍ତିରେ । ଗାଁ ଗଣ୍ଡାରେ ଭାଗଚାଷୀଙ୍କ ମେଳରେ । ପଢ଼ାପଢ଼ିଟା ହେଲେ ସରିଯାଇଥାଆନ୍ତା ? ଶଙ୍କର ବଡ଼ ବ୍ୟସ୍ତରେ ଗୀତା ଆଡ଼ିକି ଚାହିଁଲା ।

 

ଗୀତା ବି ଠିକ୍‌ ତା’ ଆଡ଼ିକି ଚାହିଁଥିଲା ।

 

ଗୀତାର ଏଇ ଆଖି ସାଙ୍ଗେ ଚାହାଣି ସାଙ୍ଗେ ଶଙ୍କରର ବହୁତ ଦିନର ପରିଚୟ । ପଚିଶ ବର୍ଷ ତଳେ ଗୀତା ଯେତେବେଳେ ତାଙ୍କ ଘରକୁ ଆସେ ତା’ର ସେଇ କଳାଘୁମର ଭଳି ଆଖି ଭିତରେ ଥିଲା ଭରପୂର ଆତ୍ମବିଶ୍ୱାସ । ବାପା ବୋଉ ଥାଉ ଥାଉ ଓ ତାଙ୍କ ପରେ ପରେ, ଚାକିରି ଆରମ୍ଭ କରୁ କରୁ ସ୍ୱଳ୍ପ ଆୟ ଭିତରେ କେତେ କେତେ ହା-ହୁତାଶ, କେତେ କେତେ ଅଭାବ ସେଇ ଆଖି ହଳକ ତା’ମନରେ ବଳ ଆଣିଦିଏ । କୁମ୍ଭାର ଚକରେ ଗୋଟିକ ପରେ ଗୋଟିଏ ହାଣ୍ଡି ମାଠିଆ ଗଢ଼ାହେଲା ଭଳି ପିଲାଝିଲା ମାନେ ଛୋଟରୁ ଯେତେବେଳେ ବଡ଼ହେବାକୁ ବସିଲେ ଗୀତା ଆଖିରୁ ଆତ୍ମପ୍ରତ୍ୟୟ ଉଭେଇଯାଇ ଦେଖାଦେଲା ଅସ୍ଥିରତା । ଚାକିରି ଚାଲିଗଲା ପରେ ଘରଗୋଟାକର ଭାରା ମୁଣ୍ଡେଇ, ପିଲାଙ୍କର ଜଞ୍ଜାଳ, ଭୁଆସୁଣି ଝିଅଟାକୁ ବେଳରେ ବାନ୍ଧି ଏଣେ–ଜମିବାଡ଼ି ଗଣ୍ଡଗୋଳ, ଚାଉଳ ଗଣ୍ଡାକ ପାଇଁ ଆଗେ ଚିନ୍ତାନଥିଲା, ତା’ ପାଇଁ ଏବେ ଅଘୋର ଚିନ୍ତା, ଯୁଆଡ଼େ ଚାହିଁବ ସିଆଡ଼େ ଖାଇ କଷଣ-ସାରା ଜୀବନଟା ଅବା ଖାଲି କଷଣମୟ ଓ ସେ ସବୁ ଏକାଠି ମିଳିମିଶି ଅଭାବ ଅସୁବିଧା ଓ କଷଣ ଯାକ ଫଣାଟେକି ତାକୁ ଯେତେବେଳେ ଦଂଶନ କରନ୍ତି, ଶଙ୍କର ଘରେ ନଥିଲାବେଳେ ଗୀତା ସେ ସବୁକୁ ଜୀବନ ଜଞ୍ଜାଳର ମନ୍ତ୍ର ଫୁଙ୍କି ଉଡ଼େଇଦିଏ-। ଶଙ୍କର ଘରକୁ ଆସିଗଲେ ସେଇ ପର୍ବତ ପ୍ରଣାମର ଜଞ୍ଜାଳ ଯାକ ଯାହାକୁ ଜୟ କରି ଗୀତା ବିଜେତାର ଗୌରବ ନେଇ ବସିଥାଏ । ସେଇ ପାହାଡ଼ଟା ଅବା ତରଳିଯିବାକୁ ବସେ ଓ ତା’ର ଆଖିରୁ ଗଳଗଳ ହୋଇ ବର୍ଷା କରେ ଶ୍ରାବଣର ଧାରା । ଶଙ୍କର କେତେଥର ଅନୁଭବ କଲାଣି, ବିଶେଷତଃ ତା’ ଚାକିରି ଖଣ୍ଡକ ଗଲାପରେ, ଗୀତା ଏବେ ଭାଙ୍ଗିପଡ଼ୁଛି । ମନରେ ଆଗର ସେ ବଳ ଆଉ ନାହିଁ । ଆଖିରେ ତା’ର ଭରଷା ନାହିଁ । ଯାହାକୁ ଚାହିଁ ଚାହିଁ ଜୀବନରେ ସେ ଆଉ କେତେବାଟ ଆଗେଇଯିବ ।

 

ଆଲୋକ ଆଉ ଆଗେଇଯିବ କ’ଣ ଜିତୁ ଅବା ତାକୁ ଉଡ଼େଇ ନେଇଥାଆନ୍ତା । ପାଠପଢ଼ା ନାହିଁ ସଦାବେଳେ ଖାଲି ବୁଲାବୁଲି, ଶଙ୍କର ପୁଣି ପଚାରିଲା–କେତେବେଳେ ସେ ଘରକୁ ଆସୁଛି ?

 

ଗୀତା କହିଲା–ଦି’ଦିନ ହେଲା ଆସିନି । ତା’ ପାଇଁ ଅପେକ୍ଷା କରି କରି ରାତିଦିନ ଆମକୁ ନିଦ ନାହିଁ ।

 

କୁଆଡ଼େ ସେ ଯାଉଛି ? ଶଙ୍କର ପଚାରିଲା ।

 

ଜାଣିନି ।

 

ମନି କହିଲା–ସେମାନେ କ’ଣ ଗୋଟେ ସଂଗଠନ ଗଢ଼ିଛନ୍ତି । ଆଉ କେତେଜଣ ପିଲା ବି ସେଥିରେ ଅଛନ୍ତି । ସେମାନଙ୍କ ଭିତରୁ କେତେଜଣ ତାକୁ ଡାକିଆସନ୍ତି । ସାଇକେଲ ଧରି ଠିଆ ରହିଥାନ୍ତି ରାସ୍ତାରେ । ଘର ଭିତରକୁ କେବେ ଆସିନାହାନ୍ତି । ସେମାନେ ଡାକୁଥିବା ଖବରପାଇଲେ ଆଲୋକ ପ୍ୟାଣ୍ଟସାର୍ଟ ଗଳେଇ ବାହାରିପଡ଼େ । ଘରୁ ବାହାରିଗଲେ କେତେବେଳେ ଫେରିବ ତା’ର ଠିକଣା ନାହିଁ । କାହାକୁ ଏବେ ଆଉ ସେ ମାନୁନି । ମନି ଅଣନିଶ୍ୱାସରେ ଏତକ କହିଦେଇ ବୋଉ ମୁହଁକୁ ଅପେକ୍ଷା କଲା ।

 

ଆଚ୍ଛା ! ଶଙ୍କର ଦୀର୍ଘ ନିଶ୍ୱାସଟିଏ ମାରି ଚଉକି ଖଣ୍ଡକରେ ବସିଗଲା । କ’ଣ ଏବେ କରିବ ? ସେଇମାନଙ୍କ ପାଇଁ ଦିନ ନାହିଁ କି ରାତି ନାହିଁ ଖଟି ଖଟି ବହୁତ ଆଶାକରିଥିଲା ଶଙ୍କର-କେତେ ସ୍ୱପ୍ନ ଦେଖିଥିଲା–ସେଇମାନେ ଦିନେ ବଡ଼ ମଣିଷ ହେବେ ଓ ନାଁ ରଖିବେ । କ’ଣ କରାଯିବ ? ଯିଏ ଯାହା କରିବ ସେ ତା’ ଫଳ ଭୋଗ କରିବ । ତଥାପି ସେମାନଙ୍କ ଶାସନ ଦରକାର । ସିଏ ସିନା ଘରେ ରହିଲେ ହୁଅନ୍ତା ? ଏବେ ସେ କୋଉଆଡ଼ିକି ହେବ ? ଶଙ୍କର ନିଜକୁ ବଡ଼ ଅସହାୟ ବୋଧ କରୁଥିଲା ।

 

ମନି ବାପା ଖାଇବାଯାଏ ଅପେକ୍ଷା କରିଥିଲା । ଆଗରେ ବୋଉ ଛିଡ଼ା ରହିଛି । ଥାଳିରୁ ସରିଗଲେ ଆଣି ପରସିଦେବ । ବୋଉର କାନି ଭିଡ଼ିଦେଇ ମନି କହିଲା–ମୋର ବି.ଇ.ଡ଼ି ଟ୍ରେନିଂ ପାଇଁ ଇଣ୍ଟରଭିଉ କାର୍ଡ଼ ଆସିଛି । ପରୀକ୍ଷାରେ ଭଲ ନମ୍ୱର ଥିଲା । ସିଲେକସନ ହୋଇଯାଇପାରେ-। ଇଣ୍ଟରଭିଉ ଆଉ ପନ୍ଦରଦିନ ଅଛି । ମନି ଏସବୁ କହିବା ଅର୍ଥ ସେ ଇଣ୍ଟରଭିଉକୁ ଯିବ କି ନାହିଁ ଅନୁମତି ମାଗୁଥିଲା ।

 

ଶଙ୍କର ଭାବିଥିଲା–ଝିଅର ପଢ଼ା ସରିଲାଣି । କୁଆଡ଼େ ଗୋଟିଏ ଭଲ ପାତ୍ରଟିଏ ମିଳିଗଲେ ବାହାଘରଟା ତା’ର ଉଠେଇଦେବ । ସେ ଯାଇ ତା’ର ଘର କରୁ ଅନେକ ଝିଅପିଲା ଏବେ ଚାକିରି ତଲେଣି । ପୁଅ ଘର ବି ଚାକିରିଆ ବୋହୂ ଖୋଜୁଛନ୍ତି । ବିଭାଘର ହେଲାଯାଏଁ ପାଠପଢ଼ା ଓ ତା’ ପରେ ପରେ ମାଷ୍ଟ୍ର ଚାକିରି ଥୁଆ । ପୁଣି ବାଳିକା ସ୍କୁଲରେ । ଅସୁବିଧାତ ନାହିଁ । ଶଙ୍କର କହିଲା–ଇଣ୍ଟରଭିଉରେ ଯୋଗଦେଉ । ପୁଣି ଷ୍ଟାଇପେଣ୍ଡ ମିଳିବ । ଗଲେ କିଛି ଅସୁବିଧା ନାହିଁ । ଗୀତା ଆଡ଼ିକି ଅନେଇ ତା’ର ମତ ଲୋଡ଼ୁଥିଲା ଶଙ୍କର ।

 

-ଗୀତାର ହଁ ନାହିଁକି ମନା ନାହିଁ ।

 

ମନି ବୋଉ କାନିକି ଛାଡ଼ିଦେଇ ଦଉଡ଼ି ଦଉଡ଼ି ଯାଇ ବିଛଣା ଉପରେ ଗଡ଼ିଗଲା । ବାପା ହିଁ କରିଛନ୍ତି । ଭାବୁଥିଲା–ବାପା ଯେବେ ମନାକରନ୍ତି ଏତେବଡ଼ ସୁବିଧାଟିଏ ହାତରୁ ଖସିଯିବ ।

 

ହାତରୁ ଖସିଗଲେ ଅଣାୟତ୍ତ ହେଲାଭଳି ଆଲୋକକୁ ଆଉ ପାରିହେବନି । ଏତେ ରାତି ଆସି ହେଲାଣି ତା’ର ଦେଖାନାହିଁ । ଦି’ଦିନ ଘରକୁ ଆସିନି । ମା’ଟିଏ ଖାଇ ବସିଥିଲାବେଳେ ଗୀତା ଭାରି ବ୍ୟସ୍ତ ହେଉଥିଲା । ମନି ଆଗରେ କହୁଥିଲା–ସେଇଥିପାଇଁ ବାପା ସଦାବେଳେ ମନାକରନ୍ତି । ସଞ୍ଜ ଲାଗୁ ଲାଗୁ ପିଲାଏ ପାଠ ପଢ଼ି ବସିବା ଦରକାର । ବାହାର ଆଡ଼ିକି ଥରେ ମୁହଁ ହୋଇଗଲେ ଘରମୁହାଁ ହେବା ମହାନ କଷ୍ଟ । ଆଲୋକଟା ଅବଶ୍ୟ ଭଲପିଲା । ସୁନା ମୁଣ୍ଡାଟାଏ । ଏତେ ଲୋକଙ୍କ ସାଙ୍ଗେ ତା’ର ମିଳାମିଶା କିନ୍ତୁ ଗୋଟାଏ ଖରାପ ଅଭ୍ୟାସ ସେ ବାହାରୁ ଭୋଟେଇ ଆଣିନି । କିନ୍ତୁ ତା’ର ପିଲା ମନ–କେତେବେଳେ କି କଥା ଅଛି । ବେଳହୁଁ ସାବଧାନ ହେବା ଦରକାର । ଯେତେ କାମ ବି ଘରକୁ ଫେରିଆସିବା ଦରକାର । ଯେତେ ରାତି ହେଉ ପଛେ ସେ ଯଦି ଫେରିଆସନ୍ତା ତାହେଲେ ଅବା ଚଳନ୍ତା ।

 

ଶଙ୍କର ଆଲୋକ କଥା ଭାବି ଭାବି ଖଟଉପରେ କେତେବେଳଯାଏ ଗଡ଼ପଡ଼ ହେଲା । କିନ୍ତୁ ତାକୁ ନିଦ ଆସିଲାନି । ରୋଷେଇ ଘର ଦୁଆର ମୁହଁକୁ ଆସି କହିଲା–ଶୁଣିଲଣି ?

 

ଗୀତା ଅଇଁଠା ହାତରେ ଦରଖିଆ ହୋଇ ଉଠିଗଲା ବେଳକୁ ଶଙ୍କର ରୋଷେଇ ଘର ବାରେଣ୍ଡାର ଅନ୍ଧାରିଆ ଜାଗାରେ ଖୁବ୍ ଆସ୍ତେ ତା’ କାନ ପାଖରେ କହିଦେଲା-ଚାକିରିଟା ପୁଣି ଆଉଥରେ ମିଳିଯାଉଛି । ଅର୍ଡ଼ରଟା ଏବେ ଆସି ପହଞ୍ଚିଯିବ ।

 

ରୋଷେଇ ଘରର ଆଲୁଅଟା ବାରେଣ୍ଡାରେ କୋଠି କାଟିଥିଲା । ଆଲୁଅ ଅନ୍ଧାର ମଝାମଝି ଗୀତା ଓ ଶଙ୍କର । ମନେହେଲା–ଗୀତାର ଆଖିଦୁଇଟି ସେଇ ଅନ୍ଧାର ଭିତରେ ଅବା ଦୂର ମୁହଁକୁ ଚାହିଁ ଚାହିଁ ଦପ୍‌ ଦପ୍‌ ହୋଇ ଜଳିଉଠୁଛି । ଆନନ୍ଦ ଉଲ୍ଲାସରେ ଗୀତା ଢଳିପଡ଼ିଥାଆନ୍ତା, ଶଙ୍କର ଧରିନେଲା ।

 

ଗୀତା ପଚାରିଲା–ସତରେନାଁ–

 

ସତ ନୁହେଁ କ’ଣ ଆଉ ମିଛ ? ଶଙ୍କର କହିଲା ।

 

ମନି ବୋଲି ଗୀତା ଗୋଟିଏ ପାଟି କଲା । ଗୋଟାଏ ଅସ୍ୱାଭାବିକ ବଡ଼ପାଟି ।

 

ମନି ବି ଖବରଟା ଶୁଣିଦେଇ ନାଚି ନାଚି ଅବା ଯାଉଥିଲା । ବୋଉର କାନି ଟାଣି ଟାଣି-। ଅଧା ଖିଆରେ ସେ ଉଠିଆସିଛି । ମା’ ଝିଅ କେତେବେଳ ଯାଏଁ ଖାଲି କଥାହେଲେ ଭୁବନେଶ୍ୱର ବିଷୟରେ । ଅଭାବ ଅସୁବିଧା ଆଉ ନଥିବ । ଜିତୁ ଭାଇ ଓ ଆଲୋକ ଯାହା କରିବେ ସେମାନେ କରୁଥାଆନ୍ତୁ । ମନିର ବି.ଇ.ଡ଼ି ଟ୍ରେନିଂ ତା’ପରେ ଚାକିରି । ବିଭାଘର ହେଲେ ତ ଭଲ, ନ ହେଲେ ଚିନ୍ତା ନାହିଁ । ଗୀତା ଭାବୁଥିଲା–ଭୁବନେଶ୍ୱର କ୍ୱାଟରରେ ବିଭାଘର ଜାକ ଜକମରେ ହୋଇପାରିବ-

 

ହୋଇପାରେ–ଆଲୋକ ରାତିଅଧରେ ବି ଆସିଯାଇପାରେ । ଦିନେ ଦିନେ ଏମିତି ସେ ଆସେ । କୁଆଡ଼େ ଯାଇଥିଲୁ-କ’ଣ କରୁଥିଲୁ ବୋଲି ପଚାରିଲେ ସେ ଉତ୍ତର ଦିଏନି । କଞ୍ଚା ଦରସିଝା ଯାହା ତାକୁ ଦେବ ସେତକ ମୁଣ୍ଡ ପୋତି, ଚୁପ୍‌ ଚୁପ ଖାଇଦେଇ ସିଧା ଚାଲିଯାଏ ତା’ ପଢ଼ା ଟେବୁଲ ପାଖକୁ । ରାତିଯାକ ତାକୁ ନିଦ ନଥାଏ । ଯେତେବଳେ ନିଦ ଭାଙ୍ଗିଗଲେ ଦେଖିବାକୁ ମିଳେ ସେ କିଛି ନା କିଛି ପଢ଼ୁଥିବ । ପଢ଼ା ବହି ନୁହେଁ । କାହିଁ କେତେ ଅର୍ଡ଼ର ବହି । ବଦ ଅଭ୍ୟାସ ବୋଲି କିଛି ନାହିଁ । ବଡ଼ ଅଦ୍ଭୁତ ପିଲା ସିଏ । କାହିଁକି ସେ ଏମିତି ବୁଦ୍ଧି କରୁଛି କେଜାଣି ?

 

ମନି ଆରଘରେ ସେତେବେଳକୁ ଶୋଇଯାଇଥିଲା । ତା’ର ସୋରଶବଦ ନାହିଁ । ଗୀତା ଜାଣିଛି-କେତେବେଳ ହେଲା ଇଏ ଘୁଂଗୁଡ଼ି ମାରି ଶୋଇଲାଣି । ପୁଣି ଶୁଭୁଛି–ସେ କର ନେଉଟେଇଲେଣି । ଗୀତାର ବୁଜିଲା ଦିଓଠର ମଝି ଫାଙ୍କରେ, ବାହାର ଅଗଣାରେ ବିଛେଇ ହୋଇ ଝରି ପଡ଼ିଥିବା ଚନ୍ଦ୍ରାଲୋକରୁ ଧାରଟିଏ ଅବା ଭରିଗଲା, ଉଛୁଳିଉଠିଲା ।

 

ଗୀତାର ମନେପଡ଼ିଗଲା ସେ ମଶାରି ଟାଙ୍ଗିନି, ମଶା ଖାଉଥିବେ । ଆଲୁଅ ଜାଳିଦେଇ ମଶାରି ଟାଙ୍ଗି ଗଲାବେଳେ ଆଶ୍ଚର୍ଯ୍ୟ ହେଲା–ଇଏତ ଏଡ଼େ ଏଡ଼େ ଆଖି କରି ଚାହିଛନ୍ତି । ଘୁଂଗୁଡ଼ି ମାରିବା ଓ ପୁଣି ଚେଇଁଉଠିବା ଏକା ୟାଙ୍କର ଚାଲିଛି ।

 

ଶଙ୍କର ଆସ୍ତେ ଡାକିଲା–ଶୁଣ

 

ଆଲୁଅଟା ଲିଭେଇ ଦେବାକୁ ଗୀତାର ଡର ନଥିଲା ।

 

ଶଙ୍କରର ସେଇ ‘ଶୁଣ’ କଥା, ପଦିକ ସେମିତି ତା’ ତୁଣ୍ଡରେ କେବଳ ରହିଗଲା । ଘରର ଘନ ଅନ୍ଧକାର ଭିତରେ ସେ ଖୋଜି ଲାଗିଥିଲା ପଚିଶ ବର୍ଷ ତଳର ସେଇ ଗୀତାକୁ । ଯେତେବେଳେ ସେ ନୂଆ ହୋଇ ଘରକୁ ଆସିଥିଲା । ସେଇ ଅନ୍ଧକାରକୁ ଅଣ୍ଡାଳି ଅଣ୍ଡାଳି ଯାହାକିଛି ହା-ହୁତାଶ, ମନସ୍ତାପ ଓ ନୈରାଶ୍ୟ ଭିତରୁ ସେ ଅବା ଖୋଜି ଲାଗିଥିଲା ପହିଲି ଜୀବନର ତା’ର ସ୍ୱପ୍ନଯାକ ।

 

କେଇଦିନ ପରେ–ଭୋର ବସ୍‌ଧରି ଶଙ୍କର ସକାଳୁ ସକାଳୁ ଦିନେ ମଙ୍ଗଳାବାଗ ଛକରେ କିଶୋରର ଘରକୁ ଗଲାବେଳକୁ ଘଟଣାଟା ଦେଖିଦେଇ ସେ ସ୍ତମ୍ଭୀଭୂତ ହୋଇଗଲା । କିଶୋରର ପ୍ରକାଣ୍ଡ ତିନିତାଲା କୋଠା ସେତେବେଳେ ପୁଲିସ ଘେର ଭିତରେ । ଘରଟାକୁ ସକାଳୁ ସକାଳୁ ଆଗଆଡ଼ୁ, ପଛଆଡ଼ୁ ଚାରିଆଡ଼ୁ ଘେରିଛନ୍ତି । କିଛି ତ ଆଗରୁ ଶୁଣାନଥିଲା । ଶଙ୍କର ପରସ୍ପରରେ ଶୁଣିବାକୁ ପାଇଲା–କିଶୋର ବାବୁ କଲିକତାରୁ ବମ୍ୱେ ଯାଇଥିଲେ । ବମ୍ୱେରେ ଗିରଫ ହୋଇଛନ୍ତି । କୋଉଠି ସେ ଅଛନ୍ତି କିଛି ଠିକଣା ନାହିଁ ।

 

କିଶୋର କଟକ ଫେରିଆସିଥିବ ବୋଲି ସେ ଭାବିଥିଲା । ତା’ର ଆଟାଚିଟାକୁ ରଖିଛି ପୁଣି ଜିତୁ ପାଖରେ । କ’ଣ ସେଥିରେ ଅଛି ଜଣାନାହିଁ, ପର ଜିନିଷ । କେତେ ବିଶ୍ୱାସ ରଖି ସେ ତାକୁ ଦେଇ ଯାଇଥିଲା ? ଚରଣକୁ ସାଙ୍ଗରେ ଧରି ତା’ ସାଙ୍ଗେ ଦେଖାକରିବ ବୋଲି ଶଙ୍କର ଆଗେ ଭାବିଥିଲା । ବସ୍‌ରୁ ଓହ୍ଲେଇ ସେ ଠିକ୍‌ କଲା–ନାଇଁ ସେ ଏକେଲା ଯିବା ଉଚିତ । ଟ୍ରକ୍‌ ଅସୁବିଧା କଥାଟା ସେ ଆଗ ଯାଇ କହିଥାଆନ୍ତା । ଜମିବାଡ଼ି ଗାଁରୁ ଯୋଉ ଚିଠି ଆସିଥିଲା–ଗାଁକୁ ଯିବା ବା’ର ଥିଲା ନିହାତି ଜରୁରୀ । ସମୟ ମିଳିଲେ ସିନା ଯାହା କରିବେ । ଏକେଲା ଲୋକ କେତେ ଆଡ଼ିକି ହେବ ? ଯୋଉ ଆଡ଼ିକି ଦରକାର ନିଜେ ନ ଗଲେ ନ ଚଳେ । କିଶୋରର ଆଟାଚିଟା ପାଖରେ ନଥିଲେ ସେ ଡେରି କରି ଯାଇଥାଆନ୍ତା । ଆଉ ଦିନେ କି ଦି’ନେ ପରେ ।

 

ପିଲାପିଲି ତା’ର ଦୋତାଲା ଉପରେ । ଘରଟା ପୁଣି ଖାନତଲାସ ହେବ ବୋଲି ଉପରୁ ନିର୍ଦ୍ଦେଶ ଆସିଛି । ଘରେ ମରଦ ଲୋକ ନାହାନ୍ତି । ମାଇପି ପିଲାଏ ଅବା ଜାଣନ୍ତି କ’ଣ ? ଏ ସମୟରେ ଘର ଖାନତଲାସ କରିବାଟା ଅନ୍ୟାୟ, ଅସୁନ୍ଦର, ଶୁଣୁଛି କିଏ ? ଉପରୁ ନିର୍ଦ୍ଦେଶ ଆସିଛି-। ଘରର ଅନ୍ଦିକନ୍ଦି ସବୁଆଡ଼େ ତନ୍ମ ତନ୍ମ କରି ପରୀକ୍ଷା କରିବାକୁ ପଡ଼ିବ । ପୁଲିସ ବାଲାଏ ନିର୍ଦ୍ଦେଶର ଚାକର । ଭଲ ମନ୍ଦ, ଠିକ୍‌ କି ଭୁଲ୍ ପରୀକ୍ଷା ଦେଖିବା କାମ ସୋମନଙ୍କର ନୁହେଁ ।

 

ଶଙ୍କର ଲକ୍ଷ୍ୟକଲା–ପାଖଆଖ ଝରକାବାଟେ, ଦୁଆର ମୁହଁରେ ଠିଆ ରହି, କିଏ କିଏ ଦୋତାଲାର ବାଲକୋନି ଉପରୁ, ଛାତ ଉପରୁ ଦୋକାନ ବଜାରଆଡ଼, ରିକ୍‌ସା ମଟରରୁ, କିଏ ବା ପଦଚାରୀ ସେଇବାଟେ ଯାଉ ଯାଉ ସମସ୍ତଙ୍କ ଆଖି କିଶୋର ଘର ଉପରେ । ସମସ୍ତଙ୍କ ଧାରଣା–ଏତେ ବଡ଼ କୋଠା କିଛି ବୋଧେ ଚୋରାମାଲ ଥିଲା । ପୋଲିସ୍‌ ଆସି ଘେରଉ କରିଛି । କିନ୍ତୁ କିଶୋର ବାବୁଙ୍କ ଘରକୁ ପୋଲିସ୍‌ ଘେରଉ କରିବା ତ ବୋଧେ ଠିକ୍‌ ହେଲାନି । ସିଏ ତ ବିପକ୍ଷ ଲୋକ ନୁହଁନ୍ତି । ସହରର ନାମଯାଦା ଲୋକ । ପୁରୁଖା ରାଜନୀତିଜ୍ଞ । ତାଙ୍କ ବିନା କଟକ ସହରର କୌଣସି ଅନୁଷ୍ଠାନ ଏଯାଏଁ ଆଗେଇପାରିନି । ସବୁଥିରେ ସେ ଥାଆନ୍ତି–ବାରବାଟୀ ଷ୍ଟାଡ଼ିୟମରେ ଫୁଟବଲ, କ୍ରିକେଟ୍‌ ମ୍ୟାଚଠୁ ଆରମ୍ଭ କରି, ଧର୍ମଘଟ ଶୋଭାଯାତ୍ରା ସାଂସ୍କୃତିକ ଉତ୍ସବ, ସାହିତ୍ୟ ସଭା, ନୃତ୍ୟ ସମାରୋହ, ସଭାସମିତି ଆୟୋଜନ ଆଦି ସବୁଥିରେ । କଟକ ସହରରୁ ଭୋଟରେ ଦି’ଦିଥର ସେ ଜିତିଲେଣି । ବଡ଼ ଆଶ୍ଚର୍ଯ୍ୟ କଥା–ଶଙ୍କର ବୁଝିପାରିଲାନି–କାହିଁକି ଏସବୁ ହେଲା ? ଅସଲ କାରଣଟା କ’ଣ ?

 

ରାସ୍ତାଉପରେ ଦେଖି ଲୋକ ଜମିବା ପୁଣି ମନା । ପାଞ୍ଚଜଣରୁ ବେଶିଲୋକ ଠିଆହୋଇ କଥାବାର୍ତ୍ତା କରିପାରିବେନି । ଘରେ ବାହାରେ ଚାରିଆଡ଼େ । କଥାହେଲେ କାନ୍ଥବାଡ଼ର ବି କାନ ଅଛି । ପଦେ ପଦେ ବିପଦ । କାହାର ବା ଗରଜ ପଡ଼ିଛି–ହାଣୁଆ କଟୁରିକି ବେକପାଖକୁ ଆଣିବ । ଦଳ ଦଳ କରି ସବୁ ଖାଲି ଦେଖୁଥିବ ଆଉ ଶୁଣୁଥିବ । କଥା କହିଲେ ବିପଦ । ମନ୍ତବ୍ୟ ଦେଲେ ତ ଆହୁରି ବିପଦ । ଘଟଣାଟାକୁ ଦେଖିଦେଇ ମୁହଁଆଡ଼େଇ ଚାଲିଯିବା ଶତଗୁଣରେ ଶ୍ରେୟସ୍କର ।

 

ପୁଲିସ ବାଲାଏ ଚିତାଉଚ୍ଚର ପିତଳ ମୁଦିଆ ଲଗା ଠେଙ୍ଗା ଧରି ଏ ମୁଣ୍ଡରେ ଲୁହାଟୋପି ପିନ୍ଧି ଘର ଚାରିପାଖେ ସେତେବେଳେ ଟହଲ ମାରୁଥାନ୍ତି । ଘର ସାମ୍ନାରେ ହଠାତ୍‌ ଗୋଟିଏ ପୁଲିସ ଜିପ୍‌ ଆସି ଠିଆହେଲା । ପଛେ ପଛେ ଦି’ଟା ରାଜଦୁତ୍ ମଟର ସାଇକେଲ୍ ପୁଲିସ୍‌ ଅଫିସର ଭରପୂର । ଦେଖଣାହାରୀ ଲୋକେ ଯାଉ ଆସୁ ନଜର ପକେଇଦେଇ ବାଟ କାଟୁଥାଆନ୍ତି । ଶଙ୍କର ସାମ୍ନା ଗୋଟିଏ ପାନ ଦୋକାନ ପାଖରେ ଠିଆ ହୋଇଥିଲା । କାଳେ କିଏ ତାକୁ ସନ୍ଦେହ କରିପାରନ୍ତି । ସିଏ ତ କେତେଥର ତା’ଘରକୁ ପୁଣି ଆସିଛି । ବେଶି ସମୟ ଠିଆହେବା ଉଚିତ ନୁହେଁ ଭାବି ସେ ଆଗକୁ ଆଗକୁ ପାଦ ପକେଇଲା । ମଙ୍ଗଳବାର ଛକରୁ ରାଣୀହାଟ ଆଡ଼ିକି । କୁଆଡ଼େ ସେ ଚାଲିଥିଲା–ସେମିତି କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଶଙ୍କର ରାସ୍ତାର ବାଁପଟ କରେ କରେ କେବଳ ଚାଲିବାରେ ଲାଗିଥିଲା ।

 

ରାସ୍ତାକଡ଼ରେ ଏୟାର କଣ୍ଡିସନ ହୋଟେଲଟା, ଯୋଉଠି ବିଦେଶି ମଦ୍ୟପାନର ବ୍ୟବସ୍ଥା ଅଛି ଓ ଠିକ୍‌ ତା’ ପାଖାପାଖି ମଟରଗାଡ଼ିର ସୋ’ରୁମ୍‌-ଫିଆଟି, ଆମ୍ୱାସାଡ଼ର, ରାଜଦୂତ, ବୁଲେଟ୍‌, ବଜାଜ୍‌ ଓ ବିଜୟା ଆଦି ପଦଚାରୀମାନଙ୍କୁ ବିଦ୍ରୂପ କରି ଯୋଉଠି ଠିଆ ସେଇ ଜାଗାରେ ଶଙ୍କରର ମୁଣ୍ଡଟା କେମିତି ଘୂରିବାକୁ ଆରମ୍ଭ କରିଦେଲା । ଯାଉ ଯାଉ ସେ ପଡ଼ିଯାଇଥାଆନ୍ତା । ପାଦରେ ତା’ର ବଳନଥିଲା । ତାକୁ ଜଣାପଡ଼ିଲା ସେଇ ସୋ’ରୁମ୍‌ରେ କାର୍‌, ମଟର ସାଇକେଲ ଓ ସ୍କୁଟର ଆଦି ରାସ୍ତାଘାଟରେ ଖୁବ୍‌ ଜୋରେ ଆପେ ଆପେ ଛୁଟି ଲାଗିଛନ୍ତି ଓ ସେ ଯାଇ ଆଶ୍ରାନେଇଛି ସେଇ ସୋରୁମ୍‌ ଭିତରେ । ସିଏ ବି ଯେପରି ଅବା ଗୋଟିଏ ଦର୍ଶନୀୟ ବସ୍ତୁ । ସମସ୍ତେ ତା’ ଆଡ଼ିକି ଚାହି ରହିଛନ୍ତି । ରାସ୍ତାଘାଟର ଦୋକାନ ବଜାର ଆଦି ସମସ୍ତେ ତାକୁ ବିଦ୍ରୂପ କରିବାରେ ବ୍ୟସ୍ତ । ଯୋଗକୁ ଆଗରେ ଗୋଟିଏ ପାନଦୋକାନ । ପାଖକୁ କରି ବେଞ୍ଚଟିଏ ପଡ଼ିଥିଲା । ଶଙ୍କର ପଡ଼ିଯାଇଥାଆନ୍ତା । ସେଇ ବେଞ୍ଚ ଉପରେ ବସିଗଲା । ବରାଦ୍‌ ଦେଲା–ପାନ ଭାଙ୍ଗିବାକୁ ସିଗାରେଟ୍‌ ବି ମାଗିଲା ।

 

ଠିକ୍‌ ଏତିକିବେଳେ ସିଂହବିକ୍ରମରେ କୁଦା ମାରି ମାରି ଧାଇଁ ଚାଲିଗଲା ଗୋଟିଏ ଭ୍ୟାନ୍‌-। ଲାଠିଧାରୀ ଓ ଲୁହା ଟୋପି ପିନ୍ଧା ପୁଲିସରେ ଭରପୂର । ହାତରେ ସେମାନଙ୍କ ବନ୍ଧୁକ । ପଛପଟ ଅଣ୍ଟା ତଳକୁ ଚମଡ଼ା ଖୋଳଭିତରେ ଝୁଲୁଛି ଛୁରି । ଆଖି ପିଛୁଳାକେ ଗାଡ଼ିଟା ରାସ୍ତା ଉପରେ ସିଧା ଛୁଟିଥିଲା । ବେଞ୍ଚ ଉପରେ ବସିରହି ଶଙ୍କର ଗାଡ଼ିଟାକୁ ଲକ୍ଷ୍ୟକଲା–ଗାଡ଼ିଟା ଲୋକଗହଳି ଭେଦକରି ଧାଇଁଛି । ମଙ୍ଗଳାବାଗ ଛକରୁ ସେଇଟା କିଶୋର ଘରଆଡ଼େ ଗଲାନି । ସିଧା ସିଧା ଆଉ କୁଆଡ଼େ ଛୁଟିଥିଲା ।

 

ଶଙ୍କର ଠିକ୍‌ କଲା–ରିକ୍‌ସା ଖଣ୍ଡେଧରି ସେ ଚାଲିବ ଜିତୁ ପାଖକୁ । ଏସବୁ ଖବର ତାକୁ ବୋଧେ ଅଜଣା ନଥିବ । ଅସଲ କାରଣଟା ସେ ବୁଝିପାରିବ–କିଶୋର ଘରଉପରେ ଏପରି ଅଚାନକ ଆକ୍ରମଣ କାହିଁକି । କୋଉ ଦୋଷରୁ ସେ ବମ୍ୱେରେ ଗିରଫ ହୋଇଛି ।

 

ଦୋଳମୁଣ୍ଡେଇ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ଟ୍ରାଫିକ୍‌ ପୁଲିସ ଛକ ଯାଏଁ ରାସ୍ତାଟା ଚଉଡ଼ା ହୋଇଯାଇଛି । ରାସ୍ତାକଡ଼ରେ ଚା’ଦୋକନ ସବୁ ଏବେ ଯାଇ ବହୁତ ଦୂରରେ । ଗାଡ଼ି ମଟର ଯା’ଆସର ଆଉ ଅସୁବିଧା ନାହିଁ । ରାସ୍ତାର ଧାରେ ଧାରେ ମାଳ ମାଳ ବିଜ୍ଞାପନ-ଔଷଧ, ଶିଶୁ ଖାଦ୍ୟ, ସିନେମା ସିଗାରେଟ୍‌ ଓ ନାମଯାଦା ସୁଟିଂ ସାଟିଂର ନିମନ୍ତ୍ରଣ ସାଙ୍ଗକୁ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା–କଠିନ ପରିଶ୍ରମ ବିନା ଅନ୍ୟପନ୍ଥା ନାହିଁ ।

 

ଶଙ୍କର ଭାବୁଥିଲା ପରିଶ୍ରମ କରିବାକୁ କର୍ମକ୍ଷେତ୍ର କାହିଁ, ସୁବିଧା କାହିଁ, ସୁଯୋଗ କାହିଁ-? କେତେ କେତେ ବେକାର ଲୋକ କାମ ବିନା ବସି ରହିଛନ୍ତି । ଯାହାର ସମୟ ଅଛି, ବୟସ ଅଛି, କାର୍ଯ୍ୟଦକ୍ଷତା ଅଛି, ତାକୁ ତ ଚାକିରିରୁ ବାହାର କରିଦିଆଯାଉଛି । ସୁଟିଂ ସାର୍ଟିଂ ବିଜ୍ଞାପନ ବୋର୍ଡ଼ରେ ଅଙ୍କାଥିବା ସୁଶ୍ରୀ ନାୟକଟିର ପରିପାଟିକି ଲକ୍ଷ୍ୟ କରି କରି ରିକ୍‌ସାରେ ଛୁଟିଗଲାବେଳକୁ ପଛଆଡ଼ୁ ମାଡ଼ିଆସିଲା ଗୋଟିଏ ବୁଲଡୋଜର । ରିକ୍‌ସା କରକୁ ଚାଲିଯାଇନଥିଲେ ସେଇ ଯାନ୍ତ୍ରିକ ଦାନବ ବୁଲଡୋଜର ରିକ୍‌ସା ସୁଦ୍ଧା ତା’ଉପରେ ଚଢ଼ି ଯାଇଥାନ୍ତା । ଦୋଳମୁଣ୍ଡେଇ ଛକଟାକୁ ଚଉଡ଼ା କରିବାରେ ସେଇଟା ଲାଗିଥିଲା । ତା’ ପଛେ ପଛେ ରୋଲର୍ । ରାସ୍ତାଉପରେ ବିଛେଇ ହୋଇ ପଡ଼ିଥିବା ମେଟାଲ ମୋରମ୍‌କୁ ରୋଲିଂ କରୁ ନକରୁ ଗରମ ପିଚୁ ଢାଳିବାରେ ଲୋକମାନେ ବ୍ୟସ୍ତ ଥିଲେ । ଆଗଭଳି ସେ ଅଣଓସାରିଆ ରାସ୍ତା ଆଉ ନାହିଁ । ଚଉଡ଼ା ଚଉଡ଼ା ରାସ୍ତା ମଝିରେ ଟ୍ରାଫିକ୍‌ ଛିଡ଼ା ହୋଇଛନ୍ତି । ପୁଣି ନାଲି ନେଳି ଆଲୁଅ ଖଞ୍ଜା ସହରଟା ନୂଆ ନୂଆ ରୂପଧରି ହସିଉଠିଛି ।

 

ବୁଲଡୋଜରଟା ଅଜାଣତରେ ଗଡ଼ିଗଲା, ନା ଜାଣିଶୁଣି ସେ ଗୋଟିଏ ଚିଧିବଦ୍ଧ ଯୋଜନା ଠିକ୍‌ କହିହେବନି । ରାସ୍ତା କରକୁ ଲାଗି ଯୋଉ କାଠକାବିନ ବହି ଦୋକାନଟା, ବୁଲଡୋଜର ଚାପାରେ ଚାହୁଁ ଚାହୁଁ ସେଇଟା ତଳକୁ ଗଡ଼ିପଡ଼ିଲା । ଯୋଗକୁ କାଠ କାବିନ ଭିତରେ କେହି ଲୋକ ନଥିଲେ । ନାନା କିସମର ବହି–ଓଡ଼ିଆ, ଇଂଲିଶ୍‌ ହିନ୍ଦି ଉପନ୍ୟାସର ମାସିକିଆ ସଂସ୍କରଣ ସବୁ କାବିନ୍‌ ଆଗରେ ଦଉଡ଼ିରେ ଝୁଲୁଥିଲା । ରଙ୍ଗ ବେରଙ୍ଗ ମଲାଟଦିଆ ବହି ସାଙ୍ଗକୁ ଦୈନିକ ସାପ୍ତାହିକ ଓ ମାସିକ ପତ୍ରପତ୍ରିକାର ସମାରୋହ ସେଇ କାଠ ବସ୍‌ଷ୍ଟାଣ୍ଡରେ ବହି ଦୋକାନରେ ସେଇଠୁ ପତ୍ରପତ୍ରିକା ନେଇ ବାଦାମବାଡ଼ି ବାହାରିଥିବା ଖବର ସବୁକୁ ବସ୍‌ଯାତ୍ରୀଙ୍କ ଆଗରେ ଡାକିହାକି ।

 

ରିକ୍‌ସାବାଲାଟାକୁ ବିଦାୟ ଦେଇ ଶଙ୍କର କିଛିବେଳଯାଏ ସେଠି ଠିଆ ହୋଇ ରହିଲା । ବୁଲଡୋଜର ଚଳାଉଥିବା ଡ୍ରାଇଭରର ସେ ଆଡ଼ିକି ଖାତିର ନାହିଁ ଆଗକୁ ଆଗ ସେଟା ଗଡ଼ି ଗଡ଼ି ଚାଲିଛି । ପଛେ ପଛେ ଷ୍ଟିମରୋଡ଼ ରୋଲର । ଆଗ ଦୋକାନରୁ ଠିକ୍‌ ଏତିକିବେଳେ ଚିଲଭଳି ଦୌଡ଼ିଆସିଲା ଗୋଟିଏ ଲୋକ । ଚେକ୍‌ଲୁଙ୍ଗି ପିନ୍ଧା ଲୋକଟିଏ । ମୁହଁଯାକ ଚୂନା ଚୂନା ଦାଢ଼ି । ଶଙ୍କର ଶୁଣିବାକୁ ପାଇଲା–ଲୋକଟା ନାଁ କରିମ୍‌ ଖାଁ । କାଠି କାବିନ୍‌ ବହିଦୋକାନ ମାଲିକ କରିମ୍‌ ମିଆଁ ତା’ ଦୋକାନଟାର ଦୁର୍ଦ୍ଦଶା ଦେଖି ବୁହେ ଯାଏ ଆଗ ସେମିତି ଠିଆହୋଇ ରହିଲା ସେଇ ରାସ୍ତା ମଝିରେ । କଡ଼ମଡ଼ ଆଖିରେ ସେଇ ବୁଲଡୋଜରଟା ଆଡ଼ିକି ଚାହିଁ ରହିଥିଲା–ସତେଅବା ସେଇ ଯନ୍ତ୍ର ଦାନବଟାକୁ ସେ ମୋଡ଼ି ମୋଡ଼ି ଭାଙ୍ଗି ପକେଇବ । ପାଟିରେ ତା’ର ଭାଷା ନଥିଲା ।

 

ପରେ ପରେ ସେ ଖୁବ୍‌ ଜୋରରେ ଗୋଟିଏ ପାଟିକଲା । ବହୁତ ଅକଥା କଥା, ଅଭଦ୍ର ଗାଳିଗୁଲଜ କରିବାକୁ ଆରମ୍ଭ କଲା । ଦଳେ ଲୋକ ତାକୁ ଘେରି ଠିଆହୋଇ ରହିଥାଆନ୍ତି । ସମସ୍ତଙ୍କ ଆଖିରେ ତା’ ପାଇଁ ସମବେଦନା କିନ୍ତୁ ପାଟି ଫିଟେଇବାକୁ କାହାର ଚାରାନାହିଁ । କେହି କେହି ବାଟଭାଙ୍ଗି ଚାଲିଯିବାକୁ ଆରମ୍ଭ କରିଦେଲେ । ଠିଆହୋଇ ରାସ୍ତାଉପରେ ଗହଳି ଲଗେଇଲେ ପୁଣି ବିପଦ ।

 

ସେଇ କରିମ୍‌ ମିଆଁ ଆଗେ ରାସ୍ତା କରରେ ଅଣ୍ଡା ବିକୁଥିଲା । ଦି’ପୁଅକୁ ଲଗେଇ ବସ୍‌ଷ୍ଟାଣ୍ଡରେ ବିକିଲା ପୁଣି ସିଝା ଅଣ୍ଡା । ସେଥିରୁ ମାସିକ ପତ୍ର ପତ୍ରିକା । କାଠ କାବିନ୍‌ଟିଏ ପକେଇ ବହିଦୋକାନ ଦେଲା ହୋଲ୍‌ସେଲ୍‌ ଏଜେଣ୍ଟ । ଘର ତା’ର ଶେଖ୍ ବଜାରରେ । କେତେ କେତେ ଯୋଜନା ତା’ ମନଭିତରେ ଥିଲା । ବାଙ୍କାବଜାରରେ ସେ ବହିଦୋକାନ ଦେବ । ପତ୍ର ପତ୍ରିକା ଆଦି ଆପେ ଆପେ ସେ ଏଣିକି ଛାପିବ । ନୂଆ ନୂଆ ବହି ସବୁ ପ୍ରକାଶ କରିବ-ରହସ୍ୟ, ରୋମାଞ୍ଚ ଉପନ୍ୟାସ, ମନମତାଣିଆ ବହିସବୁ । ଛାପାଖାନାରୁ ବାହାରୁ ବାହାରୁ ବହିସବୁ ସରିଯାଇଥିବ । ଏମିତି ଅନେକ ଅନେକ ତା’ର ଯୋଜନା । ପାଠ ପଢ଼ିନଥିଲେ କ’ଣ ହେଲା, ବହି ବ୍ୟବସାୟର ମଜାଟାକୁ ସେ ଭଲଭାବରେ ଜାଣିପାରିଥିଲା । ସବୁକିଛି ଯୋଜନା ତା’ର ଫସର ଫାଟିଯାଇଛି । ରାସ୍ତା ମଝିରେ ବସିଯାଇ ସେ ଭୋ ଭୋ ହୋଇ କେବଳ କାନ୍ଦିଲାଗିଲା, ରାସ୍ତା ଉପରେ ହାତ ବାଡ଼େଇ ବାଡ଼େଇ ଓ ଆଲ୍ଲାଙ୍କୁ ବଡ଼ଘାଟିରେ ଡାକି ଡାକି ।

 

ଠିକ୍‌ ଏତିକିବେଳେ ତା’ ପଛଆଡ଼ୁ ଧାଇଁଆସିଲା ଗୋଟିଏ ମିଲିଟାରୀ ଭ୍ୟାନ୍‌ । ଗାଡ଼ିଭିତରୁ ତଳକୁ ଖପାଖପ୍‌ ଡେଇଁପଡ଼ିଲେ ଆଠଜଣ ଲୁହାଟୋପି ପିନ୍ଧା ପୁଲିସ୍‌ । କରିମ ମିଆଁର ଦି’ଡେଣାକୁ ଧରି ସିଧା ତାକୁ ଗାଡ଼ି ଭିତରକୁ ଟେକିନେଲେ । ବିଚରା କରିମ ମିଆଁ ସେମାନଙ୍କ ଆଡ଼ିକି ଖାଲି ଜଳ ଜଳ କରି ଚାହୁଁଥାଏ । କିଛିହେଲେ ସେ ବୁଝିପାରୁନଥିଲା । ତା’ ଚାରିପାଖେ ଜମିଥିବା ଲୋକମାନେ ମିଲିଟାରୀ ଭ୍ୟାନ୍‌କୁ ଦେଖି ଗହଳି ଭାଙ୍ଗି ଦେଇଥିଲେ । କାଠ କାବିନ୍‌ଟା ରାସ୍ତା ତଳକୁ ଗଡ଼ିଯାଇ ଭାଙ୍ଗିରୁଜି ସେମିତି ପଡ଼ି ରହିଥିଲା । ଭ୍ୟାନ୍‌ଟା ଛୁଟି ଚାଲିଲା-ଖାନ୍‌ନଗର ଦେଇ ପୁରୀଘାଟ ରାସ୍ତାରେ କଚେରିଆଡ଼େ ।

 

ଶଙ୍କର ସେତେବେଳେ ପାଖ କପଡ଼ା ଦୋକାନରେ ଠିଆ ରହିଥିଲା । ସତ ଘଟଣାଟା କ’ଣ ବୋଲି ଜାଣିବାକୁ ଚେଷ୍ଟା କରୁଥିଲାବେଳେ ଦି’ଜଣ ଲେକେ ଖୁବ୍‌ ଆସ୍ତେଆସ୍ତେ କଥା ହେଉଥିଲେ–ନାନାପ୍ରକାର ଅଶ୍ଳିଳ ବହି ଆଣି ସେ କରିମ୍‌ ମିଆଁ ଲୁଚାଛପାରେ ସେସବୁ ବିକ୍ରି କରେ-। ସେ ବହିରେ ଥାଏ କେତେ କେତେ ଲଙ୍ଗଳା ଛବି । ସେସବୁ କିଣି ପାଖରେ ସାଇତି ରଖିବାହେଲା ଲୋକଙ୍କର ସଉକ୍‌ । ଆଉଜଣେ କହିଲା–ଖାଲି ସେତିକି ନୁହେଁ । ଅନେକ ଆପତ୍ତିଜନକ ଲେଖା ପତ୍ରପତ୍ରିକା ଓ ବହିପତ୍ର ଯାହାସବୁ ବାହାରେ ଖୋଜିଲେ ମିଳେନି, ସେ ସବୁ ଗଚ୍ଛିତ ଥାଏ କରିମ୍‌ ମିଆଁ ପାଖରେ । ବହୁତ ରାଜନୈତିକ ବହିପତ୍ର ଯୋଉଥିରେ ନେତାମାନଙ୍କର କାର୍ଯ୍ୟକଳାପ ଆଦିକୁ ସମାଲୋଚନା କରାଯାଇଛି । ସେସବୁ କରିମ୍‌ ମିଆଁ କୁଆଡ଼ୁ ସଂଗ୍ରହ କରେ କେଜାଣି ? ସବୁକିଛି ମିଳେ ତା’ର ସେଇ କାଠ କାବିନ ବହି ନୋକାନରୁ । ଲୋକଟା କିଛି କମ୍‌ ନୁହେଁ ? ଏତେ ଲୋକ ତ ବହି ଦୋକାନ କରିଛନ୍ତି । କାହା ଉପରେ ତ ଏମିତି ଅଚାନକ ଆକ୍ରମଣ କରାଯାଇନି । କିଛିନା କିଛି ଏଥିରେ ରହସ୍ୟ ଅଛି ।

 

ଶଙ୍କର ଆଉ କେତେ କ’ଣ ଏମିତି ଶୁଣିଥାଆନ୍ତା । ସେ ସବୁ ଶୁଣିବାକୁ କି ସେଠି ଠିଆ ହେବାକୁ ତାକୁ ଆଉ ଭଲ ଲାଗିବନି । ସେ ସିଧା ସିଧା ଚାଲିଲା ଗଣେଷଘାଟ । ଜିତୁ ପାଖକୁ ।

 

ବଡ଼ ଆଶ୍ଚର୍ଯ୍ୟ–ପାର୍ଟି ଅଫିସ୍‌ରେ ବି ପୁଲିସ୍‌ ଜଗୁଆଳ । ବନ୍ଧୁକଧାରୀ ପୁଲିସ ଟହଲ ମାରୁଥାଆନ୍ତି । ଲୋକବାକ କାହାର ଦେଖାନାହିଁ । ପୁଲିସଭ୍ୟାନ୍‌କୁ ମିଶେଇ ପାର୍ଟିଅଫିସ ହତା ଭିତରେ ପାଞ୍ଚ ଛ’ଟା ହେବ ଗାଡ଼ି । କଥାଟାକୁ ଶଙ୍କର ବୁଝିପାରିଲାନି । ତାକୁ ଭୟ ଲାଗିଲା । ଜିତୁ ତା’ହେଲେ କ’ଣ ସେଇ ଅଫିସ୍ ଭିତରେ ପୁଲିସ୍‌ ଘେର ଭିତରେ ରହିଛି ? କରିମ୍‌ ମିଆଁ ଭଳି ତାକୁ ଭ୍ୟାନ୍‌ ଭିତରେ ପୂରେଇ କୁଆଡ଼େ ଏମାନେ ନେଇଗଲେ କି ?

 

ଶଙ୍କର ଜଗୁଆଳି ପୁଲିସ୍‌ ବାଲାଙ୍କୁ ଜିତୁ କିଛି ପଚାରିଲାନି । ଦେଖିଲା–ଜଣେକିଏ ଥର୍ମୋଫ୍ଳାସ୍‌ଟେ ଧରି ବାହାରକୁ ଚା’ ଆଣି ବାହାରିଛି । ଅଫିସ୍‌ରେ ବୋଲକରା ପିଅନ ବୋଧେ । ଶଙ୍କର ଆସ୍ତେ ତାକୁ ପାଖକୁ ଡାକି ଶୁଣିଲା–ଜିତୁ ସକାଳ ନ ପାଉଣୁ କୁଆଡ଼େ ଚାଲିଯାଇଛି । କେହି ଜାଣିନାହାନ୍ତି । ସେ ଗଲା ପରେ ପରେ ପୁଲିସ୍‌ ବାଲାଏ ପାର୍ଟିଅଫିସଟାକୁ ଜଗିଛନ୍ତି । କିଏ ଜଣେ ଭଦ୍ରଲୋକ–ସେ ଢେଙ୍କାନାଳର । ଚାରିଜଣ ଲୋକଙ୍କୁ ଧରି ଏଇ ଅଧଘଣ୍ଟେ ହେଲା ଆସି ପହଞ୍ଚିଲେ । ଲୋକଟା ସେମାନଙ୍କୁ ଚିହ୍ନେନି । ସେମାନଙ୍କ ପାଇଁ ଚା’ ଆଣି ଆଉଥିଲା ।

 

ଢେଙ୍କାନାଳର ପୁଣି ଏମାନେ କିଏ । ଜିତୁ ଗଲା ତେବେ କୁଆଡ଼େ ? ଶଙ୍କର ଏତିକି କେବଳ ଆଶ୍ୱସ୍ତ ହେଲା–ପୁଲିସ୍‌ବାଲାମାନେ ଜିତୁକୁ ଧରିନାହାନ୍ତି । ସେମିତି କିଛି କାରଣ ନଥିଲା । ଜିତୁ ତ ଥିଲା ପାର୍ଟିଅଫିସର ସର୍ବେସର୍ବା । ତା’ଉପରେ ବହୁତ ଆଶା ଭରଷା ଥିଲା । ପରିବାର ନିୟନ୍ତ୍ରଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମର ସେ ଜଣେ ଥିଲା ପ୍ରଧାନ ପ୍ରବକ୍ତା । ସେ ପୁଣି କାହାକୁ କିଛି ନକହି ପାର୍ଟି ଅଫିସ୍‌ ଛାଡ଼ି ପଳେଇଗଲା । କୁଆଡ଼େ ସେ ଗଲା ?

 

କିଶୋରର ସେଇ ଆଟାଚିଟା ଶଙ୍କରର ଆଖିଆଗରେ ଆସି ଝୁଲିଲା । କେତେ ବିଶ୍ୱାସରେ କିଶୋର ତାକୁ ଦେଇଥିଲା । କ’ଣ ସେଥିରେ ଅଛି ଖୋଲିଦେଇ ଥରେ ଦେଖିଦେଇଥିଲେ ଭଲ ହୋଇଥାନ୍ତା । ପର ଜିନିଷ କାହିଁକି ଅବା ସେ ଦେଖିଥାଆନ୍ତା । କିଶୋର ପୁଣି ଏଠାରେ ନାହିଁ । ବମ୍ବେରେ ଗିରଫ ହୋଇଛି ବୋଲି ଲୋକେ କଥା ହେଉଥିଲେ । କିଛି ନା କିଛି ଗୋଟେ ଘଟିଛି । ନୋହିଲେ ତା’ଘରଟାକୁ ପୁଲିସ୍‌ କାହିଁକି ଘେରଉ କରିଥାଆନ୍ତେ ?

 

ଅଟାଚିଟାକୁ ଜିତୁ ପାଖରେ ନ ରଖି ସେ ତାକୁ ସାଙ୍ଗରେ ପୁରୀ ନେଇଯାଇଥିଲେ ଭଲ ହୋଇଥାନ୍ତା । ଯାହା ହେବାର ତ ହେଲାଣି । ଜିତୁ ଏବେ ଗଲା କୁଆଡ଼େ ? ଷ୍ଟିଲ୍‌ ଆଲମାରିରେ ସେଇଟାକୁ ଚାବିଠକେଇ ଜିତୁ ରଖିଥିଲା । ଜିତୁଟା ଏଡ଼େ ଅବିବେକ ନୁହେଁ । ତା’ର ବୁଦ୍ଧି ଶୁଦ୍ଧି ହେଲାଣି, ପିଲାଦିନେ ଅଳ୍ପ ଚଗଲାମି କରୁଥିଲା । ଏବେ କିନ୍ତୁ ଘର ଉପରେ ତା’ର ନଜର ବେଶି । ମନଟା କେମିତି ବିଭାହୋଇ ପଡ଼ିବ ସେ ହେଲା ତା’ର ପ୍ରଧାନ ଚିନ୍ତା । ବୋଉ ଆଗରେ କେତେଥର ସେ କହିଛି-ଘରଟାକୁ ସେ ନୂଆକରି ତିଆରି କରିବ । ସମସ୍ତଙ୍କ ସାଙ୍ଗେ ସେ ସମାନ ହେବ । ଛୋଟକାଟିଆ ଚାକିରି କଲେ ସେ ସବୁ ସମ୍ଭବ ନୁହେଁ । ଲୋକସମାଜରେ ଜଣେ ବୋଲି ସେ ଗଣାହେବ । ଯିଏ ନ କହିବ-ଚାରିଶ ପାଞ୍ଚଶ ଟଙ୍କାର ଦରମାଖିଆ ଚାକରଟିଏ । ବଡ଼ ହେବାକୁ ହେଲେ ବ୍ୟବସାୟ ଦରକାର । ବ୍ୟବସାୟ ସାଙ୍ଗେ ରାଜନୀତିରେ ଯେବେ ସଂଯୋଗ ହୋଇପାରିଲା, ତାହଲେ ପ୍ରଶସ୍ଥ କ୍ଷେତ୍ର ରହିଛି ଭବିଷ୍ୟତ ଅଛି । ତେଣିକି ଆଉ ଚିନ୍ତା ନାହିଁ । ସମାଜରେ ଜଣେ ମାନ୍ୟଗଣ ଲୋକ ବୋଲି ଗଣତି ହୋଇପାରିବ । କୋଠାବାଡ଼ି, ଗାଡ଼ିଘୋଡ଼ା, ବ୍ୟାଙ୍କବାଲାନ୍‌ସ୍‌ । ପଦମର୍ଯ୍ୟଦା ଆପେ ଆପେ ଲୋଟିପଡ଼ିବ ଆସି ପାଦତଳେ । ଲୋକଗୁଡ଼ାକ କିଣାକିଙ୍କର ଭଳି କେବଳ ଚାହିଁ ରହିଥିବେ । ଯାହା ସେମାନଙ୍କୁ କହିବ ସେମାନେ ହସି ହସି କରିଯିବେ । ସେଇମାନେ ଭୋଟଦେଇ ଗାଦିରେ ବସେଇଦେବେ । ପାଞ୍ଚ ଦଶବର୍ଷ ପାଇଁ ନୁହେଁ । ଜୀବନସାରା । ପରେ ପୁଅମାନଙ୍କୁ ଓ ନାତିମାନଙ୍କୁ । ପୁରୁଷ ପୁରୁଷ ଧରି ସେଇମାନେ ଗାଦିରୁ ଓହ୍ଲେଇଦେବେନି । ସେମାନଙ୍କ ମନ ନେଇପାରିଲେ ହେଲା ।

 

ଏପଟ ସେପଟ ହେଲାବେଳକୁ ଜଣେ ଭଦ୍ରଲୋକ ଆସୁଥିବାର ମନେହେଲା । ଶଙ୍କର ସେତେବେଳେ ପାର୍ଟିଅଫିସର ମଝି ହଲ ଦେଇ ପଛ ଅଗଣାଆଡ଼େ ଯାଉଥିଲା–ଜିତୁ ଯୋଉଠି ରହେ । ଶଙ୍କର ଆଶ୍ଚର୍ଯ୍ୟ ହେଲା–ଆଉ ତ କେହି ନୁହଁନ୍ତି, ସେଇ ଶାମ ପତି, ଯାହାଙ୍କ ସାଙ୍ଗେ ଶଙ୍କରର ଏତେ ଚିହ୍ନା ପରିଚୟ । ବୁଢ଼ାଙ୍କର ଚେହେରା ଏବେ ଅଳ୍ପ ବଦଳିଯାଇଛି । ଗୋରା ଫିଟିଯାଇଛନ୍ତି । ଦି’ କଳରେ ତାଙ୍କର ପାନ । ପାନଛେଟା ଆପେ ଆପେ କାମରେ ଲାଗିଥାଏ । କାହାକୁ ଯେପରି ସେ ଖୋଜୁଥାଆନ୍ତି । ଶଙ୍କରଙ୍କୁ ଦେଖିଦେଇ ସେ ଆଗ ପ୍ରେମ ଗଦଗଦ୍‌ ହୋଇ କହିଲେ–ଶଙ୍କରବାବୁ ଆପଣ କେମିତି ଏଠିକି ଆସିଲେ ?

 

ଜିତୁ ବିଷୟ ଶଙ୍କର କିଛି କହିଲାନି ।

 

କିଶୋର ବାବୁଙ୍କ ସାଙ୍ଗେ ଶଙ୍କରର ସଂପର୍କ ଆଗରୁ ସେ ଜାଣିଥିଲେ । ପାନଛେଚା ବନ୍ଦକରି ସେ କହିଲେ–କିଶୋରବାବୁଙ୍କ ବିଷୟ ଆପଣତ ବୋଧେ ଜାଣିଥିବେ ।

 

ଶଙ୍କର କିଛି ନକହି ଚୁପ୍‌ ରହିଲା ।

 

ଜିତୁ ବାବୁଟା ବି ଯେମିତି ମାମୁଘରକୁ ଯାଇଥାନ୍ତା । ଆଗରୁ କୁଆଡ଼େ ଖବର ପାଇଗଲା-। ଖସି ପଳେଇଛି ।

 

ଶଙ୍କର ଛେପ ଢୋକିଲା । ଜିତୁ କଥା ନକହି ସେ ଠିକ୍‌ କରିଛି ।

 

ତା’ହେଲେ କ’ଣ କାମଦାମ ଚାଲିଛି । କୋଉଠି କୋଉଠି କହିଲେ ? ଅଫିସ୍ ଘରକୁ ଶଙ୍କରକୁ ସେ ଡାକିନେଲେ ।

 

ଶଙ୍କର ସେ ଘରଭିତରକୁ ପଶିଗଲାବେଳେ ଷ୍ଟିଲ୍‌ ଆଲମାରି ପାଖଦେଇ ଚାଲିଗଲା । ଜାଣି ନ ଜାଣିଲା ଭଳି ତା’ ହାତ ବାଜିଯିବାରୁ ଆଲମାରିଟା ଖୋଲିଗଲା । ସେଥିରେ କାଗଜପତ୍ର ନାହିଁ କି ସେ ଆଟାଚିଟାକୁ ବି ନାହିଁ । କିଛି ହେଲେ ନାହିଁ । ବଡ଼ ଆଶ୍ଚର୍ଯ୍ୟ । ଶଙ୍କର ମନେମନେ ଭାବୁଥିଲା–ଜିତୁ କ’ଣ ସବୁ କିଛି ସେଠୁ ନେଇଯାଇଛି ? ସବୁ ଘଟଣା ଯାକ ରୋମାଞ୍ଚ କାହାଣୀ ଭଳି ତାକୁ ଜଣାପଡ଼ିଲା ।

 

ଥର୍ମୋଫ୍ଳାସଟା ଧରି ଠିକ୍‌ ଏତିକିବେଳେ ଲୋକଟା ଘରଭିତରକୁ ପଶିଆସିଲାବେଳେ ଶଙ୍କର ଭାବୁଥିଲା–ପାର୍ଟିଅଫିସର ଏଇ ଲୋକଟା କାଲି ତାକୁ ଦେଖିଛି । ସେ ଯେବେ କହିଦିଏ ?

 

କପରେ ଚା’ ଢାଳିଦେଇ ଲୋକଟା ବାହାରକୁ ଚାଲିଗଲା ।

 

ଶଙ୍କର ଆଶ୍ଚର୍ଯ୍ୟ ହେଲା । କିଛି ନ କହିଛି ଭଲ କରିଛି ।

 

ଶଙ୍କର ହାତକୁ ପନଖଣ୍ଡେ ବଢ଼େଇଦେଇ ଶାମ ପତି ଆରମ୍ଭ କଲେ-କିଶୋର ବାବୁଙ୍କ ଦଳ ଏଥର ପାର୍ଟିଅଫିସରୁ ଚାଲିଗଲେ । ଆମର ଏବେ ରାଜତ୍ୱ ଚାଲିବ । ଉପରୁ ନିର୍ଦ୍ଦେଶ ଆସିଗଲା । ଢେଙ୍କାନାଳ ଛାଡ଼ି ଏଇ କେତେମାସ ମୁଁ ରହିବି କଟକରେ । ଏଠା ଅଫିସ୍‍ଟାକୁ ସଜାଡ଼ିବାକୁ ପଡ଼ିବ ।

 

ବେଶି ସମୟ ସେଠି ରହିବାକୁ ଶଙ୍କରର ଇଚ୍ଛା ନ ଥିଲା । କେମିତି ସେଠୁ ଖସିଗଲେ ଯାଏ । ଜିତୁଟା ପୁଣି ଗଲା କୁଆଡ଼େ ? ସୁବିଧା ଜାଗାଟିଏ ପାଇଯାଇଥିଲା । ତଥାପି ଜିତୁ ଉପରେ ତା’ର ବିଶ୍ୱାସ ଥିଲା । କିଛିନା କିଛି ସେ ସୁବିଧା କରିଦେଇଥିବ । ପାର୍ଟିରେ ସେ ଏକେଲା ନଥିବ । ତା’ ସାଙ୍ଗରେ କେତେଜଣ ଏମିତି ଥିବେ । ଶଙ୍କର ପଡ଼ିବୁ ତା’ ସାଙ୍ଗେ କଥା ହେବାବେଳେ ଠକାଧାରରେ ପୁଣି ଭାବୁଥିଲା–ଏମାନଙ୍କର ତ ଗୋଟିଏ ଦଳ । ସେଥିରେ ପୁଣି ରହିଛି ଅସଂଖ୍ୟ ଶାଖା ପ୍ରଶାଖା । ଯାହାର ଯେତେବେଳେ ବଳ ବେଶି ହେଲା । ସେ ଆସି ଅଫିସ୍‍ଟାକୁ ମାଡ଼ିବସୁଛି-। ସବୁ କ୍ଷମତା ତା’ରି ହାତରେ ।

 

ଶଙ୍କର ଲୋକାଚାର ବଜାୟ ରଖି ପଚାରିଲା–ଢେଙ୍କାନାଳ କଲେଜର ସେ କାମଟା ସରିଲାଣି ନା ଅଧାହୋଇ ସେମିତି ପଡ଼ିରହିଛି ?

 

ଶ୍ୟାମ ପତି କହିଲେ–ରଥବାବୁଙ୍କୁ ସେ କାମଟା ମିଳିଗଲା । ସରିବାର ଅନେକଦିନ ହେଲାଣି । ରଥବାବୁଙ୍କ ହାତରେ ଏବେ ଭରପୂର କାମ । ଢେଙ୍କାନାଳରେ ରାସ୍ତାକାମ, ବନ୍ଧବାଡ଼ି ଓ କୋଠାବାଡ଼ି କାମ ଏବେ ଅଜାଡ଼ି ହୋଇପଡ଼ୁଛି । ଏଠିକି ମୋତେ ବାଧ୍ୟହୋଇ ଆଣିବାକୁ ପଡ଼ିଲା । ନ ଆସିଲେ ନଚଳେ । ଏତିକିବେଳୁ ରାସ୍ତା କରିଥିବା ଦରକାର । ଅନେକ କିଛି ସେ କହିଆସୁଥିଲେ-। କେଜାଣି କାହିଁକି କଥାଟାକୁ ତାଙ୍କର ବନ୍ଦ କରିଦେଇ ପଚାରିଲେ–ଏଠିକି କାଇଁ ଆସିଥିଲେ-?

 

ଜଣଙ୍କୁ ଖୋଜି ଆସିଥିଲି–ଶଙ୍କର କହିଲା ।

 

କଟକରେ ଆପଣ ରହୁଛନ୍ତି ?

 

କିଛି ଠିକଣା ନାହିଁ ।

 

ସୁବିଧା ଦେଖି ଆସୁଥିବେ । ମୁଁ ଏଠି ମାସେଯାଏ ଅଛି । କାମଦାମ ବିଷୟରେ ଆସିଲେ କଥା ହେବା ।

 

ଶଙ୍କର ଠିକ୍‌ ଚାଲିଗଲାବେଳକୁ ଫାଟକ ପାଖରେ ଗୋଟେ ଜିପ୍‌ ଆସି ଠିଆହେଲା । ଆଗ ସିଟ୍‌ରେ ଦି’ଜଣ ଭଦ୍ରଲୋକ, ଖଦଡ଼ଧାରୀ । ପଛଆଡ଼େ ବସିଥିଲେ ତିନି ଚାରିଜଣ ଲୋକ । ମଳିମୁଣ୍ଡିଆ ଗାଁବାଲା । ଖଦଡ଼ପିନ୍ଧା ଭଦ୍ରଲୋକ ଦି’ଜଣ ତା’ ଆଡ଼ିକି କିଛି ବେଳଯାଏଁ ଖାଲି ଚାହିଁ ରହିଲେ ।

 

ଶଙ୍କର ସେମାନଙ୍କ ଆଡ଼ିକି ଥରୁଟେ କେବଳ ଅନେଇଛି । ବାଟଭାଙ୍ଗି ଆଖିତଳକୁ କରି, ମୁଣ୍ଡଗଣ୍ଡି ପୋତି ସେ ରାସ୍ତା ଧରିଲା । କୋଠାବାଡ଼ି, ରାସ୍ତାଘାଟ ଆଦି ସବୁଆଡ଼େ ଜଳି ଯାଇଥିଲା । ଜିତୁ କୁଆଡ଼େ ସେ ଗଲା ? ଏଡ଼େ ବଡ଼ ସହରଟାରୁ ତାକୁ ଖୋଜି ବାହାର କରିବା ମୁସ୍‌କିଲ । ଶଙ୍କରର ମନେହେଲା–ଜିତୁ କଟକ ଛାଡ଼ି କୁଆଡ଼େ ଯାଇନି । କୋଉଠି ହେଲେ ଅଛି । ତାକୁ ଖୋଜି ବାହାର କରିବାକୁ ପଡ଼ିବ ।

 

ବଡ଼ ବଡ଼ ପାହୁଲ ପକେଇ ସେ ଚାଲିଥିଲା । ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ଆଡ଼ିକି ନ ଯାଇ ଶଙ୍କର ଠିକ୍‌କଲା–ସେ ଯିବ ବାଲୁବଜାର ଛକକୁ । ସେଠୁ ଯାଇ ଚରଣକୁ ଆଗ ଦେଖାକରିବା ଦରକାର, କିଶୋର ଅବସ୍ଥା ତ ସାଂଘାତିକ । ତଥାପି ସଠିକ୍‌ ଘଟଣାଟା କ’ଣ ଜାଣିହେବ । ତା’ର ତ ଏଠି ଆଉ ଚିହ୍ନାଲୋକ କେହିନାହାନ୍ତି । ଯିଏ ବି ଅଛନ୍ତି ସେମାନଙ୍କୁ ନିଜ କଥା କହିହେବନି । କାହାର ବା ସମୟ ଅଛି । ଜିତୁକୁ ସେ ଏକେଲା ଖୋଜିବୁଲିବ ସହରସାରା । ଯଦି ସୁବିଧା ହୁଏ ଚରଣକୁ ସେ କହିବ ।

 

ରାସ୍ତାରେ ମୋଡ଼ ବୁଲିଛି କି ନାହିଁ ସେ ଦେଖିଲା ଦଳେ ହବ ଲୋକ, ମଫସଲ ଆଡ଼ର, ମଳିମୁଣ୍ଡିଆ ପୁରୁଷ ଲୋକମାନେ, ତାଙ୍କ ପଛେ ପଛେ ସ୍ତ୍ରୀଲୋକେ ନାଲିକସ୍ତାସବୁ ପିନ୍ଧି ଧାର ଲାଗିଛନ୍ତି । ସ୍ତ୍ରୀଲୋକମାନେ ପରସ୍ପରର କାନିକି ଭିଡ଼ି ଧରିଥାଆନ୍ତି । ସେମାନେ ସମସ୍ତେ ମିଶି ଗୋଟିଏ ଦଳ । ରାସ୍ତାଟା ପୂରାକରି ସେମାନେ ଚାଲିଥାଆନ୍ତି । ଦଳ ମଝିରେ ଆଉ କେହିହେଲେ ପଶିପାରିବନି । ପଛଆଡ଼େ ରିକ୍‌ସାବାଲାମାନେ ଘଣ୍ଟି ବଜେଇ ବଜେଇ ବେଦମ୍‌ । ସେମାନେ ବାଟ ଭାଙ୍ଗିବେନି କି କାହାକୁ କେହି ଛାଡ଼ିବେନି । ପାହୁଲ ପକେଇ ଖୁବ୍‌ ଜୋରରେ ସେମାନେ ଚାଲିଥାଆନ୍ତି । ଆଗରେ ସେମାନଙ୍କର ଜଣେ ଖଦଡ଼ ଧୋତି ପଞ୍ଜାବୀ ପିନ୍ଧା ଭଦ୍ରଲୋକ । ପଛରେ ସେମାନେ ପଲାସିଥାଆନ୍ତି ମେଣ୍ଢାପଲ ଭଳି ।

 

ଶଙ୍କର ସେମାନଙ୍କୁ ବୁଲିପଡ଼ି ବୁହେ ହେବ ଅନେଇଲା କୁଆଡ଼େ ଯାଉଛନ୍ତି ଏମାନେ ? ପଚାରିବ ବୋଲି ଯାଉଥିଲା । କିଏ କୁଆଡ଼େ ଯାଉଥିବେ । ତା’ର ସେଥିରେ ଯାଏଆସେ କେତେ । ପଛେ ପଛେ ଆଉଜଣେ କିଏ ଆସୁଥିଲେ । ଦେଖିଲେ ମନେହେଉଥିଲା–ମେଣ୍ଢାପଲଟାକୁ ସେ ପଛଆଡ଼ୁ ଅଡ଼େଇ ଅଡ଼େଇ ନେଉଛନ୍ତି । କିଏ କୁଆଡ଼େ ଯେପରି ଖସିନଯିବେ ।

 

ଶଙ୍କରର ତେଣେ ବହୁତ କାମ । ଜିତୁପାଇଁ ମନଟା ତା’ର କେମିତି ଛଟପଟ ହେଉଥିଲା-। ତଥାପି ସେମାନଙ୍କ ପଛେ ପଛେ ଆସୁଥିବା ସେ ଭଦ୍ରଲୋକଙ୍କ ପାଖକୁ ଯାଇ ଖୁବ୍‌ ଆସ୍ତେ ପଚାରିଲା–କୁଆଡ଼େ ଏମାନେ ଯାଉଛନ୍ତି ?

 

ପାର୍ଟି ଅଫିସକୁ ।

 

ଶଙ୍କର କିଛି ନକହି ବୁଝିନପାରିଲା ଭଳି ଠିଆହୋଇ ରହିଲା ।

 

ଚାଲି ଯାଉ ଯାଉ ସେ ଭଦ୍ରଲୋକ କହିଲେ–ଜମିହୀନ ଲୋକଙ୍କୁ ଆଜି ପଟ୍ଟା ବଣ୍ଟାଯିବ-

 

ସତେ ? ମେଣ୍ଢାଦଳଙ୍କୁ ଦେଖି ଶଙ୍କର ବୁଝିପାରିଲାନି, ଭାବିଲା–ଟାଙ୍ଗରା ଭୂଇଁର ପଟାନେଇ ଏମାନେ ଘରେ କେବଳ ସାଇତି ରଖିବେ । ଉଠିଆ କରିପାରିଲେ ସିନା ଫସଲ ଫଳିବ-? ପଟ୍ଟା ପାଇଗଲେ ସେମାନେ ଖୁସି । ପାର୍ଟି ଅଫିସ୍‌ ଲୋକେବି ସାବାସ ନେବେ । ଖବରକାଗଜରେ ନାଁ ବାହାରିବ । ଘରେ ଘରେ ରେଡ଼ିଓ ସକାଳେ ସଞ୍ଜେ ତାଙ୍କ ନାଁ ଧରି ଡାକଛାଡ଼ିବ । ସେଇମାନେ ହେବେ ଏଯୁଗର ଅଗ୍ନିଶିଖା, ଉଦିତସୂର୍ଯ୍ୟ, ସମାଜବାଦୀ ବିପ୍ଳବୀ ନେତା । ସେଇମାନଙ୍କୁ ଜନତା ଦେବ ଲାଲ୍‌ ସଲାମ୍‌ । କାନ୍ଥବାଡ଼ରେ ସେଇମାନଙ୍କ ନାଁ କେବଳ ଲେଖାଥିବ । ତା’ଛଡ଼ା ଆଉ ଯାହାକିଛି ବିଜ୍ଞାପନ ସବୁ ବେଆଇନ୍‌ । କାନ୍ଥବାଡ଼ରୁ ବେଦରକାରୀ ଲେଖାସବୁ ଲିଭେଇ ଦେବାକୁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ଶଙ୍କର ଶୁଣିଥିଲା ।

 

ଯାଉ ଯାଉ ଦେଖିଲା–ରାସ୍ତାକଡ଼ରେ ଗୋଟିଏ ହାଇସ୍କୁଲ । ଆଲକାତରା ବୋଳାହୋଇ ସ୍କୁଲ ପାଚେରି ସାରା କେତେ କ’ଣ ଲେଖାଥିଲା । କଲେଜ ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କର ନାଁ ଗାଁ, ସିନେମା ପୋଷ୍ଟର, ନାନାଦାଠି ଅଭଦ୍ର କଥାସବୁ ପଢ଼ିବାକୁ ବି ଲାଜ ଲାଗିବ । ପାଚେରି ହେଲେ ରକ୍ଷାଥିଲା । ସ୍କୁଲ କୋଠାରେ ବି ଆଲକେତରା ବୋଳା ଅକ୍ଷରସବୁ । ଶଙ୍କର ଦେଖିଲା ସେ ସବୁ ଲିଭି କାନ୍ଥବାଡ଼ ସଫା ହୋଇଯାଇଛି । ଯୋଉତକ ଲିଭା ନ ହୋଇ ରହିଯାଇଛି–ସେ ସବୁ ନେତାମାନଙ୍କର ଗୁଣଗାରିମାର ଯଶୋଗାନ ।

 

କଟକର ରାସ୍ତାଘାଟା, ଗଳିକନ୍ଦି, କୋଠାବାଡ଼ି, ସ୍କୁଲକଲେଜ ଆଦି ସଠିକ୍‌ କୋଉ କୋଉ ଜାଗାରେ ରହିଛି ଶଙ୍କର ଭଲରୂପେ ଜାଣିନଥିଲା । ସବୁଜାଗାରେ ତା’ର ପରିଚୟ ଅଛି, ଅନେକଥର ନିଜ କାମନେଇ ସେ ଯାଇଛି, ସାଙ୍ଗସାଥୀମାନଙ୍କ ଘରକୁ ଦଶହରାରେ, କାଳିପୂଜା ବେଳେ ବାଲିଯାତ୍ରା ଗହଳିରେ ଓ ବାରବାଟି ଷ୍ଟାଡ଼ିୟମରେ ମ୍ୟାଚବେଳେ । କିନ୍ତୁ ସବୁଆଡ଼େ ସେ ଭଲଭାବରେ ଚିହ୍ନିନି । ସଠିକ୍‌ କହିପାରିବନି ।

 

ବଙ୍କାଢ଼ଙ୍କା ଗଳିରାସ୍ତା ସବୁ-କରେ କରେ ଆକାଶଚୁମ୍ବି କୋଠାମାନ, ଧାଡ଼ିଧାଡ଼ି ଚାଳଘର ବସ୍ତି । ଠାଆକୁ ଠାଆ ଦଳପୂର୍ଣ୍ଣ ପୋଖରୀ, ପଙ୍କପୂର୍ଣ୍ଣ ନାଳସବୁ ସହରଯାକ ଭରପୂର । ସାଇସାଇରେ ଦୋକାନବଜାର । ଯୋଉ ଯୋଉ ରାସ୍ତାଦେଇ ଶଙ୍କର ଯାଉଥିଲା ଘର ବାରେଣ୍ଡାମାନଙ୍କରେ ଦୋକାନ ଖୋଲିଦେଇ ଲୋକେ ବସିରହିଛନ୍ତି । ପାନଦୋକାନ, ଚା, ବରାପିଆଜି ଦୋକାନ, ଛାପାଖାନା, ଲଣ୍ଡ୍ରି, ମିଠାଦୋକାନ, ମଟର ଗ୍ୟାରେଜ୍‌ ଓ ସାଇକେଲ ପ୍ୟାଚ ଓ ପମ୍ପଦେବାର କେନ୍ଦ୍ରସବୁ ଗଳିକନ୍ଦିରେ ଭର୍ତ୍ତି । ଗଳିପରେ ଗଳି ପୁଣି ଉପଗଳି । ଚାରିଆଡ଼େ ମଇଳା ଓ ଆବର୍ଜନାରେ ଭରା ଏଇ କଟକ ସହରଟା, ସାରା ଓଡ଼ିଶାର ପୁଣି ମଉଡ଼ମଣି, କେତେ ହିନିଛାକର ହୋଇ ପଡ଼ିରହିଛି । ସବୁ ବଡ଼ ବଡ଼ ଲୋକେ ଏଇ ସହରରେ । କାହାର ଇଆଡ଼ିକି ନଜର ନାହିଁ । ଯୁଗଯୁଗ ଧରି ସହରଟା ଏମିତି ପଡ଼ି ରହିଛି ।

 

ଶଙ୍କର ଗୋଟେ ଗଳିର ଶେଷମୁଣ୍ଡକୁ ଯାଇ ଦେଖିଲା–ରାସ୍ତାଟା ସେଠି ଚଉଡ଼ା । ବଡ଼ ବଡ଼ କୋଠା ସବୁ । କେଇଟାରେ ସରକାରୀ ଅଫିସ୍ ଚାଲିଛି । କରକୁ ଲାଗି ଗୋଟିଏ ହୋଟେଲ । ବାହାରୁ ସଫାସୁତୁରା ଦେଖାଯାଉଥିଲା । ନାଁ ତା’ର ଅର୍ଣ୍ଣପୂର୍ଣ୍ଣା ହୋଟେଲ । କରକୁ ଜଳଖିଆ ଚା’ର ମଧ୍ୟ ବ୍ୟବସ୍ଥା ଅଛି । ଶଙ୍କରର ମନେପଡ଼ିଗଲା-ଏତେବେଳ ଆସି ହେଲାଣି । ଏଯାଏ କିଛି ହେଲେ ସେ ଖାଇନି । ଠିକ୍‌ କଲା–ହୋଟେଲରେ ସେ ଖିଆଟା ଅନ୍ତତଃ ସାରିଦେବ । ଅଢ଼େଇଟା ବାଜିଲାଣି-। ହୋଟେଲରେ ଭାତ ଥିଲେ ତ ? ଅସୁବିଧା ହେଲାନି । ବୁଝିଲା ସେଠି ଦିନ ଚାରିଟା ଯାଏଁ ମଧ୍ୟ ଖାଇବାର ଅସୁବିଧା ନାହିଁ । ଅଫିସ୍‌ ବାବୁମାନେ ସେମାନଙ୍କର ସୁବିଧା ସୁଯୋଗ ଦେଖି, କାମଦାମ କରି ଯାଉ ଯାଉ, ନିଶ୍ୱାସ ମାରିବାକୁ ସମୟ ଟିକିଏ ପାଇଲେ ହୋଟେଲରେ ଖାଇଦେଇଯାଆନ୍ତି ।

 

ଶଙ୍କର ଖାଇବସିଲା ସତ କିନ୍ତୁ ଭାତଗୁଡ଼ାକ ତା’ର ତଣ୍ଟିଦେଇ ଗଳିପାରୁନଥିବାର ସେ ଅନୁଭବ କଲା । ଯେତେ ପାଣି ପିଇଲେ ବି ସେଇ ଅବସ୍ଥା । ବରଂ ତଣ୍ଟିରେ ଲାଗୁଛି । ଭାବିଲା–କିଏ ବୋଧେ ମନେପକଉଛି ।

 

ଶଙ୍କରର ମନେପଡ଼ିଗଲା ତା’ର ପଛ କଥା ଯାକ-କି ଯୋଗରେ ତା’ର ଚାକିରି ଗଲା । କିଶୋର ଭଳି ବନ୍ଧୁଟିଏ ପାଇଥିଲା ତା’ର ଚିନ୍ତାନଥିଲା । ସେ ଏବେ ବମ୍ବେରେ ଅଛି ନାଁ ଆଉ ତାକୁ କୁଆଡ଼େ ନେଲେଣି ଭଗବାନଙ୍କୁ ଜଣା । ଜିତୁ ପାଖରେ ତା’ର ଅଟାଚିଟା ଥିଲା । ପୁଅ ବି ଗୋଟିଏ ଭଲ ଜାଗାରେ ଲାଗିଯାଇଥିଲା । ପାର୍ଟି ଅଫିସର ସେ ଚାକିରି ବି ଗଲା । ଅଟାଚିଟା ସେ ସାଙ୍ଗରେନେଇ କୁଆଡ଼େ ଯାଇଛି ନା କୋଉଠି ତାକୁ ଛାଡ଼ିଗଲା କେଜାଣି ? ଜିତୁକୁ ଏବେ ଖୋଜି ଖୋଜି ବି ସେ ପାଉନି । କ’ଣ କରାଯିବ ? ଶଙ୍କର ଭାବୁଥିଲା–ଯୋଉ ଡାଳକୁ ଧରିଲା ସେ ଡାଳ ତା’ର ଭାଙ୍ଗିପଡ଼ୁଛି ।

 

ନାଁକୁ କେବଳ ଖିଆପିଆଟା ସେ ସାରିଦେଲା । ବଡ଼ ହାଲିଆ ଲାଗୁଥିଲା । ଚାଲି ଚାଲି ଯିବାକୁ ଦେହରେ ଆଉ ବଳନାହିଁ । ସିଗାରେଟ୍‌ଟେ ଟାଣିଦେଇ ହୋଟେଲ ଆଗରେ ପଡ଼ିଥିବା ଚଉକି ଖଣ୍ଡକରେ ଦେହଟାକୁ ତା’ର ପକେଇଦେଲା । କୁଆଡ଼ିକି ସେ ଯିବ ? ସମସ୍ତେ ଏଇନେ ଘରେ ବିଶ୍ରାମ ନେଇଥିବେ । ଏ ସମୟରେ କାହାକୁ ଯାଇ ବ୍ୟସ୍ତ କରିବା ଭଲ ନୁହେଁ ।

 

ହୋଟେଲର ଠିକ୍ ସିଧା ସେଇ ଅଫିସ୍‌ଟା । ବାରେଣ୍ଡାରେ ବନ୍ଧୁକଧାରୀ ପୁଲିସ୍‌ ଗାର୍ଡ଼ । ଅଫିସ୍‌ ଆଗରେ ସାଇନ୍‌ବୋର୍ଡ଼ ନଥିଲା । ଥିଲେ ସେ ଜାଣିପାରିଥାଆନ୍ତା । ହୋଟେଲ ମାଲିକଙ୍କୁ ପଚାରିଦେବ ବୋଲି ଯାଉଥିଲା । ଇଚ୍ଛା ହେଲାନି । ସିଗାରେଟ୍‌ ଟାଣୁ ଟାଣୁ ଶଙ୍କର ଦେଖିଲା–ସେଇ ଭଦ୍ରଲୋକ ଜଣଙ୍କ, ଯାହାଙ୍କୁ ସେ କିଶୋର ଘରେ ଦେଖିଥିଲା, ଦେଖିଥିଲା ଥରେ କଲେଜ ଛକରେ ଓ ଢେଙ୍କାନାଳ କରବାବୁଙ୍କ ଗାଡ଼ିଭିତରେ, ଭଲଭାବରେ ଆଉଥରେ ଦେଖିନେଲା ଶଙ୍କର-‘ଠିକ୍‌ ସେଇ ଭଦ୍ରଲୋକ–ବେଶଭୂଷାରେ ତାଙ୍କର ପରିପାଟୀ ଥିଲା, ଗମ୍ଭୀର ମୁହଁରେ ସେଇ ହୋଟେଲ ଆଡ଼ିକି ଚାହିଁ ଚାହିଁ, ଅଫିସ୍‌ ପାହାଚ ଦେଇ ଆସ୍ତେ ଆସ୍ତେ ତଳକୁ ସେ ଓହ୍ଲେଇ ଆସୁଥିଲେ । ହାତରେ ଧରିଥିଲେ ଗୋଟିଏ ଆଟାଚି । କିଶୋରର ଆଟାଚି ଭଳି । କିନ୍ତୁ ସେଇଟା ପତଳା । କିଶୋରର ଅଳ୍ପ ମୋଟାଳିଆ । ଦେଖାହୋଇଥିଲେ ଶଙ୍କର ଅସୁବିଧାରେ ପଡ଼ିଥାଆନ୍ତା । ହୋଟେଲ ଆଡ଼ିକି ସେ ଭଦ୍ରଲୋକ ଚାହିଁଥିଲେ ସତ କିନ୍ତୁ ତାକୁ ଦେଖିନାହାନ୍ତି । ଶଙ୍କର ରକ୍ଷା ପାଇଗଲା ।

 

ଅଫିସ୍‌ ପାହାଚ ତଳକୁ ଆସି ସେ ଦି’ଆଡ଼ିକି ଲକ୍ଷ୍ୟକଲେ । ବୋଧେ ରିକ୍‌ସା ଖୋଜୁଥିଲେ । ଅଳ୍ପ ଦୂରରେ ଖାଲି ରିକ୍‌ସାଟିଏ ଧୀରେ ସୁସ୍ଥେ ଯାଉଥିଲା । ଡାକ ଶୁଣି ରିକ୍‌ସାବାଲାଟା ଅଟକିଲା । ଭଦ୍ରଲୋକ ବଡ଼ ବଡ଼ ପାହୁଲ ପକେଇ ତା’ ପାଖକୁ ଛୁଟିଲେ । ଶଙ୍କର ରକ୍ଷା ପାଇଗଲା ।

 

ଭାବୁଥିଲା–ଭଦ୍ରଲୋକଙ୍କର ସେ ପିଛା ଧରିବ । ସବୁ ଜାଗାରେ ସେ ତାଙ୍କୁ ଦେଖିଛି । ବଡ଼ ବ୍ୟସ୍ତ ଭଳି ସେ ଜଣାପଡ଼ନ୍ତି । କିଏ ସେ, କୋଉଆଡ଼ର କଟକରେ କ’ଣ ସେ କରୁଛନ୍ତି–ସେ ସବୁ ଜାଣିବାପାଇଁ ଶଙ୍କରର ଆଗ୍ରହ ହେଲା । ପରେ ପରେ ସେ ଭାବିଲା–ଯିଏ ହେବେ ସେ ହୋଇଥାଆନ୍ତୁ । ସେ ସବୁ ଜାଣିବା ତା’ର କିଛି ଦରକାର ନାହିଁ । ନିଜ ଅବସ୍ଥା ନିଜକୁ ଅସମ୍ଭାଳ ।

 

ହୋଟେଲ କରର ଡଷ୍ଟବିନ୍‌ ପାଖରୁ ମଇଳା–କୋଚଟ ଲୁଗାଟିଏ ପିନ୍ଧି କାନଉପରେ ଅଧା ବିଡ଼ି ଖଣ୍ଡେ ଧରି, ଦାନ୍ତ ନିକୁଟି ଶଙ୍କର ଆଗକୁ ହାତପତେଇ ପଇସା ମାଗୁଥିଲା । ସେ ଭଦ୍ରଲୋକ ଜଣଙ୍କ ସେତେବେଳେ ରିକ୍‌ସା ଧରି ଅଦୃଶ୍ୟ ହାଇଥିଲେ । ଶଙ୍କର ପକେଟରୁ ଦଶପଇସିଟିଏ କାଢ଼ି ବୁଢ଼ା ହାତକୁ ବଢ଼େଇ ଦେଇସାରି ହୋଟେଲ ବାଲାର ପ୍ରାପ୍ୟଟା ଆଗେ ଛିଣ୍ଡେଇଦେଲା । ଦୋକାନଟା ଆଗରେ ବେଶି ସମୟ ବସିରହିବା ଆଉ ଭଲନୁହେଁ । ଅନ୍ୟକେହି ଗ୍ରାହକମାନେ ଆସିବେ । ଚଉକିଟାକୁ ଧରି ମିଛଟାରେ ସେ କାହିଁକି ଅବା ବସି ରହିବ ? ଅଳ୍ପବାଟ ଚାଲିଗଲେ ବାଲୁବଜାର ଛକ । ଚରଣ ଘରଟା ସେଠୁ ବେଶିଦୂର ନୁହେଁ । ତା’ ପାଖକୁ ଗଲେ ଘଟଣାଟା ଜାଣିହେବ, କିଶୋରର କଥା । କଟକ ସହରରୁ ଜିତୁକୁ ଖୋଜି ବାହାର କରିବା ତା’ପକ୍ଷରେ ଅନ୍ତତଃ ଅସମ୍ଭବ ହୋଇପାରିବ ।

 

ସମ୍ଭବପର ହୋଇଥାଆନ୍ତା । ତା’ ସାଙ୍ଗକୁ କିଶୋର ବି ଥିଲା । ଚାକିରି ଚାଲିଯାଉ ଚିନ୍ତା ନାହିଁ । ଚାକିରି ପାଇଁ ଆଉଥରେ ଚିଠି ଆସିଥିଲେ ତାକୁ ସେ ପ୍ରତ୍ୟାଖ୍ୟାନ କରିଥାଆନ୍ତା । ଜୀବନସାରା ଗୋଲାମୀଗିରି କରି କରି ସମୟତକ କେତେବେଳେ ଯେ କଟିଗଲା ସେ ଜାଣିପାରିନି । ଚାକିରି ଆରମ୍ଭରୁ ସ୍ୱଳ୍ପ ଦରମାରେ ସେ ଜୀବନଯାକ ଯୁଦ୍ଧ କରି କରି ଆସିଛି । ଘରେ ନିଜର ପରିବେଶ, ଅଭାବ ଅସୁବିଧା ସାଙ୍ଗେ ଯୁଦ୍ଧ, ଅଫିସ୍‌ରେ ପଦୋନ୍ନତି ପାଇଁ ସହକର୍ମିଙ୍କ ସାଙ୍ଗରେ ଘୋଡ଼ା ଦୌଡ଼, ସିଏ ତ ପ୍ରକାରାନ୍ତରେ ଯୁଦ୍ଧ ଭଳି, ଜୀବନ ସଂଗ୍ରାମ, ସାମାଜିକ ପରିବେଶ ସଙ୍ଗେ ସବୁବେଳେ, ବିଭିନ୍ନ ପରିସ୍ଥିତିରେ ଖାଲି ଯୁଦ୍ଧ କରି କରି ଏଯାଏ ସେ ଚାଲିଆସିଲା । ତାକୁ ଛାଡ଼ିଦେଇ ସେ ନୂଆ ଜୀବନ ଆରମ୍ଭ କରିଥାଆନ୍ତା । କିଶୋର ତାକୁ ଭରସା ଦେଇଥିଲା । ଜିତୁ ମନରେ ଆଣିଦେଇଥିଲା ବଳ । ସେ ସବୁ ତା’ର ଅଳ୍ପକେ ଛାରଖାର ହୋଇଗଲା-। ଯାହାପାଖକୁ ଯାଉଛି କାହାର ଦେଖାମିଳୁନି । କ’ଣ ସେ କରିବ ?

 

ବାଲୁବଜାର ଛକ ଡେଇଁ ବିନୋଦବିହାରୀ ଭିତରେ ଆଲମଚାନ୍ଦ ବଜାର ଆଡ଼ିକି ଗଲାବେଳେ ଭାବୁଥିଲା–ଚରଣକୁ ସେ ଖୋଜିବାକୁ ଯାଉଛି । ସିଏ ଘରେ ନଥିବ ତା’ର ବୋଧେ ଦେଖା ମିଳିବନି ।

 

ସତକୁ ସତ ଚରଣ ଘରେନଥିଲା । ଚରଣର ସ୍ତ୍ରୀ ଶଙ୍କରକୁ ଝରକାଦେଇ ରାସ୍ତା ଉପରେ ଠିଆ ହୋଇଥିବାର ଦେଖି ସିଧା ଦଉଡ଼ିଆସିଲା ଦାଣ୍ଡ ଦୁଆରମୁହଁ ପାଖକୁ । କାଚ ଝଣ ଝଣ କରି ମୁହଁକୁ ତା’ର ଅଧା ଦେଖେଇ ଓ ଅଧା ଲୁଚେଇ କବାଟ ଆରପଟୁ କହିଲା–ସେ ଘରେନାହାନ୍ତି । ସକାଳୁ କୁଆଡ଼େ ଯାଇଛନ୍ତି ଏଯାଏଁ ଦେଖାନାହାନ୍ତି । ଖାଇବାକୁ ବି ଆସିନାହାନ୍ତି ।

 

ଶଙ୍କର ଠିକ୍‌ ଲକ୍ଷ୍ୟ କରିଛି-ଚରଣ ସ୍ତ୍ରୀର ଦର ଛପିଲା ମୁହଁଫାଳକ ଯେତିକି ଗମ୍ଭୀର ସେତିକି ହସ ହସ, ବୟସରେ ଯେତିକି ଭାରାକ୍ରାନ୍ତ ସେତିକି ଚପଳ, ନିଜକୁ ଲୁଚେଇ ରଖିବା ଭିତରେ, ଗୋରା ତକ ତକ ମୁହଁଟିକି ଦେଖେଇଦେବାର ପ୍ରଚେଷ୍ଟା ବହୁତ ବେଶି । ବାରେଣ୍ଡା ଉପରକୁ ଶଙ୍କର ଉଠିନି, ଜାଣିପାରିଲା–ଚରଣ ନାହିଁ । ଆସିଲେ କହିଦେବ ବୋଲି ଖବର ଉଡ଼ିଉଡ଼ି ସେଇ ଦରଆଉଜା ଦୁଆର ଭିତରେ ଯାଇ ପ୍ରବେଶ କରିଛି । ଗୁଣୁଗୁଣୁ ହେଉଛି ଚରଣ ସ୍ତ୍ରୀର ପାଖେ ପାଖେ, ଚାରିପାଖେ ।

 

ଚାରିପାଖେ ଠିଆହୋଇ ରହିଛି ଆକାଶଚୁମ୍ବି କୋଠାବାଡ଼ି । ଭିତରେ ସରୁ ରାସ୍ତାଟିଏ । ଶଙ୍କର କୁଆଡ଼େ ଯିବ, କ’ଣ କରିବ କିଛି ଠିକ୍‌ କରିପାରୁନଥିଲା । ଯାହା ପାଖକୁ ଯାଉଛି କାହାକୁ ସେ ପାଉନି । ସମସ୍ତେ ତା’ଠାରୁ ଦୂରେଇ ଯାଉଛନ୍ତି । ଏକେଲା ପାଦ ଗଣି ଗଣି କେତେଅବା ସିଏ ଚାଲିବ ? ଶଙ୍କରକୁ ଜଣାପଡ଼ିଲା–ପାଖର କୋଠବାଡ଼ି ସବୁ ତା’ଆଡ଼ିକି ଅବା ଚାହିଁ ରହିଛନ୍ତି । ବିଦ୍ରୂପ କରୁଛନ୍ତି ସେମାନେ । ସମସ୍ତେ ଯେପରି ତା’ ସାଙ୍ଗେ ଅବା ଚାଲିଛନ୍ତି । କା’ଉପରେ ସେମାନେ କୁଢ଼େଇ ହୋଇ ପଡ଼ିବେ ଓ ସେଇ ଇଟା କଂକ୍ରିଟ୍‌ର କୁଦ ଭିତରେ କୁଆଡ଼େ ଲୁଚିଯିବ ।

 

ଶେଖ୍‌ବଜାର ଦେଇ କଟକଚଣ୍ଡି ଛକରୁ ରିକ୍‌ସା ଧରିବ ବୋଲି ଶଙ୍କର ଠିକ୍‌ କଲା । ଏତେ ଆଉ ବୁଲିପାରିବନି କି ଏତେ କାହାକୁ ଖୋଜିପାରିବନି ।

 

କଟକଚଣ୍ଡି ଛକରୁ ଷ୍ଟାଡ଼ିୟମ ରାସ୍ତାରେ ଷ୍ଟୁଆର୍ଟସ୍କୁଲ । ଚାରିଛକିଆ ରାସ୍ତା । ଶଙ୍କର ଦେଖିଲା–ସେଠି ଗୋଟିଏ ତୋରଣ ତିଆରି ଚାଲିଛି । ବହୁତ ସାଜସଜ୍ଜା, ନାନାପ୍ରକାରର କମକୁଟ କାରୁକାର୍ଯ୍ୟ ସେଇ ତୋରଣରେ ଛାଉଣି । ରାସ୍ତାଯାକ ଖାଲି ତୋରଣମୟ । ବୃକ୍ଷରୋପଣର କାର୍ଯ୍ୟକ୍ରମ ବାହାରୁ କିଏ ଜଣେ ନେତା ଆସୁଛନ୍ତି । ଓଡ଼ିଶାକୁ ଆସିବା ତାଙ୍କର ଏଇ ପ୍ରଥମ । ଆମଲୋକେ ତାଙ୍କ ଦର୍ଶନ ଲାଭର ସୁଯୋଗ ପାଇବେ । କଟକରେ ସାଧାରଣ ସଭା । ତା’ପରେ ପରେ ଭୁବନେଶ୍ୱରର ପରେଡ଼୍‌ ପଡ଼ିଆରେ । ଏ ସୁଯୋଗ ଛାଡ଼ିବାର ନୁହେଁ । ସେ ପୁଣି ବକ୍ତୃତା ଦେଇ ଲୋକଙ୍କୁ ଉଦ୍‌ବୁଦ୍ଧ କରିବେ । କାନ୍ଥବାଡ଼ରେ ତାଙ୍କ ଆସିବାର ବିଜ୍ଞାପନ ଯାକ ମାଳମାଳ । ଶଙ୍କରର ଏସବୁ ଦେଖିବାକୁ ଓ ବକ୍ତୃତା ଶୁଣିବାକୁ ସମୟ ନଥିଲା । ସେ ଠିକ୍‌ କଲା–ସକାଳ ପହରୁ ଖାଲି ସେ ବୁଲୁଛି । ଭୁବନେଶ୍ୱରରେ ଓହ୍ଲେଇ ପୁରୀ ଫେରିଯିବ । ରବିବାବୁଙ୍କ ସାଙ୍ଗେ ଭୁବନେଶ୍ୱରରେ ଦେଖା କରିବ । ତା’ର ଚାକିରି କଥାଟା ଅନ୍ତତଃ ବୁଝିପାରିବ । ବାହାରେ ଅନେକ ବୁଲି ଆଉ ଲାଭ ନାହିଁ ଯାହା ହେବାର ହେଲାଣି । କିଛି ନହେଲେ ଘରେ ବସିରହିବା ଭଲ । ଯାହା ତା’ ଭାଗ୍ୟରେ ଥିବ । ତାକୁ ଆଉ ବଦଳେଇ ହେବନି ?

 

ବଦଳେଇ ହେବନି ଟିକେଟ୍‌ ବହି । ଯେତିକି ଟିକେଟ୍‌ କାଟିଥିଲା ସେତିକି । କଟକ ଭୁବନେଶ୍ୱର ବସ୍‌ରେ ଭରପୂର ଲୋକ । ସିଟ୍‌ରେ ବସିଥିବା ଲୋକଙ୍କ ଅପେକ୍ଷା ଠିଆ ରହିଥିବା ଲୋକ ଦୁଇଗଣ । ବସ୍‌ଟାବି ଦରମେଲା । ଦୁଆରଟାକୁ କ୍ଳିନର ଭିଡ଼ି ଧରିଥିଲା ବୋଲି ରକ୍ଷା । ହାତ ଛାଡ଼ିଦେଲେ ଲୋକେ ଭୁସ୍‍ଭାସ୍ ତଳେ ପଡ଼ିବେ । କଣ୍ଡକ୍‌ଟର ଚେକିଂ ଜିପ୍‌ଟାକୁ ଦେଖି ଜୀବନ ବିକଳରେ ଆଖିବୁଜି ଟିକେଟ୍‌ କାଟି ଲାଗିଲା । ଭରଣା କରିପାରିଲାନି । ଚେକିଂ ଷ୍ଟାପ୍‌ ଆସି ବହିଟାକୁ ତା’ଠୁ ଆଗ ଜବତ୍‌ କରିନେଲେ । କାଠଯୋଡ଼ି ପୋଲ ଆରପଟେ ଅକ୍‌ଟ୍ରାଇ ଚେକ୍‍ପୋଷ୍ଟ ପାଖରେ । ଜଣେ କିଏ ବସ୍‌ ଭିତରକୁ ଆସି ମୁଣ୍ଡ ଗଣିବାରେ ବ୍ୟସ୍ତ । କେତେ କେତେ ଲୋକ କିଛି ନଜାଣିଲା ଭଳି, ନିଜ ନିଜକୁ ପଦଚାରୀ ବୋଲି ପରିଚୟ ଦେଇ ରାସ୍ତାଉପରେ ସିଧା ଚାଲିବାକୁ ଆରମ୍ଭ କରିଦେଲେ । କଣ୍ଡକ୍‌ଟର ଯାଇ ଚେକିଂ ଅଫିସରଙ୍କ ପାଖରେ । ବସ୍‌ର ଲୋକସଂଖ୍ୟା ଓ ସେ କାଟିଥିବା ଟିକେଟ୍‌ ସାଙ୍ଗରେ ମିଳେଇବାରେ ଲାଗିଥାଏ । ଡ୍ରାଇଭର ହାତରେ ଗାଡ଼ି ନମ୍ବରର ଡ୍ରାଇଭିଂ ଲାଇସେନ୍‌ସ । କ୍ଳିନରଟା ସେତେବେଳେ ମୁଣ୍ଡଗଣତି କରୁଥିବା ଲୋକ ଜଣଙ୍କ ସାଙ୍ଗେ ବସ୍‌ ବାହାରେ କ’ଣ କଥାବର୍ତ୍ତା କରୁଥିଲା ତୁନି ତୁନି କେହି ନ ଶୁଣିଲା ଭଳି । ବସ୍‌ ଯାତ୍ରୀମାନେ ହାଲ୍ଲା କରୁଥାଆନ୍ତି–ବେଳ ହୋଇଗଲା-ସମସ୍ତେ ଯିଏ ଯାହାର ଜରୁରୀ କାମନେଇ ଆସିଛନ୍ତି । ଚେକିଂ ଷ୍ଟାଫ୍‌ଙ୍କର କାର୍ଯ୍ୟକଳାପକୁ ବିଦ୍ରୂପ କରୁଥାଆନ୍ତି ସେମାନେ । ଶଙ୍କର ପାଖେ ଜଣେ ଭଦ୍ରଲୋକ ବସିଥିଲେ । କହିଲେ ଏସବୁ ଗୋଟେ ପ୍ରହସନ ।

 

ଆଉଜଣେ ଭଦ୍ରଲୋକ ଶଙ୍କର ସିଟ୍‌ ପଛକୁ ବସିଥାଆନ୍ତି । ସହଯାତ୍ରୀଙ୍କି ସେ କହୁଥାଆନ୍ତି–ବସ୍‌ କଣ୍ଡକ୍‌ଟର ବିଷୟରେ । ଏଇ ଲାଇନ୍‌ରେ ସେ ତାକୁ ସାତ ଆଠବର୍ଷ ହେଲା ଦେଖୁଛନ୍ତି । ଘର ତା’ର ଜଗତ୍‌ସିଂହପୁରରେ । ଗାଁରେ ସେ ଯୋଉ କୋଠା କରିଛି ଆଖି ଖୋସିହୋଇ ପଡ଼ିବ । ଦୋତାଲା କୋଠା, ଚାରିଆଡ଼ ମୋଜାକି । ଏବେ ଝିଅ ବିଭାଘର କରିଥିଲା–ଏତେ ଜିନିଷ ପତ୍ର ସେ ଦେଇଛି ତା’ର କଳନା ନାହିଁ । ନଗଦ ଦେଇଛି କୋଡ଼ିଏ ହଜାର ଟଙ୍କା । ଜ୍ୱାଇଁ ଦିଲ୍ଲୀଆଡ଼େ ଜଣେ ବଡ଼ ଅଫିସର । ଲୋକେ କହନ୍ତି ତା’ର ଦି’ଦିଟା ଟ୍ରକ୍ ଚାଲିଛି । କଟକ ଭୁବନେଶ୍ୱର ରାସ୍ତାରେ ବେନାମୀ ଟାକ୍‌ସି ବି ଚାଲିଛି । ବସ୍‌ରେ ଯାଉଥିଲାବେଳେ କଣ୍ଡକ୍‌ଟର ଜଣଙ୍କ କଥା ଛଳରେ ଅନେକ ଅନେକ କଥା କୁହେ । ଆଗେ ତାଙ୍କର ଶହ ଶହ ଏକର ଧାନଜମି ଥିଲା । କେନାଲ କୂଳିଆ ଦୋଫସଲି ଜମି । ବାପା ଚାଲି ଅଫିମ ଖାଇ ରାଣ୍ଡବାଜି କରି ଅଧିକାଂଶ ଉଡ଼େଇ ଦେଇଥିଲା । ଯେଉଁ କାଣିଚାଏ ଥିଲା । ବାଗ ବଗିଚା ଥିଲା ସେଥିରେ ଟାଇଚୁନ ଧାନ କରି ଶିତଦିନିଆ ଫସଲ କୋବି ବାଇଗଣ ଓ ଟମାଟୋ ଆଦି କରି ସେମାନେ ବହୁତ ରୋଜଗାର କରୁଛନ୍ତି । ସେ ଜର୍ସିଗାଈ ପୁଣି ରଖିଛି । ଏଇନେ ତା’ର ସାତଟା ହେବ ଦୁଧିଆଳି ଗାଈ-। ଦୁଇଶଯାଏ ଫାର୍ମ କୁକୁଡ଼ା, ଦୁଧ ଓ ଅଣ୍ଡା ବିକି ସେମାନେ ଏଇନେ ନିଜ ହାତରେ ନିଜେ ଚଉଦପା-। ଘରେ ଭାଇମାନେ ଅଛନ୍ତି । ବାହାରକୁ ଯିବା ତାଙ୍କର ଦରକାର ନାହିଁ । ପରର ଗୋଲାମୀ କରିବା ଅପେକ୍ଷା ସ୍ୱାଧୀନ ବ୍ୟବସାୟ ଭଲ । ମୋଟ ଉପରେ ସାତ ଆଠବର୍ଷ ହେଲା ସେଇ ଲାଇନ୍‌ରେ ଥିଲେ ବି ସେ କଥା ଛଳରେ କହିବୁଲେ-ଚାକିରି ତା’ର ଦରକାର ନାହିଁ । ଏତେବର୍ଷ ହେଲା ଚାକିରିଟିଏ କରିଛି ବୋଲି ସେ ଛାଡ଼ିପାରୁନି । ବେଳେବେଳେ ବଡ଼ ବିରକ୍ତ ହୋଇ ସେ କହେ-ପ୍ରତିଦିନ ଏତେ ଭୋଗରାଗ ସେ ଆଉ ଦେଇପାରିବନି । ମାସିକିଆ ଭୋଗ ଖାଇବାପାଇଁ କେତେ କେତେ ଦିଅଁ ଅଛନ୍ତି । ବହୁତ ବଡ଼ ବଡ଼ ନାମଜାଦା ଦିଅଁ । ମାସକୁ ମାସ ତାଙ୍କୁ ଭୋଗ ନ ଦେଲେ ଚାକିରି ଟଳମଳ ସେତିକିରେ ରକ୍ଷାଥିଲା । ଏବେ କିନ୍ତୁ ପ୍ରତିଦିନ ଭୋଗ ଲଗେଇବାକୁ ପଡ଼ିଲାଣି । ଏମିତି ଅନେକ ଅନେକ କଥା, ଭଦ୍ରଲୋକ ଜଣଙ୍କ ବସ୍‌ କଣ୍ଡକ୍‌ଟରକୁ ଭଲଭାବରେ ଜାଣନ୍ତି ।

 

ସର୍ବମୋଟ ଦଶଟା ଟିକେଟ୍‌ ସେ କାଟିପାରିନଥିଲା । ଚେକିଂଷ୍ଟାଫ, ଖାତାରେ ଦସ୍ତଖତ ମାରି, ଜିପ୍‌ ଛୁଟେଇ ଚାଲିଗଲେ । ଶଙ୍କର ଲକ୍ଷ୍ୟ କରିଛି କଣ୍ଡକ୍ଟର ଜଣଙ୍କ ସେମାନଙ୍କୁ ନମସ୍କାର କରି ହସି ହସି ବସ୍‌ ପାଖକୁ ପୁଣି ଫେରିଆସିଲା ବେଳକୁ ରାସ୍ତାରେ ମାଳକୁ ମାଳ କାର୍‌ ଛୁଟିଛି । ଗାଡ଼ିଗୁଡ଼ାଙ୍କୁ ଗଣିହେବନି । ଜଣେ କିଏ ବଡ଼ନେତା ଭୁବନେଶ୍ୱର ଯାଉଛନ୍ତି । ଆଗରେ ପଛରେ ତାଙ୍କର ଶହ ଶହ ସଂଖ୍ୟାରେ କାର୍‌ । ରାସ୍ତାଯାକ ଠାଆକୁଠା ତ ଛକମୁଣ୍ଡରେ ଖାଲି ତୋରଣ ତାଙ୍କର ଅଭ୍ୟର୍ଥନା ପାଇଁ । ସେଠାରେ ବସ୍‌ଟା ଘଣ୍ଟେ ଉପରେ ଅପେକ୍ଷା କରିବାକୁ ପଡ଼ିଲା । ଟିକେଟ୍‌ ତ କଟାସରିଛି । କହିବାକୁ ବାଟ ନାହିଁ । ଦୈବ ଦୁର୍ବିପାକକୁ କମ୍ପାନୀ ଦାୟୀ ନୁହେଁ । ବସ୍‌ ଭିତରେ ଛଟପଟ ହେବା ଅପେକ୍ଷା ନକରିବା ଛଡ଼ା ଉପାୟ ନାହିଁ । ଶଙ୍କର ଭାବୁଥିଲା–ଆଉ ଘଣ୍ଟାଏ ଖଣ୍ଡେ କଟକରେ ରହିଯାଇ ଥିଲେ ଜିତୁ ସାଙ୍ଗେ କାଳେ ଦେଖା ମିଳିଯାଇଥାଆନ୍ତା ? ତା’ର ଅବା କି ଠିକଣା ଅଛି ?

 

ଭୁବନେଶ୍ୱର ବସ୍‍ଷ୍ଟାଣ୍ଡରେ ଆସି ପହଞ୍ଚିଲା ବେଳକୁ ପରେ ତ ପଡ଼ିଆରେ ଜନ-ସମୁଦ୍ର-। ଏତେ ଲୋକ ଜମା ହେବାର ସେ କେବେ ଦେଖିନାହିଁ । ପାଖଆଖ ଅଞ୍ଚଳରୁ ବି ଲୋକେ ଆସିଥିଲେ । ସଭା ସରିଲେ ବସ୍‌ ମିଳିବା କଷ୍ଟକର । ମନ ବି ତା’ର ଭଲନଥିଲା । ତଥାପି ଏତେଲୋକ ରୁଣ୍ଡ ହୋଇଥିବା ଦେଖି ସେ ବସ୍‌ରୁ ଓହ୍ଲେଇପଡ଼ି ସିଧା ଚାଲିଲା ପରେଡ଼ ପଡ଼ିଆ ଆଡ଼ିକି । ସଭାରେ ବକ୍ତୃତା ଶୁଣିବ, ଲୋକସମାଗମ ଦେଖିବ ଓ ତା’ ସାଙ୍ଗେ ସାଙ୍ଗେ ରବିବାବୁଙ୍କ ସାଙ୍ଗେ ଗହଳି ଭିତରେ କାଳେ ଦେଖାହୋଇଗଲେ ତା’ ଚାକିରି କଥାଟା କ’ଣ ହେଲା ସେ ଜାଣିପାରିବ କିଛି ଯେବେ ହୋଇଥାଏ, ଚିହ୍ନାପରିଚୟ ଲୋକ କାହା ସାଙ୍ଗରେ ଦେଖାହେଲେ, ତା’ଠୁ ଖବରଟା ଅନ୍ତତଃ ଜାଣିପାରିବ କିନ୍ତୁ କାହା କ୍ୱାଟରକୁ ସେ ଯିବନି ସାରା ଦିନଟାରେ ଯୁଆଡ଼େ ସେ ଯାଇଛି କାହାସାଙ୍ଗରେ ତା’ର ଦେଖାହୋଇପାରିନି । ଯେମିତି ଗୋଟିଏ ନିଷ୍ଫଳ ଦିନ ।

 

ଏଇ ପରେଡ଼ ପଡ଼ିଆରେ କେତେ ବଡ଼ ବଡ଼ ସଭା ସେ ଦେଖିଛି । କାହିଁ କେତେଆଡ଼ୁ ବିଖ୍ୟାତ ଲୋକ ସବୁ ଆସିଛନ୍ତି, ଏତେ ଆଡ଼ମ୍ବର, ଏତେ ଆୟୋଜନ କେବେ ଦେଖାନଥିଲା । ପଡ଼ିଆରେ ତ ପିମ୍ପୁଡ଼ି ଗଳିବାକୁ ବାଟନାହିଁ । ରାସ୍ତାଘାଟ ଓ ସରକାରୀ କୋଠାବାଡ଼ିରେ ବି ଭରପୂରଲୋକ । ଗଛଡାଳରେ, ବସ୍‌ ଛାତ ଉପରେ ବି ଜନ-ଅରଣ୍ୟ । ନେତାଜଣଙ୍କ ବେଶି ବୟସର ନୁହଁନ୍ତି, କାନ ମୁଣ୍ଡାଯାଏଁ ଲମ୍ବା ଲମ୍ବା କଲି, ବଡ଼ କମନୀୟ ଚେହେରା । ମଞ୍ଚଉପରକୁ ଉଠି ଜନତାଙ୍କ ଉଦ୍ଦେଶ୍ୟରେ ନମସ୍କାର କରି ଆଗ ସେ ଗରିବ ଜମିହୀନ ଲୋକଙ୍କୁ ପଟା ବାଣ୍ଟିଲେ କୃତ୍ୟ କୃତ୍ୟ ହେଲା ଭଳି ଧାଡ଼ିବାନ୍ଧି କେତେ କେତେ ଗରିବ ଚାଷୀ, କେୁଁଆଡ଼ର ସେମାନେ ଜାଣିହେଉ ନଥିଲେ, ସେମାନେ ନତଜାନୁ ହୋଇ ଦାନ ଗ୍ରହଣ କରୁଥାଆନ୍ତି । ଗରିବମାନଙ୍କୁ ରକ୍ଷା କରିବାପାଇଁ ସତେଅବା ସ୍ୱୟଂ ଭଗବାନ ସ୍ୱର୍ଗରୁ ଓହ୍ଳେଇଆସିଛନ୍ତି । ପଟା ବଣ୍ଟା ଉତ୍ସବ ପରେ ସେ ବକ୍ତୃତା ଦେବାକୁ ଆରମ୍ଭ କଲେ । ଲୋକେ ବଡ଼ ଉତ୍ସୁକରେ ଚାହିଁରହିଥାଆନ୍ତି । ଓଜସ୍ୱିନୀଭାସାରେ କହିବାକୁ ଆରମ୍ଭ କଲେ କହିଥିବେ-ଅତି ବେଶିହେଲେ ଦି’ତିନି ମିନିଟ୍‌ ଲୋକେ କଠିନ ପରିଶ୍ରମ କରନ୍ତୁ, ପରିଶ୍ରମ ବିନା ଦେଶର ପ୍ରଗତି ସମ୍ଭବ ନୁହେଁ । ଲୋକେ ଯିଏ ଯାହା ଫେରିବାକୁ ଆରମ୍ଭ କରିଦେଲେ, ଅଫିସ୍‍ବାଲାମାନେ ଖୁସି-ଦିନଟେ ସେମାନେ ଛୁଟିପାଇଲେ, ବସ୍‌ ବାଲାଏ ଖୁସି, ବେଶି ଭଡ଼ା ମିଳିବ, ଦୋକାନୀମାନଙ୍କର କିଣାବିକା ବେଶି, କିନ୍ତୁ ଏହି ବୃହତ୍ତମ ଲୋକସମାଗମ ମଧ୍ୟରେ କ୍ଷୁଦ୍ରତ୍ତମ ଭାଷଣ କେବେ ଦେଖାନଥିଲା ।

 

ଗାଡ଼ି ମିଳିବାପାଇଁ ବହୁତ ଠେଲାପେଲା, ବହୁତ ଧସ୍ତାଧସ୍ତି, ବହୁତ ପରିଶ୍ରମ, ବହୁତ ଭିଡ଼ । ଭୁବନେଶ୍ୱରରେ ଶଙ୍କରର ବହୁତ ସାଙ୍ଗସାଥୀ ଅଛନ୍ତି । କାହାଘରେ ରାତିକ ରହିଗଲେ ଚଳନ୍ତା । ଚାକିରି ଥିଲା, ସେ ସବୁ ଚଳୁଥିଲା । ଚାକିରି ଗଲାପରେ ଶଙ୍କରକୁ କାହା ଘରେ ରହିବାକୁ, ଏପରିକି ଆକସ୍ମିକ ଦେଖାହୋଇଯିବାକୁ ବି ଭଲଲାଗୁନି’ ଭୁବନେଶ୍ୱର ଭଳି ଜାଗାରେ ରାତିରେ କାହାକୁ ଯାଇ ବିରକ୍ତ କରିବା ଉଚିତ ନୁହେଁ ।

 

ଲୋକ ଗହଳି ଭାଙ୍ଗିବାକୁ ବହୁତ ଡେରିହେଲା । ଭାଷଣ ଦେବାକୁ ଆସିବାକୁ ନେତା ଓ ତାଙ୍କର ଅନୁଚର ଦଳ ଗାଡ଼ି ଭିତରେ ମୁହୂର୍ତ୍ତେ ଭିତରେ, ହର୍ଣ୍ଣ ଦେଇ ଦେଇ, ଗହଳି ଭାଙ୍ଗି ଚାଲିଗଲେ ଏରୋଡ଼୍ରୋମ’ ସବୁଆଡ଼େ ତାଙ୍କପାଇଁ ସଭାର ଆୟୋଜନ, ତୋରଣ ସାଜ ସଜ୍ଜା ଓ ଲକ୍ଷ ଲକ୍ଷ ଲୋକ ଗହଳିର ବ୍ୟବସ୍ଥା ସାରା ଦେଶ ତାଙ୍କୁ ଅପେକ୍ଷା କରି ରହିଛି, ଅପେକ୍ଷା କରିବାକୁ ତାଙ୍କର ସମୟ ନାହିଁ ।

 

ବେସରକାରୀ ବସ୍‌ ସବୁ ଧାଡ଼ି ଲାଗିଲା କଟକ, ପୁରୀ ଓ ଖୋର୍ଦ୍ଧାଆଡ଼େ, ତା’ସାଙ୍ଗକୁ ରିଜର୍ଭ ସରକାରୀ ବସରେ ଲୋକ ସମାଗମ । ଶହ ଶହ ଟାକ୍‌ସି ଅପେକ୍ଷା କରିଥାଆନ୍ତି ବସ୍‌ଷ୍ଟାଣ୍ଡରେ ଗୋଟିଏ ହେଲେ ଦେଖା ମିଳିଲାନି । ରେଳ ଷ୍ଟେସନରେ ବି ଲୋକ ଗହଳି ।

 

ପ୍ରବଳ ଭିଡ଼ ଭିତରେ ବହୁତ ଚେଷ୍ଟାକରି ଶଙ୍କର ଟିକେଟ୍‌ ଖଣ୍ଡିଏ ପାଇଗଲା । ପୁରୀରେ ପହଞ୍ଚିଲାବେଳକୁ ଗୋଟେ ବାଜିଲାଣି ।

 

ସେଇ ଗୋଟିଏ କଥା ।

 

ଶଙ୍କର ଘରେ ବସି ରହି ରହି କେତେଦିନ ଯାଏଁ ଖାଲି ଭାବି ଲାଗିଥିଲା ଆଲୋକଟା ଗଲା କୁଆଡ଼େ ? ଘର କ’ଣ ତା’ର ମନେପଡ଼ୁନି ? ସାତ ଆଠଦିନ ହେଲା ତା’ର ଦେଖାନାହିଁ । ପଢ଼ାପଢ଼ି ନାହିଁ । କିଛି ନାହିଁ । କୁଆଡ଼ୁଗୁଡ଼େ ଖରାପ ପିଲାଙ୍କ ସାଙ୍ଗେ ମିଶିଛି । ଖିଆପିଆ କୋଉଠି କରୁଛି ? ରହୁଛି କୋଉଠି ? କ’ଣ ଅବା ସେ କରୁଛି ? ଆଲୋକ ତ ଖରାପ ପିଲାନୁହେଁ-କୋଉଠି ଯାଇ ବଦମାସି କରିବ ? ଯେତେହେଲେ ସେ ପିଲାଲୋକ । ମନକୁ ବେଳେବେଳେ ପାପ ଛୁଏଁ । ଗୀତା କେଇଦିନହେଲା ଅନ୍ନଜଳ ଛୁଇଁନି । କେବଳ ପୁଅ ଚିନ୍ତାରେ । ପାଠଶାଠ ପଛେ ନପଢ଼ୁ । ଘରେ ଆସି ବସିଥାଉ । ଗୀତା କେତେଥର ଲଗେଇଲାଣି ଥାନାରେ ଖବର ଦେବାକୁ, ଖବରକାଗଜରେ ଛାପିବାକୁ ବା ହୁଲିଆଜାରି କରିବାକୁ । ଶଙ୍କର କିଛି ଶୁଣିନି । ଘରେ ବସିରହି ଆଲୋକକୁ କେବଳ ଅପେକ୍ଷା କରିଛି । ନିଶ୍ଚେ ସେ ଫେରିଆସିବ । ଜିତୁ ପାଇଁ ଚିନ୍ତା ନାହିଁ । ସେ ଫନ୍ଦିଫିକର ଜାଣେ । ଆଲୋକଟା କିନ୍ତୁ ପିଲାପୁଅ । ଫନ୍ଦିଫିକର ତାକୁ ଜଣାନାହିଁ । ବଡ଼ ସରଳ ପ୍ରକୃତିର । ଯାହା ବୁଝିଥିବ ସେଇଆ । କେହି ତାକୁ ଟଳେଇ ପାରିବେନି ।

 

ଭାଗ୍ୟରେ ଯାହା ଲେଖାଥିବ ତାକୁ କେହି ଟାଳିପାରିବେନି । ଶଙ୍କର ଭୁବନେଶ୍ୱରରେ ରବିବାବୁଙ୍କଠୁ ସେଦିନ ଶୁଣିଆସିଥିଲା–ଚାକିରିଟା ପୁଣି ତା’ର ହୋଇଯାଉଛି । ଘରେ ବସି ରହି ରହି ସେ ଆଲୋକକୁ ଯେତେ ଅପେକ୍ଷାକରେ ସେତିକି ଅପେକ୍ଷାକରେ ଡାକବାଲାକୁ । କାଳେ ସେ ଚିଠିଟା ଆସିଯିବ । ଯିଏ ଯୁଆଡ଼େ ଯିବେ ଯାଆନ୍ତୁ । ଚିଠିଟା ପାଇଗଲେ ସେ ଶୀଘ୍ର ଯାଇ ଅଫିସ୍‌ରେ ଜଏନ୍‌ କରିବ । ଝିଅଟା ପାଇଁ କେବଳ ଚିନ୍ତା । ପୁଅମାନେ ଯିଏ ଯାହା କରିବେ କରୁଥାଆନ୍ତୁ । ନିଜକୁ ନିଜେ ଆଗ ପୋଷି ହୁଅନ୍ତୁ । ବାପ ମା’ଙ୍କୁ ଯାହା ସେମାନେ ସାହାଯ୍ୟ କରିବେ ସେକଥା ତ ଜଣାଅଛି । ଏମିତି ଅନେକ ଅନେକ କଥା । ଶଙ୍କର ଘରେ ବସିରହି ବାରଆଡ଼ୁ ବାରକଥା ଚିନ୍ତା କରୁଥିଲାବେଳେ ଗୀତା ବେଳେବେଳେ ଆଲୋକ କଥା କହି ଅସରେ ହେବ କାନ୍ଦି ପକାଏ ।

 

ଘର ଦୁଆର କିଳି ଖାଲି କାନ୍ଦିଲେ ତ ସମସ୍ୟାର ସମାଧାନ ହେବନାହିଁ । ତା’ପାଇଁ ଉଦ୍ୟମ ଦରକାର । ଜୀବନସାରା ଖାଲି ଗୋଟିକ ପରେ ଗୋଟିଏ ଉଦ୍ୟମ କରିବା ଓ ହା-ହୁତାଶରେ ଭାଙ୍ଗିପଡ଼ିବା କେବଳ ସାର ହୋଇଛି । ଭାଙ୍ଗିପଡ଼ିଲେ ଚଳିବନି । ବେକରେ ଚାରିପ୍ରାଣୀ କୁଟୁମ୍ବ ବନ୍ଧା । ପୁଅମାନେ ଯୁଆଡ଼େ ଯିବେ ଯାଆନ୍ତୁ । ଚାକିରି ପାଇଁ ଚିଠିକୁ ଅପେକ୍ଷା କରି କରି ଏଯାଏଁ ସେଟା ଆସିଲାନି । ଶଙ୍କର ଠିକ୍‌ କଲା ଘରେ ଖାଲିଟାରେ ବସି ନରହି ଏଣିକି ତା’ ଭାଗ୍ୟ ସଙ୍ଗେ ପୁଣି ସେ ଲଢ଼େଇ କରିବ । କଣ୍ଟ୍ରାକ୍‌ଟରୀ ଲାଇସେନସ୍ ଖଣ୍ଡକ ସେ ହାସଲ କରିପାରିଛି । କେତେ କେତେ ଅଫିସ୍‌ ବୁଲି ସେ କାମ ଖୋଜି ବୁଲିବ । କାମ ପାଇଁ ଟଙ୍କା ଦରକାର । ମୋଟା ପୁଞ୍ଜି ଦରକାର । କାମ ମିଳିଗଲେ ଟଙ୍କାର ଅଭାବ ରହିବନି ।

 

ଦିନେ ଖରାବେଳେ ସେ ବୁଲି ବାହାରିଛି-ଡାକବାଲା ଚିଠି ଖଣ୍ଡିକ ଦେଇଗଲା । ଅଫିସ୍‌ ଚିଠି ଖଣ୍ଡେ । ଶଙ୍କର ଖୁବ୍‌ ଆଗ୍ରହରେ ତାକୁ ଖୋଲିଦେଲା ବେଳକୁ ସେଇଟା ତା’ର ଚାକିରିର ଚିଠି ନୁହେଁ । ମନିର ଚିଠି । ତା’ ଠିକଣାରେ ଆସିଛି । ବି.ଇ.ଡି ଟ୍ରେନିଂ ପାଇଁ ସେ ବଛାଯାଇଛି । ଶୀଘ୍ର ଯାଇ କଟକରେ ଜଏନ୍‌ କରିବାକୁ ପଡ଼ିବ ।
 

 

ଶଙ୍କର ଆଶ୍ୱସ୍ତ ହେଲା । ପିଲାଟା ଖାଲିଟାରେ ଘରେ ବସିରହିବା ଅପେକ୍ଷା ଟ୍ରେନିଂରେ ଚାଲିଯିବା ବରଂ ଭଲ । ଗୀତା ବି ଖୁସି । ବଢ଼ିଲା ଝିଅଟାକୁ ପ୍ରତିଦିନ ଆଖିଆଗରେ ଆତଯାତ ହେବାର ଦେଖିବା ବଡ଼ କଷ୍ଟକର । ଟ୍ରେନିଂ ପାଇଁ ଏତେ ପିଲାଙ୍କ ଭିତରେ ତାକୁ ବଛାଯାଇ ପାରିଛି-। ସେ ସୁଯୋଗ ଛାଡ଼ିବାର ନୁହେଁ । ମନି ଚିଠିଟା ପାଇସାରି ତା’ର ବହିପତ୍ର ଶାଢ଼ି ବ୍ଳାଉଜ୍‌ ଇତ୍ୟାଦି ସଜେଇ ରଖିବାରେ ଲାଗିଗଲା । କିଛି ନହେଲେ ତ ଟ୍ରେନିଂ ପରେ ଚାକିରିଟେ ଥୁଆ । ଭାଇମାନେ କିଛି ନକରନ୍ତୁ । ଘରଟାକୁ ସେ ଚଳେଇଦେଇପାରିବ ।

 

ଗୀତାର ଇଛାଥିଲା–ଝିଅକୁ ସେ ଭଲ ଜାଗାଟିଏ ଦେଖି ବାହାଦେବ । ବଡ଼ ଜାକଜମକରେ ବାହାଘରଟା ହେବ । ନିଜ ସଖ୍ୟରେ ଯାହାଥିବ ସବୁ ଦିଆନିଆ କରି ମନିର ନାତି କି ନାତୁଣୀଟିଏ ଦେଖିଲେ ମା’ ମନ ତା’ର ପୂରିଉଠିବ । କିନ୍ତୁ ମନ ଯାହା ଖୋଜେ ସେ ସବୁ କ’ଣ ମିଳିଥାଏ ?

 

ମନିର ଟ୍ରେନିଂରେ ଜଏନ୍‌ କରିବାକୁ ଆଉ ସାତ ଆଠଦିନ ବାକି ଅଛି । ଶଙ୍କର ଠିକ୍‌ କଲା–ସେ ଗାଁ ଆଡ଼େ ଯାଇ ସେ ବୁଲିଆସିବ । ଜମିବାଡ଼ିରେ ଗଣ୍ଡଗୋଳ ଲାଗିଛି ବୋଲି ସେଦିନ ଲୋକ ଜଣେ ଗାଁରୁ ଡାକିଆସିଥିଲା ଇଆଭିତରେ ଦି’ ତିନିଖଣ୍ଡ ଚିଠି ଆସିଲାଣି । ଗାଁ କାମଟା ସରିଗଲେ ନିଜେ ଯାଇ ମନିକି କଟକରେ ଛାଡ଼ିଦେଇ ଆସିବା ପରେ ପରେ ସେ ଖୋଜି ବୁଲିବ କାମ ଭାଗ୍ୟରେ ଥିଲେ କାଲିକି କାଲି ସେ ବଡ଼ଲୋକ ହୋଇଯାଇପାରିବ । କେତେ କେତେ ଲୋକଙ୍କର ଭାଗ୍ୟରେ ଏମିତି ପରିବର୍ତ୍ତନ ଘଟିଛି । ଭାଗ୍ୟ ସାଙ୍ଗରେ ଖାଲି ଲଢ଼ିପାରିଲେ ହେଲା ।

 

ଲଢ଼ି ଲଢ଼ି ତ ବୟସ ସରିଆସିଲାଣି । ଗହଳିଆ ବାଳତକ ଖସି ଖସି କାନମୂଳକୁ ଦି କେରି ରହିଛି । ଅବଶେଷ ସେତକ ପୁଣି ଝୋଟ । ବାହାରେ ବଳନାହିଁ, ପାଦରେ ଫୁର୍ତ୍ତି ନାହିଁ; ମନରେ ସାହସ ନାହିଁ, ଚାହାଣିରେ ଆଗର ଆଉ ସେ ତୀକ୍ଷ୍ଣତା ନାହିଁ, ଆଖିରେ ସାରା ଆକାଶଟା ଯାକର ନିଳିମା ନାହିଁ, ମାଟିର ସବୁଜିମା ନାହିଁ, ପୂର୍ଣ୍ଣିମା ନାହିଁ ବି ମନ ଭିତରେ ଜହ୍ନ ଆଲୁଅର ସେ ଲହଡ଼ି ଆଉ ନାହିଁ, କିଛି ନାହିଁ । ତଥାପି ଶଙ୍କରକୁ ବଞ୍ଚିରହିବାକୁ ପଡ଼ିବ । ପଡ଼ିଉଠି ନିଜ ଭାଗ୍ୟସାଙ୍ଗେ ଲଢ଼େଇ କରିବାକୁ ପଡ଼ିବ ନିଜପାଇଁ ତ ନୁହେଁ ପିଲାମାନଙ୍କ ପାଇଁ ।

 

ପିଲାମାନଙ୍କ ପାଇଁ ଜୀବନସାରା ଖଟି ଖଟି କିଛି ତ ସେ କରିପାରିବନି ? ଝିଅଟା ତା’ ଭାଗ୍ୟନେଇ ଟ୍ରେନିଂରେ ଯାଉଛି । ତା’ର ବାହାହେବା ବୟସ ହେଲାଣି । ଜୀବନରେ ସେଇ ଗୋଟିକ କାମ ସେ କରିପାରିଲାନି । କରିପାରିବନି କି ନାହିଁ ସନ୍ଦେହ । ପୁଅ ଯୋଡ଼ାକ କୁଆଡ଼େ ଯାଇ ବୁଲିଲେ ସେମାନଙ୍କର ଦେଖାନାହିଁ । ଶଙ୍କର ଲୁଗାପଟା ପିନ୍ଧି ଦାଣ୍ଡକୁ ବାହାରିଛି-ଜଣାପଡ଼ିଲା ନହକା ପାତେଳା ଟୁକ୍‌ ଟୁକ୍‌ ଆଲୋକ ଅବା ତା’ ସାମ୍ନାରେ ଆସି ଠିଆହୋଇଛି ଜ୍ୱଳନ୍ତ ଅଗ୍ନିଶିଖା ଭଳି । ନିଜର ସ୍ୱଭାବ, ପ୍ରକୃତି ଓ ଆଖିରେ ସେ ଅଲଗା । ବହୁତ କିଛି କା’ଠୁ ସେ ଆଶା କରୁଥିଲା । କିନ୍ତୁ ସେ ଗଲା କୁଆଡ଼େ ? ଘରକୁ କାଇଁ ଆସୁନି ?

 

ଶଙ୍କର ବାରଆଡ଼ୁ ବାରକଥା ଭାବି ଭାବି ଠିକ୍‌ କଲା–ସେ ଯାହାକିଛି ହେଉ କାଲି ଭୋରରୁ ସେ ଗାଁକୁ ଯିବ । ଘରେ ବସିରହିଲେ ବାରଚିନ୍ତା ମନକୁ ଆସି ଗ୍ରାସ କରୁଛି । ବାହାରେ ଯାଇ ବୁଲିଆସିବ ! ସେତେବେଳକୁ ପାଞ୍ଚଟା ବାଜିସାରିଲାଣି ।

 

ମୁହଁ ପୋତି ପୋତି ସିଧା ସେ ଚାଲିଲା ସମୁଦ୍ରକୂଳ । ଶଙ୍କରର ମନେଅଛି-ମନ ଭିତରକୁ ଭାବନା ଉବୁକେଇ ଆସିଲେ, ସମୁଦ୍ରର ଲହଡ଼ି ଯାକ ରୁପା ତାରକସି କାମର ମୁକୁଟ ପିନ୍ଧି, ଗୋଟିକ ପରେ ଗୋଟିଏ ତାଳ ଦେଇ ଦେଇ ନାଚିଉଠନ୍ତି । ସେ ବହୁତଦିନ ତଳର କଥା । ଶଙ୍କର ସେ ସବୁ ଏବେ ଭୁଲିଗଲାଣି । ସମୁଦ୍ର ବାଲିରେ ବସିରହି ସେ ଘଣ୍ଟା ଘଣ୍ଟା ଚାହିଁ ରହେ-ଆକାଶର ଶେଷ ଆଡ଼ିକି, ଯୋଉଠି ସମୁଦ୍ରର ଗାଢ଼ ନୀଳରଙ୍ଗ ସାଙ୍ଗେ ଆକାଶର ସାଦା ନିଳିମା ଯାଇ ମେଳଖାଇଛି । ଆଗରେ ନୃତ୍ୟରତ ଲହଡ଼ି । ମନସାଙ୍ଗେ ତା’ର ତାଳ ଦେଇ ଦେଇ ନାଚିନାଚି ଖାଲି ଗଡ଼ିଯାଉଥାଏ ।

 

ଶଙ୍କର ଅନୁଭବ କଲା–ସମୁଦ୍ରଟା ଅବା ବିରାଟକାୟ ଗୋଟାଏ ନିଳକଣ୍ଠର ରାକ୍ଷସ । ଲହଡ଼ିଯାକ ଅବା ତା’ର ଧଳା ଗୋଜିଆ ଦାନ୍ତ ସବୁ । ପାଟି ମେଲା କରି ଓ ଭୀଷଣ ଗର୍ଜନ ତର୍ଜନ କରି ତା’ ଆଡ଼ିକି ମାଡ଼ିମାଡ଼ି ଆସୁଛି । ତା’ଉପରକୁ ଲମ୍ଫପ୍ରଦାନ କରିବ ଓ ସାରା ଶରୀରକୁ ମାଡ଼ିବସି ତାକୁ କାବୁ କରିନେବ ଓ ଗଳାଚିପି ତା’ର ରକ୍ତ ପିଇବ ସେଇ ବିରାଟ ଜାନୁଆର ।

 

ସମୁଦ୍ର ବାଲିରେ କେଇପାଦ ଚାଲିଛି ନାହିଁ କିଛି ଭଲ ଲାଗିଲାନି । କିଛି ସମୟ ବସିରହିବେ ବୋଲି ଭାବୁଥିଲା, ଇଚ୍ଛାହେଲାନି । ଉପରକୁ ଆସିଲା । ରାସ୍ତା ଧରିଲା । ଫେରନ୍ତା ରାସ୍ତା । ଅସିଲାବେଳେ ସେ ଘରେ କହିଆସିନି । ଗୀତା ବ୍ୟସ୍ତ ହେଉଥିବ । ଯେତେହେଲେ ତ ତା’ର ମନ ? ଆଲୋକ କଥା ଭାବି ଭାବି ତା’ର କଣ୍ଟା ଦୋହଲିଲାଣି ।

 

ରାସ୍ତାକରରେ ବିଜୁଳିବତି ସବୁ ଧାଡ଼ି ଲମ୍ବେଇ ଜଳିଉଠିଲା ବେଳକୁ ସମୁଦ୍ରକୂଳ ଆଡ଼ିକି ଲୋକଙ୍କର ଧାଡ଼ି ଲାଗିଥିଲା । ଶଙ୍କର ଲକ୍ଷ୍ୟକଲା–ସେଇ ବୋଧେ ଏକମାତ୍ର ଜଣେ, ଯିଏ କି ଫେରିବାକୁ ଆରମ୍ଭ କରିଛି । ରାସ୍ତାଉପରେ ଲମ୍ବିଯାଇଛି ରିକ୍‌ସାର ମାଳା ଓ ସେଇ ମାଳାକୁ ଛିଣ୍ଡେଇ ପଛଆଡ଼ୁ ଛୁଟି ଆସୁଥିଲା ଟାକ୍‌ସିଟିଏ । ଗୋଟିକ ପରେ ଗୋଟିଏ । ରହିରହି ପଛଆଡ଼ୁ ଓ ଆଗଆଡ଼ୁ ।

 

ଆଗରେ ତ ଏଇ ବଜାର । ରାସ୍ତା କରେ କରେ ଳମ୍ବିଯାଇଛି । ବିଜୁଳି ବିଜୁଳି ଏଇ ଆଲୁଅର ରୋଷଣୀ । କିଣାବିକା ଜମିଛି ଓ ଜମିଗଲାଣି ଲୋକଗହଳି । ସଞ୍ଜବେଳର ଲୋକ ସମାଗମଟା ଶଙ୍କରକୁ ଭାରି ଭଲଲାଗେ । ତା’ର କିଣାକିଣି ଥାଉ ନ ଥାଉ ଥରେ ଅଧେ ଦୋକାନ ଗହଳିରେ ଘେରଖାଇଗଲେ ସେ ଅନୁଭବ କରେ–ମନ ତା’ର କେମିତି ହାଲୁକା ହୋଇଯାଇଛି । ପିଲାପିଲିଙ୍କି ସାଙ୍ଗରେ ଧରି ଲୋକେ ସେଠି ଆସି ଗହଳି କରନ୍ତି । ବ୍ୟାଗ୍‍ଧରି ଚାଲିଥିବା ଗୃହସ୍ଥ ପୁରୁଷ ଲୋକର ସଉଦା କିଣିବାରେ ଲାଭକ୍ଷତିର ହିସାବପତ୍ର ସାଙ୍ଗକୁ ପିଛା ଧରିଥିବା ମହିଳାମାନେ କାନ୍ଧରୁ ଶାଢ଼ି ଖସେଇ, ବେଣୀ ଲମ୍ବେଇ ଓ ଚୁଟି ଘୋଷାରି ଚାଲିଥାଆନ୍ତି । ଛୁଆପିଲାଙ୍କ ହାତ ଧରି ଧରି ବେଳେବେଳେ ପଶିଆସନ୍ତି କଳିବନ୍ତ ପିଲାଏ । ଜିନିଷର ଦାମଟା କେବଳ ବୁଝିଦେଇ ସାଇକେଲ ଧରି ଫର୍‌କିନି କୁଆଡ଼େ ଉଡ଼ିଯାଆନ୍ତି । ଦଳ ଦଳ ଝିଅପିଲାମାନେ ଜମନ୍ତି ଆସି ଏଇ କନା ଦୋକାନରେ । ପରେ ପରେ ସେଇମାନେ ପୁଣି ଗୁଣୁଗୁଣୁ ହେଉଥାଆନ୍ତି ଆସି ରିବନ୍‌ କିଣିଲାବେଳେ ଓ ନଖପଚା କିଣି ଘରକୁ ଫେରିଲାବେଳେ, ରାସ୍ତାଯାକ ଫଗୁ ବୁଣି ବୁଣି ସେମାନେ ଚାଲିଥାଆନ୍ତି । ଶଙ୍କରର ବହୁତଦିନର ପରିଚିତ ଏଇ ବଜାରଟା ।

 

ଏତେ ଲୋକଗହଳି କେବେହେଲେ ତ ସେ ଦେଖିନି ? ପାଖକୁ ଆସିଯାଇ ଶଙ୍କର ଦେଖିଲା–ଦୋକାନରେ, ବାହାରେ ଓ ରାସ୍ତାଯାକ ଖାଲି ଲୋକଗହଳି । ଶହ ଶହ ହଜାର ଲୋକ । ଗାଡ଼ିଘୋଡ଼ା ବନ୍ଦ ହୋଇଯିବା ଉପରେ । ଯିଏ ଯୁଆଡ଼ୁ ଆସୁଛି ଘଟଣାଟା କ’ଣ ବୋଲି ସେଠି ଠିଆହୋଇ ରହୁଛି । ଦୋକାନ ଆଗକୁ ପୁଲିସ ଭ୍ୟାନ୍‌ । ଲୋକେ ଛୁଆକୁ ଦେବାକୁ ଅମୁଲ୍‌ ଡବାଟିଏ ପାଉନାହାନ୍ତି, ବଜାରରୁ ଡାଲଦା କୁଆଡ଼େ ଅନ୍ତର୍ଦ୍ଧାନ ହେଲାଣି, ଚିନି ତ ଏବେ ସାତ ସପନ । ହାତଗୁଞ୍ଜା ଦେଲେ ବହୁତ କଷ୍ଟରେ ଯାଇ ଜିନିଷ ମିଳୁଛି । ଦୋକାନୀ ବନମାଳି ପାତ୍ରର ଗୋଦାମରେ କିନ୍ତୁ ମାଲ ଭରି ରହିଛି । କୁଆଡ଼ୁ ଆଣି ସେ ଜମେଇଛି କେଜାଣି ? ମାଗଣା ଦରରେ ବିକ୍ରି କରିବ । ଲୋକଗହଳି ଭିତରୁ ଜଣେ କିଏ ଏ ମାଲ୍‍ସବୁ ଆଗ ଦେଖିଦେଲା । କଥାଟା ଜଣକ ତୁଣ୍ଡରୁ ଡେଇଁ ଡେଇଁ ଏଡ଼େ ଆକାର ଧାରଣ କରିଛି । ପୁଲିସ୍‌ ଆସି ଦୋକାନଟାକୁ ସିଜ୍‌ କରିଛି । ବନମାଳି ପାତ୍ର ବସିଛି ଯାଇ ପୁଲିସ୍‌ ଭ୍ୟାନ୍‌ରେ ।

 

ଶଙ୍କର ଘଟଣାଟା ଦେଖିଦେଇ ଖୁସି ହୋଇଗଲା । ଲୋକଙ୍କୁ ଠକା ଠକି କରି, ହଇରାଣ ହରକତ କରି କୋଠା କରୁଥିଲା । ଠିକ୍‌ ହୋଇଛି । ଏଇଗୁଡ଼ାଙ୍କୁ ଉଚିତ ଶାସ୍ତି ଦରକାର । ଖାଲି ଶାସ୍ତି ଏମାନଙ୍କ ପାଇଁ ଯଥେଷ୍ଟ ନୁହେଁ-ଗିରଫଦାରୀ ଆଉ ମାଡ଼ । ବତିଖୁଣ୍ଟିରେ ବାନ୍ଧିଦେଇ ସିଧା ଗୁଳି କରିଦେଲେ ଲୋକେ ଆଶ୍ୱସ୍ତ ହେବେ ।

 

ବନମାଳି ପାତ୍ରକୁ ଧରି ପୁଲିସ ଭ୍ୟାନ୍ ଅଦୃଶ୍ୟ ହେଲାବେଳେ ଜମିରହିଥିବା ଲୋକମାନେ ନିଜ ନିଜର ରାସ୍ତା ଧରିଲେ । ଗୋଟିକ ପରେ ଗୋଟିଏ ଦୋକାନ ସବୁ ବନ୍ଦ ହୋଇଗଲା । ଶଙ୍କର ଧୀରେ ଧୀରେ ପାହୁଲ ପକେଇ ଘରଆଡ଼େ ଫେରୁଥିଲା । ସେଇ ଲାଭଖୋର ବନମାଳି ପାତ୍ର କଥା ଭାବି ଭାବି ।

 

ରାସ୍ତାଯାକ ଭରପୂର ଲୋକ । ଶଙ୍କର ଲକ୍ଷ୍ୟକଲା–ଦୋକାନ ବଜାରରେ ଅବା ଜୀବନ ନାହିଁ । ବନମାଳି ପାତ୍ର ଘଟଣାଟା ମୁହୂର୍ତ୍ତକ ଭିତରେ ଚାରିଆଡ଼େ ହାଲା ହୋଇଗଲାଣି । କେତେବେଳେ କାହାଉପରେ ଆସି ଗଡ଼ିକି ପଡ଼ିଯିବ । ଚାରିଆଡ଼େ ଭୟ । କଥାହେବାକୁ, ଶୁଣିବାକୁ, ସିଧାସଳଖ ଚାଲିବାକୁ ବଞ୍ଚିରହିବାର ଭୟ । ମଣିଷ, ମଣିଷକୁ ଏମିତି ଭୟ କରିବା କେବେ ଦେଖାନଥିଲା ।

 

ଶଙ୍କରର ଜଣେ ସାଙ୍ଗ-ବହୁତ ଦିନ ଆଗର । ନାଁଟା ତାଙ୍କର ମନେନାହିଁ । କେବଳ ମୁହଁ ଚିହ୍ନାଚିହ୍ନି । ଭଦ୍ରଲୋକ ଜଣଙ୍କ କଥା ହେଉଥିଲେ ସେଇ ବନମାଳି ପାତ୍ର ବିଷୟରେ–

 

-ଲୋକଟା ଦକ୍ଷିଣ ଆଡ଼ର । ଆଗେ ସେ ପାମ୍ପଡ଼ ବିକ୍ରି କରୁଥିଲା । ଘରେ ତା’ର ଅନବରତ ଚାଲିଥାଏ କାଗଜ ଠୁଙ୍ଗା ତିଆରି, ଗୋଟା ହଳଦିକି ଗୁଣ୍ଡ କରିବା, ଖଲି ସିଇଁ ଓ ତେନ୍ତୁଳି ଖଟା ଓ ଲେମ୍ବୁଖଟା କରି ସେ ଚଳୁଥିଲା । ଭଙ୍ଗାଦଦରା ଚାଳଘର ଖଣ୍ଡେ ଭଡ଼ାଦେଇ ଯତ୍ରେକତ୍ରେ ସେମାନେ ଚଳିଯାଉଥିଲେ । ଘରେ ତା’ର ଆଠପ୍ରାଣୀ କୁଟୁମ୍ବ । ପିଲାଠୁ ବୁଢ଼ାବୁଢ଼ୀ ଯାଏଁ କିଛି ନା କିଛି କାମରେ ଦିନରାତି ସେମାନେ ଲାଗିଥିବେ । ପୁରୀକି ଆସିବା ତା’ର ଦଶବର୍ଷ ହେବ । ଏଇ ଦି’ ତିନିବର୍ଷ ହେଲା, ବଜାରରେ ଯେତେବେଳେ ଚିନି ମିଳିଲାନି । ଗୋଡ଼ିମିଶା ଚାଉଳ ହେଲା ଅମୁଲ ମୁଲ, ଡାଲି, ମସଲା ଦର ଘଣ୍ଟାକୁ ଘଣ୍ଟା ଖାଲି ବଢ଼ିଚାଲିଲା ଓ ତେଲ ଘିଅ ଆଦି ଗୋଦାମରେ ଜମି ଜମି ବାହାରକୁ ବାହାରିଲାନି, ସେତିକିବେଳେ ବନମାଳି ପାତ୍ର ତେଜରାତି ଦୋକାନଟିଏ ଦେଇଥିଲା-। ବର୍ଷ ଦି’ ତିନିଟା ଯାଇଛି କି ନାହିଁ ଦିନକୁ ଦିନ ତା’ ଦୋକାନର ଚେହେରା ଖାଲି ବଦଳିବାରେ ଲାଗିଲା । ଏବେ ତା’ର ଦୋତାଲା କୋଠା । ଏମିତି କିଛି ଜିନିଷ ନାହିଁ ଯାହାକି ବନମାଳି ପାତ୍ର ଦୋକାନରେ ମିଳିବନି । ଖାଉଟିମାନଙ୍କୁ ଚଢ଼ା ଦରରେ ବିକି, ଜିନିଷର ଓଜନ କମେଇ ଓ ବସ୍ତାଟିଣ ଯାକ ଗୋଦାମରେ ଜମେଇ ଜମେଇ ଠିକଣା ବେଳରେ ବଜାରକୁ ଛାଡ଼ି, ଅଳ୍ପ କେଇଟା ବର୍ଷ ଭିତରେ ଏତେ ଟଙ୍କା ପଇସା ସେ କମେଇ ଦେଇପାରିଲା ? ବଡ଼ ଆଶ୍ଚର୍ଯ୍ୟ । ଯାହା ହୋଇଛି ଠିକ୍‌ ହୋଇଛି । ଆଉ ଅନେକ ଏମିତି ଅଛନ୍ତି । ଶହ ଶହ ହଜାର ହଜାର ସଂଖ୍ୟାରେ ବଜାରରେ ଟେରା ବାନ୍ଧିଛନ୍ତି । ଲୋକଙ୍କ ରକ୍ତ ପିଇବେ ବୋଲି ।

 

କଥା ଶୁଣିବାକୁ ଶଙ୍କରର ମନ ନଥିଲା । ବେଳ ବି ନଥିଲା । ସମୟଟା ବର୍ତ୍ତମାନ ଭଲନୁହେଁ, ଚାରିପଦ ଶୁଣିଲେ ପଦେହେଲେ କହିବାକୁ ପଡ଼ିବ । ପାଟିରୁ କଥା ପଦିଏ ବାହାରିଗଲେ ସେ ଆଉ ଫେରିଆସିବନି । ବାର ଲୋକ ତାକୁ ବାରପ୍ରକାର ଅର୍ଥ କରିବେ ।

Unknown

 

ମନ୍ଦିର ସାମ୍ନା ସିଂହଦ୍ୱାର ଆଗରେ ସେତେବେଳେ ଅପେକ୍ଷା କରି ଠିଆ ରହିଥିଲେ ମାଳ ମାଳ କାର୍ ଓ ଜିପ୍‌ ଆଦି । ରାସ୍ତା ଆରପଟକୁ ରିକ୍‌ସା ଷ୍ଟାଣ୍ଡ ରାସ୍ତାକୁ ଲାଗି ଲାଗି ଶୋଇ ରହିଥାଆନ୍ତି କେତେଆଡ଼ର ମାଗିଖିଆ ଭିକାରିଙ୍କର ଦଳ । ଦିନସାରା ଘୂରି ଘୂରି ସଞ୍ଜହେଲେ ସିଂହଦ୍ୱାର ସାମ୍ନା ବଡ଼ଦାଣ୍ଡରେ ସେମାନେ ବିଶ୍ରାମ ନିଅନ୍ତି । ଶଙ୍କରର ମନେପଡ଼ିଗଲା-ଦଳ ଦଳ ପଞ୍ଝା ପଞ୍ଝା କୁଷ୍ଠରୋଗୀମାନେ ପଇସା ମାଗି ମାଗି ଯୋଉମାନେ ଯାତ୍ରୀଙ୍କ ପଛେ ପଛେ ଦାନ୍ତନିକୁଟି ଗୋଡ଼େଇଥାଆନ୍ତି, କାର୍, ଜିପ୍‌ ଯାଏଁ ରିକ୍‌ସା ଯାଏଁ ବା ଚାଲି ଚାଲି, ଦୌଡ଼ି ଦୌଡ଼ି ଅଧାବାଟ ଯାଏଁ । ଜଣେ ଜଣେ ବସିଥାଆନ୍ତି ଛୋଟ ଛୋଟ ଦି’ଚକିଆ କାଠଗାଡ଼ିରେ କୁତ୍ସିତ, କଦାକାର ରୂପ । ଆଉଜଣେ କୁଷ୍ଠରୋଗୀ ଗାଡ଼ିଟାକୁ ଠେଲି ଠେଲି ନେଇଯାଏ କାର୍‍ ଟାକ୍‌ସି ଯାଏଁ-। ଦି’ ଚକିଆ ଗାଡ଼ିମାନଙ୍କର ଯା’ଆସ ସିଂହଦ୍ୱାର ମୁହଁରେ ଖାଲି ଏମିତି ଚାଲିଥାଏ । ବଡ଼ ବିରକ୍ତକର, ଲାଜରେ ମୁଣ୍ଡ ନଇଁଯାଏ । ମନ୍ଦିର ଭିତରକୁ ପଶିଗଲାବେଳେ ଓ ବାହାରିଲାବେଳେ ଏଇ ବିଭତ୍ସ ଦୃଶ୍ୟ । ସଞ୍ଜହେଲେ ସେମାନଙ୍କର ଆଉ ଦେଖାମିଳେନି । କେଇଜଣ ସେଇ ବଡ଼ଦାଣ୍ଡରେ ଅନ୍ୟମାନଙ୍କ ମେଳରେ ଶୋଇଯାଆନ୍ତି । ସକାଳ ପାଇଲେ ପୁଣି ସେଇମାନଙ୍କ ଯାତ୍ରା-। ଯୁଆଡ଼େ ଚାହିଁବ ଖାଲି ସେଇ ମାଗିଖିଆ ଭିକାରି । ବାରବୁଲା ଗୋରୁଗାଈ, ମଇଳା ଆବର୍ଜନା, ଏଣେତେଣେ ଅନିଶ୍ଚିତ ଭାବରେ ଘୂରୁଥିବା ହିନିମାନିଆ ଲୋକଗୁଡ଼ା ଓ କୁଷ୍ଠରୋଗୀଙ୍କର ଶୋଭାଯାତ୍ରା । ଦଉଡ଼ି ଧାପଡ଼ି ଓ ମାଗିମାଗି ଦାନ୍ତନିକୁଟି ।

 

ଶଙ୍କର ଦେଖିଲା–ସେଇମାନଙ୍କ ପାଖେ ଚାଲିଛି ପୁଣି ଖଞ୍ଜଣି ମାଡ଼ । କେତେଜଣ ଚିତା ତିଳକ କାଟି, ମୁଣ୍ଡ ହଲେଇ, ବେକରେ ମାଳା ଲମ୍ବେଇ ହରିନାମ କିର୍ତ୍ତନରେ ମାତି ଯାଇଛନ୍ତି । କେତେଜଣ ସେମାନଙ୍କୁ ଘେରି ଠିଆ ରହିଛନ୍ତି । ମଝିରେ ମଝିରେ ଚିଲମ ବି ବୁଲିଯାଉଛି । ଭସ୍‌ ଭସ୍‌ ଧୂଆଁ ବାହାର କରିସାରିଲା ପରେ ଖଞ୍ଜଣି ମାଡ଼ଟା ଚାଲୁଛି ପୂରା ଦମରେ । ଭଗବାନଙ୍କୁ ଡାକି ଡାକି ସେମାନଙ୍କର ତୋଟି ପଡ଼ିଲାଣି । ଶଙ୍କର ଦେଖିଲା–ସେମାନଙ୍କ ଭିତରେ ଚକା ପକେଇ ବସି ରହିଛନ୍ତି ହିପ୍‌ପୀ ହଳେ । ଯୁବକ ଯୁବତି, ସ୍ତ୍ରୀଲୋକ ଜଣଙ୍କ ଶାଢ଼ି ପିନ୍ଧିଛି । ପୁରୁଷ ଜଣଙ୍କର ଧୋତୀ ପଞ୍ଜାବୀ । ମୁଣ୍ଡରେ ଚୁଟି, ଲଣ୍ଡିତ ମୁଣ୍ଡ । ହାତରେ ସେମାନଙ୍କର ଗିନି । ଅନ୍ୟମାନଙ୍କ ସାଙ୍ଗେ ମୁଣ୍ଡ ହଲେଇ ସେମାନେ ବି ହରିନାମ ସଂକୀର୍ତ୍ତନରେ ମାତିଛନ୍ତି ଚିଲମ ଟାଣି ଟାଣି । କୋଉ ଦେଶରୁ ସେମାନେ ଆସିଛନ୍ତି କେଜାଣି ? ଶଙ୍କର ଭାବୁଥିଲା–ବୋଧେ ସେମାନେ ଆମେରିକାନ୍‌ ହେବେ । ଆଗେ ଏମାନେ ଏତେ ସଂଖ୍ୟାରେ ଆସୁନଥିଲେ । ଏବେ ଯୁଆଡ଼େ ଦେଖିବ ଖାଲି ପଣ ପଣ । ହଳ ହଳ ସ୍ତ୍ରୀ ପୁରୁଷ ହୀପ୍‌ପି । କିଏ ସ୍ତ୍ରୀ କିଏ ପୁରୁଷ ପାଖକୁ ଯାଇ ନିରେଖି ନ ଦେଖିଲେ ଜାଣିହେବନି ।

 

ମନ୍ଦିର ଆଗରେ ଜଗନ୍ନାଥଙ୍କ ବଛା ବଛା ଭଜନ ଓ ଜଣାଣ ଆଦି ଲାଉଡ଼ସ୍ପିକରଟାଏ ଗୁରୁଗମ୍ଭୀର ସ୍ୱରରେ ଗାଇ ଚାଲିଥିଲା । ଶଙ୍କର ସେଇ ରାସ୍ତାଦେଇ ଚାଲିଥିଲା ଘରଆଡ଼େ । କୁଆଡ଼େ ତା’ର ରହିବାକୁ ଇଚ୍ଛାନାହିଁ, ବାହାରେ ବୁଲିବାକୁ ବି ସମୟ ନାହିଁ । ଅନ୍ୟ କିଛି ଚିନ୍ତା ମନରେ ତା’ର ପଶିପାରୁନି । ନିଜ ଭାବନାରେ ନିଜେ ସେ ବ୍ୟସ୍ତ । ବାହାରେ କେତେ କେତେ ଘଟଣା । ଘଟଣା ଚକ୍ରରେ ପଡ଼ି କୋଉଠି ଆସି ସେ ହେଲାଣି ? ଶଙ୍କର ମୁଣ୍ଡ ପୋତି ପୋତି ଚାଲିଥାଏ ।

 

ମନ୍ଦିର ପାଚିରିକି ଲାଗିଥିବା ଛୋଟବଡ଼ ଦୋକାନ ସବୁ । ତା’ର ରୂପସମ୍ଭାର ଧରି ଦିନେ ହସିଉଠୁଥିଲା ରାସ୍ତାର ଧାରେ ଧାରେ । ପାଚିରି କରରେ ଦୋକାନର ଅସ୍ଥି କଙ୍କାଳ ଯାକ ଏବେ ଜମା ରହିଛି-ଭଙ୍ଗାଇଟା, ଚୁନ ସୁରୁକି ଓ କାଠ ବାଉଁଶର ଗଦାସବୁ । ଏଯାଏଁ ବି ସେଗୁଡ଼ା ସେମିତି ଜମି ରହିଛି । ଶଙ୍କର ଶୁଣିବାକୁ ପାଇଥିଲା–ମନ୍ଦିର ଚାରିପାଖେ ଦୋକାନଯାକ କେବଳ ନୁହେଁ-ରାସ୍ତା ସବୁ ଯୋଉଠି ଅଣଓସାରିଆ ଅଛି, ଯୋଉମାନେ ରାସ୍ତାଉପରକୁ ମାଡ଼ିଆସି ଦୋକାନ କରିଛନ୍ତି, ଘର ତୋଳିଛନ୍ତି ସେ ସବୁକୁ ଭାଙ୍ଗି ଦିଆଯିବ । ସେ ଦି’ତାଲା ତିନିତାଲା ହେଉ, ଚାଳଘର ହେଉ । ଗରିବ ଲୋକର ଘର ହେଉକି ବଡ଼ଲୋକର ଘର ହେଉ କିଛି ବାଛବିଚାର ନାହିଁ । ରାସ୍ତା ଚଉଡ଼ା କରାଯିବ ଯାନବାହାନର ସୁବିଧା ପାଇଁ, ଲୋକ ସମାଗମ ପାଇଁ, ସହରକୁ ସୁନ୍ଦର କରିବାପାଇଁ, ଦେଶର ପୁନର୍ଗଠନ ପାଇଁ ।

 

ସେଇ ଭଙ୍ଗାରୁଜା ଦୋକାନସବୁ ଦେଖି ଶଙ୍କରର ମନ ଭିତରଟା କେମିତି କାନ୍ଦିଉଠୁଥିଲା । ଯୋଉଠିକି ସଞ୍ଜହେଲେ ତା’ର କିଣାବିକା ଥାଉ ନ ଥାଉ ଥରେ ଚାଲବୁଲ କରିଗଲେ ମନଟା ପୁରିଉଠେ ଓ ଆଲୋକ ସମ୍ଭାରରେ ଯୋଉ ସ୍ଥାନଟି ଦିନେ ହସିଉଠୁଥିଲା ସେଠି ଏବେ କୁଢ଼ କୁଢ଼ ମାଟିଗଦା । ଭୂମିକମ୍ପ ପରେ ଧ୍ୱସ୍ତବିଧ୍ୱସ୍ତ ସହରଭଳି । ଶଙ୍କର ଚାଲିଥିଲା ଘରଆଡ଼େ ।

 

ରାସ୍ତାରେ ଗାଁର ଜଣେ ଲୋକସାଙ୍ଗେ ଦେଖାହେଲା । ଲୋକଟା ନାଁ ଗୋପାଳ ଚମ୍ପତ୍ତିରାୟ । ମାଟ୍ରିକ ଯାଏଁ ପଢ଼ିଥିଲା । କଲେଜ ମାଡ଼ୁ ମାଡ଼ୁ ପଢ଼ା ଛାଡ଼ି ସେ ଖଦଡ଼ି ପିନ୍ଧିଲା । କେତେଥର ସରପଞ୍ଚ ହେଲାଣି । ବ୍ଳକ୍‌ ଚେୟାରମ୍ୟାନ ହେବାପାଇଁ ବହୁତ ପଇସାପତ୍ର ଖର୍ଚ୍ଚ କରିଥିଲା । ସେ ବାବୁ ଜିପ୍‌ ମଟର ଆଣି, ତାଠୁ ବେଶି ପଇସା ଖର୍ଚ୍ଚ କରି ଗୋପାଳକୁ ହରେଇଦେଲେ । ସେ ରାଗ ତା’ର ଏଯାଏଁ ଯାଇନି । ନାନା ଉପାୟ ରଚନା କରି ଲୋକମାନେ ଏବେ ଗୋପାଳ ଚମ୍ପତ୍ତିରାୟ ହାତରେ । ଏଥରର ସେ ଯେମିତି ହେଲେ ଚେୟାରମ୍ୟାନ ପରେ ଏମ୍‌. ଏଲ୍‌.ଏ, ସେଥିରୁ ପୁଣି ମନ୍ତ୍ରୀ । ଗାଁ ଅଞ୍ଚଳର ସେ ଏବେ ମାନ୍ୟଗଣ୍ୟ ଲୋକ । ମଫସଲ ଅପେକ୍ଷା ସହରରେ ତା’ର ଖାତିର ବେଶି । ଗାଁ ଲୋକେ ଯେଉଁମାନେ ସହରରେ ଆସି ଗୋପାଳ ଚମ୍ପତ୍ତିରାୟର କରାମତି ଦେଖିଯାଆନ୍ତି । ସେଇମାନେ ଗାଁରେ ଯାଇ ଶତଗୁଣରେ ପ୍ରଶଂସା କରନ୍ତି । ଏମିତି କୌଣସି ଅଫିସ୍‌ ଦପ୍ତର ନାହିଁ ଯୋଉଠି ତା’ର ପ୍ରବେଶ ନାହିଁ । ଯୋଉଠିକି ଯିବାକୁ ଲୋକମାନେ ଭୟ କରିବେ, ଗୋପାଳ ଚମ୍ପତ୍ତିରାୟ ଅଫିସରଙ୍କ ଟେବୁଲରେ ହାତବାଡ଼େଇ, ପାଟିତୁଣ୍ଡ କରି କାମତକ ଆଦାୟ କରିନିଏ । ଜମିବାଡ଼ି ଗଣ୍ଡଗୋଳ, ବନ୍ଧ ମରାମତି, ଗାଁକୁ ରାସ୍ତା ତିଆରି, ସ୍କୁଲ ଘର ପାଇଁ ଗ୍ରାଣ୍ଡ, ତଗାବୀ ଟଙ୍କା, ବ୍ୟାଙ୍କ ଋଣ, ପୋଖରୀ ଉଛୁଳା, ଗାଁକୁ ଇଲେକ୍‌ଟ୍ରି ଆଣିବା, ଟିଉବଓ୍ୱେଲ୍‌ ବସେଇବା ଆଦି ସବୁ କାମରେ ତା’ର ଅଛି । ଶୁଣାଅଛି-କେତେଜଣ ହାକିମଙ୍କୁ ସେ ବଦଳି କରିଦେଇପାରିଛି । କାରଣ ତା’ କଥା ସେମାନେ ଶୁଣିଲେନି କି ତା’ କହିବା ମୁତାବକ କାମ କଲେନି । ସହରର ଏଇ କରାମତିଟା ଗାଁଗଣ୍ଡାରେ ଯାଇ ପ୍ରବେଶ କରିଛି ଓ ଏଥରକ ଚେୟାରମ୍ୟାନ ହେବାଟା ତା’ର ନିଶ୍ଚିତ କଥା ।

 

ଡେଙ୍ଗା ଡାହାଳିଆ ଲୋକଟିଏ ଗୋପାଳ ଚମ୍ପତ୍ତିରାୟ । ବୟସ ଚାଳିଶ ଡେଇଁଗଲାଣି । ଚାଲିଲାବେଳେ ଜଣାପଡ଼େ ସେ ପେଙ୍ଗେଇ ଚାଲିଛି । କିନ୍ତୁ ତା’ ଚାଲି ସେମିତି ଗୋଟେ କରକୁ ଢଳି ଢଳି । ଦି’ ତିନିଜଣ ଲୋକଙ୍କ ମେଳରେ ରାସ୍ତା ଉପରେ ଶଙ୍କର ତାକୁ ଅନେକଥର ଦେଖିଛି । ସେଦିନ କିନ୍ତୁ ସେ ଥିଲା ଏକାକୀ । କଳାରଙ୍ଗର ହାଣ୍ଡ୍‌ବ୍ୟାଗ୍‌ଟିଏ ଝୁଲେଇ ଝୁଲେଇ ହଠାତ୍‌ ତା’ ଆଗରେ ଠିଆ ହୋଇପଡ଼ିଲା । ଶଙ୍କରର ତା’ ଆଡ଼ିକି ନଜର ନଥିଲା । ମୁଣ୍ଡ ପୋତି ପୋତି ଘରଆଡ଼େ ସେ ଫେରୁଥିଲା । ତା’ର ଚଳନ୍ତା ଶରୀରଟିକି ମନ ଭିତରେ ଗୁଞ୍ଜିରଖି ।

 

ଆପଣଙ୍କ ନାଁ ଶଙ୍କର ବାବୁ ନାଁ ? ଗୋପାଳ ଚମ୍ପତ୍ତିରାୟ ପଚାରିଲା ।

 

କିଏ ଜଣେ ତା’ ନାଁ ଧରି ଆଗରେ ଠିଆହୋଇଥିବାର ଦେଖି-ଶଙ୍କର ଦୋଦୋଚିହ୍ନା ହେଲା । ହଠାତ୍‌ ମନେପଡ଼ିଗଲା । ସେ ତାଙ୍କ ଗାଁପାଖର ଲୋକ । କେତେବର୍ଷ ତଳେ ଗାଁକୁ ଯିବାବେଳେ ଥରେ ଦେଖାହୋଇଥିଲା ।

 

ପଚାରିଲା–ଆଉସବୁ କ’ଣ ଭଲ ?

 

ଶଙ୍କର ନିରୁତ୍ତର ରହିଲା ।

 

ଆପଣଙ୍କ କଥା ଶ୍ୟାମପତି କହୁଥିଲେ ।

 

ତାଙ୍କୁ ଏ ପୁଣି କେମିତି ଜାଣିଲା ? ଶଙ୍କର ଆଶ୍ଚର୍ଯ୍ୟ ହୋଇ ପଚାରିଲା ଆପଣ ତାଙ୍କୁ କେମିତି ଜାଣିଲେ ?

 

କଟକ ପାର୍ଟି ଅଫିସ୍‌ରେ । ଆପଣ ଚାକିରି ଅର୍ଡରଟା ପ୍ରାୟ ହୋଇଯାଇଥିଲା । କେବଳ ଶାମ ପତି ଯୋଗୁ–

 

ତା’ମାନେ ଶଙ୍କର ପଚାରିଲା–

 

ଗୋପାଳ ଚମ୍ପତ୍ତିରାୟ କହିଲା–ଆପଣଙ୍କ ସାଙ୍ଗେ କିଶୋର ବାବୁଙ୍କର କ’ଣ ସଂପର୍କ ଥିଲା କି ?

 

ହଁ, କ’ଣ ହେଲା ? ସେ ତ ମୋ ପଢ଼ାବେଳର ସାଙ୍ଗ । ଶଙ୍କର କହିଲା ।

 

ଆଚ୍ଛା । ପରେ ଆଉ କେବେ ଦେଖାହେଲେ କହିବି । କଥାଟାକୁ ଆଡ଼େଇଦେବାକୁ ସେ ଚେଷ୍ଟା କରୁଥିଲା । ଚାଲି ଯାଉ ଯାଉ ପୁଣି ସେ କହିଲା–ଆପଣଙ୍କ ପୁଅ ଆଲୋକ ଗାଁ ଆଖପାଖରେ ବଡ଼ ଗଣ୍ଡଗୋଳ କରୁଛି । ଗାଁ ଲୋକଙ୍କୁ ମତେଇ ବିଲରୁ ଧାନ କାଟିନେବା, ଭାଗଚାଷୀମାନଙ୍କୁ ଏକାଠି କରିବା-କେତେ କେତେ ଚୋରି ଡକାଏତିରେ ବି ସେ ଅଛି ବୋଲି ମୁଁ ଖବର ପାଇଛି । ଆପଣ ତାକୁ ଜବତ କରନ୍ତୁ । ପିଲାଟା ଭଲ । ହେଲେ ସାଙ୍ଗ ଦୋଷରେ...

 

ଆପଣ ତାକୁ ଦେଖିଲେ କୋଉଠି ? ଶଙ୍କର ପଚାରିଲା ।

 

ମୁଁ ଦେଖିନି । ଗାଁଆଡ଼େ ଥରେ ଯାଇଥିଲା ବୋଲି ଲୋକେ କହୁଥିଲେ । କେତେଜଣ ତାଙ୍କୁ ଚିହ୍ନିଛନ୍ତି ।

 

ସେ ଏଇନେ କୋଉଠି ?

 

କହିପାରିବିନି । ସେମାନେ କ’ଣ ଠାଏ ରହୁଛନ୍ତି ? ଗାଁକୁ ଗାଁ ଘୂରି ବୁଲୁଛନ୍ତି । ଲୁଚାଛପାରେ । ବହୁତ କାମ ଅଛି ବୋଲି ଗୋପାଳ ଚମ୍ପତ୍ତିରାୟ ଚାଲିବାକୁ ଉଦ୍ୟତ ହେଲାବେଳେ–

 

ଶଙ୍କର କେତେ କ’ଣ ପଚାରି ଆସୁଥିଲା ।

 

ଦେଖାହେଲେ ଆଉକେବେ କଥାହେବା କହି ବ୍ୟାଗ୍‌ ଖଣ୍ଡିକ ଝୁଲେଇ ଝୁଲେଇ ଲୋକ ଗହଳି ଭିତରେ ସେ ପଶିଗଲା ।

 

ଏ ଲୋକଟା ତା’ହେଲେ ସବୁ ଖବର ରଖିଛି ? ବଡ଼ ଆଶ୍ଚର୍ଯ୍ୟ ତା’ ସାଙ୍ଗେ ଆଉ କେତେ ସମୟ କଥା ହୋଇଥିଲେ ଅନେକ ବିଷୟ ସେ ଜାଣିପାରିଥାଆନ୍ତା । ଶଙ୍କରର ଇଚ୍ଛା ହେଉଥିଲା–ଲୋକଟାର ପଛେ ପଛେ ଯିବାକୁ । ଦେଖିଲା–ଅଧ ବାଟରେ ଆଉ କାହା ସାଙ୍ଗରେ ସେ କଥା ହେଉଛି । ଶଙ୍କର ତା’ ପାଖକୁ ଚାଲି ଗଲାବେଳକୁ ସେ ଆଗକୁ ଚାଲିବାକୁ ଆରମ୍ଭ କରିଦେଇଥିଲା । ବ୍ୟାଗ୍‌ଟାକୁ କାଖରେ ଜାକି ଓ ଗୋଟେ କରକୁ ଢଳି ଢଳି ଚାଲି ପେଙ୍ଗେଇ ପେଙ୍ଗେଇ ଲୋକ ଗହଳି ଭିତରେ ସେ କୁଆଡ଼େ ମିଶିଗଲା ।

 

ଆଲୋକର ଢଙ୍ଗଢାଙ୍ଗ ସେ ଅନେକଥର ଲକ୍ଷ୍ୟ କରିଛି । କେତେକଙ୍କଠୁ ଶୁଣିଥିଲା । ଆଲୋକ ଅନର୍ଗଳ ବକ୍ତୃତା ଦେଇପାରେ । କଲେଜରେ, ବାହାରେ ଓ ସଭା ସମିତି ମାନଙ୍କରେ । ସବୁବେଳେ ସେଇ ଚାଷି ମୂଲିଆଙ୍କର କଥା, ସର୍ବହରା ଲୋକଙ୍କର କଥା, ସମାଜର ଥିଲା ଓ ନଥିଲା ଲୋକଙ୍କର କଥା, ଶ୍ରେଣୀ ସଂଘର୍ଷ, ସର୍ବହରା, ବୁଜୁଆ ଏମିତି ଅନେକ ଅନେକ କଥା । ସେ କହେ ଏତେ ଅଳ୍ପ ବୟସରେ କୁଆଡ଼ୁ ଏସବୁ ଶିଖିଲା ସେ କେଜାଣି ? ତା’ର ଏଇନେ ପଢ଼ାପଢ଼ି କରିବା ସମୟ । ଭଲ ପାଠ ପଢ଼ୁଥିଲା । ଗଲା ସେ ଖରାପ ହୋଇଗଲା–କେବଳ ସାଙ୍ଗ ଦୋଷରୁ ।

 

ସେ ଯାହାହେଉ ଗୀତା ଖବରଟା ପାଇ ଖୁବ୍‌ ଖୁସି ହୋଇଯିବ । କୁଆଡ଼େ ସେ ଯାଇଥିଲା କିଛି ଖୋଜଖବର ନ ଥିଲା । ଗାଁ ଗଣ୍ଡାରେ ବୁଲିବାକୁ ସମୟ ମିଳୁଛି, ଘରକଥା ତା’ର ମନେପଡ଼ୁନି ? ଘରେ ବାପ ମା’, ଭାଇ ଭଉଣୀ ସମସ୍ତେ ଅଛନ୍ତି । କେମିତି ପିଲାଟାଏ ସେ କେଜାଣି ? ଏଇସବୁ କେତେ କ’ଣ ଭାବୁ ଭାବୁ-

 

ଶଙ୍କରର ଆଖିଆଗରେ ନାଚିଗଲା ଆସି କିଶୋର ଓ ତା’ର ଆଖିଦିଟା । କିଶୋରକୁ ନେଇ କୋଉଠି ଏମାନେ ରଖିଛନ୍ତି କିଛି ଠିକ୍ ନାହିଁ । ସିଏତ ଦିନେ ନା ଦିନେ ପୁଣି ଫେରିବ ? ଦେଖାହେଲେ ଯାଇ ଯାହାକିଛି କଥାବାର୍ତ୍ତା ।

 

ସବୁ ଅନର୍ଥର ମୂଳ ସେଇ ଶାମ ପତି । ଚାକିରି ତା’ର ହୋଇଯାଇଥାଆନ୍ତା । ତା’ରି ଯୋଗୁଁ କ’ଣ ଅଟକିଗଲା ? ଗୋପାଳ ଚମ୍ପତିରାୟ କଥା କେତେ ସତ ? କେତେ ମିଛ କିଏ ଅବା ଜାଣିଛି ।

 

ଆଲୋକର ଖବରଟା ଗୀତାକୁ ଶୀଘ୍ରଯାଇ କେମିତି କହିଦେବ-ଏଇକଥା ଭାବି ଭାବି ଶଙ୍କର ମୁହୂର୍ତ୍ତକରେ ଯାଇ ଘରେ ପହଞ୍ଚିଗଲା ।

 

ଘର ଆଉ ଅଳ୍ପବାଟ ଅଛି । ଛକ ମୁଣ୍ଡରୁ ଶଙ୍କର ଲକ୍ଷ୍ୟକଲା–ଘର ସାମ୍ନାରେ ଟାକ୍‌ସିଟିଏ ଠିଆହୋଇଛି । ଯା ଆସ ଚାଲିଛି, ଡ୍ରାଇଭର ଗାଡ଼ି ଭିତରେ । ପାହାଚରେ ପାଦ ନ ଦେଉଣୁ ସେ ଜାଣିପାରିଲା–କେଇଜଣ ଲୋକ ବାହାରୁ ଆସିଛନ୍ତି । ସେମାନଙ୍କ ଭିତରେ ଦି’ଜଣ ମାଇପି ବି ଅଛନ୍ତି । ଜିତୁ ସେମାନଙ୍କୁ ସାଙ୍ଗରେ ଧରିଆସିଛି । ଘଟଣାଟା କ’ଣ ଶଙ୍କର ପ୍ରଥମେ ବୁଝିପାରିଲାନି । ଜିତୁ ଆସିଯାଇଛି, ଭଲ ହେଲା । ତାକୁ ଖୋଜି ଖୋଜି ସେ କଟକରେ ବେଦମ ହୋଇଯାଇଥିଲା । ତା’ଠୁ ଅନେକ କଥା ବୁଝିବାକୁ ପଡ଼ିବ । ଭଦ୍ରଲୋକ ଦି’ଜଣ ବସିଥିଲେ ଦାଣ୍ଡ ପଟିଆ ଘରେ । ବୈଠକ ଖାନା ବୋଲି କହିହେବନି । ସେ ଘରେ ଖଟିଆଟିଏ ବି ପଡ଼ିଛି । ଗଲା ଆଇଲା ବାହାର ଲୋକେ ସେଇଠି ଚା, ଜଳଖିଆ, ପାନ, ସିଗାରେଟରେ ଆପ୍ୟାୟିତ ହୁଅନ୍ତି । ଜିତୁ ସେମାନଙ୍କ ସାଙ୍ଗେ କଥା ହେଉଥିଲା । ମାଇପିମାନେ ଥିଲେ ଗୀତା ପାଖରେ । ମନି ରୋଷେଇ ଘରେ ଚା’ ବସେଇଥିଲା । ଶଙ୍କର ଗୀତାଠୁ ବୁଝିନେଲା–ସେମାନେ ବୋହୂ ଦେଖିଆସିଛନ୍ତି । ଜିତୁ ଠିକ୍‌ କରିଛି, ଜ୍ୱାଇଁ ପିଲାଟି ରାଉରକେଲାରେ ଇଂଜିନିୟର । ବାର’ଶ ଟଙ୍କା ଦରମା । ଘର ତାଙ୍କର ଢେଙ୍କାନାଳ ।

 

ଭଲ ପ୍ରସ୍ତାବ, ମନିକି ଟ୍ରେନିଂ ପଠେଇବା ଅପେକ୍ଷା ତାକୁ ଭଲ ଜାଗା ଦେଖି ଉଠେଇଦେବା ଭଲ । ଜିତୁ ତା’ର ସବୁ ବ୍ୟବସ୍ଥା କରିସାରିଛି । ସେମାନେ ସବୁ ଏକ ମତ୍ତ । ବୋହୂଟି କେବଳ ମନକୁ ପାଇଲେ ହେଲା । ଜିତୁ ଏକେଲା ଏହା କରିପାରିନଥାନ୍ତି । ଢେଙ୍କାନାଳର ଶାମ ପତି ଏସବୁ କରିଛନ୍ତି । ଏପାରି ଗଛ ଆରପାରିକି ସେ ନେଇଯାଇପାରନ୍ତି । ତା’ ନୋହିଲେ ଏତେଶୀଘ୍ର ବିଭାଘରଟା କିପରି ଠିକ୍‌ ହୋଇପାରନ୍ତା ।

 

ଜିତୁଠୁ ଶାମ ପତି କଥାଶୁଣି ଶଙ୍କରର ମନଟା ବିଷାକ୍ତ ହୋଇସାରିଥିଲା । ପ୍ରକାଶ କରିପାରିଲାନି, ଗୋପାଳ ଚମ୍ପତ୍ତିରାୟଠୁ ଏଇନେ ସେ ଶୁଣି ଆସିଛି–ଶାମ ପତି ଯୋଗୁହିଁ ଚାକିରିଟା ତା’ର ହୋଇପାରିଲାନି । ଶଙ୍କର ଭାବୁଥିଲା–ଗୋପାଳ ଚମ୍ପତ୍ତିରାୟ କଥା ମିଛ ବି ହୋଇପାରେ । ମନେମନେ ପୁଣି ଗୁଡ଼େଇତୁଡ଼େଇ ପ୍ରଶ୍ନ । ଲୋକଟା ମିଛ କାହିଁକି କହିବ ? ନିଆଁ ନଥିଲେ ଧୂଆଁ ବି କୁଆଡ଼ୁ ଆସିବ ?

 

ଶଙ୍କର ଆଗନ୍ତୁକ ଭଦ୍ରଲୋକଙ୍କ ସାଙ୍ଗେ କଥା ହେଲାବେଳେ ଜିତୁ ସେମାନଙ୍କୁ ଚା’ ଜଳଖିଆରେ ଆପ୍ୟାୟିତ କରିବାରେ ବ୍ୟସ୍ତ ଥାଏ । ଏତିକିବେଳେ ଟାକ୍‌ସି କରକୁ ରିକ୍‌ସା ଖଣ୍ଡିଏ ରଖି ସେଥିରୁ ଓହ୍ଲେଇଆସିଲେ ଶାମ ପତି । ଜିତୁ ତାଙ୍କୁ କହିନଥିଲା । ଟାକ୍‌ସିରୁ ଓହ୍ଲେଇ କୁଆଡ଼େ କାମଥିଲା ଯାଇଥିଲେ । ପୁଣି ଫେରିଆସିଲେଣି ।

 

ପାକୁଆ ପାଟିରେ ପାନ ଚୋବେଇ ଚୋବେଇ, ହସରେ ଫାଟିପଡ଼ି, ଦି’ହାତକୁ ମେଲା କରି ଶାମ ପତି ଶଙ୍କରକୁ କୁଣ୍ଢେଇ ପକେଇଲେ । କହିଲେ–ଆପଣ ସିନା ସେ ଢେଙ୍କାନାଳ ଘଟଣାପରେ ଆଉ ଆମକୁ ମନେରଖିନାହାନ୍ତି । ଆମେ କିନ୍ତୁ ଛାଇଭଳି ଆପଣଙ୍କ ପଛେ ପଛେ ଧାଇଁଛୁ । ଜିତୁବାବୁ ଆପଣଙ୍କ ପୁଅ ବୋଲି ପ୍ରଥମେ ପ୍ରଥମେ ମୁଁ ଜାଣିନଥିଲି । ସେ ଯା’ ହେଉ ଆଉ କଥା କ’ଣ ? ଶାମ ପତି ଭଦ୍ର ଲୋକଙ୍କୁ ଚାହିଁ ପ୍ରଶ୍ନକଲେ–ପଚାରିବା ଅର୍ଥ ହେଲା ବୋହୂ ମନକୁ ପାଇଲା କି ନାହିଁ ?

 

ଭଦ୍ରଲୋକଙ୍କ ସ୍ତ୍ରୀ ସେତେବେଳକୁ ମନି ଆଙ୍ଗୁଠିରେ ମୁଦିଟି ପିନ୍ଧେଇ ସାରିଲେଣି । ଆଉ ଭଲମନ୍ଦର ପ୍ରଶ୍ନ ନାହିଁ । ସେମାନେ ସମସ୍ତେ ମନିକି ପସନ୍ଦ କରିଛନ୍ତି ।

 

ପାନ ଛେଚାରେ ଦି’ଖଣ୍ଡ ପାନ ପୂରେଇ କୁଟୁ କୁଟୁ, ଶାମ ପତି ଠୋ-ଠୋ ହୋଇ ହସିଉଠିଲେ । କହିଲେ–ଜିତୁବାବୁଙ୍କୁ ପଚାରନ୍ତୁ । ଜାତକ ଦେଖି ଆଗରୁ ମୁଁ କହିଥିଲି–ଝିଅ ନିଶ୍ଚୟ ପସନ୍ଦ ହେବ । ପାଞ୍ଜିଦେଖି ଶାମ ପତି ସାଙ୍ଗେ ସାଙ୍ଗେ ଠିକ୍ କରିଦେଲେ-ମାନେ ଚାରିଦିନ ପରେ ତୀର୍ଥ ଅଛି । ଯୋଗ ଲଗ୍ନ ବି ଭଲ । ଡେରି କରି ଲାଭ ନାହିଁ । ଶୁଭସ୍ୟ ଶୀଘ୍ରଂ ।

 

ଶାମ ପତି ପୁଣି କହିଲା–ବିଭାଘରରେ ଦବାନବା କଥାଟା ନ ପକେଇବା ଭଲ । ତେବେ ସବୁ ସେମାନେ ପୂର୍ଣ୍ଣ କରିବେ । ଯୋଉଠି ଶାମ ପତି ଅଛନ୍ତି ସେଠି ଅନ୍ୟସବୁର ପ୍ରୟୋଜନ ନାହିଁ ।

 

ସେମାନଙ୍କ ସାଙ୍ଗେ ଜିତୁ ଫେରିଯିବାକୁ ବସିଥିଲା ।

 

ଶଙ୍କର ମନାକଲା । ଶାମ ପତିଙ୍କି କହୁଥିଲା ସେ କିନ୍ତୁ ମନାକଲେ । କହିଲେ–ତାଙ୍କର ବହୁତ କାମ । ଅନେକ ଲୋକ ତାଙ୍କୁ ଚାହିଁ ବସିଥିବେ ।

 

ଘଣ୍ଟାକ ଭିତରେ ସବୁକିଛି ଠିକ୍‍ଠାକ୍ ହୋଇଗଲା । ଶାମ ପତିଙ୍କ ସାଙ୍ଗରେ ସେଇ ଟାକ୍‌ସିରେ ସେମାନେ ଫେରିଗଲେ ଢେଙ୍କାନାଳ ।

 

ଅବସ୍ଥା ଚକ୍ରାନ୍ତ ଏଭଳି ଗଡ଼ିଯିବ ବୋଲି ଶଙ୍କର ଆଶା କରିନଥିଲା । ସେମାନଙ୍କୁ ବିଦାୟଦେଇ ଶଙ୍କର ତୁନି ତାନ୍ କରି ରହି କେତେ କ’ଣ ଭାବୁଥିଲା । ଜିତୁ ସେତେବେଳେ ଯାଇଥିଲା ସେମାନଙ୍କ ସାଙ୍ଗେ-ଅଧବାଟିଆ କରି ଫେରିଆସିବ ।

 

କେତେ ତରତରରେ ପାହୁଣ୍ଡ ପକେଇ ସେ ଘରକୁ ଫେରୁଥିଲା ? ଗୀତାକୁ ଆଲୋକ କଥା କହିବ । ଗହଳି ଭିତରେ ସବୁକିଛି ଭୁଲିଯାଇଥିଲା ଶଙ୍କର ।

 

ଭୁଲିଗଲା ସେ ଜିତୁକୁ ଅନେକ ଅନେକ କଥା ପଚାରିବାକୁ । ଧୀରସ୍ଥିର ହୋଇ ବସିଲେ ସିନା ହୁଏ ? ଶଙ୍କର ଲକ୍ଷ୍ୟକରୁଥିଲା–ଜିତୁ ଆଗ ଅପେକ୍ଷା ବହୁତ ବଦଳିଯାଇଛି । ସଦାବେଳେ ଖାଲି ଚଙ୍ଗ୍ ଚଙ୍ଗ୍ ଆଉ ତର ତର । କଥାପଦିଏ ସିଧାସଳଖ ତା’ଠୁ ଶୁଣିବା ବଡ଼ କଷ୍ଟ । ସ୍ଥିର ହୋଇ ଠାଏ ସେ ବସିପାରୁନଥିଲା । ସିଧାସଳଖ, ଆଖିକି ଆଖି ମିଳେଇ ସେ ଚାହୁଁନଥିଲା । କଥାସବୁ ତା’ର ଦରଖଣ୍ଡିଆ । କେତେବେଳେ ତା ମା’ ପାଖରେ ତ କେତେବେଳେ ମନି ପାଖରେ । ବେଶଭୂଷା, ଲୁଗାପଟା ତା’ର ଆଗଭଳି ଆଉ ନାହିଁ । ବହୁତ ଦାମିକା, ପକେଟରେ ବିଡ଼ା ବିଡ଼ା ନୋଟ୍ । ମନିପାଇଁ କିଣିଆଣିଥିବା ଅଳଙ୍କାର ସବୁ ଦେଖାଇଲାବେଳେ ଏତିକି କେବଳ କହିଦେଲା–କଟକରେ ସେ ଗୋଟେ ବିରାଟ ଫାର୍ମର ଏଇନେ ହୋଲ୍‌ସେଲ୍ ଏଜେଣ୍ଟ । ବାପାଙ୍କର ଆଉ ବ୍ୟସ୍ତହେବା ଦରକାର ନାହିଁ । ମନି ବାହାଘରଟା ଯାକଜମକରେ ହେବ । ଜୋଇଁପିଲାକୁ ସେ ଦେଖିଛି । କଥାବାର୍ତ୍ତା କରିଛି । ଇଚ୍ଛାକଲେ ସେ ତାକୁ ଘରକୁ ଡାକିଆଣିବ । ଆଲୋକଟା କୁଆଡ଼େ ଯାଇଛି ସେ ଯାଉ–ମନକୁ ଘରକୁ ଫେରିଆସିବ । ତା’ପାଇଁ ବ୍ୟସ୍ତହେବା ଦରକାର ନାହିଁ ସିଏ ତାକୁ ଯୁଆଡ଼ୁହେଲେ ଖୋଜିଆଣିବ । ଏମିତି ଅନେକ ଅନେକ କଥା–ଠିଆ ଠିଆରେ–ଖାଇବସିଲାବେଳେ–ଘରକୁ ବାହାରକୁ ଯା’ ଆସ କଲାବେଳେ-ଜିତୁ କହିଗଲା ।

 

କିଶୋର ଆଟାଚିରୁ ଜିତୁ ସୁନାହେଉ କି ଟଙ୍କାପଇସା ହେଉ ଥୋଡ଼େ କିଛି ବୋଧେ ପାଇଯାଇଛି । ବେଶି କିଛି ପାଇଥିଲେ ପିଲାଟା ଖରାପ ହୋଇଯାଇପାରେ ଚୋର ତସ୍କର ଭୟ ବି ଅଛି–ଯେତେହେଲେ ତ ତା’ର ପିଲାବୁଦ୍ଧି । କୁଆଡ଼େ ଯିବ କ’ଣ କରିବ କିଛି ଠିକଣା ନାହିଁ । ଶଙ୍କର ବହୁତ ଭାବି ସବୁକିଛି ତାକୁ ପାଖକୁ ଡାକି ପଚାରିବ ବୋଲି ଭାବିଥିଲା । ପୁଣି ଭାବିଲା–ସେ ଯେତେବେଳେ ଆପେ ଆପେ ନ କହୁଛି, ପଚାରି ଲାଭ ନାହିଁ । କ’ଣ କରୁଛି ସେ କରୁ ।

 

ପଚାରିବାକୁ ଶଙ୍କର ସମୟ ପାଇଲାନି କି ବେଶି ବେଳଯାଏଁ ଘରେ ରହିବାକୁ ଜିତୁକୁ ବେଳନଥିଲା । ଜାମା ପ୍ୟାଣ୍ଟ ପିନ୍ଧି ପୁଣି ସେ ବାହାରିପଡ଼ିଲା । କହିଦେଇଗଲା ସେ କଟକ ଯାଉଛି-। ନ ଗଲେ ବହୁତ କାମ ତେଣେ ବାକି ପଡ଼ିଯିବ । ବ୍ୟବସାୟରେ କ୍ଷତି ହେବ । ବୋଉକୁ ଗଲାବେଳେ ବିଡ଼ାଏ ହେବ ଟଙ୍କାଦେଇ ଗଲା । ପକେଟରୁ ଯେତେ ତା’ ହାତରେ ପଡ଼ିଲା । କହିଦେଇଗଲା–ବିଭାଘରର ପ୍ରାରମ୍ଭିକ ଆୟୋଜନରେ ଲାଗିଯିବାକୁ । ସମୟ ଉଣ୍ଡି ସେ ଆସି ପହଞ୍ଚିଯିବ ଓ ଆଲୋକର ଖୋଜଖବର ନେବ । ଆଉ କିଛି କାହାଠୁ ଶୁଣିବାକୁ ତା’ର ବେଳ ନ ଥିଲା । ଜୋଡ଼ ପିନ୍ଧି ବଡ଼ ବଡ଼ ପାହୁଣ୍ଡ ପକେଇ ସେ ଘରୁ ବାହାରିପଡ଼ିଲା ।

ଶଙ୍କର ପୁଅ ଆଡ଼ିକି କେବଳ ଜଳ ଜଳ କରି ଚାହୁଁଥାଏ । କିଛି ତାକୁ କହିପାରିଲାନି କି ତାକୁ ପଚାରିପାରିଲାନି, କୁଆଡ଼େ ତର ତର ହୋଇ ଯାଉଛି ସେ ଯାଉ । ପୁଣି ତ ଫେରିଆସିବ, ଯାହାକିଛି କରିବ କରୁ । ଏତିକି କେବଳ, ସେ ଭୁଲ୍ ବାଟରେ ନଯାଉ ।

ଆଲୋକଟା କିନ୍ତୁ ଅବାଟରେ ଚାଲିଯାଇଛି-ବଡ଼ ଆଶ୍ଚର୍ଯ୍ୟ ସେ ପିଲା ।

ଶଙ୍କର ଠିକ୍ କଲା–ସେ ଗାଁକୁ ଯିବ । ଯୋଉଠୁ ହେଲେ ଆଲୋକକୁ ଖୋଜି ବାହାର କରିବ ।

ଆରଦିନ ସକାଳୁ ସକାଳୁ ଶଙ୍କର ଟ୍ରେନ୍‌ଧରି ଗାଁକୁ ବାହାରିପଡ଼ିଲା । ଖୋର୍ଦ୍ଧାରୋଡ୍ ଆଗରୁ ଯେଉଁ ଛୋଟିଆ ନୂଆ ଷ୍ଟେସନ୍‌ଟି ପଡ଼େ, ଆଠ ଦଶବର୍ଷ ହେଲା ପାସେଞ୍ଜର ହଲଟ୍ ହୋଇଥିଲା, ଏବେ ସେଠି ଲୋକ ବଢ଼ିଗଲେଣି । ଷ୍ଟେସନ୍‌ର ଗୋଟେପଟେ ଟାଙ୍ଗେଣା ପଡ଼ିଆ, ମୁଣ୍ଡିଆ କଡ଼େ କଡ଼େ ପରଙ୍ଗ ଆଡ଼ିକି ରାସ୍ତା ପଡ଼ିଛି । ଗୋଟାଏ ଖାଲି ମୁଣ୍ଡିଆ ମାଳକୁ ମାଳ, କାହିଁ କୁଆଡ଼ିକି ଲମ୍ୱିଛି, ବିଲବାଡ଼ି ଗହୀର ଓ ଗାଁ ଗଣ୍ଡା ସବୁ ସରିଯାଇ ଆରମ୍ଭ ହୋଇଛି ବୁଦୁ ବୁଦିକିଆ କଣ୍ଟାଗଛ, ଛୋଟବଡ଼ ପଥର କୁଦ ସବୁ, ବର୍ଷା ପାଣି ଗଡ଼ି ଆସି ଆସି ପାହାଡ଼ଯାକ ଗୋହିରୀ କାଟିଛି, ମଝିରେ ମଝିରେ ଗାଁ ଗଣ୍ଡା ଡେଇଁଗଲେ କୁସୁକା ମୁଣ୍ଡିଆ ଓ ବିଶ୍ୱନାଥ ମୁଣ୍ଡିଆ । ଷ୍ଟେସନ ଆରପଟେ ଧାନବିଲ, ସବୁଜ ଲହଡ଼ି ଭାଙ୍ଗି ଭାଙ୍ଗି ହିଡ଼େ ହିଡ଼େ ଚାଲିଗଲେ କୋଶେବାଟ । ଗାଁମୁଣ୍ଡେ ନଈର ଧାରଟିଏ । ଠାଏ ଠାଏ ସେଇଟା ଶୁଖିଲା । ଯା ଆସ ପାଇଁ ରାସ୍ତା ଫିଟିଛି । ଗାଁକୁ ଯିବାକୁ କିଛି ଅସୁବିଧା ନାହିଁ । ସଦାବେଳେ ଲୋକ ଧାର ଲାଗିଥାଆନ୍ତି । ଖୋର୍ଦ୍ଧାରୋଡ଼ ଷ୍ଟେସନର ରେଳବାଇ ଚାକିରିଆ, କିଏ କିଏ ସିଝା ସୋଲା ଓ ଚେନାଚୁର ବିକାଳି, କାଗଜ ପୁଡ଼ିଆ ଧରିଥିବା ବାଦାମ ବିକାଳି ପିଲାମାନେ, କୁଲି ଖଲାସୀ ଓ ଖିଲପାନ ବେପାରୀ, ଷ୍ଟେସନରେ ଗରମ ଚା’ ପାଇଁ ଆବେଦନ ନିବେଦନ ଶୁଣି ଶୁଣି, କମଳା କଦଳୀ ଡାଳିମ୍ୱଧରି ପ୍ଳାଟଫର୍ମରେ ଘୂରିବୁଲୁଥିବା ପିଲାଏ, କାଗଜ ହକରଙ୍କଠୁ ଆରମ୍ଭ କରି ସଭିଏଁ ଏଇ ଖୋର୍ଦ୍ଧାରୋଡ଼ ଷ୍ଟେସନରେ ଧରାବନ୍ଧା । ଦିନ କି ରାତି ଗାଁରୁ ଲୋକ ଧାର ଲାଗିଥାଆନ୍ତି । ରାତି ଅଧରେ ବି ଗହିର ଲୋକ ଗହଳି । ଯା’ଆସର ଅସୁବିଧା ନାହିଁ ।

ଶଙ୍କର ଷ୍ଟେସନରେ ଓହ୍ଲେଇ ଗାଁଆଡ଼େ ଗଲାବେଳେ କେତେ କେତେ କଥା ତା’ ମନରେ ଉଙ୍କି ମାରି ମାରି ଚାଲିଥାଏ । ହାତରେ ବ୍ୟାଗ୍‌ଖଣ୍ଡେ । ଲୁଙ୍ଗି ଗାମୁଛା, ବିଛଣା ଚଦରଠୁ ଆରମ୍ଭ କରି, ରେଜର ପାନିଆ ଦର୍ପଣ ଆଦି ସବୁ କିଛି ଅଛି ।

ଜିତୁ କୁଆଡ଼ୁ ଏତେ ଟଙ୍କା ପଇସା ଆଣିଲା କେଜାଣି ? ଶଙ୍କର ଭାବୁଥିଲା ଜିତୁଟା ଭାରି ଚାଲାକ୍ ପିଲା । ମନିର ବାହାଘର ପାଇଁ ସବୁ ଯୋଗାଡ଼ ସେ କରିସାରିଲାଣି । ଭଲ କାମଟିଏ କରିଛି । କମ୍ପାନୀର ଏଜେଣ୍ଟ ହେବା କଥା ବୋଧେ ମିଛ । କିଶୋର ଆଟାଚିଟା ଖୋଲି ସବୁକିଛି ସେ ପାଇପାରିଛି । କିଶୋର ଫେରିଆସିଲେ ତାକୁ ସେ କ’ଣ ବୋଲି କହିବ ? ବିଶ୍ୱାସରେ ସେ ତାକୁ ବିଷ ଦେଇଛି । ମନେମନେ ନିଜକୁ ଧିକ୍‌କାର କରୁଥିଲା ।

ଆଲୋକକୁ ଖୋଜିଆସିଛି । କିନ୍ତୁ ତା’ କଥା ଶଙ୍କରର ମନେନାହିଁ । ଅନେକ ଅନେକ କଥା ତା’ ମନରେ ଖୋଲି ଧକ୍‌କା ଖାଇବାରେ ଲାଗିଛି । ହିଡ଼ ଉପରେ ଘାସ କୁଦି କୁଦି ସେ ଚାଲିଥିଲା ।

ବେଳ ସେତେବେଳେ ଦଶଟା ପାଖାପାଖି । ଟିଁ ଟିଆଁ ଖରା । ଛୁଞ୍ଚି ଫୋଡ଼ିଲା ଭଳି ଜଣାପଡ଼ୁଥିଲା । ଏତିକିବେଳେ ବିଶ୍ୱନାଥ ମୁଣ୍ଡିଆ ପଛପଟୁ କଳା ମେଘଖଣ୍ଡେ ଉଡ଼ିଆସୁଥିଲା ଭଳି ମନେହେଲା । କଳା ମେଘଟା ଯେତେ ଯେତେ ତା’ ଡେଣା ମେଲେଇଲା । ସେତିକି ସେତିକି ତା’ର କାଳିମା ଉଡ଼ିଯାଇ ଆକାଶଯାକ ଘୋଟିଗଲା । ଶିମିଳି ତୁଳା ଭଳି ଫସ୍‌କା ମେଘର ଖଣ୍ଡ ଖଣ୍ଡିଆ ଆବରଣ । ଖରା ଓ ଛାଇର ଲୁଚକାଳି ଖେଳ । ହିଡ଼ ଉପରେ ଘାସ କୁଦି କୁଦି ଗାଁଆଡ଼େ ଶଙ୍କର ବଡ଼ ବଡ଼ ପାହୁଲ ପକେଇ ପଶୁଥିଲାବେଳେ ଦେଖିଲା–

ଅଳ୍ପ ଦୂରରେ କେତେଜଣ ଲୋକ ଠିଆହୋଇ କ’ଣ ଗୋଟିଏ ଚର୍ଚ୍ଚା କରିବାରେ ଲାଗିଛନ୍ତି । ଲୋକଙ୍କର ପାଟିତୁଣ୍ଡ କେବଳ ଶୁଭୁଛି । ବିଷୟଟା କ’ଣ ଶଙ୍କର ଠିକ୍ ବୁଝିପାରିଲାନି । ଜମି ଦି’ ତିନିମାଣ ଡେଇଁଗଲେ ଗୋଟିଏ ଲଣ୍ଡା ବରଗଛ ଆଗକୁ ଶାଖା ମେଲିଛି । ସବୁଜ ବରପତ୍ରରେ ଡାଳଟିଏ ଲେନ୍ଥି ହୋଇ ଝୁଲିପଡ଼ିଛି । ଗଛଟା କିନ୍ତୁ କୋରଡ଼ମୟ । ମାଟିଉପରୁ ଫାଳିକିଆ ହୋଇଯାଇଛି । ମଝିଟା ବଙ୍କେଇ ପାଖିକିଆ ବୁଦାକୁ ଛୁଇଁଦେଇ ଉପରେ ସବୁଜ ପତ୍ରର ଛତା ଟେକିଛି । କିଆ ବୁଦା ପାଖକୁ ନାଳଟିଏ । ସିଧା ବାଟରେ ଆସିଲେ ପାଣି । ଲୁଗା ଟେକିବାକୁ ପଡ଼େ । ହିଡ଼ରେ କୋଇଲି ଖିଆ ବୁଦାସବୁ ଡେଇଁ ଡେଇଁ ଗଲେ ପାଣି ଲାଗିବନି । ଶଙ୍କର ସିଧା ହିଡ଼ ବାଟରେ ନ ଆସି ବଙ୍କେଇ ଗଲା । ଲୋକେ ତା’ଆଡ଼ିକି ପିଠି କରି କିଛି ଗୋଟାଏ ଚର୍ଚ୍ଚା କରୁଥାଆନ୍ତି । କେତେଜଣ ସେମାନଙ୍କ ଭିତରୁ ଉତ୍ତେଜିତ ହୋଇଥିଲା ଭଳି ଜଣାପଡ଼ୁଥିଲେ ।

ଶଙ୍କର ଏତେ ଦୂରରୁ ଚିହ୍ନିପାରିଲାନି-କିଏ ସେମାନେ । ଜଣଙ୍କୁ କେବଳ ସେ ଚିହ୍ନିପାରିଲା, ସେ ହେଲା–ଗୋପାଳ ଚମ୍ପତ୍ତିରାୟ । ଯାହାକୁ ସେ ପୁରୀ ସିଂହଦ୍ୱାର ମୁହଁରେ ଦେଖିଥିଲା । ଆଲୋକ କଥା ତା’ରିଠୁ ସେ ଶୁଣିବାକୁ ପାଇଛି । ସେ ତା’ହେଲେ ଗାଁକୁ ଫେରିଆସିଲାଣି ? ଶଙ୍କର ଆଶ୍ୱସ୍ତ ହେଲା–ଆଲୋକର ଖୋଜଖବର ନିଶ୍ଚୟ ତା’ହେଲେ ସେ ପାଉଛି । ତାକୁ ଯାଇ ପଚାରିଦେବ ବୋଲି ଭାବୁଥିଲା । କ’ଣ ମନହେଲା–ଭାବିଲା ନାଁ, ସେ ତାକୁ କିଛି ପଚାରିବନି । ଆଲୋକ ଗାଁ ଭିତରେ ଯୋଉଠିହେଲେ ଥିବ । ସେ ତାକୁ ଖୋଜି ବାହାର କରିବ ।

ବାଟ ଭାଙ୍ଗି ଅନ୍ୟ ହିଡ଼ବାଟେ କେତେଜଣ ତା’ ଆଡ଼ିକି ଲକ୍ଷ୍ୟ ରଖିଥିଲେ । ଗୋପାଳ ଚମ୍ପତ୍ତିରାୟ ତାକୁ ଦେଖିନି । ସିଏ ବି ଉପରେପଡ଼ି କଥା କହିବାର ଲୋକନୁହେଁ ।

 

ପାଖେଇଯିବାରୁ ଜଣେକିଏ କହୁଥିବାର ସେ ଶୁଣିଲା–ଧନୀ ଲୋକଙ୍କୁ ମର୍ଡର କରି ତାଙ୍କ ଟଙ୍କା ସୁନାସବୁ ଚୋରି କରି ନେଇଗଲେ ସମସ୍ୟାକୁ କ’ଣ ସୁଧାରି ହେବ ? ସେମାନଙ୍କୁ ହତ୍ୟା କରିବାଟା କ’ଣ ଅନ୍ୟାୟ ନୁହେଁ ? ପାପ ନୁହେଁ ।

 

ଆଉଜଣେ କହିଲା–ଧନୀ ଦରିଦ୍ରର ଭେଦଭାବ କ’ଣ ଆଜିକା କଥା, ସେ ତ ବହୁତଦିନରୁ ଅଛି ।

 

ଜଣେ ତା’ ଭିତରୁ କହିଲା–ଭାଗ୍ୟର ଘଟଣା ନିଜେ ଭଗବାନ୍ ବି ସଠିକ୍ କହିପାରିବେନି-। କାହା ଭାଗ୍ୟରେ କ’ଣ ଅଛି କେଜାଣି ଜଣେ ଧନୀ ଓ ଆଉଜଣେ ଗରିବ ଏହା ଭାଗ୍ୟର ଫଳ । ଭଗବାନଙ୍କ ଇଚ୍ଛା । କେହି ତାକୁ ଅନ୍ୟଥା କରିପାରିବେନି ।

 

ଆଉଜଣେ ଆଗକୁ ଚାଲିଆସି କହିଲା–ଆରେ ଯା–ସେ ସବୁ ବୁର୍ଜୁଆ ଚିନ୍ତାଧାରା । ଭଗବାନଙ୍କୁ କେହି କେବେ ଦେଖିଛି ? ଯୋଉମାନେ ଏ ସବୁ କଥା କହି ଲୋକମାନଙ୍କୁ ଭୁଲେଇବାରେ ଲାଗିଥାଆନ୍ତି । ସେମାନେ ହେଲେ ଧନୀ ଲୋକଙ୍କର ଦଲାଲ୍ । ଧନୀଲୋକେ ସେମାନଙ୍କୁ ପୋଷି ରଖିଛନ୍ତି । ଆମ୍ଭମାନଙ୍କୁ ସବୁ ଗରିବ ଖଟିଖିଆମାନଙ୍କୁ ମଜୁରିଆ ଓ କ୍ଷେତଚାଷୀମାନଙ୍କୁ ଯୁଗ ଯୁଗ ଧରି ଶୋଷି ଚାଲିଛନ୍ତି ଏଇମାନେ । କେହି ଆମକୁ ସାହାର୍ଯ୍ୟ କରିବେନି । ଆମର ପନ୍ଥା ଆମକୁହିଁ ବାଛିନେବାକୁ ପଡ଼ିବ । ଆଜି ସମୟ ଆସିଛି-ଜମିରେ ଆମେ ମାଲିକମାନଙ୍କୁ ପୂରେଇଦେବାନି । ଲଙ୍ଗଳ ଯାର ଜମି ତା’ର । ଯୋଉମାନେ ବିଲରୁ ଧାନ କାଟିଆଣନ୍ତି ଧାନଗଦା ସବୁ ସେଇମାନଙ୍କର, ଆସୁ କିଏ ସାମ୍ନାକୁ ଆସୁଛି ? ସମସ୍ତେ ମିଶି ସେମାନଙ୍କୁ ସାବାଡ଼ କରିଦେବା । ଆମ ପଛରେ ସେହିମାନେ ଯେବେ ଲାଗନ୍ତି ସେମାନଙ୍କର ଆମେ ସର୍ବନାଶ କରିବା । ଧନ ସଂପତ୍ତି ସେମାନଙ୍କର ଲୁଟିନେବା ସେ ଚୋରି ଅଧର୍ମ ନୁହେଁ । ଆମମାନଙ୍କ ପଛରେ ବେଶି ଲାଗିଲେ ସେମାନଙ୍କୁ ଗୋଟି ଗୋଟି କରି ମର୍ଡ଼ର କରିବା-ସେଇଟା ଅପକର୍ମ ନୁହେଁ–ପାପ ନୁହେଁ । ଜନଗଣନାର ମଙ୍ଗଳ ପାଇଁ ଆମକୁ ଉପରୁ ନିର୍ଦ୍ଦେଶ ଦିଆଯାଇଛି ।

 

କ’ଣ ଆଉ ସେ କହିଲା–ଶଙ୍କର ସବୁ ଶୁଣିପାରିଲାନି । କିଆବୁଦା ଆରପଟେ ଗୋହିରୀ ବାଟଦେଇ ଗାଁଆଡ଼େ ଚାଲି୍‌ଥିଲାବେଳେ ଲୋକଙ୍କ ଭିତରେ ଏସବୁ ଆଲୋଚନା । ଠିକ୍‌ ଏତିକିବେଳେ ଲଣ୍ଡା ବରଗଛ ଡାଳରୁ ମାଟିଆ ଚିଲଟିଏ ତା’ରି ଆଡ଼ିକି ଉଡ଼ିଆସିଲା । ଶଙ୍କର ଦୂରରୁ ଲକ୍ଷ୍ୟକଲା ଗୋପାଳ ଚମ୍ପତ୍ତିରାୟ କେତେବେଳୁ ସେଠୁ ଚାଲିଗଲାଣି ।’’

 

ଯୋଉମାନେ ଆଲୋଚନାରେ ବ୍ୟସ୍ତଥିଲେ ସେମାନେ ବକ୍ତୃତା ଶୁଣି ଆନନ୍ଦ ଧ୍ୱନୀ କରୁଥିଲେ ଶଙ୍କର ଏତେ ଦୂରରୁ ଚିହ୍ନିପାରୁନଥିଲା–ସେମାନେ କିଏ ? ଚିହ୍ନିଲା ଚିହ୍ନିଲା ଭଳି ମନେହେଉଥିଲା–ଅଥଚ ସେ ଜାଣିପାରୁନଥିଲା ।

 

ଆଲୋକ ନୁହେଁ ତ ? ବକ୍ତୃତା ଦେବାରୁ ସେ ଜାଣିପାରିଲା । ସେମାନଙ୍କ ପାଖକୁ ଦଉଡ଼ିଯିବ ବୋଲି ଭାବୁଥିଲା । ଠିକ୍‌ କଲା–ସେଇଠୁ ଖୁବ୍‌ ଜୋରରେ ଡାକ ଛାଡ଼ିବ । କ’ଣ ସେ କରିବ ନ କରିବ ଏମିତି ଭାବୁ ଭାବୁ ସେମାନେ ସମସ୍ତେ ସେଠୁ ଚାଲିଯିବାକୁ ଆରମ୍ଭ କଲେ, ମିଳିମିଶି ଗଲେନି । ଜଣେ ଜଣେ ଭିନ୍ନ ଭିନ୍ନ ଦିଗକୁ ଚାଲିଲେ ।

 

ଶଙ୍କର ଦେଖିଲା–ଆଗରେ ବହୁ ଦୂରରେ ଜଣେ କିଏ ଚାଲିଛି । ପାଇଜାମା ସାର୍ଟ, ଓ ରବର ଚପଲ ପିନ୍ଧି । ମୁଣ୍ଡବାଳ ଫୁରୁଫୁରୁ ଉଡ଼ୁଛି । ଏକଲା ପଲାସିଛି ଖୁବ୍‌ ଜୋରରେ । ଆଲୋକକୁ ଆବିଷ୍କାର କରିଛି ବୋଲି ଭାବି ଶଙ୍କର ପଛୁଆ ତା’ ଆଡ଼ିକି ଦଉଡ଼ିଗଲା । ନାଁ ଧରି ଡାକିଲାନି ।

 

ବାବୁ ଜଣଙ୍କ ପଛ ଆଡ଼ିକି ଅନେଇଦେଲାବେଳକୁ ଶଙ୍କର ଧଇଁ ଧଇଁ ଧାଇଁଛି । ପଚାରିଲେ–କାହାକୁ ଖୋଜୁଛନ୍ତି ?

 

ଆଲୋକକୁ ? ଠିକ୍‌ ସେ ଆପଣଙ୍କ ଭଳି ।

 

ସେ ବାବୁ କିଏ ସେ ?

 

ଶଙ୍କର କହିଲା–ମୋ ସାନ ପୁଅ ।

 

ଆପଣଙ୍କ ପୁଅ ? ତା’ପରେ କହିଲା–ମୁଁ ତ ତାଙ୍କୁ ଚିହ୍ନିନି ?

 

ଶଙ୍କର ସେ ବାବୁଙ୍କ ମୁହଁକୁ କେବଳ ଅନେଇ ରହିଥିଲା ।

 

ଆଲୋକ ବାବୁଙ୍କ ନାଁ ମୁଁ ଶୁଣିଛି । କୋଉଠି ସଠିକ୍ ସେ ରହନ୍ତିନି । ଲୋକେ କହନ୍ତି-ଏପଟକୁ କେତେଥର ସେ ଆସିଛନ୍ତି ।

 

କେମିତି ତା’ର ଖବର ପାଆନ୍ତି ?

 

ମୁଁ କ’ଣ କରିବି ? ଭଦ୍ରଲୋକ କହିଲେ–

 

ଶଙ୍କର କ’ଣ କହିବାକୁ ଯାଉଥିଲା, କହିପାରିବନି ।

 

ତା’ଉପରେ ଥରେ ଦି’ଥର ଆଖି ପକେଇଦେଇ ଭଦ୍ରଲୋକ ଜଣକ ଚାଲିଗଲେ ଖୋର୍ଦ୍ଧା ରୋଡ଼୍‌ ଆଡ଼େ ।

 

ଶଙ୍କର ବିଚରା ବ୍ୟାଗ୍‌ ଖଣ୍ଡିକ ଧରି ଗାଁଆଡ଼େ ଚାଲିଥାଏ ହିଡ଼େ ହିଡ଼େ ।

 

ଏଇ ଆଗରେ ତା’ର ଜନ୍ମଭୂମି, ଶଙ୍କର ଏଇ ଗାଁରେ ଜନ୍ମ ହୋଇଥିଲା । ତାକୁ ପାଞ୍ଚ ଛ’ବର୍ଷ ହେଲାବେଳେ ବାପା ପୁରୀରେ ଯାଇ ଚାକିରି କଳେ । ସେଇଠି ଘର କିଣିଲେ, ସମସ୍ତିଙ୍କି ନେଇ ପୁରୀ ଚାଲିଲେ । ସହରରେ ଶଙ୍କରର ପାଠ ପଢ଼ା ପଢ଼ି, ଖେଳ ବୁଲ ଆଦି ସବୁ କିଛି । ଗାଁ ଘର ଖଣ୍ଡିଆ ଖାବେରା ହୋଇ ପଡ଼ିରହିଛି । ଫସଲ ଆଦାୟବେଳେ ବର୍ଷକେ ଦି’ ତିନିଥର ଆସିବାକୁପଡ଼େ । ଅଭାବ ଅସୁବିଧା ବେଳେ ଶଙ୍କର ପିତୃ ଅର୍ଜିତ ଜମିରୁ ଅଧେହେବ ବିକି ଦେଇଥିଲା । ଯେଉତକ ଥିଲା ସେ ସବୁ ବି କିଛି କମ ନୁହେଁ । ଭାଗ ଚାଷ ଲାଗିଛି । ବଳକା ଜମି ଓ ପଦର ତକ ଲାଣ୍ଡ୍‌ ସିଲିଂରେ ଗଲା । କ’ଣ ଲଗାଯିବ ? ଯୋଉତକ ଅଛି ତାକୁ ଛାଡ଼ିହେଉନି କି ରଖିହେଉନି । ଗାଁର ପାଖ ମାଡ଼ିବାକୁ ତା’ର ଇଛା ନାହିଁ । ସେଇ ଜମିବାଡ଼ିନେଇ ଚାରିଆଡ଼େ ଗଣ୍ଡଗୋଳ, ଫଉଜଦାରୀ, ହଣାକଟା, ମାଲି ମକଦ୍ଦମା ଓ ପିଟାପିଟି । ଚାଷିମାନେ କଥା କଥାକେ ଉପରେପଡ଼ି କଳି କରିବାକୁ ତିଆରି । କେହି କାହା କଥା ମାନିବାକୁ ରାଜିନୁହନ୍ତି । ସେମାନେ ଏବେ କହିଲେଣି-ଲଙ୍ଗଳ ଯାର ଜମି ତା’ର । ସେଇ ଗାଁ ମାଡ଼ିବାକୁ ମୋଟେ ତା’ର ଇଚ୍ଛା ନାହିଁ । ତଥାପି ବର୍ଷକୁ ବର୍ଷ ଯାହାକିଛି ଫସଲ ମିଳେ ତାକୁହିଁ ପୁଞ୍ଜି କରି ଏଯାଏଁ ସେମାନେ ଚଳି ଯାଉଥିଲେ ।

 

ଶଙ୍କର ଆଗରେ ଗାଁମୁଣ୍ଡ ବରଗଛ । ପିଲାଦିନେ ଯେମିତି ଥିଲା ଏଯାଏଁ ସେମିତି ଅଛି । ପ୍ରଭେଦ ଭିତରେ ଗଛଟା ଠାଏ ଠାଏ ଓହଳି ଉପରେ ଢିରାଦେଇ ବଙ୍କେଇଯାଇଛି । ତା’ର କାୟା କମିଚି କିନ୍ତୁ ଛାୟା ବଢ଼ିଛି । ଆସ୍ଥାନ ଜମେଇ ବସି ରହିଛି । ପିଲାଦିନର ସେଇ କିଆବୁଦା ସୈନ୍ୟବାହିନୀ ପ୍ୟାରେଡ଼ କଲାଭଳି ଧାଡ଼ି ଧାଡ଼ି ଖଜୁରି ଗଛ, ବୁଦୁବୁଦିଆ କଣ୍ଟା ଗଛର ଅରମା ଆଦି ସବୁକିଛି ଅଛି । ଧାନବିଲ, ବନ୍ଧବାଡ଼, ଗାଁ ମଶାଣି, ସଆଲାକୁ ସାଆଲା ଚାଳବନ୍ଧ । ତା’ର ଅପରିଚିତ ଏଇ ଗାଁ-ଏଇ ମାଟିରେ ସେମାନଙ୍କର ଜନ୍ମ । ଶଙ୍କର ବି ଏଇ ମାଟିରୁ ଜନ୍ମଲାଭ କରିଥିଲା–ଏଇ ଗାଁ ତା’ର ଜନ୍ମମାଟି ।

 

ଗାଁ ଭିତରକୁ ପଶିଯାଇ ଶଙ୍କର ଦେଖିଲା–କେହିହେଲେ ଲୋକବାକ ନାହାନ୍ତି । ଯୋଉ କେତେଜଣ ଏ ଘରକୁ ସେ ଘର ଯାଆଆସ କରୁଛନ୍ତି, ସେମାନେ ଶଙ୍କରକୁ ନ ଚିହ୍ନିଲାଭଳି ଥରୁଟିଏ ଅନେଇଦେଇ ଯିଏ ଯାହା କାମରେ ଯାଉଛନ୍ତି । କିଏ ଜଣେ ଅଚିହ୍ନା ଲୋକ ଗାଁକୁ ଆସିଛି-। ପଚାରିଲା ଅଥଚ କେହିହେଲେ କିଛି ତାକୁ ପଚାରିଲେନି ।

 

ଯୋଉ ଗାଁକୁ ଯିବାକୁ ଶଙ୍କରର ମନଭିତରୁ ଦିନେ ଉଚ୍ଚାଟ ଉଠୁଥିଲା ସେ ଏବେ ପୂରା ବଦଳିଯାଇଛି । ଗାଁକୁ ବେଢ଼େଇ ଧରିଥିବା ନଈ ଯୋଉଥିରେ ଦିନେ ଅକାତ କାତ ପାଣିଥିଲା, ଡଅଁର ପଡ଼ିଥିଲା, ସେଥିରେ ଆଉ ପାଣି ନାହିଁ । ଠାଆକୁ ଠାଆ ବାଲିଚଡ଼ା, ନଈ ଭିତରେ ରାସ୍ତା ଫିଟିଛି । ପିଲାଦିନ ଭଳି ଗାଁ ମଝିରେ ଥିବା ପୋଖରୀ ଏବେବି ଚୁଙ୍ଗୁଡ଼ିଆ ଦଳ, କଳମ ଡଙ୍କ ଓ କଇଁ ନାଡ଼ରେ ଭରପୂର । ପାଣି ଉପରେ ସର ପଡ଼ିଛି, ଗାଁକୁ ଆଗେ ରାସ୍ତା ନଥିଲା । ଏବେ ରାସ୍ତାଟିଏ ପଡ଼ିଛି । ରାସ୍ତାସାରା ମଳମୁତ୍ରରେ ଭରପୂର । ଗାଁ ଭିତରକୁ ପଶି ଯାଉ ଯାଉ ଖାଲି ଦୁର୍ଗନ୍ଧ । କିନ୍ତୁ ବିଜୁଳି ବତିର ଖୁଣ୍ଟ ଗାଁ ମୁଣ୍ଡ ଯାଏଁ ଆସିଲାଣି । ଗାଁ ଆଖ ପାଖରେ ଆଗେ ସ୍କୁଲ ନଥିଲା । ଗାଁରେ ଏବେ ସ୍କୁଲ, ପିଲାଏ ସ୍କୁଲ ଘରେ ପାଟିତୁଣ୍ଡ କରିବାରେ ବ୍ୟସ୍ତ । ଶଙ୍କର ଠିକ୍‌ ଚିହ୍ନିପାରିଲା-ସ୍କୁଲମାଷ୍ଟ୍ରେ ସେତେବେଳେ ଜଣଙ୍କ ବାରେଣ୍ଡାରେ ତାସ୍‌ ଖେଳିବାରେ ବ୍ୟସ୍ତ ଥିଲେ ।

 

ଗାଁ ଦାଣ୍ଡରେ ଚାଲିଗଲାବେଳେ ଶଙ୍କର ଦେଖିଲା–ସାମ୍ନାରେ ଦି’ ତିନିଜଣ ଭେଣ୍ଡିଆ ପିଲା ରବର ଚପଲ ଫଟ୍‌ ଫଟ୍‌ କରି ଚାଲିଛନ୍ତି । ସମସ୍ତଙ୍କ ହାତରେ ଟ୍ରାନ୍‌ଜିଷ୍ଟର, ଗୀତର ଲହରୀ ଛୁଟିଛି । ପିନ୍ଧିଛନ୍ତି ଚେକ୍‌ ଲୁଙ୍ଗି-ନାଲି ହଳଦିଆ ମିଶା ମିଶି ବାଘ ଛାଲ ଭଳି ଛିଟ କନାର ପଞ୍ଜାବୀ, ମାଇପିମାନଙ୍କ ଭଳି ବେକ ତଳକୁ କେରାଏ ବାଳ ଝୁଲି ରହିଛି । ସିଗାରେଟ୍‌ ଟାଣି ଟାଣି ସେମାନେ ଘୂରି ବୁଲୁଥାଆନ୍ତି ଗାଁ ମଝିରେ ଥିବା ଟିଉବ୍‌ଓ୍ୱେଲ୍‌ ପାଖକୁଯାଇ ସେମାନେ ଚଟାଣ ଉପରେ ବସିଗଲେ । ଚଟାଣଟା ଭାଙ୍ଗିଯାଇ ଖଣ୍ଡିଆ ଖାବେରା ହୋଇ ପଡ଼ି ରହିଛି । ଟିଉବ୍‌ଓ୍ୱେଲ୍‌ରୁ ପାଣି ବାହାରୁନି । ତିଆରି ହେଲାବେଳେ କିଏ ତାକୁ ବାଡ଼େଇ ଭାଙ୍ଗି ଦେଇଥିଲା–ଶଙ୍କର ଶୁଣିଥିଲା–ଏଇ ଟିଉବ୍‌ଓ୍ୱେଲ୍‌ ନେଇ ଗାଁରେ ଲାଗିଥିଲା ଗଣ୍ଡଗୋଳ । ପ୍ରଧାନ ସାଇ ବାଲା କହୁଥିଲେ ତାଙ୍କ ପଟେ ବସିବ । ବାଉରି ସାହିରେ ନ ବସିଲା ଗାଁ ମଝିରେ । ସେଇଟା ଏବେ ଅଚଳ ।

 

ଶଙ୍କର ସେଇ ବାଟଦେଇ ଗଲାବେଳେ ସେମାନେ ପରସ୍ପର ଭିତରେ ହସାହସି ହୋଇ ସିଗାରେଟ୍‌ ଫୁଙ୍କିବାରେ ଲାଗିଗଲେ । କିଏଜଣେ ଗାଁକୁ ଆସିଛି । ଲୋକଟି ପ୍ରତି ସଂଭ୍ରମ ନାହିଁ କି ସମ୍ମାନ ନାହିଁ । ବଡ଼ ବେପରୁଆ ଭାବରେ ସେମାନେ ଗପ କରୁଥିଲେ । ସେମାନଙ୍କ ଉପରେ ଥରୁଟିଏ ଆଖିପକେଇ ଦେଇ ଶଙ୍କର ଗାଁ ମଝିରୁ ଡାହାଣି ହାତି ବୁଲିଗଲା । ଗାଁ ମଝିର ପ୍ରଧାନ ପୋଖରୀ କୂଳରେ ତାଙ୍କ ଘର ।

 

ପୋଖରୀ କୂଳର ବନ୍ଧ ଉପରେ ଥିବା ଟିଣିଆ ଗଛଟା ଆଗଭଳି ସେମିତି ଛତାଟେକି ରହିଛି । ଡାଳ କେଇଟା ତା’ର ଝୁଲିପଡ଼ି ଏବେ ପାଣି ଛୁଇଁଲାଣି । କୂଳେ କୂଳେ ଧାଡ଼ି ଧାଡ଼ି ବେଗୁନିଆ ଓ ଗୁରୁଝାଟିଆ ଗଛର ଅରମା । ଆଗଭଳି ଆଉ ବହଳିଆ ହୋଇନାହିଁ । ଲୋକେ ହାଣିକାଟି ଖଳାବାଡ଼ି କଲେଣି । ନିଜ ଡିହ ସାଙ୍ଗେ ମିଶେଇ ସାରିଲେଣି । ପୋଖରୀ କୂଳ ଦେଇ ଘରଆଡ଼େ ଚାଲିଥିଲାବେଳେ ହଳକୁ ହଳ ଘର ଚଟିଆ ଫରକିନି ଉଡ଼ିଯାଇ ପୋଖରୀ ଉପରେ, ତଳକୁ ଉପରକୁ ଘେର ଖାଇ ଖାଇ ଟିଣିଆ ଗଛର ଡାଳରେ ବସୁ ନବସୁଣୁ ପୁଣି ଉଡ଼ିଆସି ଲୁଚି ଯାଉଥାଆନ୍ତି ବେଗୁନିଆ ଗଛର ପତ୍ର ଗହଳିରେ । ରାସ୍ତା ଆଗେ ଆଗେ ଦଳ ଦଳ କୁଆ ଉଡ଼ିଯାଇ ବସୁଥାଆନ୍ତି ଆଗରେ । ସତେଅବା ଶଙ୍କରକୁ ସେମାନେ ବାଟ କଢ଼େଇନେଇ ଯାଉଥାଆନ୍ତି ।

 

ଶଙ୍କର ଭାବୁଥିଲା–ସବୁତ ଠିକ୍‌ ଆଗଭଳି ଅଛି ? ବଦଳିଛି ଆଉ କ’ଣ ? ଲୋକମାନେ କେବଳ ବଦଳି ଯାଉଛନ୍ତି ।

 

ପୋଖରୀହୁଡ଼ା ଆରପଟୁ ବାଡ଼ି ଠୁକ୍‌ ଠୁକ୍‌ କରି ଆସୁଥିଲା କାର୍ତ୍ତିକ ପ୍ରଧାନ ବୁଢ଼ା । ଶଙ୍କର ତାକୁ ଭଲରୂପେ ଚିହ୍ନିଛି । ଲମ୍ୱା ଚଉହାତିଆ ମଣିଷ । ବାପା ଥିଲାବେଳେ ଜମିଚାଷ କରୁଥିଲା । ବଡ଼ ସଚୋଟ ଲୋକ, କାହାର ହାନିଲାଭରେ ନଥାଏ । ମାଟି ସାଙ୍ଗରେ ମାଟି ଭଳି ଲାଗିଥିବ । କି ଦିନ କି ରାତି ସାତକାଳି ବାରମାସୀ ସେ ବିଲରେ । ମାଟିତାଡ଼ି ସେ ନିଜ ବାହୁ ବଳରେ ବାଟିଏ ହବ ଜମି କିଣିଥିଲା । ପୁଅମାନେ ସେଥିରୁ ଅଧେହେବ ବିକିଦେଲେ ନିଜର ଅଯୋଗ୍ୟ ପଣରେ । ଏବେ ନାତିମାନେ ଭେଣ୍ଡା ହେଲେଣି । କଟକ କଲିକତା ଯାଇ ସେମାନେ ନିଜକୁ ନିଜେ ଚଉଦପା । ଗାଁର ବଡ଼ ଚାଷୀମାନଙ୍କ ଭିତରୁ କାର୍ତ୍ତିକ ପ୍ରଧାନ ଜଣେ । ହେଲେ ବୁଢ଼ାର ଆଉ ସେ ବଳବୟସ ନାହିଁ । ଚମ ଧୁଡ଼ୁ ଧୁଡ଼ୁ ଦିହ । ଅଣ୍ଟା ନଇଁ ପଡ଼ିଲାଣି, ମୁଣ୍ଡରେ ବେଙ୍କିଏ ନୁଟି । ମୁହଁଯାକ ପାଚିଲା ରୁଢ଼ । ଦାନ୍ତ ପଡ଼ିନି କି ଆଖିକି ଅଦୃଶ୍ୟ କିଛି ହୋଇନି । କାହିଁ କେତେ ବର୍ଷର ବୁଢ଼ା ।

 

ସେଇ କେବଳ ତାକୁ ଚିହ୍ନିପାରିଲା ଓ ବାପାଙ୍କ କଥା ସବୁ ବଖାଣି କେତେ କ’ଣ କହିଲାଗିଲା । ପଚାରିଲା–ଘର କଥା, ପିଲାମାନଙ୍କ କଥା କହିଲା ଗାଁଆଡ଼େ କାଇଁ ଆସୁନାହିଁ । ବାପାଙ୍କ ଜମିବାଡ଼ି ସବୁ ରଖିବଟି-ନାଁ, ତାଙ୍କର ନାଁ ବୁଡ଼େଇଦେବ ?

 

ଶଙ୍କର ହଁ-ନାଇଁ କରି ଜବାବ୍‌ ଦେଲା । ଭାବୁଥିଲା–ଏମାନେ ସବୁ ଅଛନ୍ତି । କର୍ପୂର ଯାଇ କନା ପଡ଼ିରହିଛି । ଗାଁସାରା ଚାରିଆଡ଼େ କାର୍ତ୍ତିକ ପ୍ରଧାନ ଭଳି ଲୋକ ଯେବେ ଭରପୂର ହୋଇ ରହିଥାଆନ୍ତେ ତା’ହେଲେ ସେ ସହର ଛାଡ଼ି ଗାଁରେ ଆସି ରହନ୍ତା । ଚାକିରି ଦରକାର ନାହିଁ, ପରର ଗୋଲାମୀ ଦରକାର ନାହିଁ, କି ଦରକାର ନାହିଁ ତା’ର କୋଠାବାଡ଼ି, ବ୍ୟାଙ୍କ୍‌ ବାଲାନ୍‌ସ, ଗାଡ଼ିଘୋଡ଼ା କି କ୍ଷମତା କରାମତି ଆଦି । ଦରକାର ତା’ର ଭଲ ମଣିଷଗୁଡ଼ିଏ-ଯେଉଁମାନଙ୍କୁ ଦେଖିଲେ ପେଟ ପୂରିଉଠେ ଓ ଆପେ ଆପେ ସେମାନଙ୍କ ପାଖରେ ମଥା ନଇଁଯାଏ ।

 

ଗାଁ ମାଇପେ ଓଢ଼ଣା ଟାଣି, ପାଦ ଗଣି ଗଣି, ଇଆଡ଼ିକି ସିଆଡ଼ିକି ଅନେଇ ଗରା କାଖେଇ ସେତେବେଳେ ପାଣିନେବାରେ ବ୍ୟସ୍ତ ଥିଲେ । ଆର କୂଳରେ କିଏଜଣେ ହଳେ ଗୋରୁଙ୍କୁ ପୋଖରୀରେ ପୂରେଇ ପାଳରେ ସେମାନଙ୍କୁ ଘଷିଲାଗିଲା । ଶଙ୍କର ବାହାରୁ ଦେଖିଲା–ତାଙ୍କ ପିଣ୍ଡାଟା ଅଳିଆ ଅସନାରେ ଭର୍ତ୍ତି । ପଥର ସବୁ ହୁଗୁଳି ଆଁ କରିଛି । ପିଣ୍ଡା ଉପରେ ଲଣ୍ଡା ଲଣ୍ଡା ଗୋବର ଭର୍ତ୍ତି । ଚାଳରେ ପାରା ବସା ବାନ୍ଧିଛନ୍ତି । ଅଳିଆ କୁଦି ପିଣ୍ଡା ଉପରକୁ ଉଠିଗଲାବେଳେ ପାରାହଳେ ଠିକ୍‌ ତା’ ମୁଣ୍ଡ ଉପରଦେଇ ଦୌଡ଼ିଗଲେ ।

 

ବ୍ୟାଗରୁ ଚାବି କାଢ଼ି ଶଙ୍କର ଶିକୁଳିଟାକୁ ଖୋଲିବାକୁ ଯାଉଛି । ଦେଖିଲାପଛଆଡ଼େ ଠିଆହେଲାଣି ଆସି ଗୋପାଳ ଚମ୍ପତ୍ତିରାୟ । ପଛରେ ଆଉଜଣେ ଅଠା ହାଣ୍ଡିଟିଏ ଧରିଛି । ଗୋପାଳ ହାତରେ ବଡ଼ ଫର୍ଦ୍ଦେ କାଗଜ-ଖୋଲା କାନ୍ଥ ଦେଖି ସେମାନେ ମାରିଦେବେ ବିଜ୍ଞାପନ । ଦଳର କାର୍ଯ୍ୟକ୍ରମ । ପଶିଗଲା ବେଳକୁ ତା’ ସାଙ୍ଗେ ଦେଖା ।

 

ଶଙ୍କର ଘରଟା, ଗାଁରେ ଅମୁହାଁ ଦେଉଳ ଭଳି ପଡ଼ିରହିଛି । କେହି ହେଲେ ନାହାନ୍ତି । କାଁ ଭାଁ ଶଙ୍କରକୁ ଆସିବାକୁ ପଡ଼େ । ଜମି ଯାହାକିଛି ଭାଗଚାଷ ଲଗେଇଥିଲା, ପ୍ରଜାଏ ମାଡ଼ିବସିଲେଣି । ଦଶପଶ ଛ’ପଣ ଯାହାକିଛି ଦେଉଥିଲେ ଏବେ ସେତକ ବି ନାହିଁ । ଫସଲ ଯାହା ମିଳେ ସେତକ ତାଙ୍କର ବର୍ଷେ ଯାଏନି । ନାଁକୁ କେବଳ ଏତେ ଜମି । ଫସଲ ଯାହା ମିଳେ ସେତକ ତାଙ୍କର ବର୍ଷେ ଯାଏନି । ନାଁକୁ କେବଳ ଏତେ ଜମି । କେହି କେବେ ଦେଖି ଆସିନାହିଁ ଜମି ତାଙ୍କର ନିରସ ପଡ଼ିଆ ପଦର କିମ୍ୱା ଭଲ ଦୋଫସଲି । ପଟା ପାଉତି ଦେଖି ଶିଲିଂ ଧାର୍ଯ୍ୟ କରିଦେଲେ । କିଏ ବା କାହାକଥା ବୁଝୁଛି । ପାଟି ଫିଟେଇବାକୁ ଚାରା ଧାର୍ଯ୍ୟ କରିଦେଲେ । କିଏ ବା କାହାକଥା ବୁଝୁଛି । ପାଟି ଫିଟେଇବାକୁ ଚାରା ନାହିଁ । ନିୟମ ସମସ୍ତଙ୍କ ପାଇଁ । କିନ୍ତୁ ଯୋଉମାନଙ୍କର ଶହ ଶହ ଏକରର ଫାର୍ମ ଅଛି, ନଡ଼ିଆ ବଗିଚା ଓ ଝାଉଁ ବଗିଚା ଅଛି ସେମାନଙ୍କ ପାଇଁ ନିୟମ କାଟୁ କରେନି ।

 

ଆଲୋକ ସମ୍ୱନ୍ଧରେ ଗୋପାଳ ଚମ୍ପତ୍ତିରାୟ ତାକୁ ଖବର ଦେଇଥିଲା । ଶଙ୍କର ତାକୁ ପୁଅ ବିଷୟରେ ପଚାରିବାକୁ ଗଲାବେଳେ–

 

ଗୋପାଳ ତା’ପାଟିରୁ ପ୍ରଶ୍ନଟା ଛଡ଼େଇନେଇ କହିଲା–ଏଇ ଆଜି ତ ସେ ଗାଁକୁ ଆସିଥିଲା । କୁଆଡ଼େ ପୁଣି ଚାଲିଗଲାଣି । ଗୋପାଳ କହିଲା–ସେ ତାକୁ ଦେଖିନି । ପରସ୍ପରରେ ଶୁଣିବାକୁ ପାଇଛି । ତର ତର ହୋଇ ସେ ଚାଲିଯାଉଥିଲା–ଯାଉ ଯାଉ କହିଲା–ଦି’ଦିନ ପରେ ଗାଁରେ ଗୋଟିଏ ବଡ଼ ଧରଣର ସଭାହେବାର ଅଛି । ନେତା ଆସି ବକ୍ତୃତା ଦେବେ । ସାଙ୍ଗରେ ଡାକ୍ତର ଦଳ ଆସିବେ । ଗାଁରେ ପରିବାର ନିୟନ୍ତ୍ରଣ ଅପରେସନ୍‌ କରିବେ । ଅନ୍ୟୂନ କୋଡ଼ିଏ ଜଣଙ୍କୁ ତାକୁ ଠିକ୍‌ କରିବାକୁ ପଡ଼ିବ । ସେଥିପାଇଁ ଅନେକ ଅନେକ ଲୋକଙ୍କୁ ଡକରା । ଛୋଟକାଟର ଗୋଟିଏ ଉତ୍ସବ । ଖିଆପିଆର ବନ୍ଦୋବସ୍ତ ଚାଲିଛି । ସବୁ ଦାୟିତ୍ୱ ପଡ଼ିଛି ଗୋପାଳ ଚମ୍ପତ୍ତିରାୟ ଉପରେ । ବହୁତ ବହୁତ କାମ । ନିଶ୍ୱାସ ମାରିବାକୁ ତାକୁ ତର ନାହିଁ । କଥାବାର୍ତ୍ତା ହେବାକୁ ସମୟ ନାହିଁ ।

 

ଦୁଆରର ଶିକୁଳିଟାକୁ ଶଙ୍କର ଖୋଲିପାରୁନଥିଲା । ଶିକୁଳିଟା ଜଙ୍କ୍‌ ଖାଇ ଜାବ ପଡ଼ିଯାଇଛି । ଦି’ବର୍ଷ ହେଲା ଘରଛପର ହୋଇନି । ଜୋର ଖର୍ଚ୍ଚ କରି ଶିକୁଳିଟା ଖୋଲିଦେଲାବେଳକୁ ଘରଭିତରୁ ଦଲକାଏ ହେବ ଗରମ ପବନ ଉବୁକେଇଆସିଲା । ଦି’ଚାରିଟା ଚୁଟିଆ ମୂଷା ଦଉଡ଼ିଧାପଡ଼ି କରିବାରେ ଲାଗିଗଲେ । ଅଖା କେଇଖଣ୍ଡ ଘରେ ଥିଲା । ସେତକ ସେମାନେ ଟିକି ଟିକି କରିଦେଇଛନ୍ତି । ହାଣ୍ଡି କୁଣ୍ଢେଇ, ଟହୁଗିନା, ଡାଲା ବାଉଁଶିଆ କେତେଟା ତଳେ ଗଡ଼ୁଛି, ଚଉକିଟିଏ ପଛୁଆ ଓଲଟିପଡ଼ିଛି । ମସିଣା ଖଣ୍ଡିଏ ଘରେ ଆଉଜା ହୋଇଥିଲା, ସେଇଟା ଫିମ୍ପିମାରି ଗଲାଣି । କାଠ ବାକ୍‌ସଟିଏ ପିଢ଼ା ଉପରେ ଥୁଆ ହୋଇଥିଲା, ମୂଷାମାନେ ତାକୁ କଣା କରିସାରିଲେଣି । ଚାଳରୁ ଅଳନ୍ଧୁ ସବୁ ବରସିଅ ଭଳି ଘରେ ଝୁଲୁଛି । ଶଙ୍କରକୁ ଏସବୁ କିଛି ଭଲ ଲାଗିଲାନି । ଅଳ୍ପ ସମୟ ଖୋଲାରଖି ପୁଣି ସେ ଘରେ ଶିକୁଳି ଦେଲା । ମନେମନେ ସେ ଭାବିନେଲା-ସେ ଘର ଦେଖିବାକୁ ଆସିନି-ଆସିଛି ଆଲୋକକୁ ଖୋଜି ବାହାର କରିବାକୁ । ଚାବି ଦେଇ ଓ ହାତରେ ବ୍ୟାଗ୍‌ ଖଣ୍ଡିକ ଝୁଲେଇ ଶଙ୍କର ପୁଣି ଗାଁ ଦାଣ୍ଡକୁ ବାହାରିପଡ଼ିଲା । ଠିକ୍‌ କଲା–କୁଆଡ଼େ ଖୋଜଖବର ନ ପାଇଲେ ସେ ଫେରିଯିବ । ଯୁଆଡ଼େ ଯିବ ସେ ଯାଉ, ବାଇଆଙ୍କ ଭଳି ତାକୁ ଖୋଜି ଖୋଜି ଲାଭ ନାହିଁ ।

 

ଜଣେ କିଏ ପଛରୁ ନାଁ ଧରି ଡାକୁଥିଲା । ଶଙ୍କର ମୁହଁ ଫେରେଇ ଦେଖିଲା–ସାଁ ସିଂହାର ବୁଢ଼ା ବାବୁ ଡାକୁଛି । ପାଖକୁ ଯିବାରୁ ବୁଢ଼ା କହିଲା ଘରଟା ଖୋଲିଛି କି ନାହିଁ ସେମିତି ସେମିତି ପକେଇବ ? ବୁଢ଼ା ଶଙ୍କରକୁ ଘରକୁ ଡାକିନେଲା । ଗଲାବେଳେ କହି ଚାଲିଥିଲା–ବାପାଙ୍କ କଥା । ସେ କିପରି ଏଇ ଗାଁର ନୁହଁନ୍ତି, ପାଖଆଖ ଦଶକୋଡ଼ିଏ ଖଣ୍ଡ ଗାଁରେ ଜଣେ ନାମଯାଦା ଲୋକ ଥିଲେ । ସମସ୍ତେ ତାଙ୍କୁ ମାନନ୍ତି । କେତେ କେତେ ଲୋକଙ୍କୁ ସେ ବିପଦରୁ ଉଦ୍ଧାର କରିଛନ୍ତି । ଜେଲ୍‌ ଖଟିବା ଲୋକ ତାଙ୍କ ଯୋଗୁ ନିର୍ଦ୍ଦୋଷରେ ଖଲାସ୍‌ ହୋଇଥିଲେ । ତା’ର ଅବଶ୍ୟ କିଛି ଦୋଷ ନଥିଲା । ଜମିବାଡ଼ି ଗଣ୍ଡଗୋଳରେ ଗାଁର ଗୋପାଳ ମିଶ୍ରଙ୍କ ସାଙ୍ଗେ ସଦେଇ ସେଠିର କନ୍ଦଳ ବେଳେ ସାଁସିଂହାର ସଦେଇର ପକ୍ଷ ନେଇଥିଲେ । ଗୋପାଳ ମିଶ୍ରେ ସେତେବେଳେ ଗାଁରେ ହର୍ତ୍ତାକର୍ତ୍ତା ଦୈବବିଧାତା । ସଦେଇ ସେଠି ଜମିକି ନିଜ ଜମି ସାଙ୍ଗେ ମିଶେଇଦେବାରୁ ସେ ପାଟିତୁଣ୍ଡ କଲା । ମିଶ୍ରେ କହିଲେ–ଟଙ୍କା ନେଇ ଜମି ଛାଡ଼ିଯା । ସଦେଇ ମନାକଲାରୁ ନାନା ପେଞ୍ଚପାଞ୍ଚ ରଚନା କରି ସେ ତାକୁ ଗାଁରୁ ଉଠେଇଦେବେ ବୋଲି ଠିକ୍‌ କଲେ । କୋଉକାଳରୁ ଧୋବା ଘରଟିଏ ଗାଁ ମୁଣ୍ଡେ ରହିଥିଲା । ହାଣ୍ଡି କୁଣ୍ଢେଇ ଓ ପିଲାକବିଲାଙ୍କୁ ଧରି ସେ ଯିବ କୁଆଡ଼େ-? ଥରେ ମିଶ୍ରେ ଆସି ସେଠି ଘରେ ଜୁଲମ କଲେ । ସଦେଇ ପାଟିତୁଣ୍ଡ କିଛି କରୁନଥିଲା-। ଗଛ ଉହାଡ଼ରେ କଟୁରି ଧରି ଜଗି ବସିଥିଲା । ସେଇ କଟୁରିରେ ଦି’ ଚାରି ଚୋଟ ଦେବାରୁ ମିଶ୍ରେ ଚାରିମାସ ଡାକ୍ତରଖାନାରେ ପଡ଼ିଲେ । ଭଲ ହୋଇ ଗାଁକୁ ଆସିଲେ । କିନ୍ତୁ ମାସ ଛ’ଟା ପରେ ସେ ଇହଧାମରୁ ବିଦାୟ ନେଲେ । ସଦେଇ ଦଶବର୍ଷ ଜେଲ ଖଟିଲା । ସାଁସିଂହାରକୁ ମକଦ୍ଦମାରେ ଗୋପାଳ ମିଶ୍ରେ ପକ୍ଷ କରିଥିଲେ–ସେ ସଦେଇ ସେଠିକୁ ସାହାଯ୍ୟ କରୁଥିଲେ ବୋଲି-। ବାପା କୋର୍ଟରେ ଜବାବ୍‌ସୁଆର କରି ସାଁ ସିଂହାର ବୁଢ଼ାକୁ ମୁକୁଳେଇ ଆଣିଥିଲେ । ସାଙ୍ଗରେ ଗଲାବେଳେ ସାଁ ସିଂହାର ବୁଢ଼ା ଏସବୁ କହି ଚାଲିଥିଲା ।

 

ବେଶି କିଛି ଆୟୋଜନ ନ ଥିଲା । କେବଳ ଚୁଡ଼ାଭଜା, ହୁଡ଼ୁମ୍ୱ ଓ ଦରସିଝା ମଇଁଷି କ୍ଷୀର । ଶଙ୍କରକୁ ବଡ଼ ଆରାମ ଲାଗିଲା । ଜଳଖିଆ ପରେ ପରେ ଚା’ର ବ୍ୟବସ୍ଥା । ଚା’ ଗ୍ଳାସ୍‌ଟା ସରିଛି କି ନାହିଁ ପାନ । ସେତେବେଳେ ଉଦୁଉଦିଆ ଖରାବେଳ । ଶଙ୍କର ଖରାବେଳଟା ସାଁ ସିଂହାର ବୁଢ଼ା ସାଙ୍ଗେ କଥାବାର୍ତ୍ତାରେ ବୁଡ଼ି ରହିଲା । ଖରାର ଛାଇଟା ଚାଳଉପରୁ ଆସ୍ତେ ଆସ୍ତେ ତଳକୁ ଓହ୍ଳେଇଆସୁଥିବା ଦେଖି ଶଙ୍କର ବାହାରିବାକୁ ଉଦ୍ୟତ ହେଲା । ସାଁ ସିଂହାର ବୁଢ଼ା ମନା କରୁଥିଲା । ଗାଁର ଆଉ କେତେଜଣ ଆସି ସେଠି ଜମା ହୋଇଥିଲେ । ଗାଁ ପିଲାଏ ଘରଟା କେବଳ ଚିହ୍ନନ୍ତି । ଶଙ୍କରକୁ କେହି କେବେ ଦେଖିନଥିଲେ । ଅଳ୍ପବହୁତେ ଚିହ୍ନା ପରିଚୟ ଓ ହସିଖୁସି ହେଲାବେଳେ ଶଙ୍କର ଭାବୁଥିଲା–ଯୋଉମାନେ ତାଙ୍କର ଜମି ଭାଗ ଧରିଥିଲେ, ସେମାନଙ୍କ ଭିତରୁ ଜଣେହେଲେ ଆସିଲେନି । ଶିଲିଂ ଧାର୍ଯ୍ୟ ହେଲାପରେ ଜମିକି ସେମାନେ ମାଡ଼ି ବସିଛନ୍ତି । ତାଙ୍କ ପିତୃପୁରୁଷ ଅମଳର ଜମିରୁ ଧାନ ଆଣି ସେମାନେ ଆଜିଯାଏଁ ଚଳି ଆସିଥିଲେ । ସେ ଏଇନେ ତାଙ୍କର ନୁହେଁ । ପେଟ ଭିତରେ କେମିତି ଗୋଟିଏ ବେଦନା ଅନୁଭବ କରୁଥିଲା ଶଙ୍କର । ଭାବୁଥିଲା–କାହିଁ ତାଙ୍କ କଥା କେହି ତ ବୁଝିଲେନି ? ସେମାନଙ୍କ ଭଳି ହଜାର ହଜାର ଲକ୍ଷ ଲକ୍ଷ ଅଭାଗା ଏ ଦେଶରେ ଅଛନ୍ତି । ସେମାନେ ତ କାହାର ତଣ୍ଟିଚିପି କି କାହାକୁ ଠକି ବା ଦଗାବାଜି କରି ଏସବୁ ଅର୍ଜନ କରିନଥିଲେ ? ବାପା ଗୋସେଇଁବାପାଙ୍କ ଅମଳର ଜମି । ବଂଶାନୁକ୍ରମ କେବଳ ତାଙ୍କ ପାଖକୁ ଆସିଥିଲା । ଜମି ଯିଏ ଚାଷ କଲା ଜମି ତା’ରି ହେଉ, କିଛି ଆପତ୍ତି ନାହିଁ । କିନ୍ତୁ ଯୋଉ ଅସହାୟ ଲୋକେ ଜମି ହରେଇଲେ ସେମାନଙ୍କ କଥା ବୁଝୁଛି କିଏ ? ଶଙ୍କର ମନେମନେ ଠିକ୍‌ କଲା–ସେ ଘରକୁ ଯାଇ ଆଉ ଲାଭ ନାହିଁ । ଯାହା କିଛି ଘରଡ଼ିହ, ଜମିବାଡ଼ି, ଆଦି ଠୁଙ୍କା ଗଛଟିଏ ଭଳି ପଡ଼ି ରହିଛି, ସେ ସବୁକୁ ସେ ବିକ୍ରି କରିଦେବ । ଏଇ ଗାଁ ତା’ର ଜନ୍ମମାଟି ହେଉ ବା ଯାହାକିଛି ତା’ ସାଙ୍ଗେ ସଂପର୍କ ଥାଉ ତାକୁ ସେ ତୁଟେଇଦେବ । ଗାଁକୁ ସେ ଆଉ ଆସିବନି କି ଇଆ ମୁହଁ ଚାହିଁବନି । କେବେ ଆଉ ସେ ଆସିବନି ।

 

ସନ୍ଧ୍ୟାବେଳକୁ ଯାଇ ଗାଡ଼ି, ଅନେକ ବେଳ ଅଛି । ଷ୍ଟେସନ ପ୍ଳାଟ୍‌ଫର୍ମରେ ଏତେବେଳଯାଏଁ କ’ଣ ସେ କରିବ ? ଶଙ୍କର ଠିକ୍‌ କଲା–ସିଧାବାଟେ ନଯାଇ ପାଖରେ ଥିବା ଦି’ଖଣ୍ଡ ବଡ଼ ବଡ଼ ଗାଁ ଭିତରେ ସେ ଯିବ । କାଳେ ଆଲୋକ ବିଷୟରେ କିଏ ତାକୁ ଖବର ଦେଇପାରିବ । ଲୋକଙ୍କ ସାଙ୍ଗେ କଥାହେଲେ ଘଟଣାଟା ଅନ୍ତତଃ ସେ ଜାଣିପାରନ୍ତା ।

 

ଶଙ୍କର ବ୍ୟାଗ୍‌ ଖଣ୍ଡିକ ହାତରେ ଝୁଲେଇ ଝୁଲେଇ ଗାଁ ମୁଣ୍ଡେ ହେଲାବେଳେ ଅନୁଭବ କରୁଥିଲା–ତା’ର ଏଇ ଅତିପ୍ରିୟ ଜନ୍ମଭୂମି ପଛପଟୁ ଅବା ତାକୁ ନାନାପ୍ରକାର ବିଦ୍ରୂପ କରୁଛି, ଅଟହାସ୍ୟ କରୁଛି । ବାପା ଥିଲାବେଳେ ଓ ଜମିବାଡ଼ି ସବୁ ପ୍ରଜାଏ ଭାଗ ଧରିଥିଲାବେଳେ, ସେମାନେ ଅଧାବାଟ ଯାଏଁ ତାକୁ ବାଟେଇବାକୁ ଆସନ୍ତି । କାନ୍ଧରେ ଗାମୁଛା ପକେଇ ମୁଣ୍ଡ ନୁଆଁଇ ନମସ୍କାର କରି ଫେରନ୍ତି । ସେ ସମୟ ଆଉ ନାହିଁ । ଅବସ୍ଥା ବଦଳି ଗଲାଣି, ଲୋକେ ବଦଳି ଗଲେଣି, ଗାଁ ବି ବଦଳି ଗଲାଣି । ସେ ଆକର୍ଷଣ ନାହିଁ କି ଆନ୍ତରିକତା ନାହିଁ । ସମସ୍ତେ ଦଉଡ଼ିଛନ୍ତି ଟଙ୍କାପଇସା ପଛରେ । ପରରୁ ଜିନିଷ ଆଣି ନିଜର କରିବେ । ରାତାରାତି ବଡ଼ଲୋକ ହେବେ । କାହାକୁ ମାନିବେନି ଓ କାହା କଥା ଶୁଣିବେନି । ସେଇ ହେଲା ସେମାନଙ୍କର ପ୍ରାଚୁର୍ଯ୍ୟ ସେଥିରେ ପ୍ରାଣ ନାହିଁ । ଯେତେ ଶିକ୍ଷାପାଆନ୍ତୁ, ସେଥିରେ ମଣିଷପଣିଆ ନାହିଁ । କି ଏକ କିମାକାର ଜୀବଗୁଡ଼ିଏ ସୃଷ୍ଟି ହେବାରେ ଲାଗିଛନ୍ତି । ଶଙ୍କର ଏମିତି କେତେ କଥା ଭାବି ଭାବି ହିଡ଼େ ହିଡ଼େ ଚାଲିଥିଲା ।

 

ହିଡ଼ରେ ହିଡ଼ରେ ଅଳ୍ପବାଟ ଗଲା ପରେ ପଡ଼ିଲା ଗୋଟିଏ ଗୋହିରୀଆ ଅଣଓସାରି ରାସ୍ତା । କରେ କରେ କିଆବୁଦାର ଅରମା । କିଆପତ୍ରସବୁ ରାସ୍ତାଉପରେ ଅଜାଡ଼ି ହୋଇପଡ଼ିଛି । ସତେଅବା ସରୁ ସରୁ ବାହା ମେଲେଇ ବାଟୋଇମାନଙ୍କୁ ସେମାନେ ଓଳଗି ହେଉଛନ୍ତି । କିଆବୁଦା ତଳକୁ ଆଗେ ଆଗେ ଧାନଜମି ଥିଲା । ଏବେ କିନ୍ତୁ ସେ ସବୁ ଡିହରେ ପରିଣତ ହେଲାଣି । ଧାନଗଦା ରଖି ଜଣେଅଧେ ସେଠି ଖଳା କଲେଣି । ଠାଏ ଠାଏ ନଡ଼ିଆ ଓ ଆମ୍ୱଗଛ ପୋତିଥିଲେ-। ସେ ସବୁ ବଡ଼ ବଡ଼ ଦ୍ରୁମରେ ପରିଣତ ହେଲାଣି । ସେଇ ଅଣଓସାରିଆ ରାସ୍ତାଟା ଡେଇଁଗଲା ପରେ ବାଆଁପଟେ ଗୋଟେ ପଦର, ଆଗେ ସେଠି ନାଳଥିଲା । ନାଳଟା ଶୁଖିଯାଇ ବୁଦିବୁଦିକିଆ ଘାସ ଓ କୋଇଲିଖିଆ ଗଛରେ ସେ ଜାଗାଟା ଏବେ ଭରପୂର । ପରେ ପରେ ପଡ଼ିଲା ଗୋଟିଏ ବରଗଛ, ସବୁଜ ପତ୍ରର ଛତାଟେକି ରାସ୍ତାକରରେ ଠିଆ ରହିଛି । ନାଳରେ ପାଣିଥିବାରୁ ସେ ସ୍ଥାନଟା ଆଗେ ଖାଲୁଆ ଥିଲା । ବରଗଛ ମୂଳରୁ ରାସ୍ତାଟା ଉପରକୁ ଉପରକୁ ଉଠିଯାଇଛି । ଖାଲି ଜାଗାଟା ମାଟିପଡ଼ି ରାସ୍ତାସାଙ୍ଗେ ମିଶିନି । ରାସ୍ତା ଉପରକୁ ଉଠିଯାଇ ଶଙ୍କର ଦେଖିଲା–ଆଗରେ ଗୋଟିଏ ଗହଳିଆ ଗାଁ-ଗଡ଼ ରଘୁନାଥପୁର ପରେ ପରେ କୁମୁଣ୍ଡାଳ ଓ ବେଗୁନିଆପଡ଼ା । ପାଖରୁ ରଘୁନାଥପୁର ସାଆନ୍ତରାଘର କୋଠାଟା ଦେଖାଯାଉଥିଲା । ଗହଳିଆ ପଛପତ୍ର ଗହଳିରେ ଏକେଲା ଠିଆ ରହିଛି । ଗାଁର ଗଛପତ୍ର ଓ ଘର ସବୁ ଶଙ୍କରକୁ ଜଣାପଡ଼ିଲା । ଯେପରି ଅବା ଗୋଟିଏ ଗାଈ ଗୋଠ ଓ ସାଆନ୍ତରାଘର କୋଠାଟା ଗାଈଜଗା ପିଲାଭଳି । ଗାଈଗୋଠଟାକୁ ସେ ଅବା ଜଗି ରହିଥିଲା । ଦୟାନଦୀ କୂଳେ କୂଳେ ।

 

ରଘୁନାଥପୁରର ସାଆନ୍ତରା ଘର ଜଟଣି ଅଞ୍ଚଳରେ ବଡ଼ ଜଣାଶୁଣା । ଲୋକନାଥ ସାଆନ୍ତରାଙ୍କ ବେଳେ ଘର ୟାଙ୍କର ଏତେ ନାମଯାଦା ହୋଇପାରିଥିଲା । ସମସ୍ତେ ତାଙ୍କୁ ସରଦାର ବୋଲି ଡାକନ୍ତି । ସେ ଥିଲେ କୁଲି ସରଦାର । କଲିକତା ଓ ଆସାମକୁ କୁଲି ଯୋଗାଉଥିଲେ ପୈତୃକ ଜମିବାଡ଼ି ସେମିତି କିଛି ନ ଥିଲା । କୁଲିଙ୍କ କମିଶନ ପଇସାରେ ତାଙ୍କର ଶହ ଶହ ଏକର ଜମି । ଗାଁରେ ଦୋତାଲା କୋଠା । କାର, ଜିପ୍ ଓ ଟ୍ରକ ଆଦି ମାଳ ମାଳ । ଟ୍ରାକ୍‌ଟର ଓ ପାଣି ପମ୍ପ ବି ଅଛି । ଜମିସବୁ ଏକାଠି ଲଗାଲଗି । ଦଶ ପନ୍ଦର ଏକରଯାଏଁ ଏକ ଚଉଡ଼ା ଜମି । ସେ ସବୁ ଉପରେ ଶିଲିଂ ଧାର୍ଯ୍ୟ କରାଯାଇନି । ଲୋକନାଥ ସାଆନ୍ତରା କେଇବର୍ଷ ହେଲା ମରିଗଲେଣି । ତାଙ୍କ ପରେ ପରେ ନଟବର ସାଆନ୍ତରା । ବାପାଙ୍କ ଅମଳର ସେଇ କୁଲି ଯୋଗାଣ ବ୍ୟବସ୍ଥା ଏବେ ବି ତାଙ୍କର ଚାଲୁ ରହୁଛି । ତାଛଡ଼ା ସେ ହେଲେ ଜଣେ ସ୍ପେଶାଲ କ୍ଳାସ କଣ୍ଟ୍ରାକ୍‌ଟର । ତାଙ୍କୁ ଡକାଯାଇ ବଡ଼ ବଡ଼ କାମ ଦିଆଯାଏ । ଭୁବନେଶ୍ୱରର ସବୁ ବଡ଼ ବଡ଼ ଅଫିସରେ ତାଙ୍କର ଲୋକ ଅଛନ୍ତି । ପଇସାପତ୍ର ଦେଇ ସମସ୍ତଙ୍କୁ ସେ ବାନ୍ଧି ରଖିଛନ୍ତି । ବାପା ଲେକନାଥ ସାଆନ୍ତରା ବଡ଼ କୁଲି ସରଦାର ବୋଲି ପରିଚିତ ଥିଲେ । ପୁଅ ନଟ ସାଆନ୍ତରାଙ୍କ ଯଶ କିନ୍ତୁ ଚାରିଆଡ଼େ ବ୍ୟାପି ଯାଇଛି । ଗାଁ ଗଣ୍ଡାରେ, କଟକ ଭୁବନେଶ୍ୱରରେ ଓ ସରକାରୀ ମହଲରେ । ମନ୍ତ୍ରୀ ଓ ବଡ଼ ବଡ଼ ନେତାମାନେ ନିର୍ବାଚନବେଳେ କି ବଡ଼ ବଡ଼ କାମବେଳେ ସାଆନ୍ତରାଙ୍କୁ ଡକେଇ ପଠାନ୍ତି । ଯୋଉ କାମରେ ସେ ହାତ ଦେବେ ନ କରି ତାକୁ ଛାଡ଼ିବେନି । ସବୁଆଡ଼େ ତାଙ୍କର ସୁନାମ, ଟଙ୍କାପଇସା ପାଖକୁ ସେ କେବେହେଲେ ଯାଆନ୍ତିନି । ସବୁ କିଛି ତାଙ୍କ ପାଖକୁ ଆପେ ଆପେ ଆସେ ।

 

ବନ୍ଧେ ବନ୍ଧେ ଯାଇ ରଘୁନାଥପୁର ଗାଁ ମୁଣ୍ଡେ ହେଲାବେଳକୁ ସେ ଶୁଣିବାକୁ ପାଇଲା–ଗାଁ ଭିତରେ କ’ଣ ଗୋଟିଏ ଗୋଳ ଲାଗିଛି । ଲୋକଙ୍କ ପାଟିତୁଣ୍ଡ ଶଙ୍କର ଗାଁମୁଣ୍ଡରୁ ଶୁଣିବାକୁ ପାଇଲା । ଭାବିଲା–ଖବରଟା କ’ଣ ଆଗ ସେ ବୁଝିନେବ ।

 

ଜଣେ କିଏ ସେବାଟେ ଆସୁଥିଲା । ଶଙ୍କର ତାକୁ ଚିହ୍ନିନି । ପଚାରିଲା–କ’ଣ କିଏ ପାଟିତୁଣ୍ଡ ?

 

ଲୋକ ଜଣକ କହିଲା–ନଟ ସାଆନ୍ତରା ଫେରିଆସିଛନ୍ତି ।

 

କୁଆଡ଼ୁ ? ଶଙ୍କର ପଚରିଲା–

 

ଆପଣ ଜାଣିନାହାନ୍ତି ? ଆଠଦିନ ତଳେ ପୁଲିସ୍‌ ତାଙ୍କୁ ଧରିନେଇଥିଲେ । ଘର ତାଙ୍କର ଖାନ୍‌ତଲାସ କରିଥିଲେ । ସାଙ୍ଗରେ ବି ଗୋଟିଏ ଯନ୍ତ୍ର ସେମାନେ ଆଣିଥିଲେ । ଘରେ ତାକୁ ରଖିଦେଲେ ପୋତାଧନ କୋଉଠି ଅଛି ସେ ଦେଖେଇ ଦିଏ । ଲକ୍ଷ ଲକ୍ଷ ଟଙ୍କା ଓ ଶହ ଶହ ଭରି ସୁନା ସେମାନେ ବାହାର କରିଥିଲେ । ଘରଦ୍ୱାର କାନ୍ଥବାଡ଼ ସବୁ ଶାବଳରେ ସେମାନେ ଖୋଳି ପକେଇଥିଲେ । ଲୋକ ଭାବିଥିଲେ-ନଟ ସାଆନ୍ତରା ଆଉ ଫେରିବେନି । କିନ୍ତୁ ଦିନ ଆଠଟା ନ ଯାଉଣୁ ସେ ପୁଣି ଫେରିଆସିଲେଣି । ଲୋକ ଜଣକୁ ପଚାରିଲା–ଆପଣଙ୍କ ଘର କୋଉ ଗାଁ ?

 

ଶଙ୍କର ଗାଁନା କହିଲାନି । ଏତିକି କେବଳ କହିଲା–ସେ ପୁରୀରୁ ଆସିଛି । କାମ ଥିଲା ।

 

ଲୋକଟା ବକ୍‌ ବକ୍‌ କରି ତା’ଆଡ଼ିକି ଅଳ୍ପ ସମୟ ଚାହିଁରହି ତା’ପରେ ବାଟଭାଙ୍ଗି ଚାଲିଗଲା ବେଳକୁ–

 

ଶଙ୍କର ପଚାରିଲା–ତା’ହେଲେ ଏତେ ପାଟିତୁଣ୍ଡ କାହିଁକି ?

 

ଯୋଉମାନେ ତାଙ୍କ ଘରେ କାମଧନ୍ଦା କରି ଚଳନ୍ତି ସେଇମାନେ ପାଟି କରୁଛନ୍ତି । ନଟ ସାଆନ୍ତରା ଗାଁକୁ ଫେରିଆସିଥିବାରୁ ଆଜି ଭାଗବତ ଘରେ ଗୋଟିଏ ଖା’ପିଆର ବନ୍ଦୋବସ୍ତ ଚାଲିଛି । ଦିଅଁକୁ ଜଚା ଯାଇଥିଲା । ଗାଁବାଲା ସମସ୍ତେ ଆଜି ଖାଇବେ । ସେଇଥିପାଇଁ ଏ ପାଟିତୁଣ୍ଡ-

 

ଶଙ୍କର ପଚାରିଲା–ଏତେଶୀଘ୍ର ପୁଲିସ୍‌ ହାବୁଡ଼ରୁ ସେ କେମିତି ଖସିଆସିଲେ ?

 

ଲୋକଟି ଆସ୍ତେ କରି କହିଲା–ସେ କାହାଠୁ ଶୁଣିଛି, ଉପରମହଲରେ ନଟ ସାଆନ୍ତରା ମୋଟା ଘୁସ୍‌ ଦେଲେ । ନ ଦେଲେ ସ କ’ଣ ସହଜେ ଖସୁଥିଲେ ?

 

ଲୋକଟା ଚାଲିଯିବାକୁ ତରତର ହେଉଥିଲା ।

 

ଶଙ୍କରର ଇଚ୍ଛାଥିଲା–ଆଉ କେତେ କଥା ତାକୁ ପଚାରିବ । କହିଲା–ଆଚ୍ଛା !

 

ବଣି ଚଢ଼େଇ ହଳେ କୁଆଡ଼ୁ ଉଡ଼ିଆସି ତା’ ଯିବା ରାସ୍ତାରେ କିଛିବେଳ ଯାଏଁ ବସି, ଦିହେଁ ଦିହିଁଙ୍କି ବୁହେଯାଏ ଚୁହାଁଚୁହିଁ ହେଲେ । ଥଣ୍ଟ ହଲେଇ ଓ ଆଖି ଲହରେଇ ପୁଣି ଦିହେଁ ଉଡ଼ିଗଲେ ଆକାଶରେ ଘେର ଖାଇ ଖାଇ ।

 

ଶଙ୍କର ଠିକ୍‌ କଲା–ସେ ଆଉ ଗାଁବାଟେ ଯିବନି । କିଏ ତାକୁ କେତେକଥା ପଚାରିବେ ! କେହି ଚିହ୍ନିବେନି । କୁଆଡ଼ୁ ଆସିଛ-ନାନାଜାତି ପ୍ରଶ୍ନ । ସେଇଠୁ ଗହୀର ଭିତରକୁ ସବୁ ହିଡ଼ ରାସ୍ତାଟିଏ ପଡ଼ିଥିଲା । ହିଡ଼ରେ ହିଡ଼ରେ ଚାଲିଗଲେ ସେ ଷ୍ଟେସନ ପାଖକୁ ଚାଲିଯିବ । ଏ ଗାଁ ସେ ଗାଁ ବୁଲି ଲାଭ ନାହିଁ । ଯାହାର ଘରକୁ ଆସିବାକୁ ଇଚ୍ଛା ନାହିଁ ସେ ନ ଆସୁ । ମନେମନେ ଆଲୋକ ଉପରେ ସେ ଭାରି ବିରକ୍ତ ହେଲା । ପାଟିରୁ ତା’ର ଆପେ ଆପେ ବାହାରିପଡ଼ିଲା ଏମିତି ପୁଅ, ଥିଲେ କେତେ ନ ଥିଲେ କେତେ ? ଛୋଟ ପିଲାଟିଏ ହୋଇଛି ଯେ କୁଆଡ଼ୁ ସେ ତାକୁ ବାନ୍ଧିଆଣିବ-? ଆମେ ସିନା ଜନ୍ମ ଦେଇଛୁ ? କର୍ମ ତ ଦେଇନୁ ? ତାଙ୍କ କଲାକର୍ମର ଫଳ ସେମାନେ ଭୋଗ କରିବେ ।

 

ବାଟଯାକ କିଛି ଆଉ ସେ ଭାବିନି । କୋଉଆଡ଼ିକି ଭଲରୂପେ ଅନେଇନି । କରେ କରେ ହିଡ଼ଘେରା ଧାନକିଆରି । ମୁଣ୍ଡ ତଳକୁ ପୋତି ପୋତି ଶଙ୍କର ଚାଲିଥିଲା ନାକସିଧା । ଭାବନାଯାକ ମୂର୍ତ୍ତିମନ୍ତ ହୋଇ ଆଲୋକ ଅବା ତା’ ସାଙ୍ଗେ ସାଙ୍ଗେ ଚାଲିଥିଲା–ଜନ୍ମ ହେଲାବେଳୁ ସ୍କୁଲ ଯିବାଯାଏଁ–ସ୍କୁଲ ଡେଇଁ ସେ କଲେଜ ଗଲା । କ୍ଳାସରେ ସେ ସଦାବେଳେ ଫାଷ୍ଟ ହୁଏ । ସେକେଣ୍ଡ କେବେ ହେଇନି । ପଢ଼ାବହି ଭିତରେ ସେ କେବେହେଲେ ଆବଦ୍ଧ ହୋଇ ରହେ ନାହିଁ । ଗପ, କବିତା ଲେଖେ, ସଭାସମିତିରେ ବକ୍ତୃତା ଦିଏ । ପିଲାଙ୍କୁ ମେଳେଇ କେତେ କେତେ ଅନୁଷ୍ଠାନ ସେ ତିଆରି କରିଥିଲା । କେବେହେଲେ ଘରେ ରହେନି । ସଦାବେଳେ ସାଙ୍ଗ ପିଲାଙ୍କ ସାଙ୍ଗେ ବୁଲୁଥିବ । ଦୁନିଆଯାକର ସମସ୍ତେ ତା’ର ସାଙ୍ଗ । ବାହାର ପିଲାଙ୍କ ସାଙ୍ଗେ ମିଶି ପିଲାଟା ଖରାପ ହୋଇଗଲା । ଏମିତି ନାନା କଥା ଭାବି ଭାବି ଷ୍ଟେସନଆଡ଼େ ଚାଲିଥିଲାବେଳେ ଶଙ୍କର ଲକ୍ଷ୍ୟକଲା–କିଏଜଣେ ବାବୁ ପ୍ଳାଟଫର୍ମରେ ଏପଟ ସେପଟ ହେବାରେ ଲାଗିଛନ୍ତି । ଚିହ୍ନାଲୋକ ହେବେ । ଶଙ୍କର ଠିକ୍‌ ଚିହ୍ନିପାରୁନଥିଲା ।

 

ମଝିରେ ଦଶବାରଟା ଧାନକିଆରି । ହିଡ଼ବାଟରେ ଚାଲିଗଲେ ଷ୍ଟେସନଟା ଗୋଟିଏ ମାଟିକୁଦ ଉପରେ ଆସ୍ଥାନ କମେଇଛି । ଏପଟେ ଗହୀର ବିଲ । ଆରପଟେ ମୁଣ୍ଡିଆ ମାଳକୁ ମାଳ ଧାଡ଼ି ଲାଗିଛି । ସମାନ୍ତରାଳ ରେଳଲାଇନ ମାଟି ଓ ପଥରକୁ ସମାନ ଦି’ ଦି’ ଭାଗ କରିଦେଇଛି ।

 

ଗାଡ଼ିର ଧୁଆଁ ଦେଖାଯାଉଥିଲା ଖଣ୍ଡେ ଦୂରରୁ । ଷ୍ଟେସନ ଆରପଟୁ ରେଳଲାଇନ୍‌ଟା ମୁଣ୍ଡିଆ ତଳେ ତଳେ ଘୂରିଯାଇଛି । ଘର୍‌ ଘର୍‌ ହୋଇ ଗଡ଼ିଆସିଲା ପାସେଞ୍ଜର ଗାଡ଼ି । ପୁରୀରୁ ଖୋର୍ଦ୍ଧା ଆଡ଼ିକି ଯାଉଥିଲା । ଶଙ୍କର ଆଶ୍ୱସ୍ତ ହେଲା । ପୁରୀକି ଯିବା ଗାଡ଼ି ତା’ହେଲେ ଆସିନି । ପାସେଞ୍ଜର ଖୋର୍ଦ୍ଧାରୋଡ଼ରେ ଲାଗିଲେ ସେଇଟା ଛାଡ଼ିବ । ଶଙ୍କରର ଚାଲିବା ବେଗ କମି କମି ଆସିଲା ଓ ସେଇ ଅବସରରେ–

 

ସେଇ ବାବୁ ଜଣକ ଯିଏ ପ୍ଳାଟଫର୍ମରେ ପଦଚାରଣ କରୁଥିଲେ ସେ ଗାଡ଼ିରେ ଚଢ଼ିଗଲେ । ଶଙ୍କର ଆଶ୍ଚର୍ଯ୍ୟ ହେଲା–

 

ଠିକ୍‌ ଚିହ୍ନିନେଲା–ଯାହାଙ୍କୁ ସେ କଟକରେ ତା’ପଛେ ପଛେ ଆସିବାର ଦେଖିଛି । ଜୋତା ମଚମଚ କରି, ମୋଟା କଳାରଙ୍ଗର ଫ୍ରେମଦିଆ ଚଷମାପିନ୍ଧା ଓ ରୁମାଲରେ ମୁହଁ ପୋଛି ପୋଛି ଯିଏ ତା’ର ପିଛା ଧରିଥିଲେ କଲେଜ ଛକରେ, କିଶୋର ଘରେ ଯାହାଙ୍କ ସାଙ୍ଗ ତା’ର ଦେଖାହୋଇଥିଲା ହୋଟେଲରେ, ସେଇ ଭଦ୍ରଲୋକଙ୍କ ସାଙ୍ଗ ପୁଣି ଦେଖା ଏଇ ଛୋଟିଆ ଷ୍ଟେସନରେ । ଏଇସବୁ ଦେଖା କ’ଣ ଆକସ୍ମିକ ? ଶଙ୍କର ମନକୁମନ ପ୍ରଶ୍ନ କଲା–

 

ନାଁ, କେବେହେଲେ ନୁହେଁ । ତା’ହେଲେ ତା’ ସାଙ୍ଗେ ସେ ଭଦ୍ରଲୋକଙ୍କର କାମ କ’ଣ-? ଆଜି ସେ ଗାଁକୁ ଆସିଛି ବୋଲି ଭଦ୍ରଲୋକ ଜାଣିଲେ କେମିତି ଶଙ୍କର ନିଜକୁ ନିଜେ କେତେକେତେ ଏମିତି ପ୍ରଶ୍ନକଲା । ତାଙ୍କଆଡ଼ିକି ଚାହିଁ ଚାହିଁ–

 

ଭଦ୍ରଲୋକ ଗାଡ଼ି ଭିତରୁ ତା’ଆଡ଼ିକି ଚାହିଁଥିଲେ । କିନ୍ତୁ ତାକୁ ଲକ୍ଷ୍ୟକଲା ଭଳି ଜଣାପଡ଼ୁନଥିଲା । ନ ଦେଖିବାର ଛଳନା କରୁଥିଲେ ବୋଧେ ।

 

ପ୍ଳାଟଫର୍ମ ନିକଟରେ ହେଲାବେଳକୁ ଗାଡ଼ିଟା ଛାଡ଼ିବାକୁ ଆରମ୍ଭ କଲା । କେତେଜଣ ବୁଲୁଥିଲେ । ଚଳନ୍ତା ଗାଡ଼ି ଭିତରକୁ ଚଢ଼ିଗଲେ । ଶଙ୍କର ଦେଖିଲା ଗାଡ଼ିଟା ଧାଇଁବାକୁ ଆରମ୍ଭ କରିଦେଲାଣି–

 

ଓ, ସେ ଭଦ୍ରଲୋକ ଜଣକ ତା’ଆଡ଼ିକି ପଛୁଆ ଚାହିଁ ଚାହିଁ ଗାଡ଼ିରେ ଚାଲିଗଲେ ଖୋର୍ଦ୍ଧା ଷ୍ଟେସନଆଡ଼େ ।

 

ଶଙ୍କର ଆର ଗାଡ଼ିରେ ଘରକୁ ଫେରିଆସି ସେଇ ଭଦ୍ରଲୋକଙ୍କ କଥା କେତେଦିନଯାଏଁ ଖାଲି ଭାବିଲାଗିଲା । କିଏ ସେ ଭଦ୍ରଲୋକ ? ତା’ ପିଛା କାହିଁକି ଧରିଛନ୍ତି ? ଘରେ, ବାହାରେ କଥା ହେଲାବେଳେ କି କିଛି କାମନେଇ ବାହାରକୁ ଯାଇଥିଲେ ଶଙ୍କର ଭାବୁଥାଏ-ସେ ଭଦ୍ରଲୋକ ବୋଧେ ତା’ର ପିଛା ଧରିଛନ୍ତି । କୋଉଠି ଲୁଚିଛପି ତା’ ଗତିବିଧିକୁ ଲକ୍ଷ୍ୟ କରୁଛନ୍ତି । ବଡ଼ ଆଶ୍ଚର୍ଯ୍ୟ ଲୋକ ସେ । ଚାକିରି ହରେଇଲା ଦିନୁ ସେ ବିଚରା ମନ ଦୁଃଖରେ ନିଜେ ଘାରିହେଉଛି । ପିତୃପୁରୁଷର ଜମିବାଡ଼ି ଥିଲା । ସେତକ ଗଲା । ଚାଉଳ ମୁଠାକ ପାଇଁ ଅନ୍ତତଃ ଚିନ୍ତା ନ ଥିଲା । ଏଣିକି ସେତକ ସାଇତି ରଖିବାକୁ ପଡ଼ିବ । ଯେତେ ରୋଜଗାରିଆ ହେଲେ ବି ଯୋଉମାନଙ୍କ ଘରେ ଚାଉଳକିଣା ସେମାନେ କେବେହେଲେ ଶାନ୍ତିରେ ନିଶ୍ୱାସ ମାରିପାରନ୍ତିନି । ତା’ର ଏତେ ବର୍ଷର ଚାକିରି, କେଇଟା ବର୍ଷଗଲେ ସେ ପେନ୍‌ସନ ପାଇଥାଆନ୍ତା । ଦୁଃଖେ ସୁଖେ ସେମାନେ ଚଳିଯାଇ ଥାଆନ୍ତେ । ଝିଅଟିକି ହାତକୁ ଓ’ ହାତ କରିଦେଇ ସାରିଥିଲେ ପୁଅମାନେ ସେମାନେ ତାଙ୍କ ସଂସାର କରିଥାଆନ୍ତେ । ନିଜ ନିଜର କର୍ମଫଳ ସେମାନେ ଭୋଗ କରିଥାଆନ୍ତେ ଓ ପେନ୍‌ସନ ପାଇ ବୁଢ଼ାବୁଢ଼ୀ ମନ୍ଦିରରେ ଚକାଆଖିକି ଚାହିଁ ଚାହିଁ ଦିନ କଟେଇଥାଆନ୍ତେ । ଶଙ୍କର ବହୁଆଗରୁ ତା’ର ଆଗାମୀ ଜୀବନକୁ କଳ୍ପନା କରିକରି ନାନା ଅଭାବ ଅସୁବିଧା ଓ ସଂସାର ଜଞ୍ଜାଳର ଚକ ଗଡ଼େଇ ଚାଲିଥିଲା । ସବୁକିଛି କିନ୍ତୁ ଫସର ଫାଟିଗଲା ।

 

ଘରକୁ ଫେରି ମନେପଡ଼ିଲା ସେ ଭଦ୍ରଲୋକଙ୍କ କଥା । ଶଙ୍କର କାହାଆଗେ କହିପାରିନି । କ’ଣ ଅବା କହିବ ? ତାଙ୍କ ସାଙ୍ଗେ ଚିହ୍ନାପରିଚୟ ନାହିଁ । ତଥାପି ଛାଇଭଳି ପଛେ ପଛେ ସେ ଲାଗିରହିଛନ୍ତି । ଶଙ୍କର ଯେତେ ଚେଷ୍ଟାକଲେ ବି ସେଇ ଭାବନାଟି ତା’ମନ ଭିତରେ ଘୁଣ ଖାଉଥିଲା । ଗଣଗଣିଆ ମାଛିଭଳି । ଆଲୋକକୁ ଖୋଜି ଖୋଜି ସେ ଗାଁ ଆଡ଼େ ଯାଇଥିଲା । କିନ୍ତୁ ତା’ କଥା ଘରକୁ ଫେରି ସେ ବେଶି ଆଉ ଭାବିନି ଯୁଆଡ଼େ ଯିବ ସେ ଯାଉ । ଆଲୋକ ବଦଳରେ କେତେଦିନ ଯାଏଁ ସେ ଭାବିଲାଗିଲା ସେଇ ଭଦ୍ରଲୋକଙ୍କ କଥା । କୋଉଆଡ଼ର ସେ କେଜାଣି ?

 

ମନି ବିଭାଘର ସକାଶେ କେତେକଟା ପ୍ରାରମ୍ଭିକ ଖର୍ଚ୍ଚବାର୍ଚ୍ଚ ପାଇଁ ଜିତୁ ଟଙ୍କା କିଛି ଦେଇଯାଇଥିଲା । ଗୀତା ସେଇଦିନଠୁ କିଣାବିକାରେ ଲାଗିଛି । ଘରେ ଯାହାକିଛି କଂସାବାସନ ଥିଲା, ଆଉ ଯାହା ଯାହା ସବୁ ଦରକାର, ମଝିରେ ମଝିରେ ବଜାର ଯାଇ ଗୀତା ସେସବୁ କିଣାବିକା କରିସାରିଲାଣି । ଷ୍ଟେନ୍‌ଲେସ୍‌ ସେଟ୍‌ ବାସନଠୁ ଆରମ୍ଭକରି ଛୋଟକାଟିଆ ଯେତେଯାହା ଝିଅ ସାଙ୍ଗେ ଦିଆଯାଏ । ଗାଁରୁ ଆସିଲା ପରେ ଶଙ୍କର ସେ ସବୁ ଦେଖିଛି । ଗୀତାକୁ ତାରିଫ୍‌ କରିଛି । କିନ୍ତୁ ମନଟା କେମିତି ତା’ର ଫିକା ପଡ଼ିଯାଇଛି । ଗୀତା ଜଣେ-ଆଲୋକ ପାଇଁ ସଦାବେଳେ ମନ ଖରାପ । ତା’ର ଖୋଜଖବର କିଛି ଜଣାପଡ଼ିଲାନି । ଶଙ୍କର କିନ୍ତୁ ଅନେକ ସମୟରେ ବସିରହି ଖାଲି ଭାବୁଥାଏ–ସେଇ ଭଦ୍ରଲୋକଙ୍କ କଥା । ଯିଏ ଛାଇଭଳି ତା’ର ପିଛା ଧରିଛନ୍ତି ।

 

ଶଙ୍କର କେତେଦିନ ହେଲା ଭାବିଲାଣି-କିଶୋର ଘରକୁ ପ୍ରଥମେ ସେ ଗଲାବେଳେ ଏଇ ଭଦ୍ରଲୋକଙ୍କ ସାଙ୍ଗେ ଦେଖା । ଆଗରୁ ତ ସେ କେବେହେଲେ ତାଙ୍କୁ ଦେଖିନଥିଲା । ତା’ହେଲେ କିଶୋରର ସେ ଜଣାଶୁଣା । ଜଣାଶୁଣା ନ ହେଲେ ତାଙ୍କ ଘରକୁ ସେ କାହିଁକି ଯାଇଥାଆନ୍ତେ ? କିଶୋର କୋଉଠି ଯାଇ ରହିଛି ତା’ର ଠିକଣା ନାହିଁ । ଏଇ ଭଦ୍ରଲୋକ ତା’ର କେହିଜଣେ ଗୁପ୍ତଚର ବୋଧେ ହେବେ । ଦୋଷ ଭିତରେ କିଶୋର ଦେଇଥିବା ଆଟାଚିଟା ଜିତୁ ପାଖରେ ଅଛି । ଜିତୁ ତ ଗଲାଥର କହୁଥିଲା–ସେଥିରେ ସାପ ଅଛି ନା ବେଙ୍ଗ ଅଛି ସେ ଜାଣିନି । ଶଙ୍କର ବସିରହି ବେଳେବେଳେ ମନକୁମନ ପ୍ରଶ୍ନ କରେ–ଜିତୁ କଥା କ’ଣ ସତ ? ଶଙ୍କର କିନ୍ତୁ ଜାଣେ–ଜିତୁ ମିଛକଥା କେବେହେଲେ କହେନି ।

 

ଦିନେ ସେ ଠିକ୍‌ କଲା–ଆଉଦିନେ ଦି’ଦିନ ଅପେକ୍ଷା କରି ସେ କଟକ ଯିବ । ଜିତୁକୁ ସିଧା ପଚାରିବ-ପ୍ରକୃତ ଘଟଣାଟା କ’ଣ ? ଏ ଲୋକଟା କାହିଁକି ତା’ ପଛେ ପଛେ ଲାଗିଛି ?

 

ଶଙ୍କର ଦିନେ କଟକ ବାହାରୁଥିଲା । ଗୀତା କହିଲା–ଜିତୁ ତ କହିଯାଇଛି ସେ ଶୀଘ୍ର ଫେରିଆସିବ । ବିଭାଘର କାମରେ ସେ ବ୍ୟସ୍ତଥିବ । କାହିଁକି ତୁମେ ଯାଇ ହଇରାଣ କରିବ ।

 

ଜିତୁକୁ ଅପେକ୍ଷା କରି ଘରେ ବସିରହିବା ଅପେକ୍ଷା ଶଙ୍କରର ଅନ୍ୟକିଛି କାମ ନ ଥିଲା ।

 

ଯୋଡ଼ା ଯୋଡ଼ା ପୁଅ–କିଏ କୁଆଡ଼େ ଯାଉଛନ୍ତି । କିଛି ଠିକଣା ନାହିଁ । ଗଲେ ତ ଗଲେ-? ଫେରିବେ ପୁଣି କେବେ–ଅନ୍ତତଃ ଖବର ଦେବେ ତ ସେମାନେ ?

 

ସେଦିନ ବଡ଼ ବ୍ୟସ୍ତହୋଇ ଶଙ୍କର ଘରକୁ ବାହାରକୁ ଓ ଅଗଣା ବାରେଣ୍ଡାରେ କେବଳ ପଦଚାରଣ କରୁଥିଲା । ଯିଏ ଯାହା ପଚାରିଲେ ବିରକ୍ତ ହେଉଥିଲା । ସକାଳୁ ସକାଳୁ ଗୀତା ଚା’ଆଣି ଦେଲା । ଶଙ୍କର କହିଲା–ପେଟ ଭଲ ନାହିଁ । ଚା’ ଫେରେଇଦେଲା । ଗୋଟାକୁ ଗୋଟା ସିଗାରେଟ୍‌ ଟାଣି ସେ ଘରଯାକ ଖାଲି ଘୂରୁଥିଲା । ପିଠିପଟକୁ ହାତ ଦୁଇଟି ଛନ୍ଦା । ମନି ଆସି କ’ଣ ପଚାରିଲେ ତାକୁ କେବଳ ହଁ-ନାଇଁ କରି ଜବାବ ଦେଉଥିଲା । ଗୀତା ଉପରେ ସେଦିନ ସକାଳୁ ସକାଳୁ ଚିଡ଼ି ଚିଡ଼ି ହେଉଥିଲା ।

 

ଗୀତା ଶଙ୍କରର ଏ ଢଙ୍ଗରଙ୍ଗ ସାଙ୍ଗେ ବେଶ୍‌ ପରିଚିତ । ଦିନେ ଦିନେ ଶଙ୍କର ମୁଣ୍ଡକୁ ପିତ ଚହଟିଯାଏ । ଏବେ ନୁହେଁ-ଚାକିରି ବେଳୁ । ଭଲଭାବରେ ଚାଲିଥିବ । ଅଭାବ ଅସୁବିଧାକୁ ଗଣ୍ଠିଧନ କରି ବେଶ୍‌ ହସଖୁସିରେ ଜୀବନ ନଉକାଟିକି ବାହି ନେଉ ନେଉ ଅଦିନିଆ ବର୍ଷା ଅସରାରେ କଚାଡ଼ି ଦେଇଗଲା ଭଳି ମୁହୂର୍ତ୍ତକ ପାଇଁ ଅଣଚାଶ ପବନ ଅସହାୟ ନଉକାଟି ଉପରେ ରହିଯାଏ । କାହାକୁ କିଛି ନ କହି ଶଙ୍କର ଗୁମ୍‌ ମାରି ବସିରହେ । କାହାସାଙ୍ଗେ କଥାବାର୍ତ୍ତା କରେନି କି ଡାକିଲେ ଶୁଣେନି । ଗୋଡ଼କାଢ଼ି ଘରୁ ବାହାରିପଡ଼େ । କିଛି ସମୟ ବାହାରେ ଯାଇ ବୁଲି ଆସିଲେ ସେ ଆଗଭଳି ପୁଣି ଡାକହାକ କରେ । ଘରେ ଏପଟ ସେପଟ ଘୂରି ବୁଲୁଥିଲେ ଗୀତା ଠିକ୍‌ ଜାଣେ-ୟାଙ୍କର ମନ ଭଲ ନାହିଁ । ସେତେବେଳେ ଗୀତା ବଡ଼ ହୁସିଆର ଥାଏ । ପାଖ ମାଡ଼େନି ।

 

ବାହାରେ ଦିନ ଦି’ଟା ଯାଏଁ ସେଦିନ ବୁଲିବୁଲି ଶଙ୍କର ଘରେ ପହଞ୍ଚିଲାବେଳକୁ ମା’ଝିଅ ସେଯାଏଁ ଖାଇନଥିଲେ । ଶଙ୍କର ଭଲଭାବରେ ଜାଣେ-ସେମାନେ ତାକୁ ଅପେକ୍ଷା କରିଥିବେ । ଖାଇନଥିବେ । ତଥାପି ସେ ଆସିପାରୁନଥିଲା । ସେମିତି କିଛି କାମନଥିଲା । ଜଣେ ବନ୍ଧୁଙ୍କ ସାଙ୍ଗେ ଅନର୍ଥକ ସେ ଗପ ଜମେଇଥିଲା । ଭାତ ତେଣେ ଶୁଖି ଚଣାଚାଉଳ ହେଉଥିବ । ଅନ୍ୟଦିନ ହୋଇଥିଲେ ଗୀତା ବିରକ୍ତ ହୋଇଥାଆନ୍ତା । ସେଦିନ କିନ୍ତୁ କିଛି ହେଲେ ସେ କହିଲାନି । ଶଙ୍କର ବି ମୁଣ୍ଡ ପୋତି ପୋତି ଖାଇସାରି ବିଶ୍ରାମ କରିବା ପରିବର୍ତ୍ତେ ଚଉକିଟା ଉପରେ ଫାଙ୍କାରେ ବସିରହିଥିଲା । କଥାବାର୍ତ୍ତା ନାହିଁ କି ପାଟିତୁଣ୍ଡ ନାହିଁ । କିଛି ନାହିଁ । ଦିନଟା କେମିତି ଅଲଣା ଜଣାପଡ଼ୁଥିଲା । ଗୀତା ଯେତେଥର କଥାହେବ ବୋଲି ଆସିଛି ଶଙ୍କର ଚୁପଚାପ । ଗୀତା କିଛି ତାକୁ କହିନି କି ପାଖମାଡ଼ିନି । ସାଦା ଟୁକୁରା ମେଘଖଣ୍ଡେ ଆକାଶରେ ଘୂରିବୁଲୁଛି । କୁଆଡ଼େ ସେ ଯାଇ ପୁଣି ଲୁଚିଯିବ । ଆକାଶ ପୁଣି ନିର୍ମଳ ଦେଖାଯିବ ।

 

ସେଦିନ ସଞ୍ଜବେଳେ–

 

ଆଲୋକ ଅଚାନକ ଘର ଭିତରକୁ ପଶିଆସିଲା । ଆଗ ଅପେକ୍ଷା ସେ ବହୁତ ଶୁଖିଯାଇଛି । ଦେଖିଲେ ଜଣାପଡ଼ୁଥିଲା–ଖରାରେ ତରାରେ ବୁଲି ବୁଲି ସେ କଳାକାଠ ପଡ଼ିଯାଇଛି-। ମୁଣ୍ଡରେ ଫୁରୁଫୁରୁ ବାଳ । କେତେଦିନ ଧରି ସେଥିରେ ତେଲ ଲାଗିନି । ପ୍ୟାଣ୍ଟ କମିଜ୍‌ ସବୁ ମଇଳା । ହାତରେ ଧରିଥିଲା କେତେଖଣ୍ଡ ବହି ବହୁଆଗର ଲୋଚାକୋଚା ଖବରକାଗଜ ଗୋଛେ-। ଗୀତା କେତେଦିନ ପରେ ପୁଅକୁ ଦେଖି ତାକୁ ଆଗ କୁଣ୍ଢେଇ ପକେଇଲା-। ମନି ବାପାଙ୍କ ପାଖକୁ ଦଉଡ଼ିଗଲା । ଘରକୁ ଆଲୋକ ଆସିବାର ଶଙ୍କର ଦେଖିଛି । ମନିଠୁ ଶୁଣି ସେ କିଛିହେଲେ କହିଲାନି । ଆଗଭଳି ସେମିତି ବସିରହିଲା ।

 

ଆଲୋକ ବାପାଙ୍କୁ ଆସି ନମସ୍କାର ହେଲା ।

 

ଶଙ୍କର ତଥାପି ଚୁପ୍‍ଚାପ ।

 

ଖା’ପିଅ ସାରି ଗୀତା ପୁଅଝୁଅଙ୍କୁ ଧରି ଗପ ଜମେଇଥାଏ । ବାପାଙ୍କର ଗାଁକୁ ଯିବାକଥା ଓ ମନିର ବିଭାଘର କଥା ବୋଉଠୁ ଶୁଣି ସେ କିଛିହେଲେ କହିଲାନି । ଏତିକି କେବଳ କହିଲା–ସବୁ ଖବର ସେ ଜାଣିଛି ।

 

ଗୀତା ପଚାରିଲା–କେମିତି ?

 

ଆଲୋକ କହିଲା–ମୁଁ ପାଖେ ପାଖେ ଅଛି । ଘରକୁ କେବଳ ଆସୁନଥିଲି ।

 

କାରଣ ? ଗୀତା ପଚାରିଲା–

 

ଆଲୋକ ଚୁପ୍‌ ରହିଲା ।

 

ଶଙ୍କର ଆରଘରୁ ବଡ଼ ବଡ଼ ପାହୁଲ ପକେଇ ଆସି ବଡ଼ ପାଟିକରି କହିଲା–କାରଣ କ’ଣ ତୁମେ ଜାଣନି ? ସେମାନେ ବଡ଼ ହେଲେ । ମୁଣ୍ଡକୁ ତାଙ୍କର ହାତ ପାଇଗଲା । ଶଙ୍କର ରାଗରେ ରକ୍ତ ଚାଉଳ ଚୋବଉଥିଲା । ଏଡ଼େ ଏଡ଼େ ଆଖିରେ ଆଲୋକ ଆଡ଼ିକି ଥରେ ଦି’ଥର ଅନେଇ ପୁଣି ଆରଘରକୁ ଚାଲିଗଲା ।

 

ଆଲୋକ ତଳକୁ ମୁଣ୍ଡପୋତି ଚୁପ୍‌ଚାପ କେବଳ ବସି ରହିଥିଲା ।

 

କଥା ସରିଲାନି କି ରାତି ପାଇଲାନି ।

 

ମନିର ଅନେକ ଅନେକ କଥା–କେତେ ତା’ର ସ୍ୱପ୍ନ । ତା’ର ଜଣେ ସାଙ୍ଗ ଭଉଣୀ-ଭାଇ ବିଦେଶରେ କୋଉଠି ଏକ କମ୍ପାନୀରେ ବିରାଟ ଚାକିରି କରୁଛନ୍ତି–ମାସକୁ ଦି’ହଜାର ଟଙ୍କା ଦରମା-। କାହାର ଭାଇ ଆଇ.ଏ.ଏସ୍‌ ପାଇ ବର୍ଷ କେଇଟା ଭିତରେ ସେ କଲେକ୍‌ଟର । ଘରଦ୍ୱାର କିଛି ନ ଥିଲା । ଏବେ ତାଙ୍କର ବିରାଟ ଏକ କୋଟା, ମଟରଗାଡ଼ି । ଟଙ୍କାପଇସା ଅଫିସରେ ସମାଜରେ ଚାରିଆଡ଼େ ତାଙ୍କର ସୁନାମ । ସେ କିନ୍ତୁ ପାଠ ପଢ଼ିଲାବେଳେ ସେତେ ଭଲ ଛାତ୍ର ନ ଥିଲେ ଆରୋକ ଭାଇଙ୍କ ଭଳି ପିଲା ଖୁବ୍‌ କମ୍‌ ମିଳିବେ । ପଢ଼ାରେ, ବକ୍ତୃତା ଦେବାରେ, ଛବି ଅଙ୍କାରେ, ଅଭିନୟ କରିବାରେ, ଏପରିକି ଖୋଜିବାରେ ବି ସେ ଅଦ୍ୱିତୀୟ । କ’ଣ ହେଲା କେଜାଣି-? କେଡ଼େ ବଡ଼ ମଣିଷ ସେ ହୋଇପାରିଥାଆନ୍ତା । ମଝିରୁ ଅବାଟରେ ଚାଲିଗଲା । ସମସ୍ତଙ୍କ ଭାଗ୍ୟରେ କ’ଣ ସବୁ ସମ୍ଭବ ? ଏମିତି ବହୁତ ବହୁତ କଥା–ଭାଇ କେମିତି ଭଲବାଟକୁ ଫେରିଆସୁ-। କିଛି ନ କରି ତୁନିହୋଇ ବସିରହିଲେ ବି ତାଙ୍କୁ ନେଇ ଆମେ ଗର୍ବ କରିପାରିବୁ-

 

ବୋଉର ଅଘୋର ଚିନ୍ତା-ଖରା ତରାରେ ବୁଲିବୁଲି କଳାକାଠ ପଡ଼ିଗଲାଣି । କେଡ଼େ ସୁନ୍ଦର ଗୋରା ତକତକ ଚେହେରା, କୁଞ୍ଚିକୁଞ୍ଚିଆ ବାଳ । ନହକା ବତାଫାଳିଆ ଭଳି । ଏବେ ସେ କେବଳ ପବନରେ ଝୁଲୁଛି । ପେଟ ଯାଇ ପିଠିରେ ଲାଗିଲାଣି । ବେକତଳ ହାଡ଼ରେ ପଳା ପଳା ତେଲ ଧରିବ । ହାଡ଼ୁଆ ମୁହଁ ଓ ଝଂପୁରା ବାଳ । କ’ଣ ଏଥିରୁ ଲାଭ ମିଳୁଛି କେଜାଣି ? ବାପ ମା’ଙ୍କର ନାଁ ରଖିଲେ ସିନା ହୁଏ ? ଏଇଥିରୁ ଗୁଡ଼େ ଛତରାପିଲାଙ୍କ ସାଙ୍ଗେ ପଡ଼ି ଶୁଦ୍ଧ ସୁବର୍ଣ୍ଣ ପିଲାଟା, ଗଲା ଏକବାରେ ଖରାପ ହୋଇଗଲା । ବାପାଙ୍କର ସେଇଥିପାଇଁ ଏବେ ଚିଡ଼ିଚିଡ଼ିଆ ପ୍ରକୃତି ହେଲାଣି । କାହାକୁ କ’ଣ କହୁଛନ୍ତି ସେ ଜାଣିପାରୁନାହାନ୍ତି । ଚାକିରି ଖଣ୍ଡକ ହାତରୁ ଚାଲିଗଲା ପରେ ସେ ଏବେ ପୂରାପୂରି ପାଗଳ । କୁଆଡ଼େ ଯାଇ ବୁଲୁଛନ୍ତି । ପିତୃ ଅର୍ଜିତ ଜମି କେତେ ଥିଲା । ସେ ସବୁ ଏବେ ପ୍ରଜାଏ ଦଖଲ କରିଗଲେଣି । କାହାକୁ କ’ଣ କୁହାଯିବ ? କେହି କାହା କଥା ଶୁଣିବାକୁ ଏବେ ନାରାଜ । କୁଆଡ଼େ ଯାଇ ବୁଲି ବୁଲି ଘରକୁ ଏବେ ଫେରୁଛନ୍ତି । ଜିତୁଟି କେବଳ ଏ ଘରର ନାଁ ରଖିଲା । ସିଏ ନ ଥିଲେ ସିଧା ବଡ଼ଦାଣ୍ଡକୁ ରାସ୍ତା ଫିଟିଥାଆନ୍ତା । ଭଗବାନ ରକ୍ଷା କରିଛନ୍ତି ।

 

ଭାଇ କଥା ଶୁଣି ଆଲୋକ କେବଳ ମୁରୁକି ହସୁଥିଲା । ସହଜେ ସେ ବେଶି କଥାବାର୍ତ୍ତା କରେନି । ସଦାବେଳେ ସେ ଚୁପ୍‍ଚାପ୍ କଥା କହେ । ଯେତିକି ଦରକାର ସେତିକି ।

 

ମନି ଗପି ଗପି ଘୁମେଇପଡ଼ିଥିଲା ।

 

ଶଙ୍କର ଆରଘରେ ରାଗିପାଚି କେତେବେଳଯାଏଁ ଖଟଟାରେ କେବଳ ଗଡ଼ତପଡ଼ତ ହେବାରେ ଲାଗିଥିଲା । ନିଦ କେତେବେଳେ ଆସିଯାଇଛି ମନେନାହିଁ ।

 

ବୋଉ ଆଖିରେ ପଲକ ପଡ଼ୁନଥିଲା । ଏତେଦିନକେ ପୁଅ ଘରକୁ ଫେରିଆସିଛି । ଆଖିପୂରେଇ ସେ ଖାଲି ତାକୁ ଦେଖୁଥିବ । ଅସରାକୁ ଅସରା ଲୁହ ଗଡ଼େଇ, ବାପରେ ଧନରେ କହି ବୁଝେଇଦେଲେ ସେ ବୁଝିଯିବ । ସିଏ ତ ଆଉ ପିଲାପୁଅ ନୁହେଁ ?

 

ଆଲୋକ ଅନ୍ୟମନସ୍କ ଥିଲାଭଳି ଜଣାପଡ଼ୁଥିଲେ ବି ବୋଉ କଥାକୁ ହଁ-ନାଇଁ କହି ଜବାବ୍‌ ଦେଉଥିଲା । ଝରକା ଭିତରୁ ଚଉଖୁଣ୍ଟିଆ ଆକାଶଟା ଆଡ଼ିକି ଚାହିଁ ଚାହିଁ ସତେଅବା ସେ କାହିଁ ଦୂରରେ ଥିବା ତାରାଗୁଡ଼ାଙ୍କ ସାଙ୍ଗେ କଥା ହେଉଥିଲା ।

 

ଘରଆଗ ରାସ୍ତାଟା ସେତେବେଳେ ଶୂନଶାନ୍ । କାହାର ସୋର ଶବଦ ନାହିଁ । ଖରାଦିନିଆ ପାହାନ୍ତି ପହରର ପବନ ବାହାରେ ଲହଡ଼ା ଭାଙ୍ଗୁଥିଲା । ଘରଭିତରକୁ ସେଥିରୁ ଦଲ୍‌କେ ହେବ ପଶିଆସିଲା ଓ ଠିକ୍‌ ଏତିକିବେଳେ ପାହାନ୍ତିଆ ରେଳଗାଡ଼ିର ହର୍ଣ୍ଣ-ଶବ୍ଦ ନିଦ୍ରିତ ସହର ଉପରେ ଉପରେ ଭାସିଆସି ଘରେ ତାଙ୍କର ପ୍ରତିଧ୍ୱନିତ ହେଲା ।

 

ତାକୁ ଅବା ଡାକିଦେଲା । ଆଲୋକ ଗତିଶୀଳ ହେଲା । ଆଉ ସେ ତୁନିତାନ୍‌ ବସିପାରିବନି । ଚାରିକାନ୍ଥ ଭିତରେ କିଏ ତାକୁ ବାନ୍ଧି ରଖିପାରିବ ? ଗୋଡ଼ ଟିପି ଟିପି କିଳିଣିଟା ଆସ୍ତେ ଖୋଲିଦେଇ ବୁହେ ହେବ ସେ ଆଗଆଡ଼ ପଛଆଡ଼ ସବୁଆଡ଼େ ଆଖିପକେଇ ଆଣିଲା । ସେତେବେଳେ ଫସରା ଫାଟିନଥିଲା । ଅନ୍ଧକାର ଭିତରେ କୁଆଡ଼େ ଆଖିପିଛୁଳାକେ ସେ ଅନ୍ତର୍ଦ୍ଧାନ ହେଲା ।

 

ପାହାନ୍ତି ପହରର ଥଣ୍ଡାପବନରେ ସମସ୍ତେ ଘୁମେଇ ପଡ଼ିଥିଲେ ।

 

ସକାଳ ପାଇଲାବେଳକୁ ଆଲୋକର ଦେଖାନାହିଁ । ବଡ଼ ଆଶ୍ଚର୍ଯ୍ୟ !!

 

ସକାଳୁ ସକାଳୁ ଘରଆଗରେ ଏତେ ଗଣ୍ଡଗୋଳ କାହିଁକି ? ଶଙ୍କରର ନିଦ ଭାଙ୍ଗିଯିବାରୁ ସେ ଝରକା ଦେଇ ଦେଖିଲା–ଦି’ ଦିଟା ପୁଲିସ୍‌ ଗାଡ଼ି ତାଙ୍କ ଦାଣ୍ଡବାହାରେ କେତେଜଣ ପଇଁତରା ମାରୁଛନ୍ତି । ଦୁଆର ଖୋଲି ନ ଥିବାରୁ ସକାଳୁ ସକାଳୁ ସେମାନେ ଡାକୁନଥାନ୍ତି । ଅପେକ୍ଷା କରିଥାଆନ୍ତି । ମନି ଉଠେଇଦେବ ବୋଲି ଆସିଥିଲା । ଶଙ୍କର କେତେବେଳୁ ଉଠିସାରିଲାଣି । ଗୀତା ବହାରେ ଠିଆ ରହି ଲୁହ ଗଡ଼େଇ ସାରିଲାଣି । ଭୟରେ ।

 

କିଶୋରର ସେଇ ଆଟାଚିଟା ହଠାତ୍‌ ଶଙ୍କର ଆଗରେ ଆସି ଝୁଲିଲା । ଜିତୁ ଯାହାଯୋଗୁ ଏଡ଼େବଡ଼ ବ୍ୟବସାୟ ଜମେଇଛି । ମନିର ବିଭାଘର ପାଇଁ ଜିତୁ ଟଙ୍କା ଦେଇଥିଲା । ସେ ସବୁ ଜିତୁ ଆଣିଲା କୁଆଡ଼ୁ ? ବଦମାସ ଶାମ ପତି ସାଙ୍ଗରେ ପୁଣି ଜୁଟିଥିଲା । ଏକ ଫୁତ୍‌କାରରେ ସେଇ ଶାମ ପତି ସବୁ କିଛି ଉଡ଼େଇ ଦେଇପାରିବ । ନିଶ୍ୱାସକେ ତା’ର ବୁଦ୍ଧି । ଏପାରି ଗଛ ସେପାରିକି ନେଇଯାଇ ପାରେ । ଜିତୁକୁ ତା’ ବିଷୟରେ କହିବାକୁ ସେ ସମୟ ପାଇଲାନି । ପିଲାଲୋକ, ନିଶ୍ଚେ ତା’ ପାଲରେ ପଡ଼ିଯାଇଛି । ଏସବୁ ଶାମ ପତିର କାମ । ଜିତୁକୁ ସେମାନେ ବୋଧେ ଆରେଷ୍ଟ କରିଥିବେ । କୁଆଡ଼େ ନେବେ ତାକୁ କେଜାଣି ? ତଥାପି ଜିତୁର ତ ଦେଖାନାହିଁ । ପୁଲିସ୍‌ବାଲା ବୋଧେ ଜାଣିନାହାନ୍ତି-ଜିତୁ ଏଠାରେ ରହୁନି । ଏମିତି କେତେ କଥା ଭାବିଚିନ୍ତି ଶଙ୍କର ମୁହଁଧୋଇ ଦୁଆର ଖୋଲିଲାବେଳକୁ ଦି’ଜଣ ପୁଲିସ୍‌ ଇନ୍‌ସ୍‌ପେକ୍‌ଟରଙ୍କୁ ଦେଖିବାକୁ ପାଇଲା ।

 

ଜଣେ ଗୋଟିଏ ଓ୍ୱାରେଣ୍ଟ ଦେଖେଇଲେ-ଆଲୋକ ନାଁ ସେଥିରେ ଲେଖାଥିଲା ।

 

ଶଙ୍କର ମିଛରେ କହିଲା–ଆଲୋକ ନାହିଁ । ମାସେ ଦି’ମାସେ ହେଲା କୁଆଡ଼େ ଯାଇଛି-। ଜାଣିନଥିଲା–ଆଲୋକ ଘରେ ନାହିଁ । ପାହାନ୍ତିଆ ପହରୁ ପଳେଇଛି ବୋଲି ।

 

ଆର ଇନ୍‌ସପେକଟର ଜଣକ କହିଲେ–ଆମେ ଘର ସର୍ଚ୍ଚ କରିବୁ ।

 

ଶଙ୍କର ଛେପଢ଼ୋକି କହିଲା–କରନ୍ତୁ ।

 

ପଶିଆସିଲେ ପଲ ପଲ ପୁଲିସ୍‌ବାଲା ।

 

ଶଙ୍କର ଭାବୁଥିଲା–ଆଲୋକ ଧରାପଡ଼ିଯିବ । ଅଜଣା ଭୟରେ ଆଖିକଣରେ ଲୁହ ଜକେଇଆସୁଥିଲା ।

 

ଅଧଘଣ୍ଟେ ଯାଏଁ ଖୋଜାଖୋଜି କରି ସେମାନେ ଫେରିଯିବାକୁ ବସିଲେ ।

 

ଶଙ୍କର ଗୀତାଠୁ ଆସ୍ତେ ଶୁଣିଥିଲା–ଆଲୋକ ରାତି ଥାଉ ଥାଉ କୁଆଡ଼େ ପଳେଇଛି ।

 

ଶଙ୍କର ପୁଲିସବାଲାଙ୍କୁ ଚା’ ଯାଚୁଥିଲା । ସେମାନେ ମନାକଲେ ।

 

ଘର ସାମ୍ନାରେ ଶହ ଶହ ଲୋକ । କ’ଣ ହେଲାବୋଲି ଲୋକେ ଆସି ଦାଣ୍ଡଦୁଆରେ ରୁଣ୍ଡ । ପୁଲିସ୍‌ବାଲାଙ୍କୁ ଘଟଣାଟା କ’ଣ ପଚାରିବାକୁ କାହାର ସାହସ ନାହିଁ । ଗାଡ଼ି ଦି’ଟା ଫେରେଇ ସେମାନେ ଚାଲିଗଲାବେଳେ ଲୋକେ ଦୂରକୁ ପାଖେଇଗଲେ । ସେମାନଙ୍କର ବେଳ ପଡ଼ିଛି । କାହାକୁ କାଳେ ସନ୍ଦେହରେ ବାନ୍ଧିନେବେ ? ସନ୍ଦେହରେ ସବୁକିଛି ସେମାନେ କରିପାରନ୍ତି । ଶାନ୍ତିଶୃଙ୍ଖଳା ନାଁରେ ।

 

ମଟର ଦି’ଟା ଚାଲିଯିବାରୁ ସମସ୍ତେ ଆସି ଶଙ୍କରକୁ ଘେରିଗଲେ ।

 

ସନ୍ଦେହରେ ସେମାନେ ଆଲୋକକୁ ଖୋଜୁଥିଲେ-ଶଙ୍କର କହିଲା ।

 

ଆଲୋକର ତ ଦି’ମାସ ହେଲା ଦେଖାନାହିଁ ? କୁଆଡ଼େ ସେ ଯାଇଛି ? ଜଣେ ପଚାରିଲା–

 

ଶଙ୍କର କିଛି କହିବା ଆଗରୁ ଆଉଜଣେ କହିଲା–କୁଆଡ଼େ ଯାଇ ପଢ଼ାପତି କରୁଥିବ କି ବକ୍ତୃତା ଦେଉଥିବ । ପିଲା ନୁହେଁ ତ ସିଏ ଗୋଟିଏ ସୁନାମୁଣ୍ଡା । ତାକୁ ପୁଲିସ୍‌ ଖୋଜୁଛନ୍ତି କାହିଁକି ?

 

ଶଙ୍କର କିଛି କହିଲାନି । ଚୁପ୍ ରହିଲା । ମନେମନେ ଆଲୋକ ଉପରେ ରକ୍ତଚାଉଳ ଚୋବାଉଥିଲା । ତା’ସହିତ ସେ ଆଶ୍ୱସ୍ତ ହେଲା–କୁଆଡ଼େ ଚାଲିଯାଇ ଭଲ କରିଚି । ଏଇନେ ଧରାପଡ଼ିଯାଇଥାନ୍ତା । ତଥାପି କେତେଦିନ ସେ ପୁଲିସ ଆଖିରୁ ଏମିତି ଲୁଚି ରହିଥିବ ?

 

ଲୋକଗହଳି ଭାଙ୍ଗିଗଲା ।

 

ଘର ଭିତରକୁ ପଶିଯାଇ ଶଙ୍କର ଦେଖିଲା–ଗୀତା ଖଟଉପରେ ଶୋଇରହି କାନ୍ଦି ଲାଗିଛି । ଖଟପାଖରେ ମନି । ଶଙ୍କର କାହାକୁ କିଛି କହିଲାନି ।

 

କାହାକୁ ସେ କ’ଣ ବୋଲି କହିବ ?

 

ସତକୁସତ ଆଉ କାହାକୁ କହିବା ବୋଲିବାକୁ ପଡ଼ିଲାନି । ପୁଲିସମାନେ ଚାଲିଯିବାର ଠିକ୍‌ ଘଣ୍ଟାକ ପରେ ଜିତୁ ଗୋଟିଏ ଟ୍ରକ୍‌ ଧରି ଆସି ପହଞ୍ଚିଗଲା, ଟ୍ରକରେ ବୋଝେ ଜିନିଷପତ୍ର । ଟାର୍‌ ପୋଲିନ୍‌, ଚାନ୍ଦୁଆ, ଲୁହା ପାଇପଠୁ ଆରମ୍ଭକରି ରଡ଼୍‌ ଲାଇଟ୍‌, ଲାଉଡ଼ସ୍ପିକର ଆଦି ସବୁକିଛି ସେ ଆଣିଥିଲା । ଟ୍ରକରେ ପଡ଼ିଥିଲା ହଣ୍ଡା, ଡେକ୍‌ଚି ଓ କରେଇ ଆଦି । ଲୁଗାପଟା ବାସନକୁସନ ସବୁ ବାକ୍‌ସ ଭିତରେ । ବିଭାଘରର ଯାବତୀୟ ଜିନିଷ କଟକରୁ ଟ୍ରକ୍‌ରେ ବୋଝେଇ କରି ଜିତୁ ଆସି ପହଞ୍ଚିଗଲା । ଟ୍ରକ୍‌ ଡାଲାରେ ଚାରି ପାଞ୍ଚଜଣ ମୂଲିଆଙ୍କୁ ବି ସେ ନେଇଆସିଥିଲା । ନିମନ୍ତ୍ରଣ କାର୍ଡ଼ ବି ସେ କଟକରୁ ଛାପି ଆଣିଛି ସାଙ୍ଗରେ ଆସିଥିଲେ ଶାମ ପତି । ମନି ଶଶୁରଘର ଜିଦ୍‌ଧରି ବସିଛନ୍ତି–ବାହାଘରଟା ତିନିଦିନ ଭିତରେ ସାରିବାକୁ ପଡ଼ିବ । ତେଣିକି ଆଉ ଝିଅ ଲଗ୍ନରେ ବାହା ନାହିଁ । ପୁଅର ବି ବଦଳି ହୋଇଯାଇଛି ରାଉରକେଲାରୁ ବଡ଼ବିଲ । ଚାକିରିରେ ଜଏନ୍‌ କରିଦେଲେ ନୂଆ ଜାଗାରୁ ଛୁଟି ନ ମିଳିପାରେ । ବଦଳି ସମୟ ମଧ୍ୟରେ ବିଭାଘରଟା ସେମାନେ ସାରିଦେବେ । ସମୁଦି ନିଜେ ଆସିଥିଲେ ଶାମ ପତିଙ୍କି ସାଙ୍ଗରେ ଧରି । ଜିତୁକୁ ସମୟ ମିଳିଲାନି ବାପାଙ୍କ ସାଙ୍ଗେ କଥାବାର୍ତ୍ତା କରି ନିଷ୍ପତ୍ତି ନେବାକୁ । ସମୁଦିଙ୍କୁ ସେ ନିଜେ ଜବାବ୍‌ ଦେଇଦେଲା । ସାଙ୍ଗରେ ଆସିଥିଲେ ଶାମ ପତି । ବାହାଘର ଉଠେଇବା ସମ୍ବନ୍ଧରେ ତାଙ୍କର ବହୁତ ଅଭିଜ୍ଞତା ରହିଛି । ସେ ଏକେଲା ଦିନକ ଭିତରେ ଝିଅ ବାହାଘର ଉଠେଇଦେଇପାରିବେ ।
 

 

ଶଙ୍କରକୁ ଏସବୁ ଘଟଣା କେମିତି ଗୋଟିଏ ପ୍ରହେଳିକା ପରି ଜଣାପଡ଼ିଲା । ଗୋଟିଏ ପରେ ଗୋଟିଏ ଘଟଣା ଛାଏଁ ଛାଏଁ ଘଟିଯାଉଛି । କାହାକୁ ସେ ମନାକରିପାରୁନି । ସବୁ ଯେପରି କୌଣସି ଏକ ଅଦୃଶ୍ୟ ଆବର୍ତ୍ତ ଭିତରେ ଘୂରିଚାଲିଛି । କୋଉକଥାକୁ ସେ ହଁ କରୁନି, ମନା ବି କରୁନି । ସେ ଅବା ନିମିତ୍ତ ମାତ୍ର ।

 

ଚାହୁଁ ଚାହୁଁ ମନି ବିଭାଘର ଖବରଟା ମୁହୂର୍ତ୍ତେ ଭିତରେ ଚାରିଆଡ଼େ ଖେଦିଗଲା । ବୋଉ ମୁହଁମାଡ଼ି ଶୋଇଥିଲା । ଆଖିପାଣି ଆଖିରେ ମାରି ଘରକାମ କରିବାକୁ ବାହାରିପଡ଼ିଥିଲା । ଝିଅର ବିଭାଘର ତିନିଦିନ ପରେ ହେବ ଶୁଣି ପାଦରେ ତା’ର ଲାଗିଗଲା ଅବା ବିଜୁଳିର ବେଗ । ସବୁକିଛି ଇଆଭିତରେ ଠିକ୍‌ କରିଦେବାକୁ ପଡ଼ିବ । ପୁଅ ତ ସବୁ ଜିନିଷ ସାଇତି ସୁମରି ନେଇଆସିଛି । ଆଉ ଚିନ୍ତା କ’ଣ ?

 

ଶାମ ପତି ଟ୍ରକ୍‌ରୁ ଓହ୍ଲେଇ ବସି ରହିଥିଲେ ଖଣ୍ଡିଏ ଚଉକିରେ ଦାଣ୍ଡଘରେ । ଶଙ୍କର ଚା’କପଟେ ଆଣି ତାଙ୍କୁ ବଢ଼େଇଦେଲା । ବିଭାଘର ପାଇଁ କେତେ ସେ ଲାଗିଛନ୍ତି । ନୋହିଲେ ଜିତୁ ଏସବୁ କୁଆଡ଼ୁ ଜାଣିଥାଆନ୍ତା । ଶଙ୍କର ଶାମ ପତିଙ୍କ ସାଙ୍ଗେ କଥା ହେଉଥିଲା, ଏଣେ ଭାବୁଥିଲା–ଘଣ୍ଟାକ ତଳେ କେତେ ସେ ତାଙ୍କୁ ମନେମନେ ଗାଳି ଦେଉଥିଲା ?

 

ଟ୍ରକ୍‌ରୁ ଜିନିଷପତ୍ର ଉତ୍ତାରିବାକୁ ସଫା ଘଣ୍ଟାଏ ଲାଗିଲା । ଶାମ ପତିଙ୍କ ଇଙ୍ଗିତରେ ଟ୍ରଙ୍କ୍‌ ସୁଟକେଶ, ଆଲମାରି, ସୋଫା ଆଦି ବୁହାଲାଗିଲା ଘର ଭିତରକୁ । ହଣ୍ଡା, ଡେକ୍‌ଚି କରେଇ ଆଦି ଦାଣ୍ଡଘରେ । ଛାମୁଣ୍ଡିଆ ଜିନିଷତକ ପଦାରେ । ମୂଲିଆମାନେ ରହିଗଲେ । ଖାଲି ଟ୍ରକ୍‌ଟା କଟକ ଫେରିଗଲା ।

 

ଡେରିକରିବାକୁ ଆଉ ସମୟ ନାହିଁ । ଜଳଖିଆପତ୍ର ଖାଇସାରି ମୂଲିଆମାନେ ଲାଗିଗଲେ କାମରେ । ଶାମ ପତି ଘର ଭିତରକୁ ପଶିଯାଇ ବେଦି ଅନୁକୂଳ ବଡ଼ି ମୁଗଜାଇ ଅନୁକୂଳ ଆଦି ସବୁକିଛି ବରାଦ କରିବାରେ ଲାଗିପଡ଼ିଲେ । ଗୀତାକୁ ଏସବୁ ଜଣାନଥିଲା । ବାହାଘର କେତେ କେତେ ଜାଗାରେ ସେ ଦିଖିଛି । କିନ୍ତୁ ତା’ର ନିଜ ଅନୁଭୂତି ନାହିଁ । ଦେଖାଶୁଣା ଅପେକ୍ଷା ନିଜେ କରିବା ଅଲଗା କଥା । ଶାମ ପତି ସେଥିକି ଧୁରନ୍ଧର । ଜିତୁ ହାଲିଆମାରି ଶୋଇଯାଇଥିଲା । ତାଙ୍କର କିନ୍ତୁ ବିଶ୍ରାମ ନାହିଁ । ବିଭାଘର ନ ସରିଲାଯାଏଁ ସେ ଖାଇବେନି କି ଶୋଇବେନି । ମଝିରେ ମଝିରେ ତାଙ୍କପାଇଁ ଚା’ ଦରକାର । ଚା’ ପରେ ପରେ କଡ଼ାଗୁଣ୍ଡି ପାନ । ଚା’ ପାନ ହେଲେ ଖିଆପିଆର ପ୍ରୟୋଜନ ନାହିଁ, ବିଭାଘରଟା ସୁରୁଖୁରୁରେ କେମିତି ହୋଇଯାଉ ।

 

ଏଡ଼େବଡ଼ କାମଟେ ଏତେ ସୁରୁଖୁରୁରେ ହୋଇଯିବ ବୋଲି ଶଙ୍କର ସ୍ୱପ୍ନରେ ବି ଭାବିନଥିଲା । କିଛି ଗୋଟିଏ କାମ ତା’ ଦିହକୁ ଲାଗିନି । ଶାମ ପତି ବୁଢ଼ାର ସବୁଆଡ଼ିକି ନଜର । ପାନଛେଚାଟି ହାତରେ ଧରି ତାଙ୍କର ଶାଣଦିଆ ପାକୁଆ ପାଟି ରହି ରହି ବେଳେବେଳେ ଗର୍ଜିଉଠୁଥିଲା । ପରେ ପରେ ହସ ହସ କଥା ଓ ପିଠିଆଉଁଷା । ଯୋଉମାନେ ବାହାଘର କାମରେ ଦିନରାତି ଲାଗିପଡ଼ିଥିଲେ ସେମାନେ ଘରଲୋକ ହୁଅନ୍ତୁ କି ମଜୁରୀଖିଆ ମୂଲିଆ ହୁଅନ୍ତୁ ସେମାନଙ୍କର ଖିଆପିଆଟା ସେ ଆଗ ବୁଝୁଥିଲେ । ଖନ୍ଦାଶାଳ ପାଖରେ ବସିରହି ବିଭାଘରର ଯାବତୀୟ ଜିନିଷ ଉପରେ ତାଙ୍କର ଆଖି । ଶଙ୍କର କେବଳ ତାଙ୍କର ବନ୍ଧୁବାନ୍ଧବ ସାଙ୍ଗସାଥୀ ଓ ଚିହ୍ନାପରିଚିତ ଲୋକମାନଙ୍କୁ ନିମନ୍ତ୍ରଣ କରିବାରେ ଲାଗିଥିଲା । ଜିତୁ ହାତରେ ଟଙ୍କାପଇସା । ତିନିଦିନ କାଳ ସିଏ ବି ଆଖି କଷା ପକେଇନି । ଆଲୋକଟା ଥିଲେ ସବୁକିଛି କାମ ସେ ଅକ୍ଳେଶରେ କରିଦେଇପାରିଥାଆନ୍ତା । ଜିତୁ ଆଲୋକ ବିଷୟରେ ବୋଉକୁ କେବଳ ଦି ତିନିଥର ଯାହା ପଚାରିଛି । ଆଲୋକ କଥା ପଚାରିଲେ ବୋଉ କିଛି ଉତ୍ତର ଦେଇପାରେନି । କାମଦାମ ସବୁ ଧିମେଇଯାଏ । ଆଲୋକ ତ ଆସିପାରିଲାନି । ଜିତୁ ବାପା କି ବୋଉ କିଛି ଉତ୍ତର ଦେଇପାରେନି । କାମଦାମ ସବୁ ଧିମେଇଯାଏ । ଆଲୋକ ତ ଆସିପାରିଲାନି । ଜିତୁ କି ବୋଉ କାହାକୁ ତା’ କଥା ଆଉ ପଚାରିଲାନି ।

 

ନିମନ୍ତ୍ରିତ ଭଦ୍ରଲୋକଙ୍କ ସଂଖ୍ୟା ଏତେ ବଢ଼ିଯିବ ବୋଲି ଆଶା କରାଯାଉନଥିଲା । କେତେଜଣ ସେମାନଙ୍କର ପିଲାଝିଲାଙ୍କୁ ସାଙ୍ଗରେ ଧରି ଚାଲିଆସିଲେ । ବିବାହ ଉତ୍ସବରେ ବେଶିସଂଖ୍ୟକ ଲୋକଙ୍କୁ ନ ଡାକିବାକୁ ନିୟମ ଅଛି । ନିୟମ ଲଂଘନକଲେ ଜେଲ୍‌ ଜୋରିମାନା । ଶଙ୍କର ଭୟ କରୁଥିଲା । ଶାମ ପତିଙ୍କର ଉପରେ ହାତ ଅଛି । ସେ ଢେଙ୍କାନାଳର ଲୋକ ହେଲେ ବି ତାଙ୍କର ଖଦଡ଼ ପୋଷାକ ଜରିଆରେ ଉପରଠୁ ତଳଯାଏଁ ସବୁଜାଗାରେ ତାଙ୍କର ହାତ, ସେ ତା’ର ବ୍ୟବସ୍ଥା କରିଦେଲେ । ନିୟମ ସାଧାରଣ ଲୋକଙ୍କ ପାଇଁ । ଯେଉଁମାନେ ନିୟମ ତିଆରି କରନ୍ତି ସେମାନଙ୍କ ପାଇଁ ନିୟମ କାଟୁକରେନି । ଆଇନ୍‌କୁ ଆଖିମିଟିକା ମାରି ସେଇମାନେ ଆଗ ନିୟମ ଭଙ୍ଗ କରନ୍ତି । ଜିତୁ ଶାମ ପତିଙ୍କି ଭଲଭାବରେ ଚିହ୍ନିଥିଲା । ତାଙ୍କୁ ଟେକାଟେକି କରିଦେଲେ ସବୁକାମ ସେ ଆପେ ଆପେ କରିଯିବେ । ଶଙ୍କର ବହୁତ ପରେ ଜାଣିଲା–ଜିତୁ କିପରି ନିଜ ବୁଦ୍ଧି ବଳରେ ବୁଢ଼ାକୁ ବାନ୍ଧି ରଖିପାରିଛି । ଟଙ୍କାପଇସା ସାମୟିକ ଦେଇ ଶାମ ପତି ଏବେ ତା’ ହାତମୁଠାରେ ।

 

ମନି ବିଭାଘରରେ ସମସ୍ତେ ଖୁସି । ଶଶୁର ଘର ଖୁସି, ସେମାନେ ବହୁତ ଜାନିଯୌତୁକ ପାଇଛନ୍ତି । ବୋହୂର ଦିହସାରା ସୂନା ଛାଉଣି, ଖଟ ସୋଫା ଆଲମାରି ଆଦି ଆସବାବପତ୍ର ଖୁଣିଦେବାକୁ ନାହିଁ । ମଟରସାଇକେଲ ସାଙ୍ଗକୁ ବାଟଖର୍ଚ୍ଚ ପାଇଁ ନଗଦ କ୍ୟାସ୍‌ । ବୋହୂ ପୁଣି ଶିକ୍ଷିତ । ବି.ଏ. ପାଶ୍‌ କରିଛି । ଦେଖିବାକୁ ସୁଶ୍ରୀ । କ’ଣ ଆଉ ଦରକାର ?

 

ବାପାଙ୍କର ଚାକିରି ଚାଲିଗଲା ପରେ ଜିତୁ ବୋଲି ପୁଅ ସିଏ ଯେ ଏକେଲା ଏତେବଡ଼ କାମଟେ ଉଠେଇ ଦେଇପାରିବ ଗୀତା ଏ କଥା ସ୍ୱପ୍ନରେ ମଧ୍ୟ ଭାବିନଥିଲା । ବାପା ମା’ ହୋଇ କିଛିହେଲେ ସେମାନଙ୍କୁ ଲାଗିଲାନି । ଜଗନ୍ନାଥ କେବଳ ଭରସା । କୋଉ ଯୋଗାରେ ଶାମ ପତି ବୁଢ଼ା ଏ ଘରେ ଆସି ପାଦଦେଲେ କେବଳ ତାଙ୍କରି ଯୋଗୁଁ ଏତେ ଅଳ୍ପସମୟ ମଧ୍ୟରେ ବିଭାଘରଟା ଉଠିଯାଇପାରିଲା । ଘରେ ବାହାରେ କେହି ଖୁଣିଦେବାକୁ ନାହିଁ । ସମସ୍ତଙ୍କ ମୁହଁରେ ଧନ୍ୟ ଧନ୍ୟ ପ୍ରଶଂସା ।

 

ଶଙ୍କର ବିଭାଗର କାମରେ ବ୍ୟସ୍ତଥିଲାବେଳେ ଜିତୁକୁ ପଚାରିବ ପଚାରିବ ବୋଲି ଅନେକଥର ଭାବିଥିଲେ ବି ତାକୁ ପଚାରିପାରିନି-କୁଆଡ଼ୁ ସେ ଏତେ ଟଙ୍କା ପଇସା ଆଣିଲା । ଜିତୁ ବି କଥାବାର୍ତ୍ତା ହେବାକୁ ସୁବିଧା ଦେଇନି । ଶଙ୍କର ମନେମନେ ଠିକ୍‌ କଲା–ବିଭାଘରଟା ଆଗ ଉଠିଯାଉ । ତା’ପରେ ଯାଇ କଥାବାର୍ତ୍ତା । ସବୁବେଳେ ସେ ଥିଲା ଶାମ ପତିଙ୍କ ପଛେ ପଛେ । ବୁଢ଼ା ଦିନ ନାହିଁ ରାତି ନାହିଁ ଖଟିଲାଗିଛି । ତାଙ୍କୁ ଖରାପ ଲୋକ ବୋଲି ଭାବି ସେ ଭୁଲ୍‌ କରିଥିଲା । ନିଜ ରକ୍ତସଂପର୍କ ଲୋକେ କେହିହେଲେ ଏମିତି ପରପାଇଁ କରିବେନି । ଶାମ ପତିଙ୍କୁ ନିଜର କୃତଜ୍ଞତା ଜଣାଇଲେ ସେ ପାକୁଆ ପାଟିରେ ହସଟିଏ ହସିଦେଇ ଅଳ୍ପ ସମୟ ପାଇଁ ଫୁଲିଉଠନ୍ତି । ପରେ ପରେ ବଡ଼ ପାଟିଟିଏ କରନ୍ତି । ତାଙ୍କର ପାଟିରେ ବିଭାଘରଟା ଉଠିଯାଇପାରିଲା ।

 

ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ପାଇଁ ଅବଶୋଷ ରହିଗଲା । ଆଲୋକ ବିଭାଘର ଯୋଗ ଦେଇପାରିଲାନି । ସେ ଥିଲେ ସମସ୍ତେ କେଡ଼େ ଖୁସି ହୋଇନଥାନ୍ତେ ?

 

ଆଲୋକ କିନ୍ତୁ ଲୁଚିଛପି ଆସିଥିଲା । ମନି ମଟରରେ ବସି ଶାଶୁଘରକୁ ଯିବାଆଗରୁ ଝାଡ଼ାଝପଟ ସାରିଦେବାକୁ ଯେତେବେଳେ ବାରିଆଡ଼ିକି ଯାଏ ସେ ଆଲୋକକୁ ସେଠି ଦେଖିବାକୁପାଇଥିଲା । ଆଲୋକ କାନ୍ଦି କାନ୍ଦି ତାକୁ କୁଣ୍ଢେଇ ପକେଇଲା । ପାଟିକି ଚିପି ଆଉ କାହାକୁ କହିବାକୁ ମନାକରିଦେଲା । ତା’ ପରେ ପରେ କୁଆଡ଼େ ସେ ଅନ୍ତର୍ଦ୍ଧାନ ହେଲା । ମନି କହିବନି ବୋଲି ଭାଇକି କହିଥିଲେ ବି ବୋଉକୁ ନ କହି ରହିପାରିଲାନି । ବାପଘର ଛାଡ଼ି ଶାଶୁଘରକୁ ଗୋଡ଼ କାଢ଼ିଲାବେଳେ ଆଲୋକ ସାଙ୍ଗରେ ଅକସ୍ମାତ ଦେଖା । ମା’ ଝିଅଙ୍କର କାନ୍ଦ ବୋବାଳି ସେଇଥିପାଇଁ ବହୁତ ବଢ଼ିଗଲା । ଝିଅ ବିଦା କରିବାରେ ଡେରିହବାରୁ ଶଙ୍କର ଜାଣିଲା । ଜିତୁ ବି ଜାଣିଲା । ଶାମ ପତି କହିଲେ–ଏତେ ବ୍ୟସ୍ତ କାହିଁକି । ତା’ର ବ୍ୟବସ୍ଥା ସେ ନିଜେ କରିବେ-

 

ଝିଅ ବିଦା ପରେ ଶାମ ପତି ଆହୁରି ବି କହିଲେ–ଭୁବନେଶ୍ୱର ଅଫିସକୁ କାଗଜ ଆସିଗଲାଣି । ନିଜେ ନଗଲେ ନ ଚଳେ । ଶଙ୍କରର ପୁଣି ଚାକିରି ହୋଇଯିବ । ପାଞ୍ଚଦିନ ପରେ ସେ ଢେଙ୍କାନାଳରୁ ଭୁବନେଶ୍ୱର ଆସିବେ । ଶଙ୍କର ସାଙ୍ଗରେ ସେଇଠି ଦେଖାହେବ । କେତେ କେତେ ଲୋକ ଯୋଉମାନେ ଚାକିରି ହରେଇଥିଲା ସେମାନେ ପୁଣି ଫେରିପାଇଲେଣି ।

 

ଅଦିନିଆ ଝଡ଼ଟିଏ ବହିଗଲେ ସବୁଆଡ଼େ ପୁଣି ଯେପରି ଅଳ୍ପସମୟ ପାଇଁ ଶୂନଶାନ୍‌ ହୋଇଯାଏ ମନି ଗଲାପରେ ସମସ୍ତେ ଯିଏ ଯାହାର ବିଶ୍ରାମ ନେଉଥିଲେ । ଶାମ ପତି ଚାରିକାତ ଲମ୍ବେଇ ଗଡ଼ିଯାଇଥିଲେ–ବିଚାରୀ ତିନିଦିନ ତିନିରାତି ସେ ଖାଇନାହାନ୍ତି । ତାଙ୍କର ମନ ନେବାପାଇଁ ଘରେ ସମସ୍ତେ ବ୍ୟାକୁଳ । ଫେରିଯିବାକୁ ସେ ତରତର ହେଲେଣି । ଉଠିଲେ ତାଙ୍କୁ ଖୁସିରେ ବିଦା କରିବାକୁ ପଡ଼ିବ ।

 

ଛାଇନେଉଟା ବେଳକୁ-ଚାରିଟା ଆସି ବାଜିବ, ଜଣେ ଲୋକ ଠିକଣା ବୁଝି ବୁଝି ଘରେ ଆସି ପହଞ୍ଚିଲେ । ଖଦଡ଼ ପୋଷାକଧାରୀ ଜଣେ ଭଦ୍ରଲୋକ । ଶଙ୍କର ତାଙ୍କୁ ଚିହ୍ନିନି । କିନ୍ତୁ ସେ କହିଲେ–ଶଙ୍କର ବାବୁକୁ ଭଲଭାବରେ ସେ ଜାଣନ୍ତି । ଶାମ ପତିଙ୍କ ସାଙ୍ଗରେ ତାଙ୍କର ଜରୁରୀ କଥାବାର୍ତ୍ତା ଥିଲା ।

 

ଭଦ୍ରଲୋକ ଜଣକ ଖବରଦେଲେ–ସେ ଗୋପନରେ ଖବର ପାଇଛନ୍ତି-ନିର୍ବାଚନ ହେବାକୁଯାଉଛି । ଅଳ୍ପଦିନରେ ହେବ । ତାଙ୍କୁ ସାଙ୍ଗେ ସାଙ୍ଗେ କଟକ ଯିବାକୁ ପଡ଼ିବ । ଶାମ ପତି ଓ ଜିତୁବାବୁ ଉଭୟେ ଯିବେ ।

 

ବିଶ୍ରାମ କରିବାକୁ ଆଉ ସମୟ ମିଳିଲାନି । ଶାମ ପତି ଓ ଜିତୁ ଦିହେଁ ସନ୍ଧ୍ୟା ଏକସ୍‌ପ୍ରେସ୍‌ ଗାଡ଼ି ଧରି କଟକ ଚାଲିଗଲେ ।

 

ସକାଳେ ରେଡ଼ିଓ ଖୋଲିଲାବେଳକୁ ନିର୍ବାଚନ-ଖବରକାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ନିର୍ବାଚନ ଖବର-ରାସ୍ତାରେ ଲୋକମେଳରେ ଅଫିସ୍‌ମାନଙ୍କରେ, ହୋଟେଲ ରେଷ୍ଟୁରେଣ୍ଟରେ, ଘରେ, ବାହାରେ, ଗଗନପବନରେ ଚାରିଆଡ଼େ । ଖବରଟା ଚାହୁଁ ଚାହୁଁ ସହରରୁ ଡେଇଁ ଡେଇଁ ଗାଁଗଣ୍ଡା ଭିତରେ ପଶିଗଲା–ମାସକ ପରେ ନିର୍ବାଚନ !

 

ନିର୍ବାଚନ ଏତେଶୀଘ୍ର ହୋଇଯିବ ବୋଲି କେହି କେବେ ଆଶା କରିନଥିଲେ ।

 

ବିଭାଘର ପରେ ପରେ ଶଙ୍କର ଭାବିଥିଲା–କେତେଦିନ ସେ ଘରେ କେବଳ ଶୋଇରହିବ । ଯିଏ ଯୁଆଡ଼େ ଯିବ ଯାଉ । ସେମାନେ ତ ଆଉ ଛୋଟ ପିଲା ନୁହଁନ୍ତି । ଯିଏ ଯାହା କରିବ ସିଏ ତା’ ଫଳ ଭୋଗ କରିବ । ସେମାନଙ୍କୁ ଗୋଡ଼େ ଗୋଡ଼େ ଜଗିଲେ କି ପାଟିତୁଣ୍ଡ କଲେ କିଛି ଲାଭ ନାହିଁ । ମନି ଗୋଟିଏ ବଡ଼ ବୋଝ ହୋଇ ରହିଥିଲା । ସିଏ ତ ତା’ ଭାଗ୍ୟନେଇ ଗଲାଣି-। କାହାପାଇଁ ଆଉ ଚିନ୍ତା ? ଘରେ କେବଳ ସେ ଆଉ ଗୀତା । ପେନ୍‌ସନ ଗଣ୍ଡାକ ମିଳିଥିଲେ କାହା ଉପରେ ନିର୍ଭର କରିବାକୁ ପଡ଼ିନଥାଆନ୍ତା । ଭଗବାନ ସେତକ ବି କରେଇଦେଲେନି । ବୁଢ଼ାଦିନେ ପୁଣି କାହା ଦୁଆରେ ଯାଇ ଖଟିବାକୁ ପଡ଼ିବ । ଆଉ ଉପାୟ କ’ଣ-? ଆଲୋକଟା ତ ଏକବାରେ ଲଗାମଛଡ଼ା । ଜିତୁ ଏତେ ଖର୍ଚ୍ଚବାର୍ଚ୍ଚ କରି ବିଭାଘରଟା ଉଠେଇଦେଲା ସତ, କିନ୍ତୁ ତା’ଉପରେ ବିଶ୍ୱାସ ନାହିଁ । କ’ଣ ସେ କରୁଛି କେଜାଣି ? ଘଟଣାଟା କ’ଣ ଏଯାଏଁ ସେ ପାଟି ଖୋଲିକରି କହିଲାଣି । ଏମିତି ଗୁଡ଼ାଏ ଦିନରାତି ଆକାଶପାତାଳ ଭାବି ଭାବି ଶଙ୍କର ଆଉ ବିଶ୍ରାମ ନେବ କ’ଣ ଚେଷ୍ଟାକଲେ ବି ତାକୁ ନିଦ ଆସିଲାନି ।

 

ଏଣେ ଆସନ୍ତା ନିର୍ବାଚନର ଖବରଟା ମୁଣ୍ଡକୁ ଗୋଳମାଳିଆ କରିଦେଇଥିଲା । ତା’ ମନରେ ବିଶ୍ୱାସ ଥିଲା ତା’ ଚାକିରିଟା ପୁଣି ସେ ଫରିପାଇବ । ପୁଣି ଚାକିରି କରିବାକୁ ତା’ର ମୋଟେ ଆଉ ଇଚ୍ଛା ନାହିଁ । ପେନ୍‌ସନଟା ଅନ୍ତତଃ ସେ ପାଇପାରିବ ଓ ଏକାଠି ମୋଟା ଟଙ୍କା କିଛି ପାଇଯିବ । ତା’ପରେ ପରେ ଜିତୁର ବିଭାଘର । ଘରକୁ ସେ ବୋହୂଟିଏ ଆଣନ୍ତା । ଗୀତାର ସେଇଥିପାଇଁ ଘୋର ଚିନ୍ତା । ପିଲାମାନେ କୁଆଡ଼େ କୂଳକିନାରା ପାଇଗଲେ ବୋହୂ ଦିହିଁଙ୍କି ଘର ସମ୍ଭାଳିବାକୁ ଛାଡ଼ିଦେଇ ବୁଢ଼ା ବୁଢ଼ୀ ଦିହେଁ ଦିଅଁଙ୍କ ପାଖକୁ ସକାଳେ ସଞ୍ଜେ ଯାଇ ସମୟ ତାଙ୍କର କଟେଇ ଦେଇପାରନ୍ତେ ।

 

ଦିନେ ସକାଳୁ ସକାଳୁ ଶାମ ପତି ବୁଢ଼ା ଦେଖି ବେଶି ମନେପଡ଼ିଲେ । ଶଙ୍କର ଚା’ ଖାଉଥିଲାବେଳେ ଗୀତା ପାଖ ଚଉକିରେ ବସି ରହିଥିଲା । ମନି ଘରେ ଥିଲାବେଳେ ଏସବୁ କାମଦାମ ଗୀତା ଉପରେ ପଡ଼େନି । ସେ ଗଲା ପରେ ପରେ ଘର ଗୋଟାକର କାମ ସେ ନିଜେ କଲାଣି । କାମ କରିବା ବହୁତଦିନୁ ଛାଡ଼େରା ହୋଇଯାଇଥିଲା । ନିଜେ ନ କଲେ ନ ଚଳେ । ଜିତୁର ତ ପବନଭଳି ଗତି । କୁଆଡ଼ୁ ଆସି କୁଆଡ଼େ ସେ ଯାଇଛି କିଛି ତା’ର ଠିକଣା ନାହିଁ । ନାନାଆଡ଼ୁ ଏମିତି ନାନା କଥା କହି ଗୀତା ସେଦିନ ସକାଳୁ ସକାଳୁ ବଡ଼ ବ୍ୟସ୍ତ ହେଉଥିଲା ।

 

ଶଙ୍କର କହିଲା–ଶାମ ପତି ବୁଢ଼ା କହିଯାଇଛି ଭୁବନେଶ୍ୱର ଯିବାକୁ ପଡ଼ିବ ।

 

ଗୀତା ପଚାରିଲା–କାହିଁକି ?

 

ଅଫିସ୍‌ ଆଡ଼େ ଅଳ୍ପ ବୁଲାବୁଲି କରିଆସିବା ଦରକାର । କାଳେ କ’ଣ ଯଦି ହୋଇଥାଏ-? ବୁଢ଼ା କହିଛନ୍ତି–ସିଏ ଆସିବେ । ଶଙ୍କର ଗୀତା କହିବାକୁ ଅପେକ୍ଷା କଲା ।

 

ସେ କିନ୍ତୁ ନୀରବ ।

 

ଶଙ୍କର ପଚାରିଲା–ତା’ହେଲେ କ’ଣ ଯିବନି ?

 

ଗୀତା କହିଲା–ନ ଯିବ କାହିଁକି ? ଘରେ ମୁଁ କିନ୍ତୁ ଏକେଲା । ଭଲ ଥାଏ କି ମନ୍ଦଥାଏ ।

 

ଅଳ୍ପ ସମୟ ଚୁପ୍‌ ରହି ଶଙ୍କର କହିଲା–ଆଲୋକକୁ ଖୋଜିବେ ବୋଲି ପୁଣି କ’ଣ ଭାବୁଛ ପୁଲିସବାଲାମାନେ ଆସିବେ ?

 

ଆଲୋକ କଥା ଶୁଣି ଗୀତା ଆଖିରୁ ଠକ୍‌ ଠକ୍‌ ଦି’ଟୋପା ଲୁହ କେବଳ ଗଡ଼ିପଡ଼ିଲା ।

 

ତାହେଲେ ମୁଁ ଯାଉଛି–ସନ୍ଧ୍ୟାସୁଦ୍ଧା ଫେରିଆସିବି । ଚିନ୍ତାକରିବା କିଛି ଦରକାର ନାହିଁ ।

 

ଗୀତା କହିଲା–ଯାହା କରୁଛ କର ।

 

ଶଙ୍କର ଆଉ କାଳବିଳମ୍ବ ନକରି ଗାଧୁଆ ଖିଆପିଆ ସାରିଦେଇ ଶୀଘ୍ର ଶୀଘ୍ର ବାହାରିପଡ଼ିଲା ଭୁବନେଶ୍ୱର । ବ୍ୟାଗ୍‌ ଖଣ୍ଡିକ ତା’ର ହାତରେ । ସେଥିରେ ପଡ଼ିଛି ଚାକିରିରୁ ଡିସ୍‌ଚାର୍ଜ ଅର୍ଡ଼ର । ଅଫିସର୍‌ ଦରକାର ପଡ଼ିପାରେ । କିଏ କୁଆଡ଼େ ଦୋଷକଲା । ତା’ଉପରେ ପଡ଼ିଲା ଚଡ଼କ । ଭୁଲ୍‌ ଷ୍ଟେଟମେଣ୍ଟଟା ପାଇଁ ସେ କ’ଣ ଏକେଲା ଦାୟୀ ? ଉପର ଅଫିସରମାନେ ତ ପୁଣି ଅଛନ୍ତି । ସେମାନେ ତ ପୁଣି ସେଥିରେ ଦସ୍ତଖତ ମାରିଥିଲେ ? ଏ ଅନ୍ଧ ବୁଝାମଣାକୁ କିଏଅବା ପାରିବ ?

 

କାପିଟାଲ୍‌ ବସ୍‌ଷ୍ଟାଣ୍ଡରେ ହେଲାବେଳକୁ ବାରଟା ପାଖାପାଖି । ବସ୍‌ରୁ ଓହ୍ଲେଇପଡ଼ି ଶଙ୍କର ଅନୁଭବ କଲା–ଗୋଡ଼ ଆଉ ତା’ର ଚଳୁନି । ଆସିଲାବେଳର ସେ ସ୍ପୃହା ଆଉ ନାହିଁ । ଯୋଉ ଅଫିସ୍‌ରେ ଏତେବର୍ଷ ସେ କଟେଇଛି ସେଠି ଯାଇ ପୁଣି ଗୋଡ଼ଭାଙ୍ଗି ଠିଆହେବ, କାହାକୁ ଯାଇ ନେହୁରା ହେବ, କୁହା ବୋଲା କରିବ, ଭାବିଦେଲାବେଳେ ତାକୁ ଭଲ ଲାଗୁନଥିଲା । ଯୋଉମାନେ ତା’ ତଳେ କାମ କରୁଥିଲେ ଓ ଅଫିସର ପିଅନମାନେ ପାଟିରୁ ତା’ର କଥା ବାହାରୁ ନ ବାହାରୁ ପାଣିଗ୍ଳାସ, ଚା’ ଜଳଖିଆ ଆଣି ଟେବୁଲରେ ଥୋଉଥିଲେ ସେମାନେ ତା’ଆଡ଼ିକି ଆଜି ବଲବଲ କରି ଚାହିଁବେ । ଅଫିସରମାନେ କିଏ ଚିହ୍ନିବେ କିଏ ଅବା ନ ଚିହ୍ନିବେ । ତାଙ୍କର ସହାନୁଭୂତି ପୂର୍ଣ୍ଣ ଫମ୍ପା କଥା ତାକୁ ଭଲ ଲାଗିବନି । ମନେପଡ଼ିଗଲେ ଶାମ ପତି-କହିଥିଲେ ସେ ଆସିଥିବେ । ଶଙ୍କର ବସ୍‌ଷ୍ଟାଣ୍ଡର ଚାରିଆଡ଼ିକି ଅନେଇଦେଲା । ମନେମନେ ଭାବିଲା–ସେ ଏଠିକି କାଇଁ ଆସିବେ ? ଆସିଥିଲେ ଅଫିସ୍‍କୁ ହୁଏତ ଆସିଥିବେ । ନାଁ ସେ ଆସିନଥିବେ । ନିର୍ବାଚନ ଆଗରେ । ତାଙ୍କ ଉପରେ ବହୁତ କାମ । କହିଦେଇଥିଲେ ସିନା, ଆସିନଥିବେ । ସେ ନ ଆସନ୍ତୁ କିଛି ଯାଏଆସେ ନାହିଁ । ଯେତେ ଯାହା ହେଉ ସେ ନିଶ୍ଚେ ଅଫିସ୍ ଯିବ । ଏତେବାଟ ଆସିଲାଣି, ଆଉ କ’ଣ ଫେରିଯିବ ?

 

ଶଙ୍କର ବ୍ୟାଗ୍‌ଖଣ୍ଡିକ ଝୁଲେଇ, ଖରାରେ ଖରାରେ ଚାଲିଲା ଅଫିସ୍‌ । ବସ୍‌ଷ୍ଟାଣ୍ଡ ଆରପଟେ ଅଳ୍ପ ବାଟ ଗଡ଼ିଗଲେ ନଅତାଲା କୋଠା ପାଖେ ତା’ର ଅଫିସ୍‌ । ଏବେ ଆଉ ସେ ତା’ର ଅଫିସ୍‌ ନୁହେଁ । ଯୋଉଠି ଚାକିରି ଜୀବନର ବହୁତ ବର୍ଷ ସେ କଟେଇଛି । କେତେଦିନର ପରିଚିତ ସେଇ ଅଫିସ୍‌ଟା । ଗଲାବେଳେ ଶଙ୍କର ଅନୁଭବ କରୁଥିଲା–ସେ ଅବା ଜଣେ ଅଖୋଜା, ଅଲୋଡ଼ା ଅପରିଚିତ ଲୋକ । ସେ କାହାକୁ ଏଠି ଜାଣିନି କି ଚିହ୍ନିନି । ଅନ୍ୟକେହି ବି ତାକୁ ଚିହ୍ନିପାରୁନାହାନ୍ତି ।

Unknown

 

ଦୂରରୁ ଦେଖିଦେଇ ଠିକ୍‌ ତାକୁ ଚିହ୍ନିପାରିଲେ ରବିବାବୁ । ଗଲାଥର ଆସିଲାବେଳେ ଯେ କହିଥିଲେ–ଚାକିରି ତା’ର ହୋଇଯାଇଛି । ଅର୍ଡ଼ରଟା ଅଧାବାଟରେ ଅଛି । ବୋଧହୁଏ ଚାଲିଯିବଣି ।

 

ଶଙ୍କର କିଛି ନ କହିବା ଆଗରୁ ରବିବାବୁ କହିଲେ–ବଡ଼ ଦୁଃଖିତ ମୁଁ ଶଙ୍କର ବାବୁ । ଅଫିସ୍‌ରୁ ଯେତିକି ମୁଁ ଜାଣିଥିଲି ସେତିକି କେବଳ ମୁଁ ସେଥର କହିଥିଲି । ତା’ ପରେ ପରେ ସେଥିରେ ଆଉ କ’ଣ କାରସାଦି ହେଲା କି ଆଉ କାହାର ଚାପଡ଼ିଲା ସେ କଥା ମୁଁ ସଠିକ୍‌ ଜାଣେନି-। ସେମିତି କିଛି ବୋଧେ ହେଲା । ନୋହିଲେ ଏଯାଏଁ ବନ୍ଦହେବାର ତ କାରଣ କିଛି ନ ଥିଲା ?

 

ଶଙ୍କର କହିଲା–ସେସବୁ କଥା ଛାଡ଼ । ଏବେ କ’ଣ ହୋଇଛି କୁହ । ଚାଲ ଅଫିସ୍ ଯିବା-

 

ରବିବାବୁ କଥାବାର୍ତ୍ତା ସାରିଦେଇ ଚାଲିଯିବାକୁ ତରତର ହେଉଥିଲେ ।

 

ଶଙ୍କର ପଚାରିଲା–ଏତେ ତରତର କାହିଁକି ? କ’ଣ ହେଲା କି ?

 

ରବିବାବୁ କହିଲେ–ସେକାଳର ଅଫିସ୍‌ କ’ଣ ଏବେ ଆଉ ଅଛି । ନାନା କଟକଣା ଜାରିହେଲାଣି । ଆପଣ ଆସନ୍ତୁ । ମୁଁ ଆଗେ ଆଗେ ଯାଉଛି । ଅଫିସ୍‌ ଆଗରେ କେୟାରଟେକର ବସିରହିଛି । ତା’ ଖାତାରେ ନାଁ ଲେଖି ମୋ ପାଖକୁ ଖବର ଦେଇଆସିବେ ।

 

ଶଙ୍କର ଆଶ୍ଚର୍ଯ୍ୟ ହେଲା ।

 

ରବିବାବୁ ଚାଲିଯାଉ ଯାଉ କହିଲେ–ମୁଁ ବାହାରକୁ ଆସିଛି । ଖାତାରେ ନାଁ ଲେଖି ଅଳ୍ପସମୟ ପାଇଁ ଆସିଛି । ଆପଣ ବୋଧେ ଜାଣିନାହାନ୍ତି–ଦଶ ବାଜିବା ଆଗରୁ ସମସ୍ତେ ଏବେ ଅଫିସରେ ହାଜର । ପାଞ୍ଚ ମିନିଟ୍‌ ଡେରି ହୋଇଗଲେ ଫାଟକ ବନ୍ଦ । ପୁଣି ଡେରିପାଇଁ କଇଫିୟତ ତଲବ । କାମ କର ବା ନ କର ଫାଇଲ୍‌ ଖୋଲି ଚୁପ୍‌ଚାପ୍‌ ନିଜ ସିଟ୍‌ରେ ବସି ରହିଥିବ ।

 

ଶଙ୍କର କହିଲା–ସତେ ?

 

ରବିବାବୁ ଆସନ୍ତୁ ଆସନ୍ତୁ ବୋଲି କହି ଆଗେ ଆଗେ ଚାଲିଗଲେ ।

 

ଶଙ୍କର ଭାବୁଥିଲା–ଅଫିସ୍‌ ଭିତରକୁ ସେ ଆଉ ଯିବନି । ଅଧାବାଟରୁ ପୁଣି ଫେରିଯିବ-। ସେଇ ଗୋଲାମଗିରୀ ଆଉ ଦରକାର ନାହିଁ । ସେ ଯିବନି ।

 

ଗେଷ୍ଟହାଉସ ରାସ୍ତାଦେଇ ବୁଲିଗଲାବେଳକୁ ସାମ୍ନାରୁ ଛୁଟିଆସିଲା ଗୋଟିଏ କର୍‌ । ଗାଡ଼ିରେ ଭରପୂର ଲୋକ । ସମସ୍ତେ ଖଦଡ଼ପିନ୍ଧା ଭଦ୍ରଲୋକ । ଶଙ୍କର ସେମାନଙ୍କୁ ଚିହ୍ନେନି । କେତେଜଣଙ୍କୁ ସେ ଦେଖିଛି । କିନ୍ତୁ ଜାଣିନି ।

 

ଗାଡ଼ିଟା ତା’ପାଖରେ ଅଟକିଗଲା । ହସି ହସି ଓହ୍ଲେଇପଡ଼ିଲେ ଶାମ ପତି । କହିଲେ–ଆପଣ ଯାଆନ୍ତୁ । ସବୁକିଛି ମୁଁ କରିଦେଇଛି । ମୋର ବହୁତ କାମ ଅଛି । ଅସୁବିଧା ହେଲେ ମୋ ପାଖକୁ ଚିଠିଦେବେ ।

 

ଗାଡ଼ି ଭିତରକୁ ପଶି ଯାଉ ଯାଉ ବୁଢ଼ା ପଚାରିଲେ–ଜିତୁ, ଘରକୁ ଯାଇଥିଲା କି ? ଦି’ଦିନ ହେଲା ତା’ର ଦେଖାନାହିଁ ।

 

ଶଙ୍କର ମୁଣ୍ଡ ହଲେଇ କେବଳ ନାହିଁ କଲା ।

 

ଶାମ ପତିଙ୍କି ସମୟ ନ ଥିଲା । ଗାଡ଼ିରେ ପବନ ବେଗରେ ସେ କୁଆଡ଼େ ଚାଲିଗଲେ ।

 

ଶଙ୍କର ବ୍ୟାଗ୍‌ଖଣ୍ଡିକ ହାତରେ ଝୁଲେଇ ସିଧା ଚାଲିଲା ଅଫିସ୍‍ଆଡ଼େ ।

 

ରାସ୍ତାରେ ବେଶି ଲୋକବାକ ଯା’ଆସ କରୁନଥିଲେ । ବେଳେବେଳେ ରହି ରହି ଆଗରୁ ପଛରୁ ଛୁଟିଆସୁଥିଲା ଗୋଟିଏ କାର୍‌ । ଗେଷ୍ଟହାଉସ୍‌ର ଡେଙ୍ଗା ଓ ଧାଡ଼ି ଧାଡ଼ି ଦେବଦାରୁ ଗଛସବୁ ନିଷ୍ପ୍ରଭ ଦେଖାଯାଉଥିଲେ ଖରାରେ । କଣ୍ଟାବାଡ଼ରେ ଲଟେଇଥିବା ମଧୁମାଳତୀ ଫୁଲର ପେନ୍ଥାଯାକ ନଇଁପଡ଼ିଥିଲେ । ଘଣ୍ଟି ବଜେଇ ପଛରୁ ରିକ୍‌ସା କେଇଖଣ୍ଡ ଧାଇଁଗଲେ । ଶଙ୍କର ଯିବ କି ନାହିଁ ଏମିତି ଭାବି ଭାବି ଆଗକୁ ଆଗକୁ ଚାଲିଥିଲା ।

 

ରାସ୍ତା ଆରପଟକୁ ନ’ତାଲା କୋଠା । କେତେ ଯେ ଅଫିସ୍-କଟକ ଭୁବନେଶ୍ୱରରୁ ଆସି ତା’ ଭିତରେ ପଶିଗଲାଣି ତା’ର କଳଣା ନାହିଁ । କୋଠାଟା ତିଆରି ସରିଲାଣି । ପାଣି, ପାଇଖାନା ଓ ଇଲେକ୍‌ଟ୍ରିକ୍‌ ଲାଇନ୍‌ ଲାଗୁ ନ ଲାଗୁ ଅଫିସ୍‌ ସବୁ ଉଠିଆସୁଛି । ଶଙ୍କର ରାସ୍ତା ଏପଟୁ ସେ ବିରାଟ କୋଠାଟା ଆଡ଼ିକି ଅନେଇଲା । ଆଖିପାଉନି । ସବୁ ବଖରାରେ ପଙ୍ଖା ଘୂରୁଛି । ଭରପୂର ଲୋକ । ପାରାଭାଡ଼ିର ଖୋପ ଭଳି ତାଲା ଉପରେ ତାଲା, ନ’ତାଲା । ଜଣାପଡ଼ିଲା ବିରାଟ ସେଇ କୋଠାଟା ତା’ ଆଡ଼ିକି ଅବା ମାଡ଼ି ମାଡ଼ି ଆସୁଛି । ତା’ରି ଭିତରେ ପଶିଛନ୍ତି ହଜାର ହଜାର ଚାକିରିଆ । ତା’ରି ଭଳି । ଅଫିସ୍‌ଟା ତା’ର ଇଆଭିତରେ ପଶିଛନ୍ତି ହଜାର ହଜାର ଚାକିରିଆ ତା’ରି ଭଳି । ଅଫିସ୍‌ଟା ତା’ର ଇଆଭିତରେ ନଥିଲା । ଆଉ କିଛି ଦୂର ଆଗେଇ ଗଲେ ଅଫିସ୍‌ । ଲମ୍ବା ଧାଡ଼ି ଧାଡ଼ି ଆଜବେସ୍‌ଷ୍ଟସ୍ ଘର । ଭିତରେ କାନ୍ଥ ଉଠିଛି । ଅଫିସରମାନଙ୍କ ପାଇଁ ଛୋଟ ଛୋଟ ବଖରା । ଅଫିସ୍‌ ପାଇଁ ଗୋଟିଏ ବିରାଟ ହଲ । ଦି’ପଟେ ଦି’ଧାଡ଼ି ପଙ୍ଖା । ଅଫିସ୍‌ ଆଗରେ ଦରୁଆନ୍‌ । ବନ୍ଧୁକଧାରୀ । ସବୁ ଅଫିସରେ ଏବେ ବନ୍ଧୁକଧାରୀ ଦରୁଆନ୍‌ ଜଗିରହିଲେଣି । ଠିକଣା ନ ଜାଣିଲେ ଭିତରକୁ ଛାଡ଼ିବେନି ।

 

ରବିବାବୁ ତା’ପାଇଁ ବାହାରେ ଅପେକ୍ଷା କରିଥିଲେ । ଖାତାରେ ନାଁ ଲେଖି ଶଙ୍କର ତା’ର ବହୁବର୍ଷର ପରିଚିତ ଅଫିସ୍‌ ଭିତରକୁ ପଶି ଚାରିଆଡ଼ିକି ଅନେଇ ଦେଖିନେଲା-ଅଫିସ୍‌ଟା ଆଗଅପେକ୍ଷା ପୂରା ବଦଳିଯାଇଛି । କାଗଜପତ୍ର ଓ ଫାଇଲ୍‌ ସବୁ ସଜଡ଼ାସଜଡ଼ି ହୋଇ ଯଥାସ୍ଥାନରେ ରହିଛି । ସବୁଆଡ଼େ ସଫାସୁତୁରା । ସମସ୍ତଙ୍କର ଟେବୁଲ୍‌ ଉପର ସଫା । ଫାଇଲ୍‌ ସବୁ ଅବେଇଛତର ହୋଇ ଟେବୁଲ ଉପରେ ପଡ଼ିନି ।

 

ଅଫିସ୍‌ ପିଅନ କୈଳାସ ପାଣିଗ୍ଳାସେ ଧରି ଆଗରୁ ଆସୁଥିଲା । ଶଙ୍କରକୁ ଦେଖିଦେଇ ସେ ପାଖ ଟେବୁଲ ଉପରେ ଗ୍ଳାସ୍‌ ଥୋଇଦେଇ ନମସ୍କାର ହେଲା । କ’ଣ ପଚାରିଆସୁଥିଲା । ଶଙ୍କର ତାକୁ ପଚାରିଲା–ସବୁ ଭଲ ?

 

କୈଳାସ ମୁଣ୍ଡ ହଲେଇ ହଁ କେବଳ କଲା ।

 

ଅଫିସରଙ୍କ ବଖରାରୁ ଘଣ୍ଟିଧ୍ୱନି ଶୁଭିଲା । କାହା ସାଙ୍ଗେ ବଡ଼ପାଟିରେ ସେ ଫୋନ୍‌ରେ କଥା ହେଉଥିଲେ ।

 

ଶଙ୍କର ଦେଖିଲା–କୃଷ୍ଣ ବାବୁ, ନିମେଇ ବାବୁ, ପଟ୍ଟନାୟକ ବାବୁ ଓ ସୁରେଶ ବାବୁ ସମସ୍ତେ ତାକୁ ଜଣ ଜଣ ହୋଇ ସ୍ନେହ ସମ୍ଭାଷଣ ଜଣାଇଲେ । ଶଙ୍କର ହସି ହସି ପଦିଏ ପଦିଏ କଥା କହି ଆଗେଇ ଚାଲିଲା ତା’ ସିଟ୍ଆଡ଼େ । ତା’ ଚଉକିରେ ବସିରହିଛନ୍ତି ଗୌରୀ ବାବୁ । ଯିଏ ତା’ଠୁ ଆଠବର୍ଷ ଜୁନିଅର । କେବଳ ଡ୍ରାମା ଓ ଖେଳ ଆଦିରେ ଯିଏ ପାରଙ୍ଗମ ଥିଲେ । ପଦେହେଲେ ତାଙ୍କୁ ଲେଖି ଆସୁନଥିଲା । ତାଙ୍କୁ ସେ କାମ ଶିଖେଇଥିଲା ।

 

ତା’ ସିଟ୍‌ରେ ଗୌରୀ ବାବୁଙ୍କୁ ବସି ରହିଥିବା ଦେଖି ଶଙ୍କର ସହ୍ୟ କରିପାରିଲାନି । ସେଇ ଚଉକି ସେଇ ଟେବୁଲ ପଡ଼ିଛି । ଆଗଭଳି ଠିକ୍‌ କାମ ଚାଲିଛି । ସେ ଆଉ ନାହିଁ । ଅଥଚ ତା’ ଆତ୍ମାଟା ସେଠି ଘୂରିବୁଲୁଛି । ଶଙ୍କର ଅନୁଭବ କଲା–ତା’ ମନ ଭିତରର କୌଣସି ଏକ ନିଭୃତ କୋଣରେ ଯେପରି ଅବା ରକ୍ତସ୍ରାବ ହେବାରେ ଲାଗିଛି ।

 

ଗୌରୀବାବୁ ତାକୁ ବୋଧେ ଦେଖିନାହାନ୍ତି । ନିଜ ସିଟ୍‌ରୁ ଉଠିଯାଇ ନମସ୍କାର ହେଲେ-। ଶଙ୍କରକୁ ଆଗ ଚୌକିରେ ବସିବାକୁ କହି ନିଜେ ବସିଯାଇ ପିଅନକୁ ଘଣ୍ଟି ବଜେଇଲେ–ତିନି କପ୍‌ ଚା’ ଆଣିବାକୁ ।

 

ଶଙ୍କର ମନାକଲା ।

 

ରବି ବାବୁ କହିଲେ–କାମ ଅଛି ।

 

କୁଶଳ ପ୍ରଶ୍ନ ପଚାରିବାକୁ କିଛି ଆଉ ନ ଥିଲା ।

 

ଶଙ୍କର କହିଲା–ମୁଁ ଆସୁଛି ?

 

ଗୌରୀ ବାବୁ କହିଲେ ଆପଣ ଟିକିଏ ଅଫିସରଙ୍କ ପାଖକୁଯାଆନ୍ତୁ । ସଠିକ୍‌ ଖବର କେହି ଆଉ ଜାଣନ୍ତିନି ।

 

ଶଙ୍କର ବାବୁ କହିଲେ–ଆପଣ ଯାଆନ୍ତୁ, ଘର ଠିକଣାରେ ମୁଁ ଚିଠି ଲେଖିବି ।

 

ଶଙ୍କର ରବି ବାବୁଙ୍କୁ ଖୋଜିଲାବେଳକୁ ସେ ପାଖରେ ନ ଥିଲେ । ଚଞ୍ଚଳ ପାଦରେ ତାଙ୍କ ସ୍ପିଟ୍‌ଆଡ଼େ ଧାଇଁଲେ । ତାଙ୍କୁ ଆଉ ନ ଡାକିବାକୁ ଠକ୍‌ କରି ଶଙ୍କର ଫେରିଯିବ । ଫାଟକ ଆଡ଼ିକି ଗଲାବେଳେ ଅଫିସର ମିଃ ମହାପାତ୍ର ଆଗରୁ ପଶିଆସୁଥିଲେ । ସେ ତାକୁ ଦେଖିଛନ୍ତି । ଶଙ୍କର ନମସ୍କାର କରିବାକୁ ଉଦ୍ୟତ ହେଲାବେଳେ ସେ ମୁହଁବୁଲେଇ ପାଇଖାନା ଘରକୁ ପଶିଗଲେ-

 

ମୁଣ୍ଡ ପୋତି, ବେଗେ ବେଗେ ପାଦ ଚଳେଇ ଚାଲିଯାଉଥିଲା ଶଙ୍କର । ଏଣେ ଭାବୁଥିଲା–ମିଃ ମହାପାତ୍ର କିଛି ତ କାହିଁ କହିଲେନି ? ବରଂ ମୁହଁ ବୁଲେଇଦେଲେ । ସେ କ’ଣ ତାଙ୍କପାଇଁ ଅପେକ୍ଷା କରିବ ? ନାଁ ମନକୁମନ ତା’ପାଟିରୁ ବାହାରିପଡ଼ିଲା । ସାରା ଅଫିସ୍‌ଟା ଅବା ତାକୁ ଧକ୍‌କା ଦେଇ ବାହାର କରିଦେଉଛି । ଫାଟକ ଦେଇ ବାହାରକୁ ଚାଲିଯାଇ ଭାବିଲା–ସେ ବଞ୍ଚିଗଲା । ଚାକିରି ତା’ର ଦରକାର ନାହିଁ । ଜୀବନସାରା ନିଜର ବିବେକକୁ ବଳିଦେଇ ଖୋସାମତ କରି କରି ବିତିଗଲା, ଆଉ କେବେହେଲେ ସେ ଗୋଲାମଗିରୀ କରିବ ନାହିଁ ।

 

କରିବ ଆଉ କ’ଣ ? ବରଂ କଣ୍ଟ୍ରାକ୍‌ଟରୀ କରିବ ।

 

ଏକା ନିଶ୍ୱାସକେ ବଡ଼ ବଡ଼ ପାହୁଲ ପକେଇ ଚାଲିଥିଲା ଏକ ମୁହାଁ, ବସ୍‌ଷ୍ଟାଣ୍ଡଆଡ଼େ । ଏଣେ ସେ ଅନୁଭବ କରୁଥିଲା–ଅଫିସର ସେଇ ଟେବୁଲ ଚଉକି ଯୋଉଠି ସେ ଏତେବର୍ଷ ବିତେଇଛି, ଚୌକି ପାଖର ଧାଡ଼ି ଧାଡ଼ି ଆଲମାରି ଯୋଉଥିରେ ଫାଇଲ ସବୁ ଥାକମରା ହୋଇ ରହିଥାଏ । ପାଖରେ ପଡ଼ିଥିବା ହାଟାନର୍ୟାକ୍‌, ଟ୍ରେ, ଟେବୁଲ, ଗ୍ଳାସ, ଇଙ୍କ୍‌ଷ୍ଟାଣ୍ଡ, ପେପର ଉଏଟ୍‌, ଆଦି । ସବୁକିଛି ଅଫିସ୍ ଗୋଟାକର ଆସବାବପତ୍ର ତା’ ମନ ଭିତରୁ ଯାଇ ଶରୀରରେ ଅବା ସତ ପ୍ରବେଶ କରିଛି । ପଛଆଡ଼ୁ ସାରା ଅଫିସ୍‌ଟା ତା’ ପଛରେ ଧାଉଁଥିବାର ମନେହେଲା । ରବିବାବୁ, ଗୌରୀବାବୁ, ସୁରେଶବାବୁ, ନିମେଇବାକୁ ଆଦି ସମସ୍ତେ । କୈଳାସ ପାଣି ଗ୍ଳାସ ଧରି ଧାଇଁଛି । ଶଙ୍କର ପଛକୁ ଆଉ ଚାହିଁନି । ବସ୍‌ଷ୍ଟାଣ୍ଡକୁ ଯାଇ ସରକାରୀ କିମ୍ବା ବେସରକାରୀ ଯେଉଁ ବସ୍‌ ପାଇବ ସେଥିରେ ଅତିଶୀଘ୍ର ପୁରୀ ଫେରିଯିବ । ଚାକିରି ତା’ର ଦରକାର ନାହିଁ ।

 

ବସ୍‌ଷ୍ଟାଣ୍ଡରେ ଅନେକ ବେଳଯାଏଁ ସେ ଏପଟ ସେପଟ ହେବାରେ ଲାଗିଲା । ସରକାରୀ ବସ୍‌ଷ୍ଟାଣ୍ଡରୁ ବାହାରେ ପ୍ରାଇଭେଟ୍‌ ବସ୍‌ଷ୍ଟାଣ୍ଡ । ବହୁତ ଲୋକ ସେତେବେଳେ ଜମା ହୋଇଥିଲେ । ପୁରୀ ବସ୍‌ର ଦେଖାନାହିଁ । ଟାକ୍‌ସି ଯେତକ ଥିଲେ କଟକ ଆଡ଼ର । କିଛି ଉପାୟ ନାହିଁ । ଶଙ୍କର ଅନନ୍ୟୋପାୟ ହୋଇ ଫୁଟ୍‌ପାଥ୍‌ କରର ଗୋଟିଏ ଚା’ ଦୋକାନ ବେଞ୍ଚରେ ବସିଗଲା । ଚା’ ବରାଦ ଦେଇ ସିଗାରେଟ୍‌ କିଣି ସେଥିରେ ଅଗ୍ନି ସଂଯୋଗ କଲା । ରାସ୍ତାରେ କାର୍‌ ବସ୍‌ ଛୁଟିଛି, ରିକ୍‌ସା ମାଳ ମାଳ, ରାସ୍ତା କରେ କରେ ବିପଣିର ସମ୍ଭାର । କେତେ କେତେ ପଦଯାତ୍ରୀ ବିଭିନ୍ନ ଦିଗରେ ଚାଲିଥାଆନ୍ତି । କାପିଟାଲ୍‌ଟା ବଢ଼ି ବଢ଼ି ଚାଲିଛି, ସମସ୍ତେ ତା’ର ଏଠି ଜଣାଶୁଣା । କେହି ତାକୁ ଏବେ ଚିହ୍ନିପାରୁନାହାନ୍ତି । ସାରା ସହରଟାରେ ସେ ଅବା ଅଜଣାଅଶୁଣା ଜଣେ ମଣିଷ, କେହି ତାକୁ ଚିହ୍ନିନାହାନ୍ତି । ସେ ଯେପରି କାହାକୁ ଜାଣେନି, ସଂପୂର୍ଣ୍ଣ ଅପରିଚିତ ।

 

ଫୁଟପାଥ୍‌ କରର କୃଷ୍ଣଚୂଡ଼ା ଗଛ ଗହଳିରୁ ଦଲକେ ପବନ ତା’ଦିହରେ ଆସି ବାଜିଗଲାବେଳେ ଶଙ୍କର ଦେଖେ ତ ତା’ ସାମ୍ନାରେ ଦି’ଜଣ ସ୍ତ୍ରୀଲୋକ ଠିଆହୋଇ ରହିଛନ୍ତି । ଜଣେ ଗଗ୍‌ଲେସ୍‌ ବିକାଳି ଓ ଆଉଜଣେ ଧରିଛି ବିଭିନ୍ନ ଦେଶ ବିଦେଶର ମ୍ୟାପ୍‌ । ଶଙ୍କର ନାହିଁକଲାରୁ ସେମାନେ ଚାଲିଗଲେ ଆଖୁ ବିକାଳିଙ୍କ ପାଖକୁ । ମେସିନ୍‌ରେ ଖଣ୍ଡ ଖଣ୍ଡ ଆଖୁ ଭର୍ତ୍ତିକରି ଗ୍ଳାସରେ ସେ ସର୍ବତ ଦେବାରେ ବ୍ୟସ୍ତଥିଲା । ଲୋକଟାକୁ ତର ନ ଥିଲା । ଘୂରିବୁଲୁଥିଲେ ଛୋଟ ଛୋଟ ପିଲାମାନେ ବିସ୍କୁଟ୍‌ ବିକି ବିକି । କେତେବେଳେ ବସ୍‌ ଭିତରକୁ ସେମାନେ ପଶିଯାଉଥିଲେ । ଅନ୍ୟମାନେ ସବୁ ବାହାରେ, ଟାକ୍‌ସି ବାଲାଏ ଟାକ୍‌ସି ଦୁଆର ଖୋଲି ସିଟ୍‌ରେ ଶୋଇ ରହିଥିଲେ । ଦଳେ ଘୂରି ଘୂରି ଡାକ ଛାଡ଼ିଥାଆନ୍ତି-କଟକ, ଖୋର୍ଦ୍ଧା, ବରହମପୁର ଓ ଯାଜପୁର । ପୁରୀ ବସ୍‌ର ଦେଖାନଥିଲା । ଶଙ୍କର ଚା’ ପରେ ସିଗାରେଟ୍‌ ଖଣ୍ଡକ ଟାଣିଦେଇ ଧାଇଁଚାଲିଲା ସରକାରୀ ବସ୍‌ଷ୍ଟାଣ୍ଡ ଆଡ଼େ । ଯୋଉଠି ଆଠ ଦଶଖଣ୍ଡ ବସ୍‌ ବିଶ୍ରାମ ନେଉଥିଲେ । ଗୋଟେ ଯୋଡ଼େ ଯିବାକୁ ଉଦ୍ୟତ ହେଉଥିଲେ–ବାଣୀବିହାର କଟକ ଆଡ଼େ ।

 

ଶଙ୍କର ଲକ୍ଷ୍ୟକଲା–ସେକ୍ରେଟେରୀଏଟ୍‌ ଆଗର ରାସ୍ତାରେ ଲୋକେ ଧାଡ଼ିବାନ୍ଧି ଚାଲିଛନ୍ତି-। ଶହ ଶହ ଲୋକ ଆସୁଥାଆନ୍ତି ଖଣ୍ଡଗିରିଆଡ଼ୁ । ଚାଷୀ ମୂଲିଆଙ୍କ ନାଁରେ ସାମାନେ ସ୍ଳୋଗାନ ଦେବାରେ ଲାଗିଥାଆନ୍ତି । ଧାଡ଼ିରେ ବେଶି ଥାଆନ୍ତି ଗାଁଗଣ୍ଡାର ଲୋକ । କାନ୍ଧରେ ସେମାନଙ୍କର ଲାଲ୍‌ଝଣ୍ଡା । ସର୍ବହରା ଖଟିଖିଆ ଲୋକଙ୍କର ପ୍ରତ୍ୟେକ ଲାଲ୍‌ଝଣ୍ଡାକୁ ସଲାମ କରି କରି ସେମାନେ ବୁର୍ଜୁଆ ତଥା ଧନୀ ଶ୍ରେଣୀକି ସମଳେ ବିନାଶ କରିବେ ବୋଲି ସ୍ଳୋଗାନରେ ପଣଦେଇ ଓ ଫାଙ୍କା ଆକାଶକୁ ମୁଥା ଦେଖେଇ ଦେଖେଇ ଧାଡ଼ିବାନ୍ଧି ବୀରଦର୍ପରେ ଚାଲିଥାଆନ୍ତି । ସମସ୍ତେ ଜମାହେବାରେ ଲାଗିଥାଆନ୍ତି ସେକ୍ରେଟେରୀଏଟ୍ ଆଗର ପରେଡ଼୍‌ ପଡ଼ିଆରେ । ବାହାରୁ କେହିଜଣେ ନାମଯାଦା କମ୍ରେଡ଼୍‌ ସେଦିନ ଭାଷଣ ଦେବାକୁ ଆସିଥିଲେ ।

 

ଶଙ୍କର ଦେଖିଲା–ଆରପଟୁ ଆଉ ଦଳେ ଠିକ୍‌ ସେଇ ସମୟରେ ଆସୁଛନ୍ତି । ତାଙ୍କର ସେଇ ସର୍ବହାରୀ ଚାଷୀ ମୂଲିଆଙ୍କର ଦଳ । ସେମାନଙ୍କର ବି ସେଇ ଲାଲଝଣ୍ଡା; ସେମାନେ କିନ୍ତୁ ରକ୍ତମୁଖା ଦେଖାଯାଉଥିଲେ । ଆକାଶ ଫଟେଇ ସେମାନେ ପାଟି କରୁଥିଲେ । ତାଙ୍କର ମଧ୍ୟ ଏକା ଜାଗାରେ ଏକ ସମୟରେ ସଭା । ତାଙ୍କର ନେତା ଜଣେ କିଏ ବାହାରୁ ଆସିଥିଲେ । ଅନେକ ବର୍ଷଯାଏଁ ସେ ଲୁଚିଛପି ବିପ୍ଳବ କରୁଥିଲେ । ବୁର୍ଜୁଆ ଧନୀଶ୍ରେଣୀ ଅପେକ୍ଷା ଧାଡ଼ିବାନ୍ଧି ଆସୁଥିବା ଅନ୍ୟଦଳ ଲୋକମାନଙ୍କ ଉପରେ ବେଶି ତାଙ୍କର ରାଗ । ଆସୁ ଆସୁ ସେମାନେ ସଭା ଆରମ୍ଭ କରିଦେଲେ । ଶଙ୍କର ରାସ୍ତା ଉପରେ ଠିଆରହି ଏତିକି କେବଳ ବୁଝିପାରିଲା-ସେମାନେ ଧନୀ ବୁର୍ଜୁଆ ଗୋଷ୍ଠୀ ସଙ୍ଗେ ସାଲିସ୍‌ କରିବେ ପଛେ ଆର ଦଳର ଲୋକମାନଙ୍କ ସାଙ୍ଗେ କେବେହେଲେ ନୁହେଁ । ଅନ୍ୟମାନେ ସବୁହେଲେ ଭେଜାଲ୍‌ । ସେମାନେ ହେଲେ ମୂଳମଞ୍ଜି । ସଚ୍ଚା ବିପ୍ଳବୀ ।

 

ଲୋକେ ଧାଡ଼ିବାନ୍ଧି ଜମାହେବାରେ ଲାଗିଥାଆନ୍ତି । ଦଳେ ଏପଟୁ ପାଟିକଲା ବେଳକୁ ଆରଦଳ ବଡ଼ପାଟିରେ ଜବାବ୍‌ ଦେଉଥାଆନ୍ତି । ଜଣେଅଧେ ବି ନାଚି ଯାଉଥାନ୍ତି । ପରେଡ଼ ପଡ଼ିଆ ଯାକ ମାଳ ମାଳ ପୁଲିସ୍‌ । ଶଙ୍କର ଲକ୍ଷ୍ୟକଲା–ସେମାନେ ଜାଗତିଆର ଅଛନ୍ତି । ଶାନ୍ତିଭଙ୍ଗ ହେଲେ ଆଖିପିଛୁଳାକେ ମାଡ଼ିଆସିବେ ।

 

ଶଙ୍କରକୁ ରାସ୍ତାଉପରେ ଠିଆରହି ଏସବୁ ବେଶି ବେଳଯାଏଁ ଦେଖିବାକୁ ଭଲ ଲାଗିଲାନି । ସେଠୁ ଚାଲିଯିବା ବରଂ ଭଲ । ବହୁତ ଆଶାଧରି ସେ ଭୁବନେଶ୍ୱର ଆସିଥିଲା । ଫେରୁଛି ରିକ୍ତ ହସ୍ତରେ । ଏତିକିବେଳେ ମନେପଡ଼ିଗଲେ ଶାମ ପତି । ବୁଢ଼ା ଡାହାମିଛ କହିବାରେ ଧୁରନ୍ଧର । ବରଂ ଆଶ୍ଚର୍ଯ୍ୟ ଲୋକ ସେ ଶାମ ପତି । ଲୋକଙ୍କୁ ଚିହ୍ନିବା ଏ ସମୟରେ ମହାନ୍‌ କଷ୍ଟ ।

 

ବସ୍‌ ମିଳିବା ବି ମହାନ୍‌ କଷ୍ଟ । ବସ୍‌ ମିଳିଗଲେ ସେଥିରେ ସିଟ୍‌ ପାଇବା ପୁଣି ଦୁରୂହ ବ୍ୟାପାର । ସବୁ ବସ୍‌ରେ ଖୁନ୍ଦାଖୁନ୍ଦି ଓ ଧସ୍ତାଧସ୍ତି । ଲୋକ ବଢ଼ିଲେଣି । ସରକାରୀ ଓ ପ୍ରାଇଭେଟ୍‌ ବସ୍‌ ସଂଖ୍ୟା ବି ବହୁତ ବଢ଼ିଗଲାଣି । ସଦାବେଳେ କିନ୍ତୁ ଏଇ ଲୋକଗହଳି ଲାଗିରହିଛି । ଶଙ୍କର ପୁରୀ ବସ୍‌ ଆସିଯିବଣି ଭାବି ରାସ୍ତା ଧରିଲାବେଳକୁ ପୋଲାଙ୍ଗ ଗଛମୂଳେ ଜଣେ ଭଦ୍ରଲୋକଙ୍କ ସାଙ୍ଗେ ମୁହାଁମୁହିଁ ହୋଇଗଲା । ସେକ୍ରେଟେରୀଏଟ୍‌ ସିଧା ରାସ୍ତାରେ ଯୋଉଟା ବସ୍‌ଷ୍ଟାଣ୍ଡ ଆଡ଼େ ଯାଇଛି । ଭଦ୍ରଲୋକ ଧୋତି ପଞ୍ଜାବୀ ପିନ୍ଧିଥିଲେ । ସବୁବେଳେ ଶଙ୍କର ତାଙ୍କୁ ଦେଖିଛି-ପ୍ୟାଣ୍ଟ ହାଓ୍ୱାଇ ପିନ୍ଧିଥାନ୍ତି । ତାଙ୍କୁ ସେ ଚିହ୍ନିଛି । ତଥାପି ତା’ର ସନ୍ଦେହ ହେଲା । ନିରେଖି ଆଉଥରେ ଚାହିଁଦେଲାବେଳକୁ ସେ ମୁହଁ ବୁଲେଇଦେଲେ ଓ ବଡ଼ ହଡ଼ ପାହୁଲ ପକେଇ ଚାଲିବାକୁ ଆରମ୍ଭ କଲେ । ଚାହୁଁ ଚାହୁଁ ସେକ୍ରେଟେରୀଏଟ୍‌ ଆଗର ପ୍ରଧାନ ରାସ୍ତାଦେଇ ପଲାସିଲେ ରବୀନ୍ଦ୍ରମଣ୍ଡପ ଆଡ଼େ ।

 

ଶଙ୍କର ବସ୍‌ଷ୍ଟାଣ୍ଡ ଆଡ଼େ ଚାଲୁଥିଲା । ସତ, କିନ୍ତୁ ବୁଲିପଡ଼ି ବାରମ୍ବାର ସେଇ ଭଦ୍ରଲୋକଙ୍କ ଆଡ଼ିକି ଲକ୍ଷ୍ୟ କରୁଥିଲା । ତା’ ଆଖିକି ସେ କେବେହେଲେ ଅବିଶ୍ୱାସ କରିପାରିନି । ସେଇ ଭଦ୍ରଲୋକଙ୍କୁ ସେ ଦେଖିଥିଲା ଏବେ ଗାଁରୁ ଫେରିଲାବେଳେ ଷ୍ଟେସନ ପ୍ଳାଟଫର୍ମରେ । ଖୋର୍ଦ୍ଧା ଗାଡ଼ି ଧରି ସେ ଚାଲିଗଲେ । କଲେଜଛକ ପାଖରେ ଓ କଟକରେ କିଶୋର ଘରେ ସେଇ ଭଦ୍ରଲୋକଙ୍କୁ ସେ ଦେଖିଛି । ତାଙ୍କ ବିଷୟରେ ଶଙ୍କର ଯେତିକି ଯେତିକି ଭାବିଲା ତାକୁ କେମିତି ଡରମାଡ଼ିଲା । ନିଶ୍ଚୟ ସେ ତାକୁ ଦେଖିଛନ୍ତି । ମୁହଁ ବୁଲେଇ ଚାଲିଗଲେ କାହିଁକି ?

 

ଯୋଗକୁ ପୁରୀ ବସ୍‌ ଅପେକ୍ଷା କରିଥିଲା । ଲୋକେ ଚଢ଼ିବାକୁ ଆରମ୍ଭ କରିଦେଇଥିଲେ-। ଶଙ୍କର ତରତରରେ ଚଢ଼ିଯାଇ ସିଟ୍‌ଟିଏ ଆଗ ଦଖଲ କରିନେଲା । ବସିଲେ ଯେତେଜଣ ଠିଆହେଲେ ତା’ର ଦି’ଗୁଣ । ବସ୍‌ର ଲୋକଗହଳି ଆଡ଼ିକି ଶଙ୍କରର ଆଉ ନଜର ନାହିଁ । କଣ୍ଡକ୍‌ଟରକୁ ବସ୍‌ ଭଡ଼ା ଦେବା କଥାଟା କେବଳ ତା’ର ମନେଅଛି । ବସ୍‌ଟା ଚାହୁଁ ଚାହୁଁ ପୁରୀରେ ଆସି ପହଞ୍ଚିଲା, ବେଳ ଜଣାପଡ଼ିଲାନି । ସେଇ ଭଦ୍ରଲୋକ ଜଣଙ୍କ ଶଙ୍କର ଜାବୁଡ଼ି ଧରିଥିଲେ । ତାଙ୍କରି କଥାଛଡ଼ା ସେ ଆଉ କିଛି ଭାବିପାରୁନଥିଲା । ମନେମନେ ଭାବିନେଇଥିଲା–କିଛି ଗୋଟିଏ ବଡ଼ ବିପତ୍ତି ପଡ଼ିବାକୁ ଯାଉଛି । ଏଇ ଭଦ୍ରଲୋକ ନିଶ୍ଚେ ତା’ ପିଛା ଧରିଛନ୍ତି । କ’ଣ ସେ କରୁଛନ୍ତି କେଜାଣି ? ଘରେ ପହଞ୍ଚିଲାବେଳକୁ ୟାଙ୍କର ପିଣ୍ଡରେ ପ୍ରାଣ ଅବା ନ ଥିବ ।

 

ଶଙ୍କରକୁ ସେଦିନ ରାତିରେ ଭଲ ନିଦ ହେଲାନି । ଗୀତା ବହୁବାର ତାକୁ ପଚାରି ପଚାରି ବ୍ୟସ୍ତ କରିପକାଇଲା–ଭୁବନେଶ୍ୱର ଯାଇଥିଲ, କ’ଣ ହେଲା ? ଗୀତାର ବାରମ୍ବାର ଏହି ପ୍ରଶ୍ନଟାକୁ ସେ ଭଲପାଉନଥିଲା । ଚୁପ୍‌ ରହୁଥିଲା ଶଙ୍କର । ଗୀତା ଶେଷକୁ ଜାଣିପାରିଲା–କିଛି ବୋଧେ ହେଲାନି । ବେଶି ଆଉ ନ ପଚାରି ସେ ଖାଇବାପିଇବାକୁ ଦେଇ ବିଛଣା ପାରିଦେଲା । ମନି ଥିଲା–ସେ ଏବେ ଯାଇ ତା’ ଶାଶୁଘରେ । ପୁଅ ଦିହେଁ ବାହାରେ । ଘରେ କେବଳ ସେ ଆଉ ଗୀତା । ଘରଟା କେମିତି ଖଁ-ଖାଁ ଗୋଡ଼ାଉଛି ।

 

ଶୋଇବାକୁ ଯେତେ ଚେଷ୍ଟାକଲେ ବି ସେ ଶୋଇପାରିଲାନି । ଅଜଣା ଅଚିହ୍ନା ସେଇ ଭଦ୍ରଲୋକ ଜଣଙ୍କ ସାରା ମନଟାକୁ ତା’ର ଗ୍ରାସ କରିଛି । ଯେତେ ଚେଷ୍ଟାକଲେ ମଧ୍ୟ ସେ ତାଙ୍କୁ ଭୁଲିପାରୁନଥିଲା ।

 

ସେଇଦିନ ରାତିରେ ଶଙ୍କର ଗୋଟିଏ ଭୟଙ୍କର ସ୍ୱପ୍ନ ଦେଖିଲା । କିଏ ଜଣେ ତାକୁ ମାଡ଼ିବସିଛି । କଳା କଳା ଲୋମଘେରା ଗୋଟିଏ ବିରାଟ ବଣମଣିଷ । ହାତ ଗୋଡ଼ରେ ଲମ୍ବା ଲମ୍ବା ନଖ, ଆଖି ତରାଟି, ଦାନ୍ତ କଡ଼ମଡ଼ କରି ତା’ଆଡ଼ିକି ମାଡ଼ି ମାଡ଼ି ଆସିଲା । ଶଙ୍କର ସ୍ୱପ୍ନରେ ଚିରିଚିରିଆ ପାଟି କରି ବିଳିବିଳେଇ ଉଠିଲା । ଖୁବ୍‌ ଜୋରରେ ସେ ପାଟି କରୁଥିଲା । କାହାକୁ କିନ୍ତୁ ଶୁଭୁନଥିଲା । ସେ ଜନ୍ତୁଟା ଯେଡ଼ିକି ବେଗରେ ତା’ଆଡ଼ିକି କୁଦା ମାରୁଥିଲା, ଶଙ୍କର ପଛୁଆ ପଛୁଆ ଦଉଡ଼ି ଆସୁଥିଲା ବେଳେ ସେ ଏକାଥରେ ତା’ ଉପରକୁ ଡେଇଁପଡ଼ି ତାକୁ କାବୁ କରିଦେଲା । ଗୋଟା ସୁଦ୍ଧା ତାକୁ ମାଡ଼ିବସିଲା । ବଡ଼ପାଟିରେ ବିଳିବିଳେଇ ଉଠିଲାବେଳେ-

 

ଗୀତା ତାକୁ ହଲେଇଦେବାରୁ ଆଖି ମଳି ମଳି ଶଙ୍କର ଦେଖେ ତ ସେ ବିଛଣା ଉପରେ ବସି ରହିଛି । ଗୋଟାସୁଦ୍ଧା ବରଡ଼ାପତ୍ର ଭଳି ଥରିବାରେ ଲାଗିଛି । ଗୀତାକୁ ସ୍ୱପ୍ନର ଘଟଣାଯାକ କହିଦେବ ବୋଲି ଯାଉଥିଲା । କହିବାକୁ ମନ ହେଲାନି । ଏତିକି କେବଳ କହିଲା–ଗୋଟିଏ ସ୍ୱପ୍ନ ଦେଖିଲି ।

 

ଗୀତା ସ୍ୱପ୍ନ ବିଷୟରେ ଯେତେ ତାକୁ ପଚାରିଲା ଶଙ୍କର କିଛି କହିଲାନି । ପାହାନ୍ତିଆ ଥଣ୍ଡା ପବନ ବାଜି କେତେବେଳେ ତାକୁ ନିଦ ଆସିଗଲା ଶଙ୍କର ଜାଣିନି ।

 

ଆଖିଖୋଲିଲା ବେଳକୁ ଖରା ପଡ଼ି ସାରିଲାଣି ଓ ସକାଳର କଅଁଳିଆ ଖରା କାନ୍ଥରେ ଗାରକାଟି କାଟି ତଳକୁ ତଳକୁ ଓହ୍ଲେଇଆସୁଛି ।

 

ଗୀତାଠୁ ଚା’କପ୍‌ଟା ନେଇ ସେ ଗୋଟିଏ ଜାଗାରେ ବସିବା ପରିବର୍ତ୍ତେ ପଦଚାରଣ କରି କରି ଚା’ ଖାଇବାରେ ଲାଗିଲା । କୋଉଠି ହେଲେ ନିର୍ଦ୍ଦିଷ୍ଟ ସ୍ଥାନରେ ସେ ବସିପାରିନଥିଲା । ଗଲା ରାତିର ଭୟଙ୍କର ସ୍ୱପ୍ନ ଅପେକ୍ଷା ଆଉରି ଭୟଙ୍କର ଜଣାପଡ଼ୁଥିଲେ ସେଇ ଭଦ୍ରଲୋକ ଜଣଙ୍କ-। ତାଙ୍କଠୁ ମୋଟେ ନିସ୍ତାର ନାହିଁ ।

 

ଦାଣ୍ଡପଟ ଘରେ କେତେବେଳୁ ଖବରକାଗଜଟା ପଡ଼ିରହିଛି ଶଙ୍କର ଜାଣିନି । ସେତେବେଳକୁ ଚା’ ସରିଯାଇଥିଲା । ଖବରକାଗଜଟା ଗୋଟେଇ ଆଣି ଲମ୍ବା ଗାରପକା କ୍ୟାନ୍‌ଭ୍ୟାସ ଆର୍ମଚେୟାରଟା ଉପରେ ଗଡ଼ିଗଲା । ସିଗାରେଟ୍‌ ସାଙ୍ଗକୁ ସଦ୍ୟ ଦୈନିକ ଖବରକାଗଜ । ଶଙ୍କର କାଗଜଟା ପଢ଼ୁ ପଢ଼ୁ ଆଖିକି ତା’ର ବିଶ୍ୱାସ କରିପାରିଲାନି ।

 

ଜମିବାଡ଼ି ଗଣ୍ଡଗୋଳରେ ରଘୁନାଥପୁରର ନଟ ସାଆନ୍ତରାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଛି । ହତ୍ୟା କେବଳ ନୁହେଁ ରିତିମତ ଷଡ଼ଯନ୍ତ୍ର । ଜଣାପଡ଼ୁଛି ଏ ଘଟଣା ଜଣେ ଦି’ଜଣଙ୍କ କାମ ନୁହେଁ । ସେଇ ଘରଲୋକେ ଏଥିରେ ନିଶ୍ଚୟ ସଂପୃକ୍ତ ଅଛନ୍ତି । ଘଟଣାଟା ଘଟିଛି ପୁଣି ଦିନବେଳେ-। ରାତିରେ ଚୋରାଛପାରେ ନୁହେଁ । ନଟ ସାଆନ୍ତାରା ସେଦିନ ତାଙ୍କର ବୁଲେଟ୍‌ ମଟର ସାଇକେଲ ଚଢ଼ି କଟକ କି ଭୁବନେଶ୍ୱର ବାହାରିଥିଲେ । ଲୋକେ ଆଗରୁ ଲୁଚିଛପି ରହିଥିଲେ । ଯିବା ରାସ୍ତାରେ ଦି’ଖଣ୍ଡ ଶଗଡ଼ ରଖିଦେଲେ । ସାଆନ୍ତରା ତଳକୁ ଓହ୍ଲେଇଗଲା । ମାତ୍ରେ ପଛଆଡ଼ୁ ବାଜିଲା ଠେଙ୍ଗା । ଏକା ପାହାରକେ ସେ ଟଳିପଡ଼ିଲେ । ପରେ ପରେ ଗାଁରେ ତାଟିକବାଟ ପଡ଼ିଗଲା । ପୁଲିସ୍‌ ପଲଟଣ ଆସିଲାବେଳକୁ ସମସ୍ତଙ୍କ ଘର ଭିତରୁ କିଳିଣି ଦିଆ ହୋଇଛି । ଗାଁରେ ବେଶି ଯା’ଆସ ନାହିଁ । ମରଦଲୋକ ଅଧିକାଂଶ ଯାଇ ବାହାରେ । ଘରେ କେବଳ ପିଲା ଓ ମାଇପିମାନେ । କେତେଜଣ ଗିରଫ ହେଲେଣି । ପୁଲିସ୍‌ବାଲାଏ ଗାଁରେ ଛାଉଣି ପକେଇଛନ୍ତି । ପୁଲିସ୍‌ କୁକୁର ଆସି ଘର ଘର ବୁଲୁଛି । ଚାଲିଛି ଘମାଘୋଟ ଅନୁସନ୍ଧାନ ।

 

ଶଙ୍କର ଖବରଟା ପଢ଼ିଦେଇ ବହେ କାଳ ଗୁମମାରି ବସିଗଲା । ଗୀତା ଆସିବାରୁ ତା’ହାତକୁ ଖବରକାଗଜଟା ବଢ଼େଇଦେଲା । ଖବରଟା ପଢ଼ି ସିଏ ବି କିଛି କହିପାରୁନଥିଲା । କିଛିବେଳଯାଏଁ ଦିହେଁ ତଳକୁ ମୁହଁପୋତି ବସି ରହିଲେ । ରନ୍ଧାବଢ଼ାର ଆୟୋଜନ ନାହିଁ । ସାରାଦିନଟା ଚୂଲି ଅଜଳା ରହିଲା ।

 

ଆଲୋକକୁ ପୁଲିସ୍‌ବାଲାଏ ଖୋଜି ତାଙ୍କ ଘରେ ଆସି ଘେରଉ କରିଥିଲେ । ଶଙ୍କର ମନକୁମନ ପ୍ରଶ୍ନ କରୁଥାଏ–ଆଲୋକ ଏ ସବୁଥିରେ ଜଡ଼ିତ ନୁହେଁ ତ ? ମନ କଥାଟା ଗୀତାଆଗରେ ଥରେ ବାହାରିପଡ଼ିଲା ।

 

ଗୀତା ମନାକଲା । କହିଲା–ଆଲୋକ ଏତେ ତଳକୁ କେବେହେଲେ ଯାଇପାରିବିନି ।

 

ଶଙ୍କର କିଛି ନ କହି ଚୁପ୍‌ ରହିଲା ।

 

ବହୁ କଷ୍ଟରେ ଗୀତା ଦି’ ତିନିକପ୍‌ ଚା’ କେବଳ କରିଛି । ଶଙ୍କର ମନା କରୁ କରୁ ସେଇତକ ଯାହା ଖାଇଥିଲା । ସେଦିନ ଆଉ ପାଟିତୁଣ୍ଡ ନାହିଁ । କିଛି ନାହିଁ ।

 

ବାହାରକୁ ଯିବାର ତ ପ୍ରଶ୍ନ ନାହିଁ । ବସିବା ସ୍ଥାନରୁ ବି ସେ ଉଠିପାରୁନଥିଲା । ଗାମୁଛାଟା ଆଣିବ ବୋଲି ଶଙ୍କର ଉପର ଘରକୁ ଯାଇଥିଲା । ଝରକାଦେଇ ବାହାରକୁ ଅନେକ ଦେଖିଲା–ଝରକା ସିଧା ରାସ୍ତାଉପରେ ଦଳେ ଲୋକ ଠିଆ ହୋଇଛନ୍ତି ଓ ଖବରକାଗଜର ସମ୍ବାଦଟା ଉପରେ ସେମାନଙ୍କର ତନାଘନା ଆଲୋଚନା ଚାଲିଛି । ଜଣେ କିଏ ସେମାନଙ୍କ ଭିତରୁ କହୁଥିବାର ସେ ଶୁଣିବାକୁ ପାଇଲା–ଏଇ ଶଙ୍କରବାବୁଙ୍କ ଗାଁପାଖେ ରଘୁନାଥପୁର । ୟାଙ୍କର ଜମିବାଡ଼ି ଅନେକ । ଗାଁରେ ଘରଦ୍ୱାର ଅଛି । ପ୍ରଜାଏ ଏମାନଙ୍କୁ ଆଉ ଧାନ ଚାଉଳ ଦେଉନାହାନ୍ତି । ଏମାନେ ଏବେ ଚାଉଳ କିଣି ଖାଉଛନ୍ତି । ଗାଁର ସେଇ ପ୍ରଜାଏ ମେଳିବାନ୍ଧି ଏ କାଣ୍ଡ କରିଛନ୍ତି । ଆଉଜଣେ ଚାଷୀମାନଙ୍କ ବିରୁଦ୍ଧରେ କେତେକଣ ଗାଳିଗୁଲଜ କରି ଅସଭ୍ୟ ଭାଷାରେ ଗୋଟିଏ ଗୀତ ବୋଲିଲା । ଅନ୍ୟମାନେ ତା’ ଗୀତ ଶୁଣି ହସିଉଠିଲେ । ରାସ୍ତା ଉପରୁ ଲୋକଗହଳି ଭାଙ୍ଗିଗଲା । ଶଙ୍କର ଝରକା ଏପଟେ ଲୁଚିରହି ଲୋକମାନଙ୍କର ଗତିବିଧି ଲକ୍ଷ୍ୟ କରୁଥିଲା । ବାହାରକୁ ଯାଇ ସେମାନଙ୍କ ସାଙ୍ଗେ କଥାହେବାକୁ ତା’ର ସାହସ ନଥିଲା ।

 

ଗୀତା ବେଳେବେଳେ ଚଉକିଉପରେ ବସିରହୁଛି ତ, ଉଠିଯାଇ ପୁଣି ଅଗଣାରେ, ବାରେଣ୍ଡାରେ ଓ ଘରଯାକ ପଦଚାରଣ କରି କରି ଘୂରିବୁଲୁଛି । ବେଳ ଆସି ତିନିଟା ବାଜିବ–

 

ବାହାରୁ ଗାଡ଼ିର ହର୍ଣ୍ଣ ଶୁଭିଲା ।

 

ଚମକିପଡ଼ିଲା ଶଙ୍କର । ଛାତି ତା’ର ଧଡ଼ଧଡ଼ ପଡ଼ୁଥିଲା, ଉଠୁଥିଲା । ତଣ୍ଟି ଶୁଖିଆସୁଥିଲା ।

 

ପୁଣି ସେଇ ହର୍ଣ୍ଣ ଶବ୍ଦ–

 

ଶଙ୍କର ଧରିନେଲା–ଆସିଗଲେ ବୋଧେ ସେମାନେ । ଦୁଆର ନ ଖୋଲିବାକୁ ଉପାୟ ନାହିଁ ।

 

ଗୀତା ବି ତା’ର ପଛେ ପଛେ ।

 

ଦୁଆର ଖୋଲିଲାବେଳକୁ ଜିତୁ ଆଟାଚିଟିଏ ଧରି ଠିଆ ହୋଇଛି । ଡ୍ରାଇଉର ଗାଡ଼ି ଭିତରେ । ନମସ୍କାର କରି ତର ତରରେ ସେ ଘର ଭିତରକୁ ପଶିଆସିଲା ।

 

ଗୀତା ପୁଅକୁ ଦେଖିଲେ ଠକ୍‌ ଠକ୍ କାନ୍ଦିପକେଇଲା ।

 

ଶଙ୍କର ଶିବୁଳିଦେଇ ଜିତୁ ପଛେ ପଛେ ଆସିଲାବେଳେ ଲକ୍ଷ୍ୟ କରୁଥିଲା କେବଳ ସେଇ ଅଟାଚିଟାକୁ ।

 

ଜିତୁ ପଚାରିଲା ଠିଆ ଠିଆରେ–କିଶୋର ବାବୁ ଆସିଥିଲେ କି ? ଚିଠି ଲେଖିଥିଲେ କି-?

 

କୋଉ କିଶୋର ବାବୁ ? ଶଙ୍କର ପଚାରିଲା ।

 

ଯାହାଙ୍କର ଏଇ ଆଟାଚିଟା ।

 

ସେ କ’ଣ ଆସିଗଲେଣି ?

 

ଦି’ଦିନ ତଳେ କଟକରେ ଆସି ପହଞ୍ଚିଲେ ।

 

ସତେ ? ତୁ କେମିତି ଜାଣିଲୁ ? ଶଙ୍କର ପଚାରିଲା–

 

କିଶୋର ବାବୁଙ୍କ ସାଙ୍ଗରେ ଆଉ ଯେତେ ଯୁଆଡ଼େ ଥିଲେ ସମସ୍ତେ, ଏବେ ଖଲାସ ଯାଇଛନ୍ତି ।

 

ଜିତୁ ଆଟାଚିଟାକୁ ଦେଲାବେଳେ ଶଙ୍କର ପଚାରିଲା–ତୁ ୟାକୁ ଖୋଲିନୁ ତ ?

 

ଥରୁଟେ ଖୋଲିଥିଲି । ଯାହାଥିଲା ଏବେ ସମ୍ପୂର୍ଣ୍ଣ ଅଛି ।

 

ଶଙ୍କର ଜିତୁ ମୁହଁକୁ କେବଳ ଚାହିଁ ରହିଲା । କ’ଣ ଯେ ସେ କହୁଛି କିଛି ବୁଝିପାରିଲାନି-

 

ଜିତୁ ପୁଣି ଆରମ୍ଭ କଲା–କଟକରୁ ସେ ଏଥର ନିର୍ବାଚନରେ ଠିଆ ହେଉଛି । ଅପର୍ଯ୍ୟାପ୍ତ ଟଙ୍କା । ସେଥିପାଇଁ କିଛି ଚିନ୍ତା ନାହିଁ । ତା’ର ଇଚ୍ଛା ନଥିଲା । ସମସ୍ତେ ମିଳିମିଶି ତାକୁ ଠିଆ କରୁଛନ୍ତି । କାମ ଆରମ୍ଭ ହୋଇଗଲାଣି ।

 

କେମିତି ? ଶଙ୍କର ପଚାରିଲା ।

 

ସେମାନେ ଟଙ୍କା ଖର୍ଚ୍ଚ କରିବେ । ମୁଁ କେବଳ ନିମିତ୍ତ ମାତ୍ର ।

 

ଆଚ୍ଛା ! ଆଲୋକର କିଛି ଖବର ନେଇଛୁ ?

 

ଜିତୁ କହିଲା–ସମୟ ପାଇନି ।

 

ଆଜି ଖବରକାଗଜ ପଢ଼ିଛୁନା ?

 

ପଢ଼ିଛି ।

 

ନଟ ସାଆନ୍ତରାକୁ କିଏ ହତ୍ୟା କରିଛି ।

 

ସେଥିରେ ଆମର କ’ଣ ଅଛି ?

 

କିଛି ଆମର ନାହିଁ ? ଯେତେହେଲେ ତ ସେ ଆମ ଗାଁପାଖର ଲୋକ ଆମ ଚିନ୍ତାର ଏକମାତ୍ର କାରଣ ହେଲା–ଆଲୋକ । ଘରେ ମୋଟେ ସେ ରହୁନି । ତୁ ଜାଣିଥିବୁ-ତାକୁ ଖୋଜିବାକୁ ପୁଲିସ୍‌ ବାଲା ଆସି ଘର ଆମର ଘେରାଉ କରିଥିଲେ । ତା’ ନାଁରେ ବାରଲୋକଙ୍କଠୁ ବାରକଥା ମୁଁ ଶୁଣୁଛି । ମୋଟ ଉପରେ ତା’ଉପରେ ମୋର ବିଶ୍ୱାସ ନାହିଁ ।

 

ଜିତୁ କହିଲା–ଆଚ୍ଛା ? ସେକଥା ମୁଁ ବୁଝିବି ।

 

ଗୀତା କହିଲା–ତାଆରି ପାଇଁ ଘରେ ଆମର ଆଜି ଖିଆପିଆ ନାହିଁ ।

 

ବର୍ତ୍ତମାନ ମୁଁ ଚାଲିଯାଉଛି । ସମସ୍ତେ ତେଣେ ଚାହିଁ ବସିଥିବେ । କଟକରେ ମୋର ବହୁତ କାମ ।

 

ଗୀତା କହିଲା–ଏମିତି ଆସି ଠିଆଠିଆରେ ଚାଲିଯିବୁ ?

 

ଜିତୁ ଆଟାଚିଟାକୁ ଦେଲାବେଳେ ଶଙ୍କର କହିଲା–ନାଇଁ, ସେଇଟା ତୋ ପାଖରେ ଥାଉ-

 

କିଶୋରବାବୁ ଆସି ଖୋଜିପାରନ୍ତି–

 

ନାଁ, ମୁଁ ରଖିବିନି–ଶଙ୍କର ମନାକଲା ।

 

ଜିତୁ ବାପାଙ୍କ ମୁହଁକୁ ଆବାକାବା ହୋଇ ଚାହିଁରହିଲା କେବଳ ।

 

ପୁଲିସ୍‌ବାଲା ଥରେ ଆସି ଫେରିଯାଇଛନ୍ତି । ଆଲୋକଟା କୁଆଡ଼େ ଯାଇ ବୁଲୁଛି । ଗାଁ ପାଖରେ ପୁଣି ମର୍ଡ଼ର କେସ୍‌ । ୟାକୁ ପାଖରେ ରଖିଲେ ନିରାପଦ ନୁହେଁ । ସୁବିଧା ଅସୁବିଧାରେ ଥାଇପାରେ–ଶଙ୍କର କହିଲା ।

 

ଆଚ୍ଛା–ମୁଁ ପାଖରେ ରଖୁଛି । ହେଲେ କୁଆଡ଼େ ୟାକୁ ସାଙ୍ଗରେ ଧରି ବୁଲୁଥିବି ? କିଶୋର ବାବୁ ଆସିଲେ ମୋ ପାଖକୁ ପଠେଇଦେବେ ।

 

ଶଙ୍କର କହିଲା–ଭାବିଛି ମୁଁ ଥରେ ଯାଇ କିଶୋର ସାଙ୍ଗରେ ଦେଖାକରିବି । ସେ ମତେ ଅସମୟରେ ସାହାର୍ଯ୍ୟ କରିଛି ।

 

ଗୀତା ଜଳଖିଆ ତିଆରି କରି ବାପପୁଅଙ୍କ ଆଗରେ ଆଣି ରଖିଦେଇ ଚା’ ଆଣିବାକୁ ଗଲା ।

 

ଜିତୁ ଥାଉ ଥାଉ ବୋଲି କହି କହି ବ୍ୟସ୍ତ ହେଉଥିଲା । ଖାଇଲାବେଳେ କହିଲା–ହଁ, ଆଉ ଗୋଟିଏ କଥା–ସେ ଶ୍ୟାମ ପତି ବୁଢ଼ା ଆସିଲେ ତା’ସାଙ୍ଗେ ବେଶି କଥାବର୍ତ୍ତା କରିବେନି । ସେଇଟା ସାଢ଼େ ବଦମାସ । ମୋ’ଠୁ ସୁବିଧା ପାଉଥିଲା ବୋଲି ସବୁକିଛି ସେ କରିଯାଉଥିଲା । ବର୍ତ୍ତମାନ ସମୟ କିନ୍ତୁ ଅଲଗା । ଟଙ୍କା ସବୁ ଅଦୃଶ୍ୟ ହୋଇ ଆକାଶରେ ଉଡ଼ି ବୁଲୁଛି । ବୁଦ୍ଧିବଳରେ ଜାଲ ପକେଇ ତାକୁ ଧରିପାରିଲେ ହେଲା । ସେ ଶ୍ୟାମ ପତିଟା ହେଲା ପୋହଳା ଏଣ୍ଡୁଅ । ବିଭିନ୍ନ ସମୟରେ ତା’ର ରଙ୍ଗ ବଦଳେ । ନିଜର ସୁବିଧା ପାଇଁ ସେ ତଣ୍ଟିରେ ଛୁରି ଚଳେଇ ଦେବାକୁ ବି ପଛେଇବନି, ଏଡ଼େ ସାଂଘାତିକ ଲୋକ ସେଇ ବୁଢ଼ା । ମୋ ସାଙ୍ଗେ କେତେ ସୁନ୍ଦର କଥାବର୍ତ୍ତା କରେ । ଅଥଚ ବାହାରେଯାଇ ପୁଣି ବଦନାମ କରୁଛି । ଉପରେ ମେଣ୍ଢାଚମ ପିନ୍ଧି ସେମାନେ ଗୋଟିଏ ଗୋଟିଏ ମହାବଳ ବାଘ । କେତେବେଳେ ଉପରକୁ କୁଦାମାରି ଯେ ସେମାନେ ପ୍ରାଣନେବେ ଠିକଣା ନାହିଁ ।

 

ଶଙ୍କର ପୁଅର ଏ କଥାସବୁ ମନଯୋଗ ସହକାରେ ଶୁଣୁଥିଲା । ଭାବୁଥିଲା ଜିତୁ ଆଉ ଛୋଟପିଲା ନୁହେଁ । ସଂସାରକୁ ଓ ଲୋକମାନଙ୍କୁ ସେ ଭଲଭାବରେ ଚିହ୍ନିଲାଣି ।

 

ବାହାରୁ ହର୍ଣ୍ଣ ଶୁଭିଲା ।

 

ଜିତୁ କହିଲା–ଡ୍ରାଇଭର ଡାକିଲାଣି ଯାଉଛି ।

 

ଶଙ୍କର କହିଲା–ତାକୁ ଚା’ କପେ ଦିଅ ।

 

ଗୀତା ଚା ବଢ଼େଇଦେଲା । ପଚାରିଲା–କୋଉଦିନ ପୁଣି ଆସିବୁ ?

 

ଜିତୁ ବୋଉକୁ ପାଖଘରକୁ ଡାକିନେଲା । ପକେଟରେ ଯାହାଥିଲା ସେ ଗଣିନି, ବୋଉକୁ ଦେଇଦେଇ କହିଲା–ମୁଁ ଯାଉଛି ?

 

ଠିକ୍ ପାଞ୍ଚଟା ବେଳକୁ ଜିତୁ ପୁରୀ ଛାଡ଼ିଲା ।

 

ଜିତୁ ଚାଲିଗଲା ପରେ ଶଙ୍କର ଭାବିଲାଗିଲା କେବଳ କିଶୋର କଥା । ଅସୁବିଧାବେଳେ ସେ ତାକୁ ସାହାର୍ଯ୍ୟ କରିଛି । ତା’ ସାଙ୍ଗେ ମିଳାମିଶା କରିବାକୁ ସେ ଆଉ ସୁଯୋଗ ପାଇନି । କୁଆଡ଼େ ନେଇ ତାକୁ ଗୁପ୍ତରେ ରଖିଥିଲେ କେଜାଣି ?

 

ଶଙ୍କର ଭଲଭାବରେ ଜାଣିଥିଲା–କିଶୋର ନ ଥିଲେ ସମସ୍ତ କାମ ଅଚଳ । କଟକକୁ ଦେଶବିଦେଶରୁ କେହି ନାମଯାଦା ଆଗନ୍ତୁକ ଆସିଲେ, ତାଙ୍କୁ ସମ୍ବର୍ଦ୍ଧନା କରିବାକୁ ପଡ଼ିଲେ ଖାଣ୍ଟି ଓଡ଼ିଶୀ ଜିନିଷ କିଛି ଉପହାର ଦେବାକୁ ପଡ଼ିଲେ ବାରବାଟୀ ଷ୍ଟାଡ଼ିୟମ କି ଗୋପବନ୍ଧୁ ବାଗରେ ତାଙ୍କୁ ଚର୍ଚ୍ଚା କରିବାକୁ ହେଲେ ଓଡ଼ିଶୀ ନୃତ୍ୟ କି ଓଡ଼ିଶୀ ସଂଗୀତ ଆସର ଆୟୋଜନ କଲେ ଚାନ୍ଦା ଦରକାର । କିଶୋର ଅଧାକୁ ଅଧା ଉଠେଇଦିଏ । ଫୁଟବଲ, କ୍ରିକେଟ ମ୍ୟାଚ ହେଲେ ସେ ଆଗୁଆ-। ଆମେଚର ଡ୍ରାମାମାନଙ୍କରେ ସେ ପୃଷ୍ଠପୋଷାକ । ବଢ଼ି କି ବାତ୍ୟାବେଳ କିଶୋରର ସାହାର୍ଯ୍ୟ ଅପରିହାର୍ଯ୍ୟ । ଅଧିକାଂଶ ସଭା ସମିତିରେ ସେ ସଭାପତି, ପ୍ରଧାନ ବକ୍ତା ଅଥବା ମୁଖ୍ୟ କାରପଟ୍‌ଦାର । କିଶୋର ହେଲା ସେମାନଙ୍କର ହାତବାରେଶୀ । ସେ ଯେ ବିନା ଲାଭରେ ଏସବୁ କରେ ତା’ ନୁହେଁ । ଦୀପ ତେଜିଲେ ହାତ ଚିକ୍‌କଣ ଭଳି ସିଏ ବି ଥରେ ନିର୍ବାଚନରେ କଟକରୁ ଭୋଟ ପାଇଥିଲା । କିଶୋର ଏସବୁର ସୁଯୋଗ ନେଇ ତା’ ଜୀବନରେ ବହୁତ କିଛି କମେଇଛି । ରଖିଛି ଯେତିକି ବାହାରେ ବାଣ୍ଟିଦେଇଛି ସେତିକି । ତା’ ଦୁଆରୁ କେହି ହେଲେ କେବେ ରିକ୍ତହସ୍ତରେ ଫେରିଯାଇନି । ତଥାପି ତାକୁ ହଇରାଣ କରାଗଲା କାହିଁକି ? କେଜାଣି ? ଦୋଷ ତା’ର କୋଉଠି-? ଶଙ୍କର ଭାବି ଭାବି କିଛି ଗୋଟିଏ ସ୍ଥିର ସିଦ୍ଧାନ୍ତରେ ପହଞ୍ଚି ପାରିଲାନି ।

 

ସେ ବିଷୟରେ ଏତେ ଭାବିଚିନ୍ତି ଆଉ ଲାଭ ନାହିଁ । ଶଙ୍କର ଠିକ୍‌ କଲା କିଛିଦିନ ପରେ ସୁବିଧା ସୁଯୋଗ ପାଇଲେ କଟକ ଯାଇ ସେ କିଶୋର ସାଙ୍ଗେ ଦେଖାକରିବ । ଅଟାଚିଟା ତା’ର ନିହାତି ଫେରେଇଦେବା ଦରକାର ।

 

ରାତି ପରେ ପରେ ଦିନ । ଦିନ ପରେ ପୁଣି ରାତି । ସାରା ଦି’ଦିନ ଦି’ରାତି ଶଙ୍କର, ଘରେ ବସି ବସି କେବଳ ବିତେଇଦେଲା । ବାହାରକୁ ବାହାରିନି କି କାହାସାଙ୍ଗେ କଥାବାର୍ତ୍ତା କରିନି-। ଯାହା ହେବାର ଅଛି ହୋଇଯାଉ । ବାହାରକୁ ଗଲେ ଅଜାଣତରେ ପାଟିରୁ ପଦେ ଦି’ପଦ କଥା କୋଉଠୁ କେମିତି ବାହାରିଗଲେ ପଦେ ପଦେ ବିପଦ । ପଙ୍କକୁ ଯିବା ଦରକାର ନାହିଁ କି ଗୋଡ଼ଧୋଇବା ଦରକାର ନାହିଁ ।

 

ନଟ ସାଆନ୍ତରା ମର୍ଡ଼ର କେସ୍‌ର ପୁଣି ତନାଘନା ଇନ୍‌କ୍ୱାରୀ ଚାଲିଛି । ଆଲୋକର ସେଇଦିନଠୁ ଦେଖାନାହିଁ । ବଡ଼ ଅଦ୍ଭୁତ ପିଲା ସେ ଆଲୋକ । ଶଙ୍କର ମନେମନେ ତା’ ଉପରେ ବଡ଼ ବିରକ୍ତ ହେଉଥିଲା । ପୋତାମୁହାଁଟା ବଡ଼ ବଦମାସ । ଆସିଯାଆନ୍ତା କି ? ଗୋଡ଼ହାତ ଖଟଗୋଡ଼ରେ ବାନ୍ଧିଦିଅନ୍ତା ।

 

ଶଙ୍କର ଏତିକି କେବଳ ପରସ୍ପରରେ ଶୁଣୁଥିଲା–ଗାଁର ଅଧେହେବ ଲୋକ ଏଯାଏଁ ହାଜତରେ ଅଛନ୍ତି । ପୁଲିସ୍‍ବାଲା ଏ ଘରୁ ସମସ୍ତିଙ୍କି ବାନ୍ଧି ଆଣିଛନ୍ତି । ଗାଁରେ ସନ୍ଧ୍ୟାବେଳୁ ଏବେ ତାଟିକବାଟ ବନ୍ଦ । ଭୟରେ କେହି ବାହାରୁନାହାଁନ୍ତି ।

 

ଘରେ ଦି’ଦିନ ଯାଏଁ ଏମିତି ସେ ବସିରହିଛି । ତିନିଟା ଆସି ବାଜିବ । ଶଙ୍କର ଶୁଣିବାକୁ ପାଇଲା–ଲାଉଡ଼ ସ୍ପିକରଟିଏ ବଡ଼ପାଟିରେ କେତେ କ’ଣ କହିଯାଉଛି । ଚଉକିଉପରେ ବସିରହି ସେ କାନପାତିଲା–ସିଂହଦ୍ୱାରରେ ଆଜି ସାଧାରଣ ସଭା । ନିର୍ବାଚନ ସଭାରେ ହଜାର ହଜାର ସଂଖ୍ୟାରେ ଯୋଗଦେବାକୁ ନିମନ୍ତ୍ରଣ କରି କରି ଗାଡ଼ିଟା ଛୁଟିଚାଲିଛି ।

 

ଗାଡ଼ିଟା ତାଙ୍କ ସାଇଦେଇ ଚାଲିଗଲା ପରେ ପୁଣି ଛୁଟିଆସିଲା ଆଉ ଗୋଟିଏ ଗାଡ଼ି-ଟାକ୍‌ସିରେ ପ୍ରଚାର କରି ଯାଉଥିଲା–ବିପରୀତି ଦଳର ସଭା ଆୟୋଜନ । ସିଂହଦ୍ୱାରରେ ନୁହେଁ–ମୁନିସିପାଲିଟି ପଡ଼ିଆରେ । ସେଠିକି ଆସିବେ ବାହାରୁ ଜଣେ ନାମଯାଦା ଲୋକ । ପ୍ରଥମ ହୋଇ ସେ ଓଡ଼ିଶା ଆସୁଛନ୍ତି । ପୁରୀ ଆସିବା ଏଇ ତାଙ୍କର ସର୍ବପ୍ରଥମ । ସଭାକୁ ଗଲେ ତାଙ୍କୁ ଦେଖିବାର ସୁଯୋଗ ମିଳିଯିବ ।

 

ପଛକୁ ପଛ ଆଉ ଗୋଟିଏ ଗାଡ଼ି । ରିକ୍‌ସାରେ ଲାଉଡ଼ସ୍ପିକର ଖଞ୍ଜି ସିନେମା ବିଜ୍ଞାପନ-। ବଛା ବଛା ନାୟକନାୟିକାମାନେ ଅଛନ୍ତି । ରଙ୍ଗିନ ଛବି । ମୁଷ୍ଟିଯୁଦ୍ଧ ଓ ବଲ୍‍ନାଚ ପାଇଁ ଲକ୍ଷ ଲକ୍ଷ ଟଙ୍କା ଏଥିରେ ଖର୍ଚ୍ଚ ହୋଇଛି । ଆଗରୁ ପତ୍ରପତ୍ରିକାରେ ଓ ରେଡ଼ିଓ ମାଧ୍ୟମରେ ଏହାର ବହୁଳ ପ୍ରଚାର ହୋଇଥିଲା । ଏବେ ସେଟା ନୂଆହୋଇ ଆସିଛି । ସିନେମା ଗୀତରେ ଜ୍ଞାନ ଫାଟିପଡ଼ୁଛି ।

 

ଠିକ୍‌ ପାଞ୍ଚଟା ବେଳକୁ ଶଙ୍କର ବଜାର ବାହାରିଲା । ସେମିତି କିଛି କାମ ନ ଥିଲା । ସଫା ଦି’ଦିନ ଯାଏଁ ସେ ଘରୁ ବାହାରିନି । ଭୟ ଓ ଆବେଗଯାକ ମନଭିତରେ ଚିପିରଖି, ଆଲୋକକୁ ଅପେକ୍ଷା କରି କରି ଗୀତା ଓ ସେ ଦିହେଁ ଘରକୋଣରେ ପଡ଼ି ରହିଥିଲେ । ଜିତୁ ନ ଆସେ କି ମନରେ ତାଙ୍କର ନୂଆ ବଳର ସଞ୍ଚାର ନ ହୁଏ । ସିଏ ପୁଣି କଟକ ସହର ଭଳି ଜାଗାରୁ ନିର୍ବାଚନ ଲଢ଼ୁଛି । ଆନନ୍ଦର କଥା । ଗର୍ବର ବିଷୟ । କିନ୍ତୁ ଶଙ୍କର ମନକୁ ଏକଥାଟା ମୋଟେହେଲେ ପାଇଲାନି । ପୁଅ ତା’ର ରାଜନୀତି କରିବ ଏ ବିଷୟ କେବେହେଲେ ସେ ଭାବିନଥିଲା । ଭଲ ଚାକିରି ଖଣ୍ଡିଏ କରିଥାନ୍ତା । ଅଳ୍ପେ ବହୁତେ ମାସକୁ ମାସ ଯେତିକି ମିଳିଲା ସେତିକି ସମ୍ବଳ କରି ଜୀବନକୁ ସୁରୁଖୁରୁରେ ସେ କଟେଇଦେଇ ପାରିଥାଆନ୍ତା । ଏସବୁ ଖେଳ ସେମାନଙ୍କ ପକ୍ଷରେ ଶୋଭାପାଏନି । ଯୋଉମାନଙ୍କର ପ୍ରଚୁର ଟଙ୍କା ପଇସା ଅଛି ସେମାନେ ରାଜନୀତିକି ଧରି ଜୁଆ ଖେଳିପାରନ୍ତି । ବାଟ ପାଇଗଲେ ସେଇଥିରୁ ସେମାନେ ସୁଧ ମୂଳ କରି ଆଦାୟ କରିପାରିବେ । ନହେଲେ ତ ଚିନ୍ତା ନାହିଁ । ଜିତୁଟା ପୁଣି ପିଲାପୁଅ । ଏସବୁକୁ ସେ କ’ଣ ପାରିବ ?

 

ଆଲୋକ ଏମିତି ଭାବିଚିନ୍ତି ସିଂହଦ୍ୱାର ମୁହଁରେ ପହଞ୍ଚିଲାବେଳକୁ ପିମ୍ପୁଡ଼ି ଗଳିବାକୁ ବାଟ ନାହିଁ । ଏତେଗୁଡ଼େ ଲୋକ ଏକାଠି ଜମାହେବାର କେବେ ସେ ଦେଖିନଥିଲା । ଲୋକେ ଏକାଠି ଠିଆହୋଇ କଥାହେବାକୁ କଟକଣା ଥିଲା । ନିର୍ବାଚନ ଯୋଗୁ ସେ ନିୟମଟା ଉଠିଯାଇଛି । କିନ୍ତୁ ଦଳ ଦଳ ହୋଇ ଅସଂଖ୍ୟ ପୁଲିସ୍‌ବାଲାଙ୍କୁ ସେଇ ଲୋକଗହଳି ଭିତରେ ଶଙ୍କର ଦେଖିବାକୁ ପାଇଲା । କୋଉଠି ଦେଖିଲା–ଦଳ ଦଳ ଲୋକ ନିଜ ନିଜର ସାଇକେଲ ଧରି ଠିଆ ହୋଇଛନ୍ତି ସଭାର ଶେଷମୁଣ୍ଡ ଆଡ଼ିକି ମାଳ ମାଳ ରିକ୍‌ସା । ଗାଡ଼ି ଉପରେ ବସିରହି କେତେକେତେ ଲୋକ ଅପଲକ ଆଖିରେ ପେଣ୍ଡାଲ ଉପରକୁ ଚାହିଁଥାଆନ୍ତି । ଆସୁଥାନ୍ତି ଓ ଯାଉଥାନ୍ତି । ଲୋକେ ଦଳବାନ୍ଧି ଠିଆରହି ଗପ ଜମେଇଥାଆନ୍ତି । ସଭାର ଲୋକ ସମାଗମ ବିଷୟରେ, ସଭାଟାକୁ ଯୋଉମାନେ ଆୟୋଜନ କରିଛନ୍ତି ସେମାନଙ୍କ ବିଷୟରେ ଓ ବାହାରୁ ଯୋଉ ନାମଜାଦା ନେତା ଜଣଙ୍କ ପେଣ୍ଡାଲ ମଝିକି ବସିଥାଆନ୍ତି ତାଙ୍କର ବିଷୟରେ ଲମ୍ବା ମୁଖବନ୍ଧ ଦେଇ ସହରର ଜଣେ ନାମଜାଦା ନେତା ଅନର୍ଗଳ ଗପି ଚାଲିଥାଆନ୍ତି ହାତହଲେଇ । ବାରଆଡ଼ର ଉପକ୍ରମଣିକା ମାଧ୍ୟମରେ ଆଗନ୍ତୁକ ନେତାଙ୍କ ନିଜକୁ ଆଉରି ବେଶି ଲୋକମାନଙ୍କ ଆଗରେ ସେ ଉପସ୍ଥାପିତ କରୁଥାଆନ୍ତି ।

 

ଆଗନ୍ତୁକ ନେତାଜଣକ ବାସ୍ତବିକ ଜଣେ ବିରାଟ ବାଗୀ । ଏତେ ସୁନ୍ଦର ବକ୍ତୃତା ଶଙ୍କର ଆଉ କାହାଠୁ କେବେ ଶୁଣିନଥିଲା । ନିଜର ଅନୁଭୂତିର କଥାମାନ ଉଦାହରଣ ମାଧ୍ୟମରେ ବଡ଼ ସୁନ୍ଦର ଭାବରେ ଲୋକମାନଙ୍କୁ ସେ କହିଚାଲିଥାଆନ୍ତି । ଶଙ୍କର ଦେଖିଲା–ଲୋକସଂଖ୍ୟା ବଢ଼ିବାରେ ଲାଗିଛି । କୋଠାବାଡ଼ି ଉପରେ, ଦୋକାନବଜାର ବାରେଣ୍ଡାରେ, ରାସ୍ତା କରେ କରେ ମଝିରାସ୍ତାରେ ବି ଲୋକଗହଳି । ଯିବା ଆସିବାକୁ ବାଟ ନାହିଁ । ରିକ୍‌ସା ଟାକ୍‌ସି ଆଜି ବାଟଆଡ଼େଇ ଅନ୍ୟଆଡ଼େ ବୁଲିଯାଉଥାଆନ୍ତି । ଶଙ୍କର ରାସ୍ତାକରକୁ ଏକଲା ସେ ଭଦ୍ରଲୋକଙ୍କୁ ଲକ୍ଷ୍ୟକରି ରଖିଥାଏ ଯେତିକି, ସେତିକି ଲକ୍ଷ୍ୟ ରଖିଥାଏ ଲୋକମାନଙ୍କ ଆଡ଼ିକି । ଅସଂଖ୍ୟ ଲୋକ ଧାରା ଲାଗିଛନ୍ତି । ରାସ୍ତାଟା ଭରପୂର ।

 

ସେଇ ଲୋକଗହଳି ଭିତରେ ଶଙ୍କର ଦେଖିଲା–ହଠାତ୍‌ ଦଳେ ଲୋକେ ପାଟିକରିବାକୁ ଆରମ୍ଭ କରିଦେଲେ ଓ ଦଉଡ଼ି ଧପଡ଼ି ଉଠିପଡ଼ି ସମସ୍ତେ ଛିନ୍‌ଛତ୍ର ହେବାକୁ ବସିଲେ । ଚାଲିଲା ଖାଲି ପାଟିତୁଣ୍ଡ, ଘୋ, ଘୋ, ନିଜ ନିଜର ଜୀବନ ଧରି ଲୋକଙ୍କର ପଳାୟନ । ଦଉଡ଼ୁ ଦଉଡ଼ୁ କେତେଜଣ ଆଣ୍ଠୁ ଗଣ୍ଠି ଛିଣ୍ଡେଇ ରାସ୍ତା ଉପରେ ପଡ଼ିଗଲେ । ରକ୍ଷା ନାହିଁ । ଲୋକେ ଦଳିଚକଟି ପକେଇବେ । ଶଙ୍କର ଭୟରେ ପାଖ ଦୋକାନର ବାରେଣ୍ଡା ଉପରକୁ ଉଠିଗଲା । କଥାଟା କ’ଣ ବୋଲି ଲକ୍ଷ୍ୟକଲାବେଳକୁ–

 

ଦି’ପଟୁ ଦି’ଟା କଳା କଳା ଷଣ୍ଢ ଗର୍ଜନ ତର୍ଜନ କରି ଧପସି ଆସୁଛନ୍ତି । ଷଣ୍ଢ ଦି’ଟା ଲଢ଼େଇ କରିବା ଉପରେ, ଲୋକେ ଆଗନ୍ତୁକ ନେତାଙ୍କର ବକ୍ତୃତାର କଥାବସ୍ତୁ ଭୁଲିଯାଇଥିଲେ । ଏତେ ଲୋକ ଭିତରେ ଷଣ୍ଢ ଲଢ଼େଇଟା ବଡ଼ ମଜାର କଥା । ଷଣ୍ଢ ଦି’ଟାଙ୍କର କୁହାଟ ଓ ଲଢ଼େଇ କରିବାପାଇଁ ସେମାନଙ୍କର ଦଉଡ଼ ଧାପଡ଼ ଦେଖିବା ଅପେକ୍ଷା ଲୋକମାନେ କିପରି ଗୋଟିକ ପରେ ଗୋଟିଏ ପଡ଼ୁଛନ୍ତି ଓ ଜୀବନଧରି ଦଉଡ଼ି ପଳାଉଛନ୍ତି । ଦୋକାନର କାଠ ପ୍ଲାଟଫର୍ମରେ ଠିଆରହି ଶଙ୍କର ସବୁକିଛି ଲକ୍ଷ୍ୟ କରୁଥିଲା ।

 

ଷଣ୍ଢ ଦି’ଟାଙ୍କୁ କେତେଜଣ ଟିହାଇଦେବାକୁ ଆରମ୍ଭ କରିଦେଲେ-ଜୋରସୋରରେ ସେମାନେ ଲଢ଼େଇ କରିବାକୁ ଲାଗିଯାଆନ୍ତୁ । ସଭାସମିତି ପ୍ରତିଦିନ ତ ଏମିତି ଚାଲିଛି ଓ ଚାଲିଥିବ-। କିନ୍ତୁ ଷଣ୍ଢ ଲଢ଼େଇଟା ସହଜେ ଦେଖିବାକୁ ମିଳେନି ।

 

ବେଶି ସମୟ ରହିବାକୁ ଶଙ୍କରକୁ ଆଉ ଭଲ ଲାଗିବନି । ନିଜକୁ ଦୂରେଇ ରଖିବା ଦରକାର । କେତେବେଳେ କୋଉ ବିପଦ ଅଛି । ବର୍ତ୍ତମାନ ଯୋଉ ସମୟ ଆସିଛି–ଛିଙ୍କିଦେଲେ ବି ଘଟଣାଟା ଭିନ୍ନ ଆକାର ଧାରଣ କରିବ । ବକ୍ତୃତା ଶୁଣିବା ଦରକାର ନାହିଁ । ଘରେ ଯାଇ ବରଂ ଆରାମ କରିବା ଭଲ ।

 

ଅଧାଅଧି ଲୋକ ସଭାରୁ ଚାଲିଯାଇଥିଲେ । ଦଳେ ଦଳେ ଅଧବାଟିଆ ଯିବେ କି ରହିବେ ଠିକ୍‌ କରି ନ ପାରି ଗପ କରିବାରେ ବ୍ୟସ୍ତ । ସଭାମଞ୍ଚରୁ ସହରର ସେଇ ନାମଜାଦା ଭଦ୍ରଲୋକ ଜଣକ, ବକ୍ତୃତା ଦେବାରେ ଯାହାଙ୍କର ସୁନାମ ଅଛି, ହାତ ହଲେଇ ଶ୍ରୋତାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଯିଏ ଭୁଲେଇ ରଖନ୍ତି, ସାପକୁ କେଳା ମନ୍ତ୍ର କଲାଭଳି’ ସେ ଅନୁନୟ ବିନୟ ହୋଇ ଲୋକମାନଙ୍କୁ କହୁଥାଆନ୍ତି–ଦୟାକରି ବସିଯିବାକୁ, ସଭା ଭାଙ୍ଗିନି, ଆରମ୍ଭ ହୋଇଛି ମାତ୍ର-ଏମିତି ଅନେକ ଅନେକ କଥା । ଲୋକଙ୍କୁ ଭୁଲେଇ ରଖିବାପାଇଁ ।

 

ସଭାମଞ୍ଚର ଲାଇଟ୍‌ସବୁ ହଠାତ୍‌ ଲିଭିଗଲା । ଷଣ୍ଢ ଦି’ଟା ବାଟ ଭାଙ୍ଗି ବୋଧେ ଚାଲିଯାଇଥିଲେ । କୁଆଡ଼େ ସେମାନେ ଗଲେଣି, କିଏ କହିବ-ଅନ୍ଧାରରେ ପୁଣି ଯେ ସେମାନେ ଆଉଥରେ ମାଡ଼ି ନ ଆସିବେ ? ସଭାମଞ୍ଚରୁ ଲାଇଟ୍‌ ଲିଭିବାରେ ରାସ୍ତାଘାଟର ଓ ଦୋକାନବଜାର ଆଲୁଅ ସବୁ ବି ଲିଭିଗଲା । ସାରା ସହରଟାଯାକ ଘନ ଅନ୍ଧକାର । ମୁହଁକୁ ମୁହଁ ଦେଖାଯାଉନି । ଯିଏ ଯୋଉଠି ଠିଆ ହୋଇଥିଲା ସେଠୁ ପାଦଟିଏ ଆଗେଇଗଲେ ବିପଦ । ଦିହକୁ ଦିହ ବାଡ଼େଇ ହୋଇଯିବାର ଭୟ ଅଛି । ଚୋରିନାରୀ ବି ଠିକ୍‌ ଏଇ ସମୟରେ ହୁଏ । କିନ୍ତୁ ସହରର ଲୋକେ ଲାଇଟ୍‌ ଲିଭିବା ସାଙ୍ଗେ ନିଜକୁ ସହ୍ୟ କରିନେଲେଣି । ଇଏତ ନିତିଦିନିଆ ଘଟଣା । ଲାଇଟ୍ ଲିଭିଯାଇ ସାଙ୍ଗେ ସାଙ୍ଗେ ପୁଣି ଆସିଯାଏ । ସେଦିନ କିନ୍ତୁ ବହୁତ ଡେରିହେଲା । ଶଙ୍କର କାହାକୁ ଦେଖିପାରୁନଥିଲା । ଦି’ଜଣ ଲୋକ ତା’ ପାଖେ ଠିଆହୋଇ ଫୁସ୍‌ଫାସ୍‌ କଥା ହେଉଥିଲେ–ଲାଇଟ୍‌ ଲିଭେଇବା ଗୋଟିଏ ବିଧିବଦ୍ଧ ଯୋଜନା । ଆଗରୁ ଅନ୍ୟ ଦଳରେ ଲୋକେ ଏ ବିଷୟ ଠିକ୍‌ କରିଥିଲେ ।

 

ଲାଇଟ୍‌ ସବୁ ହଠାତ୍‌ ଜଳିଉଠିଲା । ଶଙ୍କର ଦେଖିଲା–ଅତି ବେଶିହେଲେ ପଚାଶ ଷାଠିଏ ଜଣ ଲୋକ ଅଛନ୍ତି । ଏତେ ଲୋକ ଜମିଥିଲେ, ଜନସଂଖ୍ୟା କଳି ହେଉନଥିଲା । ଅଳ୍ପ କେଇ ସମୟର ବ୍ୟବଧାନ ଭିତରେ ସବୁକିଛି ଓଲଟପାଲଟ ହୋଇଗଲା । ସଭାମଞ୍ଚରେ ଯେଉଁମାନେ ବସି ରହିଥିଲେ । ସେମାନେ ସଭା ଆଉ କରିବେ କି ନକରିବେ ସେଇ ବିଷୟରେ ବୋଧେ ଆଲୋଚନା ଚଳେଇଥାନ୍ତି । ଶଙ୍କର ଘରକୁ ଫେରିଯିବ ବୋଲି ରାସ୍ତା ଉପରକୁ ଗଲାବେଳେ–

 

ଦେଖିବାକୁ ପାଇଲା–ଦି’ଜଣ ଲୋକ ସାମ୍ନାର ଗୋଟିଏ କାଠକ୍ୟାବିନ୍‌ ପଛପଟେ ଫୁସ୍‌ଫାସ୍‌ ହେବାରେ ବ୍ୟସ୍ତ ଅଛନ୍ତି । ଶଙ୍କର ସେମାନଙ୍କ ଦଶହାତ ଦୂରରେ । ଚଞ୍ଚଳ ପାଦରେ ସେ ଚାଲିଥିଲା ଘରଆଡ଼େ ।

 

ସେମାନଙ୍କୁ ଶଙ୍କର ଦେଖିନି, ଚିହ୍ନପାରିନି, କିଏ ବୋଲି ଜାଣିନି, ଅଥଚ ଚଞ୍ଚଳ ପାଦରେ ସେ ଯାଇପାରିଲାନି । ଗୋଡ଼ ଦି’ଟା ହଠାତ୍‌ ସେଠି ରହିଗଲା । ଚାହିଁଦେଲାବେଳକୁ-ଆଲୋକ-କେବଳ ଆଲୋକ ନୁହେଁ, ସେଇ ଭଦ୍ରଲୋକ ଜଣକ ଯେ ତାକୁ କଟକଠୁ ଗାଁ ଷ୍ଟେସନ୍‌ଯାଏଁ ପିଛାଧରି ଆସିଛନ୍ତି, ଆଲୋକକୁ କ’ଣ କେତେକଥା ସେ ଆସ୍ତେ ଆସ୍ତେ କହୁଥାଆନ୍ତି ।

 

ଶଙ୍କର ତା’ର ଆଖିକି ଆଗ ରୁମାଲରେ ପୋଛି ପକେଇଲା । ଯାହାସବୁ ଦେଖୁଛି ସେସବୁ ଠିକ୍‌ ନା ଭୁଲ୍ ? ନିଜ ଆଖିକି ତ ସେ କେବେହେଲେ ଅବିଶ୍ୱାସ କରିପାରିବନି ? ସେମାନେ କାଠକାବିନ୍‌ ପଛପଟରେ ଗୋଟିଏ ତାଳତାଟି ଆଢ଼ୁଆଳରେ ଲୁଚିରହି ସଭାରେ କାର୍ଯ୍ୟକ୍ରମ ବୋଧେ ଲକ୍ଷ୍ୟ କରୁଥିଲେ । ଶଙ୍କର ଦୋକାନ ଉପରୁ ସେମାନଙ୍କୁ ଠିକ୍‌ ପଛପଟିଆ ଲକ୍ଷ୍ୟ ରଖିଛି । ତାଳତାଟିର ଉପର ଅଂଶଟା ଅଳ୍ପ ମେଲାଥିଲା ।

 

ଶଙ୍କର ଠିକ୍‍ କଲା–ଆଲୋକକୁ ପଛୁଆ କୁଣ୍ଢେଇ ଧରି ତାକୁ ଦି’ଜାବୁଡ଼ା ମାରି ସେ ଘରକୁ ଭିଡ଼ି ଭିଡ଼ି ନେଇଯିବ । ସବୁଠୁ ବଡ଼ ସୁବିଧା ଆଜି ଜୁଟିଛି-ଯୋଉ ଭଦ୍ରଲୋକ ଜଣଙ୍କୁ କେବେହେଲେ ସେ ଜାଣିନି, କଥା ହୋଇନି, ଅଥଚ ତା’ ମନଭିତରେ ସଦାବେଳେ ସେ ଆସ୍ଥାନ ଜମେଇ ବସିଛନ୍ତି, ସଦାବେଳେ ଗୋଟିଏ ନିରୀହ ଲୋକର ପିଛା ଧରିଛନ୍ତି–ବିନା କାରଣରେ–ତାଙ୍କୁ ଆଜି ଯେକୌଣସି ମତେ ସେ ଆବିଷ୍କାର କରିବ ।

 

ପଛପଟିଆ ବୁଲିଯାଇ ଓ ସେମାନଙ୍କ ଆଖିରୁ ନିଜକୁ ଦୂରେଇରଖି ଶଙ୍କର ସେଇ ତାଳତାଟି ପଛଆଡ଼େ ଯାଇ ବସି ରହିବ ଓ ଠିକଣା ବେଳ ଦେଖି ସେମାନଙ୍କ ଉପରକୁ ଲମ୍ଫ ମାରିବ ବଣ୍ୟ ଜନ୍ତୁଟିଏ ତା’ର ଶିକାରକୁ କୁଦାମାରିଲା ଭଳି । ତା’ ମନ ଭିତରରେ ସବୁ ଦିର୍ବାଭନା, ମନସ୍ତାପ, ଦୁଃଖ ଓ କ୍ଳେଶଯାକ ମୂର୍ତ୍ତିମନ୍ତ ପଶୁ ଭଳି ଶଙ୍କରକୁ ବ୍ୟତିବ୍ୟସ୍ତ କରିଦେଲା ।

 

ପୁଣି ଠିକ୍‌ କଲା–ନାଁ, ସେମିତି କଲେ ଅସୁବିଧା ସୁବିଧା ଥାଇପାରେ ସେ ବହୁତ ଦୂରରେ ଏକେଲା ଠିଆ ରହିବ, କାହାକୁ ଯେପରି ଅପେକ୍ଷା କରିଛି । ଏଣେ ସେ ଦି’ଜଣଙ୍କ ଉପରେ ନଜର ରଖିଥିବ, ଜାଣି ନଜାଣିଲା ଭଳି । ଯୋଉଆଡ଼େ ସେମାନେ ଯିବେ ତାଙ୍କର ସେ ପିଛା ଧରିବ-

 

ସେମାନଙ୍କ ଆଡ଼ିକି ଚାହିଁଦେବାର ଇଚ୍ଛା । ଶଙ୍କର ଚାହିଁପାରୁନଥିଲା । ତାକୁ ଦେଖି ସେମାନେ କାଳେ ଦଉଡ଼ି ପଳେଇବେ ? ଗଲେ ଯାଆନ୍ତୁ । ଶଙ୍କର ଠିକ୍‌ କଲା–ଏତେ ଲୁଚାଛପା କାହିଁକି ? ସିଧା ସେ ତାଙ୍କ ପାଖକୁ ଯିବ–

 

ତାଙ୍କ ଆଡ଼ିକି ସିଧା ଚାଲିଲା ବେଳକୁ ପୁଣି ସେଇ ଦୁର୍ଯୋଗ । ସବୁଆଡ଼େ କିଟିକିଟିଆ ଅନ୍ଧାର । ସହରର ଚାରିଆଡ଼େ ଲାଇଟ୍‌ ଲିଭିଗଲା । ବାଟଘାଟ ଦେଖାଯାଉନି । ଶଙ୍କରର ମନଭିତରେ ଆଲୋକ ହିଁ କେବଳ ଆଲୋକ ଜାଳିଗଲା । ସବୁଆଡ଼େ ଖାଲି ଅନ୍ଧକାର ଓ ଘନ ଅନ୍ଧକାର । ଗାଢ଼ କଳାରଙ୍ଗର ସେଇ ଅନ୍ଧକାର ସାତଫେଣିଆ କଳାନାଗ ଚେକାବାନ୍ଧି ଓ ଫଣାଟେକି ଖେଳିଲା ଭଳି ଶଙ୍କର ଆଗରେ ଲହଡ଼ା ଭାଙ୍ଗି ଭାଙ୍ଗି ଅଦୃଶ୍ୟମାନ ଅଥଚ ତା’ରି ଭିତରେ ଭରି ରହିଥିଲା, ଏକ ନିଘଞ୍ଚ ବ୍ୟକ୍ତିତ୍ୱ ସେଇ ଘନ ଅନ୍ଧକାରର । ଶଙ୍କର ଠିଆରହି ଏକେଲା, ସେଇ ଅନ୍ଧକାରକୁ ଅବା ଚିହ୍ନିବାକୁ ଚେଷ୍ଟା କରୁଥିଲା । ଅଳ୍ପ କେଇହାତ ଦୂରରେ ତା’ର ଅତି ଆଦରର ଆଲୋକ । ତାକୁ କେତେ କେତେ ସେ ଗାଳିମନ୍ଦ ଦେଇଛି, ଅଥଚ ସେଇ ଅନ୍ଧକାର ଭିତରରେ ସେ ଅନୁଭବ କରୁଥିଲା–ଆଲୋକ ତା’ପାଖକୁ ଦଉଡ଼ିଆସି ବାପା, ବାପା କହି ତାକୁ ଜାକି ଧରିଛି । ଦୋଷ କରିଛି ବୋଲି କ୍ଷମା ମାଗିନେଉଛି । ନିର୍ଦ୍ଦୋଷ ଓ ଅତି ନିଷ୍ପାପ ତା’ର ଅତି ପ୍ରିୟ ଆଲୋକ । ଖୋଜି ଖୋଜି ଏତେଦିନ ପରେ ସେ ତାକୁ ନିକଟରେ ପାଇପାରିଛି ।

 

ଅଳ୍ପ ସମୟର ବ୍ୟବଧାନ ପରେ ଲାଇଟ୍‌ ଆସିଗଲା । ରାସ୍ତାଘାଟ, ଦୋକାନ ବଜାର ଓ କୋଠାବାଡ଼ି ଆଜି ସବୁପୁଣି ଆଗଭଳି ହସି ଉଠୁଉଠୁ ବଢ଼ିଲାଗିଲା ପୁଣି ଲୋକ ସମାଗମ । ଗାଡ଼ିଘୋଡ଼ାର ଯାତାୟତରେ କିଏଅବା ଆଣି ଭରିଦେଇଗଲା ଗତିଶୀଳତା । ଅଳ୍ପ ସମୟ ଯାଏଁ ସବୁ ଥମିଯାଇଥିଲା । କୋଉଥିରେ ହେଲେ ଜୀବନ ନ ଥିଲା । ମୁହୂର୍ତ୍ତକ ଭିତରେ ଭରିଗଲା ଅବା ସଞ୍ଜିବନୀ । ଆଖି ମଳି ମଳି ପୁଣି ଚେଇଁଉଠିଲା ।

 

କାଠ କାବିନ୍‌ ପଛଆଡ଼େ ଆଲୋକକୁ ସେ ଆଉ ଦେଖିବାକୁ ପାଇଲାନି । ନ ଥିଲେ ସେଇ ଅଜଣା ଅଚିହ୍ନା ଭଦ୍ରଲୋକ ଜଣଙ୍କ ଯିଏ ଛାଇଭଳି ତା’ର ପିଛା ଧରିଛନ୍ତି କେତେକାଳ ହେଲା-

 

କାଳେ ସେମାନେ ସେଇଠି କୋଉଠି ଲୁଚିଯାଇଥିବେ ? ଶଙ୍କର କାଠ କ୍ୟାବିନ୍‌ ପାଖକୁ ଯାଇ ଚାରିଆଡ଼କୁ ଅନେଇଲା । କୋଉଠି କାହାକୁ ଦେଖିଲାନି । ପାଖ ଆଖରେ ଘୂରି ବୁଲିଲା । ରିକ୍‌ସା ଖଣ୍ଡେ ଧରି ବହୁଦୂର ଆଗେଇଗଲା । ପୁଣି ଚାଲିଲା ପଛପଟ ରାସ୍ତାରେ । ବାଆଁ ଡାହାଣ ଗଳିବାଟେ ରିକ୍‌ସା ଧରି ଯାଉ ଯାଉ କାଳେ ସେମାନଙ୍କ ସାଙ୍ଗେ ଦେଖାହୋଇଯିବ ? ଶଙ୍କର ଦି’ଘଣ୍ଟା ଯାଏଁ ଚାରିଆଡ଼େ ଘୂରି ବୁଲି ବୁଲି ହତାଶହୋଇ ଫେରିଆସିଲା ପୁଣି ସିଂହଦ୍ୱାରରେ ସେତେବେଳେ ଚାଲିଥିଲା ! ଖଞ୍ଜଣିମାଡ଼ି । ଜଗନ୍ନାଥଙ୍କୁ ଡାକି ଡାକି ଲୋକଙ୍କର ତଣ୍ଟି ପଡ଼ିଯାଇଥିଲା । ମନୋବୋଧ ଚଉତିଶାକୁ ରାହାଧରି ସେମାନେ ଆଲୁଅ ଅନ୍ଧକାରର ଭିତରେ ବୁଡ଼ି ରହିଥିଲେ । ସେମାନଙ୍କ ପାଖରେ ଆଲୁଅ ଯେତିକି ଅନ୍ଧକାର ବି ସେତିକି, ସମସ୍ତେ ମିଶି ଏକାକାର, ବୃତ୍ତର ଆବର୍ତ୍ତ ଭଳି ।

 

ଓ ସେଇ ଆବର୍ତ୍ତ ଭିତରୁ ଆକାଶ ପିଠିରେ ଛୁରି ଭୁସି ତିଖକୁ ତିଖକୁ ଲମ୍ବି ଯାଇଥିଲା ବିରାଟ ସେଇ ଦେଉଳଟା । ଶଙ୍କର ସିଂହଦ୍ୱାର ମୁହଁରେ ଠିଆରହି ବହୁତ ବେଳଯାଏଁ ଦେଉଳ ଆଡ଼ିକି କେବଳ ଚାହିଁ ରହିଲା । ଖୋଜି ଖୋଜି ସେ ହତାଶ ହେଲାଣି । କୋଉଠୁ ତାଙ୍କୁ ପାଇଲାନି, ଦେଖାଦେଇ କୋଉଆଡ଼େ ପୁଣି ଛପିଗଲା ସେଇ ଆଲୋକ । ଏତେ ନିକଟରେ ଥାଇ ବି ସେ ବହୁତ ଦୂରରେ । ନହକା ବତାଫାଳିଆ ଭଳି ପିଲାଟା । ଭାବିଲେ ଜଣାପଡ଼େ-ସେଇ ଛୋଟପିଲାଟାର ମୁଣ୍ଡଟା ଅବା ଆକାଶରେ ଯାଇ ଲାଗିଛି । ଆଖି ପାଉନି ।

 

ଆଖି ପାଉନି କେତେ କେତେ ଅବିସ୍ମରଣୀୟ ଘଟଣାମାନ ଓ ତା’ର ସେଇ ଦୁର୍ଦ୍ଦିନଯାକ, ଚାକିରି ଗଲା ପରେ ପରେ ଯେତେ ଯେତେ କଷଣ ସବୁ ଫଣାଟେକି ତାକୁ ଖାଲି ଦଂଶନ କରିବାରେ ଲାଗିଛି । ମନର ଚାଲୁଣିରେ ଛାଣିହୋଇ ଗୋଟିକ ପରେ ଗୋଟିଏ ଘଟଣା ମୁହୂର୍ତ୍ତକ ଭିତରେ ତା’ଆଗରେ ଆସି ଶୋଭାଯାତ୍ରା କରିବାରେ ଲାଗିଗଲେ ।

 

ଆଲୋକକୁ ସେଦିନ ଦେଖି ମଧ୍ୟ ଶଙ୍କର ରାସ୍ତାଘାଟ ଗଳିକନ୍ଦି ବୁଲିବୁଲି; ଦୋକାନ ବଜାର ଆଗରେ ଓ କାଠକାବିନ୍‌ ସବୁର ପଛପଟକୁ ଚାହିଁ ଚାହିଁ ଯେତେ ଯୁଆଡ଼େ ଖୋଜିଲା କୁଆଡ଼େ ପାଇଲାନି ତାକୁ ସେଦିନ । ମନସ୍ତାପରେ ଘରକୁ ଫେରିଆସି ଶୋଇଗଲା । କାହାକୁ କିଛି ସେ କହିନି । ତା’ର ନୀରବତାରୁ ଗୀତା ଅନେକଥର ତାକୁ ପଚାରିଲା–କ’ଣ ହେଲା–ଏତେ ମନଦୁଃଖ କାହିଁକି–ଯାହା ହେବାର ହେଉଛି–ଏମିତି ଭାଙ୍ଗିପଡ଼ିଲେ ହେବନି । ଗୀତାର ଏଇ ସମବେଦନା ସବୁ ଶଙ୍କର ମନରେ ପ୍ରଲେପ ବୋଳିଦେଇ କଥାଟା ତା’ ତଣ୍ଟି ପାଖକୁ ଚାଲିଆସିଥିଲା–ଆଲୋକକୁ ସଭାଭିତରେ ଦେଖିଛି ବୋଲି ସେ କହିଆସୁଥିଲା । କ’ଣ ଭାବି ପୁଣି କହିଲାନି । ଛେପ ଢୋକିଲା । ଭାବିଲା–ଯୁଆଡ଼େ ଯିବ ସେ ଯାଉ, ତା’ ବିଷୟ ପକେଇ କିଛି ଲାଭ ନାହିଁ ।

 

ଶଙ୍କର କୁଆଡ଼େ ଆଉ ବୁଲାଚଲା ନକରି, ସାଇପଡ଼ିଶା କି ରାସ୍ତାଘାଟରେ ଲୋକଙ୍କ ସାଙ୍ଗେ ଆସନ୍ତା । ନିର୍ବାଚନର ସରଗରମ ତାଜାଖବର ସବୁରେ ମୋଟେ ଭାଗ ନ ନେଇ ଘରେ କେବଳ ଶୋଇରହିଲା । ଖଟ ଉପରେ ପଡ଼ିପଡ଼ି ବିରକ୍ତି ଲାଗିଲେ ସେ ଆରାମ ଚଉକିଟା ଉପରେ ନିଜର ଶରୀରକୁ ପକେଇରଖେ ଓ ଖୋଲା ନୀଳରଙ୍ଗର ଆକାଶଟା ଆଡ଼ିକି ଘଣ୍ଟା ଘଣ୍ଟା ଧରି ଚାହିଁରହେ । ବେଳେବେଳେ ଅଗଣାର ଏପଟରୁ ସେପଟକୁ ଖାଲି ପଦଚାରଣ କରୁଥାଏ । ହାତ ଦି’ଟି ପଛପଟ ଅଣ୍ଟାରେ ଛନ୍ଦିଦେଇ । ଗୀତା ସମୟ ଉଣ୍ଡି କପେ କପେ ଚା’ ଦେଲେ ସେତକ ନିଃଶେଷ କରିଦେଇ ଫାଙ୍କା ମନଟାରେ ସାରା ଦି’ଦିନ ଘର ଭିତରେ କେବଳ କଟେଇଦେଲା । ସହରର ରାସ୍ତାଘାଟ ସେତେବେଳେ ନିର୍ବାଚନ ଯୁଦ୍ଧର ଅସ୍ତ୍ର ଲାଉଡ୍‌ଷ୍ପିକରର ଆକାଶ ଫଟା ଗର୍ଜନ ତର୍ଜନ ସ୍ଲୋଗାନ ଓ ଶୋଭାଯାତ୍ରାରେ ଭରପୂର । ସମସ୍ତେ ଯାଇ ବାହାରେ । ସ୍ତ୍ରୀଲୋକେ ଓ ପିଲାକବିଲା ଆଜି ବି ଘରେ ରହିବାକୁ ଅମଙ୍ଗ । ରାତିଅଧ ଯାଏଁ ସଭା ଶୋଭାଯାତ୍ରା । ବିଭିନ୍ନ କିସମର ନେତାଏ ନିଜ ନିଜର ଦଳର ବାହାସ୍ଫୋଟ ମାରି ଆକାଶ ଫଟେଇବାରେ ଲାଗିଥାଆନ୍ତି । ସହରର ଛକମାନଙ୍କରେ ଭରପୂର ଲୋକ ଓ ଖାଲି ଆଳାପ ଆଲୋଚନା । ଆଲୋଚନା ସବୁ ବେଳେବେଳେ ଅତି ସରଗରମ ହେଲେ ମୁଷ୍ଟିଘାତରେ ପରିଣତ ହୁଏ । ଛୁରା ଭୂଷାଭୂଷିତ ଘଟଣା ସବୁ ବିଭିନ୍ନ ସ୍ଥାନରେ ଆସି ପହଞ୍ଚେ । ଜଳ, ସ୍ଥଳ ଓ ଆକାଶ ଚାରିଆଡ଼େ ସେଇ ନିର୍ବାଚନ ଯୁଦ୍ଧର ପ୍ରତିଧ୍ୱନି । ଆଖି କାନ ବନ୍ଦ କରି ଏ ସମୟରେ ଘରେ ବସିରହିବା କଷ୍ଟକର । ତଥାପି ଶଙ୍କର ସାରା ଦି’ଦିନ ଘରର ଚାରିକାନ୍ଥ ଭିତରେ ରହିଗଲା, ବାହାରକୁ ସେ ଆସିନି ।

 

ଦିନକୁଦିନ ସହରରେ ସଭାସମିତିର ସଂଖ୍ୟା ବଢ଼ିଚାଲିଲା । ମାଇକ୍‌ ଜରିଆରେ ସଭାରେ ଯୋଗଦାନ ପାଇଁ ନିମନ୍ତ୍ରଣ, ଦଳର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ବନ୍ଧରେ ବହୁଳ ପରିପ୍ରଚାର, ନେତୃସ୍ଥାନୀୟ ଲୋକମାନଙ୍କର ଜୟଜୟକାର, ସେମାନେ ଶାସନ ଗାଦିକୁ ଆସିଗଲେ ସଭିଙ୍କର ଦୁଃଖଦୁର୍ଦ୍ଦଶା ଦୂର କରିଦେବେ ଇତ୍ୟାଦି ବହୁ ତମ୍ବି ତୋଫାନ କଥାରେ ସହରର ପାଣିପବନ ଯେତେବେଳେ ଭରପୂର ସେତେବେଳେ ଶଙ୍କର ନିଜ ଘର ଚାରିକାନ୍ଥର ମାନସରୋବର ଭିତରେ କେତେବେଳ ଯାଏଁ ଲୁଚି ରହିଥିବ ? ବାହାରେ ବୀର ଭୀମସେନର ଗର୍ଜନ ଭଳି ଆଗାମୀ ନିର୍ବାଚନ ପାଇଁ ବ୍ୟାପକ ସଜବାଜ । ଗ୍ରାମ ଓ ସହର ଚାରିଆଡ଼େ ଏଇ ହଟଗୋଳ । ସାରା ଦେଶଟା ଅବା ଚେଇଁଉଠୁଛି । ଲୋକଙ୍କର ଭାଗ୍ୟଡୋରି ସେମାନଙ୍କର ନିଜ ହାତରେ । ଆଉଥରେ ପୁଣି ହୁଡିଗଲେ ପଡ଼ିରହିଥିବେ ପାଞ୍ଚବର୍ଷ ଯାଏଁ । ଜୁଳୁଜୁଳୁ ଆଖିରେ କେବଳ ସେଇ ଲୋକଗୁଡ଼ାଙ୍କୁ ଲକ୍ଷ୍ୟ କରିବାକୁ ପଡ଼ିବ–ସେମାନେ କେତେ କେତେ ଅନାଚାର କରିଯାଉଛନ୍ତି–ଲୋକଙ୍କର ସେବା କରିବା ନାଁରେ ବାର ଭ୍ରଷ୍ଟାଚାର–ଲୋକଙ୍କର ଆର୍ଥିକ ସ୍ୱଚ୍ଛଳତା ନାଁରେ ନିଜ ନିଜକୁ ସେମାନେ ପରିପୁଷ୍ଟ କରିଥାଆନ୍ତି-ସବୁ ସୁବିଧା ସୁଯୋଗଯାକ ସେଇମାନେ ହାସଲ କରିଥାଆନ୍ତି–ମେଣ୍ଢାଚମଡ଼ାର ଖୋଳ ପିନ୍ଧି ଭିତରେ ସେମାନେ ଗୋଟିଏ ଗୋଟିଏ ମହାବଳ ବାଘ-କାହିଁ, ଜଣେ ଭଲ ମଣିଷ ଏଯାଏଁ ତ ଆଖିଆଗରେ ପଡ଼ିଲାନି ?

 

ସେଦିନ ସହରରେ ଥିଲା ସବୁଠୁ ବଡ଼ ସଭା । ସିଂହଦ୍ୱାର ମୁହଁରେ ଆୟୋଜନ କରାଯାଇଥିଲା ସନ୍ଧ୍ୟାବେଳେ । ବିପକ୍ଷ ଦଳର ଲୋକେ ଦି’ପୁଲିଂ ଛାଡ଼ି ସଭାର ଆୟୋଜନ କରିଥାଆନ୍ତି । କେବଳ ଅନ୍ୟଦଳର ସଭାଟିକି ଭଣ୍ଡୁର କରିବା ପାଇଁ । ଶଙ୍କର ଘରେ ଆଉ ଚୁପ୍‌ ଚାପ୍‌ ବସିପାରିଲାନି । ସେଦିନ ସକାଳୁ ସକାଳୁ ସେ ଠିକ୍‌ କରିଥିଲା–ସଂଧ୍ୟାହେଲେ ସେ ସଭା ଦେଖିବାକୁ ଯିବ । ଘରେ ବସିରହି ମୁଣ୍ଡ ତା’ର ବିଗିଡ଼ି ଗଲାଣି । ଗୀତା ବି ଅନେକଥର କହିଲାଣି-ବାହାରେ ଯାଇ ବୁଲିଆସିବାକୁ । କିଛି କାମଦାମ ନ କରି ଖାଲିଟାରେ ଘରେ ବସିରହିଲେ ସବୁ ଚିନ୍ତା ଯାକ ନିଜ ନିଜର କାୟା ବିସ୍ତାର କରି ଭୀମ ବିକ୍ରମରେ ମାଡ଼ିବସନ୍ତି । ସେସବୁରୁ ନିସ୍ତାର ପାଇବାକୁ ହେଲେ ବାହାରେଯାଇ ବୁଲିଆସିବା ଦରକାର ।

 

ବାହାରେ ଯୁଆଡ଼େ ଯିବ ସିଆଡ଼େ ଖାଲି ଘୋଘୋ ଶବ୍ଦ, ଲୋକମାନଙ୍କ ଆଳାପ ଆଲୋଚନା–ଘରେ, ବାହାରେ, ରାସ୍ତାଘାଟରେ, ଛକମାନଙ୍କରେ, ସଭାସମିତିରେ ଚାରିଆଡ଼େ । ଶଙ୍କର ମୁଣ୍ଡ ପୋତି ପୋତି ସହରର ପ୍ରଧାନ ଛକ ପାଖରେ ହେଲାବେଳକୁ–ଜଣେ କିଏ ତାକୁ ପଛରୁ ଖୁବ୍‌ ବଡ଼ପାଟିରେ ଡାକୁଥିବାର ମନେହେଲା । ଶଙ୍କର ବୁଲିପଡ଼ି ଅନେଇଲା, ବହୁତ ଅନେଇଲା–ଶବ୍ଦଟା କେଉଁଆଡ଼ୁ ଆସୁଛି କାନ ପାରିଲା–ଦେଖିପାରିଲାନି କି ଜାଣିପାରିଲାନି । ପଛଆଡ଼ୁ ବିରାଟ ଏକ ଜନ ସମୁଦ୍ର ଲହଡ଼ି ଭାଙ୍ଗି ଭାଙ୍ଗି ତା’ରି ଆଡ଼ିକି ମାଡ଼ିଆସୁଥିଲା ଅବା !

 

ଆଉ କିଏ ବୋଧେ କାହାକୁ ଡାକୁଛି-ପ୍ରତିଧ୍ୱନିତ ହେଉଛି ଆସି ତା’ରି ପାଖେ ପାଖେ, ଚାରିପାଖେ, । ଶଙ୍କର ପଛକୁ ଦି’ପାହୁଣ୍ଡ ଘୁଞ୍ଚାଇ, ବୁଲିଯାଇ ପୁଣି କାନ ପାରିଲା–କାହାର ଦେଖାନାହିଁ । ଅଳ୍ପ ଦୂରରେ ମାଳ ମାଳ ରିକ୍‌ସା ଧାଡ଼ିବାନ୍ଧି ଦି’କରରେ ଠିଆ ରହିଥିଲେ ଓ ସେମାନଙ୍କୁ ଡେଇଁଗଲେ ଟାକ୍‌ସିମାନଙ୍କର ଭିଡ଼ । ପ୍ରାଇଭେଟ୍‌ ଓ ଭଡ଼ା ଟାକ୍‌ସିମାନେ-ପରେ ପରେ ମିନିବସ୍‌ ଓ ସରକାରୀ ବେସରକାରୀ ବସ୍‌ ସବୁ ଭେଳା ଭେଳା ।

 

ଶଙ୍କର ଦେଖିଲା–ଟାକ୍‌ସି ଷ୍ଟାଣ୍ଡଆଡ଼ୁ ଜଣେକିଏ ତା’ର ଆଡ଼ିକି ଖୁବ୍‌ ଜୋରରେ ଧାଇଁଛି-। ତା’ ନାଁ ଧରି ଡାକି ଡାକି, ଲସର ପସର ହୋଇ ଆଲୋକମାନଙ୍କୁ ଆଡ଼େଇ ଆଡ଼େଇ, ବାଟ ଭାଙ୍ଗି ଭାଙ୍ଗି ।

 

ଶଙ୍କର ତା’ଆଡ଼ିକି ଅଳ୍ପ ଚାଲିଯାଇ ଦେଖିଲା–କିଶୋର ତା’ ନା’ଧରି ଡାକିଲାଗିଛି ଓ ଦଉଡ଼ିଛି ତାଆରିଆଡ଼େ । ଆଶ୍ଚର୍ଯ୍ୟ ହେଲା ଶଙ୍କର–ଏତେ ଦୂରରୁ ସେ ତାକୁ ଚିହ୍ନିପାରିଲା କିପରି ?

 

କିଶୋର ଭାରି ବ୍ୟସ୍ତ ଥିଲାଭଳି ମନେହେଲା । ଶଙ୍କରକୁ କୁଣ୍ଢେଇପକେଇ ସେ କହିଲା–କଥାହେବାକୁ ଆଉ ସମୟ ନାହିଁ ।

 

ଶଙ୍କର ଆବାକାବା ହୋଇଗଲା–ମନଭିତରୁ ତା’ର ଆଉଗୋଟିଏ ବ୍ୟକ୍ତିତ୍ୱ ପରାଜିତ ଓ ଲଜ୍ଜିତ ଭୀରୁ ପଶୁଟିଏ ଭଳି ଲାଙ୍ଗୁଡ଼ ଜାକି ସେତେବେଳେ ପଳେଇବାକୁ ବସିଛି । କେତେ ବିଶ୍ୱାସରେ ସେ ତାକୁ ଆଟାଚିଟାକୁ ଦେଇଯାଇଥିଲା । ସେ ଫେରିଆସିବା ଖବର ବି । ଏଯାଏଁ ତା’ପାଖକୁ ସେ ଯାଇନି କି ତାକୁ ଫେରେଇଦେଇନି । କିଶୋରକୁ ହଠାତ୍‌ ଦେଖିଦେଇ ସେ ଶଙ୍କିଯାଇଥିଲା, ପାର୍ଟିରୁ କଥା ବାହାରୁନଥିଲା ।

 

କିଶୋର କହିଲା–ତୁ ଯାହା ଯାହା କହିବୁ, ସବୁ ମୁଁ ଜାଣେ । ମନେମନେ ତୋତେ ମୁଁ ବହୁତ ଖୋଜୁଥିଲି । ଭାବୁଥିଲି–ଏଇ ସଭା ଭିତରେ ତୋ ସାଙ୍ଗେ ଦେଖାହୋଇଯିବ । ଆ ଯିବା, ବହୁତ କାମ ଅଛି । ତୋର କିଛି ଅସୁବିଧା ନାହିଁ ତ ?

 

ଚାଲି ଚାଲି ସେମାନେ ଟାକ୍‌ସି ପାଖକୁ ଚାଲିଯାଇଥିଲେ ।

 

ଶଙ୍କର ପଚାରିଲା–କୁଆଡ଼େ ?

 

ଡାକ୍ତରଖାନା ।

 

କାହିଁକି ?

 

ଶାମ ପତିର ଶେଷ ଅବସ୍ଥା । ପୋଷ୍ଟମଟମ ହେବ ।

 

ତା’ ମାନେ ? ଶଙ୍କରର ତୋଟି ଦଦରା ଶୁଭିଲା ।

 

ତୁ ତା’ହେଲେ କିଛି ଜାଣିନୁ ?

 

ନାଁ–ଗୋଟିଏ ଫାଙ୍କା ‘ନାଁ’ କଲା ଶଙ୍କର । ମନ ବିଭାଘର ବେଳେ ବୁଢ଼ା ଦିନରାତି ତାଙ୍କପାଇଁ ପରିଶ୍ରମ ଓ ସାହାର୍ଯ୍ୟଯାକ ମୂର୍ତ୍ତିମନ୍ତ ହୋଇ ତା’ଆଗରେ ମୁହୂର୍ତ୍ତେ ପାଇଁ ଦେଖାଦେଇ ପୁଣି ଲୁଚିଗଲା କିଶୋର ମୁହଁକୁ ଚାହିଁଥିଲାବେଳେ ।

 

ବହୁତ କାମ ଅଛି–କିଶୋର କହିଲା–ବସ୍‌, ଗାଡ଼ିରେ ଘରେ ତୋର କହିଦେଇ ଆସିବା-

 

ମନାକରିବାକୁ ଶଙ୍କରର ଉପାୟ ନାହିଁ । ଚାରା ବି ନାହିଁ । ପଚାରିଲା–କ’ଣ ହେଲା ? କେମିତି ? ଘଟଣାଟା କ’ଣ କହୁନୁ କାହିଁକି ? ବଡ଼ ଅସ୍ଥିର ହୋଇପଡ଼ିଲା ଶଙ୍କର ।

 

ସମସ୍ତେ ଜାଣିବାକୁ ଗାଡ଼ିଟା ଆକ୍‌ସିଡେଣ୍ଟ ହେଲା–ପୁରୀ ଭୁବନେଶ୍ୱର ରାସ୍ତାରେ । କିନ୍ତୁ ସେଇଟା ଆକସିଡେଣ୍ଟ ନୁହେଁ, ମର୍ଡ଼ର । ବୁଢ଼ା ଆସୁଥିଲା ପୁରୀ ସଭାରେ ବକ୍ତୃତା ଦେବାପାଇଁ । ସାଙ୍ଗରେ ଆଉଜଣେ ଭଦ୍ରଲୋକ ଥିଲେ । ତାଙ୍କରି ଏଇସବୁ କାଣ୍ଡ ।

 

କିଏ ସେଇ ଭଦ୍ରଲୋକ ? ଶଙ୍କର ପଚାରିଲା–

 

ତୁ ଜାଣିନୁ । ଅଳ୍ପ ରହିଯାଇ କିଶୋର କହିଲା–ତୁ ଯୋଉଦିନ ଆମ ଘରକୁ ଆସିଥିଲୁ–ମନେଅଛି ? ଜଣେ ଭଦ୍ରଲୋକ ବାହାରଘରେ ଅପେକ୍ଷା କରିଥିଲେ । ବେଶ୍‌ ଚାକଚିକଣିଆ ଭଦ୍ରଲୋକ । ସଦାବେଳେ ସେ ଟିପ୍‌ଟାପ୍‌ । ସବୁଜାଗାରେ ସେ ଥାଆନ୍ତି । ସବୁ ସମୟରେ, ସମସ୍ତଙ୍କ ମେଳରେ, ସବୁ ଦଳରେ ସମସ୍ତେ ତାକୁ ଦେଖିଛନ୍ତି । ସଠିକ୍‌ ତାକୁ କେହି ଜାଣିନାହାନ୍ତି । ସେ ଥିଲେ ଖିଆପିଆର ଧୂଳା ଉଡ଼େ-ହୋଟେଲ ରେଷ୍ଟୁରାଣ୍ଟରେ ଛୋଟକାଟିଆ ଜାଗାରେ ନୁହେଁ–ଅଭିଜାତପୂର୍ଣ୍ଣ ପରିବେଶରେ–ସାଧାରଣଙ୍କ ସାଙ୍ଗରେ ମିଶିଥିଲେ ହେ ସେ ଅସାଧାରଣ । କଅଣ ତା’ର ନାଁ-କିଶୋର ସଠିକ୍ କହିପାରିଲାନି । କିନ୍ତୁ ସେ ତା’ର ବେଶ୍‌ ଜଣାଶୁଣା । ତା’ ଜରିଆରେ ସେ ବହୁଥର ବଡ଼ ବଡ଼ ବ୍ୟବସାୟ କରିଛି । କିଶୋର ଗାଡ଼ି ଚଳାଉ ଚଳାଉ ଏସବୁ କହିଚାଲିଥାଏ ।

 

ଶଙ୍କର ଚିତ୍ରପ୍ରତିମାଟି ଭଳି ତା’ ପାଖ ସିଟ୍‌ରେ ବସି କିଶୋରଆଡ଼ିକି ବଲବଲ କରି ଚାହୁଁଥାଏ । ଭାବୁଥାଏ-ଯାହାହେଉ ବହୁତଦିନପରେ ଭଦ୍ରଲୋକ ଜଣଙ୍କୁ ସେ ଚିହ୍ନିପାରିଛି । ବଡ଼ ଆଶ୍ୱସ୍ତ ହେଉଥିଲା, ଏଣେ ସେ ବଡ଼ ଆଶ୍ୱସ୍ତି ଅନୁଭବ କରୁଥିଲା ମନେମନେ ।

 

ଗାଡ଼ି ଆସି ତା’ ଘର ସାମ୍ନାରେ ହେଲାବେଳେ ଶଙ୍କର ଓହ୍ଲେଇବା ଆଗରୁ କିଶୋରକୁ କହିଲା–ତୋ’ ଆଟାଚିଟା ଜିତୁ ପାଖରେ କଟକରେ ଅଛି ।

 

ସେଇଟା ତ ମୁଁ ପାଇସାରିଛି । ସେଥିରେ ଯାହା ଯାହା ସବୁ ଥିଲା ସବୁ ଅତୁଟ ରହିଛି । ଜିତୁର କେବଳ ଭାଗ୍ୟ ଭଲ । ବଦମାସମାନେ ତା’ର କିଛି କରିନାହାନ୍ତି ।

 

ତା’ମାନେ ? ବଡ଼ ବଡ଼ ଆଖିମେଲେଇ ଶଙ୍କର ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

ମାନେ ଫାନେ ତୋତେ ଏତେକଥା ମୁଁ ଆଉ ଏଇନେ କହିପାରିବିନି । ତା’ରି ପାଇଁ ଶାମ ପତି ବୁଢ଼ା ମଲା ଓ ସେ ବଦମାସ ଯିଏ ଭଦ୍ରଲୋକ ସାଜୁଥିଲା ସେ ଯାଇ ଥାନାରେ । ଥାନାବାଲା ତାକୁ କ’ଣ ଆରେଷ୍ଟ କରିଥିଲେ ? ସମସ୍ତଙ୍କର ତା’ପ୍ରତି ଥିଲା ଅନ୍ୟ ଧାରଣା ସେ ଜଣେ ମାନ୍ୟଗଣ୍ୟ ଲୋକ ବୋଲି ଘରେ ତୁ ଆଗ କହିଦେଇଆସିଲୁ ?

 

ଶଙ୍କର କିଶୋରକୁ ଘରକୁ ଡାକୁଥିଲା ।

 

କିଶୋର ଓହ୍ଳେଇଲାନି । ଗାଡ଼ି ବୁଲେଇଲା ।

 

ଶଙ୍କର ଘରକୁ ଯାଇଛି ଏବଂ ଆସିଛି ଗୋଟିଏ ନିଶ୍ୱାସରେ । ଗୀତାକୁ କିଛି ନ କହି ।

 

ଘଟଣାଟା ଚାହୁଁ ଚାହୁଁ ଚାରିଆଡ଼େ ବ୍ୟାପିଗଲା । ବୁଢ଼ା ଶାମ ପତି, ବହୁଦିନର ପୁରୁଣା ଲୋକ । ପୁରୀ ସଭାରେ ଭାଷଣ ଦେବାକୁ ଆସୁଥିଲେ । ବହୁତ କିଛି ତାଙ୍କଠୁ ଆଶା କରାଯାଉଥିଲା-। ତାଙ୍କର ଆକସ୍ମିକ ପରଲୋକ ଦେଶର ଅପୂରଣୀୟ କ୍ଷତି । ମଟର ଆକ୍‌ସିଡେଣ୍ଟରେ ପୁରୀ ଭୁବନେଶ୍ୱର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ସାଙ୍ଗରେ ଆଉଜଣେ ବି ସେଇ ଗାଡ଼ିରେ ଆସୁଥିଲେ ଓ ସେ ଗାଡ଼ି ଚଲାଉଥିଲେ । ତାଙ୍କୁ ଆରେଷ୍ଟ କରାହୋଇଛି ! ଘଟଣାଟାର ତନାଘନା ଅନୁସନ୍ଧାନ ଚାଲିଛି । ଖବରକାଗଜଠୁ ଆରମ୍ଭ କରି ସଭାସମିତିରେ ଓ ଲୋକମୁଖରେ କଥାଟା ଡେଇଁ ଡେଇଁ ସାରା ଦେଶଯାକ ଖେଦିଗଲା ସହର ଓ ମଫସଲରେ । ଚାରିଆଡ଼େ ।

 

ଚାରି ପାଞ୍ଚଦିନ ପରେ ଦିନେ ଆଲୋକ ଆସି ଘରେ ପହଞ୍ଚିଗଲା ! ତା’ର ସେ ବେଶଭୂଷା ଆଉ ନାହିଁ । ମଇଳା ପୋଷାକପତ୍ର ନାହିଁ ଫୁର୍‌ଫୁର୍‌ ବାଳ ନାହିଁ । ରାତିଅନିଦ୍ରା ହୋଇ ଅଖିଆ ଅପିଆରେ ଚାରିଆଡ଼େ ଘୂରିବୁଲିବା ଅଭ୍ୟାସ ଏବେ ନାହିଁ । ଚେହେରାରୁ ଜାଣିହେଉଥିଲା–ସେ ପୂରା ବଦଳିଯାଇଛି । ତା’ର ସେ ଚଙ୍ଗଚଙ୍ଗ ପଣ ଆଉ ନାହିଁ । ଲୁଚିଛପି ସେ ରହୁନଥିଲା । ଆଗ ଅବସ୍ଥା ଆଉ ତା’ର ନାହିଁ । ଆଲୋକ ପୂରା ବଦଳିଯାଇଥିଲା ।

 

ଶଙ୍କର କଟକରୁ ଟେଲିଗ୍ରାମ କରିଥିଲା–ଚିଠି ପଠେଇଥିଲା । କିଶୋର ଠିକଣାଦେଇ ଗୀତାକୁ ସେ ଘରେ ଏକେଲା ଛାଡ଼ିଦେଇ ଆସିଛି ବୋଲି । ସେ ବ୍ୟସ୍ତ ହେବନି । ଘରକୁ ଫେରୁ ଫେରୁ ଶଙ୍କରର ଡେରିହେବ । କିନ୍ତୁ ଆଲୋକ ଆସିଯାଇଛି ଓ ସେ ଏବେ ପୂରା ବଦଳିଯାଇଛି ବୋଲି ଗୀତାଠୁ ଖବରପାଇ ଶଙ୍କର ଆଲୋକ ପାଖକୁ ଫେରନ୍ତା ଡାକରେ ସିଧାସଳଖ ଚିଠି ଦେଲା-। ସେ ନ ଫେରିବା ଯାଏଁ ଆଲୋକ ଯେପରି ଘରକୁ ନ ଯାଏ ତା’ ମା’କୁ ଏକେଲା ଛାଡ଼ିଦେଇ ।

 

ଦିନେ ସଞ୍ଜବେଳେ ଆଲୋକର ଦି’ ତିନିଜଣ ସାଙ୍ଗ ତାଙ୍କ ଘରକୁ ଆସିଥିଲେ । ଆଗଭଳି ସେମାନେ ରାସ୍ତାରେ ଠିଆରହି ଆଲୋକକୁ ଘରୁ ଡାକିନେଲେନି । ଦୁଆରେ ଆସି ଡାକିଲେ, ଆଲୋକ ସେମାନଙ୍କୁ ଘରେ ଆଣି ବସେଇଲା । ମାଉସୀ ବୋଲି ଡାକି ସେମାନେ ଗୀତାକୁ ନମସ୍କାର ହେଲେ ! ସୁଖଦୁଃଖ ହେଲେ । ପିଲାମାନଙ୍କ ଘରକଥା-ସେମାନଙ୍କର ବାପ ମା’ଙ୍କ କଥା ଭାଇ ଭଉଣୀଙ୍କ କଥା । ଗୀତାକୁ ଭାରି ଭଲଲାଗିଲା । ଆଲୋକର ସାଙ୍ଗସାଥିମାନେ-ନିଜ ପୁଅଭଳି । ଗୀତା ସେମାନଙ୍କୁ ଚା’ ଜଳଖିଆ ଦେଲା । ସେମାନଙ୍କ ପାଖରେ କେତେବେଳ ଯାଏଁ ଆସି ବସିଲା । ମନେମନେ ଏଣେ ଜଗନ୍ନାଥଙ୍କୁ ଡାକୁଥାଏ-ଠାକୁରେ ପୁଅକୁ ସୁବୁଦ୍ଧି ଦିଅନ୍ତୁ । ପରେ ପରେ ଘର କାମରେ ସେ ବ୍ୟସ୍ତ ରହିଲା ।

 

କଥାଟା ସେଇ ଭଦ୍ରଲୋକଙ୍କ ବିଷୟରେ ପଡ଼ିଥାଏ-ତାଙ୍କର ନାଁ କି ଠିକଣା କେହି ଜାଣନ୍ତି ନାହିଁ । ଟିପ୍‌ଟାପ୍‌ ପୋଷାକପତ୍ର । ପ୍ୟାଣ୍ଟକୋର୍ଟ ମଡ଼େଇ ଟାଇଟା ପିନ୍ଧିଦେଲେ ସେ ପୂରାପୂରି ସାହେବ । ସଭା ସମିତିରେ ଖଦଡ଼ ଧୋତି ପଞ୍ଜାବୀ ପିନ୍ଧି ବସିଗଲେ ଦେଖାଯାଆନ୍ତି ଜଣେ ପୁରୁଖା ନେତାଭଳି । ପାଇଜାମା ପିନ୍ଧି ଓ ବାଳ ଫୁରଫୁର କରି ବାମପନ୍ଥୀ ଲୋକମାନଙ୍କ ଭିତରେ ସେ ଜଣେ ସଚ୍ଚା ବିପ୍ଳବୀ, ସାହିତ୍ୟସଭା ଓ ନାଟକ ଆସରରେ ସେ ଜଣେ ସୁରୁଚିସମ୍ପୂର୍ଣ୍ଣ ଭଦ୍ରଲୋକ । ସବୁଥିରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଛି । ଅନେକ ବହିପତ୍ର ସେ ପଢ଼ାପଢ଼ି କରିଛନ୍ତି । କଥା କହିଲାବେଳେ ସେ ବହିର ନାଁ କଅଣ-କୋଉ ଅଧ୍ୟାୟରେ ରହିଛି, ଏପରିକି ପୃଷ୍ଠାର ସୂଚନାଦେଇ ତାଙ୍କ କଥାକୁ ଏପରି ଭାବରେ ସେ ଉପସ୍ଥାପିତ କରନ୍ତି ଯେ ତାଙ୍କର ଯୁକ୍ତି ସବୁ ଅକାଟ୍ୟ ମନେହୁଏ । ସେଇ ଶିକ୍ଷା ଦେଇଥିଲେ । ଭଲ ଉଦ୍ଦେଶ୍ୟ ରଖି ଅନ୍ୟଲୋକର ସର୍ବସ୍ୱ ଅପହରଣ କଲେ ତାହା ପାପରେ ଗଣ୍ୟ ହୁଏନି କି ଥିଲାବାଲା ଲୋକଙ୍କୁ ସମାଳେ ବିନାଶ ନ କଲେ ସମାଜ ଗତିଶୀଳ ହୋଇପାରିବନି । ବନ୍ଧୁକ ନଳୀରୁ ହିଁ ବିପ୍ଳବର ଜନ୍ମ–ଯୋଉଠି ସଂଘର୍ଷ ନାହିଁ ସେଠି ପ୍ରଗତି ନାହିଁ । ଗୁରୁ ଭଳି ସମସ୍ତେ ତାଙ୍କୁ ମାନୁଥିଲେ । ଯୋଉ କେତେ ଘଟଣା ସେ କରିଯାଇଛନ୍ତି, ତା’ର ଟେର ଏଯାଏଁ କେହି ପାଇନାହାନ୍ତି । ସେସବୁ ନ କହିବା ବି ଭଲ । ଭାଗ୍ୟ ଭଲ ତାଙ୍କଠୁ ତ୍ରାହି ମିଳିଛି ।

 

ଆଲୋକର ଜଣେ ବନ୍ଧୁ କହିଲା–ସେ ଯାହାହେଉ, ଆମେ ଯେପରି ଚୋରତସ୍କରଙ୍କ ଭଳି ଅନ୍ୟମାନଙ୍କ ଆଗରୁ ନିଜକୁ ଲୁଚେଇ ରଖି ଲୁଚିଛପି ଯା’ଆସ କରୁଥିଲେ, ସେ ଅବସ୍ଥା ଆଉ ନାହିଁ । କେତେଦିନ ଆମେ ଏପରି ଚଳିଥାଆନ୍ତେ ?

 

ନିର୍ବାଚନ ସମ୍ବନ୍ଧରେ ଆଉଜଣେ କହିଲା–ଯୋଉମାନେ ଏଥିରୁ ଫାଇଦା ଉଠେଇବେ, ଉଠାନ୍ତୁ । ଆମେ କାହିଁକି, କାହାର ବଚସ୍କର ହୋଇ ଖାଲି ଦିନରାତି ଦଉଡ଼ଧାପଡ଼ କରୁଥିବା ? ଯିଏ ଶୁଣିବ ବା ଦେଖିବ ଆମକୁ କହିବ ଭଡ଼ାଟିଆ । ଘରେ ବରଂ ବସି ରହିବା ଭଲ ।

 

ଆଲୋକ କହିଲା–ବିପ୍ଳବ ନାଁରେ, ଜୋର ଜବରଦସ୍ତି ସମାଜର ତଥା ଜୀବନ ଗତିଧାରାକୁ ରାତାରାତି ବଦଳା ଯାଇନପାରେ ।

 

ଗପ ଭିତରେ ଦି’ ଦି’ଥର ଚା’ ବୁଲିଗଲା ପରେ, ସଞ୍ଜରୁ ରାତି ହେଲା ପଛେ ଗପ ତାଙ୍କର ସରିଲାନି । ଘର ଭିତରୁ ବିଜୁଳି ଆଲୁଅର ଗାରସବୁ ଝରକା ରେଲିଂ ଫାଙ୍କଦେଇ ରାସ୍ତାରେ କୋଠି କାଟୁଥିଲା ଓ ସେମାନଙ୍କର ଗପମଝିରେ ସେଇ ଗାରସବୁ ରାସ୍ତାଉପରେ ହଲି ଦୋହଲି ସ୍ପନ୍ଦଳିତ ହେଲାଭଳି ପରସ୍ପର ନିକଟକୁ ଘୁଞ୍ଚି ଆସୁଥାଆନ୍ତି ଓ କାନପାଖରେ ଫୁସ୍‌ଫୁସ୍‌ କଥା ହେଉଥିବାର ମନେହେଲା ।

 

ଭଲ ଲାଗୁନଥିଲେ ବି ଗୀତା ସେମାନଙ୍କୁ ନ ଜଣେଇ କଥାଯାକ ତାଙ୍କର ମନଯୋଗ ସହକାରେ ଶୁଣୁଥିଲା । ମନ ତା’ର ଆନନ୍ଦରେ ପୂରିଉଠୁଛି । ତା’ର କୌଣସି ହେଲେ ଚିନ୍ତାଅର୍ଥ ଆଉ ନାହିଁ । ଆଲୋକକୁ ପୁଣି ସେ ଫେରିପାଇଛି ।

 

ଶଙ୍କରକୁ କେବଳ ଅପେକ୍ଷା । ଆଉ କିଛି ଗଣ୍ଡଗୋଳ ବୋଧେ ନ ଥିବ ? ସବୁ ଠିକ୍‌ ହୋଇଗଲାଣି ?

 

ଠିକ୍‌ ସମୟରେ କିଶୋର ଓ ଶଙ୍କର ଗାଡ଼ି ଧରି କଟକରେ ପହଞ୍ଚିଗଲେ । ଘରକୁ ନ ଯାଇ କିଶୋର ସିଧା ପାର୍ଟି ଅଫିସକୁ ଗାଡ଼ି ଚଳେଇଲା । ଜିତୁ ଯୋଉଠି ରହୁଛି । ନିର୍ବାଚନରେ ସିଏ ପୁଣି ଜଣେ ପ୍ରାର୍ଥୀ । ଅଳ୍ପ ବୟସର ଲୋକେ ଏଥର ନିର୍ବାଚନରେ ଲଢ଼ୁଛନ୍ତି । କୁଆଡ଼େ ସେ ଯାଇଥିବ କିଛି ଠିକଣା ନାହିଁ । ଏ ସମୟରେ ନିଶ୍ୱାସ ମାରିବାକୁ ସମୟ ମିଳେନି । ଦିନ ଦିନ, ମାସ ମାସ ଧରି ରାତି ଅନିଦ୍ରା । ଖାଲି କାମ ଆଉ କାମ । ସହର ମଫସଲ ମିଶି ଏତେଗୁଡ଼େ ଲୋକ ଲୋକେ ପୁଣି ଏବେ ନାନା କିସମର ହେଲେଣି-ହଁରେ ସମାନେ ହଁ ହଁ କରୁଥିବେ । କାମରେ କିନ୍ତୁ ଅଲଗା-ସୁବିଧା ସୁଯୋଗଯାକ ହାସଲ କରି ପଛରୁ ଏଇମାନେ ଗୋଛି କାଟିବେ । ଯାହା ଯାହା ଉପରେ ରାଗରୋଷ ରହିଛି ବା ମୁହଁ ଚିହ୍ନାଚିହ୍ନି ସମ୍ପର୍କ ରହିଛି, ସବୁଯାକ ଏଇ ସମୟରେ କାମ କରେ । ଅସଲ ଲୋକଙ୍କୁ କେହି ଚିହ୍ନନ୍ତିନି । ନିର୍ବାଚନ ଦିନେ ଦି’ଦିନ ଆଗରୁ ଅଦୃଶ୍ୟ ହାଉଆ ଗୋଟିଏ ବହିବାକୁ ଆରମ୍ଭ କରେ । ସେଇ ହାଉଆ ଭିତରେ ଯିଏ ବର୍ତ୍ତିଗଲା, ସିଏ ରହିଗଲା । ଯିଏ ତା’ ଭିତରେ ଉଡ଼ିଗଲା, କୁଆଡ଼େ ସେ ଯେ ହଜିଯାଏ ତା’ର ହିସାବ କେହି ରଖନ୍ତିନି । ତାକୁ ଦଳି ଚକଟି ସମସ୍ତେ ମାଡ଼ିଯାଆନ୍ତି ।

 

ସେମାନେ ଯାଇ ଦେଖିଲେ–ଜିତୁର ନିର୍ବାଚନ ପ୍ରଚାର ଆଜି ବନ୍ଦ ରହିଛି । ନାଁକୁ ମାତ୍ର ମାଇକ୍‌ ରଡ଼ି ଛାଡ଼ିଛି ରାସ୍ତାଘାଟରେ, କାନ୍ଥବାଡ଼ରେ ବଡ଼ ବଡ଼ ପ୍ରଚାରପତ୍ର । କର୍ମୀମାନେ ପାର୍ଟି ଅଫିସ୍‌ ବାରେଣ୍ଡାରେ ବସିରହିଛନ୍ତି । ଜିତୁର ସେମାନଙ୍କୁ ଆଦେଶ ନାହିଁ । କୁଆଡ଼େ ସେମାନେ ଯିବେ ଓ କ’ଣ କ’ଣ କରିବେ । ପଇସାଖିଆ ଚାକର ସେମାନେ, ପାଇସା ପାଇଲେ ହେଲା । ଯାହା କରିବାକୁ ନିର୍ଦ୍ଦେଶ ମିଳିବ, ସିଂହବିକ୍ରମରେ ସେମାନେ କରିଚାଲିବେ ।

 

ସମସ୍ତଙ୍କ ମନରେ ଆଶଙ୍କା–ଜିତୁବାବୁଙ୍କର ମୁଣ୍ଡ ବିଗିଡ଼ିଯାଇଛି । କାରଣଟା କ’ଣ କେହି କହିପାରୁନାହାନ୍ତି । ସେ ବି କାହାକୁ କିଛି ନ କହି କେବଳ ତୁନିଟି ହୋଇ ବସି ରହିଛନ୍ତି । କଥାଟା ଜଣାପଡ଼ୁନି, ଘଟଣାଟା ଜାଣିଲେ କିଏ କ’ଣ ବା କରନ୍ତା । ନିର୍ବାଚନ କାମ ତ ହେଲେ କ’ଣ ବନ୍ଦ ରହିବ ?

 

କିଶୋର ଗାଡ଼ିରୁ ଓହ୍ଳେଇଯାଇ ଜିତୁକୁ ଆଗ କୁଣ୍ଢେଇ ପକେଇଲା । କହିଲା–ସବୁ ଠିକ୍‌ ଅଛି । ବ୍ୟସ୍ତ ହେବାର ନାହିଁ, ଜିନିଷଟା ମୁଁ ପାଇସାରିଛି । କିଶୋରବାବୁଙ୍କ ସାଙ୍ଗେ ବାପାଙ୍କୁ ଦେଖି ଜିତୁ ପିଣ୍ଡରେ ପ୍ରାଣ ପଶିଲା ।

 

କେମିତି ପାଇଲେ ? ଜିତୁ କହିଲା–ସେଇଟା ତ ଦି’ଦିନେ ହେଲା ଚୋରି ଯାଇଥିଲା ।

 

ଶାମ ପତିଙ୍କ ଟାକ୍‌ସିରୁ, ଯୋଉଟା ପୁରୀ ଭୁବନେଶ୍ୱର ରାସ୍ତାରେ ଆକ୍‌ସିଡେଣ୍ଟ ହୋଇଥିଲା । ଶାମ ପତିଙ୍କ ସାଙ୍ଗେ ଆଉଜଣେ ଭଦ୍ରଲୋକ ଆସିଥିଲେ–ସେ ଡ୍ରାଇଭିଂ କରୁଥିଲେ । କିଶୋରବାବୁ କହିଲେ–ସେତେବେଳେ ମୁଁ ଏକଲା ଗାଡ଼ି ଧରି ପୁରୀ ଆସୁଥିଲି । ଦେଖିଲି–ମୋର ଆଟାଚିଟାକୁ ଶାମ ପତିଙ୍କ ପାଖରୁ ଝିଙ୍କିନେଇ ସେ ବାବୁ ଜଣଙ୍କ ରାସ୍ତାକରର ବଣବୁଦା ଭିତରକୁ ପଶିଯିବାକୁ ଉଦ୍ୟତ ହେଉଛନ୍ତି । ଗାଡ଼ିଟା ମନକୁମନ ଆକ୍‌ସିଡେଣ୍ଟ ହେଲା ନା ଡ୍ରାଇଭିଂ କରୁ କରୁ ଆକ୍‌ସିଡେଣ୍ଟ ସେ ଆଗେ କରେଇଦେଲେ, ସେ କଥା ଭଗବାନଙ୍କୁ ଜଣା । ଶାମ ପତି ସେତେବେଳେ ରକ୍ତାକ୍ତ ହୋଇ ଗାଡ଼ି ଭିତରେ । ମୁହୂର୍ତ୍ତେ ସେଠି ଅପେକ୍ଷା କରିଥିଲେ ଆଟାଚିଟାକୁ ମୁଁ ପାଇନଥାନ୍ତି । ସେ ଲୋକଟାକୁ କାବୁ କରିଦେଇ ଆଗ ମୁଁ ତାକୁ ସେଇ ଆକ୍‌ସିଡେଣ୍ଟ ଗାଡ଼ିରେ ପୂରେଇଦେଲି । ବାହାରିବାର ଉପାୟନଥାଏ । ଏଇ ଅବସରରେ ମୋ ଗାଡ଼ି ଛୁଟେଇ ଦେଲି । ପୁରୀ ନୁହେଁ । ସେଇଠି ପଡ଼ି ରହିଥାଆନ୍ତି ।

 

ଭଗବାନ ରକ୍ଷା କରିଛନ୍ତି–ଜିତୁ ଦୀର୍ଘନିଶ୍ୱାସଟିଏ ମାରିଲା । ତା’ପରେ ପରେ ମନରେ ତା’ର ଭରିଗଲା ଆସି ଶତସିଂହର ବଳା । ନିର୍ବାଚନଟା ଜୋରସୋରରେ ଚାଲିବ । ଜିତୁ କହିଲା–ଦି’ଦିନ ତଳେ ପାର୍ଟି ଅଫିସ୍‌ ବାରେଣ୍ଡାରେ ସେ ଏପଟସେପଟ ହେଉଥିଲେ । ସହରତଳେ ଗୋଟିଏ ପଡ଼ାଗାଁକୁ ନିର୍ବାଚନ ପ୍ରଚାର ପାଇଁ ଜିପ୍‌ ନେଇ ଗଲାବେଳେ ତାକୁ ଦେଖିଦେଇ ସେମାନେ ଲୁଚିଗଲେ । ତାଙ୍କ ସାଙ୍ଗେ ଆଉଜଣେ କିଏ ଭଦ୍ରଲୋକ ବି ଥିଲେ । ଜିତୁ କିଛି ସମୟ ତୁନି ରହି ପଚାରିଲା–ସବୁ ଠିକ୍ ଅଛି ତ ?

 

ଗୋଟିଏ ହେଲେ ହଜିନି ।

 

ଶଙ୍କର ଏଯାଏଁ ଜାଣିନଥିଲା–କ’ଣ ସେଥିରେ ଅଛି । କିଛି ନ ପଚାରି ବଡ଼ ବଡ଼ ଆଖିରେ କିଶୋର ଆଡ଼ିକି ଚାହିଁ ରହିଲା–

କିଶୋର ତା’ କାନପାଖେ ଖୁବ୍‌ ଆସ୍ତେ କହିଦେଲା-ଦୁଇଶହ ସୁନାବିସ୍କୁଟ ଓ ନଗଦ ପଚାଶ ହଜାର ଟଙ୍କା । ଶହେ ଟଙ୍କିଆ ନୋଟବିଡ଼ାସବୁ ।

ତା’ କାନକୁ ବିଶ୍ୱାସ କରିପାରିଲାନି ଶଙ୍କର । ସେ ଥୟହୋଇ ସେଠି ଠିଆହୋଇ ରହିପାରିଲାନି । ପଛକୁ ଚୌକି କି ବେଞ୍ଚ ନ ଥିଲା । ତଳେ ସେମିତି ବସିଗଲା ଓ ଫାଙ୍କା ଆକାଶଟାକୁ କେବଳ ଚାହିଁ ରହିଲା–

କିଶୋର ତାକୁ ହାତ ଧରି ଉଠେଇ ଦେଉ ଦେଉ ଜିତୁକୁ ପଚାରିଲା–ତୋର କିଛି ଦରକାର ଅଛି କି ?

ଜିତୁ ନାହିଁକଲା ।

କିଶୋର କିନ୍ତୁ ତାକୁ ବାଧ୍ୟକଲା ।

ଜିତୁ କହିଲା–ଦରକାର ହେଲେ କହିବି ।

କିଶୋର କହିଲା–ଶଙ୍କର ତୁ କଟକରେ ରହ ନିର୍ବାଚନ ଶେଷଯାଏଁ । ଆମେ ସବୁ ଏକାଠି ମିଳିମିଶି ଲାଗିଯିବା । ଜିତୁର ବିଜୟ ବିଜୟ ହେବ, ଆମର ବିଜୟ ଶାମ ପତି ଭଳି ଦଳେ ଦଳେ ଲୋକ ଆମଭିତରେ ବିଭେଦ ସୃଷ୍ଟି କରୁଥିଲେ । ସେଇଟା ଖତମ୍‌ ପାଇଛି, ଭଲ ହୋଇଛି ।

ଶଙ୍କରକୁ ବେଶିଦିନ ଆଉ କଟକରେ ରହିବାକୁ ଭଲ ଲାଗୁନଥିଲା । କିଶୋର ଭଳି ଧୁରନ୍ଧର ଲୋକମାନେ ଯୋଉଠି ଅଛନ୍ତି ଓ ଯେଉମାନଙ୍କର ଏ କ୍ଷେତ୍ରରେ ପ୍ରଶସ୍ଥ ଅଭିଜ୍ଞତା ରହିଛି, ସେମାନେ ଯେତେବେଳେ ପାଖେ ପାଖେ, ସିଏ ଆଉ ବେଶିଦିନ ରହି କଅଣ ଅବା କରିବ ?

 

ନିର୍ବାଚନର ଘନଘଟା, ମାଇକ୍‌ମାନଙ୍କର ରାସ୍ତାଘାଟରେ ରଣଦୁନ୍ଦୁଭି, ରିକ୍‌ସା ଓ ଟାକ୍‌ସିମାନଙ୍କର ଘରର୍ଘର ଶବ୍ଦସାଙ୍ଗକୁ ନିର୍ବାଚନରେ ପ୍ରାର୍ଥୀମାନଙ୍କର ବଜ୍ର ନିର୍ଘୋଷ ନିନାଦରେ ସହରସାରା ରଣାଙ୍ଗନରେ ପରିଣତ ହୋଇଥିଲା । ରାସ୍ତାଘାଟ ଯାକ କଳାଧଳା ଅକ୍ଷରରେ ପ୍ରାର୍ଥୀମାନଙ୍କର ଗୁଣକୀର୍ତ୍ତନ ଓ କାନ୍ଥବାଡ଼ରେ ଖାଲି ପ୍ରଚାରପତ୍ରର ମାଳା, ଠାଆକୁ ଠା ସଭା ଓ ଶୋଭାଯାତ୍ରା । ପ୍ରାର୍ଥୀମାନେ ପଡ଼ାକୁ ପଡ଼ା ସାହିକି ସାହି ପଦଯାତ୍ରା କରି, ଦଳଦଳ ହୋଇ ଅହନିଶି ଚାଲିଥାଏ ଖାଲି ନିର୍ବାଚନର ସଜବାଜ । ଶଙ୍କର ସହରଟାରେ ଏ ଅବସ୍ଥା ଦେଖି ବଡ଼ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଅବସ୍ଥା ସାଙ୍ଗେ ନିଜକୁ ସେ ଖାପଖୁଆଇ ପାରୁନଥିଲା । ଠିକ୍‌ କଲା–ସେ ପୁରୀ ଫେରିଯିବ । ନିର୍ବାଚନ ଆଉ ଦି’ଦିନ ଅଛି କିଶୋରକୁ କହିଲା–ଗୀତା ଘରେ ଏକାକୀ । ଆଲୋକଟା ଘରକୁ ଫେରିଆସିଲାଣି ସତ, ତେବେ–

 

ଏସବୁ କାରଣ ହେଲା ପୁରୀକି ଫେରିଯିବାକୁ ଆଜି ମାତ୍ର । କିନ୍ତୁ ତା’ ମନଭିତରେ ଗୋଟିଏ କଥା ସଦାବେଳେ ଆସି ଧକ୍‌କା ଖାଉଥିଲା । ଅସଲ କାରଣଟା ହେଲା ସେ ଭଦ୍ରଲୋକ ଜଣଙ୍କୁ ଭଲଭାବରେ ଆଖିପୂରେଇ ସେ ଦେଖିବ । ଖବର ପାଇଥିଲା–ଲୋକଟା ପୁରୀ ଜେଲ୍‌ ହାଜତରେ ରହୁଛି । ବିଚାର ଚାଲିଛି । ବଡ଼ ବିଚିତ୍ର ସେଇ ଭଦ୍ରଲୋକ । ସଦାବେଳେ ଛାଇଭଳି ତା’ ପଛେ ପଛେ ଲାଗି ରହିଥିଲା । ଯୋଉଠିକି ଗଲେ ସେଠି ଯାଇଁ ସେ ହଜାରେ ।

 

ଶଙ୍କର ପୁରୀରେ ଆସି ପହଞ୍ଚିବାର ଦି’ଦିନ ପରେ ନିର୍ବାଚନ । କଟକରୁ ଫେରିଆସିଲା ସିନା ମନଟା ତା’ର ଥିଲା ଜିତୁପାଖେ । ଜିତୁ ବହୁଦିନ ହେଲା ସେଇକଥା କହୁଥିଲା । କିଶୋର ବାବୁ ରହିଛନ୍ତି ପାଖେ ପାଖେ, କିଛି ଚିନ୍ତାନାହିଁ । ତଥାପି–କେତେବେଳେ କ’ଣ ହେବ କେହି କିଛି କହିପାରିବେନି । ଶଙ୍କର କିନ୍ତୁ କଟକରେ ରହି ବଡ଼ ଅଣନିଶ୍ୱାସୀ ହୋଇପଡ଼ିଥିଲା ।

 

ପୁରୀକି ଆସି ଶଙ୍କର ହାଲିଆ ବି ମାରିନି । ଖବରଟା ସର୍ବସାଧାରଣରେ ପ୍ରକାଶ ପାଇବାର ବହୁ ସମୟ ଆଗରୁ ଶଙ୍କର ଖବର ପାଇସାରିଥିଲା–ଜିତୁ ଜୟଲାଭ କରିଛି–କଟକରୁ ନିର୍ବାଚନ ହୋଇଛି ।

 

ଖବରଟା ଶୁଣିଦେଇ ଆଲୋକ ସିଧା କଟକ ଚାଲିଲା ଭାଇ ପାଖକୁ । ଗୀତା ଦିଅଁ ଦୂବ କରିବାରେ ବ୍ୟସ୍ତ । ଏତେଦିନକେ ପୁଅ ଘରର ଟେକ ରଖିଛି ।

 

ପୁଅର ଭୟଲାଭ ଖବର ଶୁଣି ବାପ ହିସାବରେ ଶଙ୍କର ଗୌରବରେ ଫୁଲିଉଠୁଥିଲା ସତ, କିନ୍ତୁ ତା’ ମନର କୌଣସି ଏକ ନିଭୃତ କୋଣରେ ରକ୍ତସ୍ରାବ ହେଉଥିବାର ସେ ଅନୁଭବ କରୁଥିଲା । ପୁଅର ଗୌରବ ତା’ ନିଜର । ଜିତୁର ବିଜୟ ଶଙ୍କରର ନିଜର ଅବା ଜୟଲାଭ । ପରିଚିତ ଲୋକମାନଙ୍କୁ ସମ୍ଭାଷଣ ଜଣାଇବା ଅବକାଶରେ ଅନ୍ତରର ଏକ ନିଭୃତ ସନ୍ତପଣରେ ସେ ବୁଡ଼ି ରହିଥିଲା । ପୁଅର ଭବିଷ୍ୟତ ଜୀବନକୁ ସେ ଏପରି କେବେହେଲେ ଚିନ୍ତା କରିନଥିଲା ।

 

ଶଙ୍କର ସେଇଦିନ ବଡ଼ ଆଗ୍ରହ ସହକାରେ ଚାଲିଲା-ଆରେଷ୍ଟ ହୋଇ ସେ ଜେଲ ହାଜତରେ ରହିଛି । ବାହାରେ ରହି ଲୋକଟାକୁ କେବଳ ସେ ନିରୀକ୍ଷଣ କରିବ ।

 

ହାଜତର ସେଲ୍‌ ଭିତରେ ସେ ଲୋକଟା ଗୋଟିଏ ଟୁଲ୍ ଉପରେ ବସିରହି ବାହାରକୁ ସେତେବେଳେ ଚାହିଁଥିଲା–

 

ଶଙ୍କର ତାକୁ ଦେଖି ଦୋଦୋଚିହ୍ନା ହେଉଥିଲା ।

 

ସେ କିନ୍ତୁ ତାକୁ ଭଲରୂପେ ଚିହ୍ନିନେଇଛି । ଶଙ୍କରକୁ ଦେଖିଦେଇ ସେ ଆରପଟକୁ ମୁହଁ ବୁଲେଇଦେଲା ଓ କାନ୍ଥଆଡ଼ିକି ତଳୁଆ ଚାହିଁ ବସି ରହିଲା ମୁଣ୍ଡଟି ତଳକୁ ଝୁଲିଥିଲା ।

 

ତାକୁ ଦେଖି ଶଙ୍କରର ମନେହେଲା–ଏକ ଭୟଙ୍କର ଆଦିମ ସରିସୃପ, ଯିଏ ତା’ର ମସୃଣ କମନୀୟ ଶରୀର, ଫଣାଟେକି ନୃତ୍ୟ ଓ ନିଜ ମଣିର ଆଲୋକରେ ନିଜକୁ କେବଳ ଆଲୋକିତ କରୁଥିଲା । ଅନାୟାସରେ ବିଚରଣ କରିବାପାଇଁ ଓ ତା’ର ଶିକାରମାନଙ୍କୁ ଧରି ସେମାନଙ୍କୁ କାବୁକରି ନେଇ ନିଜର କ୍ଷୁଧା ମେଣ୍ଟନ କରିବାପାଇଁ ଓ ବିକଟାଳ ଦନ୍ତପନ୍ତିରେ ସମସ୍ତିଙ୍କି ଦଂଶନ କରୁଥିଲା, ସିଏ ଜାକିଜ୍‌କି ହୋଇ, ହାଜତ ସେଲରେ ଚେକାମାରି ଓ ନିଜକୁ ନିଜେ ଲୁଚେଇ ରଖି ପଡ଼ି ରହିଥିଲା । ସୂର୍ଯ୍ୟ ସେତେବେଳେ ଅସ୍ତାଚଳରେ ଡୁବିଯାଇଥିଲେ । ଶଙ୍କର ଅନୁଭବ କଲା ସେ ଗୋଟିଏ ଦୁର୍ବୃତ୍ତ ହାବୁଡ଼ରୁ ନିଜକୁ ରକ୍ଷା କରିପାରିଛି ।

Image